ରବି ରାୟ

ଗାନ୍ଧୀବାଦୀ ସ୍ୱାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ

ରବି ରାୟ (୨୬ ନଭେମ୍ବର ୧୯୨୬ - ୬ ମାର୍ଚ୍ଚ ୨୦୧୭) ଓଡ଼ିଶାର ଜଣେ ଗାନ୍ଧୀବାଦୀ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ଜନନେତା ଥିଲେ । ସେ କେନ୍ଦ୍ର ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ନବମ ଲୋକ ସଭାର ବାଚସ୍ପତି ଦାୟିତ୍ୱ ମଧ୍ୟ ନିର୍ବାହ କରିଥିଲେ । ଲୋକ ସଭା ବାଚସ୍ପତି ପଦବୀକୁ ପହଂଚିବାରେ ସେ ଏକ ମାତ୍ର ଓଡ଼ିଆ ବ୍ୟକ୍ତି ।

ରବି ରାୟ
ଜନ୍ମ(1926-11-26)୨୬ ନଭେମ୍ବର ୧୯୨୬
ମୃତ୍ୟୁ୬ ମାର୍ଚ୍ଚ ୨୦୧୭(2017-03-06) (ବୟସ ୯୦)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକ (ଆଇନ‌,ଇତିହାସ)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ,
ମଧୁସୂଦନ ଆଇନ ବିଦ୍ୟାଳୟ
ପ୍ରସିଦ୍ଧିରାଜନେତା,ସ୍ୱାଧୀନତା ସଂଗ୍ରାମୀ, ଲୋକ ସଭାର ବାଚସ୍ପତି ଓ ଭାରତର ସ୍ୱାସ୍ଥ୍ୟ ମନ୍ତ୍ରୀ
ବୈବାହିକ-ସାଥୀସରସ୍ୱତୀ ସ୍ୱାଇଁ[୧]
ପୁରସ୍କାରଉତ୍କଳ ରତ୍ନ ସମ୍ମାନ, ୨୦୧୦
କଳିଙ୍ଗ ରତ୍ନ ୨୦୦୮

ବାଲ୍ୟବସ୍ଥା ଓ ଶିକ୍ଷା ସମ୍ପାଦନା

ରବି ରାୟ, ୧୯୨୬ ମସିହା ନଭେମ୍ବର ମାସ ୨୬ ତାରିଖରେ, ପୁରୀ ଜିଲ୍ଲାର ଭଁଅରାଗଡ଼ର ରାୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଛାତ୍ରାବସ୍ଥାରୁ ସେ ସ୍ପଷ୍ଟବାଦୀ ଓ ନିର୍ଭୀକ ଥିଲେ । ସେ କଟକର ରେଭେନ୍ସା ମହାବିଦ୍ୟାଳୟରୁ ଇତିହାସ ଓ ମଧୁସୂଦନ ଆଇନ ବିଦ୍ୟାଳୟରୁ ଆଇନରେ ସ୍ନାତକ ଲାଭ କରିଥିଲେ ।

ରାଜନୈତିକ ଜୀବନ ସମ୍ପାଦନା

ରାମମନୋହର ଲୋହିଆଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ, ଛାତ୍ରାବସ୍ଥାରୁ ଛାତ୍ର ରାଜନୀତି ସହିତ ଜଡ଼ିତ ରହିଥିଲେ ଓ ପରବର୍ତ୍ତୀ ସମୟରେ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହୋଇଥିଲେ । ୧୯୪୮ ମସିହାରେ ସେ ସୋସିଆଲିଷ୍ଟ ପାର୍ଟିରେ ଯୋଗଦାନ କରିଥିଲେ । ପରବର୍ତ୍ତୀ ସମୟରେ ସେ ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟି, ଜନତା ଦଳ ଏବଂ ଜନତା ଦଳ(ଏସ) ସହିତ ଜଡ଼ିତ ରହିଆସିଛନ୍ତି ।

ସ୍ୱାଧୀନତା ଆନ୍ଦୋଳନ ସମୟରେ, ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ୱରାଜ କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ସେ ଅହିଂସ ସମାଜବାଦ ତତ୍ତ୍ୱର ପ୍ରବକ୍ତା ସାଜିଥିଲେ ।

ତାଙ୍କ ରାଜନୈତିକ ଜୀବନର ମୂଳଦୁଆ ପଡିଥିଲା ଯେତେବେଳେ ସେ ରେଭେନ୍ସା କଲେଜ ଛାତ୍ର ୟୁନିୟନର ସଭାପତି ରୂପେ ୧୯୪୮-୪୯ ଶିକ୍ଷା ବର୍ଷରେ ନିର୍ବାଚିତ ହୋଇଥିଲେ । ପରେ ପରେ ସେ ମଧୁସୂଦନ ଆଇନ ମହାବିଦ୍ୟାଳୟ ଛତ୍ର ସଂଘର ପ୍ରଥମ ସଭାପତି ଭାବରେ ୧୯୪୯-୫୦ ମସିହାରେ ନିର୍ବାଚିତ ହୋଇଥିଲେ[୨]

୧୯୬୭ ମସିହାରେ ଅନୁଷ୍ଠିତ ହୋଇଥିବା ଚତୁର୍ଥ ଲୋକ ସଭା ନିର୍ବାଚନରେ ସେ ପୁରୀ ଆସନରୁ ବିଜୟୀ ହୋଇଥିଲେ । ସେ ସେତେବେଳେ ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିର ସଦସ୍ୟ ଥିଲେ । ୧୯୭୪ ଏପ୍ରିଲ ମାସରୁ ୧୯୮୦ ମସିହା ଏପ୍ରିଲ ମାସ ପର୍ଯ୍ୟଂତ ସେ ରାଜ୍ୟସଭାରେ ସେ ଲୋକ ଦଳ ତରଫରୁ ସଦସ୍ୟ ହୋଇଥିଲେ[୩]

୧୯୮୯ ମସିହାରେ ସେ କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନବମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ଓ ୧୯୯୧ ମସିହାରେ ସର୍ବସମ୍ମତି କ୍ରମେ ନବମ ଲୋକ ସଭାର ବାଚସ୍ପତି ନିର୍ବାଚିତ ହୋଇଥିଲେ । [୪] ବାଚସ୍ପତି ଭାବରେ, ସେ ନିରପେକ୍ଷତା ଓ ନ୍ୟାୟପରତାର ଉଦାହରଣ ସାଜିଛନ୍ତି । ଦଶମ ଲୋକ ସଭାକୁ ସେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରୁ ପୁନଃ ନିର୍ବାଚିତ ହୋଇଥିଲେ । ୧୯୯୭ ମସିହାରୁ ସେ 'ଲୋକଶକ୍ତି ଅଭିଯାନ' ନାମରେ ଏକ ଅଣରାଜନୈତିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ । ତିବ୍ୱତ ମୁକ୍ତି ଆନ୍ଦୋଳନକୁ ସେ ପୂର୍ଣ ସମର୍ଥନ ଦେଇଆସିଥିଲେ ଓ ଅନେକ ତିବ୍ୱତୀୟ ନେତାଙ୍କର ଅନ୍ତରଙ୍ଗ ସହଯୋଗୀ ହୋଇପାରିଥିଲେ ।

ଲୋକ ସଭା ବାଚସ୍ପତି ସମ୍ପାଦନା

୧୯୮୯ ମସିହାରେ ସେ କେନ୍ଦ୍ରାପଡ଼ାରୁ ଲୋକ ସଭାକୁ ନିର୍ବାଚିତ ହୋଇ, ବାଚସ୍ପତି ପଦବୀ ମଣ୍ଡନ କରିଥିଲେ । ସେ ଲୋକ ସଭାରେ "ଶୂନ୍ୟକାଳ" ବ୍ୟବସ୍ଥା ଆରମ୍ଭ କରିଥିଲେ । ତାଙ୍କରି ସମୟରୁ ଦୂରଦର୍ଶନରେ ଲୋକ ସଭା ଅଧିବେଶନର ସିଧା ପ୍ରସାରଣ ଆରମ୍ଭ ହୋଇଥିଲା । "ଆଣ୍ଟି ଡେଫେକ୍ସନ ଲ" ମାଧ୍ୟମରେ ସେ ଛଅ ଜଣ ସାଂସଦଙ୍କୁ ବହିଷ୍କାର କରିଥିଲେ ।

ସାହିତ୍ୟ ସର୍ଜନା ସମ୍ପାଦନା

ଜଣେ ଲେଖକ, ସ୍ତମ୍ଭକାର ଓ ସମ୍ପାଦକ ଭାବରେ ରବିରାୟଙ୍କର ପରିଚିତି ରହିଛି ।

ରଚିତ ପୁସ୍ତକ ସମ୍ପାଦନା

  • ମାଟିରୁ ଆକାଶ(ଆତ୍ମଜୀବନୀ)[୫]
  • ପାର୍ଲାମେଣ୍ଟାରୀ ଡେମୋକ୍ରେସି(ଇଂରାଜୀ ପୁସ୍ତକ)

ସମ୍ପାଦନା ସମ୍ପାଦନା

  • ଚୌଖମ୍ବା(ହିନ୍ଦୀ ପତ୍ରିକା)
  • ଜନ(ଓଡ଼ିଆ ପତ୍ରିକା)
  • ସମତା(ଓଡ଼ିଆ ପତ୍ରିକା)
  • ଦ ଅଦର ସାଇଡ଼(ଇଂରାଜୀପତ୍ରିକା)

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଉତ୍କଳ ରତ୍ନ
  • କଳିଙ୍ଗ ରତ୍ନ(ସାରଳା ସାହିତ୍ୟ ସଂସଦଦ୍ୱାରା ପ୍ରଦତ୍ତ)
  • ଲାଇଟ ଅଫ ଟ୍ରୁଥ(ଦଲାଇଲାମାଙ୍କଦ୍ୱାରା ପ୍ରଦତ୍ତ)[୬]

ଆଧାର ସମ୍ପାଦନା

  1. "ପ୍ରଫେସର ସରସ୍ୱତୀ ସ୍ୱାଇଁଙ୍କ ପରଲୋକ". No. ଧରିତ୍ରୀ ୧୬/୦୧/୨୦୨୦ ପୃଷ୍ଠା ୫. ଧରିତ୍ରୀ. Retrieved 16 January 2020.
  2. "ଆର୍କାଇଭ୍ କପି". Archived from the original on 2011-07-19. Retrieved 2013-06-04. {{cite web}}: Cite has empty unknown parameter: |1= (help)
  3. "List of Rajya Sabha members from Odisha". Retrieved 6 April 2017. {{cite web}}: |first= missing |last= (help)
  4. Rabi Ray (1991). Parliamentary diplomacy. S. Chand & Co. Retrieved 4 June 2013.
  5. "ଆର୍କାଇଭ୍ କପି". Archived from the original on 2011-07-19. Retrieved 2013-06-04. {{cite web}}: Cite has empty unknown parameter: |1= (help)
  6. "ଆଜି ଜନ୍ମଦିନ". No. ସମ୍ବାଦ ୨୬/୧୧/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. ସମ୍ବାଦ. Retrieved 26 November 2019.

ବାହାର ଆଧାର ସମ୍ପାଦନା