ଦେବସ୍ନାନ ପୂର୍ଣ୍ଣିମା
ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି ।[୧][୨]
ଦେବସ୍ନାନ ପୂର୍ଣ୍ଣିମା | |
---|---|
ନାମ | ସ୍ନାନ ପୂର୍ଣ୍ଣିମା |
ଅନ୍ୟ ନାମ | ସ୍ନାନଯାତ୍ରା |
ପାଳନକାରୀ | ଓଡ଼ିଆ |
ବିଶେଷତା | ଜଗନ୍ନାଥଙ୍କ ଜନ୍ମଦିନ |
ତାରିଖ | ଜ୍ୟେଷ୍ଠ ପୂର୍ଣ୍ଣିମା |
୨୦୨୩ ତାରିଖ | ୪ ଜୁନ (ରବିବାର) |
୨୦୨୪ ତାରିଖ | ୨୨ ଜୁନ (ଶନିବାର) |
ଇତିହାସ
ସମ୍ପାଦନାଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଏକ ଶାସ୍ତ୍ରୀୟ ଭିତ୍ତ ଭୂମିର ଲୀଳା । ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବରୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ । ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ । ସେତେବେଳେ ସ୍ନାନମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହୋଇଥିଲା । ସେଥିପାଇଁ ଅନେକ ଶାସ୍ତ୍ରରେ ଏହା ମଞ୍ଚସ୍ନାନ ବୋଲି ଉଲ୍ଲେଖ ହୋଇଛି । ଶାସ୍ତ୍ରମତରେ ୧୦୮ ସୁନା କଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁବ୍ରହଙ୍କ ଆଦ୍ୟ ସ୍ଥାନଲୀଳା ସମାପନ ହୋଇଥିଲା । ସେହି ଶାସ୍ତ୍ରୀୟ ମତକୁ ଅନୁସରଣ କରି ଆଜି ବି ସେହିପରି ସ୍ନାନଯାତ୍ରା ଅନୁଷ୍ଠିତ ହେଉଅଛି । ସୂଚନାଯୋଗ୍ୟ, ଶାସ୍ତ୍ର ମତରେ ଜ୍ୟୋଷ୍ଠ ପୂର୍ଣ୍ଣିମା ଦିବସରେ ମହାପ୍ରଭୁଙ୍କ ଆବିର୍ଭାବ ହୋଇଥିଲା । ଜ୍ୟୋଷ୍ଠମାସ ପୂର୍ଣ୍ଣମୀରେ ମହାପ୍ରଭୁଙ୍କ ପ୍ରଥମ ସ୍ଥାନଲୀଳା ଜାତି, ବର୍ଣ୍ଣ, ନିର୍ବଶେଷରେ ସମସ୍ତେ ଦର୍ଶନ କରିଥିବାରୁ ଏହି ଲୀଳାକୁ ପତିତପାବନ ଲୀଳା କୁହାଯାଏ ।
ଉପଚାର ବିଧି
ସମ୍ପାଦନାସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସାଧାରଣ ଦିନପରି ଶ୍ରୀମନ୍ଦିରରେ କବାଟଫିଟା, ପାହାନ୍ତିଆ ଅବକାଶ, ଗୋପାଳବଲ୍ଲଭ,ସକାଳଧୂପ, ଦ୍ୱିପ୍ରହରଧୂପ ଆଦି ସମସ୍ତ ନୀତିର ସମାପନ ପରେ ସ୍ୱଳ୍ପସମୟ ପାଇଁ ପହୁଡ଼ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ । ଏହିଦିନ କୋଠ ସିଆଁସିଆ ମନ୍ଦିରରେ ପ୍ରବେଶ କରନ୍ତି ଓ ପହଣ୍ଡି ପାଇଁ ଚାରମାଳ ବାନ୍ଧନ୍ତି l ପ୍ରଭୁଙ୍କର ସେନାପଟା ଓ ବାହୁଟିନାଗି ହୁଏ । ରତ୍ନ ସିଂହାସନ ଉପରେ ମଙ୍ଗଳାର୍ପଣ କରାଯାଏ ।
ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାମାନେ ପହଣ୍ଡି କରାଉଥିବା ବେଳେ ମଦନମୋହନଙ୍କୁ କେବଳ ମହାଜନ ସେବକମାନେ (ବ୍ରାହ୍ମଣ ଗୋଷ୍ଠୀର ସେବକ) ବିଜେ କରାଇଥାନ୍ତି ।[୩] ପହଣ୍ଡି ବିଜେ ସମୟରେ ସାତ ପାହଚ ଉପରେ ଠାକୁରମାନେ ଚୂଳ ଓ ଟାହିଆ ଲାଗି ହୁଅନ୍ତି । ଏହି ସାତପାହଚ ଉପରେ ଟାହ୍ୟାନାଗି ହେବାପରେ ଦ୍ୱିତୀୟ ମଙ୍ଗଳାର୍ପଣ ହୁଏ । ତା ପରେ ବନ୍ଦାପନା ଓ ପରେ ପରେ ରାଘବଦାସ ମଠରୁ ଆସିଥିବା ଘଷା ନାଗି କରାଯାଏ । ତା ପରେ ପନ୍ତି ଖାଇ ଖାଇ ଠାକୁରମାନେ ସ୍ନାନବେଦିକୁ ଯାଇ ନିଜର ଆସ୍ଥାନ ଉପରେ ଅବସ୍ଥାନ କରନ୍ତି l ସୁଆର ବଡୁ ଅମ୍ଭୂଣିଆ ପାଣି ଛିଞ୍ଚନ୍ତି l ଗରାବଡୁ ସୁବର୍ଣ୍ଣକଳସ ଧରି ଶିତଳାଦେବୀଙ୍କ ସମ୍ମୁଖସ୍ଥ ଓ ବର୍ଷତମାମ ଅପବ୍ୟବହୃତ ହୋଇ ରହିଥିବା ସ୍ୱର୍ଣ୍ଣକୂପରୁ ଜଳ ଆଣନ୍ତି । [୪] ଦେବସ୍ଥାନ ପୂର୍ଣ୍ଣିମାର ପୂର୍ବ ଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ଦେବଯାନ ମାର୍ଗରେ ଅବା ସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ । ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହଙ୍କ ମଧ୍ୟରେ ଅବସ୍ଥିତ । ପରେ ଯେପରି ଏହି କୂଅକୁ ବର୍ଷସାରା ସିଂହ ହିଁ ସୁରକ୍ଷିତ ରଖିଥାଏ । କୂଅର ବ୍ୟବହାର ବର୍ଷସାରା ନଥବାରୁ ଜନପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଏ । ସ୍ନାନଲୀଳାରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହେଉଥବା ବେଳେ ସ୍ଥାନ କାଳରେ ତାନ୍ତ୍ରିକ ବିଧିରେ ତେରଟି ପଦାର୍ଥ ମିଶ୍ରଣ କରାଯାଏ । ଯଜ୍ଞ ପରମ୍ପରାରେ ଏହି କୂଅକୁ ‘ପ୍ରଣୀତାକୂପ' ବୋଲି କୁହାଯାଏ । ପ୍ରାଚୀନ କାଳରେ ମଧ୍ୟ ଓଡ଼ିଶାରେ ଛୁଆଟିଏ ଜନ୍ମ ହେଲେ ତାହାକୁ ଅଣତୁଠ ପାଣି ମିଶ୍ରଣ କରାଯାଇ ସ୍ନାନ କରିବାର ପରମ୍ପରା ରହିଥଲା । ଏହାଦ୍ୱାରା ଦୁଷ୍ଟ ଶକ୍ତିଙ୍କ ପ୍ରଭାବ କଅଁଳା ପିଲାଙ୍କ ଉପରେ ପଡ଼େନାହିଁ । ଅଭିମନ୍ତ୍ରିତ ହୋଇଥିବା ଜଳରେ ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରତ କରାଯାଏ । ଏହି ମହୌଷଧି ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଏ । ସେହି ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହଙ୍କୁ ଶ୍ରୀଜୀଉମାନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ l ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଏ ।[୫] ଏହାକୁ "ପ୍ରତ୍ୟେକ୍ଷ ଅବକାଶ" କହନ୍ତି । ପ୍ରଭୁଙ୍କୁ ଏହି ଦିନ ଗଜାନନ ବେଶ କରାଯାଏ ।[୬] ଏହି ଦିନ ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରାଙ୍କୁ ଫୁଲଚୂଳ, ଚନ୍ଦ୍ରିକା ଓ ଛତ୍ରି ନାଗି କରାଯାଇ ବେଶ କରାଯାଏ । ଗୋପାଳତୀର୍ଥ ମଠଦ୍ୱାରା ପ୍ରଦତ୍ତ ଶ୍ରୀବଳଭଦ୍ରଙ୍କୁ ଗଜାନନ ବେଶ ଓ ଶୁଦର୍ଶନଙ୍କୁ ଚକ୍ର ଲାଗି କରାଯାଏ । ଏହି ଦିନ ତିନି ଧୂପ ବଦଳରେ ଗୋଟିଏ ଧୂପ ଦିଆଯାଏ । [୭]
ତାପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି । ଭିତର କାଠପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବାପରେ ତାଟି ବନ୍ଧାଯାଏ ଓ ପଟିମୂର୍ତି ସ୍ଥାପନା କରାଯାଏ । ତାପରେ ଏହି ଚତୁର୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦିର୍ଘ ୧୫ ଦିନ ଧରି ଜ୍ୱରରେ ପଡ଼ନ୍ତି । ଏହାକୁ ଅଣସର କୁହାଯାଏ । ଏହି ୧୫ ଦିନ ଭକ୍ତମାନେ ଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ ।[୮] ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରନ୍ତି ।
ଗଜବେଶ
ସମ୍ପାଦନାଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଗଜବେଶରେ ସଜ୍ଜିତ ହୁଅନ୍ତି । ଏହା ପଛରେ ଏକ କିମ୍ବଦନ୍ତୀ ନିହିତ । ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ। ସେ ଭଗବାନ ଗଣେଶଙ୍କର ଭକ୍ତ ଥିଲେ । ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ । ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା । ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ । ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ହୋଇଗଲା । ଏ ଅଲୌକିକ ଘଟଣା ଦେଖି ତାଙ୍କର ଜ୍ଞାନୋଦୟ ହେଲା ଏବଂ ସେ ନିଜର ଭୂଲ ବୁଝିପାରିଲେ । ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କଲେ ଯେ, ପ୍ରତିବର୍ଷ ଏହି ଦିନରେ ସେ ଗଜବେଶ ଧାରଣ କରିବେ । ଏହି ଘଟଣା ପରଠାରୁ ପ୍ରତିବର୍ଷ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜବେଶ ଧାରଣ କରନ୍ତି । [୯] [୧୦]
ଆଧାର
ସମ୍ପାଦନା- ↑ http://www.jagannathtemplepuri.com/article/id/722/snana-yatra
- ↑ "ଆର୍କାଇଭ୍ କପି". Archived from the original on 2012-02-10. Retrieved 2011-06-30.
{{cite web}}
: Cite has empty unknown parameter:|1=
(help) - ↑ ଚୌଧୁରୀ, ଡ. ଜନ୍ମେଜୟ. "ସ୍ନାନବେଦିରେ ବ୍ରହ୍ମାଣ୍ଡ ଠାକୁର". ଧରିତ୍ରୀ. Retrieved 22 June 2017.
- ↑ Mohapatra, Debabrata (2011). "The skies rain down for divine bath - Times Of India". indiatimes.com. Archived from the original on 2013-09-28. Retrieved 25 June 2013.
The well would remain unused till the next year's bathing ceremony.
- ↑ Mohanty, Rajkumar (2013). "Ceremonial bath over, lords retire to Anasar Ghar - The New Indian Express". newindianexpress.com. Archived from the original on 8 December 2015. Retrieved 25 June 2013.
Total 35 pitchers of water for Lord Jagannath, 33 for Lord Balabhadra, 22 for Devi Subhara and 18 pitchers for the Sudarshan were used
- ↑ "Odisha's Snana Yatra : Much more than a ritual bath of Holy Trinity". Odisha Sun Times. Retrieved 14 June 2014.
- ↑ Details of the ceremony
- ↑ "Lavish bath before sickroom stay". telegraphindia.com. 2013. Retrieved 25 June 2013.
they undergo treatment for about 15 days and are out of bounds for devotees.
- ↑ Review, Orissa. "Devotee of Lord Jagannath" (PDF). Retrieved 20 June 2016.
- ↑ "Ganapati Bhatta". Retrieved 20 June 2016.
{{cite web}}
:|first=
missing|last=
(help)