ଧ୍ରୁବୀୟ ଜ୍ୟୋତି (ଈଂରାଜୀରେ aurora ବା polar lights ବା northern lights ବା southern lights) ଆକାଶରେ ଦୃଶ୍ୟମାନ ହେଉଥିବା ଏକ ପ୍ରକାରର ପ୍ରାକୃତିକ ଜ୍ୟୋତି । ଏହା ମୁଖ୍ୟତଃ କୁମେରୁ ବୃତ୍ତ/କୁମେରୁ ଓ ସୁମେରୁ ବୃତ୍ତ/ସୁମେରୁ ପରି ଉଚ୍ଚ ଅକ୍ଷାଂଶ ଅଞ୍ଚଳରେ ଦେଖାଯାଇଥାଏ । ଉତ୍ତର ଗୋଲାର୍ଦ୍ଧର ଧ୍ରୁବୀୟ ଜ୍ୟୋତିକୁ ଈଂରାଜୀରେ "ଔରୋରା ବୋରିଆଲିସ୍" (aurora borealis) ଓ ଦକ୍ଷିଣ ଗୋଲାର୍ଦ୍ଧର ଧ୍ରୁବୀୟ ଜ୍ୟୋତିକୁ “ଔରୋରା ଅଷ୍ଟ୍ରାଲିସ୍” ‍‍(aurora australis) ବୋଲି କୁହାଯାଏ ।

ବିଶ୍ୱରେ ଦୃଶ୍ୟମାନ ହୋଇଥିବା ଧ୍ରୁବୀୟ ଜ୍ୟୋତି ବା ଔରୋରା ଚିତ୍ର । ଲାଲ୍ ଓ ନୀଳ ରଙ୍ଗର ଧ୍ରୁବୀୟ ଜ୍ୟୋତି ଦେଖାଯିବା ଅତି ବିରଳ ।
୨୦୧୭ ମସିହାରେ ଅନ୍ତର୍ଯାତୀୟ ମହାକାଶ କେନ୍ଦ୍ରରୁ ଅଷ୍ଟ୍ରାଲିସ୍ ଧ୍ରୁବୀୟ ଜ୍ୟୋତିର ଚିତ୍ର । ଏହାର ଭଡ଼ିଓ : [୨]

ପୃଥିବୀର ଚୁମ୍ବକୀୟ ଗୋଲକ ଯୋଗୁଁ ପୃଥିବୀ ଚାରିପଟେ ଏକ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୁଏ । ଚୁମ୍ବକୀୟ ଗୋଲକର ଦୁଇ ମେରୁ ପୃଥିବୀର ଦୁଇ ମେରୁ ନିକଟରେ ରହିଥାଏ । ଏହି ଚୁମ୍ବକୀୟ ଗୋଲକ ଦୁଇ ମେରୁ ନିକଟରେ ସୀମିତ ଓ ଦୁର୍ବଳ । କିନ୍ତୁ ସୁମେରୁ ବୃତ୍ତରୁ କୁମେରୁ ବୃତ୍ତ ମଧ୍ୟରେ ଚୁମ୍ବକୀୟ କ୍ଷେତ୍ର ବିସ୍ତୃତ । ସୌର ପ୍ରବାହ ସମୟରେ ସୂର୍ଯ୍ୟରୁ ପୃଥିବୀ ଆଡକୁ ଆସୁଥିବା ଆୟନ୍, ଇଲେକ୍ଟ୍ରନ୍ ଓ ପ୍ରୋଟୋନ୍ ରୂପୀ ଚାର୍ଜ୍ କଣିକାମାନ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି । ଅଧିକାଂଶ ଚାର୍ଜ୍ କଣିକା ଚୁମ୍ବକୀୟ କ୍ଷେତ୍ରରୁ ବିକର୍ଷିତ ହୋଇଥାନ୍ତି । କିନ୍ତୁ ଉଭୟ ମେରୁ ନିକଟରେ କିଛି କିଛି କଣିକା ପୃଥିବୀର ବାୟୁ ମଣ୍ଡଳରେ ପ୍ରବେଶ କରିଯାନ୍ତି । ବାୟୁମଣ୍ଡଳକୁ ଆସିଲା ପରେ ଏହି ଚାର୍ଜ୍ କଣିକାମାନ ଅନ୍ୟ ଗ୍ୟାସ୍ ଯଥା ଯବକ୍ଷାରଜାନ, ଅମ୍ଳଜାନରେ ରହିଥିବା କଣିକାମାନଙ୍କୁ ଶକ୍ତି ପ୍ରଦାନ କରନ୍ତି ଓ ନିଜ ଶକ୍ତି ହରାନ୍ତି ।

ଏହି ଶକ୍ତି ପୁଣି ଗ୍ୟାସୀୟ ଅଣୁମାନଙ୍କଦ୍ୱାରା ଫୋଟୋନ୍ ରୂପରେ ବିକିରିତ ହୁଏ । ବିକିରିତ ଫୋଟୋନ୍ ବିଭିନ୍ନ ରଙ୍ଗର ଅନୁପମ ଜ୍ୟୋତି ସୃଷ୍ଟି କରନ୍ତି । କେଉଁ ସ୍ଥାନରେ ଏହି ଚାର୍ଜ୍ କଣିକାଗୁଡ଼ିକ ଗ୍ୟାସୀୟ ଅଣୁଙ୍କ ସହିତ ଧକ୍କା ହୁଅନ୍ତି ତାହା ଅନୁସାରେ ଧ୍ରୁବୀୟ ଜ୍ୟୋତିର ରଙ୍ଗ ନିରୂପିତ ହୁଏ । ପୃଥିବୀ ପୃଷ୍ଠରୁ ୧୫୦ ମାଇଲ୍ ପର୍ଯ୍ୟନ୍ତ ଉଚ୍ଚତାରେ ଅମ୍ଳଜାନ ଅଣୁମାନେ ହଳଦିଆ ଓ ସବୁଜ ରଙ୍ଗର ଫୋଟୋନ୍ ବିକିରିତ କରନ୍ତି । ୧୫୦ ମାଇଲ୍‍ରୁ ଅଧିକ ଉଚ୍ଚତାରେ ଅମ୍ଳଜାନ ଅଣୁ ଲାଲ୍ ଓ ଗୋଲାପୀ ରଙ୍ଗ ସୃଷ୍ଟି କରନ୍ତି । ଭୂପୃଷ୍ଠରୁ ୬୦ ମାଇଲ୍ ଉଚ୍ଚତା ମଧ୍ୟରେ ଯବକ୍ଷାରଜାନ ଅଣୁ ସହିତ ଚାର୍ଜ୍‍ମାନଙ୍କ ଧକ୍କା ହେଲେ ନୀଳ ରଙ୍ଗର ଜ୍ୟୋତି ସୃଷ୍ଟି ହୁଏ । ପୁଣି ସବୁ ରଙ୍ଗ ମିଶିଲେ ବାଇଗଣୀ, ଗୋଲାପୀ ଏପରି ଅନେକ ରଙ୍ଗ ମଧ୍ୟ ସୃଷ୍ଟି ହୋଇପାରେ । ମେରୁ ଅଞ୍ଚଳରେ ଚାର୍ଜ୍ କଣିକାମାନଙ୍କଦ୍ୱାରା ବାୟୁମଣ୍ଡଳୀୟ ଅଣୁମାନଙ୍କୁ କେତେ ଶକ୍ତି ମିଳେ ତାହା ଅନୁସାରେ ଧ୍ରୁବୀୟ ଜ୍ୟୋତିର ପ୍ରକାର ଭେଦ ଦେଖାଦିଏ । ନିମ୍ନ ଅକ୍ଷାଂଶରେ ସାଧାରଣତଃ ପ୍ରୋଟୋନ୍ ଧ୍ରୁବୀୟ ଜ୍ୟୋତି ଦେଖାଯାଏ ।[] ପ୍ରୋଟୋନ୍‍ମାନେ ବାୟୁମଣ୍ଡଳରେ ଇଲେକ୍ଟ୍ରନ୍ ଗ୍ରହଣ କରି ଉଦ୍‍ଜାନରେ ପରିଣତ ହୋଇ ପ୍ରକାଶୀୟ ବିକିରଣ କରନ୍ତି ।

ନାମକରଣ

ସମ୍ପାଦନା

ଲାଟିନ୍ ଭାଷାରେ ଔରୋରା (Aurora) ଶବ୍ଦର ଅର୍ଥ ହେଲା ଊଷା । ପୂର୍ବେ ଧ୍ରୁବୀୟ ଜ୍ୟୋତିକୁ ଊଷାର ପ୍ରଥମ ଆଲୋକ ବୋଲି ଲୋକେ ଭାବୁଥିଲେ, ତେଣୁ ଏହାର ଏପରି ନାମ ରହିଯାଇଛି ।

ଲୌକିକ ଧ୍ରୁବୀୟ ଜ୍ୟୋତି

ସମ୍ପାଦନା

ଚୁମ୍ବକୀୟ ମେରୁର ୧୦° - ୨୦° ମଧ୍ୟରେ ୩°ରୁ ୬° ଅକ୍ଷାଂଶପରିମିତ ଅଞ୍ଚଳରେ ରାତିର ଅନ୍ଧାର ଆକାଶରେ ପ୍ରାୟତଃ ଧ୍ରୁବୀୟ ଜ୍ୟୋତି ଦେଖାଯାଏ ।[] ଆକାଶର ଯେଉଁ ବଳୟ ମଧ୍ୟରେ ଧ୍ରୁବୀୟ ଜ୍ୟୋତି ଦେଖାଯାଏ ବଳୟକୁ “ଧ୍ରୁବୀୟ ବଳୟ” ବୋଲି କହିପାରିବା । [] ଧ୍ରୁବୀୟ ଜ୍ୟୋତିର ନିରୀକ୍ଷଣରୁ ଏହାର ଭୂଚୁମ୍ବକ ସହିତ ସମ୍ପର୍କ ପ୍ରତିପାଦିତ ହୋଇଥିଲା । କିନ୍ତୁ ୧୮୬୦ରେ ଏଲିଆସ୍ ଲୁମିସ୍, ୧୮୮୧ରେ ହର୍ମାନ୍ ଫ୍ରିତ୍ଜ୍[], ୧୮୮୨ ମସିହାରେ ଏସ୍. ଟ୍ରୋମ୍‍ହୋଲ୍ଟ୍ [] ଧ୍ରୁବୀୟ ଜ୍ୟୋତି କ୍ଷେତ୍ରରେ ଏପରି ପ୍ରାକୃତିକ ଆଭା ପରିଲକ୍ଷିତ ହୋଇଥାଏ ବୋଲି ବିସ୍ତୃତ ଭାବେ ଜଣାଇଥିଲେ । ଇଣ୍ଟର୍‍ନେଟ୍‍ରେ ବିଭିନ୍ନ ସ୍ଥାନର ଧ୍ରୁବୀୟ ବଳୟମାନଙ୍କ ଦୈନିକ ଚିତ୍ର ପ୍ରକାଶ ପାଉଥାଏ । [] ଉତ୍ତର ଗୋଲାର୍ଦ୍ଧରେ ଦେଖାଯାଉଥିବା ଧ୍ରୁବୀୟ ଜ୍ୟୋତିକୁ "ନର୍ଦନ୍ ଲାଇଟ୍ସ୍" ବା "ଔରୋରା ବୋରିଆଲିସ୍" ବୋଲି କୁହାଯାଏ । ଔରୋରା ବୋରିଆଲିସ୍ ଶବ୍ଦଟି ଗାଲିଲିଓଙ୍କଦ୍ୱାରା ୧୬୧୯ ମସିହାରେ ପ୍ରଚଳିତ କରାଯାଇଥିଲା । ପ୍ରାଚୀନ ରୋମ୍ ପୌରାଣିକ କଥାରେ ଊଷା ଦେବୀ “ଔରୋରା” ଓ ଉତ୍ତରୀୟ ବାୟୁ ପ୍ରବାହ ଶବ୍ଦର ସମ୍ମିଶ୍ରଣରେ ଏହି ଶବ୍ଦର ସୃଷ୍ଟି ।[] ଦକ୍ଷିଣ ଗୋଲାର୍ଦ୍ଧରେ ଦେଖାଯାଉଥିବା “ଔରୋରା ଅଷ୍ଟ୍ରାଲିସ୍” ବା “ସଦର୍ନ୍ ଲାଇଟ୍ସ୍” ମଧ୍ୟ ଉତ୍ତର ଗୋଲାର୍ଦ୍ଧର ଧ୍ରୁବୀୟ ଜ୍ୟୋତି ପରି । ସୁମେରୁରେ ଧ୍ରୁବୀୟ ଜ୍ୟୋତିରେ ପରିବର୍ତ୍ତନ ହେବାବେଳେ କୁମେରୁରେ ମଧ୍ୟ ଅପରୂପ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ ।[] ଆଣ୍ଟାର୍କଟିକା, ଚିଲି, ଆର୍ଜେଣ୍ଟିନା, ନ୍ୟୁଜିଲ୍ୟାଣ୍ଡ, ଓ ଅଷ୍ଟ୍ରେଲିଆ ଇତ୍ୟାଦି ଦେଶରେ ଔରୋରା ଅଷ୍ଟ୍ରାଲିସ୍ ଦେଖାଯାଇପାରିବ ।

ଭୂଚୁମ୍ବକୀୟ ପ୍ରବାହରେ ଧ୍ରୁବୀୟ ଜ୍ୟୋତି କୁଣ୍ଡଳୀ ସୃଷ୍ଟି ହୁଏ ଓ କ୍ରାନ୍ତିବୃତ୍ତ ପର୍ଯ୍ୟନ୍ତ ବ୍ୟାପ୍ତ ହୋଇ ନିମ୍ନତର ଅକ୍ଷାଂଶରେ ମଧ୍ୟ ଦୃଶ୍ୟମାନ ହୁଏ । ଭୌଗୋଳିକ କୁମେରୁ ଓ ସୁମେରୁ ନିକଟରେ ଧ୍ରୁବୀୟ ଜ୍ୟୋତି ଦେଖାଯାଇ ନଥାଏ । ଭୌଗୋଳିକ ମେରୁ ଚୁମ୍ବକୀୟ ମେରୁଠାରୁ ପ୍ରାୟ ୨୦୦୦ କିଲୋମିଟର୍ ଦୂରରେ ଅବସ୍ଥିତ । ସାଧାରଣତଃ ଚୁମ୍ବକୀୟ ମେରୁରୁ ପୃଥିବୀର ଅନ୍ଧାର ଅଂଶ ପଟକୁ ୩-୫ ଡିଗ୍ରୀ ମଧ୍ୟରେ ଧ୍ରୁବୀୟ ଜ୍ୟୋତି ଦେଖାଯାଏ । ଚୁମ୍ବକୀୟ ମଧ୍ୟରାତ୍ରରେ ଧ୍ରୁବୀୟ ଜ୍ୟୋତି ସବୁଠାରୁ ଭଲ ଭାବେ ଦେଖାଯାଇଥାଏ ।

କିଛି ଚିତ୍ର

ସମ୍ପାଦନା

ପ୍ରାୟ ୧୨୦୦୦ରୁ ଅଧିକ ଥର ଧ୍ରୁବୀୟ ଜ୍ୟୋତିଙ୍କୁ କ୍ୟାମେରାଦ୍ୱାରା ନିରୀକ୍ଷଣ କଲା ପରେ କାର୍ଲ୍ ଷ୍ଟୋର୍ମର୍ ଓ ତାଙ୍କ ସହଯୋଗୀମାନେ ଭୂପୃଷ୍ଠରୁ କେତେ ଉଚ୍ଚତାରେ ଧ୍ରୁବୀୟ ଜ୍ୟୋତି ଦେଖାଯାଏ ତାହା ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି ।[] ସେମାନଙ୍କ ସଂଗୃହୀତ ତଥ୍ୟାନୁସାରେ ପ୍ରାୟତଃ ଧ୍ରୁବୀୟ ଜ୍ୟୋତିର ସର୍ବାଧିକ ଭାଗ ୯୦-୧୫୦ କି.ମି. ଉଚ୍ଚତା ମଧ୍ୟରେ ଦେଖାଯାଇଥାଏ । ବେଳେ ବେଳେ ଏହା ୧୦୦୦ କି.ମି. ଉଚ୍ଚତା ପର୍ଯ୍ୟନ୍ତ ମଧ୍ୟ ଦେଖାଯାଇପାରେ ।

ବର୍ତ୍ତମାନ ଅନେକ ଉଚ୍ଚ ମାନର ଓ ଅତ୍ୟାଧୁନିକ ଡିଜିଟାଲ୍ କ୍ୟାମେରା ଉଦ୍ଭାବିତ ହୋଇପାରିଥିବାରୁ ପୂର୍ବାପେକ୍ଷା ଧ୍ରୁବୀୟ ଜ୍ୟୋତିର ଅନେକ ଚିତ୍ର ଉତ୍ତୋଳନ କରାଯାଇପାରିଛି ।[୧୦] ଧ୍ରୁବୀୟ ଜ୍ୟୋତିରେ ଆଲୋକର ରଙ୍ଗ ପରିବର୍ତ୍ତନ ହେଉଥିବାରୁ ଏହାର ସ୍ଥାୟୀଚିତ୍ର ବା ଗତିଚିତ୍ର ଉତ୍ତୋଳନ କରିବା ବେଳେ କିଛି ଅସୁବିଧା ଦେଖାଦେବା ସ୍ୱାଭାବିକ ।

ଡେଭିଡ୍ ମାଲିନ୍ ନାମକ ଜଣେ ଚିତ୍ରତ୍ତୋଳକ ଧ୍ରୁବୀୟ ଜ୍ୟୋତିର ଫଟୋ ଉଠାଇବାରେ ପାରଙ୍ଗମତା ହାସଲ କରିଛନ୍ତି । ଫଟୋ ଉଠାଇବା ବେଳେ ଗୁଡ଼ିଏ ଫିଲ୍ଟର୍ ବ୍ୟବହାର କରନ୍ତି ଓ ବହୁ ଫଟୋକୁ ପରେ ପ୍ରୟୋଗଶାଳାରେ ସଂଯୋଜିତ କରି ଦୃଶ୍ୟର ସଠିକ୍ ରଙ୍ଗ ଓ ଚିତ୍ର ଉପସ୍ଥାପନ କରିଥାନ୍ତି ।[୧୧] ଅତିବାଇଗଣୀ ଓ ଅବଲୋହିତ ଆଲୋକ ସମ୍ବନ୍ଧୀୟ ଗବେଷଣା ବେଳେ କ୍ୟାମେରାରେ ଆଉ କେତେକ ଉପକରଣ ବ୍ୟବହାର କରାଯାଇପାରେ । ପ୍ରାକ୍-ବିଶ୍ଳେଷକ ଜ୍ଞାନ କୌଶଳ ମଧ୍ୟ ଆଜିକାଲି ଚିତ୍ରତ୍ତୋଳନ ପାଇଁ ବ୍ୟବହୃତ ହେବାକୁ ଲାଗିଲାଣି ।[୧୨] ଏକ ପ୍ରାକୃତିକ ଓ ସୁନ୍ଦର ଜାଗତିକ ଦୃଶ୍ୟ ହୋଇଥିବାରୁ ଧ୍ରୁବୀୟ ଜ୍ୟୋତିର ଏକ ଭଲ ଚିତ୍ରର ଚାହିଦା ରହିଛି । ୱେବ୍‍ସାଇଟ୍, ବିଜ୍ଞାନ ପତ୍ରିକା, ଯାତ୍ରା ସମ୍ବନ୍ଧୀୟ ପତ୍ରିକା ଇତ୍ୟାଦିରେ ଏଗୁଡ଼ିକୁ ପ୍ରକାଶ କରିବା ପାଇଁ ସହଜରେ ପ୍ରକାଶକ ରାଜି ହୋଇଥାନ୍ତି ।[୧୩] ଧ୍ରୁବୀୟ ଜ୍ୟୋତିର ଉଜ୍ଜ୍ୱଳତାକୁ ଦେଖି ସାମାନ୍ୟ ଲେନ୍‍ସ୍ ଓ ଡି.ଏସ୍.ଏଲ୍.ଆର୍. କ୍ୟାମେରା ବ୍ୟବହାର କରି ମଧ୍ୟ ଏହାର ଚିତ୍ର ଉତ୍ତୋଳନ କରାଯାଇପାରିବ ।[୧୪]

୧୯୪୯ ମସିହାରେ ସସ୍କାଚେୱାନ୍ ବିଶ୍ୱବିଦ୍ୟାଳୟରେ SCR-୨୭୦ ରାଡ଼ାର୍ ବ୍ୟବହାର କରି ଧ୍ରୁବୀୟ ଜ୍ୟୋତିର ଅନେକ ଫଟୋ ଉଠାଯାଇଥିଲା ।

ରୂପ ଓ ରଙ୍ଗର ବିବିଧତା

ସମ୍ପାଦନା

ଧ୍ରୁବୀୟ ଜ୍ୟୋତି ଏକ ଗୋଳେଇ ହୋଇଯାଇଥିବା ଆଲୋକ ବା ପୂର୍ବ-ପଶ୍ଚିମ ଦିଗରେ ବ୍ୟାପ୍ତ ଏକ ବିରାଟ ପରଦା ବା ଧନୁ ପରି ଆକାରରେ ଦୃଶ୍ୟମାନ ହୁଅନ୍ତି । ଏମାନଙ୍କ ଆକାର କ୍ରମାଗତ ପରିବର୍ତ୍ତିତ ହେଉଥିଲେ ତାହାକୁ "ସକ୍ରିୟ ଧ୍ରୁବୀୟ ଜ୍ୟୋତି" କୁହାଯାଏ ।

ଦିଗବଳୟରେ ଏକ ପରଦା ପରି ବିସ୍ତୃତ ଧ୍ରୁବୀୟ ଜ୍ୟୋତି ସବୁଠାରୁ ଉଜ୍ଜ୍ୱଳ ଓ ଏହା ସହଜରେ ଚିହ୍ନଟ ହୋଇଯାଏ । ପ୍ରତିଟି ପରଦାରେ ଅନେକ ସମାନ୍ତରାଳ ରଶ୍ମୀଗୁଚ୍ଛ ରହିଥାନ୍ତି ଓ ଚୁମ୍ବକୀୟ କ୍ଷେତ୍ର ଦିଗରେ ସଜେଇ ହୋଇ ଦେଖାଯାନ୍ତି । ଧ୍ରୁବୀୟ ଜ୍ୟୋତି ପରିଲକ୍ଷିତ ହେଉଥିବା ସ୍ଥାନରେ କରାଯାଇଥିବା ସର୍ବେକ୍ଷଣରୁ ଜଣାପଡ଼େ ଯେ ଧ୍ରୁବୀୟ ଆଭା ବେଳେ ଇଲେକ୍ଟ୍ରନ୍‍ମାନେ ପୃଥିବୀର ଚୁମ୍ବକୀୟ କ୍ଷେତ୍ରଦ୍ୱାରା ପ୍ରଭାବିତ ଓ ପରିଚାଳିତ ହୋଇଥାନ୍ତି । ଧନୁ ପରି ଏକାଧିକ ସ୍ତର ସଜେଇ ହୋଇ ଜ୍ୟୋତିର ଏକ ବିଶାଳ ପରଦା ମଧ୍ୟ ଦେଖାଯାଇପାରେ ଯାହା ସାରା ଆକାଶକୁ ଆଚ୍ଛାଦିତ କରିଦିଏ । ବେଳେବେଳେ ଏହି ଧ୍ରୁବୀୟ ଜ୍ୟୋତିର ଆଲୋକ ଏତେ ଅଧିକ ଥାଏ ଯେ ରାତିରେ ଖବରକାଗଜ ମଧ୍ୟ ପଢ଼ିହେବ ।[୧୫] କେତେବେଳେ ଆଲୋକର ତୀବ୍ରତା କ୍ରମାଗତ ବଦଳୁଥାଏ । ଗୋଳେଇ ହୋଇଯାଇଥିବା ଧ୍ରୁବୀୟ ଜ୍ୟୋତି କିନ୍ତୁ ଆଖିକୁ କେବେ ଦିଶେ ତ ଆଉ କେବେ ସହଜରେ ଦିଶେନାହିଁ ।[୧୬] ଆକାଶରେ ମେଘ ଥିଲେ ତାରାଗୁଡ଼ିକ ଦେଖାଯାନ୍ତିନାହିଁ । କିନ୍ତୁ ଗୋଳିଆ ଧ୍ରୁବୀୟ ଜ୍ୟୋତିର ମେଘ ମଧ୍ୟରେ ତାରାମାନଙ୍କୁ ଦେଖିହେବ । ଗୋଳିଆ ଧ୍ରୁବୀୟ ଜ୍ୟୋତି ଆକାଶରେ ଠାଏ ଠାଏ ଦୃଶ୍ୟମାନ ହୁଏ ଓ ଏହାର ଉଜ୍ଜ୍ୱଳତାରେ ହେଉଥିବା ପରିବର୍ତ୍ତନ ସହଜରେ ବାରି ହୁଏ ନାହିଁ । ଏପରି ଧ୍ରୁବୀୟ ଜ୍ୟୋତି ସମୟରେ ଆକାଶରେ ମଝି ମଝିରେ କଳା ପଟାଦାଗ ମଧ୍ୟ ଦେଖାଯାଏ ।[୧୭]

  • ଲାଲ୍: ଅତ୍ୟଧିକ ଉଚ୍ଚତାରେ ଉତ୍ତେଜିତ ବା ଅଧିକ ଶକ୍ତିସ୍ତରରେ ରହିଥିବା ଅମ୍ଳଜାନ ପରମାଣୁ ୬୩୦ ନାନୋମିଟର୍ ତରଙ୍ଗ ଦୈର୍ଘ୍ୟର ରଶ୍ମୀ ବିକିରଣ କରେ ଯାହା ଆମକୁ ଲାଲ୍ ବା ଲୋହିତ ରଙ୍ଗର ଦେଖାଯାଏ । ଅମ୍ଳଜାନ ପରମାଣୁଙ୍କ ସଂଖ୍ୟାରେ କମ୍ ଘନତା ରହିଥିବାରୁ ଧ୍ରୁବୀୟ ଜ୍ୟୋତିର ଉପରାଂଶ ଅତି କ୍ଷୀଣ । ଅଳତା, ସିନ୍ଦୁର, ରକ୍ତ ଏପରି ଲାଲ୍ ରଙ୍ଗର ଈଷତ୍ ଗାଢ଼ ରଙ୍ଗ ମଧ୍ୟ ବେଳେବେଳେ ଦେଖାଯାଏ ।
  • ସବୁଜ: ନିମ୍ନ ଉଚ୍ଚତାରେ କଣିକାମାନଙ୍କ ଧକ୍କାର ଆବୃତ୍ତି ଅଧିକ ହୋଇଥିବାରୁ ଅଧିକ ଉଚ୍ଚତାର ୬୩୦ ନାନୋମିଟର୍ ବିକିରଣ ଲୁଚିଯାଏ ଓ ୫୫୭.୭ ନାନୋମିଟର୍ ବିକିରଣ ସମ୍ପୂର୍ଣ୍ଣ ରୂପେ ଆକାଶକୁ ଆଚ୍ଛାଦିତ କରିଦିଏ ଯାହା ଆମକୁ ସବୁଜ ବା ସାଗୁଆ ରଙ୍ଗର ଦିଶେ । ନିମ୍ନ ଉଚ୍ଚତାରେ ଅମ୍ଳଜାନ ଅଣୁର ଘନତା ଅଧିକ ହୋଇଥିବାରୁ ସାଗୁଆ ଧ୍ରୁବୀୟ ଜ୍ୟୋତି ସବୁଠାରୁ ଅଧିକ ପରିଲକ୍ଷିତ ହୁଏ । ଏହାଛଡ଼ା ଉତ୍ତେଜିତ ଯବକ୍ଷାରଜାନ ଅଣୁ (N2) ଅମ୍ଳଜାନ ପରମାଣୁ ସହିତ ଧକ୍କା ହୋଇ ତାକୁ ଶକ୍ତି ପ୍ରଦାନ କରେ ଯାହା ପୁଣି ସାଗୁଆ ଆଲୋକ ରୂପେ ବିକିରିତ ହୋଇଯାଏ । କେବେକେବେ ଲାଲ୍ ଓ ସାଗୁଆ ଆଲୋକ ମିଶିଯାଇ ଗୋଲାପୀ ଓ ହଳଦିଆ ଜ୍ୟୋତିର ଆଭା ସୃଷ୍ଟି କରନ୍ତି । ଭୂପୃଷ୍ଠରୁ ୧୦୦ କି.ମି. ମଧ୍ୟରେ ଅମ୍ଳଜାନ ପରମାଣୁର ଘନତା ଅତି କମ୍ ହୋଇଯାଉଥିବାରୁ ଏହି ଜ୍ୟୋତିର ପରଦା ତଳପଟକୁ ହଠାତ୍ ଫିକା ପଡ଼ିଯାଏ ।
  • ନୀଳ: ଅତି ନିମ୍ନ ଉଚ୍ଚତାରେ ଅମ୍ଳଜାନ ପରମାଣୁ ରୂପରେ ନଥାଏ । ତେଣୁ ଯବକ୍ଷାରଜାନ ଅଣୁ ଓ ଆୟନୀଭୂତ ଯବକ୍ଷାରଜାନ ଅଣୁ ୪୨୮ ନାନୋମିଟର୍ ତରଙ୍ଗ ଦୈର୍ଘ୍ୟର ନୀଳ ଆଲୋକ ବିକିରଣ କରନ୍ତି । ଅତ୍ୟଧିକ ସୌର ପ୍ରବାହ ବେଳେ ଧ୍ରୁବୀୟ ଜ୍ୟୋତି ପରଦାର ନିମ୍ନ ଭାଗରେ ନୀଳ ଓ ବାଇଗଣୀ ଆଲୁଅ ଦେଖାଯାଇଥାଏ ।[୧୮]
  • ଅତିବାଇଗଣୀ: ଧ୍ରୁବୀୟ ଜ୍ୟୋତିରେ ଅତିବାଇଗଣୀ ଆଲୋକ ଥିଲେ ତାହା ମନୁଷ୍ୟ ଆଖିକୁ ଦେଖାଯାଏ ନାହିଁ । କେବଳ ଯନ୍ତ୍ରମାନଙ୍କ ସହାୟତାରେ ଏହାକୁ ଦେଖିହେବ । ମଙ୍ଗଳ, ବୃହସ୍ପତିଶନି ଗ୍ରହରେ ମଧ୍ୟ ଅତିବାଇଗଣୀ ଧ୍ରୁବୀୟ ଜ୍ୟୋତି ଦେଖାଯାଇଛି ।[୧୯]
  • ଅବଲୋହିତ: ଅତିବାଇଗଣୀ ପରି ଧ୍ରୁବୀୟ ଜ୍ୟୋତିରେ ରହିଥିବା ଅବଲୋହିତ ଅଂଶ ମଧ୍ୟ ମନୁଷ୍ୟ ଆଖିକୁ ଦେଖାଯାଏ ନାହିଁ ।[୧୯][୨୦]
  • ହଳଦିଆଗୋଲାପୀ ଧ୍ରୁବୀୟ ଆଲୋକ ସାଧାରଣତଃ ଲାଲ୍ ସହିତ ସାଗୁଆ ବା ନୀଳ ରଙ୍ଗ ମିଶ୍ରିତ ହେଲେ ସୃଷ୍ଟି ହୋଇପାରେ । ଲାଲ୍ ରଙ୍ଗର ଅନ୍ୟ ପ୍ରକାର ଓ କମଳା ରଙ୍ଗର ଧ୍ରୁବୀୟ ଜ୍ୟୋତି କ୍ୱଚିତ୍ ଦେଖାଯାଏ । ହଳହିଆ ଓ ସାଗୁଆ ମିଶା ଧ୍ରୁବୀୟ ଜ୍ୟୋତି ବହୁବାର ଦେଖିବାକୁ ମିଳିଛି । ଲାଲ୍, ସାଗୁଆ ଓ ନୀଳ ଇତ୍ୟାଦି ପ୍ରାଥମିକ ରଙ୍ଗ ହୋଇଥିବାରୁ ଏମାନଙ୍କ ମିଶ୍ରଣର ମାତ୍ରା ଅନୁସାରେ ବହୁ ପ୍ରକାରର ରଙ୍ଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଅନ୍ୟ କୌଣସି ସ୍ୱତନ୍ତ୍ର ରଙ୍ଗ ପ୍ରାୟ ଦେଖାଯାଇନାହିଁ ।

ଅନ୍ୟ ପ୍ରକାରର ଧ୍ରୁବୀୟ ବିକିରଣ

ସମ୍ପାଦନା

ଧ୍ରୁବୀୟ ଜ୍ୟୋତି ଓ ତାହା ସମ୍ପର୍କୀୟ ଚାର୍ଜ୍ ପ୍ରବାହ ଯୋଗୁଁ ୧୫୦ କିଲୋହର୍ଜ୍ ଆବୃତ୍ତିର ବେତାର (ରେଡ଼ିଓ) ତରଙ୍ଗ ମଧ୍ୟ ସୃଷ୍ଟି ହୋଇଥାଏ । ଏହାକୁ ଈଂରାଜୀରେ ଔରୋରାଲ୍ କିଲୋମେଟ୍ରିକ୍ ରେଡ଼ିଏସନ୍ (AKR) କୁହନ୍ତି ଓ ୧୯୭୨ ମସିହାରେ ପ୍ରଥମେ ଏହି ପ୍ରାକୃତିକ କ୍ରିୟା ଆବିଷ୍କୃତ ହୋଇଥିଲା ।[୨୧] ଏହି ପ୍ରକାରର ଧ୍ରୁବୀୟ ବିକିରଣ କେବଳ ମହାକାଶରୁ ଜାଣିହେବ । ଧ୍ରୁବୀୟ ଜ୍ୟୋତି ସମୟରେ ରଞ୍ଜନ ରଶ୍ମୀ (ଏକ୍ସ୍-ରେ) ବିକିରଣ ହେବା ମଧ୍ୟ ଲକ୍ଷ୍ୟ କରାଯାଇଛି ।[୨୨]

ଧ୍ରୁବୀୟ ଧ୍ୱନି

ସମ୍ପାଦନା

ଧ୍ରୁବୀୟ ଜ୍ୟୋତି ସମୟରେ ଶୁଣାଯାଉଥିବା ଧ୍ରୁବୀୟ ଧ୍ୱନି ଅତି କ୍ଷୀଣ ଓ ଭୂପୃଷ୍ଠରୁ ୭୦ ମିଟର୍ (୨୩୦ ଫୁଟ୍) ଉଚ୍ଚତାରେ ଶୁଣାଯାଏ । ଏହି ଶବ୍ଦ ସାପ ପରି ଫଁ ଫଁ ବା ଭାଙ୍ଗିବା-ବାଡ଼େଇହେବା ପରି ଲାଗିବ । ଶୀତ ରାତିରେ ଆକାଶରେ ପୂର୍ବରୁ ରହିଥିବା ଚାର୍ଜ କଣିକା ସ୍ତରରେ ସୌର ପ୍ରବାହରୁ ଜାତ କଣିକା ଆସି ଧକ୍କା ହେଲେ ଏପରି ଶବ୍ଦ ସୃଷ୍ଟି ହୋଇଥାଏ ।[୨୩][୨୪]

ଧ୍ରୁବୀୟ ଜ୍ୟୋତିର କାରଣ

ସମ୍ପାଦନା

ସୌର ପ୍ରବାହ ଓ ପୃଥିବୀର ଚୁମ୍ବକୀୟ ଗୋଲକ ମଧ୍ୟରେ ପରସ୍ପର କ୍ରିୟା ଯୋଗୁଁ ମୁଖ୍ୟତଃ ଧ୍ରୁବୀୟ ଜ୍ୟୋତି ସୃଷ୍ଟି ହୁଏ । ତେବେ ବିଭିନ୍ନ ସ୍ଥାନରେ ଦେଖାଯାଉଥିବା ଧ୍ରୁବୀୟ ଜ୍ୟୋତି ସମ୍ପର୍କରେ ଏବେ ମଧ୍ୟ ଗବେଷଣା ଚାଲିଛି । ସୌର ପ୍ରବାହର ମାତ୍ରା ବଢ଼ିଲେ ବା କମିଲେ ଧ୍ରୁବୀୟ ଜ୍ୟୋତିରେ ମଧ୍ୟ ଭିନ୍ନତା ଆସେ ।

  • ଧୀର ବେଗର ସୌର ପ୍ରବାହ ପୃଥିବୀର ଚୁମ୍ବକୀୟ ଗୋଲକର ସଂସ୍ପର୍ଶରେ ରହିଥାଏ । ଏପରି କ୍ରିୟା ଯୋଗୁଁ ଯେଉଁ ସ୍ଥାନରେ ଚୁମ୍ବକୀୟ କ୍ଷେତ୍ର ରେଖା ପରସ୍ପରଠାରୁ ଛାଡ଼ି ଛାଡ଼ି ହୋଇ ରହିଥାନ୍ତି, ସେଠାରେ ସୌର କଣିକା ପୃଥିବୀର ଚୁମ୍ବକୀୟ କ୍ଷେତ୍ରମଧ୍ୟକୁ ପ୍ରବେଶ କରନ୍ତି (କାରଣ ଲାଗି ଲାଗି ରହିଥିବା ଚୁମ୍ବକୀୟ ରେଖା ଚାର୍ଜ୍ କଣିକାମାନଙ୍କୁ ବିକର୍ଷିତ କରିଥାନ୍ତି)। ପୂର୍ବରୁ ବାୟୁମଣ୍ଡଳ ଉପରେ ଅଟକି ରହିଥିବା ଚାର୍ଜିତ କଣିକା ମଧ୍ୟ ବାୟୁମଣ୍ଡଳ ମଧ୍ୟକୁ ପ୍ରବେଶ କରନ୍ତି । ବହୁ ସଂଖ୍ୟକ କଣିକା ବାୟୁମଣ୍ଡଳ ମଧ୍ୟକୁ ପ୍ରବେଶ କରିଗଲେ ଆୟୋନୋସ୍ଫିଅର୍‍ରୁ ନୂତନ କଣିକା ପୁଣି ବାୟୁମଣ୍ଡଳକୁ ପଶନ୍ତି ।
  • ସୌର ପ୍ରବାହ ବଢ଼ିଲେ ମଧ୍ୟ ଭୂଚୁମ୍ବକୀୟ ସନ୍ତୁଳନ ବାଧାପ୍ରାପ୍ତ ହୁଏ ଓ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ରେଖାମାନଙ୍କୁ ପ୍ରଭାବିତ କରେ । ପୃଥିବୀର ଆଲୋକିତ ଗୋଲାର୍ଦ୍ଧ ପଟରୁ ଅନ୍ଧାର ପଟର ଗୋଲାର୍ଦ୍ଧ ପଟକୁ ଏକ ଚୁମ୍ବକୀୟ ପ୍ରଭାବ ଦେଖାଯାଏ । ଏପରି ସମୟରେ କିଛି ସୌର କଣିକା ମଧ୍ୟରାତ୍ର ବେଳକୁ ବାୟୁ ମଣ୍ଡଳରେ ପ୍ରବେଶ କରନ୍ତି ।
 
ଚନ୍ଦ୍ର ଓ ଧ୍ରୁବୀୟ ଜ୍ୟୋତି
  • ପୁଣି ଚୁମ୍ବକୀୟ କ୍ଷେତ୍ରରେ ସୃଷ୍ଟ ବୈଦ୍ୟୁତିକ କ୍ଷେତ୍ର ମଧ୍ୟରେ ଚାର୍ଜିତ କଣିକାମାନେ ତ୍ୱରାନ୍ୱିତ ହେଲେ ବି ଧ୍ରୁବୀୟ ଜ୍ୟୋତି ସୃଷ୍ଟି ହୋଇପାରେ ।
 
୨୦୦୫ ମସିହା ସେପ୍ଟେମ୍ବର ୧୧ ତାରିଖରେ ଦେଖାଯାଇଥିବା ଔରୋରା ଅଷ୍ଟ୍ରାଲିସ୍‍ର ଚିତ୍ର ନାସାର ଏକ ଉପଗ୍ରହରୁ ନିଆଯାଇଛି

ଧ୍ରୁବୀୟ ଜ୍ୟୋତି କଣିକା

ସମ୍ପାଦନା

୧୯୬୦ ମସିହାରେ କାନାଡ଼ାର ଚର୍ଚ୍ଚିଲ୍ ଦୁର୍ଗରୁ ରକେଟ୍ ପ୍ରକ୍ଷେପଣ ବେଳେ ଇଲେକ୍ଟ୍ରନ୍ କିପରି ବାୟୁମଣ୍ଡଳକୁ ପ୍ରବେଶ କରନ୍ତି ଓ ଧ୍ରୁବୀୟ ଜ୍ୟୋତିର ସମ୍ଭାବନା ସୃଷ୍ଟି କରନ୍ତି ତାହା ଆବିଷ୍କୃତ ହୋଇଥିଲା ।[୨୫] ତାହା ପରଠାରୁ ଅଧିକ ଗବେଷଣା ଓ ପରୀକ୍ଷଣ କରାଯାଇଛି, ରକେଟ୍ ଓ କୃତ୍ରିମ ଉପଗ୍ରହମାନଙ୍କ ସହାୟତାରେ ଧ୍ରୁବୀୟ ବଳୟ ମଧ୍ୟରେ ଗତି କରି ପ୍ରାକୃତିକ କ୍ରିୟାକୁ ଖୁବ୍ ପାଖରୁ ଦେଖାଯାଇଛି । ଇଲେକ୍ଟ୍ରନ୍‍ଗୁଡ଼ିକ ତ୍ୱରାନ୍ୱିତ ହୋଇ ଶେଷରେ ବାୟୁମଣ୍ଡଳ ମଧ୍ୟକୁ ପ୍ରବେଶ କରି କିପରି ଜ୍ୟୋତି ସୃଷ୍ଟି କରନ୍ତି ତାହା ବିଷୟରେ ତଥ୍ୟ ମିଳିପାରିଥିଲା ।[୨୬] ଏହି ଇଲେକ୍ଟ୍ରନ୍‍ମାନେ ଚୁମ୍ବକୀୟ ରେଖା ଦିଗରେ ରହିଥାନ୍ତି ଏବଂ ସାମୟିକ ଭାବେ ଏମାନଙ୍କ ଶକ୍ତିସ୍ତରରେ ବୃଦ୍ଧି ମଧ୍ୟ ଘଟୁଥାଏ ।

ଧ୍ରୁବୀୟ ଜ୍ୟୋତି ଓ ବାୟୁ ମଣ୍ଡଳ

ସମ୍ପାଦନା

ବାୟୁମଣ୍ଡଳର ଉପର ଭାଗରେ (ଭୂପୃଷ୍ଠରୁ ୮୦ କି.ମି. ବା ତା’ଠାରୁ ଅଧିକ ଉଚ୍ଚତାରେ) ଆୟନୀଭୂତ ଯବକ୍ଷାରଜାନ ପରମାଣୁ ଇଲେକ୍ଟ୍ରନ୍ ଗ୍ରହଣ କରି ବା ଅମ୍ଳଜାନ ଓ ଯବକ୍ଷାରଜାନ ପରମାଣୁ ଉତ୍ତେଜିତ ଅବସ୍ଥାରୁ ସାମାନ୍ୟ ଅବସ୍ଥାକୁ ଆସିଲେ କିଛି ଶକ୍ତି ସହିତ ଫୋଟନ୍ ନିର୍ଗତ ହୁଏ ଯାହା ନିଜ ପରି ଅନ୍ୟ ଫୋଟନ୍‍ମାନଙ୍କ ସହିତ ଧ୍ରୁବୀୟ ଜ୍ୟୋତି ସୃଷ୍ଟି କରେ ।[୨୭] ବାୟୁମଣ୍ଡଳକୁ ପ୍ରବେଶ କରୁଥିବା ଚାର୍ଜିତ କଣିକାମାନଙ୍କ ଧକ୍କା ଯୋଗୁଁ ଏମାନେ ଆୟନୀଭୂତ କିମ୍ବା ଉତ୍ତେଜିତ ଅବସ୍ଥା ପ୍ରାପ୍ତ କରନ୍ତି । ଏପରି ପ୍ରକ୍ରିୟାରେ ଉଭୟ ଇଲେକ୍ଟ୍ରନ୍ ବା ପ୍ରୋଟୋନ୍ ଭାଗ ନିଅନ୍ତି । ଫୋଟୋନ୍ ବିକିରଣ କରିବା ସହିତ ଉତ୍ତେଜିତ ଅବସ୍ଥାର ଶକ୍ତି କ୍ଷୟ ହୋଇଥାଏ ।

ଅମ୍ଳଜାନ ବିକିରଣରେ କେତେ ପରିମାଣର ଶକ୍ତି ବିକିରିତ ହେଉଛି ତାହା ଅନୁସାରେ ସବୁଜ ବା କମଳା-ଲୋହିତ ରଙ୍ଗର ଆଲୋକ ଦିଶେ ।
ଯବକ୍ଷାରଜାନ ବିକିରଣରେ ମୁଖ୍ୟତଃ ନୀଳ ବା ଲାଲ୍ ଆଲୋକ ଦେଖାଦିଏ । ପରମାଣୁ ଏକ ଇଲେକ୍ଟ୍ରନ୍ ଗ୍ରହଣ କରି ଉତ୍ତେଜିତ ଅବସ୍ଥାରୁ ସାମାନ୍ୟ ଅବସ୍ଥାକୁ ଆସୁଥିଲେ ଲାଲ୍ ଆଲୋକ ଓ ଆୟନୀଭୂତ ହୋଇସାରିବା ପରେ ପରମାଣୁ ଇଲେକ୍ଟ୍ରନ୍‍କୁ ପୁନଃପ୍ରାପ୍ତ କରୁଥିଲେ ନୀଳ ଆଲୋକ ସୃଷ୍ଟି ହୁଏ ।

ଅମ୍ଳଜାନ ପରମାଣୁ ନିଜ ସାମାନ୍ୟ ଅବସ୍ଥାକ ଫେରିବା ପାଇଁ କମ୍ ସମୟ ନେଲେ ସବୁଜ ଆଲୋକ ଓ ଅଧିକ ସମୟ ନେଲେ ଲାଲ୍ ଆଲୋକ ବିକିରିତ ହୁଏ । ବାୟୁମଣ୍ଡଳର ଉପର ସ୍ତରରେ ଅମ୍ଳଜାନର ମାତ୍ରା କମ୍ ଓ ତଳ ସ୍ତରରେ ଅମ୍ଳଜାନର ମାତ୍ରା ଅଧିକ । ତେଣୁ ଉପର ପଟେ ଲାଲ୍ ଆଲୋକ ସୃଷ୍ଟି ହେବାର ସମ୍ଭାବନା କମ୍ ରହିଥିବା ବେଳେ ତଳ ପଟେ ଅଧିକ ଘନତା ଯୋଗୁଁ ଲାଲ୍ ଆଲୋକ ସୃଷ୍ଟି ହେବା ପାଇଁ ସମୟ ମିଳେନାହିଁ । ଏହି ଆଲୋକ କ୍ରମଶଃ କମି ତଳପଟେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ । ତେଣୁ ଧ୍ରୁବୀୟ ଜ୍ୟୋତିର ବିଭିନ୍ନ ସ୍ତରର ଆଲୋକର ରଙ୍ଗ ଭିନ୍ନ ଭିନ୍ନ ହୋଇଥାଏ । ରଙ୍ଗମାନଙ୍କ ମଧ୍ୟରେ ସର୍ବାଧିକ ସବୁଜ, ତା’ ପରେ ଗୋଲାପୀ, ଫିକା ସବୁଜ-ଲାଲ୍ ମିଶା, ଲାଲ୍, ହଳଦିଆ (ଲାଲ୍-ସବୁଜ ମିଶା) ରଙ୍ଗ ଓ ପୁରା ନୀଳ ଦେଖାଯିବାର ସମ୍ଭାବନା ସବୁଠାରୁ କମ୍ ।

ଐତିହାସିକ ତଥ୍ୟ, ଅନ୍ଧବିଶ୍ୱାସ ଓ ପୌରାଣିକ କାହାଣୀ

ସମ୍ପାଦନା

ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ପ୍ରାଚୀନ ଗ୍ରୀକ୍ ଅନ୍ୱେଷକ ପାଇଥିଆସ୍ ଧ୍ରୁବୀୟ ଜ୍ୟୋତି ବିଷୟ ବର୍ଣ୍ଣନା କରିଥିଲେ ।[୨୮] ରୋମାନ୍ ଦାର୍ଶନିକ ଲୁସିୟସ୍ ଆନାୟସ୍ ସେନିକା ନିଜ ପୁସ୍ତକ Naturales Quaestionesରେ ଧ୍ରୁବୀୟ ଜ୍ୟୋତି ବିଷୟରେ ଲେଖିଥିଲେ । ଏଥିରେ ସେ ଧ୍ରୁବୀୟ ଜ୍ୟୋତିର ରଙ୍ଗ ସହିତ ଏମାନଙ୍କୁ pithaei ('ଢୋଲ ପରି'); chasmata ('ଗହ୍ୱର ସଦୃଶ'); pogoniae ('ଶ୍ମଶ୍ରୁଳ'); cyparissae ('ସାଇପ୍ରେସ୍ ଗଛ ପରି') ଆଦି ବିଭିନ୍ନ ବର୍ଗରେ ବିଭକ୍ତ କରିଥିଲେ । ଏହି ପୁସ୍ତକରେ ଧ୍ରୁବୀୟ ଜ୍ୟୋତି ମେଘର ଉପରେ ବା ତଳେ ଦେଖାଯିବା ବିଷୟ ମଧ୍ୟ ଉଲ୍ଲେଖ ରହିଛି । ସମ୍ରାଟ ଟାଇବେରିୟସ୍‍ଙ୍କ ସମୟରେ ଓଷ୍ଟିଆ ବନ୍ଦର ନଗରୀ ଉପରେ ଦେଖାଯାଇଥିବା ଘନ ଲୋହିତ ଧ୍ରୁବୀୟ ଜ୍ୟୋତି ଅଗ୍ନି ଲାଗିଯାଇଥିବାର ଭ୍ରମ ସୃଷ୍ଟି କରିଥିଲା ଓ ଅଗ୍ନିଶମ ପାଇଁ ନିଯୁକ୍ତ ସୈନ୍ୟବଳ ଲୋକଙ୍କ ରକ୍ଷାପାଇଁ ଘୋଡ଼ା ଛୁଟାଇ ପହଞ୍ଚିଯାଇଥିଲେ ।[୨୯] କେତେକଙ୍କ ମତରେ ପ୍ଳିନି (ପ୍ରଥମ) ନିଜ ପୁସ୍ତକ Natural Historyରେ ଧ୍ରୁବୀୟ ଜ୍ୟୋତିକୁ trabes ('ଜାହାଜ'), chasma ('ଗହ୍ୱର'), 'falling red flames' ('ପତନଶୀଳ ଲୋହିତ ଶିଖା') ଓ 'daylight in the night' ('ରାତ୍ରରେ ଦିବାଲୋକ') ଆଦି ଶବ୍ଦ ମାଧ୍ୟମରେ ବର୍ଣ୍ଣନା କରିଛନ୍ତି ।[୩୦]

 
ଅଷ୍ଟ୍ରେଲିଆର ଆଦିମ ଜନଜାତିର ଲୋକେ ଧ୍ରୁବୀୟ ଜ୍ୟୋତିକୁ ନିଆଁ ବୋଲି ଭାବୁଥିଲେ । ଦକ୍ଷିଣ ଗୋଲାର୍ଦ୍ଧର ଧ୍ରୁବୀୟ ଜ୍ୟୋତି ପ୍ରାୟତଃ ଦିଗବଳୟ ପାଖରେ କମ୍ ଉଚ୍ଚତା ପର୍ଯ୍ୟନ୍ତ ଦୃଶ୍ୟମାନ ହୁଏ ।

ଆଦିମ ଅଷ୍ଟ୍ରେଲୀୟ ଜନଜାତିର ଲୋକ ପ୍ରଥାରେ ଧ୍ରୁବୀୟ ଜ୍ୟୋତି ଅଗ୍ନି ଓ ପ୍ରେତାତ୍ମାଙ୍କ ସହ ଜଡ଼ିତ ବୋଲି ଅନ୍ଧବିଶ୍ୱାସ ରହିଛି । ଉଦାହରଣ ସ୍ୱରୂପ ଭିକ୍ଟୋରିଆର ଗୁଣ୍ଡିଜ୍‍ମାରା ଜାତି ଧ୍ରୁବୀୟ ଜ୍ୟୋତିକୁ ପୁଏ ବୁଏ (ପାଉଁଶ) ବୋଲି କହିଥାନ୍ତି । ପୂର୍ବ ଭିକ୍ଟୋରିଆର ଗୁନାଇ ଜନଜାତିର ଲୋକଙ୍କ ମଧ୍ୟରେ ଧ୍ରୁବୀୟ ଜ୍ୟୋତି ପ୍ରେତାତ୍ମାଙ୍କ ବଣନିଆଁ (ଓଡ଼ିଆରେ କଥିତ ଡ଼ାହାଣୀ ନିଆଁ ପରି) ବୋଲି ଅନ୍ଧବିଶ୍ୱାସ ରହିଛି । ଦକ୍ଷିଣ ଅଷ୍ଟ୍ରେଲିଆର ଡିଏରି ଆଦିମଜାତିର ଲୋକଙ୍କ ଅନ୍ଧବିଶ୍ୱାସ ମଧ୍ୟ ଅନୁରୂପ ; ସେମାନେ ଧ୍ରୁବୀୟ ଜ୍ୟୋତିକୁ କୁଚି ବୋଲି କୁହନ୍ତି ଯାହାର ଅର୍ଥ ପ୍ରେତଙ୍କଦ୍ୱାରା ସଂଯୋଜିତ ମହାଅଗ୍ନି । ଦକ୍ଷିଣ ଅଷ୍ଟ୍ରେଲିଆର ଅନ୍ୟ ଏକ ଆଦିମଜାତି ଗାରିଂଜେରି ଲୋକେ କଙ୍ଗାରୁ ଦ୍ୱୀପର ଆକାଶରେ ଯେବେ ଧ୍ରୁବୀୟ ଜ୍ୟୋତି ଦେଖନ୍ତି ସେମାନେ କୁହନ୍ତି ଯେ ମୃତ୍ୟୁଲୋକରେ ବସବାସ କରୁଥିବା ପ୍ରେତାତ୍ମାମାନେ ନିଆଁ ଲଗାଇ ବଣଭୋଜି ବା ମଉଜ କରୁଛନ୍ତି । ଦକ୍ଷିଣ-ପଶ୍ଚିମ କ୍ୱିନ୍‍ସ୍ଲ୍ୟାଣ୍ଡର ଆଦିମ ଅଧିବାସୀମାନଙ୍କ ବିଶ୍ୱାସ ଯେ ଉଲା ପିକାମାନେ (ପ୍ରେତାତ୍ମାମାନେ) ନିଆଁ ଜଳାଇ ମର୍ତ୍ତ୍ୟମଣ୍ଡଳର ଲୋକଙ୍କ ସହିତ ସଂଯୋଗ ସ୍ଥାପନ କରିବାକୁ ଚେଷ୍ଟା କରନ୍ତି । ବୟସ୍କ ପୁରୁଷଙ୍କ ବ୍ୟତୀତ ଅନ୍ୟମାନଙ୍କୁ ପୂର୍ବପୁରୁଷଙ୍କ ଏହି ଜ୍ୟୋତିରୂପୀ ସନ୍ଦେଶ ଦେଖିବା ବା ଜାଣିବା ତାଙ୍କ ସାମାଜିକ ନିୟମ ଅନୁସାରେ ନିଷେଧ ।[୩୧] ଥୋମାସ୍ ବୁଲ୍‍ଫିଂଚ୍‍ଙ୍କ ଲିଖିତ ନୋର୍ସ୍ ପୌରାଣିକ କଥାର ଭାଲ୍‍କାଏରିର କବଚରୁ ଏକ ବିସ୍ମୟୀ ଆଲୁଅ ବାହାରି ଉତ୍ତର ଦିଗରେ ଆକାଶ ଆଲୋକିତ ହେଉଥିଲା ଯାହାକୁ ଲୋକେ ଉତ୍ତର ଧ୍ରୁବୀୟ ଜ୍ୟୋତି ବୋଲି କୁହନ୍ତି ।[୩୨] କିନ୍ତୁ ପୁରାତନ ନୋର୍ସ୍ ସାହିତ୍ୟରେ ଏପରି କୌଣସି ବର୍ଣ୍ଣନା ନାହିଁ ।[୩୩] ୧୨୩୦ଖ୍ରୀ.ର ନରୱେଜିଆନ୍ କ୍ରୋନିକଲ୍ସରେ ଗ୍ରୀନଲ୍ୟାଣ୍ଡରୁ ଫେରିଥିବା ନିଜ ଦେଶବାସୀଙ୍କଠାରୁ ଧ୍ରୁବୀୟ ଜ୍ୟୋତି ବିଷୟରେ ଶୁଣିଥିବା କଥା ଲେଖକ ଉଲ୍ଲେଖ କରିଛନ୍ତି । ମହାସାଗର ଚାରିପଟ ନିଆଁଦ୍ୱାରା ପରିବେଷ୍ଟିତ ହୋଇଥିବା, ସୂର୍ଯ୍ୟଙ୍କ ଆଲୋକ ଦିନ ପଟରୁ ରାତି ପଟକୁ ପ୍ରବାହିତ ହେବା ଓ ଥଣ୍ଡା ଅଞ୍ଚଳର ବରଫରେ ଅନ୍ତର୍ନିହିତ ଶକ୍ତି ଜ୍ୟୋତି ରୂପେ ପ୍ରକଟିତ ହେବା – ଇତ୍ୟାଦି କାଳ୍ପନିକ କାରଣମାନ ପ୍ରଦାନ କରାଯାଇଛି ।[୩୪]

  • ୧୯୨୦ ମସିହାରେ ପ୍ରକାଶିତ ୱାଲ୍ଟର୍ ୱିଲିୟମ୍ ବ୍ରାଏଣ୍ଟଙ୍କ Kepler (କେପ୍ଲର୍) ପୁସ୍ତକରେ ସେ ଲେଖିଛନ୍ତି ଯେ - ଟାଇକୋ ବ୍ରାହେ ଜଣେ ହୋମିଓପାଥି ଚିକିତ୍ସକ ହୋଇଥିବେ । ଗନ୍ଧକଦ୍ୱାରା ଔରୋରା ବୋରିଆଲିସ୍‍ର ଗନ୍ଧକ ବାଷ୍ପରୁ ହେଉଥିବା ଡିଆଁରୋଗର ଚିକିତ୍ସା କରିହେବ ବୋଲି ସେ ଉପଦେଶ ଦେଇଛନ୍ତି ।[୩୫]

୧୭୪୦ ଦଶନ୍ଧିରେ ବେଞ୍ଜାମିନ୍ ଫ୍ରାଂକଲିନ୍ ନିଜର Aurora Borealis, Suppositions and Conjectures towards forming an Hypothesis for its Explanation ଲେଖାରେ କହିଥଲେ ଯେ ମେରୁ ନିକଟରେ ଚାର୍ଜିତ କଣିକାଙ୍କ ଘନତା ବଢ଼ିଯାଏ, ତା’ ସହିତ ତୁଷାର ଓ ଆର୍ଦ୍ରତା ଯୋଗୁଁ ଅଧିକ ହୋଇ ଧ୍ରୁବୀୟ ଜ୍ୟୋତି ସୃଷ୍ଟି ହୁଏ ।[୩୬]

ଫ୍ରାଂକଲିନ୍‍ଙ୍କ ମୂଳ ଲେଖା :

May not then the great quantity of electricity brought into the polar regions by the clouds, which are condens'd there, and fall in snow, which electricity would enter the earth, but cannot penetrate the ice; may it not, I say (as a bottle overcharged) break thro' that low atmosphere and run along in the vacuum over the air towards the equator, diverging as the degrees of longitude enlarge, strongly visible where densest, and becoming less visible as it more diverges; till it finds a passage to the earth in more temperate climates, or is mingled with the upper air?

— Benjamin Franklin

ଆଣ୍ଡର୍ସ୍ ସେଲ୍ସିୟସ୍ ଓ ଓଲୋଫ୍ ହିଓର୍ଟର୍ ସ୍ୱିଡେନ୍‍ର ଉପ୍ପାସଲା ସହରରେ ଗବେଷଣା କରି ପ୍ରମାଣ କରିଥିଲେ ଯେ ଧ୍ରୁବୀୟ ଜ୍ୟୋତିର ପ୍ରଭାବରେ ଦିଗବାରେଣୀ ଯନ୍ତ୍ରର କଣ୍ଟା ବିକ୍ଷେପିତ ହୁଏ । ୧୭୪୧ ମସିହାରେ ହିଓର୍ଟର୍ ଧ୍ରୁବୀୟ ଜ୍ୟୋତି ସମୟରେ ହେଉଥିବା ଚୁମ୍ବକୀୟ କ୍ଷେତ୍ରର ପରିବର୍ତ୍ତନର ଆଭାସ ପାଇଲେ ଓ ପ୍ରକାଶ କଲେ । ତେଣୁ ଏପରି ଚୁମ୍ବକୀୟ ପ୍ରବାହ ଯୋଗୁଁ ଦିଗବାରେଣୀ କଣ୍ଟା ବିକ୍ଷେପିତ ହୁଏ ବୋଲି ତାଙ୍କ ପୂର୍ବକଥିତ ସିଦ୍ଧାନ୍ତକୁ ଏହା ଦୃଢ଼ ସମର୍ଥନ ପ୍ରଦାନ କଲା ।[୩୭]

 
ଫ୍ରେଡେରିକ୍ ଏଡ୍ୱିନ୍ ଚର୍ଚ୍ଚଙ୍କଦ୍ୱାରା ୧୮୬୫ ମସିହାରେ ଅଙ୍କିତ ଔରୋରା ବୋରିଆଲିସ୍ ଚିତ୍ର

ଆମେରିକାର ଆଦିମ ମୂଳ ନିବାସୀଙ୍କ ମଧ୍ୟରେ ମଧ୍ୟ ଧ୍ରୁବୀୟ ଜ୍ୟୋତିକୁ ନେଇ ଅନେକ ଲୋକକଥା ରହିଛି । ସାମୁଏଲ୍ ହ୍ୟର୍ନେ ନାମକ ଜଣେ ୟୁରୋପୀୟ ଅନ୍ୱେଷକ ୧୭୭୧ ମସିହାରେ ଆମେରିକା ଭ୍ରମଣରେ ଯାଇଥିଲେ ଓ ସେମାନଙ୍କ ପୌରାଣିକ ବିଶ୍ୱାସ ଲିପିବଦ୍ଧ କରିଥିଲେ । ବଲ୍‍ଗା ହରିଣର ଛାଲ ପିଟିବା ବେଳେ ନିର୍ଗତ ଝୁଲ ପରି ଧ୍ରୁବୀୟ ଜ୍ୟୋତିରେ ମଧ୍ୟ ନିଆଁ ଝୁଲ ରହିଥାଏ । ଏମାନଙ୍କ ବିଶ୍ୱାସ ଅନୁଯାୟୀ ସେମାନଙ୍କ ମୃତ ବନ୍ଧୁବାନ୍ଧବଙ୍କ ଆତ୍ମା ଆକାଶରେ ନାଚୁଛନ୍ତି ଓ ଆନନ୍ଦ ଉଲ୍ଲାସରେ ରହିଛନ୍ତି । ଅଧିକ ଉଜ୍ଜ୍ୱଳ ଜ୍ୟୋତିର ଅର୍ଥ ଅଧିକ ଆନନ୍ଦରେ ଅଛନ୍ତି ।[୩୮]

ଫ୍ରେଡ଼େରିକ୍ସବର୍ଗ୍ ଯୁଦ୍ଧ ସମୟରେ ଯୁଦ୍ଧ ଭୂମିରେ ଧ୍ରୁବୀୟ ଜ୍ୟୋତି ଦେଖାଯାଇଥିଲା । ଏହା ଦେଖି ଭଗବାନ ସେମାନଙ୍କ ପକ୍ଷରେ ରହିଛନ୍ତି ବୋଲି ପରିସଂଘୀୟ ରାଜ୍ୟର ସୈନିକମାନଙ୍କୁ ବିଶ୍ୱାସ ଆସିଲା । ସୁମେରୁରୁ ଏତେ ଦକ୍ଷିଣକୁ କେବେ ଧ୍ରୁବୀୟ ଜ୍ୟୋତି ଦେଖାଯାଇନଥାଏ । ଫ୍ରେଡେରିକ୍ ଏଡ୍ୱିନ୍ ଚର୍ଚ୍ଚଙ୍କଦ୍ୱାରା ଅଙ୍କିତ ଔରୋରା ବୋରିଆଲିସ୍ ଚିତ୍ର ଆମେରିକୀୟ ଗୃହଯୁଦ୍ଧ କାଳର ସଂଘର୍ଷର ପ୍ରତୀକ ।[୩୯]

ପର-ଲୌକିକ ଧ୍ରୁବୀୟ ଜ୍ୟୋତି

ସମ୍ପାଦନା
 
ବୃହସ୍ପତି ଗ୍ରହରେ ଧ୍ରୁବୀୟ ଜ୍ୟୋତି ; ବୃହସ୍ପତିର ଚୁମ୍ବକୀୟ କ୍ଷେତ୍ରରେ ସୁଦୂର ବାମ ପଟେ ଥିବା ଉଜ୍ଜ୍ୱଳ ଆଲୋକ ବିନ୍ଦୁ ଆୟୋ ଓ ତଳ ପଟେ ରହିଥିବା ବିନ୍ଦୁ ଗ୍ୟାନିମିଡ୍ୟୁରୋପା
 
ଶନି ଗ୍ରହର ଉତ୍ତର ଗୋଲାର୍ଦ୍ଧରେ ଦୃଶ୍ୟମାନ ଧ୍ରୁବୀୟ ଜ୍ୟୋତି ଯାହାର ଚିତ୍ର କ୍ୟାସିନି ମହାକାଶଯାନରୁ ଉଠାଯାଇଥିଲା

ବୃହସ୍ପତିଶନି ଗ୍ରହର ଚୁମ୍ବକୀୟ କ୍ଷେତ୍ର ପୃଥିବୀର ଚୁମ୍ବକୀୟ କ୍ଷେତ୍ରଠାରୁ ଅଧିକ । ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଶକ୍ତି ୦.୩ ଗସ୍ ହୋଇଥିବା ବେଳେ ବୃହସ୍ପତି କ୍ଷେତ୍ରରେ ଏହାର ମାପ ୪.୩ ଗସ୍ । ଉଭୟ ବୃହସ୍ପତି ଓ ଶନି ଗ୍ରହର ବିକିରଣ କ୍ଷେତ୍ର ମଧ୍ୟ ବଡ଼ । ଏହି ଦୁଇ ଗ୍ୟାସୀୟ ଗ୍ରହରେ ସୃଷ୍ଟି ହେଉଥିବା ଧ୍ରୁବୀୟ ଜ୍ୟୋତି ହବ୍ୱଲ୍ ସ୍ପେଶ୍ ଟେଲିସ୍କୋପ୍‍ଦ୍ୱାରା ଦେଖାଯାଇଛି । ଏହା ବ୍ୟତୀତ ୟୁରେନସ୍ନେପ୍‍ଚ୍ୟୁନ୍ ଗ୍ରହରେ ହେଉଥିବା ଧ୍ରୁବୀୟ ଜ୍ୟୋତି ମଧ୍ୟ ଟେଲିସ୍କୋପ୍ ମାଧ୍ୟମରେ ଦେଖାଯାଇଛି ।[୪୦]

ପୃଥିବୀ ପରି ଗ୍ୟାସୀୟ ଗ୍ରହମାନଙ୍କରେ ଘଟୁଥିବା ଧ୍ରୁବୀୟ ଜ୍ୟୋତିର ମୁଖ୍ୟ କାରଣ ହେଲା ସୌର ପ୍ରବାହ । ତା’ ସହିତ ୪୦୦ରୁ ଅଧିକ ଆଗ୍ନେୟଗିରି ଧାରଣ କରିଥିବା ଆୟୋ (ବୃହସ୍ପତି ଗ୍ରହର ଏକ ଉପଗ୍ରହ) ମଧ୍ୟ ବୃହସ୍ପତିରେ ଧ୍ରୁବୀୟ ଜ୍ୟୋତି ସୃଷ୍ଟି କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରେ । ଆୟୋର ଆଗ୍ନେୟ ଉଦ୍ଗୀରଣ ଏହାର ଆୟୋନୋସ୍ଫିଅର୍‍କୁ ଚାର୍ଜିତ କଣିକାରେ ପୂର୍ଣ୍ଣ କରି ରଖେ । ଗ୍ରହମାନଙ୍କ ମଧ୍ୟରେ ଆପେକ୍ଷିକ ଗତି ପାଇଁ ଓ ବିଦ୍ୟୁତ୍-ଚୁମ୍ବକୀୟ କ୍ଷେତ୍ର ଉପସ୍ଥିତି ଧ୍ରୁବୀୟ ଜ୍ୟୋତି ସୃଷ୍ଟି କରିବାରେ ସହାୟକ ହୁଏ । ୧୯୫୫ ମସିହାରୁ ଏପରି ପ୍ରଭାବର ବୈଜ୍ଞାନିକ ଅନୁଶୀଳନ କରାଯାଇଆସୁଛି । ହବ୍ୱଲ୍ ସ୍ପେଶ୍ ଟେଲିସ୍କୋପ ସହାୟତାରେ ଆୟୋ, ୟୁରୋପା ଓ ଗ୍ୟାନିମିଡ୍ ଉପଗ୍ରହରେ ଧ୍ରୁବୀୟ ଜ୍ୟୋତି ଦେଖାଯାଇଛି । ଶୁକ୍ରମଙ୍ଗଳ ଗ୍ରହରେ ମଧ୍ୟ ଧ୍ରୁବୀୟ ଜ୍ୟୋତି ଘଟିବା ଲକ୍ଷ୍ୟ କରାଯାଇଛି । ଶୁକ୍ର ଗ୍ରହରେ ଚୁମ୍ବକୀୟ କ୍ଷେତ୍ର ନାହିଁ । ଏହି ଗ୍ରହର ଧ୍ରୁବୀୟ ଜ୍ୟୋତି ଗୋଳିଆ ହୋଇ ଦେଖାଯାଏ । ସମୟ ସମୟରେ ଏହି ଧ୍ରୁବୀୟ ଜ୍ୟୋତି ସମ୍ପୂର୍ଣ୍ଣ ବାୟୁମଣ୍ଡଳକୁ ଘୋଡ଼େଇ ରଖିଥାଏ । ସୌର ପ୍ରବାହରୁ ଇଲେକ୍ଟ୍ରନ୍ ଅନ୍ଧକାରରେ ଥିବା ଗୋଲାର୍ଦ୍ଧର ବାୟୁମଣ୍ଡଳ ସହିତ ଧକ୍କା ଖାଇ ଧ୍ରୁବୀୟ ଜ୍ୟୋତି ସୃଷ୍ଟି ହୁଏ ।

୨୦୦୪ ମସିହା ଅଗଷ୍ଟ ୧୪ ତାରିଖରେ ମଙ୍ଗଳ ଗ୍ରହରେ ଧ୍ରୁବୀୟ ଜ୍ୟୋତି ପରିଲକ୍ଷିତ ହୋଇଥିଲା । ମାର୍ସ୍ ଏକ୍ସପ୍ରେସ୍ ଯାନରେ ରହିଥିବା ସ୍ପାଇକ୍ୟାମ୍ ଏହି ଚିତ୍ର ଉତ୍ତୋଳନ କରିଥିଲା । ଟେରା ସିମେରିଆ ଅଞ୍ଚଳରେ (୧୭୭° ପୂର୍ବ, ୫୨° ଦକ୍ଷିଣ) ଏହି ଧ୍ରୁବୀୟ ଜ୍ୟୋତି ଦେଖାଯାଇଥିଲା । ଏହି ଧ୍ରୁବୀୟ ଜ୍ୟୋତିରେ ହୋଇଥିବା ବିକିରଣର କ୍ଷେତ୍ର ୩୦ କି.ମି. ଲମ୍ବ ଓ ୮ କି.ମି. ଉଚ୍ଚ ଥିଲା । ମଙ୍ଗଳରେ ଚୁମ୍ବକୀୟ କ୍ଷେତ୍ର ରହିଛି ଓ ଏହି ଧ୍ରୁବୀୟ ଜ୍ୟୋତି ଅଧିକ ଚୁମ୍ବକୀୟ କ୍ଷେତ୍ରଥିବା ଅଞ୍ଚଳରେ ଦେଖାଯାଇଥିଲା । ଚୁମ୍ବକୀୟ କ୍ଷେତ୍ରରେ ଇଲେକ୍ଟ୍ରନ୍‍ମାନଙ୍କ ଗତି ଏହି ଜ୍ୟୋତିମାଳା ସୃଷ୍ଟି କରିଥିଲା ।[୪୦][୪୧]

LSR J୧୮୩୫+୩୨୫୯ ନାମକ ବାଦାମୀ ଦାନବ ତାରକାରେ ୨୦୧୫ ମସିହା ଜୁଲାଇ ମାସରେ ଧ୍ରୁବୀୟ ଜ୍ୟୋତି ଘଟିବାର ଦେଖାଯାଇଥିଲା । ସୌର ମଣ୍ଡଳ ବାହାରେ ଦେଖାଯାଇଥିବା ଏହା ପ୍ରଥମ ଧ୍ରୁବୀୟ ଜ୍ୟୋତି ।[୪୨] ଏହି ଧ୍ରୁବୀୟ ଜ୍ୟୋତି ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ହେଉଥିବା ନର୍ଦନ୍ ଲାଇଟ୍‍ସ୍‍ରୁ ବହୁ ଅଧିକ ଉଜ୍ଜ୍ୱଳ ଥିଲା । ଚାର୍ଜିତ କଣିକାମାନ ବାୟୁମଣ୍ଡଳରେ ଥିବା ଉଦ୍‍ଜାନ ପ୍ରଭାବରେ ଆସି ଏପରି ଅତି ଉଜ୍ଜ୍ୱଳ ଲାଲ୍ ଜ୍ୟୋତି ସୃଷ୍ଟି କରିଥିଲେ । ବାଦାମୀ ତାରକାର ଶରୀରରୁ ବିଭିନ୍ନ କାରଣରୁ ସ୍ୱତଃ ଇଲେକ୍ଟ୍ରନ୍ ନିର୍ଗତ ହୋଇ ଏପରି ପ୍ରଭାବ ସୃଷ୍ଟି ହେବା ସମ୍ଭବପର ।[୪୩]

  1. "Simultaneous ground and satellite observations of an isolated proton arc at sub-auroral latitudes". Journal of Geophysical Research. 2007. Retrieved 5 August 2015.
  2. Feldstein, Y. I. (2011). "A Quarter Century with the Auroral Oval". EOS. 67 (40): 761. Bibcode:1986EOSTr..67..761F. doi:10.1029/EO067i040p00761-02.
  3. Bruzek, A.; Durrant, C. J. (2012-12-06). Illustrated Glossary for Solar and Solar-Terrestrial Physics (in ଇଂରାଜୀ). Springer Science & Business Media. ISBN 9789401012454.
  4. Fritz, Hermann (1881). "Das Polarlicht."
  5. Tromholt, S. (1882) Om nordlysets perioder/Sur les périodes de l'aurore boréale, l'annuaire 1880, Inst. Météorol. Danois, Copenhagen.
  6. "Current Auroral Oval". SpaceWeather. Retrieved 19 December 2014.
  7. Siscoe, G. L. (1986). "An historical footnote on the origin of 'aurora borealis'". History of Geophysics: Volume 2. History of Geophysics. Vol. 2. p. 11. Bibcode:1986HGeo....2...11S. doi:10.1029/HG002p0011. ISBN 0-87590-276-6.
  8. Østgaard, N.; Mende, S. B.; Frey, H. U.; Sigwarth, J. B.; Åsnes, A.; Weygand, J. M. (2007). "Auroral conjugacy studies based on global imaging". Journal of Atmospheric and Solar-Terrestrial Physics. 69 (3): 249. Bibcode:2007JASTP..69..249O. doi:10.1016/j.jastp.2006.05.026.
  9. Størmer, Carl (1946). "Frequency of 12,330 measured heights of aurora from southern Norway in the years 1911–1944". Terrestrial Magnetism and Atmospheric Electricity. 51 (4): 501–504. Bibcode:1946TeMAE..51..501S. doi:10.1029/te051i004p00501.
  10. "News and information about meteor showers, solar flares, auroras, and near-Earth asteroids". SpaceWeather.com. Archived from the original on 4 August 2010. Retrieved 5 August 2010.
  11. "Astronomical photographs from David Malin Images". davidmalin.com. Retrieved 3 August 2010.
  12. "NOAA POES Auroral Activity". swpc.noaa.gov. Archived from the original on 28 July 2010. Retrieved 3 August 2010.
  13. "What's up in space: Auroras Underfoot". SpaceWeather.com. Archived from the original on 17 July 2011. Retrieved 26 July 2011.
  14. Aurora image (JPG)
  15. Yahnin, A. G.; Sergeev, V. A.; Gvozdevsky, B. B.; Vennerstrøm, S. (1997). "Magnetospheric source region of discrete auroras inferred from their relationship with isotropy boundaries of energetic particles". Annales Geophysicae. 15 (8): 943. Bibcode:1997AnGeo..15..943Y. doi:10.1007/s00585-997-0943-z.
  16. Zhu, L.; Schunk, R. W.; Sojka, J. J. (1997). "Polar cap arcs: A review". Journal of Atmospheric and Solar-Terrestrial Physics. 59 (10): 1087. Bibcode:1997JASTP..59.1087Z. doi:10.1016/S1364-6826(96)00113-7.
  17. A, Brekke; A, Egeland (1994). The Northern Lights. Grøndahl and Dreyer, Oslo. p. 137. ISBN 82-504-2105-1.
  18. "Windows to the Universe – Auroral colors and spectra".
  19. ୧୯.୦ ୧୯.୧ "NASA's MAVEN Orbiter Detects Ultraviolet Aurora on Mars | Space Exploration | Sci-News.com". sci-news.com. Retrieved 16 August 2015.
  20. "Aurora Borealis". dapep.org. Archived from the original on 19 April 2015. Retrieved 16 August 2015.
  21. Gurnett, D.A. (1974). "The Earth as a radio source". Journal of Geophysical Research. 79 (79): 4227. Bibcode:1974JGR....79.4227G. doi:10.1029/JA079i028p04227.
  22. Anderson, K.A. (1960). "Balloon observations of X-rays in the auroral zone". Journal of Geophysical Research. 65: 551–564. Bibcode:1960JGR....65..551A. doi:10.1029/jz065i002p00551.
  23. "Auroras Make Weird Noises, and Now We Know Why". 2016-06-27. Retrieved 2016-06-28.
  24. "News: Acoustics researcher finds explanation for auroral sounds". 2016-06-21. Retrieved 2016-06-28.
  25. McIlwain, C E (1960). "Direct Measurement of Particles Producing Visible Auroras". Journal of Geophysical Research. 65: 2727. Bibcode:1960JGR....65.2727M. doi:10.1029/JZ065i009p02727.
  26. Reiff, P. H.; Collin, H. L.; Craven, J. D.; Burch, J. L.; Winningham, J. D.; Shelley, E. G.; Frank, L. A.; Friedman, M. A. (1988). "Determination of auroral electrostatic potentials using high- and low-altitude particle distributions". Journal of Geophysical Research. 93: 7441. Bibcode:1988JGR....93.7441R. doi:10.1029/JA093iA07p07441.
  27. "Ultraviolet Waves". Archived from the original on 2011-01-27. Retrieved 2018-02-25.
  28. Macleod, Explorers: Great Tales of Adventure and Endurance, p.21.
  29. Clarke, J.,Physical Science in the time of Nero p.39-41, London, Macmillan, (1910), accessed online on 1 January 2017.
  30. Bostock, J. and Riley, H.T., The Natural History of Pliny: Volume II, London, Bohn (1855), accessed online at [୧], on 1 January 2017.
  31. Hamacher, D.W. (2013). "Aurorae in Australian Aboriginal Traditions" (PDF). Journal of Astronomical History and Heritage. 16 (2): 207–219. arXiv:1309.3367. Bibcode:2013JAHH...16..207H. Archived from the original (PDF) on 2013-10-20. Retrieved 2018-02-24.
  32. "Bullfinch's Mythology". Mythome.org. 10 February 1996. Archived from the original on 14 February 2011. Retrieved 5 August 2010.
  33. "The Aurora Borealis and the Vikings". Vikinganswerlady.com. Retrieved 5 August 2010.
  34. "Norrsken history". Irf.se. 12 November 2003. Archived from the original on 21 July 2011. Retrieved 26 July 2011.
  35. Walter William Bryant,   Kepler. Macmillan Co. (1920)   p.23.
  36. Goodman, N. (ed.) (1931), The Ingenious Dr Franklin, p.2, Philadelphia: University of Pennsylvania Press.
  37. J. Oschman (2016), Energy Medicine: The Scientific Basis (Elsevier, Edinburgh) p. 275.
  38. Hearne, Samuel (1958). A Journey to the Northern Ocean: A journey from Prince of Wales' Fort in Hudson's Bay to the Northern Ocean in the years 1769, 1770, 1771, 1772. Richard Glover (ed.). Toronto: The MacMillan Company of Canada. pp. 221–222.
  39. "Aurora Borealis at the American Art Museum".
  40. ୪୦.୦ ୪୦.୧ "ESA Portal – Mars Express discovers auroras on Mars". Esa.int. 11 August 2004. Retrieved 5 August 2010.
  41. "Mars Express Finds Auroras on Mars". Universe Today. 18 February 2006. Retrieved 5 August 2010.
  42. O'Neill, Ian (29 July 2015). "Monstrous Aurora Detected Beyond our Solar System". news.discovery.com. Discovery. Archived from the original on 31 July 2015. Retrieved 29 July 2015.
  43. Q. Choi, Charles (29 July 2015). "First Alien Auroras Found, Are 1 Million Times Brighter Than Any On Earth". space.com. Retrieved 29 July 2015.