ପରଶୁରାମ (ସଂସ୍କୃତ: परशुराम, IAST: Paraśurāma, ଜଣେ ପରଶୁଧାରୀ ରାମ) ହିନ୍ଦୁ ଧର୍ମରେ ବିଷ୍ଣୁଙ୍କର ଷଷ୍ଠ ଅବତାର । ପୁରାଣ ଅନୁସାରେ ସେ ଜଣେ ଚିରଞ୍ଜୀବୀ ଓ ସେ କଳି ଯୁଗ ଶେଷରେ ବିଷ୍ଣୁଙ୍କ ଦଶମ ଏବଂ ଶେଷ ଅବତାର କଳ୍କୀଙ୍କର ଗୁରୁ ଭାବେ ଅବତରିବେ । ସେ ଆକ୍ରମଣ, ଯୁଦ୍ଧ ଓ ବୀରତ୍ୱ ପ୍ରଦର୍ଶନ ସହ ଶାନ୍ତି, ଜ୍ଞାନ ଏବଂ ଧୈର୍ଯ୍ୟ ଭଳି ଅନେକ ଗୁଣ ଧାରଣ କରିଥିଲେ । ଯେତେବେଳେ ପୃଥିବୀରେ ଅତ୍ୟଧିକ ପାପ ବୃଦ୍ଧି ହେଲା, ସେତେବେଳେ ବିଷ୍ଣୁଙ୍କର ପୃଥିବୀ ପୃଷ୍ଠରେ ପର୍ଶୁରାମ ଅବତାର ନେବା ପାଇଁ ପୂର୍ବରୁ ଭବିଷ୍ୟବାଣୀ କରାଯାଇଥିଲା । ଅସ୍ତ୍ରଶସ୍ତ୍ର ଓ କ୍ଷମତା ଯୋଗୁଁ କ୍ଷତ୍ରିୟମାନେ ସେମାନଙ୍କର କ୍ଷମତାର ଅପବ୍ୟବହାର କରିବା, ଅନ୍ୟର ଜିନିଷକୁ ବଳପୂର୍ବକ ଗ୍ରହଣ କରିବା ଏବଂ ଲୋକଙ୍କୁ ଅତ୍ୟାଚାର କରିବା ଆରମ୍ଭ କରି ଦେଇଥିଲେ । ପର୍ଶୁରାମ ଏହି କ୍ଷତ୍ରୀୟ ଯୋଦ୍ଧାମାନଙ୍କୁ ବିନାଶ କରି ବ୍ରହ୍ମାଣ୍ଡର ସନ୍ତୁଳନ ରକ୍ଷା କଲେ । ତାଙ୍କୁ କେତେକ ହିନ୍ଦୁ ଗ୍ରନ୍ଥରେ ରାମ ଜମାଦାଗ୍ନ୍ୟ, ରାମ ଭାର୍ଗବ ଏବଂ ବୀରରାମ ମଧ୍ୟ କୁହାଯାଏ। ପରଶୁରାମ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ ଏବଂ କର୍ଣ୍ଣ ଆଦିଙ୍କର ମଧ୍ୟ ଗୁରୁ ।[୧][୨]

ପରଶୁରାମ
Parashurama.jpg
ପରଶୁରାମ
ବିଷ୍ଣୁଙ୍କ ଷଷ୍ଠ ଅବତାର
Devanagariपरशुराम
Sanskrit TransliterationParashurama
Affiliationଦ୍ରୋଣ ଓ କର୍ଣ୍ଣଙ୍କ ଗୁରୁ
ଲୋକମହେନ୍ଦ୍ରଗିରି
Weaponପରଶୁ, ଶିବ ଧନୁ
ସ୍ୱାମୀ/ସ୍ତ୍ରୀଧରିଣୀ

ତାଙ୍କୁ କିଛି ହିନ୍ଦୁ ପୁରାଣରେ ରାମ ଯମଦଗ୍ନି, ରାମ ଭାର୍ଗବ ଏବଂ ବୀରରାମ ନାମରେ ମଧ୍ୟ ଉଲ୍ଲେଖ କରାଯାଇଛି ।[୩]

କିମ୍ବଦନ୍ତୀସମ୍ପାଦନ କରନ୍ତୁ

ହିନ୍ଦୁ କିମ୍ବଦନ୍ତୀ ଅନୁଯାୟୀ, ପରଶୁରାମ ବ୍ରାହ୍ମଣ ଋଷି ଯମଦଗ୍ନି ଏବଂ ତାଙ୍କ କ୍ଷତ୍ରିୟ ପତ୍ନୀ ରେଣୁକାଙ୍କ ଏକ କୁଡ଼ିଆରେ ରହୁଥିଲେ। ତାଙ୍କର ଜନ୍ମସ୍ଥାନ ମଧ୍ୟପ୍ରଦେଶର ଇନ୍ଦୋରର ଜନପାଭ ପାହାଡ ଉପରେ ଅଛି ବୋଲି ବିଶ୍ୱାସ କରାଯାଏ। [5] [6] ପାହାଡ ଉପରେ ଏକ ଶିବ ମନ୍ଦିର ଅଛି ଯେଉଁଠାରେ ପରଶୁରାମ ଭଗବାନ ଶିବଙ୍କୁ ପୂଜା କରିଥିବାର ବିଶ୍ୱାସ କରାଯାଏ, ଆଶ୍ରମ (ଆବି) ତାଙ୍କ ପିତାଙ୍କ ନାମରେ ଯମଦଗ୍ନି ଆଶ୍ରମ ନାମରେ ଜଣାଶୁଣା । ଏହି ଜାଗାରେ ଏକ ପୋଖରୀ ମଧ୍ୟ ଅଛି ଯାହା ରାଜ୍ୟ ସରକାରଙ୍କଦ୍ୱାରା ପୁନରୁଦ୍ଧାର କରାଯାଉଛି । ସେମାନଙ୍କର ସୁରଭି (ଗାଈ କାମଧେନୁଙ୍କ କନ୍ୟା) ନାମକ ଏକ ସ୍ୱର୍ଗୀୟ ଗାଈ ଥିଲା ଯାହା ସେମାନେ ଯାହା ଇଚ୍ଛା କରୁଥିଲେ ସେ ତାହା ପୂରଣ କରୁଥିଲେ । କାର୍ତ୍ତବୀର୍ଯ୍ୟ ଅର୍ଜୁନ ନାମକ ଜଣେ ରାଜା ଏହା ବିଷୟରେ ଜାଣିବା ପରେ ଉକ୍ତ ଗାଭୀକୁ ନେବାକୁ ଚାହିଁଲେ । ସେ ଯମଦଗ୍ନିଙ୍କଠାରେ ନିଜର ଇଚ୍ଛା ପ୍ରକାଶ କଲେ, କିନ୍ତୁ,ଋଷି ମନା କରିଦେଲେ । ପରଶୁରାମ କୁଟୀରଠାରୁ ଦୂରରେ ଥିବାବେଳେ ରାଜା ଏହାକୁ ବଳପୂର୍ବକ ନେଇଗଲେ। ପରଶୁରାମ ଏହି ଘଟଣା ଜାଣିବା ପରେ କ୍ରୋଧିତ ହେଲେ । ହାତରେ କୁରାଢ଼ି ଧରି ସେ ରାଜାଙ୍କୁ ଯୁଦ୍ଧ କରିବାକୁ ଆହ୍ୱାନ କଲେ ଓ ଯୁଦ୍ଧକରି ପରଶୁରାମ ରାଜାଙ୍କୁ ହତ୍ୟା କଲେ। କ୍ଷେତ୍ରିୟମାନେ ତାଙ୍କୁ ଯୁଦ୍ଧ କରିବାକୁ ଆହ୍ୱାନ କଲେ ଏବଂ ସେ ତାଙ୍କର ସମସ୍ତ ପ୍ରତିପକ୍ଷଙ୍କୁ ହତ୍ୟା କଲେ ।

କିଛି କିମ୍ବଦନ୍ତୀରେ, ତାଙ୍କର ବିଜୟପୂର୍ବକ ଯୁଦ୍ଧ ଅଭିଯାନ ପରେ, ପରଶୁରାମା ସୁରଭି ଗାଈ ସହିତ ତାଙ୍କ ପିତାଙ୍କ ନିକଟକୁ ଫେରି ଆସିଥିଲେ ଏବଂ ତାଙ୍କୁ ଯୁଦ୍ଧ ବିଷୟରେ କହିଥିଲେ। ଋଷି ପରଶୁରାମଙ୍କୁ ଅଭିନନ୍ଦନ ଜଣାଇଲେ ନାହିଁ, କିନ୍ତୁ ତାଙ୍କୁ ତାଗିଦ୍ କରି କହିଲେ ଯେ, ଜଣେ ବ୍ରାହ୍ମଣ ଜଣେ ରାଜାଙ୍କୁ ହତ୍ୟା କରିବା ଉଚିତ୍ ନୁହେଁ। ତୀର୍ଥଯାତ୍ରାରେ ଯାଇ ତାଙ୍କ ପାପର କ୍ଷମା କରିବାକୁ ସେ କହିଛନ୍ତି। ପରଶୁରାମ ତୀର୍ଥଯାତ୍ରାରୁ ଫେରିବା ପରେ ଜାଣିବାକୁ ପାଇଲେ ଯେ ସେ ଦୂରରେ ଥିବାବେଳେ ପ୍ରତିଶୋଧ ନେବାକୁ ଚାହୁଁଥିବା କ୍ଷେତ୍ରିୟମାନେ ତାଙ୍କ ପିତାଙ୍କୁ ହତ୍ୟା କରିଥିଲେ। ପରଶୁରାମ ପୁନର୍ବାର କୁରାଢ଼ି ଉଠାଇ ପ୍ରତିଶୋଧରେ ଅନେକ ଯୋଦ୍ଧାଙ୍କୁ ହତ୍ୟା କଲେ। ଶେଷରେ, ସେ ଅସ୍ତ୍ର ଛାଡି ତପସ୍ୱୀ ଜୀବନ ଗ୍ରହଣ କଲେ ।

କନ୍ନଡ଼ ଲୋକନୃତ୍ୟରେ, ବିଶେଷକରି ଦେବଦାସଙ୍କଦ୍ୱାରା ଗାନ କରାଯାଇଥିବା ଭକ୍ତି ଗୀତରେ ତାଙ୍କୁ ପ୍ରାୟତ ୟେଲାମାର ପୁତ୍ର ବୋଲି କୁହାଯାଏ ।

ପର୍ଶୁରାମ ଏବଂ ପଶ୍ଚିମ ଉପକୂଳର ଉତ୍ପତ୍ତି (କୋଙ୍କଣ)ସମ୍ପାଦନ କରନ୍ତୁ

ଭୌଗୋଳିକ ଏବଂ ସାଂସ୍କୃତିକ ଦୃଷ୍ଟିରୁ ପଶ୍ଚିମ ଉପକୂଳର ଉତ୍ପତ୍ତି ସମ୍ବନ୍ଧରେ ଏକ ଜନଶୃତି ରହିଅଛି | କିମ୍ବଦନ୍ତୀରେ ବର୍ଣ୍ଣିତ ରହିଛି ଯେ, ସମୁଦ୍ରରୁ ପଶ୍ଚିମ ଉପକୂଳର ଉତ୍ପତ୍ତି ପର୍ଶୁରାମଙ୍କଦ୍ୱାରା ହୋଇଛି । ମହାବିଷ୍ଣୁଙ୍କ ଅବତାର ପର୍ଶୁରାମ ତାଙ୍କ ଅସ୍ତ୍ର କୁରାଢ଼ୀକୁ ସମୁଦ୍ରରେ ଫିଙ୍ଗିଥିଲେ। ଫଳସ୍ୱରୂପ, ପଶ୍ଚିମ ଉପକୂଳର ଭୂମି ସମୁଦ୍ରରୁ ଉତ୍ପନ୍ନ ହେଲା । ଯେଉଁ ସ୍ଥାନରୁ ସେ କୁରାଢ଼ୀ ନିକ୍ଷେପ କରିଥିଲେ(କିମ୍ବା ତୀର ନିକ୍ଷେପ କରିଥିଲେ), ତାହା ମହାରାଷ୍ଟ୍ରର ନାଶିକ୍ ଜିଲ୍ଲାର ବାଗଲାନ୍ ତାଲୁକାରେ ଥିବା ସାଲହର୍ ଦୁର୍ଗ (ମହାରାଷ୍ଟ୍ରର ଦ୍ୱିତୀୟ ସର୍ବୋଚ୍ଚ ଶିଖର ଏବଂ ସର୍ବୋଚ୍ଚ ଦୁର୍ଗ) ଉପରେ ଅଛି। ପର୍ଶୁରାମଙ୍କୁ ଉତ୍ସର୍ଗୀକୃତ ଏହି ଦୁର୍ଗର ଶିଖରରେ ଏକ ମନ୍ଦିର ଅଛି ଏବଂ ପଥରରେ ପାଦ ଛାପ ସାଧାରଣ ମଣିଷଠାରୁ ୪ ଗୁଣ ଅଧିକ । ଏହି ଦୁର୍ଗର ନିମ୍ନରେ ଥିବା ମାଳଭୂମି ଉପରେ ପର୍ଶୁରାମଙ୍କ ମାତା ରେଣୁକାଙ୍କର ଏକ ମନ୍ଦିର ଅଛି ଏବଂ ଏକ ବଡ଼ ପୋଖରୀ କୂଳରେ ଯଜ୍ଞକୁଣ୍ଡ ସହିତ ଶାମିଆନା(ଛାଉଣୀ)କୁ ଖମ୍ବ ସହିତ ବାନ୍ଧିବା ପାଇଁ ଗର୍ତ୍ତସବୁ ରହିଛି | ବର୍ତ୍ତମାନର ଗୋଆ (କିମ୍ବା ଗୋମନ୍ତକ), ଯାହାକି କୋଙ୍କଣର ଏକ ଅଂଶ, ଦକ୍ଷିଣ ଗୋଆ ଜିଲ୍ଲାର କାନାକୋନାରେ ପ୍ରଭୁ ପର୍ଶୁରାମଙ୍କୁ ଉତ୍ସର୍ଗୀକୃତ ଏକ ମନ୍ଦିର ଅଛି | [14] [15] [16]

ଗ୍ରନ୍ଥସମ୍ପାଦନ କରନ୍ତୁ

  • ଦେବୀ ଭଗବତ ପୁରାଣର ଷଷ୍ଠ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି ଯେ, ତୀବ୍ର ଆଲୋକ ବିଚ୍ଛୁରଣ ସହିତ ସେ ଜଙ୍ଘରୁ ଜନ୍ମ ହୋଇଥିଲେ ଯାହା ସମସ୍ତ ଯୋଦ୍ଧାଙ୍କୁ ଅନ୍ଧ କରିଦେଇଥିଲା, ଯେଉଁମାନେ ତା’ପରେ ସେମାନଙ୍କର ମନ୍ଦକାର୍ଯ୍ୟ ପାଇଁ ଅନୁତାପ କଲେ ଏବଂ ନୈତିକ ଜୀବନଯାପନ କରିବାକୁ ପ୍ରତିଜ୍ଞା କଲେ, ସେମାନେ ତାଙ୍କର ପୁନର୍ବାର ଦୃଷ୍ଟିଶକ୍ତି ଫେରିପାଇଲେ । ସେ ସେମାନଙ୍କୁ ବର ପ୍ରଦାନ କଲେ ।
  • ବିଷ୍ଣୁ ପୁରାଣର ଚତୁର୍ଥ ଅଧ୍ୟାୟରେବର୍ଣ୍ଣିତ ହୋଇଛି ଯେ, , ରିକିକା ଦୁଇଜଣ ମହିଳାଙ୍କ ପାଇଁ ଏକ ଖାଦ୍ୟ ପ୍ରସ୍ତୁତ କଲେ, ଗୋଟିଏ ସାଧା, ଏବଂ ଅନ୍ୟଟି ଔଷଧିଯୁକ୍ତ ଯାହା ଖାଇଲେ ମହିଳା ଜଣକ ଏକ ଯୋଦ୍ଧାପୁତ୍ର ଗର୍ଭଧାରଣ କରିବେ | ପରିଶେଷରେ ଦୈବାତ୍ ରେଣୁକା ଖାଇଦେଲେ ଏବଂ ତା’ପରେ ସେ ପର୍ଶୁରାମଙ୍କୁ ଜନ୍ମ ଦେଲେ ।
  • ବାୟୁ ପୁରାଣର ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା ହୋଇଛି ଯେ, ମାତା ରେଣୁକା ଉଭୟ ରୁଦ୍ର (ଶିବ) ଏବଂ ବିଷ୍ଣୁଙ୍କୁ ଦିଆଯାଇଥିବା ଯଜ୍ଞଭୋଗ(ଚରୁଅନ୍ନ) ଖାଇବା ପରେ ପର୍ଶୁରାମଙ୍କୁ ଜନ୍ମ ଦେଇଥିଲେ, ଯାହା ତାଙ୍କୁ କ୍ଷତ୍ରିୟ ଏବଂ ବ୍ରାହ୍ମଣର ଦ୍ୱୈତ୍ୟ ସ୍ୱଭାବ ଦେଇଥିଲା ।

ମହାଭାରତରେ ପର୍ଶୁରାମଙ୍କୁ କ୍ରୁଦ୍ଧ ବ୍ରାହ୍ମଣ ବୋଲି ବର୍ଣ୍ଣନା କରାଯାଇଛି, ଯିଏ କୁରାଢ଼ୀଦ୍ୱାରା ବହୁ ସଂଖ୍ୟକ କ୍ଷତ୍ରିୟ ଯୋଦ୍ଧାଙ୍କୁ ହତ୍ୟା କରିଥିଲେ କାରଣ ସେମାନେ ସେମାନଙ୍କର କ୍ଷମତାର ଅପବ୍ୟବହାର କରୁଥିଲେ। ଅନ୍ୟ ଗ୍ରନ୍ଥରେ,ପିତା ଋଷି ଜମଦଗ୍ନିଙ୍କ ଆଦେଶ ପାଳନ କରିବାକୁ ଯାଇ ସେ ନିଜ ମାତାଙ୍କୁ ମଧ୍ୟ ହତ୍ୟା କରିଥିଲେ କାରଣ ଋଷି ଜମଦଗ୍ନି ପର୍ଶୁରାମଙ୍କର ପିତାମାତାଙ୍କ ପ୍ରତି ଭକ୍ତିର ପରୀକ୍ଷା ନେଇଥିଲେ । [20] [9] ପର୍ଶୁରାମ ତାଙ୍କ ମାତାଙ୍କୁ ହତ୍ୟା କରିବା ପାଇଁ ତାଙ୍କ ପିତାଙ୍କ ଆଦେଶ ପାଳନ କରିବା ପରେ, ତାଙ୍କ ପିତା ତାଙ୍କୁ ଏକ ବର ମାଗିବାକୁ କହିଲେ। ପର୍ଶୁରାମ ପିତାଙ୍କୁ ନିଜମାତାଙ୍କୁ ପୁନର୍ଜୀବିତ କରିବାକୁ ବର ମାଗିଥିଲେ। ମାତୃହତ୍ୟା ପରି ନିଷ୍ଠୁର କାର୍ଯ୍ୟ ପାଇଁ ତାଙ୍କ ହୃଦୟ ଦୁଃଖରେ ଭରିଗଲା, ଏଥିପାଇଁ ସେ ଅନୁତପ୍ତ ଓ ପାପର ପ୍ରାୟଶ୍ଚିତ କଲେ। ତାଙ୍କ ମା ପୁନର୍ବାର ଜୀବନ ଫେରିପାଇବା ପରେ, ସେ କୁରାଢ଼ୀରେ ଲାଗିଥିବା ରକ୍ତଦାଗକୁ ସଫା କରିବାକୁ ଚେଷ୍ଟା କଲେ । କିନ୍ତୁ ସେ କୁରାଢ଼ୀରେ ଲାଗିଥିବା ବୁନ୍ଦାଏ ରକ୍ତଦାଗ ସଫା କରିବାରେ ଅସମର୍ଥ ହୋଇଥିଲେ ଏବଂ ବିଭିନ୍ନ ନଦୀରେ ରକ୍ତବୁନ୍ଦା ସଫା କରିବାକୁ ଚେଷ୍ଟା କରିଥିଲେ । ଏହାପରେ ସେ ଭାରତର ଦକ୍ଷିଣ ଆଡକୁ ଯାଇ କୁରାଢ଼ୀକୁ ବିଭିନ୍ନ ପବିତ୍ର ନଦୀରେ ସଫା କରିବାକୁ ଚେଷ୍ଟାକଲେ, ପରିଶେଷରେ ସେ କର୍ଣ୍ଣାଟକର ଶିମୋଗା ସ୍ଥିତ ତିର୍ଥହାଲୀ ଗ୍ରାମରେ ପହଞ୍ଚି ପବିତ୍ର ନଦୀ ତୁଙ୍ଗାରେ କୁରାଢ଼ୀକୁ ସଫା କରିବାକୁ ଚେଷ୍ଟା କଲେ ଏବଂ ଆଶ୍ଚର୍ଯ୍ୟର କଥା କୁରାଢ଼ୀ ସଫା ହୋଇଗଲା । ପବିତ୍ର ନଦୀ ତୁଙ୍ଗାର ସମ୍ମାନାର୍ଥେ ସେ ଏକ ଶିବ ଲିଙ୍ଗ ନିର୍ମାଣ କରି ପୂଜା କଲେ ଏବଂ ଏହି ମନ୍ଦିରର ନାମ ରମେଶ୍ୱରା ମନ୍ଦିର ବୋଲି କୁହାଯାଏ । ଯେଉଁଠାରେ ଭଗବାନ ପର୍ଶୁରାମା କୁରାଢ଼ୀ ସଫା କରିଥିଲେ ସେହି ସ୍ଥାନକୁ ରାମକୁଣ୍ଡା କୁହାଯାଏ |

ସେ ମହାଭାରତରେ ଭୀଷ୍ମ (ଅଧ୍ୟାୟ 5.178), ଦ୍ରୋଣା (ଅଧ୍ୟାୟ 1.121) ଏବଂ କର୍ଣ୍ଣ (ଅଧ୍ୟାୟ 3.286)ର ଗୁରୁ ଭାବରେ କାର୍ଯ୍ୟ କରିବା, ଅସ୍ତ୍ରଶସ୍ତ୍ର ଶିଖାଇବା ଏବଂ ଯୁଦ୍ଧର ଉଭୟ ପାର୍ଶ୍ୱରେ ପ୍ରମୁଖ ଯୋଦ୍ଧାମାନଙ୍କୁ ସାହାଯ୍ୟ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। [21] [22] [ ଟିପ୍ପଣୀ 3]

କେରଳର ଲୋକ ସାହିତ୍ୟରେ ସେ କେରଳ ଭୂଖଣ୍ଡର ପ୍ରତିଷ୍ଠାତା, ଯିଏ ଏହାକୁ ସମୁଦ୍ରରୁ ଉତ୍ଥାପନ କରି ସେଠାରେ ଏକ ହିନ୍ଦୁ ସମ୍ପ୍ରଦାୟ ସ୍ଥାପନ କରିଥିଲେ। ସେ କେତେକ ହିନ୍ଦୁ ଗ୍ରନ୍ଥରେ ରାମ ଜମଦାଗ୍ନି ଏବଂ ରାମ ଭାର୍ଗବ ନାମରେ ମଧ୍ୟ ଜଣାଶୁଣା । ଭଗବତ ପୁରାଣର ଅଧ୍ୟାୟ 2.3.47 ଅନୁଯାୟୀ ପର୍ଶୁରାମ ମହେନ୍ଦ୍ର ପର୍ବତକୁ ପ୍ରସ୍ଥାନ କରିଥିଲେ । ସେ ହେଉଛନ୍ତି ଏକମାତ୍ର ବିଷ୍ଣୁ ଅବତାର ଯିଏ କେବେ ବି ମୃତ୍ୟୁପ୍ରାପ୍ତି ହୁଏନାହିଁ, ଅଣାକାର ବିଷ୍ଣୁସ୍ୱରୂପକୁ ଫେରି ନାହାନ୍ତି ଏବଂ ଧ୍ୟାନରେ ନିମଗ୍ନ ଅଛନ୍ତି । ଆହୁରି ମଧ୍ୟ, ସେ ହେଉଛନ୍ତି ଏକମାତ୍ର ବିଷ୍ଣୁ ଅବତାର ଯାହାକି ଅନ୍ୟ ବିଷ୍ଣୁ ଅବତାର ରାମ ଏବଂ କୃଷ୍ଣଙ୍କ ସହିତ ଯଥାକ୍ରମେ ରାମାୟଣ ଏବଂ ମହାଭାରତ କାଳରେ ବିଦ୍ୟମାନ ଅଛନ୍ତି। [9] [ନୋଟ୍ 4]

ପର୍ଶୁରାମ କ୍ଷେତ୍ରସମ୍ପାଦନ କରନ୍ତୁ

ପର୍ଶୁରାମ କ୍ଷେତ୍ର ବିଷୟରେ ଅନେକ ବ୍ୟାଖ୍ୟାନ ରହିଛି |

ବାପିରୁ ତାପି ଦକ୍ଷିଣ ଗୁଜରାଟର ଏକ ଅଞ୍ଚଳରେ ସହ୍ୟାଦ୍ରିଖଣ୍ଡାରେ ବର୍ଣ୍ଣିତ ପ୍ରାଚୀନ ସପ୍ତକୋଙ୍କଣ ଟିକିଏ ବଡ଼ ଅଞ୍ଚଳ ଯାହାକି ଏହାକୁ ପର୍ଶୁରାମ କ୍ଷେତ୍ର (ସଂସ୍କୃତରେ "ପର୍ଶୁରାମ ଅଞ୍ଚଳ" ପାଇଁ ଦର୍ଶାଏ), ଅଟେ | ପ୍ରଭୁ ପର୍ଶୁରାମଙ୍କଦ୍ୱାରା ଆଶୀର୍ବାଦପ୍ରାପ୍ତ ହୋଇଥିଲା ଏବଂ ଏହାକୁ "ପର୍ଶୁରାମ ନି ଭୁମି" ବୋଲି କୁହାଯାଉଥିଲା ।

କୋଙ୍କଣ ଅଞ୍ଚଳକୁ ପର୍ଶୁରାମ କ୍ଷେତ୍ର ମଧ୍ୟ ବିବେଚନା କରାଯାଏ। [26] [27]

ଅରୁଣାଚଳ ପ୍ରଦେଶର ଲୋହିତ ଜିଲ୍ଲାର ଏକ ହିନ୍ଦୁ ତୀର୍ଥସ୍ଥାନ କେନ୍ଦ୍ରରେ ଏକ ପର୍ଶୁରାମ କୁଣ୍ଡ ଅଛି ଯାହା ଋଷି ପର୍ଶୁରାମଙ୍କୁ ଉତ୍ସର୍ଗ କରାଯାଇଛି। ପ୍ରତିବର୍ଷ ଶୀତ ଋତୁରେ ହଜାର ହଜାର ତୀର୍ଥଯାତ୍ରୀ ଏହି ସ୍ଥାନକୁ ପରିଦର୍ଶନ କରନ୍ତି, ବିଶେଷକରି ମକର ସଂକ୍ରାନ୍ତି ଦିନ ଏହି ପବିତ୍ର କୁଣ୍ଡରେ ବୁଡ଼ ପକାଇବା ଦ୍ୱାରା, ପାପକ୍ଷୟ ହେବାର ବିଶ୍ୱାସ ରହିଛି | [28] [29]

ମହୁରଗଡ ଏକ ଶକ୍ତିପୀଠ ଅଟେ ଯାହା ମହାରାଷ୍ଟ୍ରର ନନ୍ଦେଡ ଜିଲ୍ଲାରେ ଅବସ୍ଥିତ , ଯେଉଁଠାରେ ଦେବୀ ରେଣୁକାଙ୍କର ଏକ ପ୍ରସିଦ୍ଧ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ସର୍ବଦା ତୀର୍ଥଯାତ୍ରୀମାନଙ୍କଦ୍ୱାରା ପରିପୂର୍ଣ୍ଣ | ଲୋକମାନେ ମଧ୍ୟ ସେହି ମହରଗଡରେ ପ୍ରଭୁ ପର୍ଶୁରାମ ମନ୍ଦିର ପରିଦର୍ଶନ କରିବାକୁ ଆସନ୍ତି ।

ପ୍ରତିକୃତି ବିଦ୍ୟାସମ୍ପାଦନ କରନ୍ତୁ

ବିଷ୍ଣୁଧର୍ମୋତ୍ତର ପୁରାଣ ଏବଂ ରୂପମଣ୍ଡାନା ପରି ହିନ୍ଦୁ ସାହିତ୍ୟରେ ପର୍ଶୁରାମଙ୍କ ପ୍ରତିକୃତିରେ,ସେ ଜଣେ ଜଟାଧାରୀ, ଦୁଇହାତ ବିଶିଷ୍ଟ ଓ ଏକ କୁରାଢ଼ୀ ଧାରଣ କରିଥିବା ବର୍ଣ୍ଣନା କରାଯାଇଛି। କିନ୍ତୁ, ଅଗ୍ନି ପୁରାଣରେ କୁରାଢ଼ୀ, ଧନୁ, ତୀର ଏବଂ ଖଣ୍ଡା ଚାରି ହାତରେ ଧାରଣ କରିଥିବା ଚିତ୍ରଣ କରେ । ଭଗବତ ପୁରାଣରେ ତାଙ୍କୁ ଚାରି ହାତଥିବା ଦର୍ଶାଯାଇଛି,ସେ କୁରାଢ଼ୀ, ଧନୁ, ତୀର ଏବଂ ଢାଲ ଧରି ଯୋଦ୍ଧା ଭଳି ଉଭା ହୋଇଛନ୍ତି । ସେ ଜଣେ ଯୋଦ୍ଧା। କିନ୍ତୁ, ମନ୍ଦିର ଗାତ୍ରରେ ଯୁଦ୍ଧ ଦୃଶାବଳୀ ସହିତ ତାଙ୍କୁ ପ୍ରଦର୍ଶନ କରାଯିବା ବିରଳ ଅଟେ (କିନ୍ତୁ,ବସୋହଲି ମନ୍ଦିରରେ ଏହା ଏକ ବ୍ୟତିକ୍ରମ) । ସାଧାରଣତଃ, ତାଙ୍କୁ ଦୁଇ ହାତରେ ଏବଂ ଡାହାଣ ହାତରେ କୁରାଢ଼ୀ ଧରି ବସିଥବା କିମ୍ବା ଠିଆ ହେବା ଦେଖାଯାଏ ।


ପୌରାଣିକ ମତେ ପରଶୁରାମ ବିଷ୍ଣୁଙ୍କ ଷଷ୍ଠ ଅବତାର । ଭୃଗୁବଂଶର ଋଷି ଜମଦଗ୍ନି ଓ ରେଣୁକାଙ୍କ ଔରସରୁ ପରଶୁରାମ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ପୂଜାପାଠ ଛାଡ଼ି ଧନୁଶର ଓ ପରଶୁ କୁଠାର ସାହାଯ୍ୟରେ ସେ ଯୁଦ୍ଧବିଦ୍ୟା ଶିକ୍ଷା କଲେ । ଏହି ସମୟରେ ମା’ ରେଣୁକାଙ୍କୁ ଚରିତ୍ର ସ୍ଖଳନ ଦୋଷରେ ଦୋଷୀ ସାବ୍ୟସ୍ତ କରି ଋଷି ଜମଦଗ୍ମି ତାଙ୍କୁ ମୃତ୍ୟୁଦଣ୍ଡ ଆଦେଶ ଦେଲେ । ଭୃଗୁପତି ପରଶୁରାମ ପର୍ଶୁ ଆଘାତରେ ମାଆଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଲେ । ପିତା ଜମଦଗ୍ନି ସନ୍ତୁଷ୍ଟ ହୋଇ ବର ଯାଚନା କଲେ । ମାଆଙ୍କୁ ପୁନର୍ଜୀବନ ଦେବା ପାଇଁ ପରଶୁରାମ ବର ମାଗିଲେ । ଋଷି ଜମଦଗ୍ନି ସନ୍ତୁଷ୍ଟ ହୋଇ ରେଣୁକାଙ୍କୁ ଜୀବନ୍ୟାସ ମନ୍ତ୍ରପଢ଼ି ଜଳସିଞ୍ଚି ବଞ୍ଚାଇ ଦେଲେ । ତେବେ ମାତୃହତ୍ୟା କରିଥିବାରୁ ପାପଭାରରେ ପରଶୁରାମଙ୍କ ପରଶୁ ତାଙ୍କ କାନ୍ଧରୁ ଉଠିଲା ନାହିଁ । ଏହା ଦେଖି ପିତା ଜମଦଗ୍ନି କହିଲେ ‘ଭାରତବର୍ଷର ସମସ୍ତ ତୀର୍ଥ ଦର୍ଶନ କରି ଜଳରେ ସ୍ନାନ କର । ତା’ପରେ କୈଳାସ ପର୍ବତକୁ ଯାଇ ଶିବ ପାର୍ବତୀଙ୍କ ନିକଟରେ ତପସ୍ୟା କର । ଶିବ ପାର୍ବତୀ ସନ୍ତୁଷ୍ଟ ହୋଇ ତୁମକୁ ପାପମୁକ୍ତ କରିବେ । ପିତାଙ୍କ ଆଦେଶ ପାଳନ କରି ପରଶୁରାମ ଦୀର୍ଘଦିନ ତୀର୍ଥସ୍ଥାନ ପର୍ଯ୍ୟଟନ କରି କୈଳାସ ପର୍ବତରେ ତପସ୍ୟାରତ ହେଲେ । ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଶିବ ପାର୍ବତୀ ତାଙ୍କୁ ବର ପ୍ରଦାନ କରି ପାପମୁକ୍ତ କଲେ । ଫଳରେ ତାଙ୍କ କାନ୍ଧରୁ ପରଶୁ କୁଠାର ଖସିଗଲା ।

ଦ୍ୱାପର ଯୁଗରେ କ୍ଷତ୍ରୀୟମାନେ ଅତ୍ୟାଚାରୀ ହୋଇ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଲେ । ଭଗବାନ ପରଶୁରାମ ନିଜେ ବ୍ରାହ୍ମଣ ସନ୍ତାନ ହୋଇ ମଧ୍ୟ ହାତରେ ପରଶୁ କୁଠାର ଧରି ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଗଲେ । ସର୍ବପ୍ରଥମେ ସହସ୍ରାର୍ଜ୍ଜୁନଙ୍କୁ ହତ୍ୟା କଲେ । ପରେ ପରେ ଏକବିଂଶବାର ବୁଲି ବୁଲି ସେ କ୍ଷତ୍ରୀୟକୁଳ ଅଙ୍କୁରମାନଙ୍କୁ ନିପାତ କଲେ । ସମଗ୍ର ପୃଥିବୀ ବୀର କ୍ଷତ୍ରୀୟମାନଙ୍କ ରକ୍ତରେ ଧୌତ ହେଲା । ଅତ୍ୟାଚାରୀ କ୍ଷତ୍ରୀୟମାନଙ୍କୁ ଉପଯୁକ୍ତ ଦଣ୍ଡ ଦେଇସାରିବା ପରେ ଆଉ ପରଶୁରାମ ଅବତାରରେ କୌଣସି ଆବଶ୍ୟକତା ରହିଲା ନାହିଁ । ତେଣୁ ଭଗବାନ ଶ୍ରୀରାମଚନ୍ଦ୍ର ରୂପେ ଅଯୋଧ୍ୟା ରାଜପରିବାରରେ ସେ ଜନ୍ମଗ୍ରହଣ କଲେ । ଜନକ ରାଜକୁମାରୀ ସୀତାଙ୍କୁ ବିବାହ କରିବା ପାଇଁ ଶିବଧନୁ ଭାଙ୍ଗିବା ସମୟରେ ପରଶୁରାମଙ୍କ ମିଥିଳାରେ ଆବିର୍ଭାବ ଘଟିଥିଲା। ଶ୍ରୀରାମଙ୍କ ମହିମା ଜାଣିନପାରି ପରଶୁରାମ ତାଙ୍କୁ ଜଣେ ସାଧାରଣ କ୍ଷତ୍ରୀୟ ସନ୍ତାନ ଭାବେ ମନେକରିଥିଲେ । ପରଶୁରାମ ତାଙ୍କ ସହିତ ଯୁଦ୍ଧ ପାଇଁ ଶ୍ରୀରାମଙ୍କୁ ଆମନ୍ତ୍ରଣ କଲେ । ପରଶୁରାମ କହିଲେ- ‘ତୁମେ ତ ଶିବଧନୁ ଭାଙ୍ଗି ସୀତାଙ୍କୁ ବିବାହ କରିଛ, ତେଣୁ ମୋ ଧନୁରେ ଶରସନ୍ଧାନ କରି ଦେଖାଅ ।’ ଭଗବାନ ଶ୍ରୀରାମଚନ୍ଦ୍ର ପରଶୁରାମଙ୍କ ହାତରୁ ଧନୁ ନେଇ ଅକ୍ଳେଶରେ ଶରସନ୍ଧାନ କଲେ । ଠିକ୍ ଏହି ସମୟରେ ଭଗବାନ ରାମଚନ୍ଦ୍ର ପରଶୁରାମଙ୍କ ଶରୀରରୁ ବିଷ୍ଣୁକଳାର ତେଜ ହରଣ କଲେ । ସେହି ଦିନଠାରୁ ପରଶୁରାମ କ୍ଷତ୍ରୀୟ ତେଜ ଓ କ୍ରୋଧ ତ୍ୟାଗ କରି ତପସ୍ୟାରେ ମନ ବଳାଇଲେ । ଦ୍ୱାପର ଯୁଗରେ ପରଶୁରାମ ଭୀଷ୍ମ କର୍ଣ୍ଣଙ୍କ ଭଳି ମହାରଥୀଙ୍କୁ ଯୁଦ୍ଧବିଦ୍ୟା ଶିକ୍ଷା ଦେଇଥିଲେ ।

ଆଷାଢ଼ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିକୁ ପରଶୁରାମଙ୍କ ଜନ୍ମ ଦିବସ ଭାବେ ପାଳନ କରାଯାଏ ।

ଜାନୁଘଣ୍ଟିଆସମ୍ପାଦନ କରନ୍ତୁ

ଓଡ଼ିଶାର ଦକ୍ଷିଣାଞ୍ଚଳରେ ପରଶୁରାମ ଗୋତ୍ରୀ ବ୍ରାହ୍ମଣମାନେ ବସବାସ କରନ୍ତି । ସେମାନେ ଅଧିକାଂଶ ସମୟରେ ଭିକ୍ଷାନ୍ନ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି । ତେବେ ସେମାନେ ସାଧାରଣ ଭିକ୍ଷୁକ ବା ଯୋଗୀ ଭିକାରି ପରି ଭିକ୍ଷା ମାଗନ୍ତି ନାହିଁ । ଦୁଇଜଣ ଏକାଠି ଆସନ୍ତି । ଜଣେ ରାମ ବେଶରେ ଆଉ ଜଣେ ପରଶୁରାମ ବେଶରେ ଆସନ୍ତି । ରାମଙ୍କ ହାତରେ ଥାଏ ଧନୁଶର ଓ ପରଶୁରାମଙ୍କ ହାତରେ ଥାଏ ପରଶୁ କୁଠାର । ଗ୍ରାମର ବା ସାହିର ଦୁଇମୁଣ୍ଡରୁ ଦୁଇଜଣ ପ୍ରବେଶ କରନ୍ତି । ଯେଉଁଠାରେ ଭେଟହୁଏ ସେଠାରେ ଯୁଦ୍ଧର ଆହ୍ୱାନ ଭଳି ଅଭିନୟ କରନ୍ତି । ଦୁଇଜଣଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲେ । ଶେଷରେ ପରଶୁରାମ ବେଶଧାରୀ ଭିକ୍ଷୁ ହାରିଯାଇ ଶ୍ରୀରାମ ବେଶଧାରୀ ଭିକ୍ଷୁଙ୍କ ନିକଟରେ ଶରଣ ପଶନ୍ତି । ଏହି ଦୃଶ୍ୟ ଦେଖିବାକୁ ବହୁଲୋକ ରୁଣ୍ଡ ହୁଅନ୍ତି । ସେମାନେ ରାମ ଓ ପରଶୁରାମ ବେଶଧାରୀ ବ୍ରାହ୍ମଣଙ୍କୁ ଭିକ୍ଷା ଦିଅନ୍ତି । ଦୁଇଜଣଙ୍କ ହାତରେ ଲାଉତୁମ୍ବାର ପାତ୍ର ଥାଏ । ଏଥିରେ ସୁନ୍ଦର ଦଶାବତାର ଚିତ୍ର ଅଙ୍କିତ ହୋଇଥାଏ । ଦୁହେଁ ମୁଣ୍ଡରେ ଖିଡ଼୍‌କୀ ପାଗ ଓ ଚିତା ପୋଷାକ ପିନ୍ଧିଥାନ୍ତି । ପରଶୁରାମଙ୍କ ଜଙ୍ଘରେ ଗୋଟିଏ ଘିର ବନ୍ଧା ହୋଇଥାଏ । କଥିତ ଅଛି ପରଶୁରାମ ପୃଥିବୀରୁ ଏକବିଂଶବାର କ୍ଷତ୍ରିୟଙ୍କୁ ନିପାତ କରିବା ସମୟରେ ଜାନୁରେ ଘଣ୍ଟି ବାନ୍ଧିଥିଲେ । ସେହି ଘିର ଶବ୍ଦ ଶୁଣିଲେ ଶତ୍ରୁମାନେ ଭୟରେ ଶିହରୀ ଉଠୁଥିଲେ । ତେଣୁ ତାଙ୍କୁ ଜାନୁଘଣ୍ଟ ପରଶୁରାମ କୁହାଯାଉଥିଲା । ଏହି ପରମ୍ପରାର ଜାନୁଘଣ୍ଟ ପରଶୁରାମ ଭିକ୍ଷୁକ କ୍ଷତ୍ରିୟୋଚିତ ସ୍ୱାଭିମାନ ନେଇ କାହାକୁ କିଛି ମାଗନ୍ତି ନାହିଁ । କାହା ଦୁଆରେ ଛିଡ଼ା ହୁଅନ୍ତି ନାହିଁ । କାହାରି ଛାତ ତଳକୁ ଯାଆନ୍ତି ନାହିଁ । ଗାଁଗହଳରେ ଏମାନଙ୍କୁ ଜାନୁଘଣ୍ଟିଆ କୁହାଯାଏ ।

ପରଶୁରାମାଷ୍ଟମୀ ବ୍ରତସମ୍ପାଦନ କରନ୍ତୁ

ଓଡ଼ିଶାର ଦକ୍ଷିଣାଞ୍ଚଳରେ ମାଆମାନେ ପୁତ୍ରର ଶୁଭକାମନା କରି ପରଶୁରାମଷ୍ଟମୀ ବ୍ରତ ପାଳନ କରନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀଗୁଣ୍ଡିଚା ଘରେ ଅବସ୍ଥାନ କରୁଥିବା ସମୟରେ ଏହି ବ୍ରତ ପାଳନ କରାଯାଏ । ଉପବାସ ରହି ଭଗବାନ ପରଶୁରାମଙ୍କୁ ପୂଜାର୍ଚ୍ଚନା କରାଯାଏ । ଚିରଞ୍ଜିବୀ ପରଶୁରାମ ଏବେ ମହେନ୍ଦ୍ରଗିରିରେ ଅବସ୍ଥାନ କରୁଛନ୍ତି ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି । ତେଣୁ କେହି କେହି ଆଷାଢ଼ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ମହେନ୍ଦ୍ରଗିରିକୁ ଯାଇ ଭଗବାନ ପରଶୁରାମଙ୍କ ମୂର୍ତ୍ତି ନିକଟରେ ପୂଜାର୍ଚ୍ଚନା କରନ୍ତି । [୪]

ଆଧାରସମ୍ପାଦନ କରନ୍ତୁ

  1. Constance Jones; James D. Ryan (2006). Encyclopedia of Hinduism. Infobase Publishing. p. 324. ISBN 978-0-8160-7564-5.
  2. James G. Lochtefeld (2002). The Illustrated Encyclopedia of Hinduism: N-Z. The Rosen Publishing Group. pp. 500–501. ISBN 978-0-8239-3180-4.
  3. ଆଧାର ଭୁଲ: ଅଚଳ <ref> ଚିହ୍ନ; Leslie2014p66 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. ଅଶୋକ କୁମାର ପଟ୍ଟନାୟକ, ସଂଚାର, ପୃଷ୍ଠା- ୧୪, ମଙ୍ଗଳବାର, ୧୬ ଜୁଲାଇ ୨୦୧୩