କାଠ ପେଚା (ଇଂରାଜୀ ଭାଷାରେ Mottled wood owl, ଜୀବବିଜ୍ଞାନ ନାମ Strix ocellata) ଭାରତରେ ପରିଲକ୍ଷିତ ଏବଂ ଆକାରରେ ସାମାନ୍ୟ ବଡ଼ ଏକ ପେଚା ପ୍ରଜାତି । ଶୁଷ୍କ କଣ୍ଟକିତ ଅରଣ୍ୟ ବା ଚାଷ ଜମି ନିକଟସ୍ଥ ପର୍ଣ୍ଣମୋଚୀ ଅରଣ୍ୟରେ କିମ୍ବା ବିଭିନ୍ନ ଉଦ୍ୟାନରେ ଏମାନେ ବାସ କରିବା ଦେଖାଯାଏ । ଭୋର ଓ ଗୋଧୂଳି ସମୟରେ ଏମାନଙ୍କ ଭୀତି ସୃଷ୍ଟିକାରୀ ଡାକରୁ ଏମାନଙ୍କୁ ଠଉରାଇ ହୁଏ । ଉଭୟ ଅଣ୍ଡିରା ଓ ମାଈ ପେଚା ଯୁଗଳରେ ବୋବାଇବା ଲକ୍ଷ୍ୟ କରାଯାଇପାରେ । ଏମାନଙ୍କଦ୍ୱାରା ସୃଷ୍ଟ ଧ୍ୱନିରେ ନିମ୍ନ ସ୍ୱରରେ ହୁ-ହୁ କରି ଡାକିବା ବା ଗାରେଇବା ପରି ଡାକିବା ମଧ୍ୟ ରହିପାରେ । ବଡ଼ ଆକାର, କାନ ପାଖରେ ଲମ୍ବା ପରର ଅନୁପସ୍ଥିତି ଓ ମୁହଁର କୁଣ୍ଡଳାକାର ଦାଗରୁ ଏମାନଙ୍କୁ ସହଜରେ ଚିହ୍ନି ହେବ ।

କାଠ ପେଚା
କାଠ ପେଚା
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
ବର୍ଗ: ଷ୍ଟ୍ରିଜିଫୋର୍ମ୍ସ
Family: Strigidae
Genus: Strix
ଜାତି: S. ocellata
ବାଇନୋମିଆଲ ନାମ
Strix ocellata
ରେନେ-ପ୍ରିମେଭେର୍ ଲେସଁ (୧୮୩୯)
Synonyms

ସିର୍ଣ୍ଣିୟମ୍ ଓସେଲାଟମ୍ (Syrnium ocellatum)
ବ୍ୟୁଲାକା ଓସେଲାଟା (Bulaca ocellata)

ବିବରଣୀ

ସମ୍ପାଦନା

ଏହି ବଡ଼ ଆକାରର ପେଚାର କାନ ପର ନଥାଏ । ଏହି ପେଚାର ଦେହ ସାମାନ୍ୟ ଚିତ୍ରିତ । ଏହାର ଦେହର ରଙ୍ଗରେ ଲାଲ୍ ମିଶା ମାଟିଆ ଓ ଧଳା ରଙ୍ଗର ଆଧିକ୍ୟ ଦେଖିବାକୁ ମିଳେ । ଏହାର ମୁହଁରେ ଧଳା ଓ କଳା ରଙ୍ଗର କୁଣ୍ଡଳାକାର ଚିହ୍ନ ରହିଥାଏ । ଉଭୟ ମାଈ ଓ ଅଣ୍ଡିରା କାଠ ପେଚା ଦେଖିବାକୁ ଏକା ପରି । ଏମାନଙ୍କ ଥୋଡ଼ିଟି ଧଳା ରଙ୍ଗର ।[] ଆଖିର ପିତୁଳା କମଳା ରଙ୍ଗ ଓ ଆଖି ଡୋଳା ଗାଢ଼ ମାଟିଆ ରଙ୍ଗର ।[] ଲାଞ୍ଜରେ ମାଟିଆ ଓ କଳା ରଙ୍ଗର ପଟାଦାଗ ରହିଥାଏ ।[] ମୁହଁର ସ୍ୱତନ୍ତ୍ର କୁଣ୍ଡଳାକାର ଦାଗ ଓ ଚିତ୍ରିତ ଶରୀର ଯୋଗୁଁ ଏମାନଙ୍କୁ ଦକ୍ଷିଣ ଭାରତରେ ଦେଖାଯାଉଥିବା ଆଉ ଏକ ମାଟିଆ କାଠ ପେଚା ପ୍ରଜାତିଠାରୁ ସହଜରେ ପୃଥକ୍ ବୋଲି ଚିହ୍ନି ହୁଏ ।[]

ଏହି ପେଚା ପକ୍ଷୀର ତିନି ଗୋଟି ଉପପ୍ରଜାତି ଚିହ୍ନଟ ହୋଇଛି । କିନ୍ତୁ ଏହି ଉପପ୍ରଜାତିମାନଙ୍କ ଭୌଗୋଳିକ ବିତରଣରେ ବିଶେଷ ପାର୍ଥକ୍ୟ ଓ ପରିଚୟଗତ ସ୍ୱାତନ୍ତ୍ର୍ୟ ନାହିଁ ବୋଲି କୁହାଯାଇପାରିବ ।[]

  • ଷ୍ଟ୍ରିକ୍ସ ଓସେଲାଟା ଓସେଲାଟା (S. o. ocellata) (ଲେସଁ, ୧୮୩୯) ମୁଖ୍ୟତଃ ଦକ୍ଷିଣ ଭାରତରେ ଦେଖିବାକୁ ମିଳନ୍ତି । ଏହି ଉପପ୍ରଜାତିର ଅଣ୍ଡିରା ପକ୍ଷୀମାନଙ୍କ ଡେଣାର ପ୍ରସାର (୩୩୩-୩୩୮ ମିଲିମିଟର) ଗ୍ରାଣ୍ଡିସ୍ ଉପପ୍ରଜାତି ତୁଳନାରେ କ୍ଷୁଦ୍ରତର ।
  • ଷ୍ଟ୍ରିକ୍ସ ଓସେଲାଟା ଗ୍ରିସେଶେନ୍ସ (S. o. grisescens) (କୋଲ୍ଜ, ୧୯୫୦) ମୁଖ୍ୟତଃ ଉତ୍ତର ଭାରତରେ ହିମାଳୟର ଦକ୍ଷିଣ ପଟକୁ, ପାକିସ୍ତାନର ପଶ୍ଚିମ ପଟରୁ ବିହାରର ପୂର୍ବ ପର୍ଯ୍ୟନ୍ତ ଅଞ୍ଚଳରେ ଦେଖାଯାନ୍ତି । ଏମାନଙ୍କ ଦେହର ଚିତ୍ରିତ ଦାଗ ସାମାନ୍ୟ ଫିକା ଏବଂ ଅଣ୍ଡିରା ପକ୍ଷୀଙ୍କ ପ୍ରସାରିତ ଡେଣାର ବ୍ୟାପ୍ତି ପ୍ରାୟ ୩୩୮-୩୪୬ ମିଲିମିଟର ।
  • ଷ୍ଟ୍ରିକ୍ସ ଓସେଲାଟା ଗ୍ରାଣ୍ଡିସ୍ (S. o. grandis) (କୋଲ୍ଜ, ୧୯୫୦) ଉପପ୍ରଜାତି ଗୁଜରାଟ ଅଞ୍ଚଳରେ ଦେଖାଯାନ୍ତି ଏବଂ ଏହି ଉପପ୍ରଜାତିର ଅଣ୍ଡିରାମାନଙ୍କ ଡେଣାର ପ୍ରସାର ପ୍ରାୟ ୩୬୦-୩୭୨ ମିଲିମିଟର ।

ଭୌଗୋଳିକ ବିତରଣ ଓ ପରିବାସ

ସମ୍ପାଦନା
 
କେରଳର ଏକ କାଠ ପେଚା

ସମତଳ ଅଞ୍ଚଳର ଉଦ୍ୟାନ ଓ ପତଳା ଅରଣ୍ୟ ପରିବାସରେ ଏହି ପକ୍ଷୀ ବାସ କରିବା ଦେଖାଯାଏ । ଗହଳ ପତ୍ର ଥିବା ଡାଳରେ ଲୁଚି ରହି ଏମାନେ ଦିନ ବେଳା ଡାକ ପକାଇଥାନ୍ତି । ପାକିସ୍ତାନର ଲାହୋର ସହରରୁ ଏକ ନମୁନା ସଂଗ୍ରହ କରାଯାଇଥିବା ବିଷୟ ଉଲ୍ଲିଖିତ ଅଛି; କିନ୍ତୁ ନିକଟ ଅତୀତରେ ପାକିସ୍ତାନରେ ଏହି ପକ୍ଷୀ ପ୍ରଜାତି ପରିଲକ୍ଷିତ ହେବାର କୌଣସି ସୂଚନା ନାହିଁ । ପୂର୍ବ ପଟେ ଏହି ପକ୍ଷୀର ପରିବାସ ପଶ୍ଚିମ ବଙ୍ଗ ପର୍ଯ୍ୟନ୍ତ ବ୍ୟାପ୍ତ ।[]

ପରିସଂସ୍ଥା ଓ ବ୍ୟବହାର

ସମ୍ପାଦନା

ଦିନ ବେଳା କାଠ ପେଚାମାନେ ଯୋଡ଼ା ହୋଇ ବସି ରାବିଥାନ୍ତି । ଦିନ ସମୟରେ ଏମାନେ ଘଞ୍ଚ ପତ୍ର ଗହଳରେ ବସି ରହିବା ପସନ୍ଦ କରିଥାନ୍ତି; କିନ୍ତୁ କୌଣସି ଆଶଙ୍କା ସୃଷ୍ଟି ହେଲେ ଏମାନେ ଦିନ ବେଳେ ଉଡ଼ି ବୁଲିବା ମଧ୍ୟ ଦେଖାଯାଏ । ଏମାନଙ୍କ ଚୁହ୍ୱା-ଆ ରାବ ମନରେ ଭୀତି ସୃଷ୍ଟି କରିପାରେ । ଉଭୟ ଅଣ୍ଡିରା ଓ ମାଈ ପେଚା ଯୁଗଳରେ ଏହି ରାବ ସୃଷ୍ଟି କରନ୍ତି । ଅଣ୍ଡିରା ପକ୍ଷୀ ପ୍ରଥମ ଦୁଇଥର ଡାକ ଦେଇ ସାରିବା ପରେ ମାଈ ପକ୍ଷୀ କ୍ଷୁଦ୍ରତର ରାବ ପକାଉଥାଏ ।[] ନଭେମ୍ବର ମାସ ଏମାନଙ୍କ ମିଳନ ଋତୁ ଓ ଏହି ସମୟରେ ପେଚା ଯୁଗଳଙ୍କ ଡାକ ଅଧିକ ଶୁଣାଯାଏ । ଫେବୃଆରୀରୁ ନେଇ ଅପ୍ରେଲ ମାସ ପର୍ଯ୍ୟନ୍ତ ଏମାନେ ବସା ବାନ୍ଧିବାର ଦେଖିବାକୁ ମିଳେ ।[] ଲକ୍ଷ୍ମୀ ପେଚା ପରି ଏମାନେ ମଧ୍ୟ ଗାରେଇବା ପରି ବା ହୁ-ହୁ କରି ଡାକ ପକାଇଥାନ୍ତି । ଗଛର କୋରଡ଼ରେ ଏମାନେ ନିଜର ବସା ତିଆରି କରିଥାନ୍ତି ଓ ମାଈ ପେଚା ନିଜ ବସାରେ ୨-୩ଟି ଧଳା ରଙ୍ଗର ଅଣ୍ଡା ଦେବା ଦେଖାଯାଏ ।[] ବିଭିନ୍ନ ଗୁଣ୍ଡୁଚି ମୂଷା, ମୂଷା ଓ କ୍ଷୁଦ୍ରାକୃତି ସ୍ତନ୍ୟପାୟୀ ପ୍ରାଣୀ ଏହି ପେଚାଙ୍କ ମୁଖ୍ୟ ଆହାର ।[]

ସଂସ୍କୃତିରେ କାଠପେଚା

ସମ୍ପାଦନା

କେରଳର ବିଭିନ୍ନ ସ୍ଥାନରେ କାଠ ପେଚାର ଭୀତି ପ୍ରଦାୟକ ଡାକକୁ ଅତୃପ୍ତ ଆତ୍ମାମାନଙ୍କ ଡାକ ବୋଲି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ରହିଛି । ଏମାନଙ୍କ ଡାକ କେରଳର ଲୋକମାନଙ୍କୁ ପୋୱା - ଆଆ ପରି ଶୁଣାଯାଏ, ମାଲାୟାଲମ୍ ଭାଷାରେ ଯାହାର ଅର୍ଥ “ଚାଲ ଯିବା” । ଏହା ପ୍ରେତାତ୍ମାମାନଙ୍କ ଡାକରା ବୋଲି ଭ୍ରମ ଧାରଣା ରହିଛି ।[]

  1. BirdLife International (2012). "Strix ocellata". Retrieved 26 November 2013. {{cite journal}}: Cite journal requires |journal= (help); Invalid |ref=harv (help)
  2. ୨.୦ ୨.୧ ୨.୨ Ali, S & SD Ripley (1981). Handbook of the Birds of India and Pakistan. Volume 3 (2nd ed.). pp. 304–307.
  3. ୩.୦ ୩.୧ Blanford WT (1895). The Fauna of British India, Including Ceylon and Burma. Birds. Volume 3. Taylor and Francis, London. pp. 277–278.
  4. Baker, ECS (1927). The Fauna of British India, Including Ceylon and Burma. Birds. Volume 4 (2nd ed.). Taylor and Francis, London. pp. 402–403.
  5. ୫.୦ ୫.୧ ୫.୨ ୫.୩ Rasmussen PC & JC Anderton (2005). Birds of South Asia. The Ripley Guide. Volume 2. Smithsonian Institution and Lynx Edicions. p. 242.
  6. Vijayaraghavan, B (1986). "Owl beliefs". Newsletter for Birdwatchers. 38 (3): 54–55.

ଅନ୍ୟାନ୍ୟ ଲିଂକ୍

ସମ୍ପାଦନା