ପଙ୍କଜ ଚରଣ ଦାସ

ଓଡ଼ିଶୀ ନୃତ୍ୟର ନର୍ତ୍ତକ, ପ୍ରବର୍ତ୍ତକ, ଆଦି ଗୁରୁ ଓ ପିତା

ପଙ୍କଜ ଚରଣ ଦାସ (୧୭ ମାର୍ଚ୍ଚ ୧୯୨୫[୧] – ୧୧ ଜୁନ ୨୦୦୩)[୨] ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ, ନୃତ୍ୟ ନିର୍ଦ୍ଦେଶକ ଓ ସର୍ବୋପରୀ ଓଡ଼ିଶୀ ନୃତ୍ୟର ପୁନଃନିର୍ମାତା ଥିଲେ । ତେଣୁ ତାଙ୍କୁ ଓଡ଼ିଶୀ ନୃତ୍ୟର ପିତା ଓ ଆଦିଗୁରୁ କୁହାଯାଏ ।

ଆଦିଗୁରୁ

ପଙ୍କଜ ଚରଣ ଦାସ
ଜନ୍ମ(1925-03-17)୧୭ ମାର୍ଚ୍ଚ ୧୯୨୫
ପୁରୀ, ଓଡ଼ିଶା
ମୃତ୍ୟୁ୧୧ ଜୁନ ୨୦୦୩(2003-06-11) (ବୟସ ୭୮)
ଭୁବନେଶ୍ୱର, ଓଡ଼ିଶା
ବୃତ୍ତିଓଡ଼ିଶୀ ନୃତ୍ୟଶିଳ୍ପୀ
ସକ୍ରିୟ ବର୍ଷ୧୯୩୩-୨୦୦୦
ବୈବାହିକ-ସାଥୀସରୋଜିନୀ ଦାସ
ପିତାମାତା(s)ଧର୍ମୁ ଚରଣ ଦାସ, କ୍ଷେତ୍ରମଣୀ ଦେବୀ
ପୁରସ୍କାରପଦ୍ମଶ୍ରୀ

ସେ ପୁନର୍ଜୀବନ ଦାନ କରି ଆଜିର ଓଡ଼ିଶୀ ନୃତ୍ୟର ଭିତ୍ତି ସ୍ଥାପନ କରିଥିଲେ । ସେ ଏହି ନୃତ୍ୟକୁ 'ମନ୍ଦିର ନୃତ୍ୟ'ରୁ ବାହାର କରି ଦୁନିଆ ଆଗରେ ଉପସ୍ଥାପନ କରିଥିଲେ । ସେ ସନ ୧୯୯୨ରେ ପଦ୍ମଶ୍ରୀ ଉପାଧିରେ ଭୁଷିତ ହୋଇଥିଲେ । ତାଙ୍କ ନୃତ୍ୟରେ ଭକ୍ତି ରସ ପରିପୂର୍ଣ୍ଣ ଥିଲା ଓ ତାଙ୍କର ପ୍ରତି ପଦକ୍ଷେପ ପ୍ରଭୁ ଜଗନ୍ନାଥଙ୍କୁ ସମର୍ପିତ ଥିଲା । ମାହାରୀ ନୃତ୍ୟ କଳାକୁ ସେ କଠୋର ଭାବରେ ଅନୁସରଣ କରୁଥିଲେ ।

ଜୀବନୀ ସମ୍ପାଦନା

ପଙ୍କଜ ଚରଣ, ୧୯୨୫ ମସିହାରେ ପୁରୀର ମାଟିମଣ୍ଡପ ସାହିରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଧର୍ମୁ ଚରଣ ଦାସ ଓ ମାତାଙ୍କ ନାମ କ୍ଷେତ୍ରମଣୀ ଦେବୀ । ସେମାନେ ଥିଲେ ଅସୁରେଶ୍ୱର ନିକଟସ୍ଥ ମଣିପୁରର ମୂଳବାସିନ୍ଦା । ପିତାଙ୍କ ପୁଲିସ ଚାକିରି ଯୋଗୁ, ସେମାନେ ପୁରୀରେ ରହୁଥିଲେ । ପଙ୍କଜ ଚରଣ ମାତୃଗର୍ଭରେ ଥିବା ଅବସ୍ଥାରେ ତାଙ୍କର ପିତୃବିୟୋଗ ଘଟିଥିଲା । ପିତାଙ୍କ ମୃତ୍ୟୁପରେ ବେସାହାରା ମା-ପୁଅଙ୍କୁ ଆଶ୍ରୟ ଦେଇଥିଲେ, ଶ୍ରୀମନ୍ଦିରର ଦେବଦାସୀ ଫକିରୀ ମାହାରୀ(ରତ୍ନ ପ୍ରଭା ଦେବୀ) ।[୩] ମାହାରୀ ନୃତ୍ୟାଙ୍ଗନା ରତ୍ନ ପ୍ରଭା ଦେବୀଙ୍କର ସେ ପାଳିତ ପୁତ୍ର ଥିଲେ ଓ ତାଙ୍କଠାରୁ ଭକ୍ତି ଆନ୍ଦୋଳନର କଳା ଶିଖିଥିଲେ । ଛୋଟବେଳେ ସେ ନିଜ ମଧୁର କଣ୍ଠ ପାଇଁ ଅନେକ ପ୍ରଶଂସା ପାଇଥିଲେ । "ପଙ୍କଜର କଣ୍ଠ ଗ୍ରାମୋଫୋନଠୁଁ ମଧୁର" ବୋଲି ଲୋକେ କହୁଥିଲେ ।[୪] ସେ ହାଇସ୍କୁଲରେ ତିନିଥର ଫେଲ ହୋଇଥିବାରୁ ପାଠ ପଢ଼ାରେ ଆଉ ତାଙ୍କ ମନ ଲାଗିଲାନି । ନିଜ ମାତାଙ୍କ ହଠାତ ମୃତ୍ୟୁ ଘଟିବାରୁ ଚାକିରୀ ଖୋଜି ଖୋଜି ସେ ବଳଭଦ୍ର ହଜୁରୀଙ୍କ ନୂଆ ଥିଏଟରରେ ମିଶିଲେ । ଥିଏଟରରେ ସେ, ମୁଖ୍ୟତଃ ହାସ୍ୟ ଅଭିନେତା ଭାବେ ଅଭିନୟ କରୁଥିଲେ । ପରେ କାଳୀଚରଣ ପଟ୍ଟନାୟକଙ୍କ ଥିଏଟର ପୁରୀରେ ଆସିବାରୁ ବଡ଼ ଧରଣର ଥିଏଟରରେ ମିଶିବା ପାଇଁ ସେ ଇଚ୍ଛା କରିଥିଲେ । କଟକ ଓ ବାଲେଶ୍ୱରରେ ଦୁଇଟି ଯାତ୍ରାପରେ ସେ ପୁଣିଥରେ ପୁରୀକୁ ଫେରିଆସି ଅନ୍ନପୂର୍ଣ୍ଣା ଥିଏଟର-ବିରେ ମିଶିଥିଲେ । ଏଥିରେ ସେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଭେଟିଥିଲେ । କେଳୁଚରଣ ମଧ୍ୟ ସେତେବେଳେ ନୂଆ ନୂଆ ଥିଏଟରରେ ମିଶିଥାନ୍ତି ।

୧୯୬୪ ମସିହାରେ, ଓଡ଼ିଶାର ସେତେବେଳର ଏକମାତ୍ର ନୃତ୍ୟ ଓ ସଙ୍ଗୀତର ମହାବିଦ୍ୟାଳୟ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ସେ ଓଡ଼ିଶୀ ନୃତ୍ୟ ବିଭାଗର ମୂଖ୍ୟ ଭାବରେ ଯୋଗ ଦେଇଥିଲେ । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ୨୫ ବର୍ଷରୁ ଉର୍ଦ୍ଧ୍ୱ ସମୟ କାର୍ଯ୍ୟ କରି ଅବଶେଷରେ ସେ ଅଧ୍ୟକ୍ଷ ଭାବରେ ଅବସର ନେଇଥିଲେ । ସେ ନୃତ୍ୟ ଶିକ୍ଷା ଦେଇଥିବା କେଳୁଚରଣ ମହାପାତ୍ର, ଦେବ ପ୍ରସାଦ ଦାସ, ମାୟାଧର ରାଉତଭଗବାନ ସାହୁ ପରବର୍ତ୍ତୀ ସମୟରେ ନୃତ୍ୟ ଗୁରୁ ହୋଇ ଓଡ଼ିଶୀ ନୃତ୍ୟକୁ ଭାରତ ତ‌ଥା ଭାରତ ବାହାରେ ପ୍ରସାର କରିବାରେ ମୂଖ୍ୟ ଭୂମିକା ତୁଲେଇଥିଲେ ।

ରଚନା ସମ୍ପାଦନା

ଦଳଗତ ନୃତ୍ୟରେ ସେ ବିଶାରଦ ଥିଲେ ଓ ଗ୍ଳାନିସଂହାର, ମାତୃବନ୍ଦନା, ବାଳଗୋପାଳାଷ୍ଟକ ଓ ଆହୁରି ଅନେକ ନୃତ୍ୟରେ ସେ ତାଙ୍କର ଅଲିଭା ଛାପ ଛାଡ଼ିଯାଇଛନ୍ତି । ତାଙ୍କର ରଚିତ ନୃତ୍ୟମାନଙ୍କ ମଧ୍ୟରୁ ପଞ୍ଚକନ୍ୟା ନାମର ନୃତ୍ୟ ସବୁଠୁ ଜନପ୍ରିୟ ହୋଇଥିଲା । ଏଥିରେ ପୁରାଣର ପାଞ୍ଚଗୋଟି ମହାନ ନାରୀ - ଅହଲ୍ୟା, ଦ୍ରୌପଦୀ, ତାରା, କୁନ୍ତୀ ଓ ମନ୍ଦୋଦରୀଙ୍କ କଥା ନୃତ୍ୟର ନାଟକୀୟତା ମାଧ୍ୟମରେ ଦେଖାଯାଇଥିଲା । ଓଡ଼ିଆ ଓ ସଂସ୍କୃତ ଭାଷାରେ ସେ ବିଦ୍ୱାନ ଥିଲେ । କାଳିଦାସ ଜୟଦେବଙ୍କ ଜୀବନ ଉପରେ ଆଧାରିତ ନୃତ୍ୟମାନଙ୍କୁ ସେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।

ଗୁରୁ ପଙ୍କଜ ଚରଣ ଦାସ ଉତ୍ସବ ସମ୍ପାଦନା

ପ୍ରତିବର୍ଷ ଭୁବନେଶ୍ୱରଠାରେ ଉଡ୍ର ସଂସ୍କୃତି ଏକାଡେମୀଦ୍ୱାରା ଗୁରୁ ପଙ୍କଜ ଚରଣ ଦାସଙ୍କ ସ୍ମୃତିରେ ଆଦିଗୁରୁ ପଙ୍କଜ ଚରଣ ଦାସ ଉତ୍ସବ ଅନୁଷ୍ଠିତ କରାଯାଉଛି । ଏହା ତାଙ୍କ ପୁତ୍ର ଶ୍ରୀ ବସନ୍ତ ଦାସ ଓ ନାତୁଣୀ ପଲ୍ଲବୀ ଦାସଙ୍କଦ୍ୱାରା କରାଯାଉଛି ।

ପୁରସ୍କାର ସମ୍ପାଦନା

  • ପଦ୍ମଶ୍ରୀ - ୧୯୯୨ ଭାରତ ସରକାରଙ୍କଦ୍ୱାରା ପ୍ରଦତ୍ତ
  • କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର, ୧୯୯୨
  • ରାଷ୍ଟ୍ରପତି ପୁରସ୍କାର - ୧୯୭୧ ସଙ୍ଗୀତ ନାଟକ ଏକାଡେମୀ ତରଫରୁ
  • ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର (ଓଡ଼ିଶୀ ନୃତ୍ୟ) - ୧୯୭୦

ଆଧାର ସମ୍ପାଦନା

  1. "ଆଜି ଜନ୍ମଦିନ". sambadepaper.com/. ସମ୍ବାଦ. Archived from the original on ୧୭/୦୩/୨୦୨୧. Retrieved 17 March 2020. {{cite web}}: Check date values in: |archivedate= (help)
  2. "ପଙ୍କଜ ଚରଣ ଦାସ". sambadepaper.com. Archived from the original on ୧୭ ମାର୍ଚ୍ଚ ୨୦୨୧. Retrieved 17 March 2021. {{cite web}}: Check date values in: |archivedate= (help)
  3. "ଆଜି ଜନ୍ମଦିନ". ସମ୍ବାଦ ୧୭/୦୩/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୭. Archived from the original on 21 March 2017. Retrieved 17 March 2017.
  4. He recalls with glee how he was told, "You sang better than a gramophone [record player]. ଗୁରୁ ପଙ୍କଜ ଚରଣ ଦାସ Archived 2013-09-26 at the Wayback Machine.