ଲଣ୍ଡା ଗୋସ୍ୱାମୀ ମଠ

ଲଣ୍ଡା ଗୋସ୍ୱାମୀ ମଠ (ଲଣ୍ଡା ଗୋସେଇଁ ମଠ ନାମରେ ଜଣା) ଏକ ହିନ୍ଦୁ ମଠ । ଏହା ବାଲେଶ୍ୱର ସହରର ମଠସାହିଠାରେ ଅବସ୍ଥିତ । ରାଧାକୃଷ୍ଣ ଜୀଉ ମନ୍ଦିର ପରିସରରେ ଏହି ମଠଟି ରହିଛି । ଚୈତନ୍ୟ ନଦିଆରୁ ପୁରୀ ଯିବା ବେଳେ ଏହି ମଠରେ ୧୫୦୯ ମସିହାରେ ଅବସ୍ଥାନ କରିଥିଲେ । ତାଙ୍କ ରହଣି କାଳରେ ଏଠାରେ ୩ ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଏହି ସମୟରେ ଉକ୍ରଳୀୟ ଓ ଗୌଡ଼ୀୟ ବୈଷ୍ଣବଙ୍କ ତିନି ଦିନ ବ୍ୟାପୀ ହରିନାମ ସଂକୀର୍ତ୍ତନ ହୋଇଥିଲା । ସାଲବେଗ ନିଜ ଆତ୍ମଜୀବନୀ "ଅରଜ ଗୀତିକା'ରେ ଏହି ମଠ ବାବଦରେ ବଖାଣିଛନ୍ତି ।

ଇତିହାସ

ସମ୍ପାଦନା

ସାଲବେଗଙ୍କ ଆଗମନ

ସମ୍ପାଦନା

ସାଲବେଗ ବାଲେଶ୍ୱର ମୋଗଲବନ୍ଦୀ ଓ ଗଡଜାତ ମୟୁରଭଞ୍ଜ ସୀମାନ୍ତ କଳମାଠାରେ ଲଢ଼ୁଥିବା ବେଳେ ଆହତ ହୋଇଥିଲେ । ତାଙ୍କ ଦେହରେ ୨୧ଟି ଜାଗାରେ ଗଭୀର କ୍ଷତ ହୋଇଥିଲା । ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ବାଉଁଶ ସଙ୍ଗାରେ ଅଣାଯାଇଥିଲା ବାଲେଶ୍ୱର । ବାଉଁଶ ସଙ୍ଗାରେ ଅଣାଯାଇଥିଲା ସ୍ଥାନର ନାମ କ୍ରମେ ବୈଶିଙ୍ଗା ହେଲା । ସାଲବେଗଙ୍କୁ ପ୍ରଥମେ ବାଲେଶ୍ୱର ଟାଉନ ହଲ ନିକଟ ବାଗ ବୃନ୍ଦାବନକୁ ଅଣାଯାଇଥିଲା । ଏହା ତେବେ ବୃନ୍ଦାବନ ସନ୍ନ୍ୟାସୀଙ୍କଦ୍ୱାରା ପରିଚାଳିତ ହେଉଥିଲା । ସାଲବେଗଙ୍କ ମାଆ କଟକରୁ ଆସିବା ପରେ ତାଙ୍କୁ ମଠସାହିର ଲଣ୍ଡା ଗୋସ୍ୱାମୀ ମଠକୁ ନିଆଯାଇ ଗୋସେଇଁଙ୍କ ନିର୍ଦ୍ଦେଶରେ ରାଧାକୃଷ୍ଣ ଯୁଗଳ ମୂର୍ତ୍ତିଙ୍କ ସମ୍ମୁଖରେ ଶୁଆଇଦିଆଗଲା । ସେଠାରେ ସେ ସୁସ୍ଥ ହୋଇଥିଲେ ।

କିମ୍ବଦନ୍ତୀ

ସମ୍ପାଦନା

ଲଣ୍ଡା ଗୋସ୍ୱାମୀ ମଠ ପରିସରରେ ଥିବା ବଉଳ ଗଛରୁ କାଠିଟିଏ ଭାଙ୍ଗି ଲଣ୍ଡା ଗୋସାଇଁ ଏକଦା ଦାନ୍ତ ଘଷି ତାହା ପୋତି ଦେଇଥିଲେ । ପୋତା ସ୍ଥାନରେ ବଉଳ ଗଛଟିଏ ଉଠିଲା । ଦିନେ ଏକ କୁଆ ବଉଳ ଗଛର ମଞ୍ଜି ଖାଇ ଗୋସାଇଁଙ୍କ ଶରୀରରେ ମଳତ୍ୟାଗ କରନ୍ତେ, ସେ ଅଭିଶାପ ଦେଲେ, "ଏ ଗଛରେ ଫୁଲ ଫୁଟିବ, କିନ୍ତୁ ଫଳିବନି । କେବଳ ଗୋଟିଏ ଫଳ ଆସିବ, ଯାହାକୁ କେହି ଦେଖିପାରିବେନି ।" ସେବେଠାରୁ ଏହି ବଉଳ ଗଛରେ ଫୁଲ ଫୁଟେ, ମାତ୍ର ଫଳ ଫଳେନି ।

ସାଲବେଗ

ସମ୍ପାଦନା

କଥିତ ଅଛି ଯେ ଯୁଦ୍ଧରେ ଆହତ ସାଲବେଗ ମାତାଙ୍କ କଥାରେ ଲଣ୍ଡା ଗୋସ୍ୱାମୀ ମଠରେ ଥିବା ବେଳେ କୃଷ୍ଣ ନାମ ଜପ କରି ତିନି ଦିନ ତିନି ରାତି ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ । ରାତିରେ ସ୍ୱୟଂ ନାରାୟଣ ଆସି ତାଙ୍କ ଦେହରେ ତିନି ଥର ହାତ ବୁଲେଇଦେବାରୁ ତାଙ୍କ ଯନ୍ତ୍ରଣା ଉପଶମ ହୋଇ କ୍ଷତ ଶୁଖିଯାଇଥିଲା । ପରେ ସାଲବେଗ କଟକ ଯାଇ ବାପା ଲାଲବେଗଙ୍କ ଲାଲବାଗସ୍ଥିତ ପ୍ରାସାଦରେ ରହିଥିଲେ । ବଙ୍ଗଳାରେ ଯୁଦ୍ଧରତ ଲାଲବେଗ ନିହତ ହୋଇଥିଲେ । ଅନ୍ୟ ସଂପର୍କୀୟମାନେ ସାଲବେଗ ଓ ତାଙ୍କ ମାଆଙ୍କୁ ପ୍ରାସାଦରୁ ତଡ଼ିଦେଇଥିଲେ । ସାଲବେଗ ଓ ତାଙ୍କ ମାଆ ପୁରୀ ଯାଇଥିଲେ । ସେଠାରେ ପଣ୍ଡାମାନେ ସେମାନଙ୍କୁ ତିରସ୍କାର କରି ଜଗନ୍ନାଥ ଦର୍ଶନ କରାଇ ଦେଇନଥିଲେ । ତେଣୁ ୧୬୦୮ ମସିହାରେ ମାଆଙ୍କ ସହ ସାଲବେଗ ବାଲେଶ୍ୱର ଚାଲିଆସିଥିଲେ । ସେ ବାଲେଶ୍ୱରର ପୂର୍ବ ପଟେ ଥିବା ଦାମୋଦରପୁରରେ ବିଜେ ଶ୍ୟାମସୁନ୍ଦର ଜୀଉଙ୍କ ମନ୍ଦିରକୁ ନିତି ଯାଇ ଠାକୁର ଦର୍ଶନ କରୁଥିଲେ । ମନ୍ଦିରର ପୂଜକ ସମସ୍ତଙ୍କୁ ଲୁଚାଇ ସାଲବେଗଙ୍କୁ ଚରଣାମୃତ ଦେଉଥିଲେ । ଦିନେ ପୂଜକ ନ ଥିବାରୁ ନିଜେ ଠାକୁର ତାଙ୍କୁ ଚରଣାମୃତ ଦେଇଥିବା ସାଲବେଗ ତାଙ୍କ ରଚନାରେ ଉଲ୍ଲେଖ କରିଛନ୍ତି । ପରଦିନ ଠାକୁରଙ୍କ ପାଟ ଲୁଗା ତଳୁ ସାଲବେଗ ପ୍ରଦାନ କରିଥିବା ସୁନା ମୋହର ପୂଜକ ପାଇଥିଲେ । ସାଲବେଗ ଠାକୁରଙ୍କୁ ଦର୍ଶନ କରିବା ପାଇଁ ମନ୍ଦିର କାନ୍ଥରେ ଏକ ଛିଦ୍ର କରାଯାଇଥିଲା । ସେ ଛିଦ୍ର ଏବେ ମଧ୍ୟ ଦିଶେ । ମନ୍ଦିରରେ ସାଲବେଗ ଓ ତାଙ୍କ ମାଆ ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇଥିବା ସେ ଲେଖିଛନ୍ତି । ୧୬୦୮ ମସିହାରୁ ୧୬୧୫ର ଶେଷଭାଗ ପର୍ଯ୍ୟନ୍ତ ବାଲେଶ୍ୱରରେ ୮ ବର୍ଷ କାଳ ସାଲବେଗ ରହିଥିଲେ । ପରେ ସେ ଏଠାରୁ ବୃନ୍ଦାବନ ଯାତ୍ରା କରିଥିଲେ । ବାଲେଶ୍ୱରରୁ ଯିବାବେଳେ ଗାଇଥିଲେ,

ଜୀବନରେ ଥିବି ଯେବେ ଯିବି ବୃନ୍ଦାବନ,
ଦର୍ଶନ କରିବି ଯାଇ ଶ୍ରୀ ମଧୁସୂଦନ ।