ଦେବତା ବିନ୍ଧାଣୀ ଚଢ଼େଇ

ଦେବତା ବିନ୍ଧାଣୀ ଚଢ଼େଇ (ଈଂରାଜୀରେ Jungle Nightjar, ଜୀବବିଜ୍ଞାନ ନାମ Caprimulgus indicus) ଭାରତ, ଶ୍ରୀଲଙ୍କାବଙ୍ଗଳାଦେଶରେ ଦେଖାଯାଉଥିବା ଭୂଇଁଚାପୁଳି ପକ୍ଷୀଙ୍କର ଏକ ଉପପ୍ରଜାତି । ଜଙ୍ଗଲର ସୀମା ନିକଟରେ ସଂଧ୍ୟା ସମୟରେ ଦେବତା ବିନ୍ଧାଣୀ ବୋବାଇବା ଶୁଣାଯାଏ । ଏହି ପ୍ରାଣୀ ଓ ଏହାର ସମ୍ପର୍କୀୟ ପ୍ରାଣୀଙ୍କ ବର୍ଗୀକରଣ ଅତି ଜଟିଳ । ତେଣୁ ଏସିଆ ମହାଦେଶର ବିଭିନ୍ନ ଭୂଇଁଚାପୁଳିଙ୍କ ଶ୍ରେଣୀବିଭାଗ ପାଇଁ ବିଭିନ୍ନ ପଦ୍ଧତି ଅବଲମ୍ବନ କରାଯାଇଛି । ଏହି ଚଢ଼େଇକୁ ଈଂରାଜୀରେ grey nightjar (ପାଉଁଶିଆ ଭୂଇଁଚାପୁଳି), Indian jungle nightjar (ଭାରତୀୟ ଜଙ୍ଗଲି ଭୂଇଁଚାପୁଳି) ଇତ୍ୟାଦି ନାମରେ ମଧ୍ୟ ଚିହ୍ନଟ କରାଯାଇଛି । ପୂର୍ବ ଏସିଆର ପାଉଁଶିଆ ଭୂଇଁଚାପୁଳି C. jotakaର ଏକ ଉପପ୍ରଜାତି ବୋଲି ମଧ୍ୟ ସ୍ଥାନେ ସ୍ଥାନେ କୁହାଯାଇଛି ।

ଦେବତା ବିନ୍ଧାଣୀ ଚଢ଼େଇ
ଦକ୍ଷିଣ ଭାରତର ଆନ୍ନାମଲାଇ ପାହାଡ଼ର ଏକ ଦେବତା ବିନ୍ଧାଣୀ ଚଢ଼େଇ
ଦେବତା ବିନ୍ଧାଣୀର ଡାକ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Aves
ଗଣ: Caprimulgiformes
କୁଳ: Caprimulgidae
ପ୍ରଜାତି: Caprimulgus
ଜାତି: C. indicus
ବାଇନୋମିଆଲ ନାମ
Caprimulgus indicus
ଜନ୍ ଲାଥାମ୍, ୧୭୯୦

ଏହାର ଡାକକୁ ବାରେଇ ଶୁଣିଲେ ଲାଗିବ ଯେ କେହି ଜଣେ କାଠରେ ଠୁକ୍-ଠୁକ୍ ନିହାଣ ପିଟୁଛି । ପ୍ରଭୁ ଜଗନ୍ନାଥଙ୍କ କିମ୍ବଦନ୍ତୀରେ ବିଶ୍ୱକର୍ମା ବୁଢ଼ା ବଢ଼େଇ ବେଶରେ ଆସି ଏକ କୋଠରୀ ବନ୍ଦ କରି ତାହା ଭିତରେ ମୂର୍ତ୍ତି ନିର୍ମାଣ ଆରମ୍ଭ କରିଥିଲେ । ତାଙ୍କ କୋଠରୀରୁ ଏହି ପରି ମୂର୍ତ୍ତି ନିର୍ମାଣର ଶବ୍ଦ ଆସୁଥିଲା । ତେଣୁ ଏହି ଚଢ଼େଇକୁ କେବଳ ଓଡ଼ିଶାରେ ଦେବତା ବିନ୍ଧାଣୀ ଚଢ଼େଇ ବୋଲି କୁହାଯାଏ ।

ବର୍ଣ୍ଣନା ସମ୍ପାଦନା

 
ପଶ୍ଚିମଘାଟ ପର୍ବତମାଳାର ଏକ ଦେବତା ବିନ୍ଧାଣୀ ଚଢ଼େଇ ଉଡ଼ିବା ବେଳର ଚିତ୍ର
 
ବାନ୍ଦିପୁର ଜାତୀୟ ଉଦ୍ୟାନର ଏକ ଦେବତା ବିନ୍ଧାଣୀ ଓ ତା’ ଛୁଆ

ଦେବତା ବିନ୍ଧାଣୀ ଚଢ଼େଇର ଦୈର୍ଘ୍ୟ ପ୍ରାୟ ୨୧-୨୪ ସେ.ମି. । ଶ୍ରୀଲଙ୍କାରେ ଦେଖାଯାଉଥିବା ଦେବତା ବିନ୍ଧାଣୀ (ssp. kelaarti) ଆକାରରେ ସାମାନ୍ୟ ଛୋଟ । ଏମାନେ ଦେଖିବାକୁ ପାଉଁଶିଆ ଓ କଳା ରଙ୍ଗର । ଡେଣାରେ କୌଣସି ସ୍ୱତନ୍ତ୍ର ଚିହ୍ନ ବା ପଟି ନଥାଏ, ତେଣୁ ଡେଣା ଓ ଶରୀରର ରଙ୍ଗ ପୁରାପୁରି ମିଶିଯାଏ । ଏମାନଙ୍କ ଲାଞ୍ଜ ପାଉଁଶିଆ ଓ କଳା ମିଶା ରଙ୍ଗର । ଅଣ୍ଡିରାମାନଙ୍କ କଣ୍ଠ ପାଖରେ ଏକ ଧଳା ଚିହ୍ନ ଓ ମାଈମାନଙ୍କ କଣ୍ଠ ପାଖରେ ଏକ ମାଟିଆ ଦାଗ ରହିଥାଏ । ଏମାନେ ଠାକୁ-ଠାକୁ-ଠାକୁ ଶବ୍ଦ କରି ବୋବାନ୍ତି (ଆବୃତ୍ତି : ପ୍ରତି ୨ ସେକେଣ୍ଡରେ ୫ ଥର) ।[୨]) ଏହା କେତେକଙ୍କୁ ଦୂରରୁ ଆସୁଥିବା ଇଞ୍ଜିନ୍ ଶବ୍ଦ ପରି ମଧ୍ୟ ଶୁଣାଯାଏ ।[୩] ଧୀର ଓ ସ୍ଥିର ବେଗର ଏହି ଡାକ ମଝିରେ କିଛି ଭିନ୍ନ ସ୍ୱରର ଡାକ ମଧ୍ୟ ଶୁଣାଯାଏ । ବେଳେବେଳେ ଏମାନଙ୍କ ଡାକ ଏକ ବୋତଲ ମୁହଁରେ ହ୍ୱିସିଲ୍ ଶବ୍ଦ କଲା ଭଳି ଫୁ-ଫୁ ଶବ୍ଦରେ ସମାପ୍ତ ହୁଏ । ଅଲି ଓ ରିପ୍ଲିଙ୍କ ବହିରେ ବର୍ଣ୍ଣିତ ଉକ୍-କ୍ରୁ-କ୍ରୁ ଡାକଟି ଦେବତା ବିନ୍ଧାଣୀ ପରିବର୍ତ୍ତେ ଏକ ପେଚା ପ୍ରଜାତିର (Otus sunia) ବୋଲି ଜଣା ପଡ଼ିଥିଲା ।[୪][୫][୬]

ବର୍ଗୀକରଣ ସମ୍ପାଦନା

 
କର୍ଣ୍ଣାଟକର ଏକ ଦେବତା ବିନ୍ଧାଣୀ

ରାସ୍ମୁସେନ୍ ଓ ଆଣ୍ଡର୍ଟନ୍‍ଙ୍କ ୨୦୦୫ ମସିହାର ଗବେଷଣା ପୁସ୍ତକ ଅନୁସାରେ ଭାରତ ଓ ଶ୍ରୀଲଙ୍କାର ଦେବତା ବିନ୍ଧାଣୀ (ssp. kelaarti) ଏକ ପ୍ରଜାତିର ଏବଂ ପାଉଁଶିଆ ଭୂଇଁଚାପୁଳି (jotaka) ଏକ ଭିନ୍ନ ପ୍ରଜାତି (ଯାହାର ଅଣ୍ଡା ଓ ଡାକ ମଧ୍ୟ ଅଲଗା ପ୍ରକାରର) । ହିମାଳୟ ଧାରରେ ହଜାରାରୁ ଭୁଟାନ ଓ ବଙ୍ଗଳାଦେଶର ଦକ୍ଷିଣକୁ ଦୃଶ୍ୟମାନ ହଜାରେ ନାମକ ଭୂଇଁଚାପୁଳି ଏହି ପାଉଁଶିଆ ଭୂଇଁଚାପୁଳିର ଏକ ଉପ-ପ୍ରଜାତି ବୋଲି ସେମାନେ ପ୍ରକାଶ କରିଛନ୍ତି ।[୪] ଆଣ୍ଡାମାନ ଓ ଫୁଏଣ୍ଟଶୋଲିଂରେ ପାଉଁଶିଆ ଭୂଇଁଚାପୁଳି ଦେଖାଯାଇଛନ୍ତି ।[୭][୮]

ପୁରୁଣା କିଛି ଲେଖା ଅନୁସାରେ ଚୀନଜାପାନର ପାଉଁଶିଆ ଭୂଇଁଚାପୁଳି (jotaka) ଓ ପାଲାଉ ଦ୍ୱୀପର ଫାଲାନିଆ (phalaena) ଇତ୍ୟାଦିଙ୍କୁ ମଧ୍ୟ ଦେବତା ବିନ୍ଧାଣୀ ପ୍ରଜାତିର ବୋଲି ଧରି ନିଆଯାଇଛି ।[୯] ଦେବତା ବିନ୍ଧାଣୀର ଜୀବବିଜ୍ଞାନ ନାମର ଅର୍ଥ ହେଲା "ଭାରତର ଭୂଇଁଚାପୁଳି" । C. asiaticus ପ୍ରଜାତିକୁ ଭାରତୀୟ ଭୂଇଁଚାପୁଳି ବୋଲି କୁହାଯାଉଥିବାରୁ ଦେବତା ବିନ୍ଧାଣୀ (Caprimulgus indicus) ଓ ଭାରତୀୟ ଭୂଇଁଚାପୁଳି (Caprimulgus asiaticus) ଗୋଟିଏ ପ୍ରାଣୀ ବୋଲି ଭ୍ରମ ଜାତ ହୁଏ । କିନ୍ତୁ ଏହା ଦୁଇଟି ଭିନ୍ନ ପ୍ରଜାତି । ତେଣୁ ପୂର୍ବେ ଏମାନଙ୍କୁ ଅଲଗା ଚିହ୍ନଟ କରାଇବା ପାଇଁ ଦେବତା ବିନ୍ଧାଣୀକୁ large Indian nightjar ବୋଲି କୁହାଯାଉଥିଲା ।

ବ୍ୟବହାର ସମ୍ପାଦନା

ଏମାନେ ସନ୍ଧ୍ୟା ହେଲେ ସକ୍ରିୟ ହୋଇଉଠନ୍ତି । ଦେବତା ବିନ୍ଧାଣୀ ଚଢ଼େଇଙ୍କୁ ପାହାଡ଼ିଆ ତୃଣଭୂମି, ବୁଦା, ଥୁଣ୍ଟା ଗଛର ଖୁଣ୍ଟ ଓ ପଥର ଇତ୍ୟାଦିରେ ବସିଥିବାର ଦେଖାଯାଏ । ଏମାନେ ଗଛ କାଣ୍ଡ ବା ଡାଳରେ ବସି ବୋବାଉଥାନ୍ତି ।[୩][୧୦] ଭାରତରେ ଜାନୁଆରୀରୁ ଜୁନ୍ ଓ ଶ୍ରୀଲଙ୍କାରେ ମାର୍ଚ୍ଚରୁ ଜୁଲାଇ ମାସ ଏମାନଙ୍କ ପ୍ରଜନନ ଋତୁ । ଏମାନଙ୍କ ବସାଟି ଭୂମି ଉପରେ ଖୋଲା ସ୍ଥାନରେ ଥାଏ ଓ ସେଥିରେ ଦୁଇଟି ଅଣ୍ଡା ଦିଅନ୍ତି ।[୪][୧୧] ଉଭୟ ମାଈ ଓ ଅଣ୍ଡିରା ୧୬-୧୭ ଦିନ ପର୍ଯ୍ୟନ୍ତ ଅଣ୍ଡା ଉଷୁମାଇଥାନ୍ତି ।[୧୨]

ଆଧାର ସମ୍ପାଦନା

  1. BirdLife International (2016). "Caprimulgus indicus". The IUCN Red List of Threatened Species. IUCN. 2016: e.T22725692A94899774. doi:10.2305/IUCN.UK.2016-3.RLTS.T22725692A94899774.en. Retrieved 14 January 2018.
  2. Whistler, Hugh (1949). Popular handbook of Indian birds (4th ed.). London: Gurney and Jackson. p. 317.
  3. ୩.୦ ୩.୧ Navarro, A (1976). "Some observations on the breeding habits of the Indian Jungle Nightjar Caprimulgus indicus indicus in Khandala". Newsletter for Birdwatchers. 16 (3): 3–4.
  4. ୪.୦ ୪.୧ ୪.୨ Rasmussen, PC; JC Anderton (2005). "Birds of South Asia: The Ripley Guide. Volume 2". Smithsonian Institution & Lynx Edicions: 251. {{cite journal}}: Cite journal requires |journal= (help)
  5. Blanford, WT (1895). Fauna of British India. Birds. Volume 3. London: Taylor and Francis. pp. 190–191.
  6. Baker, ECS (1927). Fauna of British India. Birds. Volume 4 (2nd ed.). London: Taylor and Francis. pp. 366–379.
  7. Abdulali, Humayun (1970). "An addition to the list of Indian birds - the migratory Jungle Nightjar, Caprimulgus indicus jotaka Temm. & Schl". J. Bombay Nat. Hist. Soc. 67 (2): 331–332.
  8. Abdulali, Humayun; Hussain,SA (1971). "A second record of the migratory Jungle Nightjar (Caprimulgus indicus jotaka Temm. & Schl.) in Indian limits". J. Bombay Nat. Hist. Soc. 68 (2): 451–452.
  9. Peters, JL (1940). Check-list of birds of the world. Volume 4. Cambridge, Massachusetts: Harvard University Press. pp. 203–204.
  10. Phillips, WWA (1949). "Nightjars". J. Bombay Nat. Hist. Soc. 48 (2): 359–361.
  11. Hume, AO (1890). The nests and eggs of Indian Birds. Volume 3 (2nd ed.). London: R. H. Porter. pp. 40–43.
  12. Ali, S; S D Ripley (1983). Handbook of the Birds of India and Pakistan. Volume 4 (2nd ed.). New Delhi: Oxford University Press. pp. 8–12.

ଅନ୍ୟାନ୍ୟ ଲିଂକ୍ ସମ୍ପାଦନା