ଦୁଧସାଗର ଜଳପ୍ରପାତ

ଦୁଧସାଗର ଜଳପ୍ରପାତ (ଦୁଧସାଗର ନାମର ଅର୍ଥ କ୍ଷୀରର ସମୁଦ୍ର) ଏକ ଚତୁଃସୋପାନ ବିଶିଷ୍ଟ ଜଳପ୍ରପାତ । ଭାରତର ଗୋଆ ରାଜ୍ୟରେ ପ୍ରବାହିତ ମଣ୍ଡୋଭୀ ବା ମାଣ୍ଡୋଭୀ ନଦୀ ଶଯ୍ୟାରେ ଏହି ଜଳପ୍ରପାତ ଅବସ୍ଥିତ । ଗୋଆର ରାଜଧାନୀ ପାଣାଜୀଠାରୁ ସଡ଼କପଥରେ ଏହି ଜଳପ୍ରପାତର ଦୂରତା ପ୍ରାୟ ୬୦ କିଲୋମିଟର୍ । ମଡ଼ଗାଓଁ-ବେଲ୍‍ଗାଭି ରେଳପଥରେ ମଡ଼ଗାଓଁଠାରୁ ୪୬ କିଲୋମିଟର୍ ପୂର୍ବ ଦିଗରେ ଓ ବେଲ୍‍ଗାଭିଠାରୁ ୮୦ କିଲୋମିଟର୍ ଦକ୍ଷିଣ ଦିଗରେ ଦୁଧସାଗର ଜଳପ୍ରପାତ ଅବସ୍ଥିତ । ୩୧୦ ମିଟର୍ (୧୦୧୭ ଫୁଟ୍) ଉଚ୍ଚ ଓ ୩୦ ମିଟର୍ (୧୦୦ ଫୁଟ୍) ପ୍ରସ୍ଥ ବିଶିଷ୍ଟ ଦୁଧସାଗର ଭାରତର ଉଚ୍ଚତମ ଜଳପ୍ରପାତମାନଙ୍କ ମଧ୍ୟରେ ଅନ୍ୟତମ ।

ଦୁଧସାଗର ଜଳପ୍ରପାତ
ଅଗଷ୍ଟ ମାସରେ ଦୁଧସାଗର ଜଳପ୍ରପାତରେ ପ୍ରବାହ
ଅବସ୍ଥାନଗୋଆ
ପ୍ରକାରସୋପାନ ଜଳପ୍ରପାତ (୪ଟି ସୋପାନ)
ଉଚ୍ଚତା୩୨୦ ମି. (୧୦୧୭ ଫୁଟ୍)
ଖାଲମାନଙ୍କ ସଂଖ୍ୟା
ଝରଣାମାଣ୍ଡୋଭୀ ନଦୀ
ଦୁଧସାଗର ଜଳପ୍ରପାତର ନିମ୍ନାର୍ଦ୍ଧ

ପଶ୍ଚିମ ଘାଟ ପର୍ବତମାଳାରେ ରହିଥିବା ଭଗବାନ ମହାବୀର ଅଭୟାରଣ୍ୟ ଓ ମୋଲ୍ଲେମ୍ ଜାତୀୟ ଉଦ୍ୟାନର ସୀମା ମଧ୍ୟରେ ଏହି ଜଳପ୍ରପାତ ବିଦ୍ୟମାନ । ଦୁଧସାଗର ଜଳପ୍ରପାତ କର୍ଣ୍ଣାଟକଗୋଆ ରାଜ୍ୟଦ୍ୱୟଙ୍କ ଭୌଗୋଳିକ ସୀମାରେଖା ନିରୂପଣ କରିଥାଏ । ଦୁଧସାଗରର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ପର୍ଣ୍ଣମୋଚୀ ଅରଣ୍ୟ ଓ ଜୈବ ବିବିଧତାରେ ଭରା । ଶୁଷ୍କ ଋତୁରେ ଜଳପ୍ରପାତଟି ସେତେ ସୁନ୍ଦର ଦେଖାଯାଏ ନାହିଁ । କିନ୍ତୁ ବର୍ଷା ଋତୁରେ ଜଳାଧିକ୍ୟ ଓ ସ୍ରୋତର ପ୍ରଖରତା ଯୋଗୁଁ ଜଳପ୍ରପାତ ଅପୂର୍ବ ଶୋଭା ବହନ କରିଥାଏ ।

ଯାତାୟତ ସମ୍ପାଦନା

 
ଆଣ୍ଟୋନିଓ ଲୋପେଜ୍ ମେଣ୍ଡେସ୍‍ଙ୍କ ଅଙ୍କିତ ଚିତ୍ରରେ ଦୁଧସାଗର ଜଳପ୍ରପାତ (୧୮୫୦-୧୮୬୦ ଦଶନ୍ଧିର ଚିତ୍ର)

ଦୁଧସାଗର ଜଳପ୍ରପାତର ନିକଟତମ ରେଳଷ୍ଟେସନ ହେଉଛି କ୍ୟାସେଲ୍ ରକ୍ ରେଳଷ୍ଟେସନ । ପର୍ଯ୍ୟଟକମାନେ କ୍ୟାସେଲ୍ ରକ୍ ଷ୍ଟେସନରୁ ରେଳଗାଡ଼ି ଯୋଗେ ଦୁଧସାଗରଠାରେ ଓହ୍ଲାଇ ପାରିବେ । ପ୍ରକୃତରେ ଦୁଧସାଗର ଏକ ରେଳଷ୍ଟେସନ ନୁହେଁ ; ତେଣୁ ଏଠାରେ କୌଣସି ପ୍ଲାଟଫର୍ମ ନାହିଁ । ନିଜ ଗତିପଥରେ ରେଳଗାଡ଼ି ପ୍ରପାତ ସମ୍ମୁଖରେ ୧-୨ ମିନିଟ୍ ପାଇଁ ଅଟକିଥାଏ । ଏହି ସମୟରେ ପର୍ଯ୍ୟଟକଙ୍କୁ ରେଳରୁ ସିଧା ଭୂମିରେ ଓହ୍ଲାଇବାକୁ ହୁଏ । ରେଳ ଅଟକୁଥିବା ସ୍ଥାନରୁ ରେଳଧାରଣା ଉପରେ ପ୍ରାୟ ୧ କିଲୋମିଟର୍ ଚାଲିବା ପରେ ଜଳପ୍ରପାତର ଦର୍ଶନ ମିଳେ । ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ହେଲେହେଁ ଚାଲି ଚାଲି ପ୍ରପାତ ନିକଟକୁ ଯିବା ପର୍ଯ୍ୟଟକଙ୍କ ଆଶାର ବିପରୀତ ଥାଏ । ପୁଣି ପଥରେ ଏକ ୨୦୦ ମିଟର୍ ଲମ୍ବା ରେଳ ସୁଡ଼ଙ୍ଗ ମିଳେ ଯାହା ସମ୍ପୂର୍ଣ୍ଣ ରୂପେ ଅନ୍ଧକାରମୟ । ଏହା ପଦଯାତ୍ରାରେ ଅଳ୍ପ କଷ୍ଟ ଓ ଅସନ୍ତୋଷ ଯୋଗ କରିଥାଏ । ଭାରତୀୟ ରେଳ ବିଭାଗ ଦୁଧସାଗର ନିକଟରେ ରେଳଗାଡ଼ିରୁ ଲୋକଙ୍କ ଓହ୍ଲାଇବା ଓ ଚଢ଼ିବା ଉପରେ ନିଷିଦ୍ଧାଦେଶ ଜାରୀ କରିଛନ୍ତି ।[୧] ପୁଣି ଦୁଧସାଗର ଓ ତାହା ନିକଟବର୍ତ୍ତୀ ଅଞ୍ଚଳରେ ସ୍ୱଚ୍ଛ ମଧୁର ପାନୀୟ ଜଳ, ସୁଲଭ ଶୌଚାଳୟ, ବିଦ୍ୟୁତ୍ ଶକ୍ତି ବା ମୋବାଇଲ୍ ସିଗ୍ନାଲ୍ ଇତ୍ୟାଦି ସୁବିଧା ଉପଲବ୍ଧ ନାହିଁ । ସଡ଼କ ପଥରେ ଗଲେ ଏହି ରେଳ ଅଟକୁଥିବା ସ୍ଥାନରେ ସିଧାସଳଖ ଭାବେ ପହଞ୍ଚି ହେବ ନାହିଁ ।

ମୋଲ୍ଲେମ୍ ଗାଁ ପାଖ ଭଗବାନ ମହାବୀର ବନ୍ୟଜୀବ ଅଭୟାରଣ୍ୟରୁ ଟ୍ୟାକ୍ସି ନେଇ ଦୁଧସାଗର ଜଳପ୍ରପାତ ନିକଟରେ ପହଞ୍ଚି ହେବ । ଏହି ରାସ୍ତାଟି ଘଞ୍ଚ ଜଙ୍ଗଲ ଓ ଅନେକ ସୁନ୍ଦର ଛୋଟବଡ଼ ଝରଣାରେ ପୂର୍ଣ୍ଣ । ବର୍ତ୍ତମାନ ସମୟରେ ଅଧିକାଂଶ ପର୍ଯ୍ୟଟକ ଏହି ମାଧ୍ୟମର ବ୍ୟବହାର କରୁଛନ୍ତି । ଟ୍ୟାକ୍ସି ନେଇ ଗଲେ ଜଳପ୍ରପାତର ସମ୍ପୂର୍ଣ୍ଣ ଦୃଶ୍ୟ ଦେଖିହେବ କିନ୍ତୁ ରେଳରୁ ଜଳପ୍ରପାତର କେବଳ ଅଧା ଭାଗ ଦେଖାଯାଏ ।

ଅଭିନେତା ଶାହାରୁଖ ଖାଁ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ‘’ଚେନ୍ନାଇ ଏକ୍ସପ୍ରେସ୍’’ ଚଳଚ୍ଚିତ୍ରର ଏକ ଅଂଶ ଏହି ଜଳପ୍ରପାତ ନିକଟସ୍ଥ ରେଳ ଷ୍ଟେସନରେ ନିର୍ମିତ ହୋଇଥିଲା ।[୨]

ଜଳପ୍ରପାତକୁ ରହିଥିବା ଚଲାବାଟ ସମ୍ପାଦନା

ଦୁଧସାଗର ଜଳପ୍ରପାତକୁ ରହିଥିବା ଚଲା ପର୍ଯ୍ୟଟନ (ଟ୍ରେକ୍) ବନ୍ଦ କରିଦେବାର ନିଷ୍ପତ୍ତି ସମୟରେ ଅନେକ ଆଲୋଚନା ହୋଇଥିଲା । ବର୍ତ୍ତମାନ ସମୟରେ ଚଲା ପର୍ଯ୍ୟଟନ ବ୍ୟବସ୍ଥା ବନ୍ଦ ହୋଇଯାଇଛି କିନ୍ତୁ ଦୁଧସାଗରର ନିମ୍ନ ପର୍ଯ୍ୟନ୍ତ ଚଲାବାଟଟି ଏବେ ମଧ୍ୟ ରହିଛି ।

ଜଳପ୍ରପାତର ତଳ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଦୁଇଟି ବାଟ ରହିଛି । ଗୋଟିଏ କୁଲେମ୍‍ରୁ ଆରମ୍ଭ ହୋଇ ଜିପ୍ ଗାଡ଼ିପାଇଁ ଉଦ୍ଦିଷ୍ଟ କଚ୍ଚା ସଡ଼କ ପଥ ରୂପରେ ଜଳପ୍ରପାତର ତଳ ପର୍ଯ୍ୟନ୍ତ ଯାଇଛି । ଦ୍ୱିତୀୟ ବାଟରେ ରେଳପଥ ଉପରେ ଚାଲି ଚାଲି କିଛି ଦୂର ପର୍ଯ୍ୟନ୍ତ ଯିବାକୁ ପଡ଼େ । ସୋନୌଲିମ୍ ଷ୍ଟେସନ୍ ପର୍ଯ୍ୟନ୍ତ ଚାଲି ଚାଲି ଯିବା ପରେ କଚ୍ଚା ରାସ୍ତାରେ ଓହ୍ଲାଇ ସେଠାରୁ ଚାଲି ଯିବାକୁ ପଡ଼ିଥାଏ । ଦ୍ୱିତୀୟ ମାର୍ଗରେ ଗଲେ ପ୍ରାୟ ୨ କି.ମି. ବାଟ କମ୍ ଚାଲିବାକୁ ପଡ଼େ ।

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. http://www.thehindu.com/news/national/karnataka/visiting-dudhsagar-falls-trekking-along-the-rail-route-may-be-a-bad-idea/article7489165.ece
  2. https://www.nativeplanet.com/travel-guide/bollywood-favourite-waterfalls/articlecontent-pf978-000322.html

ଅନ୍ୟାନ୍ୟ ଲିଂକ୍ ସମ୍ପାଦନା