ଭୁବନେଶ୍ୱର ମହାପାତ୍ର
ଭୁବନେଶ୍ୱର ମହାପାତ୍ର, ଓଡ଼ିଶାର ଜଣେ ଜଣାଶୁଣା ନାଟ୍ୟକାର । ମଞ୍ଚ ଓ ବେତାର ମାଧ୍ୟମରେ, ତାଙ୍କ ରଚିତ ବହୁ ସାମାଜିକ, ଐତିହାସିକ ଓ ରହସ୍ୟଧର୍ମୀ ନାଟକ ପରିବେଷିତ ହୋଇ ଲୋକପ୍ରିୟତା ଲାଭ କରିଛି ।
ଭୁବନେଶ୍ୱର ମହାପାତ୍ର | |
---|---|
ଜନ୍ମ | ଭୁବନେଶ୍ୱର ମହାପାତ୍ର ୨୫ ଅଗଷ୍ଟ ୧୯୨୫ ବୀରନରସିଂହପୁର, ପୁରୀ ଜିଲ୍ଲା |
ମୃତ୍ୟୁ | ୧୮ ଡିସେମ୍ବର ୨୦୦୮ | (ବୟସ ୮୩)
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ପ୍ୟାରିମୋହନ ଏକାଡେମୀ, |
ପ୍ରସିଦ୍ଧି | ନାଟ୍ୟକାର |
ପିତାମାତା(s) | ନରସିଂହ ମହାପାତ୍ର, ଲକ୍ଷ୍ମୀ ଦେବୀ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ |
ବାଲ୍ୟଜୀବନ ଓ ଶିକ୍ଷା
ସମ୍ପାଦନାଭୁବନେଶ୍ୱର ମହାପାତ୍ର, ୧୯୨୫ ଅଗଷ୍ଟ ୨୫ତାରିଖରେ ପୁରୀ ଜିଲ୍ଲାର ବୀରନରସିଂହପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ନରସିଂହ ମହାପାତ୍ର ଓ ମାତାଙ୍କ ନାମ ଲକ୍ଷ୍ମୀ ଦେବୀ ଥିଲା । ପିତା ନରସିଂହ ଶିକ୍ଷକତା ବୃତ୍ତିରେ ଥିଲେ ଓ କଟକର ପ୍ୟାରିମୋହନ ଏକାଡେମୀରେ ବହୁ ବର୍ଷ ଧରି ଶିକ୍ଷକତା କରିଥିଲେ । ଭୁବନେଶ୍ୱର, ନିଜ ଗାଁରେ ଥିବା ଭାର୍ଗବୀ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ ଓ ପ୍ୟାରିମୋହନ ଏକାଡେମୀରୁ ମାଟ୍ରିକ ପାସ କରିଥିଲେ । ପିଲାଦିନରୁ, ସେ ନାଟକ ପ୍ରତି ଆକର୍ଷିତ ଥିଲେ । ଥରେ ସେ, ନିଜ ଭଉଣୀର ବାକ୍ସରୁ ବଟଫଳ ଚୋରୀ କରି, ଯାତ୍ରା ଅଭିନେତ୍ରୀଙ୍କୁ ମେଡାଲ କରି ପିନ୍ଧାଇ ସମ୍ମାନୀତ କରିଥିଲେ ।
ନାଟ୍ୟକାର ଜୀବନ
ସମ୍ପାଦନା"ତୁଠ ପଥର" ନାଟକ ଥିଲା ଭୁବନେଶ୍ୱରଙ୍କ ପ୍ରଥମ ମଞ୍ଚସ୍ଥ ନାଟକ । ଏହି ନାଟକଟି ଖୁବ ସଫଳ ହୋଇଥିଲା ଓ ଓଡ଼ିଆ ନାଟକ ଇତିହାସରେ ଏକ ସ୍ୱତନ୍ତ୍ର ପୃଷ୍ଠା ଯୋଡିଥିଲା । ତାଙ୍କ ନାଟ୍ୟପ୍ରତିଭା ଏପରି ପ୍ରଖର ଥିଲା ଯେ, ସମକାଳୀନ ନାଟ୍ୟକାର ଭଂଜକିଶୋର ପଟ୍ଟନାୟକଙ୍କ ନାଟକ "ତୋଫାନ" ଦେଖିବା ପରେ, ଭଂଜକିଶୋରଙ୍କ ଅନୁରୋଧରେ ବିଷୟବସ୍ତୁର ସମକ୍ରମରେ ଅନ୍ୟ ଏକ ନାଟକ "ତୋଫାନ ପରେ" ରଚନା କରିଥିଲେ । ପ୍ରଭେଦ ଥିଲା, "ତୋଫାନ"ରେ ଚରିତ୍ର ଚୂଡାମଣି ଛନ୍ନଛଡା ଥିଲା ଓ "ତୋଫାନ ପରେ"ରେ ସେ ଏକ ସଂସାରୀ ଚରିତ୍ରରେ ଦେଖାଯାଇଥିଲା । ସମକ୍ରମ ଅନୁସରଣ ନାଟକର ଏହି ପରମ୍ପରା ବୋଧହୁଏ ଭାରତର ଅନ୍ୟ କେଉଁ ସାହିତ୍ୟରେ ଏହା ପୂର୍ବରୁ ସମ୍ଭବ ହୋଇନଥିଲା । ଭୁବନେଶ୍ୱରଙ୍କ ନାଟକରେ ଚମତ୍କାର କାହାଣୀ ଓ ମଞ୍ଚ ସହିତ ନୃତ୍ୟ ସଙ୍ଗୀତର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳୁଥିଲା । ତାଙ୍କ ରଚିତ ନାଟକ "ବାହୁଡା ବିଜେ"ରୁ ଦୁଃଖୀରାମ ସ୍ୱାଇଁ ଖଳନାୟକ ଭୂମିକାରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେହି ନାଟକରେ ନାୟିକାର ବଢନ୍ତା ନଈକୁ ଡେଇଁବା ଦୃଶ୍ୟ ହେଉ ଅବା "ବାଡୁଅ ଝିଅ" ନାଟକର ନାୟିକାର ଟ୍ରେନ ଆଗରେ ଠିଆ ହୋଇ ଆତ୍ମହତ୍ୟା କରିବାର ଦୃଶ୍ୟ ହେଉ, ଦର୍ଶକମାନଙ୍କ ମନରେ ଅଦ୍ଭୁତ ଚାଞ୍ଚଲ୍ୟ ଖେଳାଇ ଦେଉଥିଲା । ୧୯୫୮ରେ ଆକାଶବାଣୀ କଟକ କେନ୍ଦ୍ର ପ୍ରତିଷ୍ଠା ହେବା ପରେ, ଭୁବନେଶ୍ୱର ଆକାଶବାଣୀ ପାଇଁ ମଧ୍ୟ ବହୁ ନାଟକ ରଚନା କରିଥିଲେ । ଓଡ଼ିଆ କଥାଚିତ୍ର ସିନ୍ଦୂର ବିନ୍ଦୁ ତାଙ୍କରି କାହାଣୀ ଆଧାରରେ ନିର୍ମିତ ହୋଇଥିଲା ।
ରଚିତ ନାଟକ
ସମ୍ପାଦନାମଞ୍ଚରେ ପରିବେଷିତ
ସମ୍ପାଦନା- ତୋଫାନ ପରେ - ୧୯୫୮
- ତୁଠ ପଥର - ୧୯୫୮
- କିଏ କାହାର - ୧୯୫୮
- କାଚ କାଞ୍ଚନ - ୧୯୫୯
- ଜମାନବନ୍ଦୀ - ୧୯୬୧
- ବାଟବରଣ - ୧୯୬୩
- ମୋତିମହଲ - ୧୯୬୩
- ବାହୁଡା ବିଜେ - ୧୯୬୪
- ବାଡୁଅ ଝିଅ - ୧୯୬୪
- ବାଧା ବନ୍ଧନ - ୧୯୬୪
- ସେଇ ଦିନ ସେଇ ରାତି - ୧୯୬୫
- ଅପରାଜିତା - ୧୯୬୫
- ଅପବାଦ - ୧୯୬୫
- ଦେଖିଲେ ଜାଣିବେ - ୧୯୬୮
- ପରୀକ୍ଷା - ୧୯୭୦
- କିଛି ବୁଝିଲେ - ୧୯୭୪
- ମନ ଦେଉଳ - ୧୯୭୫
- ମୋ ଘର ନାଟକ - ୧୯୭୬
- ଅନାଟକ - ୧୯୭୮
- ଅସ୍ତ ଚନ୍ଦ୍ରମା
- ଘର ଘରଣୀ
- ସାଉଁଟା ଫୁଲ
- ଗୋଟିଏ ରାତି
- କଥାଟି ସତ
- ନାଁ ଦେବେ ଆପଣ
- ସୁନା ଶିକୁଳି
- ଦିନଟି ଥିଲା ରବିବାର
- ଗୋଲକ ଧନ୍ଦା
- ରାଜ ମୁକୁଟ
ଆକାଶବାଣୀରେ ପରିବେଷିତ
ସମ୍ପାଦନା- ଲକ୍ଷ୍ମଣ ପରା ଭାଇ
- ଏ ଘର ମାଉସୀ ସେ ଘର ପିଉସୀ
- ସେମାନେ ଓ ଆମେ
- ବଧୂବରଣ
- ପବିତ୍ର ପାପୀ
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ
- ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ - ୨୦୦୪[୧]
୨୦୦୮ ମସିହା ଡିସେମ୍ବର ୧୮ତାରିଖ ଦିନ, ଭୁବନେଶ୍ୱର ମହାପାତ୍ର ଇହଲିଳା ସମ୍ବରଣ କରିଥିଲେ । [୨]
ଆଧାର
ସମ୍ପାଦନା- ↑ http://www.orissadiary.com/CurrentNews.asp?id=28867[permanent dead link]
- ↑ ପ୍ରମେୟ ୦୧/୦୨/୨୦୧୫ ପୃଷ୍ଠା ୯ରେ ପ୍ରକାଶିତ ଲେଖା "ସୁବର୍ଣ୍ଣଯୁଗର ନାଟ୍ୟକାର ଭୁବନେଶ୍ୱର ମହାପାତ୍ର"