ତାରିଣୀ ଚରଣ ପାତ୍ର

ଓଡ଼ିଶୀ ସଙ୍ଗୀତଜ୍ଞ, ଗାୟକ, ଗବେଷକ ଓ ବୀଣାକାର

ଅଷ୍ଟାବଧାନୀ ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ର (୩ ଜୁନ ୧୯୦୧[] - ୪ ମାର୍ଚ୍ଚ ୧୯୭୯[] ) ବିଂଶ ଶତାବ୍ଦୀରେ ଓଡ଼ିଶୀ ସଙ୍ଗୀତର ଜଣେ ପ୍ରଧାନ ଗବେଷକ, ସଙ୍ଗୀତଜ୍ଞ, ଗୁରୁ ଓ କଣ୍ଠଶିଳ୍ପୀ ଥିଲେ ।

ଅଷ୍ଟାବଧାନୀ ଆଚାର୍ଯ୍ୟ

ତାରିଣୀ ଚରଣ ପାତ୍ର
ଜନ୍ମ୧୯୦୧
ମୃତ୍ୟୁ୪ ମାର୍ଚ୍ଚ ୧୯୭୯(୧୯୭୯-୦୩-୦୪)
ସ୍ମୃତିଗାନ୍ଧିଜୀ ସଙ୍ଗୀତ କଳାମନ୍ଦିର, କବିସୂର୍ଯ୍ୟନଗର
ଜାତୀୟତା ଭାରତୀୟ
ପ୍ରସିଦ୍ଧିଓଡ଼ିଶୀ ସଙ୍ଗୀତ ଗୁରୁ ଓ ଗବେଷକ, ଓଡ଼ିଶୀ ବୀଣାକାର
ଉଲ୍ଲେଖନୀୟ କୃତିଓଡ଼ିଶୀ ସଙ୍ଗୀତ ପ୍ରକାଶ
ଶୈଳୀଓଡ଼ିଶୀ ସଙ୍ଗୀତ
ବୈବାହିକ-ସାଥୀଅନ୍ନପୂର୍ଣ୍ଣା
ପିତାମାତା(s)ଗୌର ପାତ୍ର, ଯୋଗୀ'ମା
ପୁରସ୍କାରଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର

ଜନ୍ମ ଓ ବାଲ୍ୟଜୀବନ

ସମ୍ପାଦନା

୧୯୦୧ ମସିହାରେ ଗଞ୍ଜାମ ଜିଲ୍ଲାର ପିତ୍ତଳ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗୌର ପାତ୍ର ଏବଂ ମାତାଙ୍କ ନାମ ଯୋଗୀ'ମା ।[] ବାଲ୍ୟକାଳ ଅତି ଅୟସରେ କଟିଥିବାରୁ ପାଠପଢ଼ା ପ୍ରତି ସେ ବିଶେଷ ଆଗ୍ରହ ଦେଖାଇନଥିଲେ । ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସାଧାରଣ ଶିକ୍ଷା ଲାଭ କରିଥିଲେ ମଧ୍ୟ ନିଜ ପ୍ରୟାସରେ ସେ ହିନ୍ଦୀ, ଇଂରାଜୀ ଓ ବଙ୍ଗଳା ଭାଷା ମଧ୍ୟ ଆୟତ୍ତ କରିଥିଲେ ।[] ଅତ୍ୟନ୍ତ ଛୋଟବେଳୁ ସେ କବିତା ଲେଖିପାରୁଥିଲେ । ଏହା ସଙ୍ଗେ ସଙ୍ଗେ ତାଙ୍କର ଅଭିନୟ ଓ ଗାୟନ କଳା ମଧ୍ୟ ଥିଲା । କୈଶୋର ଅବସ୍ଥା ପୂର୍ବରୁ ତାଙ୍କ ପିତାନକ ପରଲୋକ ହେବା ଫଳରୁ ସେ ବ୍ୟବସାୟ ଦେଖାଦେଖିରେ ମନୋନିବେଶ କଲେ । ପିତାଙ୍କ ମୃତ୍ୟୁ ପରେ ସେ ପିତ୍ତଳ ଗ୍ରାମର ପ୍ରସିଦ୍ଧ ରାଧାକୃଷ୍ଣ ରଙ୍ଗମଞ୍ଚରେ ବିଭିନ୍ନ ପୌରାଣିକ ନାଟକରେ, ବିଶେଷ କରି ସ୍ତ୍ରୀ ଭୂମିକାରେ ଅଭିନୟ କରି ଅନେକ ଯଶ ଅର୍ଜ୍ଜନ କରିଲେ । ଜୀବନର ପ୍ରାଥମିକ ଅବସ୍ଥାରୁ ଅତ୍ୟନ୍ତ ଆଧ୍ୟାତ୍ମିକ ହୋଇ ପଡ଼ିଥିଲେ ଏବଂ କାଳକ୍ରମେ ନାଟକ ଛାଡ଼ି 'ଭଜଗୋବିନ୍ଦ' ନାମକ ସଂକୀର୍ତ୍ତନ ଦଳ ଗଢ଼ି ନାମକୀର୍ତ୍ତନ କରୁଥିଲେ ଓ ନିଜ ରଚିତ ଗୀତ ମଧ୍ୟ ଗାନ କରୁଥିଲେ । ବୈଷ୍ଣବ ଧର୍ମ ପ୍ରତି ଆକୃଷ୍ଟ ହୋଇ ୧୯୨୯ ମସିହାରେ ବୈଷ୍ଣବ ଧର୍ମ ଗ୍ରହଣ କରିଥିଲେ । ଦକ୍ଷିଣ ଓଡ଼ିଶାରେ ନଦୀୟା କୀର୍ତ୍ତନର ପ୍ରଚାରରେ ତାରିଣୀ ପାତ୍ରଙ୍କ ଅନେକ ଅବଦାନ ରହିଛି । କାଳକ୍ରମେ ସେ ସାଂସାରିକ ଜୀବନଠାରୁ ବୀତସ୍ପୃହ ହୋଇପଡ଼ିଲେ, କିନ୍ତୁ ମାଆଙ୍କ କଥା ଏଡ଼ାଇ ନ ପାରି ଅନ୍ନପୂର୍ଣ୍ଣାଙ୍କ ସଙ୍ଗେ ବିବାହ କରିଥିଲେ ।[]

କବିସୂର୍ଯ୍ୟନଗରରେ ନିଜର ବ୍ୟବସାୟ ଜାରି ରଖିଥିଲେ । ସେଠାରେ ମଧ୍ୟ ଭଜଗୋବିନ୍ଦ ଦଳର ଗୋଟିଏ ଶାଖା ଗଢ଼ିଥିଲେ । ତାଙ୍କ କୀର୍ତ୍ତନର ତନ୍ମୟତା ଯୋଗୁଁ ତାଙ୍କର ଗଞ୍ଜାମ ସାରା ସୁଖ୍ୟାତି ବ୍ୟାପିଗଲା । ଭଜଗୋବିନ୍ଦର ଉଦ୍ଯାପନ ନିମନ୍ତେ ୧୦୮ ଗୋଟୀ କୀର୍ତ୍ତନ ଦଳ ଓ ନଦୀୟା-ନବଦ୍ୱୀପରୁ ବହୁ ସାଧୁସନ୍ଥ ଆମନ୍ତ୍ରିତ ହୋଇଥିଲେ । ତାରିଣୀ ଚରଣ ପାତ୍ର ବୈଷ୍ଣବମଣ୍ଡଳୀଙ୍କ ସଙ୍ଗେ ଏପରି କୀର୍ତ୍ତନ ଗାନ କରୁଥିଲେ ଯେ ଚବିଶ ପ୍ରହର ନାମ ଯଜ୍ଞର ଶେଷ ଦିନରେ ପୁରୀରେ ଜଗନ୍ନାଥ ବଡ଼ପଣ୍ଡାଙ୍କ ଚଳୁରେ ଦର୍ଶନ ଦେଲେ ନାହିଁ । ଅଶୁଭ ଆଶଙ୍କାରେ ସେବକମଣ୍ଡଳୀ ବ୍ୟସ୍ତ ହୋଇବାରୁ ସ୍ୱପ୍ନରେ ଜଗନ୍ନାଥ କହିଥିଲେ ଯେ - "ଭକ୍ତମାନଙ୍କ କୀର୍ତ୍ତନ ଗାନରେ ମୁଗ୍ଧ ହୋଇ ମୁଁ ବୋଇରାଣୀ ଚାଲି ଯାଇଥିଲି ।" ପରେ ବଡ଼ପଣ୍ଡା ବୋଇରାଣୀ ଆସି ଏ କଥା ପ୍ରକାଶ କରିଥିଲେ । ନାମଯଜ୍ଞ ସମାପନରେ ତାରିଣୀଚରଣ ଲେଖିଥିଲେ:[]

ଆଉ କି ଦେଖିବ ନୟନରେ, ମୋ ବାଇମନ !
ବୋଇରାଣୀ ଗ୍ରାମ ବଇକୁଣ୍ଠ ଧାମ, ହରିନାମେ ପରିପୂର୍ଣ୍ଣ ।

ସଙ୍ଗୀତ

ସମ୍ପାଦନା

ବାଲ୍ୟକାଳରୁ ତାରିଣୀଙ୍କର ସଙ୍ଗୀତ ପ୍ରତି ମମତା ଥିଲା । ଏହା ଲକ୍ଷ୍ୟ କରି ପିତା ସେ ଦିଗରେ ଉନ୍ନତି ନିମନ୍ତେ ତାଙ୍କୁ ସବୁ ସୁଯୋଗ ଯୋଗାଇ ଦେଇଥିଲେ । ପ୍ରଥମେ ନିଜ ବଡ଼ ଭାଇ ଆଡ଼ିକା ପାତ୍ରଙ୍କ ନିକଟରୁ ସେ ହାରମୋନିୟମ ଏବଂ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ବିଭାଗ ଯଥା ଓଡ଼ିଶୀ, ଚଉପଦୀ, ଛାନ୍ଦ, ଚମ୍ପୂ, ଚଉତିଶା, ଭଜନ, ଜଣାଣ ଆଦି ଶିକ୍ଷା କରିଥିଲେ । ପରେ ବ୍ରହ୍ମଦେଶ ଯାଇ ସେଠାରେ ଶାସ୍ତ୍ରୀୟ ରୀତିରେ ବେହେଲା ବାଦନ ଶିଖିଥିଲେ । ପାଇଲିପଡ଼ା ଗ୍ରାମର ଗୁରୁ ଗୌରହରି ମହାପାତ୍ରଙ୍କଠାରୁ ଓଡ଼ିଶୀ ସଙ୍ଗୀତ ଶିକ୍ଷା କରିଥିଲେ । ପରବର୍ତ୍ତୀ ସମୟରେ ସେ ବିଜୟନଗର ଓ ରାଜମହେନ୍ଦ୍ରୀଠାରେ କର୍ଣ୍ଣାଟକୀ ସଙ୍ଗୀତ ଏବଂ ଆଲାହାବାଦ ଓ ଲକ୍ଷ୍ନୌରେ ହିନ୍ଦୁସ୍ଥାନୀ ସଙ୍ଗୀତ ବିଷୟରେ ସମ୍ୟକ୍ ଶିକ୍ଷା କରିଥିଲେ । ଅଣ ଓଡ଼ିଶୀ ସଙ୍ଗୀତ ବିଷୟରେ ଧାରଣା କରି ସେ ଓଡ଼ିଶୀ ସଙ୍ଗୀତର ସ୍ୱାତନ୍ତ୍ର୍ୟକୁ ଆହୁରି ଭଲ ଭାବେ ହୃଦୟଙ୍ଗମ କରିପାରିଥିଲେ ଓ ଏହି ହେତୁରୁ ସୁଚାରୁ ରୂପେ ଓଡ଼ିଶୀ ଓ ଅନ୍ୟ ମଧ୍ୟରେ ଭେଦ ଦର୍ଶାଉଥିଲେ ।

ତାରିଣୀ ପାତ୍ର ବୀଣାବାଦନରେ ପ୍ରବୀଣ ଥିଲେ । ତାଙ୍କ ବୀଣାବାଦନ ଓଡ଼ିଶୀ ଶୈଳୀର ଥିଲା । ତାରିଣୀ ଚରଣ ପାତ୍ର ଅନେକ ଦିନ ଯାଏଁ ଆକାଶବାଣୀ କଟକରେ କଳାକାର ଏବଂ ପରୀକ୍ଷକ ଭାବେ କାର୍ଯ୍ୟରତ ଥିଲେ । ୧୯୪୬ରେ କଲିକତା ଟିଟାଗଡ଼ଠାରେ ମେଘମହ୍ଲାର ରାଗ ଗାୟନ କରି ବର୍ଷା କରାଇଥିବା ବିଷୟ ଏଯାବତ ଲୋକଙ୍କ ସ୍ମୃତିରେ ରହିଛି । ମାଡ୍ରାସ ଆକାଶବାଣୀରେ ସେ ବୀଣାବାଦନ କରିଥିଲେ । କଟକ ଆକାଶବାଣୀରେ ସେ ନିୟମିତ ଭାବରେ ଓଡ଼ିଶୀ ଶୈଳୀର ବୀଣାବାଦନ କରୁଥିଲେ ।

ଗାନ୍ଧିଜୀ ସଙ୍ଗୀତ କଳାମନ୍ଦିର

ସମ୍ପାଦନା

୧୯୩୬ରେ ସେ ମିୟାମାର (ବ୍ରହ୍ମଦେଶ) ଯାଇ ସଂକୀର୍ତ୍ତନ କରି ଓ ବୀଣା ବଜାଇ ଶ୍ରୋତାଙ୍କୁ ମୁଗ୍ଧ କରିଥିଲେ । ପୁରାତନ ଗଞ୍ଜାମର ସୁଖ୍ୟାତ ବୟୋଜ୍ୟେଷ୍ଠ ଓଡ଼ିଶୀ ସଙ୍ଗୀତଜ୍ଞ ଶ୍ରୀ ହାଡ଼ୁ ପାତ୍ରଙ୍କ ପ୍ରେରଣା କ୍ରମେ ତାରିଣୀ ଚରଣ ୧୯୪୦ ମସିହାରେ ସ୍ୱଦେଶକୁ ଫେରି ଗଞ୍ଜାମ ବୋଇରାଣୀରେ 'ଗାନ୍ଧିଜୀ ସଙ୍ଗୀତ କଳାମନ୍ଦିର' ପ୍ରତିଷ୍ଠା କରିଥିଲେ । ପ୍ରଖ୍ୟାତ ଓଡ଼ିଶୀ ସଙ୍ଗୀତଗୁରୁବର୍ଗ ରାମଚନ୍ଦ୍ର ଦୋରା, ମୋହନ ମହାପାତ୍ର, ସୋମନାଥ ମିଶ୍ର, ଦାମୋଦର ମିଶ୍ର, ଗଙ୍ଗାଧର ଦାସ, ସୁମୁନାଥ ସାହୁ ଓ ସଙ୍ଗୀତଜ୍ଞ କତ୍ତପଲ୍ଲୀ କମେୟା ଆଚାରୀ, ପୂର୍ବତନ ବିଧାନ ସଭା ସଦସ୍ୟ ଜଗନ୍ନାଥ ମିଶ୍ରଙ୍କ ପ୍ରେରଣା ତଥା ଅଧ୍ୟକ୍ଷତାରେ ଗାନ୍ଧିଜୀ ସଙ୍ଗୀତ କଳାମନ୍ଦିର ଆରମ୍ଭ ହୋଇଥିଲା । ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଓ ଲିଙ୍ଗରାଜ ପାଣିଗ୍ରାହୀ, ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀ ମଧ୍ୟ ଏଥିରେ ଅନେକ ସହାୟତା କରିଥିଲେ । ଦକ୍ଷିଣ ଓଡ଼ିଶାରେ ଓଡ଼ିଶୀ ସଙ୍ଗୀତର ଆନୁଷ୍ଠାନିକ ଶିକ୍ଷା ଯୋଗାଉଥିବା ପ୍ରଥମ କେତୋଟି ଅନୁଷ୍ଠାନ ମଧ୍ୟରୁ ଏହା ଅନ୍ୟତମ ।

ରଚନାବଳୀ

ସମ୍ପାଦନା

ସଙ୍ଗୀତଜ୍ଞ ହେବା ସଙ୍ଗେ ସଙ୍ଗେ ସେ ଅତି ଉଚ୍ଚକୋଟିର କବି ମଧ୍ୟ ଥିଲେ । କବିସୂର୍ଯ୍ୟ ବଳଦେବ ରଥଙ୍କ ଚମ୍ପୂର ପ୍ରଥମ ସ୍ୱରଲିପି କରିବାରେ ସେ ଅଗ୍ରଣୀ ଥିଲେ । ଏକାଧିକ କଳା ଓ ଜ୍ଞାନରେ ଅସାଧାରଣ ଦକ୍ଷତା ଯୋଗୁଁ ସେ 'ଅଷ୍ଟାବଧାନୀ ଗୁରୁ' ଭାବେ ପରିଚିତ ଥିଲେ । ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟତା, ରାଗ ଆଲୋଚନା, ସ୍ୱରଲିପି ଆଦି ବିଷୟକ ଅନେକ ପୁସ୍ତକ ଲେଖିଛନ୍ତି । ପ୍ରଥମ ବର୍ଷରୁ ଷଷ୍ଠ ବର୍ଷ ଯାଏଁ 'ଆମ ସଙ୍ଗୀତ ଶିକ୍ଷା' ନାମରେ ଓଡ଼ିଶୀ ସଙ୍ଗୀତ ପାଇଁ ପାଠ୍ୟକ୍ରମ ମଧ୍ୟ ରଚନା କରିଛନ୍ତି । ତାଙ୍କ ରଚିତ ବହିର ତାଲିକା:

  • ଆମ ସଙ୍ଗୀତ ଶିକ୍ଷା
  • ଓଡ଼ିଶୀ ସଙ୍ଗୀତ ପ୍ରକାଶ
  • ଉତ୍କଳ ସଙ୍ଗୀତ ଇତିହାସ
  • ସଙ୍ଗୀତ ନିବନ୍ଧମାଳା
  • ରାଗ ଧ୍ୟାନମାଳିକା
  • ଗୀତ ଗୋବିନ୍ଦର ସ୍ୱରଲିପି
  • ଭାରତ ସଙ୍ଗୀତ ଇତିହାସ

ତାଙ୍କ ରଚନାବଳୀରୁ ଅନେକ ପୁସ୍ତକ, ଗୀତର ପାଣ୍ଡୁଲିପି ଇତ୍ୟାଦି ଏଯାବତ ଅପ୍ରକାଶିତ ଅବସ୍ଥାରେ ରହିଛି । ଓଡ଼ିଶୀ ସଙ୍ଗୀତରେ ବତିଶ ମେଳ ପ୍ରଥାର ସେ ପ୍ରଥମ ପ୍ରବର୍ତ୍ତକ ଓ ଶ୍ରୀ ଗୀତଗୋବିନ୍ଦର ସର୍ବପ୍ରଥମ ସମ୍ପୂର୍ଣ୍ଣ ସ୍ୱରଲିପି କରିଥିଲେ ।

ବାଲ୍ୟଜୀବନରେ ନିଜ ବନ୍ଧୁମାନଙ୍କ ସହାୟତାରେ ସେ ଅନେକ ନାଟକ ମଞ୍ଚସ୍ଥ କରାଉଥିଲେ । ସେ ନିଜେ ଏକ ନାଟକଦଳ ଗଠନ କରାଇଥିଲେ ଓ ନିଜେ ମଧ୍ୟ 'ପାଦୁକା ପଟ୍ଟାଭିଷେକ' ନାମର ଏକ ନାଟକ ରଚନା କରିଥିଲେ । ପରେ ଧରାକୋଟ ରାଜା ଏବଂ ଅନ୍ୟମାନଙ୍କ ସାହାଯ୍ୟରେ ସେ କିଶୋରଚନ୍ଦ୍ର ନାଟ୍ୟସଙ୍ଘ ପ୍ରତିଷ୍ଠା କରିଥିଲେ ।

ପୁରସ୍କାର ଓ ସମ୍ମାନ

ସମ୍ପାଦନା
  • ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୭୨
  1. ୧.୦ ୧.୧ ୧.୨ ୧.୩ ୧.୪ ସଙ୍ଗୀତ ସଂଜ୍ଞା, ରାମହରି ଦାସ । ପ୍ରକାଶକ : ରାମହରି ଦାସ ଓଡ଼ିଶୀ ଗୁରୁକୁଳ ଟ୍ରଷ୍ଟ, ବଡ଼ହାଟ, ବୀରଗୋବିନ୍ଦପୁର, ପୁରୀ - ୨୦୧୫ (୪ର୍ଥ ସଂସ୍କରଣ) । ୧୯୮୯ (୧ମ ସଂସ୍କରଣ) ।
  2. ସମ୍ବର୍ଦ୍ଧିତ ଶିଳ୍ପୀ ପରିଚୟ । ସମ୍ପାଦନା : ଡାଃ ଶୈଳେଶ୍ୱର ନନ୍ଦ । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର - ୧୯୯୨ ।