ତନ୍ଦୁର୍
ତନ୍ଦୁର ବା ତନ୍ଦୂର ଏକ ସିଲିଣ୍ଡରାକୃତି ମାଟି ବା ଧାତୁରେ ନିର୍ମିତ ଭାଟି ଚୁଲି । ଏହାକୁ ତନ୍ନୁର୍ ଓ ତନ୍ଦୁରୁ ବୋଲି ମଧ୍ୟ କୁହାଯାଏ । ତନ୍ଦୁର ମୁଖ୍ୟତଃ ଦକ୍ଷିଣ, ମଧ୍ୟ ଓ ପଶ୍ଚିମ ଏସିଆ[୧] ତଥା ଦକ୍ଷିଣ କକେସସରେ[୨] ରାନ୍ଧିବା ପାଇଁ ବ୍ୟବହୃତ ହୋଇଥାଏ । ଓଡ଼ିଆ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ବିବରଣୀ ଅନୁଯାୟୀ ଏହା ପାଉଁରୁଟି ତିଆରି କରାଯିବା ଚୁଲ୍ଲୀ ବା ଭାଟି ।
ତନ୍ଦୁର ମଧ୍ୟରେ କାଠ ବା କୋଇଲା ଜଳାଇ ରଖାଯାଏ । ଜଳୁଥିବା ଇନ୍ଧନ ତନ୍ଦୁର ମଧ୍ୟରେ ଉଚ୍ଚ ତାପ ସୃଷ୍ଟି କରିଥାଏ । ତାପ ବିକିରଣ ଓ ତାପ ପରିବହନ ପଦ୍ଧତିର ଉପଯୋଗ କରି ତନ୍ଦୁରରେ କଞ୍ଚା ଖାଦ୍ୟ ପଦାର୍ଥ ସିଝାଯାଇଥାଏ । କଞ୍ଚା ଖାଦ୍ୟରୁ ବିଭିନ୍ନ ରସ ଓ ତୈଳ ଜାତୀୟ ସ୍ନେହସାର ଚୁଲି ତଳେ ଥିବା କାଠ ବା କୋଇଲା ଉପରେ ପଡ଼ିଥାଏ ।[୨] ତନ୍ଦୁରର ଆଭ୍ୟନ୍ତରୀଣ ତାପମାତ୍ରା ୪୦୦° ସେଲସିୟସ୍ (୯୦୦° କେଲ୍ଭିନ୍) ପର୍ଯ୍ୟନ୍ତ ପହଞ୍ଚିଯାଏ । ଲମ୍ବା ସମୟ ପାଇଁ ଅତ୍ୟଧିକ ତାପମାତ୍ରା ବଜାୟ ରଖିବା ପାଇଁ ତନ୍ଦୁର ଚୁଲିର ଜାଳେଣୀ ଅଧିକ ସମୟ ପାଇଁ ଅଗ୍ନି ସଂଯୁକ୍ତ ହୋଇ ରହିଥାଏ । ତନ୍ଦୁରର ଢାଞ୍ଚା ପାରମ୍ପରିକ ମାଟି ଚୁଲା ଓ ଇଟା ଭାଟିର ମିଳିତ ବା ମଧ୍ୟବର୍ତ୍ତୀ ଢାଞ୍ଚା । ମୁଖ୍ୟତଃ ଭୋଜନାଳୟମାନଙ୍କରେ ତନ୍ଦୁର ନିର୍ମିତ ଓ ବ୍ୟବହୃତ ହୋଇଥାଏ ; ତେବେ ଆଜିକାଲି ଘରମାନଙ୍କରେ ମଧ୍ୟ କ୍ଷୁଦ୍ର ବୈଦ୍ୟୁତିକ ତନ୍ଦୁର ଚୁଲି ବ୍ୟବହୃତ ହେବାର ଦେଖାଯାଏ ।
ନାମକରଣ
ସମ୍ପାଦନାହିନ୍ଦୀ ଶବ୍ଦ तन्दूर ଓ ଉର୍ଦ୍ଦୁ ଭାଷାର ଶବ୍ଦ تندور ଏହି ତନ୍ଦୁର ଶବ୍ଦକୁ ଅନ୍ୟ ବହୁ ଭାଷାରେ ଲୋକପ୍ରିୟ କରାଇଛନ୍ତି । ପାରସିକ ଶବ୍ଦ ତନୁର ହେଉଛି ମୂଳ ଶବ୍ଦ ଓ ତନୁର୍ର ଅର୍ଥ ହେଲା ମାଟି ଚୁଲି ବା ମାଟିର ଭାଟି । ଦେଖୋଦା ପାରସିକ ଭାଷାକୋଷ ଅନୁସାରେ ପାରସ୍ୟ ଶବ୍ଦ ତନୁର୍ ପ୍ରାଚୀନ ଅକ୍କାଡୀୟ ଭାଷାର ଶବ୍ଦ ତିନୁରୁ (𒋾𒂟)ରୁ ଉଦ୍ଧୃତ । ଏହି ଶବ୍ଦ ତିନୁରୁରେ ବ୍ୟବହୃତ ତିନ ମାଟି ବା କାଦୁଅକୁ ବୁଝାଏ ଏବଂ ନୁର ଶବ୍ଦଟି ନିଆଁକୁ ବୁଝାଇଥାଏ । ଏହି ସମସ୍ତ ଶବ୍ଦ ବହୁ ପ୍ରାଚୀନ ଗିଲ୍ଗାମେଶ କିମ୍ବଦନ୍ତୀରେ ଉଲ୍ଲିଖିତ । ଅୱେସ୍ତା ଭାଷାରେ ମଧ୍ୟ ତନୁରା ଓ ମଧ୍ୟ-ପାରସ୍ୟ ଭାଷାରେ ତନୁର୍ ଶବ୍ଦର ବ୍ୟବହାର ରହିଛି । ଏହି ଦୃଷ୍ଟିରୁ ତନ୍ଦୁର ଶବ୍ଦଟି ଶାମି ଭାଷାମାନଙ୍କରୁ ସୃଷ୍ଟି ହୋଇଛି ।[୩][୪]
ଅନ୍ୟ ବିଭିନ୍ନ ଭାଷାରେ ତନ୍ଦୁର ସହିତ ସାମଞ୍ଜସ୍ୟ ଥିବା ଶବ୍ଦମାନ ରହିଛି । ଉଦାହରଣ ସ୍ୱରୂପ: ଦରୀ ପାରସ୍ୟ ଶବ୍ଦ ତନ୍ଦୁର ଓ ତନ୍ନୁର, ଆରବୀୟ ଶବ୍ଦ ତନ୍ନୁର (تنّور), ଆର୍ମେନୀୟ ଶବ୍ଦ ତୋନିର (Թոնիր), ଏସିରୀୟ ଶବ୍ଦ ତନୁରା (ܬܢܘܪܐ), ଆଜେରବାଇଜାନୀ ଶବ୍ଦ ତନ୍ଦିର, ଜର୍ଜୀୟ ଶବ୍ଦ ତୋନ୍ (თონე), ହିବ୍ରୁ ଶବ୍ଦ ତନୁର୍ (תנור)[୫], କୁର୍ଦ୍ଦିଶ୍ ଶବ୍ଦ ତେନୁର୍, ତୁର୍କୀ ଶବ୍ଦ ତନ୍ଦିର, ତୁର୍କମେନୀ ଶବ୍ଦ ତମ୍ଦିର୍, ଉଜବେକି ଶବ୍ଦ ତନ୍ଦିର ।
ଉପଯୋଗ ପଦ୍ଧତି
ସମ୍ପାଦନାପ୍ରଥମ ଥର ପାଇଁ ବ୍ୟବହୃତ ହେଉଥିବା ତନ୍ଦୁରକୁ ଧୀରେ ଧୀରେ ଗରମ କରାଯାଏ ଓ ତାହାର ଆଭ୍ୟନ୍ତରୀଣ ତାପମାତ୍ରା ବଢ଼ାଯାଏ । ଏହାଦ୍ୱାରା ତନ୍ଦୁରର ସମସ୍ତ କାନ୍ଥ ଠିକ୍ ଭାବେ ତାପ ପାଇବା ଏବଂ ଲମ୍ବା ସମୟ ସକ୍ରିୟ ରହିବା ପାଇଁ ଏପରି କରିବା ଅତ୍ୟନ୍ତ ଆବଶ୍ୟକ । ତେଣୁ ପ୍ରଥମେ ଅଳ୍ପ ଜାଳେଣୀ ଜଳାଇ ଓ କ୍ରମଶଃ ଜାଳେଣୀର ମାତ୍ରା ବଢ଼ାଇ ତନ୍ଦୁରର ଅଭ୍ୟନ୍ତରରେ ଉତ୍ତାପ ବଢ଼ାଯାଏ । ସାଧାରଣତଃ ପ୍ରାରମ୍ଭିକ ସମୟରେ ତନ୍ଦୁରର କାନ୍ଥରେ କିଛି ପତଳା ଫାଟ ସୃଷ୍ଟି ହୋଇଥାଏ । ତନ୍ଦୁରର ତାପ ଧାରଣ କ୍ଷମତା ଓ କାର୍ଯ୍ୟକାରିତା ଉପରେ ଏହି ଫାଟ ବେଶୀ ପ୍ରଭାବ ପକାଇନଥାଏ । ତନ୍ଦୁର ଥଣ୍ଡା ହେବା ପରେ ଏହି ସରୁ ଫାଟ ଆଉ ଦେଖାଯାଇନଥାଏ । ତାପଜନିତ ପ୍ରସାରଣ ଓ ସଂକୁଚନ ସମୟରେ ତନ୍ଦୁରର ମାଟି କାନ୍ଥ ମଧ୍ୟ ଦେଇ ବାୟୁ ଗମନାଗମନ ପାଇଁ ଏହି ଫାଟ ସାହାଯ୍ୟ କରେ । ପ୍ରାରମ୍ଭିକ ସମୟରେ ଯେତେ କମ୍ ହାରରେ ତନ୍ଦୁର ମଧ୍ୟର ତାପମାତ୍ରା ବଢ଼ାଯିବ, ତନ୍ଦୁରର କାନ୍ଥରେ ସେତେ କମ୍ ପତଳା ଫାଟ ସୃଷ୍ଟି ହେବାର ସମ୍ଭାବନା ରହିଥାଏ ।[୬]
ବିଭିନ୍ନ ପ୍ରକାରର ତନ୍ଦୁର
ସମ୍ପାଦନାଆଫଗାନି ତନ୍ଦୁର
ସମ୍ପାଦନାଆଫଗାନି ତନ୍ଦୁର ଭୂମି ଉପରେ ଏବଂ ଇଟାଦ୍ୱାରା ନିର୍ମିତ ।
ପଞ୍ଜାବୀ ତନ୍ଦୁର
ସମ୍ପାଦନାଭାରତୀୟ ଉପମହାଦେଶର ପଞ୍ଜାବୀ ତନ୍ଦୁର ପାରମ୍ପରିକ ରୂପେ ମାଟିରେ ତିଆରି ଓ ଏହାର ଆକାର ଘଣ୍ଟା ପରି । କାଠ ବା କୋଇଲା ଜାଳେଣୀ ବ୍ୟବହାର କରି ମାଟି ତଳେ ବା ମାଟି ଉପରେ ନିର୍ମିତ ହୋଇପାରୁଥିବା ଏହି ତନ୍ଦୁରର ଅଭ୍ୟନ୍ତରର ତାପମାତ୍ରା ପ୍ରାୟ ୪୮୦ ଡିଗ୍ରୀ ସେଲସିୟସ୍ ରଖାଯାଏ ।[୭] ଅବିଭକ୍ତ ପଞ୍ଜାବ ଅଞ୍ଚଳରୁ ସୃଷ୍ଟ ପଞ୍ଜାବୀ ରାନ୍ଧଣାରେ ତନ୍ଦୁର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।[୮]
ଭାରତ ଓ ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ଖାଦ୍ୟ ପାରମ୍ପରିକ ଭାବେ ତନ୍ଦୁରରେ ପ୍ରସ୍ତୁତ ହୋଇ ଆସୁଛି ।[୯] ପଞ୍ଜାବୀମାନେ ଏହି ତନ୍ଦୁର ରାନ୍ଧଣାକୁ ନିଜ ଅଞ୍ଚଳରେ ସୀମିତ କରି ରଖିଥିଲେ ।[୧୦] ୧୯୪୭ ମସିହାରେ ଭାରତର ବିଭାଜନ ପରେ ପଞ୍ଜାବୀ ହିନ୍ଦୁ ଓ ଶିଖ ଲୋକମାନେ ଦିଲ୍ଲୀ ଓ ଭାରତର ଅନ୍ୟାନ୍ୟ ଅଞ୍ଚଳକୁ ସ୍ଥାନାନ୍ତରିତ ହେଲେ ।[୧୧] ପଞ୍ଜାବର ଗ୍ରାମମାନଙ୍କରେ ସାମୁହିକ ତନ୍ଦୁର ନିର୍ମିତ ଓ ବ୍ୟବହୃତ ହେବା ଏକ ସାଧାରଣ କଥା ଥିଲା ।[୮] କିଛି ଗ୍ରାମରେ[୧୨] ବର୍ତ୍ତମାନ ସୁଦ୍ଧା ସାମୁହିକ ତନ୍ଦୁର ରହିଛି ଏବଂ ୧୯୪୭ ପୂର୍ବରୁ ଏପରି ବ୍ୟବସ୍ଥା ପଞ୍ଜାବର ଅଧିକାଂଶ ଭାଗରେ ଦେଖାଯାଉଥିଲା ।[୧୩]
ଆର୍ମେନୀୟ ତୋନିର
ସମ୍ପାଦନାପୁରାତନ ଯୁଗରେ ପୃଥିବୀ ପୃଷ୍ଠ ଉପରେ ସୂର୍ଯ୍ୟଙ୍କ ସଙ୍କେତ ଭାବେ ଆର୍ମେନୀୟ ଲୋକେ ତୋନିରକୁ ପୂଜା କରୁଥିଲେ । ସୂର୍ଯ୍ୟ ଜଣେ ମୁଖ୍ୟ ଦେବତା ରୂପେ ପରିଗଣିତ ହେଉଥିଲେ ଓ ସୂର୍ଯ୍ୟାସ୍ତ (ସୂର୍ଯ୍ୟ ଭୂମିକୁ ପ୍ରବେଶ କରି ଅସ୍ତ ହେବା) ଉପମାକୁ ଆଖି ଆଗରେ ରଖି ତୋନିରମାନ ନିର୍ମାଣ କରାଯାଉଥିଲା । ଏହି ଭୂତଳ ତୋନିର ମାଟିରେ ନିର୍ମିତ ହେଉଥିଲା । ଆର୍ମେନୀୟ ରାନ୍ଧଣାରେ ଏହି ତୋନିର ଏକ ଆବଶ୍ୟକୀୟ ଉପକରଣ ଏବଂ ଏହା ଏହାକୁ ଭାଟି, ଚୁଲି ଓ ଗରମ କରିବା ପାଇଁ ବ୍ୟବହାର କରାଯାଏ । ଭୂତଳ ତୋନିରରୁ ଆର୍ମେନୀୟମାନେ ଉତ୍ପନ୍ନ ହୋଇଥିଲେ ବୋଲି ବିଶ୍ୱାସ ରହିଛି ।[୧୪]
ଆଜେରବାଇଜାନୀ ତନ୍ଦିର
ସମ୍ପାଦନାପ୍ରାଚୀନ କାଳରେ ଲୋକେ ରୁଟି ବା ପାଉଁରୁଟି ଓ ଅନ୍ୟ ବ୍ୟଞ୍ଜନ ରାନ୍ଧିବା ପାଇଁ ତନ୍ଦିର ବ୍ୟବହାର କରୁଥିଲେ ।[୧୫]
ତନ୍ଦିର ରୁଟି ସମଗ୍ର ଆଜେରବାଇଜାନରେ ଖିଆଯାଏ । ତନ୍ଦିରର କାନ୍ଥରୁ ବାହାରୁଥିବା ତାପରେ ତନ୍ଦିର ରୁଟି ସେକାଯାଏ ଓ ଏପରି ପ୍ରସ୍ତୁତିରେ ଅଳ୍ପ ସମୟରେ ରୁଟି ପ୍ରସ୍ତୁତ ହୋଇଯାଇଥାଏ ।[୧୬][୧୭]
୨୦୧୫ ମସିହାରେ ଆଜେରବାଇଜାନର ଆସ୍ତାରା ସହରରେ ଏକ ବୃହତ୍ ତନ୍ଦିର ନିର୍ମିତ ହୋଇଥିଲା । ଏହି ତନ୍ଦିରର ଉଚ୍ଚତା ୬.୫ ମିଟର୍ ଥିଲା ଓ ଏହାର ଗୋଲେଇର ବ୍ୟାସ ୧୨ ମିଟର୍ ଥିଲା । ଏହି ତନ୍ଦିରର ଶରୀର ତିନି ଭାଗରେ ବିଭକ୍ତ ହୋଇଥିଲା ।[୧୮]
ତୁର୍କମେନୀ ତମ୍ଦିର୍
ସମ୍ପାଦନାତୁର୍କମେନିସ୍ତାନର ପାରମ୍ପରିକ ଭୋଜିରେ କୋରେକ୍ ନାମକ ଏକ ରୁଟି ପ୍ରସ୍ତୁତ କରିବାର ପ୍ରଥା ରହିଛି । ତମ୍ଦିର୍ ନାମକ ଏକ ପାରମ୍ପରିକ ମାଟି ଭାଟିରେ ଏହି ରୁଟି ପ୍ରସ୍ତୁତ କରାଯାଇଥାଏ ।[୧୯]
ଗ୍ରାମାଞ୍ଚଳରେ ରହୁଥିବା ଅଧିକାଂଶ ତୁର୍କମେନ୍ ଘରେ ତମ୍ଦିର୍ ରହିଥାଏ । ବେଳେବେଳେ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ଗ୍ରାମର ସବୁ ପରିବାର ପାଇଁ ରୁଟି ତିଆରି କରିଥାନ୍ତି । ତୁର୍କମେନିସ୍ତାନରେ ଛୁଟି ଦିନମାନଙ୍କରେ ମାଂସ ମିଶା ଏକ ରୁଟି ଅଧିକ ପ୍ରସ୍ତୁତ ହୁଏ ଯାହାକୁ ଏଟ୍ଲି କୋରେକ୍ କୁହନ୍ତି । ତୁର୍କମେନୀ ଲୋକେ ତମ୍ଦିର୍ ସହାୟତାରେ ରୁଟି ବ୍ୟତୀତ ଆହୁରି ଅନେକ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି । ତନ୍ମଧ୍ୟରୁ ସୋମ୍ସା ଅନ୍ୟତମ ଯାହା ଗୋରୁମାଂସର ପୁର ଥିବା ଏକ ପିଠା ପରି । ତମ୍ଦିର୍କୁ ରନ୍ଧନଯୋଗ୍ୟ କରିବା ପାଇଁ ଏହାର ଅଭ୍ୟନ୍ତରରେ ଅଗ୍ନି ସଂଯୋଗ କରାଯାଏ । ରୁଟି ପ୍ରସ୍ତୁତକାରୀ ତମ୍ଦିର୍ ଅଭ୍ୟନ୍ତର କାନ୍ଥର ରଙ୍ଗ ଉପରେ ଦୃଷ୍ଟି ରଖିଥାଏ । କାନ୍ଥର ରଙ୍ଗ ଧଳା ହେବାକୁ ଲାଗିଲେ ତମ୍ଦିର୍ ଭିତରେ ଥିବା ଗାତରେ ପାଉଁଶଗୁଡ଼ିକୁ ଠେଲି ଦେଇ ଗାତଟି ବନ୍ଦ କରିଦିଆଯାଏ ।[୨୦] ତୁର୍କମେନୀ ରୁଟିରେ ଜୀରା, ଡାଲଚିନି, ଜାଇତୁନ୍, ସୋରିଷ, ସୂର୍ଯ୍ୟମୁଖୀ ଫୁଲର ମଞ୍ଜି ଓ ଅନେକ ମସଲା ମଧ୍ୟ ମିଶାଯାଇଥାଏ ।[୨୧] ରୁଟିଗୁଡ଼ିକୁ ତମ୍ଦିର୍ କାନ୍ଥରେ ଯତ୍ନର ସହିତ ଲଗାଯାଏ ଯେପରିକି ଏହାର ଆକାର ଖରାପ ନହୁଏ ଓ ଏହା କାନ୍ଥରେ ଭଲ ଭାବେ ଲାଗି ରହେ ।[୨୨]
ତନ୍ଦୁରରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ
ସମ୍ପାଦନାତନ୍ଦୁରୀ ରୁଟି, ତନ୍ଦୁରୀ ନାନ୍, ତନ୍ଦୁରୀ ଲଚ୍ଛା ପରଟା, ତନ୍ଦୁରୀ କୁଲ୍ଚା ଓ ମିଶି ରୁଟି ପରି ବିଭିନ୍ନ ପ୍ରକାରର ଚଟକା ରୁଟି ତିଆରି କରିବା ପାଇଁ ତନ୍ଦୁର ବ୍ୟବହୃତ ହୁଏ । ଭଜା ହୋଇଥିବା କାଜୁ, ଛେନାର ବଟା ସହିତ ମସଲାଯୁକ୍ତ କ୍ରିମ୍ ମିଶାଇ ତନ୍ଦୁର ଭିତରେ ରଖି ପେଶାୱରୀ ଖାର ପ୍ରସ୍ତୁତ କରାଯାଏ । ଆଳୁରେ ଛେନା, ପନିପରିବା, କାଜୁ ଇତ୍ୟାଦିର ପୁର ଦିଆଯାଇ ତନ୍ଦୁର ମଧ୍ୟରେ ସିଝାଇ ବଲୋଚ ଓ ଆଳୁ ପ୍ରସ୍ତୁତ ହୋଇଥାଏ ।
ଭାରତୀୟ ଉପମହାଦେଶର ପଞ୍ଜାବ ଅଞ୍ଚଳରେ ତନ୍ଦୁର ମଧ୍ୟରେ ମସଲା ଲେପାଯାଇଥିବା କୁକୁଡ଼ା ମାଂସକୁ ସିଝାଇ ତନ୍ଦୁରୀ କୁକୁଡ଼ା ପ୍ରସ୍ତୁତ କରାଯାଏ ।[୨୩][୨୪] ପ୍ରଥମେ ଦହି, ଗରମ ମସଲା, ରସୁଣ, ଅଦା, ଜୀରା, ଲାଲ ମରିଚ, ଲାଲ ମରିଚ ଗୁଣ୍ଡ ଓ ଅନ୍ୟ କିଛି ମସଲାର ବଟାରେ କୁକୁଡ଼ା ମାଂସକୁ ଲେପି ଦିଆଯାଏ । ଅଧିକ ରାଗ ପାଇଁ ମରିଚ ଓ ମରିଚ ଗୁଣ୍ଡର ମାତ୍ରା ଅଧିକ ରଖାଯାଏ । ଅଳ୍ପ ରାଗ ପାଇଁ ମାତ୍ରା କମ୍ କରି ମାଂସ ଲାଲ୍ ଦେଖାଯିବା ପାଇଁ ଖାଦ୍ୟରେ ରଙ୍ଗ ମିଶାଯାଏ ।[୨୫] ହଳଦି ଯୋଗୁଁ ଏହି ବଟା ମସଲାରେ ହଳଦିଆ ଦିଶେ । ଏହି ମସଲା ଲେପା ମାଂସକୁ ଉଚ୍ଚ ତାପମାନରେ ତନ୍ଦୁର ମଧ୍ୟରେ ରନ୍ଧାଯାଏ ।
କୁକୁଡ଼ା ଟିକ୍କା (ଉର୍ଦ୍ଦୁ ଭାଷାରେمرغ تکہ ; ହିନ୍ଦୀ ଭାଷାରେ मुर्ग़ टिक्का) ଏକ ମୋଗଲ ରାନ୍ଧଣା ।[୨୬][୨୭] ହାଡ଼ବିହିନ ଛୋଟ ଛୋଟ କୁକୁଡ଼ା ମାଂସ ଖଣ୍ଡକୁ ପ୍ରଥମେ ମସଲା ଓ ଦହିର ଲେପ ଦିଆଯାଏ ଓ ତାହା ପରେ ଏକ ବାଡ଼ିରେ ଗୁନ୍ଥି ତନ୍ଦୁର ମଧ୍ୟରେ ସିଝାଇ ପ୍ରସ୍ତୁତ କରାଯାଏ । ପ୍ରସ୍ତୁତ ହୋଇସାରିବା ପରେ ଏହାକୁ ସାଗୁଆ ରଙ୍ଗର ଧନିଆ ବା ପୋଦିନା ଚଟଣି ସହିତ ଖିଆଯାଏ । ଏହି ଟିକ୍କାକୁ କୁକୁଡ଼ା ଟିକ୍କା ମସଲା ନାମକ ଆଉ ଏକ ବ୍ୟଞ୍ଜନରେ ମଧ୍ୟ ବ୍ୟବହାର କରାଯାଏ ।
ଭାରତୀୟ ଉପମହାଦେଶରେ ବହୁ ପ୍ରଚଳିତ ଆଉ ଏକ ତନ୍ଦୁର ରାନ୍ଧଣାର ନାମ ତଙ୍ଗଡ଼ି କବାବ । କୁକୁଡ଼ାର ଗୋଡ଼ମାନଙ୍କୁ ଦହି ଓ ମସଲାରେ ଗୋଳାଇ ମସଲା ଭିତରକୁ ଜରିବା ପାଇଁ ପ୍ରାୟ ୧୨ ଘଣ୍ଟା ପର୍ଯ୍ୟନ୍ତ ରଖାଯାଏ ଓ ତା’ ପରେ ତନ୍ଦୁରରେ ରନ୍ଧାଯାଏ । ପ୍ରସ୍ତୁତ ହୋଇସାରିବା ପରେ ପୋଦିନା ପତ୍ର, ପତଳା କଟା ଯାଇଥିବା ପିଆଜ ଓ ଲେମ୍ବୁ ସହିତ ଏହାକୁ ବଢ଼ାଯାଏ ।
ପିରାମିଡ଼୍ ଆକୃତିର ସିଙ୍ଗଡ଼ା ବା ସମୋସା ଏକ ଲୋକପ୍ରିୟ ଖାଦ୍ୟ । ଛଣା କିମ୍ବା ସେକା ଖୋଳ ମଧ୍ୟରେ ଛୋଟ ଛୋଟ କଟାଯାଇଥିବା ପରନିପରିବା, ମାଂସର ପୁର ରହିଥାଏ । ଏହି ସିଙ୍ଗଡ଼ାର ଆକାର ଓ ଏହାର ବାହ୍ୟ ଖୋଳର ଉପାଦାନ ସ୍ଥାନାନୁସାରେ ଭିନ୍ନ ଭିନ୍ନ ହୋଇପାରେ । ମଧ୍ୟ ଏସିଆର କାଜାଖ୍ସ୍ତାନ, କିର୍ଗିଜ୍ସ୍ତାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଓ ଉଜବେକିସ୍ତାନ ଇତ୍ୟାଦି ଦେଶରେ ସିଙ୍ଗଡ଼ାଗୁଡ଼ିକୁ ତନ୍ଦୁରରେ ସେକି ପ୍ରସ୍ତୁତ କରାଯାଏ । କିନ୍ତୁ ଅନ୍ୟ ସ୍ଥାନରେ ଏହାକୁ ତେଲରେ ଛାଣି ତିଆରି କରାଯାଏ ।
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ Raichlen, Steven (10 May 2011). "A Tandoor Oven Brings India's Heat to the Backyard". The New York Times.
- ↑ ୨.୦ ୨.୧ Raichlen, Steven (10 May 2011). "A Tandoori Oven brings India's heat to the backyard". New York Times. Retrieved 9 May 2011.
- ↑ Monier-Williams, Monier (1872). A Sanskrit-English Dictionary: ...with Special Reference to Greek, Latin, Gothic, German, Anglo-saxon... (in ଇଂରାଜୀ). Clarendon. p. 201.
- ↑ Achaya K. T. "Indian Food Tradition A Historical Companion". Retrieved 2019-02-06.
- ↑ "Leviticus 2:4".
- ↑ "USER GUIDE". luxury-tandoors.com.
- ↑ "Tandoori Chicken". vahrehvah.com.
- ↑ ୮.୦ ୮.୧ "Gurmukhi Book - Alop Ho Reha Virsa; Pure". apnaorg.com.
- ↑ [୧] The Rough Guide to Rajasthan, Delhi and Agra By Daniel Jacobs, Gavin Thomas
- ↑ "What is Mughalai Cuisine?". Archived from the original on 10 ଅକ୍ଟୋବର 2013.
- ↑ Raichlen, Steven (10 May 2011). "A Tandoor Oven Brings India's Heat to the Backyard". The New York Times. Retrieved 17 January 2015.
- ↑ Pind Diyan Gallian PTC Channel - Bilga (Jalandhar) has a communal Tandoor also known as tadoor in Punjabi
- ↑ "specialities Punjabi cuisine". shvoong.com. Archived from the original on 2016-09-14. Retrieved 2015-07-18.
- ↑ "Armenian symbol of the Sun in the ground". narinnamkn.wordpress.com. 28 December 2013. Archived from the original on 4 January 2017. Retrieved 10 November 2015.
- ↑ "Life on Earth's biggest pressure cooker". BBC.
- ↑ "What is Tandyr or how traditional bread is baked in Baku". travelphotoreport.com. 27 March 2012.
- ↑ "Tendir Choreyi Azerbaijan Recipe". geniuskitchen.com.
- ↑ "Azerbaijan to build the world`s biggest tandoor". en.azvision.az (in ଇଂରାଜୀ). Retrieved 2019-09-02.
- ↑ Nuriev, Ahmetjan (2005). "Bread baking is an ancient ritual in Turkmenistan". Turkmenistan, The analytic illustrated magazine: 80–83.
- ↑ Nuriev, Ahmetjan (2005). "Bread baking is an ancient ritual in Turkmenistan". Turkmenistan, The analytic illustrated magazine: 80–83.
- ↑ Zarembo, Vladimir. "Tamdyr in the yard - peace on Earth (in Russian)". Orient. Archived from the original on 2020-01-02. Retrieved 2020-11-03.
- ↑ Zarembo, Vladimir. "Tamdyr in the yard - peace on Earth (in Russian)". Orient. Archived from the original on 2020-01-02. Retrieved 2020-11-03.
- ↑ "Metro Plus Delhi / Food : A plateful of grain". Chennai, India: The Hindu. 24 November 2008. Retrieved 7 May 2009.
- ↑ "Where does biryani come from?". Hindustan Times. Archived from the original on 24 ଜୁନ 2016.
- ↑ For instance, see the recipe in Madhur Jaffrey's Indian Cookery pp66-69
- ↑ "Chicken Tikka Recipe, How To Make Chicken Tikka At Home - Indian Tandori Chicken". Indian Food Forever.
- ↑ "Chicken Tikka Masala". khanakhazana.com.
ଅନ୍ୟାନ୍ୟ ଲିଂକ୍
ସମ୍ପାଦନା- Curry Club Tandoori and Tikka Dishes, Piatkus, London — ISBN 0-7499-1283-9 (1993)
- Curry Club 100 Favourite Tandoori Recipes, Piatkus, London — ISBN 0-7499-1491-2 & ISBN 0-7499-1741-5 (1995)
- India: Food & Cooking, New Holland, London — ISBN 978-1-84537-619-2 (2007)