ଠିଆକିଆ ବେଶ
କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୁଏ । ଏହି ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଦରୁ ଉଠନ୍ତି । ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀରୁ ମହାପ୍ରଭୁ ଶୟନ କରିଥାନ୍ତି । ମହାପ୍ରଭୁଙ୍କ ଏହି ଉତଥାପନ ଏକାଦଶୀକୁ ବଡ଼ ଏକାଦଶୀ ବୋଲି କୁହାଯାଏ । ଏହି ଦିନରୁ ପଞ୍ଚକ ମଧ୍ୟ ଆରମ୍ଭ ହୋଇଥାଏ । ଶାସ୍ତ୍ର ମତରେ ବଡ଼ ଏକାଦଶୀଠାରୁ ଶୁଭ ସମୟ ଆରମ୍ଭ ହେଉଥିବାରୁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଏ । ୪ ମାସ ପରେ ଶୟନରୁ ଉଠୁଥିବା ମହାପ୍ରଭୁ ମହାଲକ୍ଷ୍ମୀଙ୍କ ସହ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ସେଥିପାଇଁ ରତ୍ନସିଂହାସନରେ ଶ୍ରୀଜଗନ୍ନାଥଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୁଏ ।
ମସ୍ତକରେ ସୁବର୍ଣ୍ଣକିଆ ଠିଆ ଭାବରେ ଲାଗି ହେଉଥିବାରୁ ଏହି ବେଶକୁ ଠିଆକିଆ ବେଶ ମଧ୍ୟ କୁହାଯାଏ । ରାମାନୁଜଙ୍କର ଦର୍ଶନ ଅନୁଯାୟୀ ବ୍ରହ୍ମ ସଗୁଣ ଓ ସେ ନାରାୟଣ, ଲକ୍ଷ୍ମୀ ତାଙ୍କର ଶକ୍ତି । ଏହି ନ୍ୟାୟରେ ରାମାନୁଜ ଜଗନ୍ନାଥଙ୍କୁ ବ୍ରହ୍ମ ଭାବରେ ଦେଖିଥିବାରୁ ସେ ଲକ୍ଷ୍ମୀ ନାରାୟଣ ବେଶ ପ୍ରବର୍ତ୍ତନ କରିଥିଲେ ବୋଲି ଅନୁମାନ କରାଯାଏ । ଠାକୁରମାନଙ୍କର ଅବକାଶ ନୀତି ଶେଷ ହେବାପରେ ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ଏହି ବେଶରେ ସଜ୍ଜିତ କରାଇଥାନ୍ତି । ଏହି ବେଶ ଥାଇ ଠାକୁରମାନଙ୍କର ଗୋପାଳ ବଲ୍ଲଭ, ସକାଳଧୂପ, ବାଳଭୋଗ ଓ ଭୋଗମଣ୍ଡପ ନୀତି ଆଦି ସମ୍ପନ୍ନ ହୁଏ । [୧]
ବେଶ
ସମ୍ପାଦନାଲକ୍ଷ୍ମୀନାରାୟଣ ବେଶରେ ସୁନାବେଶର ସମସ୍ତ ଅଳଙ୍କାର ଲାଗି ହୁଅନ୍ତି ମାତ୍ର ରାଜବେଶରେ ତିନିଗୋଟି ସୁନା କିରିଟ ଲାଗି ହୁଅନ୍ତି। ସେହିପରି କାର୍ତ୍ତିକ ମାସରେ ଅନୁଷ୍ଠିତ ରାଧାଦାମୋଦର ବେଶରେ ମହାପ୍ରଭୁ ହସ୍ତରେ ଶ୍ରୀଭୁଜ ଲାଗି ନହୋଇ ନଳୀଭୁଜ ଲାଗି ହୁଅନ୍ତି, ଏହି ନଳୀଭୁଜର ଶୀର୍ଷ ଦେଶରେ ଆୟୁଧର ଚିହ୍ନ ରହିଥାଏ । ମାତ୍ର ଲକ୍ଷ୍ମୀନାରାୟଣ ବେଶରେ ମହାପ୍ରଭୁ ଆୟୁଧ ଲାଗି ହୁଅନ୍ତି । ଶ୍ରୀଜଗନ୍ନାଥ ବାମ ହସ୍ତରେ ଶଙ୍ଖ ଓ ଡାହାଣ ହସ୍ତରେ ଚକ୍ର ଧରିଥାନ୍ତି । ବଳଭଦ୍ର ହଳ ଓ ମୂଷଳ ଧାରଣ କରନ୍ତି । ସୁଭଦ୍ରାଙ୍କ ବେଶରେ କିଛି ପରିବର୍ତ୍ତନ ହୁଏ ନାହିଁ କେବଳ ମସ୍ତକରେ ଠିଆକିଆ ଶୋଭାପାଏ । ଏହି ଠିଆକିଆ ଗୁଡ଼ିକୁ ଧରି ରଖିବା ପାଇଁ ଏକ ବଳା ମୁଖମଣ୍ଡଳରେ ଲାଗେ । ଠାକୁରମାନେ ପାଟବସ୍ତ୍ରରେ ସୁସଜ୍ଜିତ ହୋଇ ସୁବର୍ଣ୍ଣ ଅଳଙ୍କାରମାନ ଲାଗି ହୋଇ ଅତ୍ୟନ୍ତ ସୁନ୍ଦର ଦେଖାଯାଆନ୍ତି ।
ଅଳଙ୍କାର
ସମ୍ପାଦନାଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ନିମ୍ନଲିଖିତ ସୁନା ଅଳଙ୍କାରମାନ ଲାଗି ହୁଏ :
- ଶ୍ରୀଭୁଜ-୪ଟି
- ଶ୍ରୀପୟର-୪ଟି
- କାନ-୬ଟି
- ଆଡ଼କାନି-୪ଟି
- ଚନ୍ଦ୍ରିକା-୨ଟି
- ସୂର୍ଯ୍ୟଚନ୍ଦ୍ର-୬ଟି
- ତଡ଼ଗି-୨ଟି
- ଓଡ଼ିଆଣୀ-୩ଟି
- କିଆ-୫୪ଟି
- ଆୟୂଧ-ଶଙ୍ଖ, ଚକ୍ର, ହଳ ଓ ମୂଷଳ