ପ୍ରଥମାଷ୍ଟମୀ
ପ୍ରଥମାଷ୍ଟମୀ (ଅଥବା ପଢୁଆଁଷ୍ଟମୀ, ପୋଢୁଆଁଷ୍ଟମୀ) ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ I[୧] ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ ।[୨] ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଅଛି । ଏ ଦିନ ବଂଶର ପ୍ରଥମ ଜାତ ସନ୍ତାନ (ପୁଅ ବା ଝିଅ)ଙ୍କୁ [୩]ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ I ଏହା ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ଗୋଟିଏ ଯାତ୍ରା ଦିବସ ।[୪]
ପ୍ରଥମାଷ୍ଟମୀ | |
---|---|
ଅନ୍ୟ ନାମ | ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ, ପାପ-ନାଶିନୀ ଅଷ୍ଟମୀ |
ପାଳନକାରୀ | ଓଡ଼ିଶାର ଲୋକ |
ତାରିଖ | ମାର୍ଗଶିର କୃଷ୍ଣ ଅଷ୍ଟମୀ |
୨୦୨୩ ତାରିଖ | ୦୫ ଡିସେମ୍ବର (ମଙ୍ଗଳବାର) |
୨୦୨୪ ତାରିଖ | ୨୩ ନଭେମ୍ବର (ଶନିବାର) |
ପୁନଃପୌନିକତା | ବାର୍ଷିକ |
ଓଡ଼ିଆ ପରମ୍ପରା
ସମ୍ପାଦନାଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି ।[୫] ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ । ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର ତାକୁ ସ୍ନାନାନ୍ତେ ନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ମା’ମାନେ ତାଙ୍କୁ ବନ୍ଦାପନା କରନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି । ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ‘ପଢୁଆଁ ହେବା’ କହିଥାନ୍ତି I ‘ପଢୁଆଁ’ ଶବ୍ଦଟି ‘ପ୍ରଥମା’ର ଅପଭ୍ରଂଶ ।
ପରମ୍ପରା ଅନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁ ଘରୁ ଆସିଥାଏ ।[୬] ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି । ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ଓ ପରିହାସରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ I ଅବଶ୍ୟ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଘରର ଜ୍ୟେଷ୍ଠପୁତ୍ର ବା ଜ୍ୟେଷ୍ଠକନ୍ୟାକୁ ନୂଆ ଲୁଗାପଟା ବାପ ମାଆମାନେ ପିନ୍ଧେଇଥାନ୍ତି ।
ଏହିବିଧିରେ ସାମାଜିକ ଓ ପାରିବାରିକ ବନ୍ଧନ, ଶୃଙ୍ଖଳା ଓ ଆଦର୍ଶବୋଧ ଅତିମାତ୍ରାରେ ନିହିତ ରହିଛି । ଜ୍ୟେଷ୍ଠପୁତ୍ର, ପରିବାରରେ ପିତା ସମାନ । ପିତାଙ୍କ ଅନ୍ତେ କିମ୍ବା ପିତାଙ୍କ ଅକର୍ତ୍ତବ୍ୟରେ ଘର ଚଳାଇବା ଓ ଅନ୍ୟ ସନ୍ତାନ (ଭାଇ ଭଉଣୀ)ମାନଙ୍କୁ ପ୍ରତିପୋଷଣ କରିବା ଦାୟିତ୍ୱ ଜ୍ୟେଷ୍ଠ ପୁତ୍ର ଉପରେ ପଡ଼ିଥାଏ ।[୭] ତେଣୁ ତାକୁ ସମସ୍ତେ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଓ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରଥମ ସନ୍ତାନ ବା ଜ୍ୟେଷ୍ଠ ସନ୍ତାନକୁ ପୂଜା ବନ୍ଦାପନା କରିବାର ବିଧି ଆମ ସମାଜରେ ପ୍ରଚଳିତ ।
ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ I କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ପ୍ରସିଦ୍ଧ । [୮]
ଅନ୍ୟ ବୈଶିଷ୍ଟ୍ୟ
ସମ୍ପାଦନାଓଡ଼ିଶାରେ ପ୍ରଥମାଷ୍ଟମୀ ଦିନ ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ମାମୁଁଘର ଯାତ୍ରା ହୋଇଥାଏ । ଲିଙ୍ଗରାଜ ମହାପ୍ରଭୁ ଏହିଦିନ ତାଙ୍କ ମାମୁଁଘର ରୂପେ ପରିଚିତ କପାଳିମଠ (ଲିଙ୍ଗରାଜ ମନ୍ଦିର ସଂଲଗ୍ନ)କୁ ଯାଆନ୍ତି ପଢୁଆଁ ହେବା ପାଇଁ । ଏହିମଠର ଆରାଧ୍ୟ ଦେବତା ‘ବରୁଣେଶ୍ୱର’ ଓ ‘ବନଦେବ’ । ଏ ଦୁହେଁ ଲିଙ୍ଗରାଜଙ୍କର ମାମୁଁ- ମାଇଁ ରୂପେ ପ୍ରଖ୍ୟାତ । ଏହି ମଠ ହତାରେ ଗୋଟିଏ ପୁଷ୍କରିଣୀ ରହିଛି । ତାହା ପାପନାଶିନୀ ରୂପେ ପରିଚିତ ।[୯] ‘ପ୍ରଥମାଷ୍ଟମୀ ଦିନ ଏହି ପୁଷ୍କରିଣୀର ଜଳ ପାନକଲେ ପାପକ୍ଷୟ ହୁଏ ଓ ବନ୍ଧ୍ୟାନାରୀ ସନ୍ତାନବତୀ ହୁଅନ୍ତି ’ ବୋଲି ପ୍ରବାଦ ଅଛି ।
ପ୍ରଥମାଷ୍ଟମୀର ଅନ୍ୟ ନାମ ‘ସୌଭାଗିନୀ ଅଷ୍ଟମୀ’ । ପୂର୍ବେ ଏହିଦିନ ସୌଭାଗିନୀ ଦେବୀଙ୍କର ପୂଜା ସମ୍ଭବତଃ ପ୍ରଚଳିତ ଥିଲା । କୃଷକ ସନ୍ତାନ ଲାଭ କରିଛି ଏବଂ ଶସ୍ୟ ମଧ୍ୟ ପାଇଛି କିମ୍ବା ଶସ୍ୟ ରୂପକ ସନ୍ତାନ ମଧ୍ୟ ସେ ଲାଭ କରିଛି- ଏହା ଅତ୍ୟନ୍ତ ସୌଭାଗ୍ୟର କଥା । କୃଷକର ମନ ଏଥିଲାଗି ଆନନ୍ଦିତ ଓ ଉଲ୍ଲସିତ । ସେ ଅତି ଆନନ୍ଦରେ ଏହି ତିଥିକୁ ସୌଭାଗିନୀ ଅଷ୍ଟମୀ ରୂପେ ପାଳି ଆସିଛି । ଏହି ପ୍ରଥମାଷ୍ଟମୀକୁ ‘କାଳ ଭୈରବାଷ୍ଟମୀ’ ମଧ୍ୟ କୁହାଯାଏ ।[୧୦] ଏହିଦିନ କାଳ ଭୈରବଙ୍କର ବ୍ରତ [୧୧]ଓ ପୂଜାର ପ୍ରଚଳନ ଥିଲା । ଏବେ ଏହିପୂଜା ଲୁପ୍ତ । ସ୍କନ୍ଧ ପୁରାଣର କୋଶୀଖଣ୍ଡରେ ଉଲ୍ଲେଖ ଅଛି, ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ କାଳଭୈରବୀଙ୍କ ନିକଟରେ ବ୍ରତ, ଉପବାସ ଓ ଜାଗରଣ ଆଦି ସମ୍ପାଦନ କଲେ ପ୍ରାଣୀମାନେ ସର୍ବପାପରୁ ମୁକ୍ତ ହୁଅନ୍ତି ।
ତନ୍ତ୍ରସାଧକମାନଙ୍କ ସାଧନା ସମୟରେ ଯେଉଁ ଉଲ୍ଲେଖ ତନ୍ତ୍ର ପରମ୍ପରାରେ ରହିଛି, ସେଥି ମଧ୍ୟରେ ଏହି ପ୍ରଥମାଷ୍ଟମୀର ରାତ୍ରି ବିଶେଷ ଉଲ୍ଲେଖନୀୟ । ତାନ୍ତ୍ରିକ ଭାଷାରେ ଏହାର ନାମ ‘ଘୋରରାତ୍ର’ I ନବଦୁର୍ଗାଙ୍କ ମଧ୍ୟରୁ କାଳରାତ୍ରି ଅନ୍ୟତମା । ଆଦ୍ୟାଶକ୍ତି କାଳରାତ୍ରି ରୂପେ ଏହିଦିନ ଅବତୀର୍ଣ୍ଣା ହୋଇଥିଲେ । ତନ୍ତ୍ର ସମ୍ବନ୍ଧୀୟ ବିଭିନ୍ନ ଶାସ୍ତ୍ରରେ ଏହି ବିଷୟରେ ଉଲ୍ଲେଖ ଅଛି । ଅତୀତରେ ବହୁ ସ୍ଥାନରେ ଭୈରବ ଓ ଭୈରବୀଙ୍କୁ ପୂଜା କରାଯାଉଥିଲା ।
ଆଧାର
ସମ୍ପାଦନା- ↑ "OTV Expand / Collapse". odishatv.in. 2009. Archived from the original on 15 August 2012. Retrieved 3 December 2012.
The celebration falls on the eighth day of the dark fortnight of the lunar month of Margashira.
- ↑ J Mohapatra (December 2013). Wellness In Indian Festivals & Rituals. Partridge Pub. pp. 166–. ISBN 978-1-4828-1690-7.
- ↑ "webindia123.com-festivals of orissa-Prathamashtami". webindia123.com. Retrieved 3 December 2012.
This festival is celebrated for the well being of the first born in the family, whether boy or girl
- ↑ "Prathamastami". nilachakra.org. 2010. Retrieved 3 December 2012.
Prathamastami celebration is arriving with all it's fragrance and aroma for the eldest child of the family.
[permanent dead link] - ↑ "Prathamastami Festival of Orissa". rainrays.com. Archived from the original on 10 October 2012. Retrieved 3 December 2012.
The mother or any other elderly lady wishes him /her long-life and good health by praying Sasthi Debi.
- ↑ "Prathamastami | Orissa Online". orissaonline.co.in. Archived from the original on 5 March 2016. Retrieved 3 December 2012.
the maternal uncle sends the items necessary for the ritual,
- ↑ "Prathamastami". orissadiary.com. Archived from the original on 16 October 2012. Retrieved 3 December 2012.
The social significanc of this festival is that the first-borns are brighter and it is ultimately they who take up the burden of the family after the death of the parents.
- ↑ "The Hindu: Oriyas prefer 'Enduri Pitha' on 'Prathamashtami'". thehindu.com. Retrieved 3 December 2012.
'Enduri Pitha' a traditional delicacy of Orissa to showcase the medicinal properties of turmeric plant was prepared in most Oriya households on Monday to mark the celebration of 'Prathamashtami'
- ↑ "Prathamastami in India". india9.com. Retrieved 3 December 2012.
at the Lingaraj Temple in Bhubaneswar. Here the deity is taken out in a palanquin to a tank called 'Papanasini' in the temple complex.
- ↑ "Kala Bhairava Ashtami 2012 Date". hindusphere.com. Retrieved 3 December 2012.
Kala Bhairav Jayanti (also called as Maha Kalashtami / Kala Bhairav Ashtami) is celebrated on the Kishna Paksha Ashtami of the Mrugashira month.
- ↑ "About Kala Bhairavashtami Pooja; EPrarthana.com". eprarthana.com. Retrieved 3 December 2012.
Kalashtami, or Maha kalaBhairavashtami, is the most auspicious day dedicated to Lord Kala Bhairava.
ଅଧିକ ତଥ୍ୟ
ସମ୍ପାଦନା- ରବିବାର ସମାଜ, ୮ ଡିସେମ୍ବର ୨୦୧୨, ପୃଷ୍ଠା- ୭
- Orissabarta.com: Orissa celebrates prathamastami across the state Archived 2016-03-04 at the Wayback Machine.