ପୁରୁଷୋତ୍ତମ ଦେବ

ଭାରତୀୟ ରାଜା

ପୁରୁଷୋତ୍ତମ ଦେବ (ଖ୍ରୀ:ଅ: ୧୪୬୮- ଖ୍ରୀ:ଅ: ୧୪୯୭) ଓଡ଼ିଶାର ଗଜପତି ରାଜବଂଶର ଦ୍ୱିତୀୟ ବୃହତ୍ତମ ସମ୍ରାଟ ରୂପେ ଖ୍ୟାତ । କପିଳେନ୍ଦ୍ର ଦେବଙ୍କ ଉପଯୁକ୍ତ ଦାୟାଦ୍ ଭାବେ ସେ ଗଜପତି ରାଜବଂଶ ଓ ସର୍ବୋପରି ଓଡ଼ିଶାର ଉତ୍ତରୋତ୍ତର ଉନ୍ନତି କରିଥିଲେ । ନିଜର ବଳ ବୁଦ୍ଧି ବ୍ୟକ୍ତିତ୍ୱଦ୍ୱାରା ସେ ସୂର୍ଯ୍ୟବଂଶୀ ଗଜପତିମାନଙ୍କ ମଧ୍ୟାରେ ଜଣେ ଅସାଧାରଣ ଶାସକ ଭାବେ ନିଜକୁ ପ୍ରତିପାଦିତ କରିପାରିଥିଲେ । ସେ ତଥାକଥିତ କାଞ୍ଚି-କାବେରୀ କିମ୍ବଦନ୍ତୀର ମୁଖ୍ୟ ନାୟକ ଥିଲେ । ଦକ୍ଷିଣ ଭାରତରେ ଉତ୍କଳୀୟ ସଂସ୍କୃତି ଓ ସଭ୍ୟତାର ପ୍ରସାର ଦିଗରେ ସେ ଅନେକ ପଦକ୍ଷେପ ନେଇଥିଲେ । ସେ ଜଗନ୍ନାଥ ଚେତନାର ପୃଷ୍ଠପୋଷକ ଥିଲେ । ନିଜର ପ୍ରତିଭାଶାଳୀ ଶାସନଦ୍ୱାରା ସେ ପ୍ରତ୍ୟେକ ଓଡ଼ିଆଙ୍କ ପ୍ରିୟଭାଜନ ହୋଇପାରିଥିଲେ । [୧]

ସିଂହାସନ ଆରୋହଣ ସମ୍ପାଦନା

ପୁରୁଷୋତ୍ତମ ଦେବ ଗଜପତି ରାଜବଂଶର ପ୍ରଥମ ଶ୍ରେଷ୍ଠ ରାଜା କପିଳେନ୍ଦ୍ର ଦେବବ୍କ ଅଠରଜଣ ପୁଅଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ଉତ୍ତରାଧିକାର ସୁତ୍ରରେ କପିଳେନ୍ଦ୍ର ଦେବଙ୍କ ଯୁଦ୍ଧ ପ୍ରବୀଣ ଜ୍ୟୋଷ୍ଠପୁତ୍ର ହମ୍ବୀର ଦେବ ଓଡ଼ିଶା ସିଂହାସନର ନ୍ୟାର୍ଯ୍ୟା ଅଧିକରୀ ଥିଲେ କିନ୍ତୁ କପିଳେନ୍ଦ୍ର ଦେବ ହମ୍ବୀର ଦେବଙ୍କୁ ଉପେକ୍ଷା କରି ତାଙ୍କର ପ୍ରୀୟ କନିଷ୍ଠ ପୁତ୍ର ପୁରୁଷୋତ୍ତମ ଦେବଙ୍କୁ ଉତ୍ତରାଧିକାରୀ ରୂପେ ମନୋନୀତ କରିଥିଲେ । ମାଦଳାପାଞ୍ଜିରେ ବର୍ଣ୍ଣନା କରାଯାଇଛି ଯେ ପ୍ରଭୁ ଜଗନ୍ନାଥଙ୍କ ସ୍ୱପ୍ନଦତ୍ତ ନିର୍ଦ୍ଦେଶ ଅନୁସାରେ କପିଳେନ୍ଦ୍ର ଦେବ ପୂରୁଷୋତ୍ତମ ଦେବଙ୍କୁ ତାଙ୍କର ଉତ୍ତରାଧିକାରୀ ରାଜ ଭାବେ ସ୍ୱୀକୃତି ଦେଇଥିଲେ । ୧୪୬୮ ମସିହାରେ କପିଇଳେନ୍ଦ୍ର ଦେବଙ୍କ ମୃତ୍ୟୁ ପରେ ପୁରୁଷୋତ୍ତମ ଦେବଙ୍କ ସିଂହାସନ ଅରୋହଣ ଅଭିଷେକ ଉତ୍ସବ କକ୍ଷିଣର କୃଷ୍ଣାନଦୀ କୂଳରେ ସମ୍ପନ୍ନ ହୋଇଥିଲା ।

କୃତିତ୍ୱ ସମ୍ପାଦନା

ପୁରୁଷୋତ୍ତମ ଦେବ ସିଂହାସନ ଆରୋହଣ କଲାପରେ ମୁଖ୍ୟତ: ଦୁଇଟି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ପ୍ରଥମତ:, ହମ୍ବୀର ଦେବଙ୍କ ସିଂହାସନ ପାଇଁ ଗୃହ ଯୁଦ୍ଧ ଓ ଅନ୍ୟଟି ହେଲା ବିଜୟନଗରର ସାଲ୍ୱ ନରସିଂହଙ୍କ ଗଜପତି ରାଜ୍ୟ ଦଖଲ ପାଇଁ ପ୍ରଚେଷ୍ଟା ।ପୁରୁଷୋତ୍ତମ ଦେବଙ୍କ ସିଂହାସନ ଆରୋହଣ ପରେ ହମ୍ବୀର ଦେବ କ୍ଷୂବ୍ଧ ହୋଇ ତାଙ୍କୁ ସିଂହାସନରୁ ବିତାଡିତ କରିବାପାଇଁ ବିଦ୍ରୋହର ସୂତ୍ରପାତ କଲେ । ସେ ନିଜକୁ ଦକ୍ଷିଣ ଭାରତରେ ଅଧିକୃତ ଅଞ୍ଚଳର ସ୍ୱଧୀନ ରାଜ ରୂପେ ଘୋଷଣା କଲେ । ଶେଷରେ ଏହି ଉତ୍ତରାଧିକାରୀ ସମସ୍ୟା ଗୃହଯୁଦ୍ଧରେ ପରିଣତ ହେଲା । ୧୪୭୬ ଖ୍ରୀ:ଅ:ରେ ପୁରୁଷୋତ୍ତମଦେବ ଜନସମର୍ଥନ ଓ ସମରିକ ଶକ୍ତି ବଳରେ ହମ୍ବୀର ଦେବଙ୍କୁ ପରାସ୍ତ କରି ପୁନର୍ବାର ସିଂହାସନ ହାସଲ କଲେ ଓ ଗଜପତି ସାମ୍ରାଜ୍ୟ ଉପରେ କର୍ତ୍ତୃତ୍ୱ ସାବ୍ୟସ୍ତ କଲେ । ହମ୍ବୀର ଦେବଙ୍କୁ ସ୍ସେ ଖେମୁଣ୍ଡି ରାଜ୍ୟର ସାମନ୍ତରାଜ ପୂପେ ଅଧିଷ୍ଠିତ କଲେ । ଏହା ପୁରୂଷୋତ୍ତମ ଦେବଙ୍କ ମହାନୁଭବତାର ପରିଚୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ପୁରୁଷୋତ୍ତମ ଦେବ ପୁନରାୟ ସିଂହାସନ ପାଇବାପରେ ଗୃହାଯୁଦ୍ଧକୁ ଦମନ କରି ଅପହୃତ ଅଞ୍ଚଳ ଗୁଡିକୁ ପୁନର୍ବାର ଅଧିକାର କରିବା ପାଇଁ ମନୋନିବେଶ କରିଥିଲେ । ୧୪୭୬ ଖ୍ରୀ:ଅ: ଶେଷ ଆଡକୂ ସେ ତାଙ୍କର ଦକ୍ଷିଣାତ୍ୟ ଅଭିଯାନ ଆରମ୍ଭ କରିଥିଲେ । ଦକ୍ଷିଣରେ ବାଅହମନୀ ରାଜ୍ୟରେ ନିଶୃଙ୍ଖଳାର ସୁଯୋଗ ନେଇ ପୁରୁଷୋତ୍ତମ ଦେବ ୧୪୮୪ ଖ୍ରୀ:ଅ:ରେ ରାଜମହେନ୍ଦ୍ରୀ ଓ କୋଣ୍ଡାଭିଡୁ ଜୟକରିଇ ନିଜ ରାଜ୍ୟରେ ମିଶାଇଥିଲେ । ପୁରୁଷୋତ୍ତମ ଦେବଙ୍କ ଦ୍ୱାର ସ୍ଥାପିତ ଏକ ଶିଳାଲେଖାରୁ ଏହା ଜଣାପଡେ । ଏପରି ଭାବେ ଦକ୍ଷିଣରେ ଗୋଟିଏ ପରେ ଗୋଟିଏ ରାଅଜ୍ୟ ଜୟ କରି କୃଷ୍ଣା କାବେରୀ ଉପତ୍ୟକାର ବିଭିନ୍ନ ଅଞ୍ଚଳ ଦଖଲ କରିବା ପରେ ପୁରୁଷୋତ୍ତମ ଦେବ ଏକଦ ଅଧିକୃତ ଉଦୟଗିରି ଦୁର୍ଗକୁ ନରସିଂହଙ୍କଠାରୁ ଫେରି ପାଇବା ପାଇଁ ୧୪୮୯ ଖ୍ରୀଷ୍ଟାବ୍ଦରେ କର୍ଣାଟକ ରାଜାଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ । ଏହି ଯୁଦ୍ଧରେ ସଲ୍ୱ ନରସିଂହ ପରାଅସ୍ତ ହୋଇ ଉଦୟଗିରି ଦୁର୍ଗ ଅଞ୍ଚଳକୁ ପୁରୁଷୋତ୍ତମ ଦେବଙ୍କ୍ ହସ୍ତରେ ଅର୍ପଣ କରିଥିଲେ । ଏହିପରି ଭାବେ ୧୪୮୯-୯୦ ମସିହାରେ ଉଦୟଗିରି ଅଞ୍ଚଳ ପୁନର୍ବାର ଓଡ଼ିଶା ରାଜ୍ୟ ସହ ମିଶିଥିଲା । ପୁରୁଷୋତ୍ତମ ଦେବଙ୍କ ଏହା ସର୍ବ ଶ୍ରେଷ୍ଠ ଓ ଶେଷ ବିଜୟ ଥିଲା। ପ୍ରାୟ ତିରିଶି ବର୍ଷ ଶାସନ କଲାପରେ ୧୪୯୭ ମସିହାରେ ସେ ପ୍ରାଣତ୍ୟାଗ କରିଥିଲେ ।

କଞ୍ଚି-କାବେରୀ ଅଭିଯାନ କିମ୍ବଦନ୍ତୀ ସମ୍ପାଦନା

ପୁରୁଷୋତ୍ତମ ଦେବଙ୍କ ଏହି ଅଭିଯାନ ପଦ୍ମାବତୀ ଉପାଖ୍ୟାନ ଓ ପୁରୀ ରଥଯାତ୍ରା ସମୟର ଛେରା ପହଁରା ଉତ୍ସବ ସହ ଜଡ଼ିତ । କାଞ୍ଚି ରାଜ୍ୟର ରୁପସୀ ରାଜଜେମା ପଦ୍ମାବତୀ ସହ ପୁରୁଷୋତ୍ତମ ଦେବଙ୍କ ବିବାହ କରିବା ପାଇଁ ପ୍ରସ୍ତାବ ପ୍ରେରଣ ଏବଂ କାଞ୍ଚି ରାଜାଙ୍କ ଏହି ବିବାହ ପାଇଁ ଅସମ୍ମତି ଏହି ଅଭିଯାନର ଉତ୍ସ ଥିଲା । ଏହି ଅଭିଯାନରେ ପ୍ରଭୁ ଜଗନ୍ନାଥ ଓ ବଳରାମ କଳା ଓ ଧଳା ଘୋଡାରେ ଆରିହୀ ସାଜି ଗଜପତି ପୁରୁଷୋତ୍ତମ ଦେବଙ୍କ ପାଇଁ ଯୁଦ୍ଧ କରିଥିବା କିମ୍ବଦନ୍ତୀ ପ୍ରଚଳିତ ରହିଛି । କେତେକାଂଶରେ ଏହି ଉପଖ୍ୟାନ ଐତିହାସିକ ସତ୍ୟ ଉପରେ ପର୍ଯ୍ୟବସିତ ବୋଲି ପ୍ରତିପାଦିତ ହୁଏ । କାରଣ ମାଦଳାପାଞ୍ଜି, କାଞ୍ଚି-କାବେରୀ ଓ କଟକ ରାଜ ବଂଶାବଳୀ ଗ୍ରନ୍ଥରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । କବି ବଳରାମ ଦାସଙ୍କ ରଚିତ ପୁସ୍ତକ ବେଢା ପରିକ୍ରମାରେ ସେ ଏହି ଉପାଖ୍ୟାନ ଉଲ୍ଲେଖ କରିଛନ୍ତି । ଆଉ କେତେକ ଐତିହାସିକଙ୍କ ମତରେ ଏହି ଉପାଖ୍ୟାନର କିଛି ସତ୍ୟତା ନାହିଁ । ପଦ୍ମାବତୀ ନାମ୍ନୀ କୌଣସି ରାଣୀ ପୁରୁଷୋତ୍ତମ ଦେବଙ୍କ ନଥିଲେ । କାରଣ ପୂପାମ୍ବିକାଙ୍କ ବ୍ୟତୀତ ଆଉ କେହି ପୁରୁଷୋତ୍ତମ ଦେବଙ୍କ ରାଣୀ ନଥିଲେ । ଜଗନ୍ନାଥଙ୍କ ମହିମା ପ୍ରଚାର ପାଇଁ ଏହି ପ୍ରକାରର ବୃତ୍ତାନ୍ତ ବ୍ରାହ୍ମଣମାନେ ପ୍ରକଟ କରିଥିବା ଅନୁମାନ କରାଯାଏ ।[୨] ଏହି ଉପଖ୍ୟାନରେ ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଜୟର ମହତ୍ୱ ଉପରେ ବିଶେଷ ଗୁରୁତ୍ୱାରୋପ କରାନଯାଇ, ଓଡ଼ିଶା ଗଜପତି ଜଗନ୍ନାଥଙ୍କ ସେବକ ବୋଲି ଗୁରୁତ୍ୱାରୋପ କରାଯାଇଛି । ତଦ୍ୱାରା ଗଜପତିଙ୍କଠାରୁ ଜଗନ୍ନାଥଙ୍କ ଶ୍ରେଷ୍ଠତ୍ୱ ପ୍ରତିପାଅଦିତ ହୋଇଛି ।[୩]

ପୁରୁଷୋତ୍ତମ ଦେବ ତାଙ୍କର ଅନ୍ତିମକାଳରେ ନିଜକୁ ସାହିତ୍ୟ ଚର୍ଚ୍ଚା ଓ ଧାର୍ମିକ କାର୍ଯ୍ୟ କଳାପ ସହିତ ସଂଶ୍ଲିଷ୍ଟ କରିଥିଲେ । ସେ ଓଡ଼ିଶାର ଭାଷା, ସଂସ୍କୃତି ଓ ସାହିତ୍ୟର ପୃଷ୍ଠପୋଷୋକତ କରିଥିଲେ । ସଂସ୍କୃତ ଭାଷା,ସାହିତ୍ୟ ଓ ଧର୍ମଶାସ୍ତ୍ରରେ ତାଙ୍କର ଗଭୀର ଜ୍ଞାନ ଓ ଅଗାଧ ପାଣ୍ଡିତ୍ୟ ଥିଲା । ତାଙ୍କ ଦ୍ୱାର ରଚିତ ମୁକ୍ତି ଚିନ୍ତାମଣି ନାମକ ଗ୍ରନ୍ଥରେ ସେ ଜଗନ୍ନାଥ ମହାତ୍ମ୍ୟ ବର୍ଣ୍ଣନା କରିଛନ୍ତି । ସେ ଅଭିନବ ଗୀତ ଗୋବିନ୍ଦ, ନାମ ମାଳିକା, ଦୁର୍ଗୋତ୍ସବ, ବିଷ୍ଣୁ ଭକ୍ତି, କଳ୍ପଦୃମ, ଦୀପିକା ଛନ୍ଦ, ଇତ୍ୟାଦି ସଂସ୍କୃତ ଓ ଓଡ଼ିଆ ଗ୍ରନ୍ଥ ରଚନା କରିଥିଲେ । ସେ ଧାର୍ମିକ ଓ ଦାୟବାନ୍ ଥିଲେ । ଜଗନ୍ନାଥ ମନ୍ଦିରର ନାଟ ମନ୍ଦିର ଓ ଭୋଗ ମଣ୍ଡପ ତାଙ୍କଦ୍ୱାରା ନିର୍ମିତ ହୋଇଥିଲା ।

ଆଧାର ସମ୍ପାଦନା

  1. "ଗଜପତି ବଂଶ". english wikipedia. Retrieved 13 September 2015.
  2. "ଗଜପତି ମହାରାଜା" (PDF). odisha.gov.in. Retrieved 13 September 2015.
  3. "କାଞ୍ଚି ଅଭିଯାନ". Blogger. Retrieved 13 September 2015.