ଅନନ୍ତପୁର ମନ୍ଦିର

ଭାରତର ଏକ ହିନ୍ଦୁ ମନ୍ଦିର

12°35′1″N 74°58′56″E / 12.58361°N 74.98222°E / 12.58361; 74.98222

ଅନନ୍ତପୁର ମନ୍ଦିର

ଭାରତବର୍ଷରେ ରହିଥିବା ଅନେକ ବିଷ୍ଣୁ ମନ୍ଦିର ମଧ୍ୟରୁ କେରଳର ଅନନ୍ତପୁର ମନ୍ଦିର ଅନ୍ୟତମ । କେରଳର କସରଗୋଡ଼ଠାରେ ଥିବା ଏକ ମାତ୍ର ହ୍ରଦ ମଧ୍ୟରେ ଏହି ମନ୍ଦିର ପ୍ରତିଷ୍ଠିତ । ୨ ଏକର ହ୍ରଦ ମଧ୍ୟରେ ଅବସ୍ଥିତ ଅନନ୍ତପୁର ମନ୍ଦିରରେ ଭଗବାନ ଅନନ୍ତପଦ୍ମନାଭ ସ୍ୱାମୀ ବା ଭଗବାନ ବିଷ୍ଣୁ ପୂଜା ପାଉଛନ୍ତି । ତେବେ ଏହି ଐତିହାସିକ ମନ୍ଦିରର ବିଶେଷତ୍ତ୍ୱ ହେଲା ଏହାକୁ ଦୀର୍ଘ ବର୍ଷ ଧରି ଏକ କୁମ୍ଭୀର ଜଗି ଆସୁଛି । ବାବିଆ ନାମକ ଏହି ଦୈବୀ କୁମ୍ଭୀର ପାଇଁ ଏହା ଏକପ୍ରକାର ପ୍ରସିଦ୍ଧ । ଯିଏ ଦୀର୍ଘ ବର୍ଷ ଧରି ଏହି ମନ୍ଦିରକୁ ଜଗି ରହିଛି । ଏହି କୁମ୍ଭୀର ସମ୍ପର୍କରେ କୁହାଯାଏ ଯେ ଯଦି ଗୋଟିଏ କୁମ୍ଭୀରର ମୃତ୍ୟୁ ହୁଏ ତେବେ, ଆଉ ଏକ କୁମ୍ଭୀର ରହସ୍ୟମୟ ଭାବେ ସୃଷ୍ଟି ହୁଏ । ତେବେ ଏହି ଘଟଣାର ସତ୍ୟତା ସମ୍ପର୍କରେ ଏପର୍ଯନ୍ତ ଜଣାପଡିନାହିଁ ।

ଭିନ୍ନତା ସମ୍ପାଦନା

ପ୍ରାୟ ସବୁ ମନ୍ଦିରରେ ଭଗବାନଙ୍କ ମୂର୍ତ୍ତି ପଥର କିମ୍ବା ଧାତୁରେ ତିଆରି ହେଉଥିବାବେଳେ କିନ୍ତୁ ଏହି ମନ୍ଦିର ପରିସରରେ ଥିବା ସମସ୍ତ ମୂର୍ତ୍ତି କୌଣସି ଧାତୁ କିମ୍ବା ପଥରରେ ତିଆରି ନହୋଇ ୭୦ଟି ଔଷଧୀୟ ସାମଗ୍ରୀ ମିଶ୍ରଣରେ ତିଆରି ହୋଇଛି । ଏହି ମିଶ୍ରଣର ନାମ ହେଉଛି କଡୁ ସରକାର ୟୋଗମ୍‍ । ୧୯୭୨ ମସିହାରେ ପଞ୍ଚଲୋହା ଧାତୁ ବଦଳରେ ଏହି ମୂର୍ତ୍ତିଗୁଡିକ ପ୍ରତିଷ୍ଠିତ ହୋଇଥିଲା । ଏହାର ଆଉ ଏକ ଭିନ୍ନତା ହେଲା ମନ୍ଦିରର ପ୍ରତି କାନ୍ଥରେ ଅନେକ ପ୍ରକାରର ଛବି ଚିତ୍ରିତ ହୋଇଥିବାର ଦେଖାଯାଏ ।

ବିଶ୍ୱାସ ସମ୍ପାଦନା

ଅନନ୍ତପୁରମ୍‍ରେ ପ୍ରତିଷ୍ଠିତ ଅନନ୍ତପଦ୍ମନାଭ ସ୍ୱାମୀଙ୍କ ପ୍ରକୃତ ସ୍ଥାନ ହେଉଛି ଏହି ମନ୍ଦିର । ପ୍ରଥମେ ଭଗବାନ ବିଷ୍ଣୁ ଏହିଠାରେ ପ୍ରତିଷ୍ଠିତ ହୋଇଥିଲେ ବୋଲି ଆଂଚଳିକ ଲୋକମାନେ ବିଶ୍ୱାସ କରନ୍ତି । ମନ୍ଦିରରେ ଏକ ଗୁମ୍ଫା ରହିଛି ଯାହାର ରାସ୍ତା ସିଧା ହ୍ରଦ ଆଡ଼କୁ ଲମ୍ବିଛି । ଯେଉଁଠାରେ ବର୍ଷର ସବୁ ସମୟରେ ପାଣିର ସ୍ତର ସବୁବେଳେ ସମାନ ରହୁଛି । ବିଶ୍ୱାସ କରାଯାଏ କି ଏହି ପୋଖରୀ ମଧ୍ୟରେ ଥିବା କୁମ୍ଭୀର ଦୀର୍ଘ ୬୦ ବର୍ଷ ଧରି ମନ୍ଦିରକୁ ଜଗି ରହିଛି । ଭଗବାନଙ୍କୁ ପୂଜା କରିବା ପରେ ଭକ୍ତମାନେ ମନ୍ଦିର ପରିଚାଳକଙ୍କ ଜରିଆରେ ବାବିଆ କୁମ୍ଭୀରଙ୍କୁ ପ୍ରସାଦ ଖୁଆନ୍ତି । ହାତୀ ପରି ବାବିଆକୁ ପ୍ରସାଦ ତା ପାଟି ପାଖକୁ ହାତ ନେଇ ଖୁଆଯାଏ । ଲୋକଙ୍କ ବିଶ୍ୱାସ ରହିଛି ଯେ କୁମ୍ଭୀରଟି ହେଉଛି ସଂପୂର୍ଣ୍ଣ ଶାକାହାରୀ । କୁହାଯାଏ ଯେ ୧୯୪୫ ମସିହାରେ ଜଣେ ବ୍ରିଟିଶ ସୈନିକ ଏହି କୁମ୍ଭୀରକୁ ଶିକାର କରିବାର କିଛି ଦିନ ପରେ ଏକ ସର୍ପ ଦଂଶନରେ ମୃତ୍ୟୁ ବରଣ କରିଥିଲା । ଲୋକମାନଙ୍କ କହୁବାନୁସାରେ ଭଗବାନ ବିଷ୍ଣୁ ତାଙ୍କ ପ୍ରିୟ ପ୍ରହରୀ କୁମ୍ଭୀର ହତ୍ୟାର ଏହିପରି ଭାବେ ପ୍ରତିଶୋଧ ନେଇଥିଲେ । ତେଣୁ କୁମ୍ଭୀରକୁ ଭଗବାନଙ୍କ ଦୂତ ବୋଲି ମଧ୍ୟ ବିଶ୍ୱାସ କରାଯାଏ ।

କିପରି ଯିବେ ସମ୍ପାଦନା

ଯଦି ଆପଣ ଟ୍ରେନରେ ଯାଉଛନ୍ତି ତେବେ କସରଗୋଡ ଷ୍ଟେସନରେ ଓହ୍ଲାଇ ରିକ୍ସାଦ୍ୱାରା ମନ୍ଦିରକୁ ଯାଇପାରିବେ । କସରଗୋଡରୁ ମନ୍ଦିରର ଦୂରତା ହେଉଛି ୧୮ କି.ମି । ଯଦି ଆପଣ ବିମାନ ଯୋଗେ ଯାତ୍ରା କରୁଛନ୍ତି ତେବେ କୋଝିକୋଡ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓହ୍ଲାଇ ବସ୍‍ କିମ୍ବା ଟ୍ରେନ ମାଧ୍ୟମରେ ଯାଇପାରିବେ । ବିମାନ ବନ୍ଦରଠାରୁ ମନ୍ଦିରର ଦୂରତା ହେଉଛି ୨୦୦ କି.ମି ।