Bijayakm
ବିଜୟ କୁମାର ମହାନ୍ତି, ପେଶାରେ ସାମ୍ବାଦିକ । ପ୍ରବୃତ୍ତିରେ ଲେଖକ । ଜନ୍ମ କଟକ ଜିଲା ନିଆଳି ଥାନା ଅନ୍ତର୍ଗତ କସର୍ଦା ଗ୍ରାମରେ । ବାପା -ବଟକୃଷ୍ଣ ମହାନ୍ତି । ମାଆ ତନୁଲତା ମହାନ୍ତି । ପାଠପଢ଼ା ଲକ୍ଷ୍ମୀନାରାୟଣ ବିଦ୍ୟାପୀଠ ,କସର୍ଦାରେ । କଲେଜ ପଢା ରାଜଧାନୀ କଲେଜ,ଭୁବନେଶ୍ୱରରେ । ଏକ ଚାଷୀ ପରିବାରରେ ସଂଘର୍ଷ ଭିତରୁ ଆରମ୍ଭ ହୋଇଛି ଜୀବନ । ଜେଜେଙ୍କ ଆଦର୍ଶ କାମକୁ ଭଲପାଇବାକୁ ସେ ବ୍ରତ ଭାବେ ଗ୍ରହଣ କରିନେଇଛନ୍ତି । କଲେଜ ପଢାବେଳୁ ଲେଖାଲେଖି ଆରମ୍ଭ କରିଥିଲେ । ସେତେବେଳେ ବାଦାମ ଚାଷ ହେଉଥାଏ । ବିଜୟ ବାପାଙ୍କ କଥାରେ ବାଦାମ ଜଗିବାକୁ ଯାଇ କୁଡିଆରେ ବସି କବିତା ଲେଖୁଥିଲେ । ବାପାଙ୍କୁ କିନ୍ତୁ ଭାରି ଡର । ବାପା ଆସିଲେ ସେସବୁ ଲୁଚାଇ ଦେଉଥିଲେ । କିନ୍ତୁ କଥା ଲୁଚି ରହିଲାନି,ଯେତେବେଳେ ବିଭିନ୍ନ ପତ୍ରପତ୍ରିକାରେ ତାଙ୍କ ଲେଖା ପ୍ରକାଶ ପାଇଲା । ବହୁ ବଡବଡ ସାହିତ୍ୟିକ ଓ ପତ୍ରପତ୍ରିକା ସଂପାଦକଙ୍କ ଚିଠି ପହଞ୍ଚିଲା । ଏସବୁ ଖୁବ ପ୍ରେରଣା ଦେଉଥିଲା ଏହି ଯୁବ ଲେଖକଙ୍କୁ । ଏହାପରେ ଆଉ ଲେଖାଲେଖି ଅଟକିନି । ପରେ ଗଣମାଧ୍ୟମରେ ସାମ୍ବାଦିକତାର ବୃତ୍ତି ଏହି ସୃଜନଶୀଳତାକୁ ଅଧିକ ପ୍ରସାରିତ କରିଛି । ଲେଖକଙ୍କ ପୁସ୍ତକ ଗୁଡିକ ହେଲା:
- ଓଡ଼ିଆ ସଂସ୍କୃତି କୋଷ
- ମୋ ମାଟି ମୋ ସଂସ୍କୃତି
- ଓଡ଼ିଶାରେ ଟେଲିଭିଜନ ସାଂବାଦିକତା
- ଗାଁ ଗହଳିର ଗୀତ (ଲୋକଗୀତ ସଂଗ୍ରହ)
- ଚିଠିଗୀତ (ଲୋକଗୀତ ସଂଗ୍ରହ)
ଏହାଛଡା ସେ ବହୁ ଶିଶୁ ପୁସ୍ତକ ରଚନା କରିଛନ୍ତି । ସେସବୁ ହେଲା:
- ମୁହିଁରେ ଓଡ଼ିଆ ପୁଅ
- ଗୁଡୁ ପାଇଁ ଗୀତ କେତୋଟି
- ପରିବେଶ ମାଳିକା
- କବି ଗାଁରେ ଶ୍ରୀଜଗନ୍ନାଥ
- ଟିକିଟିକି ଫୁଲ ଆମେ
- ମୋ ଗାଁ ମୋ ଜନମ ଭୂଇଁ
- ପିଲାଙ୍କ ଅନାବନା ଗୀତ
- କହିଲ ଦେଖି କିଏ
- ଝିଅ ନୁହେଂ ସେ ତ ଖଣ୍ଡିଏ ହୀରା
ଇତ୍ୟାଦି । ଲେଖକଙ୍କ ଡାଆଣୀ ନାଟକ ରାଜ୍ୟ ଓ ରାଜ୍ୟ ବାହାରେ ପରିବେଶିତ ହୋଇ ଆଦୃତ ହୋଇଛି । ଏହାବ୍ୟତିତ "ହରିବୋଲ ନୁହେଁ ଟଙ୍କାବୋଲ" ନାମରେ ଏକ ଚଳଚ୍ଚିତ୍ରର ସେ ସଂଳାପ ମଧ୍ୟ ଲେଖିଛନ୍ତି । ତାଙ୍କ ସାରସ୍ୱତ ଜୀବନ ଆହୁରି ଆନେକ ସଫଳ ସୃଷ୍ଟିର ଉନ୍ମେଷକୁ ଅପେକ୍ଷା ରଖେ ।