ଗୋବିନ୍ଦ ଚନ୍ଦ୍ର ଶୂରଦେଓ
ଗୋବିନ୍ଦ ଚନ୍ଦ୍ର ଶୂରଦେଓ (ଜନ୍ମ ୧୮୮୪) ଊନବିଂଶ ଓ ବିଂଶ ଶତାବ୍ଦୀରେ ଓଡ଼ିଶାର ଅଗ୍ରଗଣ୍ୟ ରାସ ପ୍ରବର୍ତ୍ତକ ଥିଲେ । ଉତ୍କଳୀୟ ରାହାସ ପରମ୍ପରାର ସେ ଜଣେ ପ୍ରଧାନ ଗୁରୁ ଓ ପ୍ରଚାରକ । ଏହା ସଙ୍ଗେ ସଙ୍ଗେ ସେ ଥିଲେ ଉତ୍ତମ କବି ଓ ବିଶିଷ୍ଟ ଓଡ଼ିଶୀ ସଙ୍ଗୀତଜ୍ଞ ।
ଗୋବିନ୍ଦ ଚନ୍ଦ୍ର ଶୂରଦେଓ | |
---|---|
ଜନ୍ମ | ୧୨ ଏପ୍ରିଲ ୧୮୮୪ |
ବୃତ୍ତି(ସମୂହ) | ଉତ୍କଳୀୟ ରାହାସ ଗୁରୁ ଓ ପ୍ରବର୍ତ୍ତକ, ଓଡ଼ିଶୀ ସଙ୍ଗୀତଜ୍ଞ, କବି |
ଉଲ୍ଲେଖନୀୟ କୃତି | ନରମେଧ ଯଜ୍ଞ |
ଶୈଳୀ | ରାହାସ, ଓଡ଼ିଶୀ ସଙ୍ଗୀତ |
ସମ୍ପର୍କୀୟ |
|
ପରିବାର | ତରଳାଗଡ଼ ରାଜବଂଶ, କେନ୍ଦ୍ରାପଡ଼ା ରାଧାଶ୍ୟାମ ନରେନ୍ଦ୍ରଙ୍କ ବଂଶରେ ବିବାହିତ |
ଜୀବନୀ
ସମ୍ପାଦନା୧୮୮୪ ଖ୍ରୀଷ୍ଟାବ୍ଦ ଏପ୍ରିଲ ୧୨ ତାରିଖରେ ଦକ୍ଷିଣ ଓଡ଼ିଶାର ଅନ୍ୟତମ ଗଡ଼ଜାତ ତରଳାଗଡ଼ରେ ଶୂରଦେଓ ଜନ୍ମଲାଭ କରିଥିଲେ । ତାଙ୍କର ମାମୁ ନୟାଗଡ଼ ରାଜା ରଘୁନାଥ ସିଂହ ମାନ୍ଧାତା ଶୂରଦେଓଙ୍କ ଅଭିଭାବକତ୍ୱରେ ରହି ସେ କଲେଜ ଶିକ୍ଷା ସମାପ୍ତ କରିଥିଲେ । ଦକ୍ଷିଣ ଓଡ଼ିଶା ଓ ନୟାଗଡ଼ର ପରମ୍ପରାରେ ରହି ସେ ଏକ ସାଙ୍ଗୀତିକ ପରିବେଷରେ ବଡ଼ ହୋଇଥିଲେ । ଏଣୁ ନୃତ୍ୟ ସଙ୍ଗୀତ ପ୍ରତି ବୀଶେଷ ଆକୃଷ୍ଟ ହୋଇଥିଲେ । କଲେଜ ଶିକ୍ଷା ସମୟରେ ସେ କଟକର ସଙ୍ଗୀତମୟ ପରିବେଶଦ୍ୱାରା ମଧ୍ୟ ପ୍ରଭାବିତ ହୋଇଥିଲେ ।
କବି ଶୂରଦେଓ ରାମଲୀଳା, ମାନଭଞ୍ଜନ, ଯୁଗଳମିଳନ, ସାକ୍ଷୀଗୋପାଳ, ଧ୍ରୁବ, ସୁଦାମା, ଗୋପେଶ୍ୱର ପୂଜା, ଇନ୍ଦ୍ରସଭା, ନରମେଧ ଯଜ୍ଞ, ନରକାସୁର ବଧ, ମାୟାଶର୍ବରୀ, ଶ୍ରୀକୃଷ୍ଣ ମହିମା, ଉତ୍କଳରମଣୀ, ମୁକୁନ୍ଦଦେବ, ହିନ୍ଦୋଳ ବିଜୟ, ମିବାର ପୁତ୍ର, ମୁଁ ପାଠୋଇ ବୋହୂ, ପେଟେଣ୍ଟ ମେଡ଼ିସିନ୍, ମହନ୍ତ ଫାର୍ଶ, ହାଡ଼ୁବାବୁ ଫାର୍ଶ, ତାରାବାଈ ଓ କୁଳରକ୍ଷା ପ୍ରଭୃତି ଅନେକ ଲୀଳା ନାଟକ ଓ ପ୍ରହସନ ଆଦି ୨୨ ଖଣ୍ଡ ପୁସ୍ତକ ରଚନା କରିଥିଲେ ।
ଶୂରଦେଓ ଜଣେ ରାସ ରଚୟିତା ନଥିଲେ । କିନ୍ତୁ ରାସଦଳ ଗଠନ କରି ସେ ଓଡ଼ିଶା ସାରା ରାହାସର ପ୍ରଚାର କରିବାରେ ସେ ଅନନ୍ୟ ଉଦ୍ୟମ କରିଥିଲେ । ଆଠଗଡ଼ ରାଜା ବିଶ୍ୱନାଥ ଦେବ ବର୍ମା ଶରଦ ରାସ ଗ୍ରନ୍ଥ ଲେଖିସାରିବା ପରେ କେନ୍ଦ୍ରାପଡ଼ା ପଠାଇ ଥିଲେ ; ସେତେବେଳେ ଶୂରଦେଓ ତାଙ୍କ ଶ୍ୱଶୁର କେନ୍ଦ୍ରାପଡ଼ା ଜମିଦାର ଶ୍ୟାମସୁନ୍ଦର ନରେନ୍ଦ୍ରଙ୍କ ଗୃହରେ ଥିଲେ । ବିଶ୍ୱନାଥ ଦେବ ବର୍ମାଙ୍କ ରାସ ଶୂରଦେଓଙ୍କ ଉଦ୍ୟମରେ କେନ୍ଦ୍ରାପଡ଼ାରେ ଅଭିନୀତ ହୋଇଥିଲା । ଛୋଟ ଛୋଟ ବାଳକମାନଙ୍କୁ ନେଇ ସେ ଏକ ରାସଦଳ ଗଢ଼ିଥିଲେ । ଏହି ରାସଦଳ ପରେ କେନ୍ଦ୍ରାପଡ଼ା ବାହାରେ ଅନ୍ୟ ବହୁ ସ୍ଥାନରେ ଅଭିନୟ ପ୍ରଦର୍ଶନ କରି ବେଶ ସୁନାମ ଅର୍ଜ୍ଜନ କରିଥିଲେ । କଟକର ବାସନ୍ତୀ ରଙ୍ଗମଞ୍ଚରେ ଅଭିନୟ କରିବା ପରେ ମୁକୁର ପତ୍ରିକାର ସମ୍ପାଦକ ବ୍ରଜସୁନ୍ଦର ଦାସ କବିଙ୍କୁ ସମ୍ବର୍ଦ୍ଧନା ଜଣାଇ ଏକ ସ୍ୱର୍ଣ୍ଣପଦକ ପୁରସ୍କାର ଦେଇଥିଲେ । କବି ରାସର ଗୋଟିଏ ଆରତି ଗୀତ ଲେଖିଥିଲେ । ଏହା ସେତେବେଳେ ରାସଦଳମାନଙ୍କ ନିକଟରେ ଏତେ ପ୍ରିୟ ଥିଲା ଯେ କବିଙ୍କ ଦଳ ଭାଙ୍ଗିଯିବା ପରେ ମଧ୍ୟ ଅନ୍ୟ ଦଳମାନେ ଏହି ଗୀତ ନିଜ ନିଜ ରାସ ଆରମ୍ଭରେ ଗାଉଥିଲେ । ସେହି ଗୀତଟି ନିମ୍ନରେ ଦିଆଗଲା ।[୧]
ବ୍ରଜବଧୂ ଧରି ରତ୍ନ ଦୀପ ଅର୍ଘ୍ୟଥାଳି
ବନ୍ଦାଅ ଆନନ୍ଦେ ଆଜ ରାଧା ବନମାଳୀ ।
ଗଳେ ଦିଅ ବନମାଳ ଦେଇ ହୁଳହୁଳି
ପ୍ରେମାନନ୍ଦେ ନାଚ ବୋଳି ହୁଅ ବ୍ରଜଧୂଳି ।
ଶଙ୍ଖ ବାଜେ ଘଣ୍ଟା ବାଜେ ବାଜଇ ମୃଦଙ୍ଗ
କମ୍ପଇ ପୁଲକେ ଆଜି ବୃନ୍ଦାବନ ଅଙ୍ଗ ।
ମୟୂର ମୟୂରୀ ନାଚେ ଝଙ୍କାରେ ଭ୍ରମର
ଭାଷେ ଶାରୀ ଶୁକ ଜୟ କିଶୋରୀ କିଶୋର ।
ଗାଅ ଗୋ ମଙ୍ଗଳ ଗୀତ ଦେଇ କରତାଳି
ଯୁଗଳ ଚରଣେ ମନ ପ୍ରାଣ ଦିଅ ଢାଳି ।
ଜୟ ଜୟ ଗୋପୀନାଥ ଜୟ ଗୋପୀରାଣ
ଜୟ ଶ୍ରୀରାସବିହାରୀ ରାଧିକାରମଣ ।
ଜୟ ବୃନ୍ଦାବନୀ ବିଳାସିନୀ ରାସେଶ୍ୱରୀ
ପ୍ରେମାନନ୍ଦରେ ସର୍ବେ ବୋଲ ହରି ହରି ।
ଆଧାର
ସମ୍ପାଦନା- ↑ ଓଡ଼ିଆ ରାସ ପରମ୍ପରା, ଡଃ ପ୍ରଦୀପ୍ତ କୁମାର ପଣ୍ଡା । ବୁକ୍ସ ଏଣ୍ଡ୍ ବୁକ୍ସ, ବିନୋଦବିହାରୀ, କଟକ । ୧୯୯୦ ସଂସ୍କରଣ ।