ନୁର ଇନାୟତ ଖାନ

(ନୂର୍ ଇନାୟତ୍ ଖାଁରୁ ଲେଉଟି ଆସିଛି)

ନୁର-ଉନ-ନିସା-ଇନାୟତ-ଖାନ (ନୁର ଇନାୟତ ଖାନ; ଉର୍ଦ୍ଦୁ : نور عنایت خان, ଇଂରାଜୀ: Noor Inayat Khan) ଜନ୍ମ ୧ ଜାନୁଆରୀ ୧୯୧୪ରେ ଋଷିଆର ସେଣ୍ଟ ପିଟର୍ସବର୍ଗଠାରେ ହେଇଥିଲା[] । ସେ ଭାରତୀୟ ମୂଳର ବ୍ରିଟିଶ ଗୁପ୍ତଚର ଥିଲେ ଓ ଦ୍ୱିତୀୟ ବିଶ୍ୱ‌ଯୁଦ୍ଧ ସମୟରେ ମିତ୍ର ସେନା ପାଇଁ ଗୁପ୍ତଚର ବୃତ୍ତି କରୁଥିଲେ। ବ୍ରିଟିଷ ସେନାରେ ଅପରେସନ ନିର୍ବାହୀ ଭାବେ ପ୍ରଶିକ୍ଷୀତ ନୁର ଦ୍ୱିତୀୟ ବିଶ୍ୱ‌ଯୁଦ୍ଧ ସମୟରେ ନାଜୀ ଅଧିକୃତ ଫ୍ରାନ୍ସରେ ପ୍ରଥମ ବେତାର ଅଧିକାରୀ ଥିଲେ। ଫ୍ରାନ୍ସରେ ସେ ନୋରା ବେକରମାଡେଲିନ ନାମରେ ଜଣାଯାଉଥିଲେ[]

ନୁର ଇନାୟତ ଖାନ
Noor-un-Nisa Inayat Khan c.1943
Nickname(s)'ମାଡେଲିନ' (Callsign: Nurse); 'Jeanne-Marie Renier'; 'ନୋରା ବେକର'
ଜନ୍ମ(1914-01-02)୨ ଜାନୁଆରୀ ୧୯୧୪
ସେଣ୍ଟ ପିଟର୍ସବର୍ଗ, ଋଷିଆ
ମୃତ୍ୟୁ୧୩ ସେପ୍ଟେମ୍ବର ୧୯୪୪(1944-09-13) (ବୟସ ୩୦)
Dachau concentration camp, Germany
ନିଯୁକ୍ତିଦାତା ଯୁକ୍ତରାଜ୍ୟ
ସେବା/ବିଭାଗWomen's Auxiliary Air Force
କାର୍ଯ୍ୟକାଳ୧୯୪୦-୧୯୪୪
ପଦବୀAssistant Section Officer
ସେନା ବିଭାଗSpecial Operations Executive
Cinema
ସଂଘର୍ଷ/ଯୁଦ୍ଧଦ୍ୱିତୀୟ ବିଶ୍ୱଯୁଦ୍ଧ
ପୁରସ୍କାରGeorge Cross
Mentioned in Despatches
Croix de Guerre (France)

ପ୍ରାରମ୍ଭିକ ଜୀବନ

ସମ୍ପାଦନା
 
ଡକାଉ ମେମୋରିଆଲଠାରେ ନୁରଙ୍କ ସ୍ମାରକ

ନୁରଙ୍କ ବାପା ଭାରତୀୟ ଓ ମାଁ ଆମେରିକୀୟ ଥିଲେ। ତାଙ୍କ ବାପା ହଜରତ ଇନାୟତ ଖାନ ୧୮ଶ ଶତାବ୍ଦୀର ମୈସୁର ରାଜ୍ୟର ଶାସକ ଟିପୁ ସୁଲତାନଙ୍କ[] ଅଣନାତି ଥିଲେ। ସେ ଜଣେ ସୁଫି ଧାର୍ମିକ ଗୁରୁ ଓ ସଂଗୀତଜ୍ଞ ଥିଲେ । ନୁରଙ୍କ ମାଆ ଥିଲେ ଅମୀନା ବେଗମ୍ ଓରଫ ଓର ରେ' ବେକର । ଋଷ୍ ବିପ୍ଳବ ଯୋଗୁଁ ହଜରତ ଓ ଅମୀନା ଚାରି ମାସର ନୁରଙ୍କୁ ଧରି ପରିବାର ସ‌ହ ଋଷରୁ ଚାଲିଅସି ଲଣ୍ଡନରେ ବାସ କଲେ । ପୁଣି ପ୍ରଥମ ବିଶ୍ୱଯୁଦ୍ଧ ପରେ ସେମାନେ ଫ୍ରାନ୍ସ ପଳେଇଗଲେ ଓପ୍ୟାରିସରେ ବସବାସ କରିଲେ । ଫଳରେ ତାଙ୍କ ପିଲାମାନେ ଫ୍ରାନ୍ସକୁ ହିଁ ନିଜ ମାତୃଭୂମି ମଣିଲେ ।

ନୂରଙ୍କ ଲେଖିକା ଜୀବନ

ସଙ୍ଗୀତଜ୍ଞଙ୍କ କନ୍ୟା ହୋଇଥିବାରୁ ସେ ପିଆନୋ, ହାର୍ପ ଓ ବୀଣା ବାଦନରେ ପାରଦର୍ଶୀ ଥିଲେ । ତାଙ୍କ ପିତା ସବୁ ଧର୍ମକୁ ସମାନ ଦୃଷ୍ଟିରେ ଦେଖୁଥିଲେ । ତାଙ୍କରି ଆଦର୍ଶରେ ପ୍ରଭାବିତ ନୂର୍ ପରବର୍ତ୍ତୀ ସମୟରେ ଇସଲାମ୍, ଖ୍ରୀଷ୍ଟ, ହିନ୍ଦୁ, ବୌଦ୍ଧ ଧର୍ମ ସଂପର୍କରେ ବ୍ୟାପକ ଅଧ୍ୟୟନ କଲେ । ୧୯୨୭ରେ ପିତୃ ବିୟୋଗ ହେତୁ ୩ ଅନ ଭାଇଭଉଣୀଙ୍କ ଲାଳନପାଳନ ଦାୟିତ୍ୱ ତାଙ୍କ ଉପରେ ପଡ଼ିଲା । ରୋଜଗାର ଲାଗି ସେ ଇଂରାଜୀ ଓ ଫରାସୀ ଭାଷାରେ ପିଲାଙ୍କ ପାଇଁ ପୁସ୍ତକ ରଚନା କଲେ । ତନ୍ମଧ୍ୟରେ ଅଛି ୨୦ଟି ଜାତକ କାହଣୀ ଓ ଗ୍ରୀକ୍ କିମ୍ବଦନ୍ତୀର ପୁନଃଲିଖନ ।

ସେନା ଓ ଗୁପ୍ତଚର ସେବାରେ ଯୋଗଦାନ

ଦ୍ୱିତୀୟ ବିଶ୍ୱଯୁଦ୍ଧ ଅଦ୍ୟକାଳରେ ଜର୍ମାନ ସେନା ଫ୍ରାନ୍ସରେ ପହଞ୍ଚିବାରୁ ନୂରଙ୍କ ପରିବାର ୧୯୪୦ରେ ଇଂଲଣ୍ଡର ଟୁଆର ଚାଲିଗଲେ । ସେହିବର୍ଷ ନଭେମ୍ବରରେ ସେ ସ୍ୱେଚ୍ଛାରେ ଇଂଲଣ୍ଡର ୱିମ୍ୱନସ୍ ଅକ୍ଜିଲିଆରି ଏୟାର ଫୋର୍ସ (WAAF, 1939–48)ରେ ଯୋଗ ଦେଲେ । ସେଠରେ ସେ ୱେୟାରଲେସ୍ ଅପରେଟର୍ ତାଲିମ୍ ନେଲେ । ୧୯୪୦ରେ ବ୍ରିଟିସ୍ ଗୁପ୍ତଚର ସେବା 'ସ୍ପେସିଆଲ ଅପରେସନ୍ ଏକ୍ଜିକ୍ୟୁଟିଭ୍' (SOE) ଗଠନ ହେଲା ଯାହାର କାର୍ଯ୍ୟ ଥିଲା ନାଜୀ ଅଧିକୃତ ଦେଶରେ ଗୁପ୍ତଚରଗିରି କରିବା ଓ ସେଠାର ସ୍ଥାନୀୟ ସ୍ୱାଧିନତା ଆନ୍ଦୋଳଙ୍କାରୀଙ୍କୁ ସହାୟତା ଯୋଗାଇବା । ମହିଳା ଗୁପ୍ତଚର ନିଯୁକ୍ତି ପାଇଁ ୧୯୪୨ରେ ଯୁଦ୍ଧ କ୍ୟାବିନେଟ୍ SOEକୁ ଅନୁମତି ଦେଲେ । ଫ୍ରାନ୍ସ ନିମନ୍ତେ ଉଦ୍ଦିଷ୍ଟ 'ଏଫ୍ ସେକ୍ସନ୍'ରେ ପଦବୀ ପାଇଁ ନୂର୍ ଆବେଦନ କଲେ । ପ୍ରାଞ୍ଜଳ ଫରାସୀ କହିବା ଓ ସିଗନାଲ ବିଦ୍ୟାରେ ଦକ୍ଷତା ଯୋଗୁଁ ସେ ଯୋଗ୍ୟ ବିବେଚିତ ହେଲେ । ନିଜ ମାତୃଭୂମିର ଦୁର୍ଦ୍ଦଶା ତାଙ୍କୁ ବ୍ୟତିବ୍ୟସ୍ତ କରି ଦେଉଥିଲା ।

ଗୁପ୍ତଚର ବୃତ୍ତି ଓ ଶେଷ ଜୀବନ

ନୂର୍ ଯୁଦ୍ଧ, ସାଙ୍କେତିକ ଭାଷା, ଅସ୍ତ୍ରଚାଳନା ଆଦି କୌଶଳ ଯଦିଓ ଶିଖିଲେ ମାତ୍ର ନିଜର ଭଦ୍ର ଓ ନମ୍ର ସ୍ୱଭାବ ତଥା ଖେଳକସରତରେ ଅପାରଦର୍ଶିତା ଯୋଗୁଁ ଗୁପ୍ତଚରଗିରି ପାଇଁ ଅନୁପଯୁକ୍ତ ହେଲେ । ତେବେ ୱେୟାରଲେସ୍ ଚଳାଇବାରେ ତାଙ୍କର ଅତୁଳନୀୟ ଦକ୍ଷତା ଏବଂ ତତ୍କାଳୀନ ଫ୍ରାନ୍ସରେ ୱେୟାରଲେସ୍ ଅପରେଟରଙ୍କ ସଂଖ୍ୟା ନଗଣ୍ୟ ଥିବାରୁ ତାଙ୍କୁ ଚୟଣ କରାଗଲା । ୧୯୪୩ ମସିହା ଜୁନ୍ ୧୬ ତାରିଖରେ ସେ ପ୍ରଥମ ମହିଳା ୱେୟାରଲେସ୍ ଅପରେଟର ଭାବେ ବ୍ରିଟେନ ତାଙ୍କୁ ଜର୍ମାନ ଅଧିକୃତ ଫ୍ରାନ୍ସକୁ ପଠାଇଲା । ଆଉ ତିନିଜଣ ଗୁପ୍ତଚରଙ୍କ ସହ ନୂର୍ ଫ୍ରାନ୍ସର ଉତ୍ତରପଶ୍ଚିମ ପ୍ରାନ୍ତ ଅନ୍ତର୍ଗତ ଗୋଟିଏ ବଡ଼ ପଡ଼ିଆରେ ପହଞ୍ଚିଲେ । ସେଠାରେ ସେ ନାଜି ସେନାର ଦବଲ୍ ଏଜେଣ୍ଟ ବୋଲି କୁହାଯାଉଥିବା ହେନେରି ଡେରିକୋର୍ଟଙ୍କୁ ଭେଟିଲେ । ହେନେରି ସାଇକେଲ ଯୋଗାଇଦେବାରୁ ନୂର ସାଇକେଲରେ ଆଙ୍ଗର ଯାଇ ସେଠୁ ପ୍ୟାରିସକୁ ଟ୍ରେନ ଯାତ୍ରା କଲେ । ପ୍ୟାରିସରେ ସେ 'ପ୍ରସ୍ପର' ନେଟୱାର୍କରେ ଯୋଗ ଦେଲେ । ମାତ୍ର ଦୁର୍ଭାଗ୍ୟବଶତଃ ଜର୍ମାନ୍ ୧୦ ଦିନ ଭିତରେ 'ପ୍ରସ୍ପର' ନେଟୱାର୍କ ଆକ୍ରମଣ କରି ୩ ପ୍ରମୁଖ ନେତାଙ୍କୁ ଗିରଫ କରି ଭୀଷଣ ନିର୍ଯ୍ୟାତନା ଦେଲେ । ସେଇମାନଙ୍କ ସୂଚନା ଆଧାରରେ ତାଙ୍କର ବହୁ ସହଯୋଗୀ ଗିରଫ ହେଲେ । କେବଳ ବଞ୍ଚି ଯାଇଥିଲେ ନୂର୍ ।

ଇତି ମଧ୍ୟରେ ୪ ମାସ ଯାଏଁ ଜର୍ମାନ ସେନା ନୂରଙ୍କ ସଂପର୍କରେ କିଛି ବି ଜାଣି ପାରିଲା ନାହିଁ । ସେଇ ସମୟ ଭିତରେ ନୂର୍ ମଧ୍ୟ ବହୁ ତଥ୍ୟ ଯୋଗାଇ ଦେଲେ । ବାରମ୍ବାର ଜର୍ମାନ ପୋଲିସ ହାତରୁ ଖସି ଯାଇ ଶେଷରେ ୧୯୪୩ ଅକ୍ତୋବର ୧୩ ତାରିଖରେ ଗିରଫ ହେଲେ । ନଭେମ୍ବର ଯାଏଁ ପ୍ୟାରିସର ୮୪ ଆଭେନ୍ୟୁ ଫସ୍ ଠାରେ ତାଙ୍କୁ ରଖି ନାଜି ଗୁଇନ୍ଦା ଓ ପୁଲିସ ଗେଷ୍ଟାପୋ ତାଙ୍କୁ ଜେରା କଲେ । କିନ୍ତୁ କିଛି ସୂଚନା ପାଇଲେ ନାହିଁ । ନଭେମ୍ବର ୨୫ରେ ନୂର୍ ଏସ୍ ଓ ଇ ସ ହକର୍ମୀ ଜନ୍ ରେନସ ଷ୍ଟାର୍ ଓ ଫରାସୀ ସ୍ୱାଧିନତା ସଂଗ୍ରାମୀ ଲିଓନ ଫେୟଙ୍କ ସହିତ ଖସି ପଳାଇଲେ । ମାତ୍ର ଧରାପଡ଼ିବାରୁ ତାଙ୍କୁ ଫର୍ଜହାଇମ୍ ଜେଲରେ ରଖାଗଲା । ତାଙ୍କ ହାତଗୋଡ଼ରେ ବେଡ଼ି ପକାଯାଇ ଜେଲର ନିଭୃତ କୋଠରୀରେ ଦୀର୍ଘ ୧୦ ମାସ ଧରି ଅକଥନୀୟ ନିର୍ଯ୍ୟାତନା ଦିଆଗଲା । ଶେଷରେ ୧୯୪୪ ମସିହା ସେପ୍ଟେମ୍ବର ୧୨ ତାରିଖରେ ତାଙ୍କୁ ଡାକାଉ କନସେଣ୍ଟ୍ରେସନ୍ କ୍ୟାମ୍ପକୁ ନିଆଗଲା । ତା' ପରଦିନ ସକାଳୁ ଆଉ ୩ ଜଣ ମହିଳା ଗୁପ୍ତଚରଙ୍କ ସହ ତାଙ୍କୁ ଗୁଳିମାରି ହତ୍ୟା କରାଗଲା । କୁହାଯାଏ ମୃତ୍ୟୁ ସମୟରେ ତାଙ୍କ ମୁଖନିଃସୃତ ଶେଷ ଶବ୍ଦଟି ଥିଲା 'ସ୍ୱାଧିନତା ବା ମୁକ୍ତି' ।

ତାଙ୍କ ସଂପର୍କରେ କିଛି ବିଶେଷ କାର୍ଯ୍ୟକ୍ରମ

ପ୍ୟାରିସରେ ନୂରଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ବାଷ୍ଟାଇଲ ଦିବସରେ ତାଙ୍କ ବାଲ୍ୟକାଳର ବାସଭବନ ସମ୍ମୁଖରେ ବୀରବାଦ୍ୟ ବାଦନ କରାଯାଏ । ତାଙ୍କ ନାମାନୁସାରେ ସ୍ୟୁହେନାରେ ଗୋଟିଏ ବିଦ୍ୟାଳୟର ନାମକରଣ କରାଯାଇଛି । ୨୦୧୨ରେ ଲଣ୍ଡନର ବ୍ଲୁମସବରିସ୍ଥିତ ଗାର୍ଡେନ ସ୍କୋୟାର ଗାର୍ଡେନରେ ପ୍ରିନସେସ୍ ରୟାଲ୍ ଆନି ନୂରଙ୍କ ଏକ ଆବକ୍ଷ ପ୍ରତିକୃତି ଉନ୍ମୋଚନ କରିଥିଲେ । ୨୦୧୮ରେ ୫୦ ପାଉଣ୍ଡ ବିଶିଷ୍ଟ ବ୍ରିଟିସ୍ ନୋଟରେ ତାଙ୍କ ଫଟୋ ଛପାଯାଇଥିଲା । ତାଙ୍କ ଅପ୍ରକାଶିତ ଲେଖାଗୁଡ଼ିକ 'ଡ୍ରିମ୍ ଫ୍ଲାୱାରସ' ନାମରେ ସଂକଳିତ ହୋଇଥିଲା । ତାଙ୍କ ଉପରେ ଅନେକ ପୁସ୍ତକ, ଚଳଚ୍ଚିତ୍ର, ନାଟକ ଓ ପ୍ରାମାଣିକ ଚିତ୍ର ନିର୍ମାଣ କରାଯାଇଛି । ନୂର୍-ଉନ୍-ନିସା ଇନାୟତ୍ ଖାଁ ଓରଫ୍ ନୂର୍ ଇନାୟତ୍ ଖାଁ ଓରଫ୍ ନୋରା ବେକର୍ ଅଥବା କୋଡ଼୍ ନାଁ 'ମାଡେଲିନ'ଙ୍କ ବାଲ୍ୟକାଳରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଘଟଣା ବର୍ଣ୍ଣନା କରି ଭାରତୀୟ ସାମ୍ବାଦିକା ଓ ଐତିହାସିକା ଶ୍ରାବଣୀ ବସୁ ୨୦୦୬ରେ 'ସ୍ପାଏ ପ୍ରିନସେସ୍ : ଦି ଲାଇଫ୍ ଅଫ୍ ନୂର୍ ଇନାୟତ୍ ଖାଁ' ନାମରେ ପୁସ୍ତକଟିଏ ରଚନା କରିଛନ୍ତି ।[]

ସମ୍ମାନ

ସମ୍ପାଦନା
  • ବ୍ରିଟେନଦ୍ୱାରା ନୁରଙ୍କୁ ମରଣୋତ୍ତର ୧୯୪୯ ମସିହାରେ ଜର୍ଜ କ୍ରସ ସମ୍ମାନରେ ସମ୍ମାନିତ କରାଯାଇଥିଲା।[][]
  • ଫ୍ରାନ୍ସଦ୍ୱାରା ସର୍ବୋଚ୍ଚ ସମ୍ମାନ- କ୍ରୋକ୍ସ ଡ଼ି ଗେୟରରେ ସମ୍ମାନିତ କରାଯାଇଥିଲା।[]
  • ମେସଣ୍ଡ ଇନ ଡିସ୍ପୈଚିଜ (ବ୍ରିଟିଶ ବିରତ୍ୱ ସମ୍ମାନ)
  1. ୧.୦ ୧.୧ "Noorunissa Inayat-Khan". The Message of Hazrat Inayat Khan. 2016. Retrieved 5 June 2016.
  2. "Tomb of Hazrat Inayat Khan". Delhi Information. 2016. Retrieved 5 June 2016.
  3. "| SambadEpaper". sambadepaper.com. Retrieved 2024-10-01.
  4. "George Cross, George Medal and the Medal of the Order of the British Empire (military): Air Ministry recommendation to the Selection Committee and correspondence (Assistant Section Officer Nora Inayat-Khan, Women's Auxiliary Air Force)", T 351/47, National Archives, Kew.
  5. "Noor Inayat Khan" (in English). Spatracrooss Publication. Retrieved 1 April 2014. {{cite web}}: Unknown parameter |trans_title= ignored (|trans-title= suggested) (help)CS1 maint: unrecognized language (link)
  6. "Noor Inayat Khan: Life of a Spy Princess" (in English). BBC. Archived from the original on 14 January 2011. {{cite web}}: Unknown parameter |trans_title= ignored (|trans-title= suggested) (help)CS1 maint: unrecognized language (link)