ଜୟବିଜୟ ଦ୍ୱାର, ବଡ଼ଦେଉଳରେ ଥିବା ଏକ ପ୍ରବେଶ ଦ୍ୱାର ଅଟେ ।[୧] ଏଠାରେ ପ୍ରତ୍ୟହ 'ଦ୍ୱାରପାଳ ପୂଜା' କରାଯାଏ ।

ପୁରୀ, ଜଗନ୍ନାଥ ମନ୍ଦିର ସାମ୍ନାରେ ଥିବା ଜୟ - ବିଜୟ ମୂର୍ତ୍ତି

ଅବସ୍ଥିତି ସମ୍ପାଦନା

ଜଗମୋହନରୁ ଭିତରକାଠ ନିକଟକୁ ଯିବା ପାଇଁ ରହିଥିବା ଦ୍ୱାର ହେଉଛି 'ଜୟବିଜୟ ଦ୍ୱାର' । ଏହି ଦ୍ୱାରଟି ବିଷ୍ଣୁଙ୍କ ଦ୍ୱାରପାଳ ଜୟବିଜୟଙ୍କ ନାମ ଅନୁସାରେ ହୋଇଛି । ଏହା ମୁଗୁନିପଥରରେ ନିର୍ମିତ । ନାଗବନ୍ଧାଦି କାରୁକାର୍ଯ୍ୟ ନନ୍ଦାବର୍ତ୍ତି ଇତ୍ୟାଦି ଏଥିରେ କରାଯାଇଛି । ଏଠାରେ ମୋଟ ୧୨ଟି ଶିଳାଲେଖ ରହିଛି ।

ଇତିହାସ ସମ୍ପାଦନା

ଜୟବିଜୟ ଦ୍ୱାରରେ କପିଳେନ୍ଦ୍ର ଦେବଙ୍କର ପାଞ୍ଚଟି, ପୁରୁଷୋତ୍ତମ ଦେବଙ୍କର ଚାରିଟି, ପ୍ରତାପରୁଦ୍ର ଦେବଙ୍କର ଦୁଇଟି ଓ ଗୋବିନ୍ଦ ବିଦ୍ୟାଧରଙ୍କର ଗୋଟିଏ, ଏପରି ମୋଟ ୧୨ଟି ଶିଳାଲେଖ ରହିଛି ।[୧] କପିଳେନ୍ଦ୍ରଦେବଙ୍କ ପ୍ରଥମ ଶିଳାଲେଖରେ ସେ କୌଣସି ପଦବୀ ଧାରଣ କରିନାହାନ୍ତି । ଦ୍ୱିତୀୟ ଶିଳାଲେଖରେ ଗଜପତି ଗୋଡ଼େଶ୍ୱର ଓ ତୃତୀୟ ଶିଳାଲେଖରେ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବରେର୍ଗଶ୍ୱର ପଦବୀ ଧାରଣ କରିଛନ୍ତି । ତାଙ୍କ ପରବର୍ତ୍ତୀ ସୂର୍ଯ୍ୟବଂଶୀଗଣ ଏପରିକି ଗୋବିନ୍ଦ ବିଦ୍ୟାଧର ମଧ୍ୟ ଏହି ପଦବୀ ବ୍ୟବହାର କରିଛନ୍ତି । କପିଳେନ୍ଦ୍ର ଦେବଙ୍କ ଏକ ଶିଳାଲେଖରେ "ଲୁଣ ଓ କଉଡ଼ି ଉପରୁ କରଛାଡ଼ ଘୋଷଣା" ପ୍ରସଙ୍ଗ ରହିଛି । ଅନ୍ୟ ଏକ ଶିଳାଲେଖରେ "ବିଜୟନଗର ମଲ୍ଲିକାର୍ଜୁନ ସେନାଙ୍କୁ ପରାସ୍ତ କରି ବାହୁଡ଼ା କଟକାଇ (ପ୍ରତ୍ୟାବର୍ତ୍ତନ ଅଭିଯାନ)ରେ ପୁରୀରେ ବୀର ମଣୋହି କରିବା" ସମ୍ପର୍କିତ ସୂଚନା ରହିଛି ।[୧] ତୃତୀୟ ଶିଳାଲେଖରେ "କୃତଘ୍ନ ସାମନ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ" ପାଇଁ ଘୋଷଣା ରହିଛି । ଚତୁର୍ଥ ଶିଳାଲେଖରେ "ଠାକୁରଙ୍କୁ ବିଭିନ୍ନ ଅଳଙ୍କାର ଦାନ"ର ସୂଚନା ଦିଆଯାଇଛି । ଗଜପତି ପୁରୁଷୋତ୍ତମ ଦେବଙ୍କ ଏକ ଶିଳାଲେଖରେ "ଠାକୁରଙ୍କୁ ଅଳଙ୍କାର ଦାନ" ସମ୍ପର୍କରେ ତଥ୍ୟ ରହିଛି । ଅନ୍ୟ ଏକ ଲେଖରେ "ବ୍ରାହ୍ମଣଙ୍କ ପ୍ରତି ଉଦାର ଓ ଦୟାଶୀଳ ହେବାକୁ ରାଜାମାନଙ୍କୁ ନିର୍ଦ୍ଦେଶ"ର ବିବରଣୀ ମିଳେ । ପ୍ରତାପରୁଦ୍ରଦେବଙ୍କ ଏକ ଶିଳାଲେଖରେ "ଜୟଦେବ କୃତ ଗୀତଗୋବିନ୍ଦର ପ୍ରବର୍ତ୍ତନ" ପାଇଁ ଦୃଢ଼ ନିର୍ଦ୍ଦେଶ ରହିଛି ।

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "ଜୟବିଜୟ ଦ୍ୱାର". ପ୍ରମେୟ. ୩୧ ମଇ ୨୦୧୫. Retrieved 11 September 2015. {{cite news}}: Check date values in: |date= (help)[permanent dead link]

ବାହାର ଲିଙ୍କ ସମ୍ପାଦନା