ସିଦ୍ଧେଶ୍ୱର ମନ୍ଦିର, ଆଠମଲ୍ଲିକ

ଓଡ଼ିଶାର ଏକ ମନ୍ଦିର

ସିଦ୍ଧେଶ୍ୱର ମନ୍ଦିର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକସ୍ଥିତ ଦେଉଳଝରିଠାରେ ଥିବା ଏକ ଶିବ ମନ୍ଦିର । ଏଠାକୁ ପର୍ଯ୍ୟଟକଙ୍କ ସମେତ ଶୈବ ଓ ଶାକ୍ତ ଧର୍ମାବଲମ୍ବୀ ଭକ୍ତମାନେ ଆସିଥାନ୍ତି ।[୧]

ସିଦ୍ଧେଶ୍ୱର ମନ୍ଦିର
ଦେଉଳିଝରି ଜଳପ୍ରପାତ ଓ ସିଦ୍ଧେଶ୍ୱର ବାବା ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନଅନୁଗୋଳ ଜିଲ୍ଲା
Stateଓଡ଼ିଶା
Countryଭାରତ

ଅବସ୍ଥିତି ସମ୍ପାଦନା

ଆଠମଲ୍ଲିକ ସହରଠାରୁ ପଶ୍ଚିମ ଦିଗରେ ବୌଦ୍ଧକୁ ମାଧପୁର ଦେଇ ଲମ୍ବି ଯାଇଥିବା ରାସ୍ତାରେ ପ୍ରାୟ ଛଅ କି.ମି. ଗଲା ପରେ ଦେଉଳଝରି ପୀଠରେ ଏହି ଦେଉଳ ଅବସ୍ଥିତ ।

ଦେଉଳ ଓ ପୀଠ ସମ୍ପାଦନା

ଏହି ପୀଠ ଚବିଶ ଏକର ଭୂମି ଉପରେ ଅବସ୍ଥିତ । ଏହି ପୀଠରେ ଚାରିଶମ୍ଭୁ ଯଥା ସିଦ୍ଧେଶ୍ୱର, ମହେଶ୍ୱର, କେଦାରେଶ୍ୱର ଏବଂ ଜାଗେଶ୍ୱରଙ୍କୁ ପୂଜା କରାଯାଇଥାଏ । ଏହା ସହିତ ଶାକ୍ତ ଧର୍ମର ପ୍ରଧାନ ଠାକୁରାଣୀ ମାହେଶ୍ୱରୀ ଏବଂ ବନବୀଥିକାର ଦେବୀ ଖମ୍ବେଶ୍ୱରୀ ଏଠାରେ ଉପାସିତ । ଆଠମଲ୍ଲିକ- ମାଧପୁର ରାସ୍ତାକୁ ଲାଗି ରହିଥିବା ଏହି ପୀଠର ଫାଟକ ଅତିକ୍ରମ କରି କିଛିବାଟ ଆଗକୁ ଗଲେ ବାମପାଶ୍ୱର୍ରେ ତିନୋଟି ସିମେଣ୍ଟ କୁଣ୍ଡ ଦିଶେ । ଏହି କୁଣ୍ଡକୁ ଲାଗି ପଶ୍ଚିମ ଦିଗରେ ଅବସ୍ଥିତ ମହେଶ୍ୱର, ମାହେଶ୍ୱରୀ ଏବଂ କେଦାରେଶ୍ୱରଙ୍କ ମନ୍ଦିର । ଏମାନେ ସମସ୍ତେ ପୂର୍ବମୁଖା । କେଦାରେଶ୍ୱର ମନ୍ଦିରର ସମ୍ମୁଖରେ ପଶ୍ଚିମାଭିମୁଖୀ ଖମ୍ବେଶ୍ୱରୀଙ୍କ ମନ୍ଦିର । ଏହି ମନ୍ଦିର ସମୂହର ନିକଟବର୍ତ୍ତୀ ପୂର୍ବଦିଗରେ ପଶ୍ଚିମାଭିମୁଖୀ ଯାଗେଶ୍ୱରଙ୍କ ମନ୍ଦିର । ସାଧାରଣତଃ ଶୈବପୀଠମାନଙ୍କରେ ଏକରୁ ଅଧିକ ଶିବ ମନ୍ଦିର ଥିଲେ ଗୋଟିଏ ମନ୍ଦିର ପଶ୍ଚିମମୁଖା ରହିଥିବା ବେଳେ ଏହାର ଦେବତାକୁ ପଶ୍ଚିମ ସୋମନାଥ କୁହାଯାଏ । ତେବେ ଏଠାରେ ଯାଗେଶ୍ୱର ପଶ୍ଚିମମୁଖା । ଏହି ମନ୍ଦିର ସମୂହ ଅତିକ୍ରମ କରି ବାମ ପାଶ୍ୱର୍ରେ ରାସ୍ତାରେ ଅଳ୍ପବାଟ ଗଲେ ସିଦ୍ଧେଶ୍ୱରଙ୍କ ମନ୍ଦିର ରହିଛି ।

ଇତିହାସ ସମ୍ପାଦନା

ଏଠାରେ ପ୍ରତିଷ୍ଠିତ ଠାକୁର ପ୍ରଥମେ ଏକ ଚାଳଘରେ ପୂଜା ପାଉଥିଲେ । ୧୯୩୬ ମସିହାରେ ଆଠମଲ୍ଲିକ ଗଡ଼ଜାତର ମହାରାଜା କିଶୋର ଚନ୍ଦ୍ର ଦେଓଙ୍କଦ୍ୱାରା ବର୍ତ୍ତମାନର ମନ୍ଦିର ନିର୍ମାଣ କରାଯାଇଥିଲା । ପରେ ପରେ କେତେଜଣ ଭକ୍ତଙ୍କ ଉଦ୍ୟମରେ ଯାଗେଶ୍ୱର, ମହେଶ୍ୱର ଏବଂ କେଦାରେଶ୍ୱର ମନ୍ଦିର ନିର୍ମିତ ହେଲା । ଦେଉଳଝରିର ଚାରିଶମ୍ଭୁଙ୍କ ମଧ୍ୟରେ ସିଦ୍ଧେଶ୍ୱର ମୁଖ୍ୟ ଦେବତା । ଭକ୍ତମାନେ ପ୍ରଥମେ ସିଦ୍ଧେଶ୍ୱରଙ୍କୁ ଦର୍ଶନ କରିସାରି ପରେ ଅନ୍ୟ ଦେବଦେବୀଙ୍କୁ ଦର୍ଶନ କରନ୍ତି । ସିଦ୍ଧେଶ୍ୱର ମନ୍ଦିରର ବେଢ଼ା ମଧ୍ୟରେ ମୁଖ୍ୟ ମନ୍ଦିର ଜଗମୋହନ, ନାଟ ମଣ୍ଡପ, ଭୋଗ ମଣ୍ଡପ ଆଦି ଅବସ୍ଥିତ । ଜଗମୋହନର ଚଟାଣ ମାର୍ବଲ ପଥରରେ ନିର୍ମିତ ହୋଇଛି । ଏହି ମନ୍ଦିରର ଗର୍ଭଗୃହରେ ଶିବ ଓ ପାର୍ବତୀଙ୍କ ଅଷ୍ଟଧାତୁରେ ନିର୍ମିତ ପ୍ରତିମା ପ୍ରତିଷ୍ଠିତ । ଗର୍ଭଗୃହର ଶିବଲିଙ୍ଗ ଭୂପୃଷ୍ଠରୁ ପ୍ରାୟ ଛଅ ଫୁଟ ତଳେ ଅବସ୍ଥିତ ଏହି ଲିଙ୍ଗର ନିମ୍ନଭାଗରେ ଏକ ଉଷ୍ଣଝର ଅନବରତ ବୋହିଥାଏ । ଏହି କ୍ଷୀଣ ଜଳଧାର ହୋଇ ମହାନଦୀ ବହିଯିବାର ଲୋକବିଶ୍ୱାସ ରହିଛି । ଅନ୍ୟାନ୍ୟ ଶିବ ମନ୍ଦିର ପରି ସିଦ୍ଧେଶ୍ୱର ମନ୍ଦିରର ପାଶ୍ୱଦେବତା ଭାବେ ଦକ୍ଷିଣ ଦିଗରେ ଗଣେଶ୍ୱର, ପଶ୍ଚିମ ଦିଗରେ କାର୍ତ୍ତିକେଶ୍ୱର ଏବଂ ଉତ୍ତର ଦିଗରେ ପାର୍ବତୀ ଉପାସିତ । ଏହି ମନ୍ଦିର ବେଢ଼ା ମଝିରେ ଦକ୍ଷିଣ ଦିଗରେ ବରୁଣ କୁଣ୍ଡ ରହିଛି । ସିଦ୍ଧେଶ୍ୱରଙ୍କ ସ୍ନାନ ଓ ଭୋଗଲାଗି ପାଇଁ ଆବଶ୍ୟକ ଜଳ ଏହିଠାରୁ ଅଣାଯାଇଥାଏ ।

କିମ୍ବଦନ୍ତୀ ସମ୍ପାଦନା

ଏହି ଶୈବପୀଠର ଦେଉଳ ଭିତରେ ଦେଉଳଝରିରୁ ପ୍ରବାହିତ ଉଷ୍ଣ ଜଳ ସିଦ୍ଧେଶ୍ୱରଙ୍କ ମଥା ଧୋଇ ବହିଯିବାର ଲୋକବିଶ୍ୱାସ ରହିଛି । ବୈଶାଖ ମାସରେ ବାରୁଣୀ ଯୋଗ ପଡୁଥିବା ବର୍ଷରେ ଦେଉଳଝରିଠାରେ ଥିବା ସମସ୍ତ ଶିବଲିଙ୍ଗର ନିମ୍ନ ଭାଗରୁ ଅଧିକ ଜଳ ଉଦ୍ଗୀରଣ ହୋଇ ଲିଙ୍ଗଗୁଡିକ ପାଣିରେ ବୁଡିଯାଏ ବୋଲି ଲୋକ ବିଶ୍ୱାସ । ୧୯୭୧ ମସିହାରେ ଏପରି ଏକ ବାରୁଣୀ ଯୋଗ ପଡିଥିଲା ବୋଲି କୁହାଯାଏ । ସିଦ୍ଧେଶ୍ୱର ମନ୍ଦିରରେ ସ୍ୱୟଂମ୍ଭୁ ଲିଙ୍ଗର ଆବିର୍ଭାବ ସମ୍ପର୍କରେ ଥିବା କିମ୍ବଦନ୍ତୀ ଅନୁସାରେ ତ୍ରେତୟା ଯୁଗରେ ରାମଚନ୍ଦ୍ର ବନବାସରେ ଥିବା ସମୟରେ ଦେଉଳଝରିର ଅନତିଦୂରରେ ଅବସ୍ଥିତ ପଞ୍ଚଧାର ପର୍ବତରେ କିଛି କାଳ ଅବସ୍ଥାନ କରିଥିଲେ । ଏହି ସମୟରେ ସୀତା ପଞ୍ଚଧାର ପର୍ବତର ପାଦଦେଶରେ ଏହି ସ୍ୱୟଂମ୍ଭୁ ଲିଙ୍ଗକୁ ଠାବ କରି ପୂଜାର୍ଚ୍ଚନା କରୁଥିଲେ । ରାମଚନ୍ଦ୍ର ପଞ୍ଚଧାର ପର୍ବତ ଛାଡ଼ି ଚାଲିଯିବା ବେଳେ ସୀତା ଗଙ୍ଗାଦେବୀଙ୍କୁ ସ୍ମରଣ କରି ପ୍ରତିଦିନ ସିଦ୍ଧେଶ୍ୱରଙ୍କୁ ସ୍ନାନ କରାଇ ପୂଜାର୍ଚ୍ଚନା କରିବାକୁ ଅନୁରୋଧ କରିଥିଲେ । ସେହିଦିନଠାରୁ ଗଙ୍ଗାମାତା ଲିଙ୍ଗର ନିମ୍ନଭାଗରୁ ପ୍ରସ୍ପୁଟିତ ହୋଇ ଉଷ୍ଣ ଜଳରାଶିଦ୍ୱାରା ସିଦ୍ଧେଶ୍ୱର ମହାପ୍ରଭୁଙ୍କ ସ୍ନାନ କରାଇ ଆସିଛନ୍ତି ।

ଦେଉଳଝରି ଉଷ୍ଣପ୍ରସ୍ରବଣ ସମ୍ପାଦନା

ଦେଉଳଝରି ଉଷ୍ଣପ୍ରସ୍ରବଣ ଚବିଶିଟି ଉଷ୍ଣ ପ୍ରସ୍ରବଣ କୁଣ୍ଡଙ୍କୁ ନେଇ ଗଠିତ ଯାହା ଓଡ଼ିଶାର ଅନ୍ୟାନ୍ୟ ଉଷ୍ଣପ୍ରସ୍ରବଣ ଥିବା ସ୍ଥାନରେ ବିରଳ । ଏହି ଭୂଖଣ୍ଡର ଉଷ୍ଣଝରରୁ ତତଲା ପାଣି ବହିଥାଏ । ଭୂମି ମଝିରେ ଗନ୍ଧକର ଉତ୍ତପ୍ତ ବାମ୍ଫ ଓ ଜଳ ଉଦ୍ଗୀରଣ ହୋଇ ଉପରକୁ ଉଠି କ୍ଷୀଣ ସ୍ରୋତ ଧାରରେ ପ୍ରବାହମାନ । ଏହାର ଉତ୍ତାପ ଏକଶହ ଚଉତିରିଶ ଡିଗ୍ରୀ ସେଣ୍ଟିଗ୍ରେଡ୍ ।

ଆଧାର ସମ୍ପାଦନା

  1. "indiantravelguide.com". Archived from the original on 2016-03-05. Retrieved 2011-12-02.