ମୋହନ ସୁନ୍ଦର ଦେବ ଗୋସ୍ୱାମୀ
ମୋହନ ସୁନ୍ଦର ଦେବ ଗୋସ୍ୱାମୀ (୧୮୯୨-୧୯୪୮) ଜଣେ ଓଡ଼ିଆ କବି, ଗାୟକ, ନାଟ୍ୟକାର, କଥାଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ଥିଲେ । ବିଂଶ ଶତାବ୍ଦୀରେ ଉତ୍କଳୀୟ ରାହାସର ସେ ଜଣେ ପ୍ରଧାନ ପ୍ରବର୍ତ୍ତକ ଓ ପ୍ରଚାରକ ଥିଲେ । ନିଜ କବିତ୍ୱ, ମଧୁର କଣ୍ଠ, ଅଭିନୟ ଓ ଶିକ୍ଷାଦ୍ୱାରା ସେ ରାସଦଳ ଗଢ଼ି ରାଧାକୃଷ୍ଣଙ୍କ ଲୀଳା ଅଭିନୀତ କରାଉଥିଲେ । ସେହି ସମୟରେ ଓଡ଼ିଶାର ଗ୍ରାମେ ଗ୍ରାମେ 'ମୋହନ ଗୋସେଇଁ' ନାମରେ ସୁପରିଚିତ ଥିଲେ ।
ମୋହନ ସୁନ୍ଦର ଦେବ ଗୋସ୍ୱାମୀ | |
---|---|
ଜନ୍ମ | ଶ୍ୟାମ ସୁନ୍ଦର ଦେବ ଗୋସ୍ୱାମୀ ୮ ଅଗଷ୍ଟ ୧୮୯୨
|
ମୃତ୍ୟୁ | ୧୧ ଜାନୁଆରୀ ୧୯୪୮ | (ବୟସ ୫୫)
ଅନ୍ୟ ନାମ | "ମୋହନ ଗୋସାଇଁ" |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | କବି, ଓଡ଼ିଶୀ ସଙ୍ଗୀତଜ୍ଞ, ଗାୟକ, ପ୍ରଯୋଜକ, ନିର୍ଦ୍ଦେଶକ |
ଉଲ୍ଲେଖନୀୟ କୃତି | ସୀତା ବିବାହ |
ଶୈଳୀ | ଓଡ଼ିଶୀ ସଙ୍ଗୀତ, ଓଡ଼ିଶୀ କୀର୍ତ୍ତନ |
ବୈବାହିକ-ସାଥୀ | ମୁକୁଳମାଳା |
ପିତାମାତାs |
|
ସମ୍ପର୍କୀୟ |
|
ଏହା ଛଡ଼ା ତାଙ୍କୁ 'ଓଡ଼ିଆ ଚଳଚ୍ଚିତ୍ରର ଜନକ' ବୋଲି ଅଭିହିତ କରାଯାଏ । ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ ତାଙ୍କର ଉଦ୍ୟମରେ ହିଁ ଗଠିତ ହୋଇପାରିଥିଲା ।
ସେ ଓଡ଼ିଶୀ ସଙ୍ଗୀତ ଗାୟନରେ ପ୍ରବୀଣ ଥିଲେ ଓ ତାଙ୍କର ଅନେକ ଗ୍ରାମ୍ଫୋନ ରେକର୍ଡ଼ରେ ସେ ନାନାବିଧ ପ୍ରାଚୀନ ଓଡ଼ିଶୀ ଗୀତ ଗାଇଛନ୍ତି । ଗୋସ୍ୱାମୀ ପୁରୀରେ ରହିଲେ ସୁଦ୍ଧା ତାଙ୍କର ଓଡ଼ିଶା ଓ ବଙ୍ଗାଳ ଉଭୟ ରାଜ୍ୟରେ ଅନେକ ଯଜମାନ ଥିଲେ । ସେ ନିତ୍ୟାନନ୍ଦ ଚୈତନ୍ୟଙ୍କ ସେବାଲୀଳା ଓ କୀର୍ତ୍ତନ ପ୍ରଚାର କରୁଥିଲେ । ତାଙ୍କର ବଂଶଧରମାନଙ୍କ ମଧ୍ୟରୁ ତାଙ୍କ ନାତି ବଟରାଜ ଦେବ ଗୋସ୍ୱାମୀ ଅନ୍ୟତମ ।[୨]
ଜୀବନୀ
ସମ୍ପାଦନା୧୮୯୨ ମସିହା ଅଗଷ୍ଟ ୮ ତାରିଖରେ[୩] ପିତା ହରିଶ୍ଚନ୍ଦ୍ର ଦେବ ଗୋସ୍ୱାମୀ[୨] ଓ ମା ସୁଲକ୍ଷଣା ଦେବୀଙ୍କ କନିଷ୍ଠ ପୁତ୍ର ଭାବେ ମୋହନସୁନ୍ଦର ପୁରୀରେ ଜନ୍ମଗ୍ରହଣ କରିଥିଲେ ।[୪] ଗୋସ୍ୱାମୀ ପରିବାର ପୁରୀର ମରିଚିକୋଟ ଗଳିରେ ବସବାସ କରୁଥିଲେ ।[୨]
ରାହାସ
ସମ୍ପାଦନାଚଳଚ୍ଚିତ୍ର ନିର୍ମାଣରେ ପାଦଦେବା ଆଗରୁ ସେ ରାସ ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ ଓ କଳା ସଂସ୍କୃତିକୁ ପ୍ରଚାର ପ୍ରସାର କରିଥିଲେ । ମୋହନ ଗୋସେଇଁ ବିଂଶ ଶତାବ୍ଦୀ ଓଡ଼ିଶାରେ ରାସର ପ୍ରଧାନ ପ୍ରବର୍ତ୍ତକ ଅଟନ୍ତି । ଏହାଙ୍କ ପୂର୍ବରୁ ତରଳା ରାଜପରିବାରର ଗୋବିନ୍ଦ ଚନ୍ଦ୍ର ଶୂରଦେଓ ରାସର ପ୍ରଚାର ପ୍ରସାର କରିଥିଲେ । ମୋହନ ଗୋସ୍ୱାମୀ ମଧ୍ୟ ଶୂରଦେଓଙ୍କ ଭଳି ଏକ ଭ୍ରାମ୍ୟମାଣ ରାସ ଦଳ ଗଠନ କରିଥିଲେ ।[୫] ମୋହନ ଗୋସ୍ୱାମୀଙ୍କ ରାସଦଳ ଓଡ଼ିଶାରେ ସର୍ବତ୍ର ଜଣାଶୁଣା ଥିଲା । ଏହି ରାସରେ ପ୍ରାଚୀନ କବିମାନଙ୍କ କୃତ ଚଉପଦୀ, ଛାନ୍ଦ, ଜଣାଣ ଇତ୍ୟାଦି ସଙ୍ଗେ ସଙ୍ଗେ ପାରମ୍ପରିକ ଢଙ୍ଗରେ ଲିଖିତ ଆଧୁନିକ ରଚନା ମଧ୍ୟ ପ୍ରୟୋଗ ହେଉଥିଲା । ନିଜେ ମଧ୍ୟ ଅନେକ ଛୋଟ ଛୋଟ ଗୀତ ଲେଖି ଉପଯୁକ୍ତ ସ୍ଥାନଗୁଡ଼ିକରେ ଖଞ୍ଜି ପରିବେଷଣକୁ ଅଧିକ ରସାଳ କରିପାରିଥିଲେ । ସବୁଠାରୁ ଆକର୍ଷଣୀୟ ଥିଲା ରାସ ଆରମ୍ଭ ପୂର୍ବରୁ ମଞ୍ଚ ଉପରେ ଗୋସାଇଁଙ୍କର ରାସତତ୍ତ୍ୱ ପର୍ଯ୍ୟାଲୋଚନା ଏବଂ ଆରମ୍ଭରେ ଅଭିନେତା ବାଳକ ବାଳିକାମାନଙ୍କର ବୃନ୍ଦାବତୀ ଗହଣରେ କୀର୍ତ୍ତନ । ବାବାଜୀ ବେଣୁଧର ଦାସ ମଧ୍ୟ ଗୋସାଇଁଙ୍କର ଶିଷ୍ୟ ଥିଲେ । ସରଳ ଭାଷା, ସୁନ୍ଦର ଉପସ୍ଥାପନା ଶୈଳୀ ଏବଂ ନିଚ୍ଛକ ପାରମ୍ପରିକ ସଙ୍ଗୀତ ପ୍ରୟୋଗ ଯୋଗୁଁ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ରାସ ଓଡ଼ିଶାବାସୀଙ୍କର ବେଶ ଆଦରର ପାତ୍ର ହୋଇପାରିଥିଲା ।
ରଚନାବଳୀ ଓ ସଙ୍ଗୀତ
ସମ୍ପାଦନାମାନଭଞ୍ଜନ, ଶ୍ରୀ ଶ୍ରୀ ବ୍ରଜମାଧୁରୀ, ଶ୍ରୀ ଶ୍ରୀ ବୃନ୍ଦାବନ, ଶ୍ରୀ ଶ୍ରୀ ଗୋବିନ୍ଦ ଲୀଳାମୃତ, ମୋ କାଳିଆ ହାତୀ ପ୍ରଭୃତି ଅନେକ ରାସଗ୍ରନ୍ଥ ରଚନା କରିଥିଲେ । ଏ ସମସ୍ତ ଗ୍ରନ୍ଥ ମଧ୍ୟରେ ମାନଭଞ୍ଜନ ଅଧିକ ଲୋକପ୍ରିୟତା ଲାଭ କରିଥିଲା । ଗୋସାଇଁଙ୍କର ଉଲ୍ଲିଖିତ ରାସଗ୍ରନ୍ଥଗୁଡ଼ିକ ଥିଲା ସଙ୍ଗୀତମୁଖର । ସରଳ, ସର୍ବବୋଧଗମ୍ୟ ଓ ସୁନ୍ଦର ପାରମ୍ପରିକ ଓଡ଼ିଶୀ ରାଗତାଳ ମଣ୍ଡିତ ସଙ୍ଗୀତମାନଙ୍କ ମାଧ୍ୟମରେ ସେ ଦର୍ଶକମାନଙ୍କୁ ମୁଗ୍ଧ କରିପାରୁଥିଲେ ।
ମୋହନ ଗୋସ୍ୱାମୀ ସୁମଧୁର କଣ୍ଠରେ ଗାଇବା ସହ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇବାରେ ପାରଙ୍ଗମ ଥିଲେ । ସେ ନିଜେ ଭାରି ସଙ୍ଗୀତପ୍ରିୟ ଥିଲେ ଓ ନାଟକ ଆଦିରେ ଅଭିନୟ କରୁଥିଲେ । ତାଙ୍କ ଉଦାତ୍ତ କଣ୍ଠସ୍ୱର ଲୋକଙ୍କ ମଧ୍ୟରେ ଭାରି ପରିଚିତ ଥିଲା । ମୋହନ ସୁନ୍ଦର ଦେବ ଗୋସ୍ୱାମୀ ଓଡ଼ିଶୀ ସଙ୍ଗୀତ ଗାୟନରେ ପ୍ରବୀଣ ଥିଲେ ଓ ତାଙ୍କର ଅନେକ ଗ୍ରାମ୍ଫୋନ ରେକର୍ଡ଼ରେ ସେ ନାନାବିଧ ଓଡ଼ିଶୀ ଗୀତଗୁଡ଼ିକ ଗାଇଛନ୍ତି ।
ରେକର୍ଡ଼ କରିଥିବା ଗୀତ
ସମ୍ପାଦନାମୋହନ ଗୋସାଇଁଙ୍କ କଣ୍ଠରେ ରେକର୍ଡ଼ କରାଯାଇଥିବା ଅଧିକାଂଶ ଗୀତ ଗୋପାଳକୃଷ୍ଣ, ଗୌରଚରଣ, ବନମାଳୀ ଆଦି ପୁରାତନ କବିଙ୍କ ରଚିତ ଓଡ଼ିଶୀ ସଙ୍ଗୀତ । ଏଥିରେ ଚଉପଦୀ, ଛାନ୍ଦ, ଭଜନ ଓ ପୁରାତନ ସ୍ୱରରେ ରଚିତ ସମକାଳୀନ ରଚନା ସନ୍ନିବିଷ୍ଟ । ମୋହନ ଗୋସେଇଁଙ୍କ ଗୀତଗୁଡ଼ିକରେ ଅନେକ ବାର ଆକାଶବାଣୀ କଲିକତାରୁ ପ୍ରସାରିତ ହେଉଥିଲା ।
କ୍ରମ | ଗୀତ | କବି | ସମୟ |
---|---|---|---|
1. | "ଦେଖ ବନେ ବନେ ଫୁଲ ଫୁଟିଛି" | ||
2. | "ବନମାଳିଆ ବରଜଧୂଳିଆ ଘନକାଳିଆ" | ଗୋପାଳକୃଷ୍ଣ ପଟ୍ଟନାୟକ | |
3. | "ମନେ ପଡ଼ୁଛି ମା ସେହି ଚନ୍ଦ୍ରମୁଖ" | ଗୋପାଳକୃଷ୍ଣ ପଟ୍ଟନାୟକ | |
4. | "ଦେଲି ସହି କୂଳକୁ ଟେକି ଜଳାଞ୍ଜଳି" | ଗୋପାଳକୃଷ୍ଣ ପଟ୍ଟନାୟକ | |
5. | "ମଝି ଘର କୋଣେ" | ||
6. | "ବ୍ରଜରସିୟା ଆଜି" | ଧରାକୋଟ ନରେଶ | |
7. | "ବେଠି ଖଟି ଖଟି" | ||
8. | "ଚାହାଁରେ କୁଳପତି ମତିହରା" | ||
9. | "ଆଜନମ ସୁଖୀ ପଙ୍କଜମୁଖୀରେ" | ଗୌରଚରଣ ଅଧିକାରୀ | |
10. | "ମଳୟଗିରିର ଚନ୍ଦନ ସୁଗନ୍ଧ ପରାୟେ ୟେ ଘର ବାସୁଛି" | ||
11. | "ବନଫୁଲହାରେ ବନବିହାରୀଙ୍କି ବନବେଶେ ସାଜିଦିଅ ଗୋ" | ||
12. | "ଉଠିଲୁ ଏଡ଼େ ବେଗି କାହିଁକିରେ ଦୁଃଖୀଧନ" | ଗୋପାଳକୃଷ୍ଣ ପଟ୍ଟନାୟକ | |
13. | "ସହି ଅଣ୍ଟିଲା ନାହିଁ କି" | ଗୋପାଳକୃଷ୍ଣ ପଟ୍ଟନାୟକ |
କଥାଚିତ୍ରରେ ଭୂମିକା
ସମ୍ପାଦନାପ୍ରଥମ ଓଡ଼ିଆ କଥାଚିତ୍ର ସୀତା ବିବାହର ସେ ପ୍ରଯୋଜନା ଓ ନିର୍ଦ୍ଦେଶନା[୬] ସହ ବିଶ୍ୱାମିତ୍ର ଚରିତ୍ରରେ ଅଭିନୟ କରିଥିଲେ ।[୭] ଏଥିରେ ଥିବା ୧୪ଟି ଗୀତ ମଧ୍ୟରୁ ୧୨ଟି ସେ ନିଜେ ରଚନା କରିଥିଲେ ।
ଆଧାର
ସମ୍ପାଦନା- ↑ "Activities of the Academy". Odisha Sangeet Natak Akademi. Archived from the original on 24 September 2015. Retrieved 7 August 2015.
- ↑ ୨.୦ ୨.୧ ୨.୨ ଓଡ଼ିଆ ଚଳଚ୍ଚିତ୍ରର ଇତିହାସ, କାର୍ତ୍ତିକ କୁମାର ଘୋଷ । ଓଡ଼ିଶା ବୁକ ଷ୍ଟୋର, ୧୯୮୪ ।
- ↑ Palit, Ashok. "Mohan Sundar Dev Goswami – Doyen of Odia film industry". Bizodisha. Retrieved 7 August 2015.
- ↑ ସିନେ ସମ୍ବାଦ, ଅଗଷ୍ଟ ୧୯୯୭, ପୃଷ୍ଠା-୧୨
- ↑ K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 64–. ISBN 978-1-136-77284-9.
- ↑ "Sita Bibaha Film". incredibleorissa.com. 2012. Archived from the original on 8 November 2012. Retrieved 17 October 2012.
producer and director Mohan Sunder Deb Goswami who made Sita Bibaha
- ↑ Pattanayak, Saswat (2012). "Sita Bibaha, The First Cinema". orissacinema.com. Retrieved 17 October 2012.
acting talents of Mohan Gosein (in role of Biswamitra)
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ