ବାଲିଯାତ୍ରା

ଓଡ଼ିଆ ପ୍ରସିଦ୍ଧ ପର୍ବ

ବାଲିଯାତ୍ରା (ଡ଼ଙ୍ଗାଭସା ବା ବୋଇତ ବନ୍ଦାଣ ନାମରେ ମଧ୍ୟ ଜଣା)ଏକ ଓଡ଼ିଆ ପର୍ବ । ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା । ବାଲିଯାତ୍ରା ଏପରି ଏକ ଗଣମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ, ତୋଷାଳୀ, କଙ୍ଗୋଦ ଓ କୋଶଳର ସମନ୍ୱୟଭିତ୍ତିକ ଯାତ୍ରା । ଆଧୁନିକ ଓଡ଼ିଶା ଉପରୋକ୍ତ ରାଷ୍ଟ୍ରଗୁଡିକର ପରିବର୍ତ୍ତିତ ରୂପ । ଏହି ଯାତ୍ରା (ଅକ୍ଟୋବର-ନଭେମ୍ବର) କାର୍ତ୍ତିକ ମାସର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥାଏ । ଆଗ କାଳରେ ସାଧବପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା,ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ ଯାହାର ସ୍ମୃତିରେ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ ।[୧]

ବାଲିଯାତ୍ରା
କଟକ ବାଲିଯାତ୍ରାର ତୋରଣ
ନାମବାଲିଯାତ୍ରା
ପାଳନକାରୀଓଡ଼ିଆ ଲୋକ
ପର୍ବ ପାଳନପୂଜା, ବୋଇତ ବନ୍ଦାଣ ଓ ବନ୍ଦାପନା
ଆରମ୍ଭକାର୍ତ୍ତିକ ମାସର ପୂର୍ଣ୍ଣମୀ
୨୦୨୪ ତାରିଖ୧୫ ନଭେମ୍ବର (ଶୁକ୍ରବାର)
ପୁନଃପୌନିକତାବାର୍ଷିକ

ଓଡ଼ିଶାର କଟକ ସହରରେ ବୋଇତ ବନ୍ଦାଣ ବା ବାଲିଯାତ୍ରାର ମହାସମାଗମ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ ଆକାମାବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି ଓ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେପକାଇଥାନ୍ତି । ଏହି ସମୟକୁ ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା । କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ । ବାଲିଯାତ୍ରାରେ କଟକ ପ୍ରସିଦ୍ଧ ଦହିବରା-ଆଳୁଦମଠୁଙ୍କାପୁରି ଇତ୍ୟାଦି ଖାଦ୍ୟ ବହୁସ୍ଥାନରେ ବିକ୍ରିହୁଏ |

  • ଉତ୍କଳିୟ ନୌବାଣିଜ୍ୟ ଏବଂ ବାଲିଯାତ୍ରା*

ଅତୀତ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନକରେ ବାଲିଯାତ୍ରା । ତଅପୋଇ କିମ୍ବଦନ୍ତି ଏହି ପରମ୍ପରାରେ ରୋମାଞ୍ଚ ଭରିଅଛି । ଆକାମାବୈରେ ଗୁଂଜରିତ ସେଦିନର ଉପକୂଳ ଅଞ୍ଚଳ ସମୂହର ସ୍ୱର୍ଣିମ ଅଧ୍ୟାର ସ୍ମୃତି ଆଜିବି ଗୁଂଜରିତ ଓଡ଼ିଆଙ୍କ ପ୍ରତି ରକ୍ତବିନ୍ଦୁରେ । ଆଉ ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ନିମିତ୍ତ ସରକାରଙ୍କ ପ୍ରୟାସରେ କଟକରେ ଅନୁଷ୍ଠିତ ହୁଏ ବାଲିଯାତ୍ର ।


  • ଇତିହାସ ଏବଂ ବ୍ୟୁତ୍ପତିଗତ ବ୍ୟାଖ୍ୟା*

ବାଲି ଅର୍ଥାତ୍ ଅଧୁନ ଇଣ୍ତୋନେସିଆର ବାଲିଦ୍ୱୀପ ଯାହା ସହ କଳିଙ୍ଗର ନୌବାଣିଜ୍ୟ ସମ୍ପର୍କ ରହିଥିଲା । ଓଡ଼ିଆ ସାଧବ ପୁଅ ଅର୍ଥାତ୍ ବଣିକ ଗୋଷ୍ଠିର ପ୍ରତିନିଧି ଗଣ ବାଲି ଦ୍ୱୀପ ସହ ଯାଭା, ସୁମାତ୍ରା, ବୋର୍ଣିଅ ଦ୍ୱୀପମାନଙ୍କ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗମନ କରୁଥିଲେ ଏବଂ ବ୍ୟବସାୟରୁ ପ୍ରାପ୍ତ ଧନସମ୍ପଦ ଉତ୍କଳର ଅର୍ଥନୀତିକୁ କରୁଥିଲେ ସମୃଦ୍ଧ । ଯଦିଓ ଅନ୍ୟାନ୍ୟ ଅଞ୍ଚଳ ସହ ବାଣିଜ୍ୟିକ ସମ୍ପର୍କ ରହିଥିଲା, କିନ୍ତୁ ବାଲି ଦ୍ୱୀପ ପେଣ୍ଠସ୍ଥଳୀ ଭାବେ ପରିଗଣିତ ଥିଲା । ଏଣୁ ଏଭଳି ନାମକରଣ କରାଜାଇଛି ବୋଲି ଅନୁମାନ କରାଯାଏ । ଅନ୍ୟମତାନୁସାରେ କାର୍ତ୍ତିକ ପୂର୍ଣ୍ଣିମାରେ ଉଚ୍ଚାରିତ ଆକାମାବୈ ଶବ୍ଦ ବର୍ଷର ମୁଖ୍ୟ ଚାରିମାସ ଯାହା ଯଥା :-ଆଷାଢ, କାର୍ତ୍ତକ,ମାର୍ଗଶୀର ଏବଂ ବୈଶାଖା ; ସେଥିରେ ଧର୍ମ କର୍ମ ସମୂହ ତଥା ଇଶ୍ୱରୋପାସନା କରିବାକୁ ଦର୍ଶାଏ । ସଂପୃକ୍ତ ଲୋକବାଣୀଟି କିଛି ଏହିଭଳି :-

  • ଅକାମାବୈ, ପାନ ଗୁଆ ଖାଇ, ପାନ ଗୁଆ ତୋର, ମାସକ ଧର୍ମ ମୋର*
  • ବର୍ତ୍ତମାନର ଇତ୍ତିବୃତ୍ତି*

ବର୍ତ୍ତମାନ କଟକ ସହରରେ ଏବଂ ପାରିବାରିକ ଉତ୍ସବଭାବେ ବାଲିଯାତ୍ରା ଉତ୍ସବ ପାଳନ ହେଉଛି । ଅନେକ ବ୍ୟବସାୟି ବାଣିଜ୍ୟମେଳାରେ ଅଂଶଗ୍ରହଣ କରି ନିଜର ଦ୍ରବ୍ୟ ବିକ୍ରି କରି ଉପଯୁକ୍ତ ପାରିଶ୍ରମିକ ଲାଭ କରୁଛନ୍ତି । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଅଛି ଜଉଥିରେ ସ୍ଥାନୀୟ କଳାକାର ନିଜର ଗାନ୍ଧର୍ବ କଳା ପ୍ରଦଶିତ କରି ଅନେକ ପ୍ରଶଂସା ସାଉଁଟିବା ସହ ଦେଶ ବିଦେଶରେ ପରିଚିତ ହେଉଛନ୍ତି ।ଆଠଦିନ ବ୍ୟାପି ଏହି ମହୋତ୍ସବରେ ଏକ ହଜାରରୁ ଉର୍ଦ୍ଧ୍ୱ ଷ୍ଟଲ ମାନ ବସାଯାଇ ହସ୍ତଶିଳ୍ପ,କାରୁକାର୍ଯ୍ୟ, ପାରମ୍ପାରିକ ଦ୍ରବ୍ୟ, ଘରୋଇ ଉପକରଣ, ଆସବାବପତ୍ର ଆଦି ବିକ୍ରିହୁଏ ।ଆଉ ଏହି ଉତ୍ସବରେ କଟକର ପ୍ରସିଦ୍ଧ ଦହିବରା ଆଲୁଦମ୍ ବ୍ୟଞ୍ଜନଟି ଏତେ ମାତ୍ରାରେ ପ୍ରଚାର ପ୍ରସାର ହୁଏ ଅଂଶଗ୍ରହଣକାରୀଙ୍କ ମନରେ ପ୍ରତିୟମାନ ହୁଏ ଯେ, କେବଳ ଏଥିନିମନ୍ତେ ଉତ୍ସବଟି ଆୟୋଜିତ ହେଇଅଛି । ଅନେକ ପ୍ରତିଭାଙ୍କ ସମ୍ବର୍ଦ୍ଧନା ମଧ୍ୟ ଦିଆହୁଏ

  • ଭବିଷ୍ୟତର ଲକ୍ଷ*

ଯଦିଓ ଏହିଦିନ ଠୁ ସପ୍ତାହବ୍ୟାପୀ ଶିଳ୍ପଦ୍ୟୋଗୀ ସପ୍ତାହ ପାଳିତ ହୁଏ ଏବଂ ଓଡ଼ିଶାରେ ଶିଳ୍ପ ସମ୍ଭାବନା ତଥା ବର୍ତ୍ତମାନର ସ୍ଥିତି ସମ୍ପର୍କିତ ଆଲୋଚନା ମାଳା ଅନୁଷ୍ଠିତ ହୁଏ ; କିନ୍ତୁ ଯଉ ମହନୀୟ ଉତ୍କଳିୟ ସଂସ୍କୃତିକୁ ନେଇ ଅତୀତରେ ଏହାର ଅର୍ଥନୀତି ସମୃଦ୍ଧ ରହିଥିଲା, ସେୟାର ପୁନରାଲୋକନ କରେଇ ସେଇଭଳି କାର୍ଯ୍ୟକ୍ରମା ମାନ ଆୟୋଜନ କରାଯାଇପାରିଲେ ଯୁବ ପିଢି ଅନୁପ୍ରାଣିତ ହେବା ସମ ମହାନ୍ ପରମ୍ପରା ଉଜ୍ଜୀବିତ ରଖାଯାଇପାରନ୍ତା । ଉଦାହରଣ ସ୍ୱଋପ କିଛି ବ୍ୟବସାୟି ଗୋଷ୍ଠି ଜଳପଥରେ ସତସତିକା ନୌବାଣିଜ୍ୟ ନିମନ୍ତେ ସେହି ସବୁ ସ୍ଥାନମାନଙ୍କୁ ସରକାରୀ ଉଦ୍ୟମରେ ଗମନ କରନ୍ତେ ଏବଂ କିଛି କାଳ ପଶ୍ଚାତ୍ ସେମାନେ ବ୍ୟବସାୟ ସାରି ଓଡ଼ିଶା ଫେରନ୍ତେ ।

  • ଉପସଂହାର*

ଶେଷରେ ଏୟା କୁହାଯାଇପାରେ ଅତୀତ ଉତ୍କଳିୟ ସଂକୃତି ଯେ ମହାନ୍ ଏବଂ ବାଲିଯାତ୍ରା ଭଳି ଅନେକ ଗୌରବମୟ ସ୍ମୃତି ଆଜି ଲୋପପାଇବାକୁ ବସିଛି । ଏଣୁ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ସେହି ସମ୍ପର୍କିତ ଗବେଷଣା ତଥା ଆଲୋଚନା ମାଳା ଅନୁଷ୍ଠିତ କରେଇବା ସହ ତାହାର କ୍ରିୟାନ୍ୱୟନ ନିମିତ୍ତ ପଦକ୍ଷେପ ନେବା ଉଚିତ ।

  • ବନ୍ଦେ ଉତ୍କଳ ଜନନୀ*

ଇତିହାସ ସମ୍ପାଦନା

ଓଡ଼ିଶାର ପୁରପଲ୍ଲୀରେ ବୋଇତ ବନ୍ଦାଣ କାଠ ଓ ସୋଲ ତିଆରି ଡଙ୍ଗା ଭସାଇ ଏହି ଇତିହାସକୁ ମନେପକାଇ ପାଳନ କରାଯାଇଥାଏ । ଏହା ଛଡ଼ା ସୁରତ ଆଦି ସ୍ଥାନରେ ମଧ୍ୟ ଓଡ଼ିଆମାନେ ଏହାକୁ ପାଳନ କରିଥାନ୍ତି ।[୧]

ଇତିହାସ ଓ ମତବାଦ ସମ୍ପାଦନା

ବାଲିଯାତ୍ରା କେବେ ଓ କାହିଁକି ଆରମ୍ଭ ହେଇଥିଲା ତାହା ସଠିକ ଭାବରେ ନିର୍ଦ୍ଧାରିତ ହୋଇ ନାହିଁ। ନିର୍ଦ୍ଧାରଣ ନୀରବ ରହିବାରୁ ବାଲିଯାତ୍ରାର ଆରମ୍ଭକୁ ନେଇ ଦ୍ୱନ୍ଦ ରହିବା ସ୍ୱାଭାବିକ । ଏହି ଐତିହ୍ୟପୂର୍ଣ୍ଣ ଗଣମହୋତ୍ସବର କାରଣ ସମ୍ବନ୍ଧରେ ଆମର ମହାଜନମାନେ ତିନୋଟି ମତ ଉପସ୍ଥାପନ କରି ଆସୁଛନ୍ତି ।

ପ୍ରଥମ ମତ ସମ୍ପାଦନା

ପ୍ରଥମ ମତଟି ହେଲା ବୃହତ କଳିଙ୍ଗ ରାଷ୍ଟ୍ରର ସାଧବମାନେ ଏହିଦିନ ବିଦେଶକୁ ବାଣୀଜ୍ୟ କରିବାକୁ ଯାଉଥିଲେ । ଜଳପଥରେ ଯାଉଥିବାରୁ ମହାନଦୀ କୂଳରେ ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ଉଦ୍ଦେଶ୍ୟରେ ଏହି ଯାତ୍ରା ଆରମ୍ଭ ହୋଇଥିଲା । ଚତୁର୍ମାସ୍ୟା ସମାପ୍ତ ବେଳରେ ସାଧବମାନେ ଜଳପଥରେ ବାଣିଜ୍ୟ ପାଇଁ ଯାତ୍ରା କରୁଥିବା ଏହା ଠିକ । ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଉଥିବା କଥା ମଧ୍ୟ ଠିକ, କିନ୍ତୁ ବିଦାୟ ସମ୍ବର୍ଦ୍ଧନା ଜଣାଉଥିବା ପରିବାର, ବନ୍ଧୁବାନ୍ଧବ ଓ ପରିଜନମାନଙ୍କର ବିଦାୟ ହେବାପରେ ସାତଦିନବ୍ୟାପୀ ଉତ୍ସବ ପାଳନ କରିବାକୁ ମାନସିକତା ଥିବ ତ Ị ଛ’ମାସ ପାଇଁ ବିପଦସଙ୍କୁଳ ଜଳପଥରେ ରୋଜଗାର ଉଦ୍ଦେଶ୍ୟରେ ବିଦାୟଦେଇ ମଉଜ ମଜଲିସରେ ମାତିଯିବା ଓଡ଼ିଆ ମାନସିକତା କି ? ଏହା ଏକ ରୁଗ୍ଣ ମାନସିକତା ହୋଇପାରେ । ଯେଉଁ ଜାତି ଏକ ଦୁର୍ଦ୍ଦଷ ଏବଂ ବୈଷୟିକ କଳାରେ ପାରଦର୍ଶୀ ତଥା ଉତ୍କୃଷ୍ଟ କଳାନୈପୁଣ୍ୟରେ ଅଖଣ୍ଡ ଭାରତରେ ପ୍ରସିଦ୍ଧି ଲାଭ କରିଥିଲା, ସେ ଜାତି କଣ ରୁଗ୍ଣ ମାନସିକ ସଂକ୍ରାମଣର ଶିକାର ହୋଇଥିଲା ଯେ ବିଦାୟକାଳୀନ ପରିବେଶକୁ ଉତ୍ସବମୁଖର କରି ଉପଭୋଗ କରୁଥିଲା ?

ଦ୍ୱିତୀୟତଃ କଳିଙ୍ଗର ସାଧବ ଗୋଟିଏ ସ୍ଥାନରୁ ବାଣିଜ୍ୟ କରିବାକୁ ଯାଉନଥିଲା । ଭିନ୍ନ ଭିନ୍ନ ନଦୀଘାଟରୁ ଏବଂ ଓଡ଼ିଶାର ସପ୍ତ ବନ୍ଦରରୁ ଯାଉଥିଲା । ମହାନଦୀ ଘାଟରେ ଯଦି ବିଦାୟ ପରେ ଯାତ୍ରା ଚାଲୁଥିଲା ,ତେବେ ଅନ୍ୟତ୍ର ବି ତାହା ପ୍ରଚଳିତ ହେବା କଥା । କାହିଁ ସେପରି ପ୍ରମାଣ ତ ଦୃଷ୍ଟିଗୋଚର ହେଉନାହିଁ ।

ଦ୍ୱିତୀୟ ମତ ସମ୍ପାଦନା

ଦ୍ୱିତୀୟ ମତଟି ହେଲା ଏହିଦିନଟିରେ ବାଣିଜ୍ୟ ବେପାର ସାରି ସାଧବମାନେ ନିଜ ଜନ୍ମମାଟିକୁ ଫେରିଆସୁଥିବାରୁ ସେମାନଙ୍କ ସ୍ୱାଗତ - ସମ୍ବର୍ଦ୍ଧନା ଉପଲକ୍ଷେ ବାଲିଯାତ୍ରା ଅନୁଷ୍ଠିତ ହେଉଥିଲା ।

ବାଣିଜ୍ୟ ବେପାର ସାରି ଦୀର୍ଘଦିନ ପରେ ସ୍ୱଦେଶକୁ ଫେରୁଥିବାରୁ ସମ୍ବର୍ଦ୍ଧନାମୂଳକ ଆନନ୍ଦ ଉଲ୍ଲାସ ଏକ ଯାତ୍ରା ବା ଉତ୍ସବରେ ପରିଣତ ହେବା ଅସମ୍ଭବ ନୁହେଁ,କିନ୍ତୁ ସାଧବମାନଙ୍କ ବାଣିଜ୍ୟ ବେପାରର ଐତିହ୍ୟ ଅନୁଶୀଳନ କଲେ ଜଣାଯାଏ ଯାଉଛି ସେମାନେ ବର୍ଷା ଚାରିମାସ ଯିବାପରେ ଜଳପଥରେ ବିଦେଶ ଯାଉଥିଲେ । ବର୍ଷା ଚାରିମାସ ଆରମ୍ଭ ପୂର୍ବରୁ ନୁହେଁ । କାରଣ ଏହି ଚାରିମାସ ସମୁଦ୍ରର ଜଳପଥ ବିପଦପୂର୍ଣ୍ଣ ରହୁଥିଲା । ତେଣୁ ଏହି ମତଟି ଜନଶ୍ରୁତି ଉପରେ ଆଧାରିତ ହେଲା ପରି ମନେହୁଏ ।

ତୃତୀୟ ମତ ସମ୍ପାଦନା

ତୃତୀୟ ମତଟି ହେଲା ମହାନଦୀର ଏହି ଘାଟରେ ଶ୍ରୀଚୈତନ୍ୟ ବିରାଜମାନ କରି ଉଦଣ୍ଡ କୀର୍ତ୍ତନ ସହିତ ଆତ୍ମବିସ୍ମୃତ ହୋଇ ମହାନଦୀର ବାଲିଘାଟ ପର୍ଯ୍ୟନ୍ତ ଗଡିଗଡି ଲୋଟି ଯାଇଥିଲେ । ଯେଉଁଥି ପାଇଁ ଏହି ଘାଟର ନାମ ଗଡ଼ଗଡିଆ ଘାଟ । ସେହି ସ୍ମୃତିକୁ ଧରିରଖିବା ଉଦ୍ଦେଶ୍ୟରେ ଯେଉଁ ପ୍ରାରମ୍ଭିକ ଉତ୍ସବ ଆରମ୍ଭ ହେଇଥିଲା ବା ଆୟୋଜନ ହୋଇଥିଲା ତାହା ହିଁ ବାଲିଯାତ୍ରା ।

ମହାନଦୀର ଏହି ଘାଟରେ ଶ୍ରୀଚୈତନ୍ୟ ଆସିବାବେଳେ ପାର ହୋଇଥିବେ , ଏହା ବିଶ୍ୱାସଯୋଗ୍ୟ ହୋଇନପାରେ ହୁଏତ ଗଜପତି ପ୍ରତାପରୁଦ୍ର ଦେବଙ୍କ ସାନ୍ନିଧ୍ୟରେ ଆସିବାପରେ ଏହି ଘାଟରେ ପାରି ହୋଇଥାଇ ପାରନ୍ତି । ଗଜପତି ପ୍ରତାପରୁଦ୍ର ଦେବଙ୍କ ସହିତ ତାଙ୍କର ଘନିଷ୍ଠ ସମ୍ପର୍କ ହେଲାବେଳକୁ ୧୫୧୮-୧୯ ମସିହା କଥା । ପୁରୀକୁ ଆସିବାର ଆଠ-ନଅବର୍ଷ ପରର କଥା । ତେଣୁ ଆସିବା ସମୟ ଅର୍ଥାତ ୧୫୧୦ ମସିହାରେ ଏହି ଘାଟରେ ସେ ପାରିହେବା ତତ୍କାଳୀନ ସମୟରେ ସମ୍ଭବ ହୋଇନଥିବ ।

ଦ୍ୱିତୀୟରେ ଏହି ଘାଟ ତ ହଜାର ବର୍ଷର କଟକ ସହରର ଐତିହାସିକ ଘାଟ । ଶ୍ରୀଚୈତନ୍ୟ ଦେବଙ୍କ ଆସିବାର ବହୁ ପୂର୍ବରୁ ସେଠାରେ ଗଜପତିଙ୍କ ବାରବାଟୀ ଗଡ଼ର ଗଡ଼ଚଣ୍ଡୀ ଉପାସିତ ହେଉଥିଲେ ।ଗଡ଼ ମଧ୍ୟରେ ଗଜପତିଙ୍କ ଉପସ୍ୟା କନକଦୁର୍ଗା ଥିଲା ବେଳେ ଘାଟ ନିକଟରେ ପ୍ରାୟସବୁ ଘାଟରେ ଦେବୀପୂଜା ପାଇଲାଭଳି ଗଡ଼ଚଣ୍ଡୀ ପୂଜା ପାଉଥିଲେ । ଅନ୍ୟାନ୍ୟ ଘାଟମାନଙ୍କରେ ଶାବରତନ୍ତ୍ରର ଦେବୀ ଥିବା ବେଳେ ଏହି ଘାଟର ଦେବୀ ଶାକ୍ତତନ୍ତ୍ରର ଥିଲେ । ଗଡ଼ଚଣ୍ଡୀଙ୍କ ପାଖରେ ଏକ ଶିବ ମନ୍ଦିର ଥିଲା,ଏବେ ମଧ୍ୟ ଅଛି । ଉଭୟ ଗଜପତିଙ୍କର ତତ୍ତ୍ୱାବଧାନରେ ଥିଲେ । ଅତଏବ ଏହା ଏକ ଶୈବ ଓ ଶାକ୍ତ ଅଞ୍ଚଳ । ଶ୍ରୀକୃଷ୍ଣ ବା ବିଷ୍ଣୁଙ୍କ ମ୍ନ୍ଦିର ନଥିଲା । ଶ୍ରୀଚୈତନ୍ୟ ତ ଶାକ୍ତ କି ଶୈବ ମତାବଲମ୍ବୀ ନଥିଲେ , ତେଣୁ ସେ ଉଦଣ୍ଡକୀର୍ତ୍ତନ କରିବା ରହସ୍ୟ ଜଣାପଡୁନାହିଁ ।

ଶ୍ରୀଚୈତନ୍ୟ ଆସିବାବେଳେ ଗଡ଼ଘାଟ ଗଜପତିଙ୍କ ସୈନ୍ୟବାହିନୀ ଅକ୍ତିଆରରେ ଥିଲା । ବାରବାଟୀ ଦୁର୍ଗର ବିଶେଷ କରି ଗଡ଼ର ବ୍ୟବହାର ପାଇଁ ସେହି ଗୋଟିଏ ଘାଟର ବ୍ୟବହାର କରାଯାଉଥିଲା । ଅନ୍ୟ ଘାଟଗୁଡ଼ିକ ସାଧାରଣ ଲୋକଙ୍କ ପାଇଁ ଥିଲା । ରାଜଶାସନ ବ୍ୟବହୃତ ଘାଟରେ ଯଦି ବି ଚୈତନ୍ୟ ଓହ୍ଲାଇଥିଲେ , ସେତେ ବେଳକୁ ସେ ପ୍ରଭୁ ହୋଇନଥିବାରୁ , ରାଜସାନ୍ନିଧ୍ୟ ଲାଭ କରିନଥିବାରୁ ରାଜକର୍ମଚାରୀମାନେ ତାଙ୍କ ଉଦଣ୍ଡ ନୃତ୍ୟକୁ କେଉଁ ଦୃଷ୍ଟିରେ ଗ୍ରହଣ କରିଥିଲେ ତାହା ବିଚାରଯୋଗ୍ୟ । କାରଣ କୀର୍ତ୍ତନ ଓ ସଂକୀର୍ତ୍ତନ ଦୁଇଟିଯାକ ଓଡ଼ିଶାର ନିଜସ୍ୱ ଓ ବହୁ ପ୍ରାଚୀନ । ଉଦଣ୍ଡ-କୀର୍ତ୍ତନ ଆମର ନଥିଲା ।

କଟକ ଯଦି ଏକ ବିଷ୍ଣୁ ବା ଶ୍ରୀକୃଷ୍ଣଙ୍କ କ୍ଷେତ୍ର ହୋଇଥାନ୍ତା, ହୁଏତ ସେ ମାଟିରେ ପାଦ ଦେଉଦେଉ ଉଦଣ୍ଡ କୀର୍ତ୍ତନ କରିଥାନ୍ତେ । କଟକ ମୂଳରୁ ସନାତନ ଧାରାର ଅର୍ଦ୍ଧନାରୀଶ୍ୱର ଚେତନାର କ୍ଷେତ୍ର । ଅର୍ଥାତ ଶିବ+ଶକ୍ତିଙ୍କର ସମନ୍ୱୟ କ୍ଷେତ୍ର ।

ଗଡ଼ର ଘାଟ ହୋଇଥିବାରୁ ଗଡ଼ଚଣ୍ଡୀ ସେଠାରେ ବିରାଜିତ ଥିବାରୁ ତାହାର ନାମ ଗଡ଼-ଘାଟ । ପରବର୍ତ୍ତୀ କାଳରେ ଲୋକଉକ୍ତିରେ ଗଡଗଡିଆ ଘାଟ ପ୍ରସିଦ୍ଧ ହୋଇଛି ବୋଲି ମନେ ହୁଏ ।

ଐତିହାସିକ ତଥ୍ୟ ସମ୍ପାଦନା

ମହାରାଜା ଉଦ୍ୟୋତକେଶରୀ ସିଂହଳ ଦେଶ ବିଜୟ କରି ଜଳପଥରେ ଫେରିବାର ସୃତିରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି ବୋଲି ସୂଚନା ମିଳେ । ଏହା ଏକ ଐତିହାସିକ ସତ୍ୟ ହୋଇପାରେ । ମହାରାଜା ଉଦ୍ୟୋତକେଶରୀ ଉତ୍କଳ ଦେଶର ରାଜା ଥିଲେ । ଶିଳଲେଖ ଅନୁଯାୟୀ ସୋମବଂଶୀ ରାଜା ଉଦ୍ୟୋତକେଶରୀ ୧୮ ବର୍ଷ ରାଜତ୍ୱ କରିଥିଲେ । ମହାରାଜା ଉଦ୍ୟୋତକେଶରୀ ଚୋଳରାଜା ମାଧବ ବର୍ମାଙ୍କୁ ପରାଜିତ କରି ସମ୍ପୂର୍ଣ୍ଣ ଦକ୍ଷିଣାପଥ ବିଜୟ କରିବା ପରେ ସିଂହଳ ଆକ୍ରମଣ କରିଥିଲେ । ସିଂହଳରେ ସେତେବେଳେ ରାଜାଥିଲେ ଚିତ୍ରକେୟୁର । ସିଂହଳ ବିଜୟ ପରେ ମଣିମୁକ୍ତା ପ୍ରଭୃତି ଧନରତ୍ନ ସେ ସଙ୍ଗରେ ଆଣିଥିଲେ । ସେ ଜଳପଥରେ ଆସି ମହାନଡି ମୂହାଣ ଦେଇ ନିରାପଦ ସ୍ଥାନ କଟକଦ୍ୱୀପରେ ପହଞ୍ଚି ବିଶ୍ରାମ ନେଇଥିଲେ । ସେତିକି ବେଳେ ଏହି ଯାତ୍ରା ଆରମ୍ଭ ହୋଇଥିବା ସମ୍ଭବ । ଲୋକ ମୁଖରେ ପ୍ରସିଦ୍ଧିଥିଲା ସାଧବ ପୁଅ ବାଲି-ସୁମାତ୍ରା-ବର୍ଣ୍ଣିଓ ଯାଉଥିଲେ ବୋଲି, ସିଂହଳବିଜୟ କରି ଫେରିଲେ ବି ବାଲିରୁ ଫେରିଲେ ବୋଲି ତୁଣ୍ଡରେ ତୁଣ୍ଡକୁ ଯାଇ ବାଲିଯାତ୍ରା ହୋଇଥିବା ସମ୍ଭବ ।

ଆଧାର ସମ୍ପାଦନା

  1. ୧.୦ ୧.୧ Oriyas to celebrate Boita Bandana today[permanent dead link].[timesofindia.indiatimes.com Times of India].Nov 20, 2010

ଅଧିକ ତଥ୍ୟ ସମ୍ପାଦନା