ବଡ଼ଓଷା

ଓଡ଼ିଶାରେ ପାଳିତ ଏକ ଓଷା

ବଡ଼ଓଷା ଓଡ଼ିଶାରେ ପାଳିତ ଏକ ଓଷା । ଏହା କାର୍ତ୍ତିକ ମାସର ଶୁକ୍ଲ ପକ୍ଷ ତ୍ରୟୋଦଶୀ ତିଥିରେ ପାଳନ କରାଯାଏ । ଧବଳେଶ୍ୱର ପୀଠରେ ବିଶେଷ ପୂଜା ଅନୁଷ୍ଠାନ କରାଯାଏ ଓ ଧବଳେଶ୍ୱର ବଡ଼ସିଂହାର ରୂପରେ ଦର୍ଶନ ଦିଅନ୍ତି ।[୧]

ବଡ଼ ଓଷା
ନାମବଡ଼ଓଷା
ପର୍ବ ପାଳନପୂଜା, ବନ୍ଦାପନା
ଆରମ୍ଭକାର୍ତ୍ତିକ ମାସର ଶୁକ୍ଲ ପକ୍ଷ ତ୍ରୟୋଦଶୀ
୨୦୨୩ ତାରିଖ୨୫ ନଭେମ୍ବର (ଶନିବାର)
୨୦୨୪ ତାରିଖ୧୪ ନଭେମ୍ବର (ଗୁରୁବାର)

ପୂଜାବିଧି ଓ ଉପଚାର ସମ୍ପାଦନା

ଏହି ଅବସରରେ ମହାଦେବଙ୍କୁ ସ୍ୱତନ୍ତ୍ର ପୂଜା କରାଯାଏ । ପୂଜାଦିନ ଭୋରରୁ ଧବଳେଶ୍ୱରଙ୍କୁ ୧୦୮ ଗରା ପାଣିରେ ସ୍ନାନ କରାଯାଇ, ମଙ୍ଗଳ ଆରତୀ ଓ ମଇଲମ ଆଦି ରୀତିନୀତି କରାଯାଏ । ତରଣ ଓ ଗଜା ପିଠା ବା ଗଜା ମଣ୍ଡା ଭୋଗ ଲଗାଯାଏ ।[୨] ଅରୁଆ ଚାଉଳ ଚୂନାରେ ଏହି ପିଠା ତିଆରି କରାଯାଏ । ପିଠାରେ ନଡ଼ିଆ, ଗୁଡ଼, ଗୁଜୁରାତି ଆଦି ପୁର ଦିଆଯାଏ । ମହାଦେବଙ୍କୁ ପୂଜା କରାଯିବା ପରେ ଭକ୍ତମାନେ ଏହି ପିଠା ସେବନ କରନ୍ତି । ୨୦୨୦ ମସିହାରେ ୨୫ ବର୍ଷ ପରେ ଧବଳେଶ୍ୱରଙ୍କର କିରାତଅର୍ଜୁନ ବେଶ ହୋଇଥିଲା ।[୩]

କିମ୍ବଦନ୍ତୀ ସମ୍ପାଦନା

ପଦ୍ମପୁରାଣ ମତେ ବ୍ରହ୍ମାଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ ଇନ୍ଦ୍ର ଧବଳେଶ୍ୱରଙ୍କ ନିକଟରେ ବଡ଼ଓଷା ବ୍ରତ ପାଳନ କରି କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ଼ ପକେଇ ଶାପମୁକ୍ତ ହୋଇଥିଲେ ।[୪] ଅନ୍ୟ ଏକ କାହାଣୀ ଅନୁସାରେ ଉତ୍କଳରେ କ୍ରତୁ ନାମକ ଧାର୍ମିକ ରାଜା ଥିଲେ । ସେ ଥରେ ଶିକାର ଉଦ୍ଦେଶ୍ୟରେ ବନକୁ ଯାଇଥିଲେ । ବନରେ ଲକ୍ଷ୍ୟହୀନଭାବେ ଯାଉଥିବା ବେଳେ ଏକ ଭଙ୍ଗା ଶିବମନ୍ଦିର ପାଖରେ ପହଞ୍ଚିଲେ । ସେଠାରେ ନାଗପୁରର ରାଜକୁମାରୀ ହରପ୍ରିୟା କ୍ରତୁଙ୍କୁ ବିବାହ କାମନା କରି ପୂଜାକରୁଥିଲେ । ମନ୍ଦିର ନିକଟରେ ଉଭୟଙ୍କର ଭେଟ ହେଲା ଓ ସେମାନେ ବିବାହ କଲେ । ବିବାହ ପରେ ରାଜା ଭୋଗ ବିଳାସରେ ରହି ରାଜ୍ୟକଥା ବୁଝିଲେ ନାହିଁ । ଫଳରେ ବାହ୍ୟଶତ୍ରୁଙ୍କ ପରାଜିତ ହୋଇ ରାଜ୍ୟ ହରାଇବାକୁ ପଡିଲା । ସେ ବଣରେ ରାଣୀଙ୍କ ସହିତ ଦୁଃଖରେ କାଳାତିପାତ କଲେ । ସେହି ବନରେ ଜଣେ ଶିବପୂଜକ ସନ୍ୟାସୀ ବାସକରୁଥିଲେ । ସେ ଥରେ ଶିବଙ୍କ ପୂଜା ଉଦ୍ଦେଶ୍ୟରେ କେତକୀ ଫୁଲ ନେଇ ଯାଉଥିଲେ । ରାଜା ସେହି ଫୁଲଗୁଡ଼ିକୁ ସନ୍ୟାସୀଙ୍କଠାରୁ ବଳପୂର୍ବକ ଛଡ଼ାଇନେଇ ରାଣୀଙ୍କୁ ଅର୍ପଣକଲେ । ଶିବ ରୁଷ୍ଟ ହେଲେ ଓ ରାଜାଙ୍କୁ କୁଷ୍ଠରୋଗ ହେଲା । ତାଙ୍କର ଦୁଃଖ ବଢ଼ି ଚାଲିଲା । ରାଣୀ ରାଜାଙ୍କ ସେବା ଓ ଈଶ୍ବର ଭକ୍ତିରେ ସମୟ ଅତିବାହିତ କରୁଥିଲେ । ସେ ଜଣେ ସନ୍ୟାସୀଙ୍କୁ ଭେଟି ରାଜାଙ୍କର ଆରୋଗ୍ୟ ଉପାୟ ପଚାରିଲେ । ଶିବଭକ୍ତଙ୍କ ଅଭିଶାପରୁ ରାଜାଙ୍କୁ କୁଷ୍ଠରୋଗ ହୋଇଛି ବୋଲି ସନ୍ୟାସୀ ଜଣାଇଲେ । ରାଣୀ ସନ୍ୟାସୀଙ୍କ ପରାମର୍ଶରେ ମହାନଦୀ ଗର୍ଭରେ ଥିବା ଧବଳେଶ୍ବରଙ୍କ ନିକଟରେ ନିଷ୍ଠାର ସହିତ ବଡ଼ଓଷା ବ୍ରତ ପାଳନ କଲେ । ଶିବ ସନ୍ତୁଷ୍ଟ ହୋଇ ବର ପ୍ରଦାନ କଲେ । କ୍ରତୁ ରୋଗମୁକ୍ତ ହୋଇ ସପତ୍ନୀକ ଓ ପୁତ୍ର ସନ୍ତାନ ସହ ରାଜତ୍ବ କଲେ ।[୫]

ଆଧାର ସମ୍ପାଦନା

  1. "ଧବଳେଶ୍ୱରଙ୍କ ପୀଠରେ ବଡ଼ ଓଷା, ଲକ୍ଷାଧିକ ଭକ୍ତଙ୍କ ସମାଗମ". www.samajalive.in. ସମାଜ. Archived from the original on 28 November 2020. Retrieved 28 November 2020.
  2. "ଆଜି ବଡ଼ ଓଷା, ଧବଳେଶ୍ୱର ପୀଠ ଚଳଚଞ୍ଚଳ". www.zeenews.india.com. ଜୀ ନ୍ୟୁଜ. Archived from the original on 28 November 2020. Retrieved 28 November 2020.
  3. "ଧବଳେଶ୍ୱର ମନ୍ଦିରରେ ୧୪୪ ଧାରା; ବାବାଙ୍କ ଦୁର୍ଲଭ ବେଶ ଦେଖି ପାରିବେନି ଭକ୍ତ". www.khabar.odishatv.in. ଓଡ଼ିଶା ଟେଲିଭିଜନ. Archived from the original on 28 November 2020. Retrieved 28 November 2020.
  4. "ଏସବୁ ପାଇଁ ପାଳନ କରାଯାଏ ବଡ଼ ଓଷା". www.dharitri.com. ଧରିତ୍ରୀ. Archived from the original on 28 November 2020. Retrieved 28 November 2020.
  5. ପଟ୍ଟନାୟକ, ଅରବିନ୍ଦ. ବ୍ରତ ସାହିତ୍ୟ. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ. pp. ୮୨-୮୩. ISBN ୮୧-୭୫୮୬-୧୮୩-୫. {{cite book}}: Check |isbn= value: invalid character (help)