ଜୈନ ଐତିହ୍ୟ ସଂଗ୍ରହାଳୟ (ପ୍ରତାପନଗରୀ)

ପ୍ରତାପନଗରୀସ୍ଥିତ ଜୈନ ଐତିହ୍ୟ ସଂଗ୍ରହାଳୟରେ ଜୈନ ତୀର୍ଥାଙ୍କରମାନଙ୍କର ନବମ ଓ ଦଶମ ଶତାବ୍ଦୀର ମୂର୍ତ୍ତି ଏବଂ ଜୈନ କଳାକୃତିଙ୍କ ସଂରକ୍ଷଣ କରି ରଖାଯାଇଛି । ଏହି ସଂଗ୍ରହାଳୟଟି ୨୦୦୫ ମସିହାରେ ଓଡ଼ିଶାର ତତକାଳୀନ ସଂସ୍କୃତି ମନ୍ତ୍ରୀ ଦାମୋଦର ରାଉତଙ୍କଦ୍ୱାରା ଉଦଘାଟିତ ହୋଇଥିଲା ।[୧]

ବିବରଣୀ ସମ୍ପାଦନା

୧୯୭୨ ମସିହାରେ ନିକଟବର୍ତ୍ତୀ କାକଟପୁର କେନାଲର ପ୍ରତ୍ନତାତ୍ତ୍ୱିକ ଖନନ ସମୟରେ ଆବିଷ୍କୃତ ହୋଇଥିବା କିଛି ଜୈନମୂର୍ତ୍ତିକୁ ପ୍ରତାପନଗରୀ ଗ୍ରାମର ଭାଗବତ ଘରେ ସଂରକ୍ଷିତ କରି ରଖାଯାଇଥିଲା । ୧୯୯୨-୯୪ ମସିହା ମଧ୍ୟରେ କ୍ଷେତରେ ହଳ କରୁଥିବା ସମୟରେ ଜଣେ ଗ୍ରାମବାସୀ ତୀର୍ଥାଙ୍କରଙ୍କର ଅନ୍ୟ କେତେକ ମୂର୍ତ୍ତି ପାଇଥିଲେ । ପରେ ରାଜ୍ୟ ପୁରାତତ୍ତ୍ୱ ବିଭାଗ ଏବଂ ଦିଗମ୍ବର ଜୈନ ମହାସଭାର ଓଡ଼ିଶା ବିଭାଗର ମିଳିତ ଉଦ୍ୟମରେ ଏଗୁଡ଼ିକର ସଂରକ୍ଷଣ ପାଇଁ ସଂଗ୍ରହାଳୟଟି ପ୍ରତିଷ୍ଠା କରାଯାଇଛି ।[୨]

 

ସଂଗ୍ରହାଳୟରେ ପାଞ୍ଚୋଟି ଋଷଭଦେବଙ୍କ ପ୍ରତିମୂର୍ତ୍ତି, ଚାରୋଟି ପାଶ୍ୱନାଥଙ୍କ ପ୍ରତିମୂର୍ତ୍ତି, ଗୋଟିଏ ଋଷଭଦେବଙ୍କ ସହିତ ମହାବୀର ଜୈନଙ୍କ ମୂର୍ତ୍ତି ଏବଂ ଆଂଶିକ ନଷ୍ଟ ହୋଇଥିବା ତିନୋଟି କୃତି ଆଦି ରହିଛି । ପାଶ୍ୱନାଥଙ୍କ ପ୍ରମୁଖ ମୂର୍ତ୍ତିଟିର ତଳଭାଗରେ ଦୁଇଜଣ ଜୈନ ଆଚାର୍ଯ୍ୟ ଶ୍ରୀପଦ୍ମାନନ୍ଦୀ ଏବଂ ଶ୍ରୀକୁମାରନନ୍ଦୀଙ୍କ ନାମ ସମେତ ମୂର୍ତ୍ତିକୁ ସ୍ଥାପନ କରିଥିବା ବ୍ୟକ୍ତି ଇନ୍ଦ୍ରରାଜଙ୍କ ନାମ ଲେଖାହୋଇଛି । ଶିଳାଲେଖ ଏବଂ ମୂର୍ତ୍ତିମାନେ ପ୍ରାୟ ନବମ ବା ଦଶମ ଶତାବ୍ଦୀର ଅଟନ୍ତି ।

ଆଧାର ସମ୍ପାଦନା

  1. "Jain heritage comes into light". Organiser. April 3, 2005.
  2. "Jain heritage comes into light". Organiser. April 3, 2005.