ଗୋରୁମାରା ଜାତୀୟ ଉଦ୍ୟାନ

ଗୋରୁମାରା ଜାତୀୟ ଉଦ୍ୟାନ (ବଙ୍ଗଳାରେ গোরুমারা জাতীয় উদ্যান) ପଶ୍ଚିମବଙ୍ଗ ରାଜ୍ୟରେ ଅବସ୍ଥିତ । ହିମାଳୟର ପାଦଦେଶରେ ଅବସ୍ଥିତ ଦୁଆର୍ସ ଅଞ୍ଚଳରେ ଥିବା ଏହି ଜାତୀୟ ଉଦ୍ୟାନ ମଧ୍ୟ ଆକାରର । ତୃଣଭୂମି, ଜଙ୍ଗଲ ଇତ୍ୟାଦିରେ ଗୋରୁମାରା ଅଭୟାରଣ୍ୟ ଶୋଭିତ । ଏହି ଜାତୀୟ ଉଦ୍ୟାନଟି ଭାରତୀୟ ଗଣ୍ଡାଙ୍କ ପାଇଁ ଜଣାଶୁଣା । ଭାରତ ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଏହାକୁ ୨୦୦୯ ମସିହାର ଦେଶର ସର୍ବୋତ୍ତମ ସଂରକ୍ଷିତ ଅଞ୍ଚଳ ବୋଲି ଘୋଷଣା କରିଥିଲା ।[୧]

ଗୋରୁମାରା ଜାତୀୟ ଉଦ୍ୟାନ
গোরুমারা জাতীয় উদ্যান
IUCN Category II (National Park)
ଗୋରୁମାରା ଜାତୀୟ ଉଦ୍ୟାନର ଏକ ଗଣ୍ଡା
Map showing the location of ଗୋରୁମାରା ଜାତୀୟ ଉଦ୍ୟାନ গোরুমারা জাতীয় উদ্যান.
Map showing the location of ଗୋରୁମାରା ଜାତୀୟ ଉଦ୍ୟାନ গোরুমারা জাতীয় উদ্যান.
ଭାରତରେ ଗୋରୁମାରା ଜାତୀୟ ଉଦ୍ୟାନର ଅବସ୍ଥିତି
ଅବସ୍ଥାନଜଳପାଇଗୁଡ଼ି ଜିଲ୍ଲା, ପଶ୍ଚିମ ବଙ୍ଗ, ଭାରତ
ପାଖ ସହରମାଲବଜାର, ମାଇନାଗୁଡ଼ି, ଜଳପାଇଗୁଡ଼ି
ଦିଗବାରେଣି26°42′N 88°48′E / 26.7°N 88.8°E / 26.7; 88.8
ସ୍ଥାପିତ୧୯୪୯ (ବନ୍ୟଜନ୍ତୁ ଅଭୟାରଣ୍ୟର ମାନ୍ୟତା) ଓ ୧୯୯୪ (ଜାତୀୟ ଉଦ୍ୟାନର ମାନ୍ୟତା)
ପରିଚାଳନାଭାରତ ସରକାର, ପଶ୍ଚିମବଙ୍ଗ ସରକାର

ଇତିହାସ ସମ୍ପାଦନା

୧୮୯୫ ମସିହାରୁ ଗୋରୁମାରା ଏକ ସଂରକ୍ଷିତ ଜଙ୍ଗଲ ରହିଆସିଥିଲା । ଏଠାରେ ବହୁ ଗଣ୍ଡା ପୂର୍ବରୁ ରହୁଥିବାରୁ ଏବଂ ସେମାନଙ୍କ ସଂଖ୍ୟାବୃଦ୍ଧିର ସୁଯୋଗ ଥିବାରୁ ୧୯୪୯ ମସିହାରେ ଏହାକୁ ଏକ ବନ୍ୟଜୀବ ଅଭୟାରଣ୍ୟ ଭାବେ ଘୋଷିତ କରାଗଲା । ୧୯୯୪ ମସିହା ଜାନୁଆରୀ ୩୧ ତାରିଖ ଦିନ ଗୋରୁମାରାକୁ ଏକ ଜାତୀୟ ଉଦ୍ୟାନର ମାନ୍ୟତା ପ୍ରଦାନ କରାଗଲା । ପ୍ରଥମେ ୭ (କି.ମି.) ପରିମିତ ଅଞ୍ଚଳରୁ ଆରମ୍ଭ ହୋଇଥିବା ଗୋରୁମାରା ବର୍ତ୍ତମାନ ବର୍ଦ୍ଧିତ ହୋଇ ୮୦ (କି.ମି.) କ୍ଷେତ୍ରଫଳ ବିଶିଷ୍ଟ ହୋଇଯାଇଛି ।

ଭୂଗୋଳ ସମ୍ପାଦନା

ପଶ୍ଚିମବଙ୍ଗ ରାଜ୍ୟର ଜଳପାଇଗୁଡ଼ି ଜିଲ୍ଲାର ମାଲବଜାର ସବ୍-ଡିଭିଜନ୍‍ରେ ଏହି ଜାତୀୟ ଉଦ୍ୟାନ ଅବସ୍ଥିତ । ପୂର୍ବ ହିମାଳୟର ତେରାଇ ବଳୟରେ ଗୋରୁମାରା ଜାତୀୟ ଉଦ୍ୟାନ ରହିଛି । ଉଚ୍ଚନୀଚ ଭୂଭାଗରେ ତରଙ୍ଗ ସଦୃଶ ଜଙ୍ଗଲ, ନଦୀକୂଳିଆ ତୃଣଭୂମି ଏହି ଜାତୀୟ ଉଦ୍ୟାନର ବିଶେଷତା ଓ ପଶ୍ଚିମବଙ୍ଗରେ ଏହାକୁ ଦୁଆର୍ସ କୁହାଯାଏ । ମୂର୍ତ୍ତି ନଦୀ ଓ ରାଇଡାକ ନଦୀ ତଟସ୍ଥ ସମତଳ ଭୂମିରେସ୍ଥିତ ଏହି ଜାତୀୟ ଉଦ୍ୟାନର ପ୍ରମୁଖ ନଦୀ ହେଉଛି ଜଳଧାକା ନଦୀ ଯାହା ବ୍ରହ୍ମପୁତ୍ର ନଦୀର ଏକ ଉପ ନଦୀ । ତେଣୁ ଗଙ୍ଗା ନଦୀ ଓ ବ୍ରହ୍ମପୁତ୍ର ନଦୀ ମଧ୍ୟରେ ଏହା ଏକ ଜଳ ବିଭାଜିକା । ଗୋରୁମାରା ଜାତୀୟ ଉଦ୍ୟାନ ନିକଟରେ ଜଳଦାପଡ଼ା ଜାତୀୟ ଉଦ୍ୟାନ ଓ ଛପ୍ରାମାରି ବନ୍ୟଜୀବ ଅଭୟାରଣ୍ୟ ଅବସ୍ଥିତ । ଗୋରୁମାରା ଜାତୀୟ ଉଦ୍ୟାନର କ୍ଷେତ୍ରଫଳ ପ୍ରାୟ ୭୯.୯୯ ବର୍ଗ କି.ମି. ।

ଜଳବାୟୁ: ନଭେମ୍ବରରୁ ଫେବୃଆରୀ ମାସ ମଧ୍ୟରେ ଏଠାରେ ତାପମାତ୍ରା ୧୦-୨୧ °ସେଲ୍‍ସିୟସ୍, ମାର୍ଚ୍ଚ-ଅପ୍ରେଲ୍ ମାସରେ ତାପମାତ୍ରା ୨୪-୨୭ °ସେଲ୍‍ସିୟସ୍ ଓ ମଇରୁ ଅକ୍ଟୋବର ମାସରେ ତାପମାତ୍ରା ୨୭-୩୭ °ସେଲ୍‍ସିୟସ୍ ରହିଥାଏ । ମଧ୍ୟ-ମଇରୁ ମଧ୍ୟ-ଅକ୍ଟୋବର ମଧ୍ୟରେ ଏଠାରେ ମୌସୁମୀ ପ୍ରବାହ ଯୋଗୁଁ ବୃଷ୍ଟିପାତ ହୁଏ । ଏଠାରେ ବାର୍ଷିକ ହାରାହାରି ୩୮୨ ସେଣ୍ଟିମିଟର୍ ବର୍ଷା ହୁଏ ।

ଇତିହାସ ସମ୍ପାଦନା

ଜାତୀୟ ଉଦ୍ୟାନ ପରିସର ମଧ୍ୟରେ ମନୁଷ୍ୟ ବସବାସ କରିବା କେବେ ଦେଖାଯାଇନାହିଁ । ଏହି ଉଦ୍ୟାନର ବନ ବିଭାଗ ବଙ୍ଗଳା ବ୍ରିଟିଶ୍ ଶାସନ ସମୟରୁ ନିର୍ମିତ । ସେହି ବଙ୍ଗଳାରେ ପୁଣି ସମସ୍ତ ଇତିହାସ ଲିପିବଦ୍ଧ କରି ରଖାଯାଇଛି । ଗୋରୁମାରା ଚାରିପାର୍ଶ୍ୱରେ ସରସ୍ୱତୀ, ବୁଧୁରାମ, ବିଚଭଙ୍ଗା, ଚାଟୁଆ, କୈଳିପୁର ଓ ମୂର୍ତ୍ତି ପରି ଅନେକ ଛୋଟ ଗାଁ ରହିଛି । ଏଠାକାର ଲୋକେ ମୁଖ୍ୟତଃ ପର୍ଯ୍ୟଟନ ସମ୍ବନ୍ଧୀୟ ଓ ବନ ବିଭାଗ କାର୍ଯ୍ୟରୁ ଅର୍ଥ ଉପାର୍ଜନ କରନ୍ତି ।

ପ୍ରାକୃତିକ ଇତିହାସ ସମ୍ପାଦନା

 
ଜାତୀୟ ଉଦ୍ୟାନର ଏକ ସଡ଼କ

ଅରଣ୍ୟ ସମ୍ପାଦନା

ଇଣ୍ଡୋ-ମାଳୟ ଇକୋଜୋନ୍‍ର ଅଂଶ ଏହି ଜାତୀୟ ଉଦ୍ୟାନରେ ପରିଦୃଷ୍ଟ ଅରଣ୍ୟ ପ୍ରକାରମାନ ହେଲା :

  • ତେରାଇ-ଦୋଆର୍ ତୃଣଭୂମି (କ୍ରାନ୍ତୀୟ ତଥା ଉପ-କ୍ରାନ୍ତୀୟ ତୃଣଭୂମି ଓ ବୁଦାଳିଆ ଜଙ୍ଗଲ)
  • ନିମ୍ନ ଗାଙ୍ଗେୟ ସମତଳଭୂମିସ୍ଥ ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟ

ସାଧାରଣତଃ ନେପାଳ, ଭୁଟାନଭାରତର ତେରାଇ ଉପ-ପାର୍ବତୀୟ ଅଞ୍ଚଳରେ ଏହି ପ୍ରକାରର ଜଙ୍ଗଲ ଦେଖାଯାଇଥାଏ ।

ଉଦ୍ଭିଦ ସମ୍ପାଦନା

ଏହି ଜଙ୍ଗଲର କିଛି ମୁଖ୍ୟ ବୃକ୍ଷଲତା ହେଲା : ଶାଳ, ଶାଗୁଆନ୍, ଶିମୁଳି ଗଛ, ବଣ ସିରିଶ ଇତ୍ୟାଦି । ନଦୀନାଳ କୂଳିଆ ସ୍ଥାନରେ ବାଉଁଶ ବଣ ଓ ତୃଣଭୂମି ମଧ୍ୟ ଦେଖାଯାଏ । ବିଭିନ୍ନ ପ୍ରକାରର କ୍ରାନ୍ତୀୟ କାଞ୍ଚନ ଫୁଲ (Orchid) ମଧ୍ୟ ଏହି ଜଙ୍ଗଲରେ ଦେଖାଯାଏ ।

 
ଗୋରୁମାରା ଜାତୀୟ ଉଦ୍ୟାନର ଏକ ପାନୋରାମା ଚିତ୍ର

ବନ୍ୟଜନ୍ତୁ ସମ୍ପାଦନା

ଜାତୀୟ ଉଦ୍ୟାନରେ ୫୦ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୧୯୪ ପ୍ରଜାତିର ପକ୍ଷୀ, ୨୨ ପ୍ରଜାତିର ସରୀସୃପ, ନଦୀ ଓ ହ୍ରଦରେ ୭ ପ୍ରଜାତିର କଇଁଛ, ୨୭ ପ୍ରଜାତିର ମାଛ ଓ ଅନ୍ୟ ବହୁ ଛୋଟ ବଡ଼ ଜୀବଜନ୍ତୁ ଦେଖିବାକୁ ମିଳନ୍ତି ।

ସ୍ତନ୍ୟପାୟୀ : ଜାତୀୟ ଉଦ୍ୟାନ ମଧ୍ୟରେ ଦେଖାଯାଉଥିବା ବଡ଼ ଆକାରର ତୃଣଭୋଜୀ ସ୍ତନ୍ୟପାୟୀ ପ୍ରାଣୀମାନେ ହେଲେ – ଭାରତୀୟ ଗଣ୍ଡା, ବନ୍ୟ ଗୟଳ, ହାତୀ, ଭାଲୁ, ଚିତଲ୍ ହରିଣ ଓ ସମ୍ବର ହରିଣ । ଆକାରରେ ଛୋଟ ସ୍ତନ୍ୟପାୟୀ ଜୀବଙ୍କ ମଧ୍ୟରେ କୁଟୁରା, କୁଜି ହରିଣ, ବାର୍‍ହା ଆଦି ଅନ୍ୟତମ । ସାଧାରଣତଃ ଏହି ଜାତୀୟ ଉଦ୍ୟାନରେ କଲରାପତରିଆ ବାଘ ଛଡ଼ା ଅନ୍ୟ ବଡ଼ ମାଂସଭୋଜୀ ଶିକାରୀ ସ୍ତନ୍ୟପାୟୀ ଜୀବ ଦେଖାଯାନ୍ତି ନାହିଁ । ଗୋରୁମାରା ଜାତୀୟ ଉଦ୍ୟାନରେ ମହାବଳ ବାଘ, ବଳିଆ କୁକୁର, ଗଧିଆ ପରି ଜୀବ ନାହାନ୍ତି । ଏଠରେ ବାଘ କ୍ୱଚିତ୍ ଦେଖାଯାନ୍ତି ବୋଲି କିଛି ଲୋକଙ୍କଠାରୁ ଶୁଣିବକୁ ମିଳିଛି । ଏଠାରେ କଟାସ, ନେଉଳ, ବଣ ବିରାଡ଼ି ପରି ଛୋଟ ଆକାରର ମାଂସଭୋଜୀ ପ୍ରାଣୀ ଦେଖାଯାଇଥାନ୍ତି । ବାର୍‍ହା, ପିଗ୍‍ମି ଘୁଷୁରୀ, ନେପାଳୀ ମୂଷା, ହିସ୍‍ପିଡ୍ ଠେକୁଆ ପରି ଜୀବ ମଧ୍ୟ ଜାତୀୟ ଉଦ୍ୟାନରେ ଦେଖିପାରିବା ।

ପକ୍ଷୀ : ଗୋରୁମାରା ଜାତୀୟ ଉଦ୍ୟାନର ଉପ-ପାର୍ବତୀୟ ଜଙ୍ଗଲରେ ଅଳଙ୍କୃତ କଜଳପାତୀ, କୋଚିଲାଖାଇ, ସ୍କାର୍ଲେଟ୍ ମିନିଭେଟ୍, ସନ୍‍ବର୍ଡ୍, ଏସିନ୍ ପାରାଡାଇଜ୍ ଫ୍ଲାଏକ୍ୟାଚର୍, କାଠହଣା, କୁକେରା (କାଳିଜ) ପକ୍ଷୀ, ମୟୂର ଇତ୍ୟାଦି ପକ୍ଷୀ ଦେଖାଯାନ୍ତି । ଉତ୍ତର ମେରୁବୃତ୍ତ ଅଞ୍ଚଳର ପ୍ରବାସୀ ପକ୍ଷୀମାନେ ଭାରତ ଆସିବା ବେଳେ ଗୋରୁମାରାରେ କିଛି ଦିନ ଅତିବାହିତ କରି ଉଷ୍ମ ଅଞ୍ଚଳକୁ ଯାତ୍ରା କରନ୍ତି । ପ୍ରବାସୀ ପକ୍ଷୀଙ୍କ ମଧ୍ୟରେ ପଣ୍ଡା ହଂସ (brahminy duck) ଉଲ୍ଲେଖଯୋଗ୍ୟ ।

ସରୀସୃପ ଓ ଉଭୟଚର : ଜାତୀୟ ଉଦ୍ୟାନରେ ବିଷଧର ଓ ବିଷହୀନ ଅନେକ ପ୍ରଜାତିର ସାପ ଦେଖିବାକୁ ମିଳନ୍ତି । ବିଶ୍ୱର ବୃହଦାକାର ସାପମାନଙ୍କ ମଧ୍ୟରୁ ଅନ୍ୟତମ ଅଜଗର ଓ ବିଶ୍ୱର ସର୍ବବୃହତ୍ ବିଷଧର ସାପ ଅହିରାଜ ଗୋରୁମାରା ଜଙ୍ଗଲରେ ଦେଖିବାକୁ ପାଇବା ।

ସଂରକ୍ଷଣ ଦିଗରେ ବାଧାବିଘ୍ନ ସମ୍ପାଦନା

ଭାରତୀୟ ଗଣ୍ଡାମାନଙ୍କ ପ୍ରଜନନରେ ସହାୟତା ପାଇଁ ଏମାନଙ୍କ ନିମନ୍ତେ ଏକ ସଂରକ୍ଷିତ ଅଞ୍ଚଳ ନିର୍ଦ୍ଧାରିତ କରିବା ଅତ୍ୟନ୍ତ ଜରୁରୀ ଥିଲା । ତେବେ ଗୋରୁମାରାର ଖାଦ୍ୟଶୃଙ୍ଖଳରେ ବଡ଼ ମାଂସଭୋଜୀ ପ୍ରାଣୀଙ୍କ ଅନୁପସ୍ଥିତି ଯୋଗୁଁ ଏଠାରେ ତୃଣଭୋଜୀ ପ୍ରାଣୀଙ୍କ ସଂଖ୍ୟା ବହୁମାତ୍ରାରେ ବଢ଼ିଯାଇଛି । ଏକଦା ଅଣ୍ଡିରା ଓ ମାଈ ଗଣ୍ଡାଙ୍କ ସଂଖ୍ୟାର ଅନୁପାତ ୧:୩ ଥିଲା ଯାହା କ୍ରମଶଃ ବଢ଼ି ୧:୧ ହୋଇଗଲାଣି । ଅଧିକ ସଂଖ୍ୟକ ଅଣ୍ଡିରା ଗଣ୍ଡା ଅର୍ଥାତ୍ ପ୍ରଭୁତ୍ୱ ପାଇଁ ଲଢ଼େଇ ବଢ଼ିଲା ଓ ଏହି ଲଢ଼େଇ ଅନେକ ଗଣ୍ଡାଙ୍କ ଅକାଳ ମୃତ୍ୟୁର କାରଣ ସାଜିଲା । ସେହିପରି ଗୋରୁମାରା ଉଦ୍ୟାନର ବନ୍ୟ ଗୟଳଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଯିବାରୁ ଅଧିକ ଚରିବା ଫଳରେ ତୃଣଭୂମି ନଷ୍ଟ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି ।

୧୯୭୦ ଓ ୧୯୮୦ ଦଶକରେ ଅବୈଧ ଶିକାର ଉଦ୍ୟାନର ଅଧିକାରୀଙ୍କ ପାଇଁ ଏକ ମୁଣ୍ଡବିନ୍ଧାର କାରଣ ସାଜିଥିଲା । କିନ୍ତୁ ବର୍ତ୍ତମାନ ସମୟରେ ବନ୍ଧୁକ ଓ ଅତ୍ୟାଧୁନିକ ଉପକରଣ ଯୋଗୁଁ ନିୟନ୍ତ୍ରଣ ଓ ନିରୀକ୍ଷଣ କ୍ଷମତା ବୃଦ୍ଧି ପାଇଛି, ତେଣୁ ଅବୈଧ ଶିକାର କମିଛି । ପର୍ଯ୍ୟଟକମାନଙ୍କ ଆଗମନ ଏଠାକାର ଗ୍ରାମବାସୀଙ୍କ ଆୟର ଏକ କାରଣ ହୋଇଥିବାରୁ ସେମାନେ ଅବୈଧ ଶିକାରରୁ ଆମଦାନୀ କରିବାର ଇଚ୍ଛା ପରିତ୍ୟାଗ କରିଛନ୍ତି । ଆଖପାଖ ଗାଁ ଲୋକଙ୍କ ଗୋରୁଗାଈ ଉଦ୍ୟାନ ନିକଟରେ ଚରିବା ଓ ମଣିଷମାନେ ନିଜ ସୁବିଧା ପାଇଁ ବଣରେ ନିଆଁ ଲଗାଇବା ସଂରକ୍ଷଣ ଦିଗରେ ଅନ୍ୟ ଏକ ବିଘ୍ନ ।

ଉଦ୍ୟାନ ପାଖ ଦେଇ ଯାଇଥିବା ରେଳ ଲାଇନ୍ ନିକଟରେ ରେଳଗାଡ଼ି ସହ ଦୁର୍ଘଟଣା ଯୋଗୁଁ କିଛି ହାତୀ ନିକଟ ଅତୀତରେ ପ୍ରାଣ ହରାଇଥିଲେ । ୨୦୦୬ ମସିହା ମଇ ମାସରେ ତିନୋଟି ଭିନ୍ନ ରେଳ ଦୁର୍ଘଟଣାରେ ୩ଟି ହାତୀ ପ୍ରାଣ ହରାଇଥିଲେ । ରେଳ ବିଭାଗ ଓ ଜାତୀୟ ଉଦ୍ୟାନ ପ୍ରଶାସନ ମିଶି ଏହାର ପ୍ରତିକାର ପାଇଁ ଚେଷ୍ଟା ଆରମ୍ଭ କରିଥିଲେ ।[୨]

ଜାତୀୟ ଉଦ୍ୟାନ ବିଷୟରେ କିଛି ତଥ୍ୟ ସମ୍ପାଦନା

ପର୍ଯ୍ୟଟକଙ୍କ ପାଇଁ ଅନ୍ୟ ଆକର୍ଷଣ ସମ୍ପାଦନା

 
ଯାତ୍ରାପ୍ରସାଦ ନିରୀକ୍ଷଣ ମଞ୍ଚା

ରାତିରେ ଦେଖିବାର କ୍ଷମତାସମ୍ପନ୍ନ ଶକ୍ତିଶାଳୀ ଦୂରବିକ୍ଷଣ ଯନ୍ତ୍ର ବ୍ୟବହାର କରି ଗୋରୁମାରା ଜାତୀୟ ଉଦ୍ୟାନର ବିଭିନ୍ନ ନିରୀକ୍ଷଣ ମଞ୍ଚାରୁ ଜୀବଜନ୍ତୁଙ୍କୁ ଦେଖିହେବ । ଏହି ମଞ୍ଚାଗୁଡ଼ିକ ଉଦ୍ୟାନ ମଧ୍ୟରେ ବିଭିନ୍ନ ପ୍ରକୃଷ୍ଟ ସ୍ଥାନରେ ନିର୍ମିତ ହୋଇଛନ୍ତି । ଏହି ନିରୀକ୍ଷଣ ମଞ୍ଚାଗୁଡ଼ିକ ହେଲେ :

  • ଯାତ୍ରାପ୍ରସାଦ ନିରୀକ୍ଷଣ ମଞ୍ଚା: ଏଠାକାର ଏକ ବିଖ୍ୟାତ ହାତୀର ନାମର ଅନୁକରଣ କରି ଏହି ନିରୀକ୍ଷଣ ମଞ୍ଚାକୁ ନାମିତ କରାଯାଇଛି ।
  • ରାଇନୋ ଅବ୍‍ଜର୍ଭେସନ୍ ପଏଣ୍ଟ୍: ଗୋରୁମାରା ବନବିଭାଗ ବଙ୍ଗଳା ସାମନାରେ ଏହି ନିରୀକ୍ଷଣ ମଞ୍ଚ ଅବସ୍ଥିତ ।
  • ଚନ୍ଦ୍ରଚୂଡ଼ ନିରୀକ୍ଷଣ ମଞ୍ଚ (ପୁରୁଣା ଖୁନିଆ ନିରୀକ୍ଷଣ ମଞ୍ଚ): ଏହି ନିରୀକ୍ଷଣ ମଞ୍ଚ ମୂର୍ତ୍ତି ବନ ବିଭାଗ ବଙ୍ଗଳା ସମ୍ମୁଖରେ ଅବସ୍ଥିତ
  • ଚୁକ୍‍ଚୁକି ପକ୍ଷୀ ଦର୍ଶନ ସ୍ଥଳ: ପକ୍ଷୀଙ୍କୁ ଦେଖିବା ପାଇଁ ଏକ ଉତ୍ତମ ସ୍ଥାନ
 
ରାଇନୋ ପଏଣ୍ଟ୍ ନିରୀକ୍ଷଣ ମଞ୍ଚା

ଏହି ଜଙ୍ଗଲରେ ହାତୀ ପିଠିରେ ବସି କିମ୍ବା ମୋଟରଗାଡ଼ିରେ ବସି ସଫାରୀ ସେବା ଉପଲବ୍ଧ ନାହିଁ । ପକ୍କା ସଡ଼କ ବାଟରେ ପାଦରେ ଚାଲି ଜଙ୍ଗଲରେ ବୁଲିବା ପାଇଁ ଅନୁମତି ରହିଛି । କିନ୍ତୁ ଜଙ୍ଗଲରେ ବହୁ ସଂଖ୍ୟକ ହାତୀ, ଗଣ୍ଡା ଓ ଗୟଳ ରହିଥିବାରୁ ଏହା ବିପଦଜନକ । ପ୍ରତିବର୍ଷ ୧୬ ଜୁନ୍‍ରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ବର୍ଷା ଋତୁରେ ଜାତୀୟ ଉଦ୍ୟାନଟି ବନ୍ଦ ରହେ । ନଭେମ୍ବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଗୋରୁମାରା ଜାତୀୟ ଉଦ୍ୟାନ ବୁଲିବା ପାଇଁ ଉତ୍ତମ ସମୟ ।

ଜଙ୍ଗଲକୁ ଲାଗି ରହିଥିବା ଗାଁଗଣ୍ଡା ମଧ୍ୟ ବୁଲିହେବ । ଏହି ସବୁ ଗାଁ ବୁଲିଲେ ସେଠାକାର ଲୋକଙ୍କ ଜୀବନଧାରଣ ଶୈଳୀ, ସଂସ୍କୃତି ବିଷୟରେ ଧାରଣା ମିଳେ । ଏଠାକାର ବୁଧୁରାମ ଗାଁରେ ପ୍ରତିଦିନ ସନ୍ଧ୍ୟାରେ ଆଦିମ ଜନଜାତିଙ୍କ ନୃତ୍ୟ ପ୍ରଦର୍ଶିତ ହୁଏ । ଲତାଗୁଡ଼ି ପ୍ରକୃତି ବ୍ୟାଖ୍ୟା କେନ୍ଦ୍ରରେ ସ୍ଥାନୀୟ ପ୍ରାକୃତିକ ଇତିହାସ ବିଷୟରେ ଅନେକ ତଥ୍ୟ ଜାଣିହେବ ।

ରହିବା ସ୍ଥାନ ସମ୍ପାଦନା

 
ଗୋରୁମାରା ଜଙ୍ଗଲର ଏକ ବଙ୍ଗଳା

ଜାତୀୟ ଉଦ୍ୟାନରେ ଥିବା ବନବିଭାଗ ବଙ୍ଗଳା ବହୁ ପୁରୁଣା, ଅଧିକାଂଶରେ କାଠରେ ନିର୍ମିତ ଓ ଏଥିରେ ଏକ ନିରୀକ୍ଷଣ ମଞ୍ଚ ରହିଛି ଯେଉଁଠାରୁ ସମ୍ମୁଖରେ ଥିବା ଜୀବଜନ୍ତୁଙ୍କ ଖଣିଜ ଲବଣ ଚାଟିବା ସ୍ଥାନଟିଏ ସ୍ପଷ୍ଟ ଭାବେ ଦେଖାଯାଏ । ରିଭର୍ ୱୁଡ୍ ଫରେଷ୍ଟ୍ ରିଟ୍ରିଟ୍‍ସ୍ ନାମକ ଏକ ଚତୁଃ-ତାରକା ହୋଟେଲ୍ ରହିଛି ଯେଉଁଠାରୁ ଗୋରୁମାରା ଜାତୀୟ ଉଦ୍ୟାନ, ମୂର୍ତ୍ତି ନଦୀ ଓ ଧୂପଝଡ଼ା ହାତୀ ଶିବିର ଦେଖାଯାଏ । ରାଜ୍ୟ ବନ ବିଭାଗଦ୍ୱାରା ଜଙ୍ଗଲକୁ ଲାଗି ରହିଥିବା କାଳୀପୁର ଗାଁ ପାଖରେ କିଛି ବନ କୁଟୀର ନିର୍ମାଣ କରିଛନ୍ତି । ଲତାଗୁଡ଼ି ଓ ରାମସାହିରେ ରହିବା ପାଇଁ ଅନେକ ବେସରକାରୀ କୁଟୀର ରହିଛି ।

କିପରି ଯିବେ ସମ୍ପାଦନା

  • ନିକଟତମ ବିମାନ ବନ୍ଦର: ବାଗ୍‍ଡୋଗ୍‍ରା, ଦାର୍ଜିଲିଂ ଜିଲ୍ଲା, ପଶ୍ଚିମବଙ୍ଗ (୮୦ କି.ମି. ଦୂରରେ)
  • ନିକଟତମ ରେଳ ଷ୍ଟେସନ୍ : ଜଳପାଇଗୁଡ଼ି ଜିଲ୍ଲାର ନୂଆ ମୟନଗୁଡ଼ି ରେଳ ଷ୍ଟେସନ୍, ନୂଆ ମାଲ୍ ଜଙ୍କସନ୍ ଓ ଚାଲ୍‍ସା । ଜାତୀୟ ଉଦ୍ୟାନରୁ ପ୍ରାୟ ୧୮ କି.ମି. ଦୂରରେ ଏହା ଅବସ୍ଥିତ । ନୂଆ ଜଳପାଇଗୁଡ଼ି ଜାତୀୟ ଉଦ୍ୟାନ ନିକଟରେ ଥିବା ଏକ ବଡ଼ ଓ ମହତ୍ତ୍ୱପୂର୍ଣ୍ଣ ରେଳ ଷ୍ଟେସନ୍ ।
  • ନିକଟତମ ରାଜପଥ : ସିଲିଗୁଡ଼ି ଓ ଗୁଆହାଟୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥ – ୩୧ ଲତାଗୁଡ଼ି ଦେଇ ଯାଏ । ଲତାଗୁଡ଼ିରୁ ଜାତୀୟ ଉଦ୍ୟାନକୁ ପ୍ରବେଶ ପଥ ରହିଛି ।
  • ନିକଟତମ ସହର : ଜାତୀୟ ଉଦ୍ୟାନ ନିକଟସ୍ଥ ସହର ଦୁଇଟି ହେଲେ ଲତାଗୁଡ଼ି (୮ କି.ମି.) ଓ ରାମସାହି ।
  • ନିକଟତମ ନଗର : ମୟନଗୁଡ଼ି ଜାତୀୟ ଉଦ୍ୟାନରୁ ୧୭ କି.ମି. ଦୂରରେ ଅବସ୍ଥିତ । ଜଳପାଇଗୁଡ଼ି ଜାତୀୟ ଉଦ୍ୟାନରୁ ୪୨ କି.ମି. ଦୂରରେ ଅବସ୍ଥିତ ।
  • କେମିତି ପହଞ୍ଚିବେ ? : ଦେଶର ବହୁ ସ୍ଥାନରୁ ନୂଆ ଜଳପାଇଗୁଡ଼ିକୁ ରେଳସେବା ରହିଛି । ସେଠାର ଜଣେ ପର୍ଯ୍ୟଟକ ଟାକ୍ସି ବା ବସ୍ଦ୍ୱାରା ଲତାଗୁଡ଼ି ବା ରାମସାହିରେ ପହଞ୍ଚିପାରିବେ । ସିଲିଗୁଡ଼ିରୁ ମୟନଗୁଡ଼ିକୁ ପ୍ରତି ୧୫ ମିନିଟ୍‍ରେ ଗୋଟିଏ ବସ୍ ବାହାରେ । ଏହି ଯାତ୍ରାର ଅବଧି ପ୍ରାୟ ୯୦ ମିନିଟ୍ । ମୟନଗୁଡ଼ିରୁ ଲତାଗୁଡ଼ି ଓ ରାମସାହିକୁ ଅନେକ ବସ୍ ରହିଛି । ୧୩୧୪୧ ତୀସ୍ତା ତୋର୍ସା ଏକ୍ସପ୍ରେସ୍, ୧୫୯୫୯ କାମରୂପ ଏକ୍ସପ୍ରେସ୍, ୧୨୩୭୭-୦୫୭୨୫ ପଦାତିକ ଏକ୍ସପ୍ରେସ୍ ଯୋଗେ ପର୍ଯ୍ୟଟକମାନେ ମୟନଗୁଡ଼ି ପହଞ୍ଚି ପାରିବେ ଓ ସେଠାରୁ ୨୦ ମିନିଟ୍‍ର ଯାତ୍ରା ପରେ ଲତାଗୁଡ଼ି ବା ରାମସାହିରେ ପହଞ୍ଚିପାରିବେ । ୧୩୧୪୯ କାଞ୍ଚନକନ୍ୟା ଏକ୍ସପ୍ରେସ୍ ପ୍ରତିଦିନ ପ୍ରତିଦିନ ନୂଆ ମାଲ୍ ଜଙ୍କସନ୍‍ରେ ରୁହେ ଓ ସେଠାରୁ ବସ୍ ବା ଟାକ୍ସି ନେଇ ଲତାଗୁଡ଼ି ଯାଇହେବ ।

ନୂଆ ଜଳପାଇଗୁଡ଼ି ବା ସିଲିଗୁଡ଼ି —→ମୟନଗୁଡ଼ି ବା ମାଲବଜାର—→ ଲତାଗୁଡ଼ି ବା ରାମସାହି

ଆଧାର ସମ୍ପାଦନା

ଆହୁରି ଦେଖନ୍ତୁ ସମ୍ପାଦନା