ବୈଶାଖ ମାସ ଶୁକ୍ଳ ପକ୍ଷ ଏକାଦଶୀକୁ ମୋହିନୀ ଏକାଦଶୀ ଭାବେ ପାଳନ କରାଯାଏ ।[୧] ପ୍ରଭୁ ଶ୍ରୀରାମ ଗୁରୁଦେବ ବଶିଷ୍ଠଙ୍କୁ ପଚାରିଲେ-ଗୁରୁଦେବ, ଏମିତି ଏକ ବ୍ରତ କୁହନ୍ତୁ ଯେଉଁଠିରେ ସମସ୍ତ ପାପ ଏବଂ ଦୁଃଖ ଦୂର ହୋଇପାରିବ । ସୀତାଙ୍କ ବିୟୋଗରେ ମୁଁ ବହୁତ ଦୁଃଖ ଭୋଗ କରୁଛି । ଏହା ଶୁଣି ଗୁରୁ ବଶିଷ୍ଠ କହିଲେ ଆପଣ ଉଚିତ୍‌ ପ୍ରଶ୍ନଟିଏ ପଚାରିଛ । ଆପଣଙ୍କ ନାମ ସ୍ମରଣ କରି ମନୁଷ୍ୟ ପବିତ୍ର ଏବଂ ଶୁଦ୍ଧ ହୋଇଯାଇଥାଏ । ଏହା ଲୋକହିତ ପାଇଁ ସବୁଠୁ ଭଲ । ମୋହିନୀ ଏକାଦଶୀ ବ୍ରତ କରିବାଦ୍ୱାରା ମନୁଷ୍ୟର ସମସ୍ତ ପାପ ତଥା ଦୁଃଖ ଦୂର ହୋଇଥାଏ ।

ମୋହିନୀ ଏକାଦଶୀ
ପାଳନକାରୀହିନ୍ଦୁ ଧର୍ମାବଲମ୍ବୀ
ପର୍ବ ପାଳନଉପବାସ, ଦାନ
ତାରିଖବୈଶାଖ ଶୁକ୍ଳ ଏକାଦଶୀ
୨୦୨୩ ତାରିଖdate missing (please add)

କିମ୍ବଦନ୍ତୀ ସମ୍ପାଦନ କରନ୍ତୁ

ଏକଦା ସରସ୍ୱତୀ ନଦୀ ତଟରେ ଭଦ୍ରାବତୀ ନାମକ ନଗରୀରେ ଧୁତିନାମ ନାମକ ଚନ୍ଦ୍ରବଂଶୀ ରାଜା ଶାସନ କରୁଥିଲେ । ଧନସମ୍ପଦରେ ପୂର୍ଣ୍ଣ ଏବଂ ପୁଣ୍ୟବାନ ଧନପାଳ ନାମକ ବୈଶ୍ୟ ଅତ୍ୟନ୍ତ ଧର୍ମାଳୁ ଏବଂ ବିଷ୍ଣୁଭକ୍ତ ଥିଲେ । ସେ ନଗରରେ ଅନେକ ଭୋଜନାଳୟ, କୂପ, ସରୋବର, ଧର୍ମଶାଳା ଆଦି ନିର୍ମାଣ କରିଥିଲେ । ରାସ୍ତାରେ ଆମ୍ବ, ଜାମୁ, ନିମ ଆଦି ଅନେକ ବୃକ୍ଷରୋପଣ କରିଥିଲେ । ତାଙ୍କର ୫ଟି ପୁତ୍ର ଯଥା- ସୁମନ, ସୁଦ୍‌ବୁଦ୍ଧି, ମେଧାବୀ, ସୁକୃତ ଏବଂ ଧୃଷ୍ଟବୃଦ୍ଧି ଥିଲେ । ଏହି ପାଞ୍ଚ ପୁତ୍ର ମଧ୍ୟରୁ ଧୃଷ୍ଟବୃଦ୍ଧି ମହାପାପୀ ଥିଲା । ସେ କାହାରିକୁ ତଥା ନିଜ ପିତୃପୁରୁଷଙ୍କୁ ମଧ୍ୟ ମାନୁନଥିଲା । ସେ ବେଶ୍ୟା, ଦୁରାଚାରୀ ମନୁଷ୍ୟଙ୍କ ସଂସ୍ପର୍ଶରେ ରହି ପଶାପାଲି ଖେଳିବା, ଅନ୍ୟ ନାରୀଙ୍କ ସହ ବିଳାସ କରିବା ତଥା ମଦ୍ୟମାଂସ ସେବନ କରୁଥିଲା । ତା’ର ଏହି କୁକର୍ମ ପାଇଁ ପିତାଙ୍କ ଧନକୁ ନଷ୍ଟ କରିବାକୁ ଲାଗିଲା । ଏହା ଦେଖି ପିତା ଶଙ୍କିତ ହୋଇ ତାଙ୍କୁ ଘରୁ ବିତାଡିତ କରିଦେଲେ । ଘରୁ ବାହାରିବା ପରେ ଧୃଷ୍ଟବୃଦ୍ଧି ନିଜର ଗହଣା ଓ ବସ୍ତ୍ର ବିକ୍ରି କରି ଚଳିବାକୁ ଲାଗିଲା । ଯେବେ ତା’ର ସମସ୍ତ ଧନ ସରିଗଲା, ଦୁରାଚାରୀ ସାଥୀମାନେ ତାକୁ ଏକୁଟିଆ କରି ଛାଡ଼ି ପଳାଇଲେ । ଧୃଷ୍ଟବୃଦ୍ଧି ଭୋକଶୋଷରେ ଦିନ କାଟିବା ସହ ଦୁଃଖରେ ଜୀବନ କାଟିବାକୁ ଲାଗିଲା । ଶେଷରେ ସେ ଚୋରି କରିବାକୁ ଲାଗିଲା । ଚୋରି କରୁଥିବାବେଳେ ସେ ଧରାପଡ଼ିଲା କିନ୍ତୁ ବୈଶ୍ୟଙ୍କ ପୁତ୍ର ବୋଲି ତାକୁ ଲୋକମାନେ ଛାଡ଼ିଦେଲେ । କିନ୍ତୁ ସେ ତା’ର ଚୋରି କାମ ଛାଡ଼ିନଥିଲା । ଯାହାଫଳରେ ସେ ଧରାପଡ଼ି କାରାଗାରାରେ ରହିବ ପାଇଁ ରାଜା ଆଦେଶ ଦେଲେ । ସେ କାରାଗାରରେ ରହି ଜୀବନଯାପନ କରିବାକୁ ଲାଗିଲା । ରାଜା ତାଙ୍କୁ ଶେଷରେ ନଗର ତ୍ୟାଗକରିବାକୁ ପାଇଁ ନିର୍ଦ୍ଦେଶ ଦେଲେ । ସେ ନଗରୀରୁ ପଳାୟନ କରି ବନରେ ରହିବାକୁ ଲାଗିଲା । ବନରେ ସେ ପଶୁପକ୍ଷୀଙ୍କୁ ମାରି ଖାଇବାକୁ ଲାଗିଲା । ଥରେ ସେ ଭୋକରେ ବ୍ୟଥିତ ହୋଇ ଖାଇବା ପାଇଁ ଘୂରିବୁଲିଲା । ଘୂରିଥିବା ବେଳେ କୌଡିନ୍ୟ ଋଷିଙ୍କ ଆଶ୍ରମରେ ପହଞ୍ଚିଲା । ସେହିଦିନ ବୈଶାଖ ମାସଥିଲା । ଋଷି କୌଡିନ୍ୟ ନଦୀରୁ ସ୍ନାନ କରି ଫେରୁଥିବା ବେଳେ ତାଙ୍କ ଓଦାବସ୍ତ୍ରରୁ କିଛି ବୁନ୍ଦା ପାଣି ଧୃଷ୍ଟବୃଦ୍ଧି ଉପରେ ପଡ଼ିଯିବା ଫଳରେ ତା’ମନରେ ସଦ୍‌ବୁଦ୍ଧି ପ୍ରାପ୍ତ ହେଲା । ସେ କୌଡିନ୍ୟ ମୁନିଙ୍କୁ ପ୍ରଣାମ କରି କହିଲା ହେ ମୁନି ! ମୁଁ ମୋ ଜୀବନରେ ଅନେକ ପାପ କରିଛି । ଏହି ପାପରୁ ମୁକ୍ତି ହେବା ପାଇଁ ଉପାୟ କୁହନ୍ତୁ । ଏହା ଶୁଣି ମୁନି କହିଲେ ବୈଶାଖ ଶୁକ୍ଳ ମୋହିନୀ ଏକାଦଶୀ ବ୍ରତ କର, ତୁମର ସମସ୍ତ ପାପ ନଷ୍ଟ ହୋଇଯିବ । ମୁନିଙ୍କବଚନରେ ସେ ବ୍ରତ କଲା । ବ୍ରତ କରିବାଦ୍ୱାରା ତା’ର ସମସ୍ତ ପାପ ଦୂର ହେଲା ଓ ଶେଷରେ ସେ ଗରୁଡ଼ ଉପରେ ବସି ବିଷ୍ଣୁଲୋକକୁ ଗଲେ । ଏହିବ୍ରତଦ୍ୱାରା ମୋହ ଆଦି ସମସ୍ତ ପାପ ନଷ୍ଟ ହୋଇଯାଇଥାଏ । ଏହାର ମହାତ୍ମ୍ୟକୁ ପଠନ କରିବା ଶ୍ରବଣ କରିବାଦ୍ୱାରା ଗୋଟିଏ ହଜାର ଗୋଦାନର ଫଳ ପ୍ରାପ୍ତ ହୋଇଥାଏ ।[୨]

ଆଧାର ସମ୍ପାଦନ କରନ୍ତୁ

  1. "Mohini Ekadashi 2016, Mohini Ekadashi Vrat Timing 2016". Pan India Internet Pvt Ltd. Retrieved 30 April 2016.
  2. ସମୟ, ପୃଷ୍ଠା-୨, ୯.୫.୨୦୧୪