ମାଣ୍ଡିଆଖାଇ ପକ୍ଷୀ

ମାଣ୍ଡିଆଖାଇ ପକ୍ଷୀ ବା ଛୋଟ କାମ ଚଢ଼େଇ (ଇଂରାଜୀ ଭାଷାରେ Common Moorhen, ଜୀବବିଜ୍ଞାନ ନାମ Gallinula chloropus) ରେଲିଡାଏ ପକ୍ଷୀ ପରିବାରର ଏକ ସଦସ୍ୟ ପକ୍ଷୀ । ଇଂରାଜୀ ଭାଷାରେ ଏହି ପକ୍ଷୀକୁ ୱାଟରହେନ୍ (waterhen) ବା ସ୍ୱାମ୍ପ୍ ଚିକେନ୍ (swamp chicken) ବୋଲି ମଧ୍ୟ କୁହାଯିବାର ଦେଖାଯାଏ । ଏହି ପକ୍ଷୀ ପ୍ରାଚୀନ ପୃଥିବୀରେ ସର୍ବତ୍ର ବ୍ୟାପ୍ତ ଥିଲା ।[]

ମାଣ୍ଡିଆଖାଇ ପକ୍ଷୀ
ଛୋଟ କାମ ଚଢ଼େଇ
ଭାରତର ମହାରାଷ୍ଟ୍ର ରାଜ୍ୟର ମନଗାଓଁରୁ ଏକ ମାଣ୍ଡିଆଖାଇ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Gruiformes
Family: Rallidae
Genus: Gallinula
ଜାତି: G. chloropus
ବାଇନୋମିଆଲ ନାମ
Gallinula chloropus
କାର୍ଲ୍ ଲିନାୟସ୍ (୧୭୫୮)
ଉପପ୍ରଜାତି

ପ୍ରାୟ ୫ଟି ଉପପ୍ରଜାତି

ମାଣ୍ଡିଆଖାଇ ପକ୍ଷୀର ଭୌଗୋଳିକ ବ୍ୟାପ୍ତି      ପ୍ରଜନନ କରୁଥିବା      ନିବାସୀ      ପ୍ରଜନନ କରୁନଥିବା      ସମ୍ଭବତଃ ବିଲୁପ୍ତ
Synonyms
  • ଫ୍ୟୁଲିକା କ୍ଲୋରୋପସ୍ (Fulica chloropus) ଲିନାୟସ୍; ୧୭୫୮
  • ଫ୍ୟୁଲିକା ଫୁସ୍କା (Fulica fusca) ଲିନାୟସ୍; ୧୭୬୬

ଜଳୋଦ୍ଭିଦପୂର୍ଣ୍ଣ ସନ୍ତସନ୍ତିଆ ଓ ପଙ୍କମୟ ସ୍ଥାନ, ପୋଖରୀ, ନାଳ (କେନାଲ) ଓ ଅନ୍ୟାନ୍ୟ ଜଳାଶୟ ନିକଟରେ ଏହି ପକ୍ଷୀ ବାସ କରିଥାନ୍ତି । ମେରୁ ଅଞ୍ଚଳ ଓ ବିଭିନ୍ନ କ୍ରାନ୍ତୀୟ ବର୍ଷାରଣ୍ୟରେ ଏହି ପକ୍ଷୀ ବାସ କରିବା ଦେଖାଯାଏ ନାହିଁ । ଅନ୍ୟ ସମସ୍ତ ଅଞ୍ଚଳରେ ରେଲିଡାଏ ପରିବାରର ଏହି ପକ୍ଷୀ ବହୁମାତ୍ରାରେ ପରିଲକ୍ଷିତ ହୋଇଥାନ୍ତି ।

ନବୀନ ପୃଥିବୀର ଅନ୍ୟ ଏକ ସ୍ୱତନ୍ତ୍ର ପ୍ରଜାତିର ପକ୍ଷୀ ସାଧାରଣ ଗାଲିନ୍ୟୁଲ୍ (common gallinule) ମାଣ୍ଡିଆଖାଇ ପକ୍ଷୀ ପ୍ରଜାତିର ନିକଟତମ ବୋଲି ଅନେକ ଗବେଷକ ମତ ପୋଷଣ କରିଛନ୍ତି ।[] ୨୦୧୧ ମସିହାରେ ଆମେରିକୀୟ ପକ୍ଷୀବିଜ୍ଞାନୀ ସଂଘ ଓ ଅନ୍ତର୍ଜାତୀୟ ପକ୍ଷୀବୈଜ୍ଞାନିକ ସମିତି ଏହି ମତ ପ୍ରଥମେ ରଖିଥିଲେ ।[]

ନାମକରଣ

ସମ୍ପାଦନା

ଖ୍ରୀଷ୍ଟାବ୍ଦ ତ୍ରୟୋଦଶ ଶତାବ୍ଦୀରୁ ଇଂରାଜୀ ଶବ୍ଦାବଳୀରେ ମୁର୍-ହେନ୍ ନାମର ପ୍ରଚଳନ ଦେଖିବାକୁ ମିଳେ ।[] ଇଂରାଜୀ ଶବ୍ଦ moor (ମୁର୍) ପ୍ରାଚୀନ ସମୟରେ ସନ୍ତସନ୍ତିଆ ବା ପଙ୍କମୟ ଅଞ୍ଚଳକୁ ବୁଝାଇବା ପାଇଁ ବ୍ୟବହୃତ ହେଉଥିଲା ।[] ଏହି ପକ୍ଷୀ ସମୁଦ୍ର ପତନରୁ ଉଚ୍ଚ ସ୍ଥାନରେ ଥିବା ତୃଣଭୂମି (ଆଧୁନିକ ସମୟରେ ମୁର୍ ବା ମୁର୍‍ଲ୍ୟାଣ୍ଡ୍ ବୋଲାଉଥିବା) ଅଞ୍ଚଳରେ ଦେଖାଯାନ୍ତି ନାହିଁ । ତେଣୁ ପରିବାସ ଦୃଷ୍ଟିରୁ ପୁରାତନ ସମୟର ସାଧାରଣ ପାଣିକୁକୁଡ଼ା (common waterhen) ନାମ ମଧ୍ୟ ଏହି ପକ୍ଷୀ ପାଇଁ ପ୍ରଯୁଜ୍ୟ ଲାଗେ ।

ହୁଟୁମା ପକ୍ଷୀ (ୱାଟର୍‍କକ୍ - watercock) ମାଣ୍ଡିଆଖାଇ ପ୍ରଜାତିର ଅଣ୍ଡିରା ପକ୍ଷୀ ନୁହଁ ବରଂ ଗ୍ୟାଲିକ୍ରେକ୍ସ ସିନେରିଆ (Gallicrex cinerea) ନାମକ ଆଉ ଏକ ସ୍ୱତନ୍ତ୍ର ପକ୍ଷୀ ପ୍ରଜାତି । ରେଲସ୍ ଏକ୍ୱାଟିକସ୍ (Rallus aquaticus) ପ୍ରଜାତିର ପକ୍ଷୀଙ୍କୁ ୱାଟର୍ ରେଲ୍ ବୋଲି କୁହନ୍ତି । ଉଭୟ ପ୍ରଜାତି ମାଣ୍ଡିଆଖାଇ ପକ୍ଷୀଙ୍କ ନିକଟ ସମ୍ପର୍କୀୟ ପ୍ରଜାତି ନୁହଁନ୍ତି ।

ମାଣ୍ଡିଆଖାଇଙ୍କ ଜୀବବିଜ୍ଞାନ ନାମ ଗ୍ୟାଲିନୁଲା କ୍ଲୋରୋପସ୍ ଲାଟିନ୍ ଶବ୍ଦ ଗ୍ୟାଲିନୁଲା (ଯାହା ଛୋଟ କୁକୁଡ଼ା ବା କୁକୁଡ଼ା ଶାବକକୁ ବୁଝାଏ) ଏବଂ ଗ୍ରୀକ୍ ଶବ୍ଦ କ୍ଲୋରୋପସ୍ (ଖ୍ଲୋରୋସ୍ ଅର୍ଥ ଶାଗୁଆ ବା ହଳଦିଆ, ପୌସ୍ ଅର୍ଥ ପାଦ)ର ମିଶ୍ରଣରୁ ସୃଷ୍ଟ ।[]

ବର୍ଣ୍ଣନା

ସମ୍ପାଦନା
 
ମାଣ୍ଡିଆଖାଇ ପକ୍ଷୀର ପାଦ ଆହୁଲା ପରି ପତଳା ମାଂସଦ୍ୱାରା ସଂଯୁକ୍ତ ନୁହଁନ୍ତି

ମାଣ୍ଡିଆଖାଇ ପକ୍ଷୀକୁ ଏହାର ଦେହର ଗାଢ଼ କଳା ରଙ୍ଗ, ଲାଞ୍ଜ ତଳ ପଟର ଧଳା ପର, ହଳଦିଆ ଗୋଡ଼, ମୁହଁ ଓ ଥଣ୍ଟର କିଛି ଅଂଶରେ ଆଚ୍ଛାଦିତ ଲାଲ୍ ଚିହ୍ନରୁ ଏହି ପ୍ରଜାତିର ପକ୍ଷୀଙ୍କୁ ସହଜରେ ଠଉରାଇ ହେବ । କିଶୋରାବସ୍ଥାରେ ଥିବା ପକ୍ଷୀର ରଙ୍ଗ ମାଟିଆ ଓ ସେମାନଙ୍କ ମୁହଁରେ ଲାଲ୍ ଚିହ୍ନଟି ନଥାଏ । ଏହି ଲାଲ୍ ଚିହ୍ନଟି ଥଣ୍ଟ ପାଖରୁ ମୁହଁ ପର୍ଯ୍ୟନ୍ତ ଏକ ମନୁଷ୍ୟ ଆଙ୍ଗୁଠିର ଛାପ ପରି ରହିଥାଏ ।

ମାଣ୍ଡିଆଖାଇ ପକ୍ଷୀ ବିଭିନ୍ନ ପ୍ରକାରର “ଟିଁ – ଟିଁ” ଡାକ ପକାଇ ରାବିଥାଏ ଓ ବିପଦର ଆଶଙ୍କା ଥିଲେ ଉଚ୍ଚ ଧ୍ୱନିରେ ରାବେ ।[] ମଧ୍ୟମରୁ ବୃହଦାକାର ଏକ ମାଣ୍ଡିଆଖାଇ ପକ୍ଷୀ ୩୦-୩୮ ସେଣ୍ଟିମିଟର୍ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ ଓ ଏହାର ସମ୍ପ୍ରସାରିତ ଡେଣାର ଦୈର୍ଘ୍ୟ ପ୍ରାୟ ୫୦-୬୨ ସେଣ୍ଟିମିଟର୍ ପର୍ଯ୍ୟନ୍ତ ହୋଇଥାଏ । ଏହି ପକ୍ଷୀମାନଙ୍କ ଶରୀରର ବସ୍ତୁତ୍ୱ ୧୯୨-୫୦୦ ଗ୍ରାମ୍ ପର୍ଯ୍ୟନ୍ତ ହୋଇଥାଏ ।[][]

ପରିବାସ

ସମ୍ପାଦନା

ସନ୍ତସନ୍ତିଆ ପରିବେଶ, ପଙ୍କ ଓ ଦଳମୟ ହ୍ରଦ ତଥା ସହରର ଉଦ୍ୟାନମାନଙ୍କରେ ଥିବା ଜଳାଶୟ ପରି ସ୍ଥାନରେ ମାଣ୍ଡିଆଖାଇ ପକ୍ଷୀ ବାସ କରେ ଓ ସେଠାରେ ବଂଶ ବିସ୍ତାର ମଧ୍ୟ କରିଥାଏ । ପୂର୍ବ ୟୁରୋପ ପରି କିଛି ସ୍ଥାନରେ ଶୀତ ଦିନମାନଙ୍କରେ ପାଣି ବରଫ ହୋଇଯାଉଥିବାରୁ ସେଠାକାର ମାଣ୍ଡିଆଖାଇ ପକ୍ଷୀମାନେ ଅଧିକ ଉଷ୍ମ ଜଳବାୟୁ ଅଞ୍ଚଳକୁ ପ୍ରବାସ ପାଇଁ ଚାଲିଯାଇଥାନ୍ତି । ଚୀନରେ ୟାଂସିକ୍ୟାଂ ନଦୀରୁ ଦକ୍ଷିଣ ଦିଗକୁ ବାସ କରୁଥିବା ମାଣ୍ଡିଆଖାଇ ପକ୍ଷୀମାନେ ପ୍ରାୟତଃ ନିବାସୀ ପକ୍ଷୀ ହୋଇଥିବା ବେଳେ ନଦୀର ଉତ୍ତର ଦିଗକୁ ବାସ କରୁଥିବା ମାଣ୍ଡିଆଖାଇମାନେ ମୁଖ୍ୟତଃ ଥଣ୍ଡା ଦିନରେ ପ୍ରବାସ କରିବା ପାଇଁ ଯାଇଥାନ୍ତି । ତେଣୁ ୟାଂସିକ୍ୟାଂର ଉତ୍ତରସ୍ଥ ପକ୍ଷୀମାନଙ୍କ ମଧ୍ୟରେ ଜିନ୍-ଗତ ବିବିଧତା ପରିଲକ୍ଷିତ ହୋଇଥାଏ ।[]

ବ୍ୟବହାର ଓ ଚଳଣି

ସମ୍ପାଦନା

ଏହି ପକ୍ଷୀମାନେ ବିଭିନ୍ନ ପ୍ରକାରର ଜଳଜ ଉଦ୍ଭିଦ ଏବଂ କ୍ଷୁଦ୍ର ଜଳଚର ଜୀବଙ୍କୁ ଆହରଣ କରିଥାନ୍ତି । ଜଳାଶୟ ତୀରରେ, ଜଳ ମଧ୍ୟରେ ଓ ଦଳ ଓ ଜଳଜ ଉଦ୍ଭିଦଙ୍କ ପତ୍ର ଉପରେ ବୁଲି ଏମାନେ ଖାଦ୍ୟ ଅନ୍ୱେଷଣ କରୁଥିବା ଦେଖିବାକୁ ମିଳେ । ଏମାନଙ୍କ ସ୍ୱଭାବ ପ୍ରାୟତଃ ଗୋପନୀୟ କିନ୍ତୁ କେତେକ ସ୍ଥାନରେ ଏମାନେ ପାଳିତ ପକ୍ଷୀଙ୍କ ପରି ବ୍ୟବହାର କରିବା ମଧ୍ୟ ଦେଖାଯାଇଛି । ଅନେକ ଅଞ୍ଚଳରେ ମାଣ୍ଡିଆଖାଇଙ୍କ ପରିବାସ କ୍ଷତିଗ୍ରସ୍ତ ହେବା ସତ୍ତ୍ୱେ ଏହି ପ୍ରଜାତି ଲୁପ୍ତ ଯାଇନାହିଁ ଓ ବଂଶବୃଦ୍ଧି କରି ତିଷ୍ଠି ରହିପାରିଛି ।

ପ୍ରଜନନ

ସମ୍ପାଦନା
 
ଜର୍ମାନୀର ୱିସ୍‍ବାଡେନ୍ ସଂଗ୍ରହାଳୟରେ ରଖାଯାଇଥିବା କିଛି ମାଣ୍ଡିଆଖାଇ ଅଣ୍ଡା

ପ୍ରଜନନ ଋତୁରେ ମାଣ୍ଡିଆଖାଇମାନେ ନିଜ ନିଜ କ୍ଷେତ୍ର ବାଛି ତାହାର ନିୟନ୍ତ୍ରଣ କରନ୍ତି । ନିଜ ପ୍ରଜାତି ତଥା ବତକ ଓ ଅନ୍ୟାନ୍ୟ ପ୍ରଜାତିର ପକ୍ଷୀ ମଧ୍ୟ ଏମାନଙ୍କ କ୍ଷେତ୍ର ମଧ୍ୟରେ ବିଚରଣ କରିବା ଦେଖିଲେ ଏମାନେ ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରନ୍ତି । ଭୂମି ଉପରେ ଲଟାବୁଦାରେ ବା ଘଞ୍ଚ ଘାସରେ ଏମାନେ ଟୋକେଇ ପରି ବସାଟିଏ ନିର୍ମାଣ କରିଥାନ୍ତି । ମାଈ ମାଣ୍ଡିଆଖାଇମାନେ ବସନ୍ତ ଋତୁରେ ମଧ୍ୟ-ମାର୍ଚ୍ଚରୁ ନେଇ ମଧ୍ୟ-ମଇ ପର୍ଯ୍ୟନ୍ତ ଉତ୍ତର ଗୋଲାର୍ଦ୍ଧର ଉଷ୍ମ ଅଞ୍ଚଳମାନଙ୍କରେ ଅଣ୍ଡା ଦେଇଥାନ୍ତି । ପ୍ରାରମ୍ଭିକ ଋତୁମାନଙ୍କରେ ମାଈ ପକ୍ଷୀମାନେ ପ୍ରାୟ ୮ଟି ଓ ପରବର୍ତ୍ତୀ ଋତୁମାନଙ୍କରେ ୫-୮ଟି କିମ୍ବା ତାହାଠାରୁ କମ୍ ଅଣ୍ଡା ଦିଅନ୍ତି । ଅଣ୍ଡା ଦେବା ପାଇଁ ବିଭିନ୍ନ ମାଈ ପକ୍ଷୀ ଗୋଟିଏ ବସାକୁ ବ୍ୟବହାର କରିବା ଦେଖାଯାଇଛି । ପ୍ରାୟ ୩ ସପ୍ତାହ ପର୍ଯ୍ୟନ୍ତ ଉଭୟ ଅଣ୍ଡିରା ଓ ମାଈ ପକ୍ଷୀ ଅଣ୍ଡା ଉଷୁମାନ୍ତି ଏବଂ ଅଣ୍ଡା ଫୁଟିବା ପରେ ମିଳିତ ଭାବେ ଶାବକଙ୍କ ଲାଳନପାଳନ ଦାୟିତ୍ୱ ବହନ କରନ୍ତି । ୪୦-୫୦ ଦିନରେ ଶାବକମାନେ ପରିପକ୍ୱ ଓ ସ୍ୱାବଲମ୍ବୀ ହୋଇଥାନ୍ତି ଓ ପରବର୍ତ୍ତୀ ବସନ୍ତ ଋତୁରେ ପ୍ରଜନନ କରିବା ଆରମ୍ଭ କରିଦିଅନ୍ତି । ବିପଦର ଆଶଙ୍କା ହେଲେ ଶାବକ ପକ୍ଷୀମାନେ ପିତାମାତାଙ୍କ ଶରୀରରେ ଲାଗି ରହିଯାନ୍ତି ଓ ପିତାମାତା ଉଡ଼ି ସେମାନଙ୍କୁ ସ୍ଥାନାନ୍ତରିତ କରିଦିଅନ୍ତି ।[][୧୦]

ସଂରକ୍ଷଣ ସ୍ଥିତି ଓ ସଂଖ୍ୟା

ସମ୍ପାଦନା
ଫ୍ରାନ୍ସର କୋର୍ସିକାର ଏକ ମାଣ୍ଡିଆଖାଇ ପକ୍ଷୀ

ବିଶ୍ୱ ସ୍ତରରେ ମାଣ୍ଡିଆଖାଇଙ୍କ ସମସ୍ତ ଉପପ୍ରଜାତିଙ୍କୁ ଦେଖିଲେ କହିହେବ ଯେ ଏମାନଙ୍କ ସଂଖ୍ୟା ଅତି ପ୍ରଚୁର ଏବଂ ଏମାନଙ୍କ ଇଂରାଜୀ ସାଧାରଣ ନାମରେ ବ୍ୟବହୃତ ‘‘କମନ୍’’ (ସାମାନ୍ୟ ବା ସାଧାରଣ) ଶବ୍ଦରୁ ତାହା ସ୍ପଷ୍ଟ । IUCN ସଂସ୍ଥା ନିଜ ତାଲିକାରେ ଏହି ପକ୍ଷୀଙ୍କୁ ‘‘ବିପଦମୁକ୍ତ (LC - Least Concern)’’ ଶ୍ରେଣୀରେ ସ୍ଥାନିତ କରିଛି ।[] ଅଳ୍ପସଂଖ୍ୟକ ପକ୍ଷୀଥିବା ଅଞ୍ଚଳର ପକ୍ଷୀ ବିଲୁପ୍ତ ହେବାର ସମ୍ଭାବନାକୁ ଏଡ଼ାଇ ଯାଇନପାରେ । ପଲାଓ ଗଣରାଜ୍ୟରେ ଦେଖାଯାଉଥିବା ଗ୍ୟାଲିନୁଲା କ୍ଲୋରୋପସ୍ ଓରିଏଣ୍ଟାଲିସ୍ ଉପପ୍ରଜାତିକୁ ସ୍ଥାନୀୟ ଭାଷାରେ ଦେବାର୍ ବୋଲି କୁହାଯାଏ ଯାହା ବତକ ବା ପାଣିକୁକୁଡ଼ା ବୋଲି ବୁଝାଇଥାଏ । ସ୍ଥାନୀୟ ଲୋକଙ୍କ ଅବାଧ ଶିକାର ଯୋଗୁଁ ଏହି ପକ୍ଷୀ ବର୍ତ୍ତମାନ ଅତି ବିରଳ । ବର୍ତ୍ତମାନ ଏଠାକାର ଦ୍ୱୀପସମୂହରେ ଅଙ୍ଗୌର ଓ ପେଲେଲ୍ୟୁ ଅଞ୍ଚଳରେ ଏହି ପକ୍ଷୀ ଦେଖିବାକୁ ମିଳୁଥିବା ବେଳେ କୋରୋର୍ ଅଞ୍ଚଳରୁ ଏହି ପକ୍ଷୀ ସମ୍ପୂର୍ଣ୍ଣ ବିଲୁପ୍ତ । ବାବେଲ୍‍ଡାଓବ୍‍ର ଙ୍ଗାର୍ଡୋକ୍ ହ୍ରଦରେ କିଛି ଭାରତ-ପ୍ରଶାନ୍ତୀୟ ମାଣ୍ଡିଆଖାଇ ପକ୍ଷୀଙ୍କୁ ଦେଖାଯାଇଛି । କିନ୍ତୁ ସମ୍ପୂର୍ଣ୍ଣ ପଲାଓ ଅଞ୍ଚଳର ସମୁଦାୟ ପକ୍ଷୀ ସଂଖ୍ୟା ୧୦୦ରୁ କମ୍ ହେବ ବୋଲି ଅନୁମାନ କରାଯାଇଛି ।[୧୧]

ମାଣ୍ଡିଆଖାଇ ଓ ୟୁରେସୀୟ ଜୁଇକଇମ ପକ୍ଷୀଙ୍କ ଶରୀରରୁ ମିଳିଥିବା ପରଜୀବୀଙ୍କ ନିରୀକ୍ଷଣ କରି ସର୍ବପ୍ରଥମେ ସାଇକ୍ଲୋକୋଲମ୍ ମ୍ୟୁଟେବାଇଲ୍ (Cyclocoelum mutabile) ନାମକ ସାଇକ୍ଲୋକୋଲିଡାଏ ଫିତାକୃମିର ବିବରଣୀ ଲେଖାଯାଇଥିଲା ।[୧୨] ମାଣ୍ଡିଆଖାଇ ଶରୀରରୁ ଡେସିପ୍ସିଲସ୍ ଗ୍ୟାଲିନୁଲେ ନାମକ ଆଉ ଏକ ପରଜୀବୀର ସନ୍ଧାନ ମଧ୍ୟ ମିଳିଛି ।[୧୩]

ଉପପ୍ରଜାତି

ସମ୍ପାଦନା

ମାଣ୍ଡିଆଖାଇର ୫ ଗୋଟି ଉପପ୍ରଜାତି ବର୍ଣ୍ଣିତ ହୋଇଛି; ଅନ୍ୟ କିଛି ପକ୍ଷୀଙ୍କୁ ବିଭିନ୍ନ ଉପପ୍ରଜାତିର ସମାର୍ଥବାଚୀ ପକ୍ଷୀ ଭାବେ ବିବେଚନା କରାଯାଉଛି । ଏହି ସମସ୍ତ ଉପପ୍ରଜାତି ମଧ୍ୟରେ ରହିଥିବା ପାର୍ଥକ୍ୟ ଅତି ସୂକ୍ଷ୍ମ ହୋଇଥିବାରୁ ଏମାନଙ୍କୁ ସହଜରେ ପରସ୍ପରଠାରୁ ଅଲଗା ବୋଲି ବାରିବା କଷ୍ଟକର । ଯଦିଓ ପକ୍ଷୀଙ୍କ ଭୌଗୋଳିକ ଉପସ୍ଥିତିକୁ ଏମାନଙ୍କ ବିଭକ୍ତିକରଣର ଏକ କାରକ ବୋଲି ଧରାଯାଏ, ତଥାପି ଦେଶାନ୍ତର ବା ପ୍ରବାସ ବ୍ୟବହାର ଯୋଗୁଁ ଏହାକୁ ଏକ ପ୍ରକୃଷ୍ଟ କାରକ ବୋଲି କହିବା ଗ୍ରହଣୀୟ ହୋଇନପାରେ । ନିମ୍ନୋକ୍ତ ଉପପ୍ରଜାତିଙ୍କ ବ୍ୟତୀତ ପ୍ରାରମ୍ଭିକ ପ୍ଲାଇଷ୍ଟୋସିନ୍ ଯୁଗରୁ ତୁର୍କୀର ଦୁର୍ସୁନ୍‍ଲୁରେ ଏକ ମାଣ୍ଡିଆଖାଇ ପକ୍ଷୀ ପ୍ରଜାତି ରହିଆସିଥିବା ବିଷୟ ଉଲ୍ଲିଖିତ ଅଛି ।[୧୪][୧୫][୧୬]

ବର୍ଣ୍ଣନାର କାଳ ଅନୁଯାୟୀ ବିଭିନ୍ନ ମାଣ୍ଡିଆଖାଇ ଉପପ୍ରଜାତିଙ୍କ ତାଲିକା
ନାମ ବର୍ଣ୍ଣନା ଭୌଗୋଳିକ ବ୍ୟାପ୍ତି
ୟୁରେସୀୟ ମାଣ୍ଡିଆଖାଇ
ଗ୍ୟାଲିନୁଲା କ୍ଲୋରୋପସ୍ କ୍ଲୋରୋପସ୍ (ଲିନାୟସ୍, ୧୭୫୮)
 
ଡେଣା ଓ ପୃଷ୍ଠର ରଙ୍ଗ କଳା-ଅଲିଭ୍ ପରି ଉତ୍ତର-ପୂର୍ବ ୟୁରୋପରୁ ଉତ୍ତର ଆଫ୍ରିକା ଓ ପୂର୍ବକୁ କେନ୍ଦ୍ରୀୟ ସାଇବେରିଆ ପର୍ଯ୍ୟନ୍ତ, ଭାରତୀୟ ଉପମହାଦେଶର ଆର୍ଦ୍ର ଅଞ୍ଚଳରୁ ଦକ୍ଷିଣ-ପୂର୍ବ ଏସିଆ ଓ ପୂର୍ବକୁ ଜାପାନ ପର୍ଯ୍ୟନ୍ତ, କ୍ୟାନେରୀ ଦ୍ୱୀପ, ଆଜୋର୍ସ, ମ୍ୟାଡେରିଆ ଓ ଭର୍ଡେ ଉପଦ୍ୱୀପ ଅଞ୍ଚଳ
ଭାରତ-ପ୍ରଶାନ୍ତୀୟ ମାଣ୍ଡିଆଖାଇ
ଗ୍ୟାଲିନୁଲା କ୍ଲୋରୋପସ୍ ଓରିଏଣ୍ଟାଲିସ୍ (ଥୋମାସ୍ ହୋର୍ସଫିଲ୍‍ଡ୍, ୧୮୨୧)
ଅପେକ୍ଷାକୃତ କ୍ଷୁଦ୍ର, ଡେଣାର ଉପରିଭାଗ ସିଲଟ ପରି ପାଉଁଶିଆ, ମୁହଁର ନାଲି ରଙ୍ଗ ସାମାନ୍ୟ ବଡ଼ ଶେଶେଲ୍ସ, ଆଣ୍ଡାମାନ ଦ୍ୱୀପପୁଞ୍ଜ, ଦକ୍ଷିଣ ମାଲେସିଆରୁ ଇଣ୍ଡୋନେସିଆ ପର୍ଯ୍ୟନ୍ତ, ଫିଲିପାଇନ୍ସ, ପଲାଓ ଗଣରାଜ୍ୟରେ ବ୍ୟାପ୍ତ । ୧୯୮୦ ଦଶନ୍ଧିରୁ ମାଇକ୍ରୋନେସିଆର ୟାପରେ ରହିଆସିଥିବା ପକ୍ଷୀ ସମ୍ଭବତଃ ଏହି ଉପପ୍ରଜାତି ଓ ବିରଳ ଗୁଆମି ଉପପ୍ରଜାତିର ଅଂଶବିଶେଷ ।[୧୭][୧୮]
ପକ୍ଷୀ ସଂଖ୍ୟା: ୨୦୦୦ ଦଶନ୍ଧି ବେଳକୁ ମାତ୍ର କିଛି ଶହ,[୧୧] ଓ ୟାପ୍ ଅଞ୍ଚଳରେ ୧୦୦ରୁ ମଧ୍ୟ କମ୍[୧୭][୧୮]
ଆଫ୍ରିକୀୟ ମାଣ୍ଡିଆଖାଇ
ଗ୍ୟାଲିନୁଲା କ୍ଲୋରୋପସ୍ ମେରିଡିଓନାଲିସ୍ (ଖ୍ରୀଷ୍ଟିୟାନ୍ ଲୁଡ୍ୱିଗ୍ ବ୍ରେଃମ୍, ୧୮୩୧)
 
ଓରିଏଣ୍ଟାଲିସ୍ ଉପପ୍ରଜାତି ପରି କିନ୍ତୁ ମୁହଁର ଲାଲ୍ ଦାଗ ଅପେକ୍ଷାକୃତ କମ୍ ଆଫ୍ରିକାର ଉପ-ସାହାରା ଓ ସେଣ୍ଟ୍ ହେଲେନା ଅଞ୍ଚଳରେ ପରିଲକ୍ଷିତ
ମାଡାଗାସ୍କାର୍ ମାଣ୍ଡିଆଖାଇ
ଗ୍ୟାଲିନୁଲା କ୍ଲୋରୋପସ୍ ପାୟେରିଆ (ଆଲଫ୍ରେଡ୍ ନ୍ୟୁଟନ୍, ୧୮୬୧)
 
ମେରିଡିଓନାଲିସ୍ ପରି କିନ୍ତୁ ଲାଞ୍ଜର ତଳ ପଟଟି ବାଲି ପରି ରଙ୍ଗର ମାଡାଗାସ୍କାର, ରିୟୁନିୟନ୍, ମୌରିସିୟସ୍ ଓ କୋମୋରୋସ୍ ଦ୍ୱୀପରେ ପରିଲକ୍ଷିତ
ମାରିଆନା ମାଣ୍ଡିଆଖାଇ
ଗ୍ୟାଲିନୁଲା କ୍ଲୋରୋପସ୍ ଗୁଆମି (ଅର୍ଣ୍ଣଷ୍ଟ୍ ହାର୍ଟର୍ଟ୍, ୧୯୧୭)
ଦେହର ରଙ୍ଗ ଗାଢ଼ କଳା ଉତ୍ତର ମାରିଆନା ଦ୍ୱୀପ
ଆନୁମାନିକ ପକ୍ଷୀ ସଂଖ୍ୟା: ୩୦୦ (୨୦୦୧ ମସିହାର ଗଣନାନୁଯାୟୀ)[୧୯]

ଚିତ୍ର ଗ୍ୟାଲେରି

ସମ୍ପାଦନା
  1. ୧.୦ ୧.୧ BirdLife International (2014). "Gallinula chloropus". Retrieved 7 June 2015. {{cite journal}}: Cite journal requires |journal= (help)
  2. ୨.୦ ୨.୧ "Common Moorhen (Gallinula chloropus) Linnaeus, 1758". Avibase. Retrieved 1 November 2013.
  3. Chesser, R. Terry; Banks, Richard C.; Barker, F. Keith; Cicero, Carla; Dunn, Jon L.; Kratter, Andrew W.; Lovette, Irby J.; Rasmussen, Pamela C.; Remsen, J. V.; Rising, James D.; Stotz, Douglas F.; Winker, Kevin (2011). "Fifty-second supplement to the American Ornithologists' Union Check-List of North American Birds". Auk. 128 (3): 600–613. doi:10.1525/auk.2011.128.3.600. S2CID 13691956.
  4. ୪.୦ ୪.୧ Lockwood, W.B. (1993). The Oxford Dictionary of British Bird Names. Oxford University Press. ISBN 978-0-19-866196-2.
  5. Jobling, James A (2010). The Helm Dictionary of Scientific Bird Names. London: Christopher Helm. pp. 103, 170. ISBN 978-1-4081-2501-4.
  6. ୬.୦ ୬.୧ Snow, David W.; Perrins, Christopher M.; Doherty, Paul; Cramp, Stanley (1998). The Complete Birds of the Western Palaearctic on CD-ROM. Oxford University Press. ISBN 0-19-268579-1.
  7. ମାଣ୍ଡିଆଖାଇ ପକ୍ଷୀ media at ARKive Retrieved 25 February 2013.
  8. ଛାଞ୍ଚ:Cite AllAboutBirds
  9. Ruan, L.; Xu, W.; Han, Y.; Zhu, C.; Guan, B.; Xu, C.; Goa, B.; Zhao, D. (2018). "Gene flow from multiple sources maintains high genetic diversity and stable population history of Common Moorhen Gallinula chloropus in China". Ibis. 160 (4): 855–869. doi:10.1111/ibi.12579.
  10. Mann, Clive F. (1991). "Sunda Frogmouth Batrachostomus cornutus carrying its young" (PDF). Forktail. 6: 77–78. Archived from the original (PDF) on 2016-03-04. Retrieved 2015-06-08.
  11. ୧୧.୦ ୧୧.୧ VanderWerf, Eric A.; Wiles, Gary J.; Marshall, Ann P.; Knecht, Melia (2006). "Observations of migrants and other birds in Palau, April–May 2005, including the first Micronesian record of a Richard's Pipit". Micronesica. 39 (1): 11–29.
  12. Dronen, Norman O.; Gardner, Scott L.; Jiménez, F. Agustín (2006). "Selfcoelum limnodromi n. gen., n. sp. (Digenea: Cyclocoelidae: Cyclocoelinae) from the long-billed dowitcher, Limnodromus scolopaceus (Charadriiformes: Scolopacidae) from Oklahoma, U.S.A" (PDF). Zootaxa. 1131: 49–58. doi:10.11646/zootaxa.1131.1.3.
  13. Rothschild, Miriam; Clay, Theresa (1953). Fleas, Flukes and Cuckoos. A study of bird parasites. London: Collins. p. 113.
  14. McCoy, John J. (1963). "The fossil avifauna of Itchtucknee (sic) River, Florida" (PDF). Auk. 80 (3): 335–351. doi:10.2307/4082892. JSTOR 4082892. Archived from the original (PDF) on 2023-04-17. Retrieved 2021-03-21.
  15. Olson, Storrs L. (1974). "The Pleistocene Rails of North America" (PDF). Condor. 76 (2): 169–175. doi:10.2307/1366727. JSTOR 1366727.
  16. Louchart, Antoine; Mourer-Chauviré, Cécile; Guleç, Erksin; Howell, Francis Clark; White, Tim D. (1998). "L'avifaune de Dursunlu, Turquie, Pléistocène inférieur: climat, environnement et biogéographie" [The avifauna of Dursunlu, Turkey, Lower Pleistocene: climate, environment and biogeography]. Comptes Rendus de l'Académie des Sciences, Série IIA (in ଫରାସୀ). 327 (5): 341–346. Bibcode:1998CRASE.327..341L. doi:10.1016/S1251-8050(98)80053-0.
  17. ୧୭.୦ ୧୭.୧ Wiles, Gary J.; Worthington, David J.; Beck, Robert E. Jr.; Pratt, H. Douglas; Aguon, Celestino F.; Pyle, Robert L. (2000). "Noteworthy Bird Records for Micronesia, with a Summary of Raptor Sightings in the Mariana Islands, 1988–1999". Micronesica. 32 (2): 257–284.
  18. ୧୮.୦ ୧୮.୧ Wiles, Gary J.; Johnson, Nathan C.; de Cruz, Justine B.; Dutson, Guy; Camacho, Vicente A.; Kepler, Angela Kay; Vice, Daniel S.; Garrett, Kimball L.; Kessler, Curt C.; Pratt, H. Douglas (2004). "New and Noteworthy Bird Records for Micronesia, 1986–2003". Micronesica. 37 (1): 69–96.
  19. Takano, Leilani L.; Haig, Susan M. (2004). "Distribution and Abundance of the Mariana Subspecies of the Common Moorhen". Waterbirds. 27 (2): 245–250. doi:10.1675/1524-4695(2004)027[0245:DAAOTM]2.0.CO;2.

ଅନ୍ୟାନ୍ୟ ଲିଂକ୍

ସମ୍ପାଦନା