ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ

ଭାରତୀୟ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ, କଣ୍ଠଶିଳ୍ପୀ ଓ ଗବେଷକ

ଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ ଊନବିଂଶ ଓ ବିଂଶ ଶତାବ୍ଦୀର ଅଗ୍ରଗଣ୍ୟ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ, କଣ୍ଠଶିଳ୍ପୀ ଓ ଗବେଷକ ଥିଲେ । ଓଡ଼ିଶୀ ସଙ୍ଗୀତର ବିଭିନ୍ନ ପାରମ୍ପରିକ ବିଭାଗ ଯଥା : ଚଉପଦୀ, ଛାନ୍ଦ, ଚମ୍ପୂ, ଭଜନ, ଜଣାଣ, ସରିମାନ ଇତ୍ୟାଦିରେ ସେ ପ୍ରବୀଣ ଥିଲେ ଓ ଅନେକ ଶିଷ୍ୟଙ୍କୁ ଏହା ଶିକ୍ଷା ଦେଇଥିଲେ । ସେ ସୀତାର ବାଦନରେ ମଧ୍ୟ ଅଦ୍ଭୁତ ଦକ୍ଷତା ଅର୍ଜ୍ଜନ କରିଥିଲେ ।[][]

ଗୁରୁ

ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ
ଜନ୍ମ୧୮୭୦
ମୃତ୍ୟୁ୧୯୪୭
ବୃତ୍ତି(ସମୂହ)ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ, ଗୁରୁ, କଣ୍ଠଶିଳ୍ପୀ
ଶୈଳୀଓଡ଼ିଶୀ ସଙ୍ଗୀତ
ସନ୍ତାନ
  • ବଂଶୀଧର ଶ୍ରୀଚନ୍ଦନ
  • ବନବିହାରୀ ଶ୍ରୀଚନ୍ଦନ
  • ବିନୋଦ ବିହାରୀ ଶ୍ରୀଚନ୍ଦନ
  • ବସନ୍ତ ବିହାରୀ ଶ୍ରୀଚନ୍ଦନ
  • ବାଙ୍କ ବିହାରୀ ଶ୍ରୀଚନ୍ଦନ
ପିତାମାତା
  • ଜଗନ୍ନାଥ ଭ୍ରମରବର ରାୟ
  • ବିଷ୍ଣୁପ୍ରିୟା ଦେବୀ
ସମ୍ପର୍କୀୟ
ପରିବାରରାଧାଶ୍ୟାମ ନରେନ୍ଦ୍ରଙ୍କ ବଂଶ

ଓଡ଼ିଆ ଭାଷାର ଗୀତ, ଅର୍ଥାତ୍ ଓଡ଼ିଶୀ ସଙ୍ଗୀତକୁ ରେକର୍ଡ଼ କରି ପ୍ରସାର କରାଇବା ନିମନ୍ତେ ସର୍ବପ୍ରଥମେ ବଳିଷ୍ଠ ଉଦ୍ୟମ କରିଥିଲେ ଗୋକୁଳ ଶ୍ରୀଚନ୍ଦନ । ତାଙ୍କର ପ୍ରଚେଷ୍ଟାଦ୍ୱାରା ଓ ହିଜ୍ ମାଷ୍ଟର୍ସ ଭଏସ୍ କମ୍ପାନୀର ଅନୁରୋଧ କ୍ରମେ[] ୧୯୦୬ ମସିହାରେ ପ୍ରଥମ ଥର ପାଇଁ ଗ୍ରାମ୍ଫୋନରେ ରେକର୍ଡ଼ ହୋଇଥିଲା ଓଡ଼ିଶୀ ସଙ୍ଗୀତ । ଏହା ୱିଲିଆମ ଗାଇସବର୍ଗ ନାମକ ରେକର୍ଡିଂ ଯନ୍ତ୍ରୀଙ୍କଦ୍ୱାରା କଲିକତାରେ ହୋଇଥିଲା । ପ୍ରଥମ ରେକର୍ଡିଂ ସେସନରେ କଟକର ଗୁରୁ ଶେଖ ଖାନ ମୋହମ୍ମଦ ଏବଂ କେନ୍ଦ୍ରାପଡ଼ାର ଗୁରୁ ଗୋକୁଳ ଶ୍ରୀଚନ୍ଦନ ଏହି ଉଭୟଙ୍କ କଣ୍ଠରେ ରେକର୍ଡ଼ିଂ ହୋଇଥିଲା ।

ତାଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ, ମୋହନ ସୁନ୍ଦର ଦେବ ଗୋସ୍ୱାମୀ, ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ, କାଳୀପଦ ଦାସ ଅନ୍ୟତମ ।

୧୮୭୦ ମସିହାରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଜମିଦାର ରାଧାଶ୍ୟାମ ନରେନ୍ଦ୍ରଙ୍କ ବଂଶରେ ଗୋକୁଳ ଶ୍ରୀଚନ୍ଦନ ଜନ୍ମଲାଭ କରିଥିଲେ । ସେ ଥିଲେ ସ୍ୱର୍ଗତ ରାଧାଶ୍ୟାମ ନରେନ୍ଦ୍ରଙ୍କ ନାତି । ପିତାଙ୍କ ନାମ ଜଗନ୍ନାଥ ଭ୍ରମରବର ରାୟ ଓ ମାତାଙ୍କ ନାମ ବିଷ୍ଣୁପ୍ରିୟା ଦେବୀ ।[] ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ମଧ୍ୟ ଏହି ବଂଶଜ ; ସେ ଗୋକୁଳ ଶ୍ରୀଚନ୍ଦନଙ୍କ ପୁତୁରା । ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଏହି ବଂଶର ବିମଳା ଦେବୀଙ୍କୁ ବିବାହ କରିଥିଲେ । ପ୍ରଖ୍ୟାତ ରାସଲୀଳା ପ୍ରବର୍ତ୍ତକ ଗୋବିନ୍ଦ ଚନ୍ଦ୍ର ଶୂରଦେଓ ଗୋକୁଳଙ୍କ ଭ୍ରାତା ଶ୍ୟାମସୁନ୍ଦର ନରେନ୍ଦ୍ରଙ୍କ ଜେମାଙ୍କୁ ବିବାହ କରିଥିଲେ ।

ରାଜପରିବାରରେ ଜନ୍ମ ହୋଇ ମଧ୍ୟ ତାଙ୍କର ପିଲାଟି ଦିନରୁ ବିଳାସବ୍ୟସନ ପ୍ରତି ଜମାରୁ ଆଗ୍ରହୀ ନ ଥିଲେ । ବରଂ ବାଲ୍ୟକାଳରୁ ସଙ୍ଗୀତରେ ମନୋନିବେଶ କରି ଏକାନ୍ତ ହୋଇ ରହୁଥିଲେ । ପିତାମାତାଙ୍କ ବାରଣ ସତ୍ତ୍ୱେ ସେ ସଙ୍ଗୀତ ଶିକ୍ଷାରେ ହିଁ ବ୍ରତୀ ଥିଲେ । କେନ୍ଦ୍ରାପଡ଼ା ରାଜପରିବାରର ଇଷ୍ଟଦେବ ଶ୍ରୀ ରାଧାଗୋବିନ୍ଦ ଜୀଉଙ୍କ ପାଖରେ ବର୍ଷା ଚାରିମାସ ସମଗ୍ର ଭାରତବର୍ଷରୁ ଆସୁଥିବା ସାଧୁମାନେ ରହିବା ଏକ ପାରମ୍ପରିକ ପ୍ରଥା ଥିଲା । ଏହି ସାଧୁମାନଙ୍କ ସାନ୍ନିଧ୍ୟ ଲାଭ କରି ଗୋକୁଳଚନ୍ଦ୍ର ସେହିମାନଙ୍କଠାରୁ ସଙ୍ଗୀତ ଶିକ୍ଷା କରୁଥିଲେ । କୀର୍ତ୍ତନ ଗାଇବା ଓ ବାଦ୍ୟଯନ୍ତ୍ର ବଜାଇବାରୁ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରିଥିଲେ । ଏହି ଉଦ୍ଦେଶ୍ୟରେ ସେ କାଉଁରୀକାମାକ୍ଷା ନଗରରେ (ଆସାମ) ଅନେକ ଦିନ ଅତିବାହିତ କରିଥିଲେ ।[]

ଗୋକୁଳ ଶ୍ରୀଚନ୍ଦନ ସର୍ବଭାରତୀୟ ସ୍ତରରେ ଜଳତରଙ୍ଗ ବାଦ୍ୟର ଉଦ୍ଭାବକ । ଭାରତବର୍ଷରେ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ସଙ୍ଗୀତ କାର୍ଯ୍ୟକ୍ରମରେ ସେ ଯୋଗଦାନ କରୁଥିଲେ ।[] ସେ ନିଜ ଖର୍ଚ୍ଚରେ କାଶ୍ମୀର, ଲକ୍ଷ୍ନୌ, ବନାରସ ଓ କଲିକତା ଆଲବର୍ଟ ହଲରେ ସଙ୍ଗୀତ ସଭା ଅନୁଷ୍ଠିତ କରିଥିଲେ । ପୂର୍ବ ଭାରତୀୟ, ବିଶେଷ କରି ଉତ୍କଳୀୟ ବା ଓଡ଼ିଶୀ ସଙ୍ଗୀତ ପଦ୍ଧତିର ଶିକ୍ଷା, ଗବେଷଣା ଓ ପରିବେଷଣ ନିମନ୍ତେ ଲକ୍ଷ୍ମୀକାନ୍ତ ଚୌଧୁରୀଙ୍କ ସହ ମିଶି ୧୯୩୨ ମସିହାରେ ଉତ୍କଳ ସଙ୍ଗୀତ ସମାଜ ପ୍ରତିଷ୍ଠା କରିଥିଲେ । ଲକ୍ଷ୍ମୀକାନ୍ତ ସଙ୍ଗୀତ ବିଦ୍ୟାଳୟର ଅଧ୍ୟକ୍ଷ ଥିଲେ ।[]

କୌଣସି ଅର୍ଥ ନ ନେଇ ଅନେକ ଛାତ୍ରଙ୍କୁ ସଙ୍ଗୀତ ଶିକ୍ଷା ଦେଇଥିଲେ । ତାଙ୍କର ଲକ୍ଷ୍ୟ ଥିଲା ଓଡ଼ିଶାରେ ସଙ୍ଗୀତର କିପରି ଉନ୍ନତି ଓ ପ୍ରଚାର ପ୍ରସାର ହେବ ।[] ବଡ଼କୋଠା ମଧ୍ୟସ୍ଥ ରଙ୍ଗମହଲରେ ସେ ସଙ୍ଗୀତ ଆସର ଅନୁଷ୍ଠିତ କରୁଥିଲେ । ଏଠାରେ ଭାରତର ଶ୍ରେଷ୍ଠ ଶିଳ୍ପୀମାନେ ସମ୍ମିଳିତ ହେଉଥିଲେ, ଯଥା : ବଡ଼େ ଗୁଲାମ ଅଲୀ, ରୋଶ୍ନାରା ବେଗମ, ହାଫିଜ ଅଲୀ ଖାଁ, ରାୟଚାନ୍ଦ ବରାଳ ଆଦି ।

୧୯୪୭ ମସିହାରେ ତାଙ୍କର ତିରୋଧାନ । ଉତ୍କଳ ସାହିତ୍ୟ ସମାଜ ଶ୍ରୀରାମଚନ୍ଦ୍ର ଭବନରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାନିତ ।

ରେକର୍ଡ଼ ତାଲିକା

ସମ୍ପାଦନା

୧୯୦୬ ମସିହାରେ ରେକର୍ଡ଼ ହୋଇଥିବା ଗୀତଗୁଡ଼ିକର ତାଲିକା ଡିସ୍କୋଗ୍ରାଫର ମାଇକେଲ କିନ୍ନିଅର ସଙ୍ଗ୍ରହ କରି ପ୍ରକାଶିତ କରିଛନ୍ତି । ଏଥିରେ ଗୋକୁଳ ଶ୍ରୀଚନ୍ଦନଙ୍କର ୭ ଗୋଟି ରେକର୍ଡ଼ ଉଲ୍ଲିଖିତ । ଗୀତ ନାମ ସହିତ ରେକର୍ଡ଼ ଉପରେ ଓଡ଼ିଶୀ ସଙ୍ଗୀତର ବିଶିଷ୍ଟ ପାରମ୍ପରିକ ରାଗ ଏବଂ ତାଳ ନାମ ଉଲ୍ଲିଖିତ ରହିଛି ।[]

କ୍ରମ ଗୀତ କବି ରାଗ ତାଳ
ଭୁବନାନନ୍ଦ ବ୍ରଜନିଭ ବନେ (ଓଡ଼ିଶୀ) କାମୋଦୀ ଆଠତାଳି
ରାମା ରମଣୀ ତୁରେ ଗୁମାନ ନ କର ମୋରେ (ଓଡ଼ିଶୀ) ପରଜ ଏକତାଳ
ନିନ୍ଦେ ଶରଦ ଇନ୍ଦୁ ଲପନାରେ ମ୍ଳାନ ନ କର ରସସିନ୍ଧୁ (ଓଡ଼ିଶୀ) ମୋହନା ସରିମାନ
ବାନ୍ଧବୀକି ଶୁଭିଲା ଆଜ ସେ ବନମାଳୀ (ଓଡ଼ିଶୀ) ଖମ୍ବାଜ ଆଠତାଳି

ଏହା ଛଡ଼ା କଲମ୍ବିଆ ରେକର୍ଡ଼ରେ ସେ କବିସୂର୍ଯ୍ୟଙ୍କ କିଶୋରଚନ୍ଦ୍ରାନନ୍ଦ ଚମ୍ପୂର ଖ-ଗୀତ 'ଖେଳଲୋଳଖଞ୍ଜନାକ୍ଷି କି ସାହସ କଲୁରେ, ଖରାପ ତୁ ହେଲୁରେ' (ରାଗ କେଦାର - ତ୍ରିପଟା) ରେକର୍ଡ଼ କରାଇଥିବା କାଳୀପଦ ଦାସ ଉଲ୍ଲେଖ କରିଛନ୍ତି ।[]

  1. ୧.୦ ୧.୧ ଓଡ଼ିଆ ଚରିତ କୋଷ, ପ୍ରଥମ ଭାଗ । ସଂକଳକ : ନଗେନ୍ଦ୍ରନାଥ ମହାନ୍ତି । ପ୍ରତିମା ନାଥ ଟ୍ରଷ୍ଟ, ଦିଲ୍ଲୀ, ୨୦୦୫ ।
  2. ୨.୦ ୨.୧ ୨.୨ ସଙ୍ଗୀତାଚାର୍ଯ୍ୟ ଗୋକୁଳଚନ୍ଦ୍ର ଶ୍ରୀଚନ୍ଦନ । ପ୍ରଫେସର କାଳୀପଦ ଦାସ, ମଙ୍ଗଳାବାଗ, କଟକ । ପ୍ରଜାତନ୍ତ୍ର ପ୍ରତିଭା (ପତ୍ରିକା), ୭ମ ବର୍ଷ, ୩ୟ ସଂଖ୍ୟା, ସେପ୍ଟେମ୍ବର ୧୯୯୪ ।
  3. ୩.୦ ୩.୧ ୩.୨ ଗୋକୁଳଚନ୍ଦ୍ର— ଏକ ଅମ୍ଳାନ ପ୍ରତିଭା । ରବୀନ୍ଦ୍ରକିଶୋର ଶ୍ରୀଚନ୍ଦନ । ଉତ୍କଳ ସଙ୍ଗୀତ ସମାଜ ସ୍ମରଣିକା, ୨୦୧୨ ।
  4. ୪.୦ ୪.୧ The Gramophone Company's First Indian Recordings, 1899-1908. Michael S. Kinnear. Popular Prakashan, 1994.