ଦେବାଦେବୀଙ୍କ ମନ୍ଦିରର ନୃତ୍ୟାଙ୍ଗନାମାନଙ୍କୁ ଦେବଦାସୀ କୁହାଯାଏ । ରାଜସଭାର ରାଜ ନର୍ତ୍ତକୀମାନଙ୍କ ଅନୁକରଣରେ ବିଭିନ୍ନ ମନ୍ଦିରରେ ଦେବଦାସୀ ପ୍ରଥାର ପ୍ରଚଳନ। ମର୍ତ୍ତ୍ୟରେ ଦେବତାମାନଙ୍କ ପ୍ରତି ଏମାନଙ୍କ ନୃତ୍ୟ ଓ ଜୀବନଶୈଳୀ ଉତ୍ସର୍ଗ । ଏହି ପୁରାତନ ପ୍ରଥା ରାଜ୍ୟ, ଦେଶ ଓ ବିଶ୍ୱର ବହୁମନ୍ଦିରରେ ପ୍ରଚଳିତ ଥିଲା । ପରବର୍ତ୍ତୀ ସମୟରେ ଏହି ଦିବ୍ୟାନୁଭୂତି ସମର୍ପିତ କଳା ଲୁପ୍ତପ୍ରାୟ ହେବାକୁ ବସିଲାଣି ।

୧୯୨୦ମସିହାରେ ଉଠାଯାଇଥିବା ଦୁଇ ଜଣ ଦେବଦାସୀଙ୍କ ଫୋଟଚିତ୍ର

ଇତିହାସସମ୍ପାଦନ କରନ୍ତୁ

ମନ୍ଦିର ଗୁଡ଼ିକରେ ଦେବଦାସୀ ପ୍ରଥା କେବଳ ଭାରତରେ ନୁହେଁ ପୃଥିବୀର ଅନ୍ୟାନ୍ୟ ଦେଶରେ ଯଥା ଗ୍ରୀସର ଭେନସ ଦେବୀଙ୍କ ମନ୍ଦିରରେ, ମିଶରର ଓରିସସ୍ ଓ ଆଇରିସ୍ ମନ୍ଦିରରେ ପ୍ରଚଳିତ ଥିଲା । ସୌରାଷ୍ଟ୍ରର ପ୍ରଖ୍ୟାତ ସୋମନାଥ ମନ୍ଦିରରେ ଚତୁର୍ଥ/ପଞ୍ଚମ ଶତାବ୍ଦୀରେ ମହାଦେବଙ୍କ ସମ୍ମୁଖରେ ଦେବଦାସୀମାନେ ତାଣ୍ଡବ ନୃତ୍ୟ କରୁଥିଲେ । ଦାକ୍ଷିଣାତ୍ୟର ଚୋଳ, ଚାଲୁକ୍ୟ, ରାଷ୍ଟ୍ରକୂଟ ଓ ପଲ୍ଲବ ବଂଶୀୟ ରାଜାମାନେ ଶିବ ଓ ବିଷ୍ଣୁ ମନ୍ଦିରରେ ନୃତ୍ୟାଙ୍ଗନା ଦେବଦାସୀ ନିଯୁକ୍ତ କରିବାର ପ୍ରମାଣ ମିଳେ । ଓଡ଼ିଶାରେ ଅଷ୍ଟମ ଶତାବ୍ଦୀରେ ଉଦ୍ୟତକେଶରୀଙ୍କ ମାତା କଳାବତୀଙ୍କଦ୍ୱାରା ନିର୍ମିତ ଭୁବନେଶ୍ୱରସ୍ଥ ବ୍ରହ୍ମେଶ୍ୱର ଶିବ ମନ୍ଦିରର ଶିଳାଲେଖା ଅନୁଯାୟୀ ଶିବଙ୍କ ଆଗରେ ଦେବଦାସୀମାନେ ନୃତ୍ୟ କରୁଥିଲେ । ତତ୍‌ପୂର୍ବରୁ ଭାରତୀୟ ସମାଜର ନଗର ଓ ଜନପଦରେ ନଗରବଧୂଙ୍କ ନୃତ୍ୟ ଆଦର ଲାଭ କରିଥିଲା । ଅଷ୍ଟମ ଶତାବ୍ଦୀରେ ତନ୍ତ୍ର ସାଧକଙ୍କଦ୍ୱାରା ବାମାଚାରୀ ତାନ୍ତ୍ରିକମାନେ ସର୍ବପ୍ରଥମେ ନାରୀଙ୍କଦ୍ୱାରା ଅଭିଚାରିତ କର୍ମ ସମ୍ପାଦନ କରୁଥିଲେ । ମର୍ତ୍ତ୍ୟରେ ମଧ୍ୟ ଦେବତାମାନଙ୍କ ପ୍ରତି ଉତ୍ସର୍ଗୀକୃତ ଥିଲେ ଦେବଦାସୀମାନେ । ‘ବାଚସ୍ପତ୍ୟମ୍’ ଗ୍ରନ୍ଥରେ ଲେଖାଅଛି, ‘ଦେବଂ ଇନ୍ଦ୍ରିୟଂ ଯାସ୍ମୋତିଦାସ ବଧେୟଣ୍- ଦେବାୟ କ୍ରୀଡ଼ାତୈ ଦାସିକ’ । ଅର୍ଥାତ୍ ଯେଉଁ ଅଙ୍ଗନାମାନେ ନିଜର ବାସନା ବା ଇନ୍ଦ୍ରିୟକୁ ଦମନ କରି ନିଜକୁ ଦେବତାଙ୍କ କ୍ରୀଡ଼ାରେ ନିଯୁକ୍ତ କରିଥାନ୍ତି, ସେମାନେ ହେଲେ ଦେବଦାସୀ । ବୈଷ୍ଣବୀୟ ମତରେ ଦେବଦାସୀମାନେ ହେଲେ ଭଗବାନଙ୍କ ନିତ୍ୟରାସର ଆହ୍ଲାଦିନୀ ଶକ୍ତି ରାଧାଙ୍କ ବିକଳ୍ପ ।

ଓଡ଼ିଶାରେ ଦେବଦାସୀ ପରମ୍ପରାସମ୍ପାଦନ କରନ୍ତୁ

ଓଡ଼ିଶାର ଅନେକ ପ୍ରାଚୀନ ମନ୍ଦିରମାନଙ୍କରେ ଦେବଦାସୀ ପ୍ରଥାର ପ୍ରଚଳନ ଥିଲା । ଉଭୟ ଶୈବ ଓ ବୈଷ୍ଣବ ଦେଉଳଗୁଡ଼ିକରେ ଦେବଦାସୀ ସେବା ଥିଲା । କେଶରୀ ବଂଶର ରାଜା ଉଦ୍ୟୋତ କେଶରୀଙ୍କ ମାତା କଳାବତୀ ଦେବୀ ଭୁବନେଶ୍ୱରସ୍ଥ ବ୍ରହ୍ମେଶ୍ୱର ଦେଉଳ ନିର୍ମାଣ କରିଥିବା ଜଣାଯାଏ । ବ୍ରହ୍ମେଶ୍ୱର ମନ୍ଦିରର ଶିଳାଲିପିରେ ସେବା ନିମିତ୍ତ ଦେବଦାସୀମାନଙ୍କୁ ଉତ୍ସର୍ଗ କରାଯିବା ବିଷୟ ବର୍ଣ୍ଣିତ ହୋଇଛି । ଏହା ଛଡ଼ା ଭୁବନେଶ୍ୱର ସ୍ଥିତ ମେଘେଶ୍ୱର ଦେଉଳ, ନିଆଳୀର ଶୋଭନେଶ୍ୱର ଦେଉଳ, ଭୁବନେଶ୍ୱରର ଅନନ୍ତ ବାସୁଦେବ ଦେଉଳ ଓ ପୁରୀର ଶ୍ରୀମନ୍ଦିରରେ ମଧ୍ୟ ଦେବଦାସୀ ନୃତ୍ୟ ସେବା ଥିବାର ବଳିଷ୍ଠ ପ୍ରମାଣ ରହିଛି ।[୧]

ଜଗନ୍ନାଥ ମନ୍ଦିରରେ ଦେବଦାସୀ ପରମ୍ପରାସମ୍ପାଦନ କରନ୍ତୁ

ଚନ୍ଦ୍ରଦତ୍ତଙ୍କ ଭକ୍ତିମାଳା ଗ୍ରନ୍ଥରେ ଉଲ୍ଲେଖ ଅଛି : ‘ଦେବ ଦେବ ଜଗନ୍ନାଥ ଦେବଶର୍ମା ବ୍ରବିଦ୍ ବତଃ ଦେବ ଦେବ ଜଗନ୍ନାଥ ପ୍ରସାଦ ଫଳିତୋ ମମ । ପ୍ରଥମ ତନୟା ଜାତା ପୁତ୍ରାସୁ ତଦରନ୍ତରମ୍ ଅତି ପ୍ରତିଶ୍ରୁତାଂ କନ୍ୟା କଦାପି ପ୍ରତିଗୃହୀତମ୍ ’ ।

ଏଥିରୁ ଜଣାଯାଏ ଦାକ୍ଷିଣାତ୍ୟର ଦେବଶର୍ମା ନାମକ ଜନୈକ ବ୍ରାହ୍ମଣ, ପୁତ୍ର ଲାଭ ପାଇଁ ନିଜର ପ୍ରଥମ କନ୍ୟା ପଦ୍ମାବତୀଙ୍କୁ ଦେବଦାସୀ ରୂପେ ଜଗନ୍ନାଥଙ୍କୁ ସମର୍ପଣ କରିଥିଲେ । ଓଡ଼ିଶାକୁ ଗଙ୍ଗବଂଶୀୟ ରାଜାମାନେ ଅଧିକାର କଲାବେଳେ ଏକାଦଶ ଶତାବ୍ଦୀରେ ଏହି ଦେବଦାସୀ ପ୍ରଥା ପୁରୀମନ୍ଦିରରେ ପ୍ରଚଳିନ କରିଥିଲେ । ସେମାନେ ଦାକ୍ଷିଣାତ୍ୟର ଲୋକ ହୋଇଥିବାରୁ ଏହି ପ୍ରଥା ଦାକ୍ଷିଣାତ୍ୟରୁ ଆସିଥିଲା ବୋଲି ଅନେକ ମନେ କରନ୍ତି । ରାଜା ଚୋଡ଼ଗଙ୍ଗଦେବ ସମ୍ଭବତଃ ଥିଲେ ଜଗନ୍ନାଥ ମନ୍ଦିରରେ ମାହାରୀ ନୃତ୍ୟର ପ୍ରବର୍ତ୍ତକ । ମାଦଳା ପାଞ୍ଜିକୁ ଛାଡ଼ିଦେଲେ ଜଗନ୍ନାଥଙ୍କ ମନ୍ଦିରରେ ଦେବଦାସୀ ପ୍ରଥା ପ୍ରଚଳନର ପ୍ରଥମ ଲିଖିତ ପ୍ରମାଣଟି ମିଳେ ଦିଲ୍ଲୀର ସୁଲତାନ ଫିରୋଜ ଶାହ ତୋଗଲକଙ୍କ ୧୩୬୧ ମସିହାରେ ଓଡ଼ିଶା ଆକ୍ରମଣ ବିବରଣୀରୁ ।

ଶ୍ରୀମନ୍ଦିରର ଜୟବିଜୟ ଦ୍ୱାରରେ ଗଜପତି ପ୍ରତାପରୁଦ୍ର ଦେବଙ୍କ ଶିଳାଲେଖ ରହିଛି । ଏହା ୧୪୯୯ ଖ୍ରୀଷ୍ଟାବ୍ଦରେ ଆଦେଶ ପ୍ରଦାନ ପୂର୍ବକ ଉତ୍କୀର୍ଣ୍ଣ କରାହୋଇଥିଲା ; ଓଡ଼ିଆ ଲିପିରେ ଲିଖିତ । ଏଥିରେ ଗୀତଗୋବିନ୍ଦ ଗାନ ଓ ଦେବଦାସୀ ସଂକ୍ରାନ୍ତରେ ସୂଚନା ରହିଛି । ଦୀର୍ଘ ଦଶଧାଡ଼ିର ଏହି ଶିଳାଲେଖରେ ଉଲ୍ଲିଖିତ ଅଛି ଯେ :

ବୀରଶ୍ରୀ ଗଜପତି ଗଉଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବରଗେସର ବୀରବର ପ୍ରତାପରୁଦ୍ରଦେବ । ମହାରାଜାଙ୍କର ସମସ୍ତ ୪ ଅଙ୍କ ଶ୍ରାହା କକଡ଼ା ସୁ୧୦ ବୁଧବାରେ ଅବଧାରିତ ହୋଇ ଆଇ ଗାଁ ପ୍ରମାଣେ ବଡ଼ଠାକୁରଙ୍କ ଗୀତଗୋବିନ୍ଦ ଠାକୁରେ ଭୋଗବେଳେ ଏ ନାଟ ହୋଇବ ସଞ୍ଜଧୂପ ସରିଲାରୁ ବଡ଼ସିଂହାର ପରିଜନ୍ତେ ଏ ନାଟ ହୋଇବ । ବଡ଼ ଠାକୁରଙ୍କ ସଂପରଦା କପିଳେଶ୍ୱର ଠାକୁରଙ୍କୁ ବନ୍ଧା ନାଚଣୀମାନେ ପୁରୁଣା ସମ୍ପରଦା ତେଲଙ୍ଗୀ ସମ୍ପରଦା ଏମାନେ ସବିହେ ବଡ଼ଠାକୁରଙ୍କୁ ଗୀତଗୋବିନ୍ଦୁ ହୁ ଆନଗୀତ ନ ଶିଖିବେ । ଆନଗୀତ ନ ଗାଇବେ ଆନ ନାଟ ହୋଇ ପରମେଶ୍ୱରଙ୍କ ଛାମୁରେ ନ ହବ ଏ ନାଟ ବିତରକେ ବୈଷ୍ଣବଗାଆଣ ଚାରିଜଣ ଅଛନ୍ତି ଏମାନେ ଗୀତଗୋବିନ୍ଦ ଗୀତ ହିଁ ଗାଇବେ । ଏହାଙ୍କଠାରୁ ଅଶିକ୍ଷିତମାନେ ଏକସ୍ୱରରେ ଶୁଣି ଗୀତଗୋବିନ୍ଦ ହିଂ ଶିଖିବେ ଆନଗୀତ ନ ଶିଖିବେ ଏହା ଯେ ପରୀକ୍ଷା ଆନଗୀତନାଟ କରାଇଲେ ଜାଣି ସେ ଜଗନ୍ନାଥଙ୍କ ଦ୍ରୋହ କରଇ ।

ଦିଅଁମାନଙ୍କ ବଡ଼ସିଂହାର ବେଶ କାଳରେ ଏହି ସମସ୍ତ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିଲା । ଜୟଦେବଙ୍କ ଗୀତଗୋବିନ୍ଦ ଦେବଦାସୀମାନଙ୍କ ନୃତ୍ୟ ଓ ଗୀତର ପ୍ରଧାନ ସମ୍ପଦ ଥିଲା ।[୧] ଏହା ଛଡ଼ା ପରବର୍ତ୍ତୀ ସମୟରେ ଓଡ଼ିଶାର ବିଭିନ୍ନ ପ୍ରାଚୀନ କବିମାନଙ୍କ ରଚିତ ଚଉପଦୀ, ଚମ୍ପୂ, ଛାନ୍ଦ, ଭଜନ, ଜଣାଣ ଆଦି ଓଡ଼ିଶୀ ସଙ୍ଗୀତ ମଧ୍ୟ ଦେବଦାସୀ ବା ମାହାରୀମାନେ ପରିବେଷଣ କରୁଥିଲେ ।

ଚୈତନ୍ୟଦେବଙ୍କ ସମୟରେ ଏହାର ପ୍ରଚଳନ ଥିଲା ବୋଲି ଜାଣିବାକୁ ମିଳେ ‘ଚୈତନ୍ୟ ଚରିତାମୃତରୁ’ । ଏହି ଗ୍ରନ୍ଥରେ ଅଛି, ‘ଜଗନ୍ନାଥ ମନ୍ଦିରତେ ଗାୟିକା ନର୍ତ୍ତକୀ... ସେଇ କାଳେ ଦେବାଦୀ ଲାଗିଲା ଗାଇତେ ।’ ଓଡ଼ିଶୀ ନୃତ୍ୟ ବା ମାହାରୀ ନୃତ୍ୟ ହେଉଛି ଉତ୍କଳୀୟ ସଂସ୍କୃତିର ଏକ ପ୍ରମୁଖ ଅଙ୍ଗ, ଓଡ଼ିଆ ଜାତିର ଏକ କଳାତ୍ମକ ବୈଶିଷ୍ଟ୍ୟ । ଏହି ନୃତ୍ୟକୁ ଓଡ଼ିଶାରେ କେବଳ ଦେବଦାସୀମାନେ ନୁହନ୍ତି, ଗୋଟିପୁଅମାନେ ବି ବଞ୍ଚାଇ ରଖିଥିଲେ । ଏହା ଆଜି ମନ୍ଦିର ବା ରାଜବାଟୀରେ ମଧ୍ୟରେ ଆବଦ୍ଧ ନୁହେଁ । ସାରା ବିଶ୍ୱରେ ଏହି ନୃତ୍ୟ ଆଦର ଲାଭ କରିଛି । ଦେବଦାସୀ ପ୍ରଥାର ଅବସାନ ଘଟିଥିଲେ ସୁଦ୍ଧା ସେମାନଙ୍କ ନୃତ୍ୟ ପରମ୍ପରା ବିଲୁପ୍ତ ହୋଇନାହିଁ ।[୨]

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ଓଡ଼ିଆ ରାସ ପରମ୍ପରା, ଡଃ ପ୍ରଦୀପ୍ତ କୁମାର ପଣ୍ଡା । ବୁକ୍ସ ଏଣ୍ଡ୍ ବୁକ୍ସ, ବିନୋଦବିହାରୀ, କଟକ । ୧୯୯୦ ସଂସ୍କରଣ ।
  2. ଅଶୋକ କୁମାର ପଟ୍ଟନାୟକ, ସଂଚାର, ଶୁକ୍ରବାର ୧୨ ଜୁଲାଇ ୨୦୧୩

ବାହାର ତଥ୍ୟସମ୍ପାଦନ କରନ୍ତୁ