ଚଷମା ଆଖି ପକ୍ଷୀ
ଚଷମା ଆଖି ଚଢ଼େଇ (ଇଂରାଜୀରେ Indian stone-curlew ବା Indian thick-knee, ଜୀବବିଜ୍ଞାନ ନାମ Burhinus indicus) ବର୍ହିନିଡେ ପରିବାରର ଏକ ସଦସ୍ୟ ପକ୍ଷୀ । ପ୍ରଥମେ ଏହାକୁ ୟୁରେସୀୟ ଚଷମା ଆଖି ପକ୍ଷୀର ଏକ ଉପପ୍ରଜାତି କୁହାଯାଉଥିଲା । ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆର ସମତଳ ଅଞ୍ଚଳରେ ଏହି ପକ୍ଷୀ ପରିଲକ୍ଷିତ ହୋଇଥାଏ । ଚଷମା ଆଖି ପକ୍ଷୀର ଆଖିଗୁଡ଼ିକ ବଡ଼ । ଏହାର ଦେହ ମାଟିଆ ଓ ଫିକା ହଳଦିଆ ରଙ୍ଗର ହୋଇଥିବାରୁ ମାଟି ଓ ପଥର ପ୍ରଚ୍ଛଦରେ ଅପୂର୍ବ ଛଳାବରଣ ସୃଷ୍ଟି ହୋଇ ଏହି ପକ୍ଷୀକୁ ଠାବ କରିବା ଅତି କଷ୍ଟକର ହୋଇଥାଏ । ଏହି ପକ୍ଷୀ ଅନ୍ଧାରରେ ଅଧିକ ସକ୍ରିୟ । ଚଷମା ଆଖି ପକ୍ଷୀର ଡାକରୁ ଏହାର ଇଂରାଜୀ ନାମ curlewର ସୃଷ୍ଟି । ଓଡ଼ିଶାରେ ଲୋକେ ଏହି ପକ୍ଷୀକୁ ରାମା ଚଢ଼େଇ ଓ ବରସିରି ନାମରେ ମଧ୍ୟ ଡାକିଥାନ୍ତି ।
ଚଷମା ଆଖି ପକ୍ଷୀ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
Order: | Charadriiformes |
Family: | Burhinidae |
Genus: | Burhinus |
ଜାତି: | B. indicus |
ବାଇନୋମିଆଲ ନାମ | |
Burhinus indicus ତୋମ୍ମାସୋ ସାଲ୍ଭାଡୋରି, ୧୮୬୫
| |
Synonyms | |
|
ବିବରଣୀ
ସମ୍ପାଦନାମାଟିଆ ରଙ୍ଗର ଏହି ଭୂମିଚର ପକ୍ଷୀର ଆଖି ହଳଦିଆ ରଙ୍ଗର, ବଡ଼ ଓ ପ୍ରାୟ ୪୧ ସେଣ୍ଟିମିଟର୍ ଲମ୍ବା । ଏହାର ବାଲି ମାଟି ପରି ରଙ୍ଗର ଶରୀରରେ କଳା ଚିହ୍ନ ସବୁ ରହିଥାଏ । ଅନ୍ୟ ପକ୍ଷୀଙ୍କ ତୁଳନାରେ ମୁଣ୍ଡଟି ଅପେକ୍ଷାକୃତ ବଡ଼ ଓ ଆଖିର ଚାରିପଟେ ଧଳା ବା ହଳଦି ରଙ୍ଗର ପଟି ରହିଥାଏ । ଏହି ପଟି ଭ୍ରୁଲତା ପରି ପତଳା ।[୨] ଆଖି ପାଖର ଦାଗ ସବୁ ଧଳା-ହଳଦି ଚଷମା [୩] ପରି ଭ୍ରମ ସୃଷ୍ଟି କରୁଥିବାରୁ ଓଡ଼ିଶାରେ ଏହି ପକ୍ଷୀର ସ୍ଥାନୀୟ ନାମ ‘ଚଷମା ଆଖି ପକ୍ଷୀ’ । ଚଷମା ଆଖି ପକ୍ଷୀର ଗୋଡ଼ଗୁଡ଼ିକ ସବଳ ଓ ଏହାର ଆଣ୍ଠୁଟି ମୋଟା ହୋଇଥାଏ । ଏହି କାରଣରୁ ଇଂରାଜୀ ଭାଷାରେ ଏହାର ଆଉ ଏକ ସାଧାରଣ ନାମ ହେଲା "thick-knee" (ମୋଟା ଆଣ୍ଠୁଆ) । ମାଈ ଓ ଅଣ୍ଡିରା ପକ୍ଷୀର ଗଠନରେ କୌଣସି ପାର୍ଥକ୍ୟ ଦେଖାଯାଏ ନାହିଁ । ଶୈଶବାବସ୍ଥାରେ ଶରୀରର ରଙ୍ଗ ସାମାନ୍ୟ ଫିକା ହୋଇଥାଏ । ଉଡ଼ନ୍ତା ଅବସ୍ଥାରେ ଏହି ପକ୍ଷୀର ଡେଣାର ଧଳା ଦାଗ ଓ ପଟି ସ୍ପଷ୍ଟ ଭାବେ ଦେଖାଯାଏ । ସ୍ଥିତାବସ୍ଥାରେ ଡେଣାରେ ଅବସନ୍ନ ପୀତ ରଙ୍ଗର ପଟି ଦିଶେ ।[୪][୫]
ଏହି ପକ୍ଷୀ ଭୋର ବା ପାହାନ୍ତା ଓ ଗୋଧୂଳି ସମୟରେ ସର୍ବାଧିକ ସକ୍ରିୟ ଥାଏ । ଆଖି ଚଷମା ପକ୍ଷୀ ପ୍ରାୟତଃ ରାତି ବେଳେ ଡାକ ପକାଇଥାଏ । ତୀବ୍ର ସ୍ୱରର ପିକ୍-ପିକ୍-ପିକ୍-ପିକ୍ ଡାକ ବେଳେବେଳେ ପିକ୍-ୱିକ୍, ପିକ୍-ୱିକ୍ ଡାକରେ ସମାପ୍ତ ହୁଏ । ଚଷମା ଆଖି ପକ୍ଷୀ ଛୋଟ ଦଳରେ ରହିବା ଦେଖାଯାଏ । ଦିନବେଳେ ଏମାନେ ବୁଦା ମୂଳର ଛାଇରେ ଲୁଚି ଛିଡ଼ା ହୋଇ ରହିଥାନ୍ତି ।[୪]
ବର୍ଗୀକରଣ
ସମ୍ପାଦନାଭାରତୀୟ ଚଷମା ଆଖି ପକ୍ଷୀକୁ ପ୍ରଥମେ ୟୁରେସୀୟ ଚଷମା ଆଖି ପକ୍ଷୀର (Burhinus oedicnemus) ଏକ ଉପପ୍ରଜାତି ବୋଲି ବିବେଚନା କରାଯାଉଥିଲା । କିନ୍ତୁ ଭାରତୀୟ ଚଷମା ଆଖି ପକ୍ଷୀର ଦେହର ରଙ୍ଗ ଅନ୍ୟ ପ୍ରଜାତିର ଚଷମା ଆଖି ପକ୍ଷୀଙ୍କଠାରୁ ସ୍ୱତନ୍ତ୍ର । ପୁଣି ଭାରତୀୟ ଚଷମା ଆଖି ପ୍ରବାସ କରନ୍ତି ନାହିଁ ଓ ନିଜ ଅଧିବାସ ମଧ୍ୟରେ ବିଚରଣ କରିଥାନ୍ତି । ଏହି ସବୁ ତଥ୍ୟକୁ ଭିତ୍ତି କରି ୨୦୦୫ ମସିହାରେ ପାମେଲା ରାସ୍ମୁସେନ୍ ଭାରତୀୟ ଉପମହାଦେଶର ଚଷମା ଆଖି ପକ୍ଷୀକୁ ଏକ ସ୍ୱତନ୍ତ୍ର ପ୍ରଜାତି ରୂପେ ପରିଗଣନା କରିଥିଲେ ।[୬] କିନ୍ତୁ ଏହି ପକ୍ଷୀ ଉପରେ କୌଣସି ବଡ଼ ଧରଣର ପଲିଜେନେଟିକ୍ ଶୌଧ କରାଯାଇନାହିଁ ।
ପରିବାସ
ସମ୍ପାଦନାଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟ, କଣ୍ଟାବୁଦା ଜଙ୍ଗଲ, ବୁଦାଳିଆ ନଦୀଶଯ୍ୟା, ତୋଟା ଓ ବଗିଚା ଇତ୍ୟାଦି ସ୍ଥାନ ଚଷମା ଆଖି ପକ୍ଷୀଙ୍କ ରହିବା ସ୍ଥାନ ।[୫]
ଭୌଗୋଳିକ ବିତରଣ
ସମ୍ପାଦନାଚଷମା ଆଖି ପକ୍ଷୀର ଭାରତୀୟ ପ୍ରଜାତି ମୁଖ୍ୟତଃ ବଙ୍ଗଳାଦେଶ, ଭୁଟାନ, କାମ୍ବୋଡ଼ିଆ, ଭାରତ, ଲାଓସ୍, ବ୍ରହ୍ମଦେଶ, ନେପାଳ, ପାକିସ୍ତାନ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ୍ ଓ ଭିଏତ୍ନାମ[୭] ଇତ୍ୟାଦି ଦେଶରେ ଦେଖାଯାନ୍ତି । ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟ, ବୁଦାଳିଆ ଜଙ୍ଗଲ, ପଥୁରିଆ ପାହାଡ଼ କଡ଼ ପରି ସ୍ଥାନ ଏମାନଙ୍କ ପାଇଁ ଉତ୍ତମ ଅଧିବାସ ।[୪]
ପ୍ରଜନନ
ସମ୍ପାଦନାମାର୍ଚ୍ଚ ଓ ଅପ୍ରେଲ୍ ମାସ ଚଷମା ଆଖି ପକ୍ଷୀଙ୍କ ମୁଖ୍ୟ ପ୍ରଜନନ ସମୟ । ଖୋଲା ଭୂମିରେ ନିର୍ମିତ ଖାଲୁଆ ବସାରେ ବା ବୁଦା ମୂଳରେ ଏମାନେ ୨ରୁ ୩ଟି ଅଣ୍ଡା ଦିଅନ୍ତି । ଅଣ୍ଡାଗୁଡ଼ିକର ରଙ୍ଗ ପଥର ସହିତ ପ୍ରାୟ ମିଶିଯାଏ । ମାଈ ଚଢ଼େଇ ମୁଖ୍ୟତଃ ଅଣ୍ଡା ଉଷୁମାଇବା ଦାୟିତ୍ୱ ନିଏ ଏବଂ ଅଣ୍ଡିରା ଚଢ଼େଇ ପାଖରେ ଅଣ୍ଡାମାନଙ୍କୁ ଜଗି ରହିଥାଏ । ଅଣ୍ଡା ଫୁଟି ଛୁଆ ବାହାରିବା ପରେ ସେମାନେ ତୁରନ୍ତ ପିତାମାତାଙ୍କ ପଛରେ ଚାଲି ବୁଲିବା ଆରମ୍ଭ କରିଦେଇଥାନ୍ତି । ଛୁଆମାନଙ୍କ ଦେହର ରଙ୍ଗ ମଧ୍ୟ ଛଳାବରଣ ପୂର୍ଣ୍ଣ ହୋଇଥାଏ । ବିପଦ ସଙ୍କେତ ମିଳିଲେ ଛୁଆମାନେ ନିଶ୍ଚଳ ଭାବେ ଛିଡ଼ା ହୋଇଯାନ୍ତି ବା ଭୂମିରେ ବସି ପଡ଼ନ୍ତି । ଦେହର ଛଳାବରଣ ଯୋଗୁଁ ସେମାନଙ୍କୁ ସହଜରେ ଠଉରାଇ ହୁଏ ନାହିଁ ।[୪]
ଆହାର
ସମ୍ପାଦନାବିଭିନ୍ନ ପ୍ରକାରର କୀଟପତଙ୍ଗ, ଜିଆ, କେଞ୍ଚୁଆ, କ୍ଷୁଦ୍ର ସରୀସୃପ ଓ ଭୂପତିତ ବିଭିନ୍ନ ଫଳର ମଞ୍ଜି ଇତ୍ୟାଦି ଚଷମା ଆଖି ପକ୍ଷୀର ପ୍ରମୁଖ ଆହାର ।[୪]
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Burhinus indicus". IUCN Red List of Threatened Species. Version 2015.2. International Union for Conservation of Nature. 2014. Retrieved 28 June 2015.
{{cite web}}
: Invalid|ref=harv
(help) - ↑ Whistler, Hugh (1949). Popular handbook of Indian birds (4 ed.). London: Gurney and Jackson. pp. 450–451.
- ↑ "ଆର୍କାଇଭ୍ କପି". Archived from the original on 2019-10-02. Retrieved 2019-10-02.
{{cite web}}
: Cite has empty unknown parameter:|1=
(help) - ↑ ୪.୦ ୪.୧ ୪.୨ ୪.୩ ୪.୪ Ali, Sálim; Ripley, S. Dillon (1978). Handbook of the birds of India and Pakistan : together with those of Bangladesh, Nepal, Bhutan and Sri Lanka. Volume 3 Stone Curlews to Owls (2nd ed.). New Delhi: Oxford University Press. p. 2. ISBN 019565936-8.
- ↑ ୫.୦ ୫.୧ Rasmussen, Pamela C.; Anderton, John C. Birds of South Asia The Ripley Guide Volume 2: Attributes and Status (2005 ed.). Washington, D.C and Barcelona: Smithsonian Institution and Lynx Edicions. p. 181.
- ↑ Inskipp, Tim; Collar, N.J (2015). "Notable taxonomic changes proposed for Asian birds in 2014" (PDF). Birding Asia. 24: 64–71.
- ↑ https://www.iucnredlist.org/species/45111544/95142370