ରେବତୀ (କ୍ଷୁଦ୍ରଗଳ୍ପ)
ରେବତୀ ଓଡ଼ିଆ ଗାଳ୍ପିକ ଫକୀର ମୋହନ ସେନାପତିଙ୍କଦ୍ୱାରା ଲିଖିତ ଏବଂ ୧୮୯୮ ମସିହାରେ ପ୍ରକାଶିତ ଏକ କ୍ଷୁଦ୍ରଗଳ୍ପ । ଏହା ସେହି ବର୍ଷ ଅକ୍ଟୋବର ମାସରେ ଉତ୍କଳ ସାହିତ୍ୟ ପତ୍ରିକାର ଦ୍ୱିତୀୟ ବର୍ଷ ଦଶମ ସଂଖ୍ୟା କାର୍ତ୍ତିକ ୧୩୦୬ରେ ପ୍ରଥମେ ପ୍ରକାଶ ପାଇଥିଲା । ଫକୀର ମୋହନ ଏହି ପତ୍ରିକାରେ ଶ୍ରୀ ଧୁର୍ଜଟି ନାମରେ ଏହି ଗଳ୍ପଟି ଲେଖିଥିଲେ ।[୧] ଓଡ଼ିଆ ସାହିତ୍ୟର ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପ ଭାବେ ଏହାର ମାନ୍ୟତା ରହିଛି ।[୨][୩] ଲଛମନିଆ ଫକୀରମୋହନଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ ହୋଇଥିଲେ ହେଁ ଏହା ଦୁଷ୍ପ୍ରାପ୍ୟ ଥିବାରୁ ରେବତୀ ହିଁ ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପର ମାନ୍ୟତା ଲାଭ କରିଥିଲା ।[୪][୫] ସମସାମୟିକ ବ୍ୟାବହାରିକ ଓଡ଼ିଆ ଭାଷାରେ ଲିଖିତ ଏହି ଗଳ୍ପଟିରେ ଗୋଟିଏ ଛୋଟ ଝିଅ ରେବତୀର ପାଠ ପଢ଼ିବାର ପ୍ରବଳ ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି । ଗଳ୍ପଟିରେ କଥାବସ୍ତୁକୁ ଜୀବନ୍ତ ଭାବେ ଚିତ୍ରିତ କରାଯାଇଛି ।
"ରେବତୀ" | |
---|---|
Author | ଫକୀର ମୋହନ ସେନାପତି |
Country | ଭାରତ |
Language | ଓଡ଼ିଆ |
Publication date | ୧୮୯୮ |
କଥାବସ୍ତୁ ଓ ଚରିତ୍ର
ସମ୍ପାଦନାକଟକ ଜିଲ୍ଲାର ଏକ ଅଖ୍ୟାତପଲ୍ଲୀ ପାଟପୁର ଗ୍ରାମର କାହାଣୀ । କଥାବସ୍ତୁର ମୁଖ୍ୟ ଚରିତ୍ର ରେବତୀ, ବାପା-ଶ୍ୟାମବନ୍ଧୁ, ମାଆ ଓ ତାର ବୁଢ଼ୀ ଜେଜେମା ଓ ଗାଁ ସ୍କୁଲ ମାଷ୍ଟର ବାସୁ ।
ରେବତୀ ହେଉଛି ୧୦ ବର୍ଷ ବୟସର ଏକ ଗରୀବ କିନ୍ତୁ ବୁଦ୍ଧିମତି ଝିଅ । ତତ୍କାଳୀନ ଓଡ଼ିଶାର ଏକ ପଛୁଆ ଅଞ୍ଚଳର ଝିଅ ସେ । ଭଗବତ ଗୀତାର ପଂକ୍ତି ଗାଇବା ସହ ଭଲ ଭଜନ ଗାଇ ଜାଣେ ସେ । ତେବେ ତତ୍କାଳୀନ ରକ୍ଷଣଶୀଳ ସମାଜରେ ପାଠ ପଢ଼ିବାର ଦୁର୍ବାର ଇଚ୍ଛା ଏ ଝିଅ ମଧ୍ୟରେ ଜାଗି ଉଠିଛି । ସେ ପାଠ ପଢ଼ିବାକୁ ଚାହିଁଛି । ତତ୍କାଳୀନ ସମୟରେ ସମାଜରେ ଝିଅଙ୍କ ଭାଗ୍ୟରେ ପାଠ ପଢ଼ିବା ଜୁଟୁ ନ ଥିଲା , ବରଂ ଝିଅମାନଙ୍କୁ ଘର କାମ ସମ୍ଭାଳିବା ଦାୟୀତ୍ତ୍ୱ ଯେପରିକି ରୋଷେଇ କରିବା, ପିଠାପଣା କରିବା, ସିଲେଇ କରିବା, ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ସହାୟତା କରିବା ତଥା ଅନ୍ୟାନ୍ୟ ଘରକରଣା କାମ କରିବାକୁ କୁହାଯାଉଥିଲା । ଉନବିଂଶ ଶତାବ୍ଦୀର ଏକ ରକ୍ଷଣଶୀଳ ପରିବାରର ମୁରବୀ, ରେବତୀର ପିତା ଶ୍ୟାମବନ୍ଧୁ । ନିଷ୍ପାପ ରେବତୀର ପାଠ ପଢ଼ିବାର ଇଛାକୁ ଗ୍ରାମର କିଛି ରକ୍ଷଣଶୀଳ ଲୋକଙ୍କ ସହଜରେ ଗ୍ରହଣ କରିପାରି ନ ଥିଲେ । ଘରେ ଓ ବାହାରେ ଏଥିପାଇଁ ରେବତୀକୁ ବହୁ ଘାତ ପ୍ରତିଘାତର ସାମନା କରିବାକୁ ପଡିଥିଲା । ବୁଢ଼ୀ ଜେଜେମା ଏହାର ଘୋର ବିରୋଧ କରିଥିଲେ ମଧ୍ୟ ପିତ ଶ୍ୟାମବନ୍ଧୁ ବହୁ କଷ୍ଟରେ ରେବତୀକୁ ଗାଆଁ ମାଇନର ସ୍କୁଲକୁ ପଠାଇବାକୁ ରାଜି ହୋଇଥିଲେ । ପିତା ଶ୍ୟାମବନ୍ଧୁ ପୁରୁଣାକାଳିଆ ଲୋକ ହେଲେ ମଧ୍ୟ ଶିକ୍ଷାର ମହତ୍ତ୍ୱ ବେଶ ବୁଝି ପାରିଥିଲେ । ନାରୀ ଶିକ୍ଷା କ୍ଷେତ୍ରରେ ଆମ ସମାଜର ନାରୀ ଯେ ଅବହେଳିତ ସେ କଥା ସେ ଅନୁଭବ କରି ପାରୁଥିଲେ । ଏକଥା ବି ଜାଣିଥିଲେ ଯେ ନାରୀଟିଏ ଶିକ୍ଷିତା ହେଲେ ସାରା ପରିବାର ଶିକ୍ଷିତ ହେବାକୁ ଆଦୌ ଡେରି ହେବ ନାହିଁ । ତେବେ ରେବତୀର ଜେଜେମା ତଥା ସାଇ ପଡୋଶୀ ଏକଥାର ଘୋର ବିରୋଧ କରିଥିଲେ । କହିଲେ, ଝିଅ ପିଲାଟା; ପାଠଶାଠ କଣ ? ପିଠାପଣା ଶିଖୁ, ଝୋଟିଦିଆ ଶିଖୁ, ଘରକରଣା ଶିଖୁ । ସବୁ ଘାତ ପ୍ରତିଘାତ ସତ୍ତ୍ୱେ ରେବତୀ ଗାଁ ସ୍କୁଲ ଶିକ୍ଷକଙ୍କ ଭରସାରେ ସ୍କୁଲ ଯିବାକୁ ଜିଦ କରେ । ଦୁର୍ଭାଗ୍ୟକୁ ଗାଁରେ ମହାମାରୀ ବ୍ୟାପେ । ମହାମାରୀରେ ଅନେକ ଧନ ଜୀବନ ନଷ୍ଟ ହୁଏ । ହେଲେ ଜେଜେମା ବୁଢ଼ୀ ରେବତୀର ପାଠ ପଢ଼ିବା ଜିଦ୍ ହିଁ ଏସବୁ ଦୁର୍ଭାଗ୍ୟର ଏକ ମାତ୍ର କାରଣ ଭାବି ସମ୍ପିବାକୁ ଲାଗେ । ଏକ ଋଢୀବାଦୀ ପରିବାରରେ ରେବତୀର ପାଠ ପଢ଼ିବାର ଇଛା କେବଳ ଇଛାରେ ରହିଯାଏ । ଏତେ ସବୁ ଘଟଣା ଦୁର୍ଘଟଣାକୁ ନେଇ ରଚିତ ଏହି କାହଣୀ ବାସ୍ତବରେ ନାରୀ ଶିକ୍ଷାର ଜାଗରଣ ଦିଗରେ ଏକ ମହାନ ରୂପକ ଭାବେ ଆଜି ବି ସ୍ଥାନ ବଜାୟ ରଖିଛି । ଫକିର ମୋହନଙ୍କ ଏହି କାହଣୀ ଆଜି ବି ଆମ ପାଇଁ ମହତ୍ତ୍ୱପୂର୍ଣ୍ଣ । ଫକୀର ମୋହନଙ୍କ ସଂସ୍କାରବାଦୀ ମନୋଭାବର ଏହା ଏକ ନିଛକ ପ୍ରତିଫଳନ । ଏହି କାହାଣୀ ମହିଳା ଶିକ୍ଷା ଓ ମୁକ୍ତି ଆନ୍ଦୋଳନର ଏକ ରୂପକ । କାହାଣୀରେ ଫକୀର ମୋହନଙ୍କ ନାରୀ ସୁଧାରବାଦି ମନୋଭାବର ପରିଚୟ ଦିଏ ।[୬]
ସଂସ୍କାରବାଦୀ ଫକୀରମୋହନ ସେନାପତି ତତ୍କାଳୀନ ସମାଜରେ ପ୍ରଚଳିତ ନାନା କୁସଂସ୍କାର ଓ ଅନ୍ଧବିଶ୍ୱାସ ପ୍ରତି ଇଙ୍ଗିତ ପ୍ରଦାନ କରି ତାଙ୍କ ଗଳ୍ପ ଉପନ୍ୟାସ ରଚନା କରିଥିଲେ ତାଙ୍କର ପ୍ରଥମ ଗଳ୍ପ ‘ରେବତୀ’ରେ ମଧ୍ୟ ଏହା ସୁସ୍ପଷ୍ଟ[୭] ରେବତୀ ଗଳ୍ପ ପରବର୍ତ୍ତୀ ସମୟରେ ଅନେକ ଓଡ଼ିଆ ଲେଖକ ଓ ଗାଳ୍ପିକଙ୍କୁ ନାରୀ ଶିକ୍ଷା ଓ ଅନ୍ଧବିଶ୍ୱାସକୁ ନେଇ ଅନେକ ଗଳ୍ପ ଓ ନାଟକ ଲେଖିବା ପାଇଁ ପ୍ରେରଣା ପ୍ରଦାନ କରିଛି ।[୮]
ଆଧାର
ସମ୍ପାଦନା- ↑ "ଓଡ଼ିଆ ଭାଷା-ବିଦ୍ୱେଷ ଓ ବିଶ୍ୱକବି". https://sambadepaper.com/. 12 November 2018. Retrieved 10 November 2023.
{{cite web}}
: External link in
(help)|website=
- ↑ History of Oriya Literature: Dr. Mansinha, Mayadhar; Published by Sahitya Akademy, Delhi
- ↑ Fakir Mohan Samiksha: Mohanty, Surendra, Published by New Students Store, Binode Behari, Cuttack
- ↑ "ଓଡ଼ିଆ ଭାଷାର ରକ୍ଷାକବଚ". Dharitri.com (in ଇଂରାଜୀ). Retrieved 17 December 2018.
- ↑ "ଯୁଗଜନ୍ମା ବ୍ୟାସକବି ଫକୀରମୋହନ ସେନାପତି". www.aahwaan.com (in ଇଂରାଜୀ). Retrieved 17 December 2018.
- ↑ "ଫକୀର ମୋହନଙ୍କ ପ୍ରଥମ ଗଳ୍ପ 'ରେବତୀ'ରେ ଲୋକ ସାହିତ୍ୟିକ ଉପାଦାନ - ରମେଶ ଚନ୍ଦ୍ର ଦାସ | Odia Bhasha Ebam Sahitya". www.odiasahitya.com. Retrieved 17 December 2018.
- ↑ “Album”-Short Stories Collection by Jagadish Mohanty, Published by Grantha Mandir, Binode Behari, Cuttack