ଗୋମୁହାଁ କୁମ୍ଭୀର
ଗୋମୁହାଁ କୁମ୍ଭୀରର (ଈଂରାଜୀରେ Mugger Crocodile, ଜୀବବିଜ୍ଞାନ ନାମ Crocodylus Palustris) ଅନ୍ୟ କେତେକ ନାମ ହେଲା ଭାରତୀୟ କୁମ୍ଭୀର, ସିନ୍ଧୁ କୁମ୍ଭୀର, ପର୍ସୀୟ କୁମ୍ଭୀର ବା ମଗର ।[୨] ଏହି କୁମ୍ଭୀରର ଜୀବବିଜ୍ଞାନ ନାମର ଅର୍ଥ ହେଲା ସନ୍ତସନ୍ତିଆ ସ୍ଥାନରେ ବାସ କରୁଥିବା କୁମ୍ଭୀର । ସମଗ୍ର ଭାରତୀୟ ଉପମହାଦ୍ୱୀପରେ ଏହି କୁମ୍ଭୀର ଦୃଶ୍ୟମାନ ହୁଅନ୍ତି । ଭାରତରେ ଦେଖାଯାଉଥିବା କୁମ୍ଭୀର ପ୍ରଜାତି ମଧ୍ୟରୁ ଗୋମୁହାଁ କୁମ୍ଭୀର ଅନ୍ୟତମ । ଅନ୍ୟ ଦୁଇ ପ୍ରଜାତିର କୁମ୍ଭୀର ହେଲେ ବଉଳା କୁମ୍ଭୀର ଓ ଥଣ୍ଟିଆ କୁମ୍ଭୀର ।[୩] ଆକାରରେ ଗୋମୁହାଁ କୁମ୍ଭୀର ମଧ୍ୟମ ଆକାରର । ଏମାନେ ନଦୀ, ପୋଖରୀ, ହ୍ରଦ, ନଦୀକୂଳର ସନ୍ତସନ୍ତିଆ ସ୍ଥାନରେ ରହିବା ପସନ୍ଦ କରନ୍ତି ।[୪] ଅଣ୍ଡିରା ଗୋମୁହାଁ କୁମ୍ଭୀରର ଲମ୍ବ ପ୍ରାୟ ୪-୫ ମିଟର୍ (୧୩-୧୬ ଫୁଟ୍) ହୋଇଥାଏ । ଅନ୍ୟ ସବୁ ପ୍ରଜାତିର କୁମ୍ଭୀରମାନଙ୍କ ପରି ମାଈ ଗୋମୁହାଁ କୁମ୍ଭୀରମାନଙ୍କ ଶରୀରର ଦୈର୍ଘ୍ୟ ଅଣ୍ଡରାମାନଙ୍କଠାରୁ କମ୍ ।[୫] ଗୋମୁହାଁ କୁମ୍ଭୀରର ମୁଖାଗ୍ର ଅନ୍ୟ ପ୍ରଜାତିର କୁମ୍ଭୀରମାନଙ୍କଠାରୁ ଯଥେଷ୍ଟ ବଡ଼ (ପ୍ରାୟ ଗାଈ ପରି) ହୋଇଥିବାରୁ ଏହାର ଏପରି ନାମ ଦିଆଯାଇଛି । ବଡ଼ ମୁଖାଗ୍ର ପାଇଁ ଏହା ଆଲିଗେଟର୍ ଭଳି ମଧ୍ୟ ଦେଖାଯାଏ । ଏହାର ଚମଡ଼ା ବର୍ଦ୍ଧିତ ଓ ମୋଟା । ପରିପକ୍ୱ ବୟସରେ ଉପନୀତ ଗୋମୁହାଁ କୁମ୍ଭୀରମାନଙ୍କ ରଙ୍ଗ ଗାଢ଼ ପାଉଁଶିଆ ବା ମାଟିଆ ହୋଇଥିବା ବେଳେ ଶାବକମାନଙ୍କ ରଙ୍ଗ ହାଲୁକା କଳା ରଙ୍ଗର ହୋଇଥାଏ ।
ଗୋମୁହାଁ କୁମ୍ଭୀର (ମଗର) | |
---|---|
ଭାରତର ଉତ୍ତର ପ୍ରଦେଶରେ ପ୍ରବାହିତ ଚମ୍ବଲ ନଦୀର ଏକ ଗୋମୁହାଁ କୁମ୍ଭୀର | |
VU (IUCN ୩.୧)[୧]
| |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Chordata |
ବର୍ଗ: | Reptilia |
ଗଣ: | Crocodilia |
କୁଳ: | Crocodylidae |
ଉପକୁଳ: | Crocodylinae |
ପ୍ରଜାତି: | Crocodylus |
ଜାତି: | C. palustris |
ବାଇନୋମିଆଲ ନାମ | |
Crocodylus palustris | |
Crocodylus palustris ପ୍ରଜାତିର ବ୍ୟାପ୍ତି କ୍ଷେତ୍ର |
ଗୋମୁହାଁ କୁମ୍ଭୀର ଏକ ଚତୁର ଓ କୁଶଳୀ ଶିକାରୀ ଜୀବ । ବିଭିନ୍ନ ପ୍ରାଣୀ ଏହାର ଖାଦ୍ୟ ତାଲିକାରେ ଅନ୍ତର୍ଭୁକ୍ତ । ଗୋମୁହାଁ କୁମ୍ଭୀର ଛପି ରହି ଶିକାରକୁ ନିଜ ପାଖକୁ ଆସିବାର ସୁଯୋଗ ଦିଏ ଓ ତା’ପରେ ତାହା ଉପରେ ଅତର୍କିତ ଆକ୍ରମଣ କରିଥାଏ । ଗୋଳିଆ ପାଣିରେ ଏମାନଙ୍କ ଦେହର ରଙ୍ଗ ମିଶିଯାଏ, ତେଣୁ ଛପି ରହିଥିବା କୁମ୍ଭୀରକୁ ଚିହ୍ନଟ କରିବା ଅତି କଷ୍ଟକର । ଛପି ରହି ଗୋମୁହାଁ କୁମ୍ଭୀର ଶିକାର ଜନ୍ତୁକୁ ଜାବୁଡ଼ି ଧରିବାର ସୁଯୋଗ ଉଣ୍ଡୁଥାଏ । ମାଛ, ଅନ୍ୟ ସରୀସୃପ, ପକ୍ଷୀ ଓ କିଛି ସ୍ତନ୍ୟପାୟୀ ଇତ୍ୟାଦି ଜୀବଙ୍କୁ ଏମାନେ ଆହାରଣ କରିଥାନ୍ତି । ଶୀତଋତୁ ଗୋମୁହାଁ କୁମ୍ଭୀରଙ୍କର ପ୍ରଜନନ ସମୟ । ମାଈ କୁମ୍ଭୀରମାନେ ନିଜ ବସାରେ ବା ସ୍ଥଳଭାଗରେ ଖୋଳିଥିବା ନିଜ ଗାତରେ ଅଣ୍ଡା ଦିଅନ୍ତି । ଶାବକର ଲିଙ୍ଗ ଅଣ୍ଡା ଉଷୁମାଇବା ବେଳର ତାପମାତ୍ରା ଉପରେ ନିର୍ଭର କରେ । ଗୋମୁହାଁ କୁମ୍ଭୀରର ଆକାର ମନୁଷ୍ୟଙ୍କଠାରୁ ଯଥେଷ୍ଟ ବଡ଼ ହୋଇଥିବାରୁ ବେଳେବେଳେ ମନୁଷ୍ୟଙ୍କ ପ୍ରତି ବିପଦ ସୃଷ୍ଟି କରିଥାନ୍ତି । କିନ୍ତୁ ଗୋମୁହାଁ କୁମ୍ଭୀର ଏକା ଜଳବାୟୁରେ ବାସ କରୁଥିବା ବଉଳା କୁମ୍ଭୀର ପରି ଆକ୍ରାମକ ନୁହେଁ । ବଉଳା କୁମ୍ଭୀର ବସବାସ କରୁଥିବା ଇଲାକାରୁ ଗୋମୁହାଁ କୁମ୍ଭୀରମାନେ ଦୂରେଇ ରହିବାକୁ ଚେଷ୍ଟା କରନ୍ତି ।[୬] ଗୋମୁହାଁ କୁମ୍ଭୀରମାନଙ୍କଠାରେ ସାମାଜିକ ପ୍ରବୃତ୍ତି ପରିଲକ୍ଷିତ ହୁଏ । ଖରା ପୋଇଁବା, ଖାଇବା ଇତ୍ୟାଦି ସମୟରେ ଗୋମୁହାଁ କୁମ୍ଭୀରମାନେ ପରସ୍ପର ସହିତ ଝଗଡ଼ା କରିବା ଖୁବ୍ କମ୍ ସମୟରେ ଦେଖାଯାଏ ।
ନାମକରଣ ଓ ବର୍ଗୀକରଣ
ସମ୍ପାଦନାହିନ୍ଦୁ ପୌରାଣିକ ଜୀବ "ମକର"ର (ସଂସ୍କୃତ ଶବ୍ଦ) ଅପଭ୍ରଂଶ ହୋଇ ହିନ୍ଦୀରେ "ମଗର" ଶବ୍ଦର ସୃଷ୍ଟି ହୋଇଛି ।[୭] ପୌରାଣିକ କଥା ଅନୁସାରେ ଜଳରେ କୁମ୍ଭୀର ପରି ଦିଶୁଥିବା ଏକ ଦାନବ ବାସ କରେ ଯାହାକୁ ମକର କୁହାଯାଏ ।[୮] ଏହି କୁମ୍ଭୀରର ମୁଖାଗ୍ର ଗାଈ ପରି ବଡ଼ ହୋଇଥିବାରୁ ଏହାକୁ ଓଡ଼ିଶାର ଅନେକ ଅଞ୍ଚଳରେ "ଗୋମୁହାଁ କୁମ୍ଭୀର" ବୋଲି କୁହାଯାଏ ।
ଗଠନ ଓ ପ୍ରକୃତି
ସମ୍ପାଦନାଗୋମୁହାଁ କୁମ୍ଭୀରର ଉପର ମାଢ଼ିର ଉଭୟ ପାର୍ଶ୍ୱରେ ୧୯ଟି ଦାନ୍ତ ରହିଥାଏ । ଏହାର ମୁଖାଗ୍ର ଗୋଜିଆ ଓ ମୁଖାଗ୍ରର ଲମ୍ବ ଏହାର ପ୍ରସ୍ଥର ୧.୩୩ରୁ ୧.୫ ଗୁଣ । ମୁଣ୍ଡର ଚମଡ଼ା ଆବୁଡ଼ାଖାବଡ଼ା । ପାଟିର ଭିତର ପଟଟି ସାମାନ୍ୟ ବକ୍ର ଭାବେ ଚତୁର୍ଥ ବା ପଞ୍ଚମ ଦାନ୍ତ ପର୍ଯ୍ୟନ୍ତ ଲମ୍ବିଛି । ଦେହର କାତି ବା ଚମଡ଼ାରେ କୀଳା ପରି ଗୋଜିଆ ଅଂଶ ବାହାରିଥାଏ । ଏମାନଙ୍କ ଗୋଡ଼ର ଆଙ୍ଗୁଠି ଏକ ପତଳା ଚମଡ଼ାଦ୍ୱାରା ସଂଯୋଜିତ ହୋଇ ରହିଥାନ୍ତି ।
ଆକାର
ସମ୍ପାଦନାଗୋମୁହାଁ କୁମ୍ଭୀର ମଧ୍ୟମ ଆକାରର ଓ ଏମାନଙ୍କ ଦେହ ୪-୫ ମିଟର୍ ପର୍ଯ୍ୟନ୍ତ ବଢ଼େ ।[୯] ଅଣ୍ଡିରାମାନଙ୍କ ହାରାହାରି ଦୈର୍ଘ୍ୟ ୩.୨ ମିଟର୍ ହୋଇଥିବା ବେଳେ ମାଈମାନଙ୍କ ହାରାହାରି ଦୈର୍ଘ୍ୟ ୨.୪୫ ମିଟର୍ ପର୍ଯ୍ୟନ୍ତ ହୋଇଥାଏ । ଅଣ୍ଡିରା କୁମ୍ଭୀରମାନଙ୍କ ଆକାର ମାଈମାନଙ୍କଠାରୁ ବଡ଼ । ଅଣ୍ଡିରା କୁମ୍ଭୀର ୧.୭-୨ ମିଟର୍ ଲମ୍ବା ଓ ମାଈମାନେ ୨.୬ ମିଟର୍ ଲମ୍ବା ହେବାପରେ ଯୌନ ପରିପକ୍ୱତା ଲାଭ କରନ୍ତି ।[୯] ବ୍ରିଟିଶ୍ ସଂଗ୍ପହାଳୟରେ ଥିବା ସର୍ବବୃହତ୍ ଗୋମୁହାଁ କୁମ୍ଭୀରର ଦୈର୍ଘ୍ୟ ୩.୭ ମି. (୧୨ ଫୁଟ୍)।[୧୦]
ଅଧିବାସ ଓ ଭୌଗୋଳିକ ବିତରଣ
ସମ୍ପାଦନାଗୋମୁହାଁ କୁମ୍ଭୀର ଏକ ମଧୁର ପାଣି କୁମ୍ଭୀର । ନଦୀ, ହ୍ରଦ, ବଡ଼ ପୋଖରୀ, ସନ୍ତସନ୍ତିଆ ଅଞ୍ଚଳରେ ଏମାନେ ବସବାସ କରନ୍ତି । ପ୍ରଖର ସୁଅ ଓ ଗଭୀର ପାଣି ଅପେକ୍ଷା ଗୋମୁହାଁ କୁମ୍ଭୀର ଧୀର ସୁଅ ଓ ଅଳ୍ପ ଗଭୀର ପାଣିରେ ରହିବା ପସନ୍ଦ କରେ । ବେଳେବେଳେ ଜଳସେଚନ ପାଇଁ ଉଦ୍ଦିଷ୍ଟ ବନ୍ଧ ଓ କେନାଲ୍ରେ ମଧ୍ୟ ଗୋମୁହାଁ କୁମ୍ଭୀରମାନଙ୍କୁ ଦେଖାଯାଇଛି । ଯଦିଓ ଗୋମୁହାଁ କୁମ୍ଭୀର ମଧୁର ପାଣିରେ ରହିବା ପସନ୍ଦ କରେ, ତେବେ ଆବଶ୍ୟକ ପଡ଼ିଲେ ଲୁଣା ହ୍ରଦରେ ମଧ୍ୟ ରହିପାରେ । ଭାରତ, ନେପାଳ ଓ ଅନ୍ୟ କେତେକ ଅଞ୍ଚଳରେ ଗୋମୁହାଁ କୁମ୍ଭୀରର ଅଧିବାସରେ ଥଣ୍ଟିଆ କୁମ୍ଭୀର ଓ ବଉଳା କୁମ୍ଭୀର ରହିବା ମଧ୍ୟ ଦେଖାଯାଇଛି । କିନ୍ତୁ ଏମାନେ ନିଜ ନିଜ ଇଲାକାରେ ସୀମିତ ହୋଇ ରହନ୍ତି ।
ଗୋମୁହାଁ କୁମ୍ଭୀରମାନେ ସ୍ଥଳଭାଗରେ ବିଚରଣ କରିବା ପସନ୍ଦ କରନ୍ତି ଯାହାକି କ୍ୟୁବାର କୁମ୍ଭୀରମାନଙ୍କଠାରେ ଦେଖାଯାଏ ନାହିଁ । ପରିସ୍ଥିତିକ ବିଜ୍ଞାନ ଦୃଷ୍ଟିରୁ ଏମାନେ ଆଫ୍ରିକାର ନୀଳନଦୀ କୁମ୍ଭୀରମାନଙ୍କ ନିକଟତର । ଗୋମୁହାଁ କୁମ୍ଭୀର ନୂଆ ଅଧିବାସର ସନ୍ଧାନରେ ସ୍ଥଳଭାଗରେ ଅନେକ ଦୂର ଅତିକ୍ରମ କରିବା ମଧ୍ୟ ଦେଖାଯାଇଛି । ବେଳେବେଳେ ଗୋମୁହାଁ କୁମ୍ଭୀର ନିଜ ଶିକାରକୁ ସ୍ଥଳଭାଗରେ ଅଳ୍ପ ଦୂର ପର୍ଯ୍ୟନ୍ତ ଗୋଡ଼ାଇଯାଏ । ଶୁଷ୍କ ଋତୁରେ ଏହି କୁମ୍ଭୀରମାନେ ଭୂମିରେ ବିଶ୍ରାମ ନେବା ପାଇଁ ଖାଲ ମଧ୍ୟ ଖୋଳିଥାନ୍ତି ।
ଭାରତ, ବଙ୍ଗଳାଦେଶ, ଶ୍ରୀଲଙ୍କା, ନେପାଳ ଓ ଇରାନର ଦକ୍ଷିଣ ସୀମାରେ ଗୋମୁହାଁ କୁମ୍ଭୀର ଦେଖାଯାଇଛନ୍ତି । ଇଣ୍ଡୋ-ଚୀନରେ ମଧ୍ୟ ଗୋମୁହାଁ କୁମ୍ଭୀର ଦେଖାଯାନ୍ତି । ଭାରତରେ ଦେଖାଯାଉଥିବା ତିନି ପ୍ରଜାତିର କୁମ୍ଭୀର ମଧ୍ୟରେ ଗୋମୁହାଁ କୁମ୍ଭୀର ସର୍ବବ୍ୟାପ୍ତ ଓ ଏମାନଙ୍କ ସଂଖ୍ୟା ବଉଳା କୁମ୍ଭୀରଙ୍କଠାରୁ ଯଥେଷ୍ଟ ଅଧିକ । ପାକିସ୍ତାନ ଓ ଇରାନରେ କେବଳ ଗୋମୁହାଁ କୁମ୍ଭୀର ପ୍ରଜାତି ହିଁ ଦେଖାଯାଇଥାଏ ।
୧୯୮୦ ଦଶନ୍ଧିରେ ତାମିଲନାଡ଼ୁର ଅମରାବତୀ ଜଳଭଣ୍ଡାର ଓ ଏହାକୁ ନିଷ୍କାସିତ ହେଉଥିବା ଚିନାର୍, ତେନାର୍ ଓ ପମ୍ବାର୍ ନଦୀମାନଙ୍କରେ ଗୋମୁହାଁ କୁମ୍ଭୀରଙ୍କ ସଂଖ୍ୟା ସର୍ବାଧିକ ଥିଲା । ସେହି ସମୟରେ ସର୍ବମୋଟ ୬୦ଟି ବୟସ୍କ ଓ ୩୭ଟି ଅଳ୍ପ-ବୟସ୍କ କୁମ୍ଭୀର ଏଠାରେ ରହୁଥିଲେ ।
୧୯୭୫ ମସିହାରେ ଅମରାବତୀ ସାଗର କୁମ୍ଭୀର ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ଏହା ଭାରତର ସର୍ବବୃହତ୍ କୁମ୍ଭୀର ପ୍ରଜନନ କେନ୍ଦ୍ର । ଜଳଭଣ୍ଡାରର ତଟବର୍ତ୍ତୀ ଅଞ୍ଚଳରେ ଥିବା କୁମ୍ଭୀର ବସାରୁ ଅଣ୍ଡା ସଂଗ୍ରହ କରାଯାଇ ପ୍ରଜନନ କେନ୍ଦ୍ରକୁ ନିଆଯାଏ ଓ ସେଠାରେ ଉଷୁମାଯାଏ । ଏକଦା ଏଠାକାର ପ୍ରଜନନ କେନ୍ଦ୍ରରେ ୪୩୦ଟି କୁମ୍ଭୀର ପାଳିତ ହେଉଥିଲେ । ସେଠାରୁ ଅନେକ କୁମ୍ଭୀର ପୁଣି ପ୍ରାକୃତିକ ଜଳାଶୟମାନଙ୍କୁ ଛଡ଼ାଯାଇ ସାରିଲାଣି ।[୧୧] ପାକିସ୍ତାନର ସିନ୍ଧ୍, ବେଲୁଚିସ୍ତାନର ସମୁଦ୍ର ଓ ନଦୀ କୂଳରେ ୪୦୦ରୁ ୪୫୦ଟି ଗୋମୁହାଁ କୁମ୍ଭୀର ରହିଥିବାର ଅନୁମାନ କରାଯାଏ । ସରବାଜ୍ ନଦୀ, ବାହୁ କଲାତ୍ ନଦୀ, କାଜୁ ଓ ପିଶିନ୍ ନଦୀ ଉପତ୍ୟକାରେ ଏମାନଙ୍କର ସ୍ଥାନୀୟ ଉପ-ପ୍ରଜାତି ଦେଖିବାକୁ ମିଳନ୍ତି । ଗୋମୁହାଁ କୁମ୍ଭୀର ପାକିସ୍ତାନର ଜାତୀୟ ସରୀସୃପ ମଧ୍ୟ ।[୧୨]
ଇରାନର ମକ୍ରାନ୍ ଉପକୂଳର ଚାବାହାର୍ର ଉପର ପଟକୁ ପ୍ରାୟ ୨୦୦ଟି ଗୋମୁହାଁ କୁମ୍ଭୀର ରହିଥିବା ଜଣାପଡ଼ିଛି । ୧୯୯୦ ଦଶନ୍ଧିର ଶେଷ ଓ ୨୦୦୦ ଦଶନ୍ଧିର ପ୍ରଥମ ଭାଗରେ ଏଠାରେ ଦୀର୍ଘ ସମୟ ପାଇଁ ଦେଖାଦେଇଥିବା ମରୁଡ଼ି ଓ ମନୁଷ୍ୟମାନଙ୍କ ଯୋଗୁଁ ଗୋମୁହାଁ କୁମ୍ଭୀର ଏହି ଅଞ୍ଚଳରୁ ପ୍ରାୟତଃ ନିଶ୍ଚିହ୍ନ ହୋଇଯାଇଥିଲେ । ୨୦୦୭ ମସିହାର ଗୋନୁ ଓ ୟାମ୍ୟିନ୍ ଝଡ଼ ଏବଂ ୨୦୧୦ ମସିହାର ଫେତ୍ ଘୂର୍ଣ୍ଣିଝଡ଼ ଯୋଗୁଁ ଅନେକ ଶୁଷ୍କ ପୁଷ୍କରିଣୀ ଓ ହ୍ରଦ ଜଳପୂର୍ଣ୍ଣ ହୋଇଯିବା ଫଳରେ ଗୋମୁହାଁ କୁମ୍ଭୀରଙ୍କ ଅଧିବାସର କିଛି ମାତ୍ରାରେ ପୁନରୁତ୍ଥାନ ହୋଇପାରିଛି । ଗୋମୁହାଁ କୁମ୍ଭୀରକୁ ସ୍ଥାନୀୟ ଇରାନୀୟ ଭାଷାରେ "ଗଣ୍ଡୋ" ବୋଲି କୁହାଯାଏ ।
ଜୈବିକ ବିଶେଷତ୍ତ୍ୱ ଓ ପ୍ରକୃତି
ସମ୍ପାଦନାସ୍ଥଳଭାଗରେ ଶିକାରକୁ ଗୋଡ଼ାଇବା ସମୟରେ ଗୋମୁହାଁ କୁମ୍ଭୀର ଅଳ୍ପ ବାଟ ପର୍ଯ୍ୟନ୍ତ ୮ ମାଇଲ୍ ପ୍ରତି ଘଣ୍ଟା ବେଗରେ ଦୌଡ଼ିପାରେ । ଏହି କୁମ୍ଭୀରମାନେ ଦ୍ରୁତ ବେଗରେ ପହଁରି ପାରନ୍ତି ଓ ଅଳ୍ପ ସମୟ ପାଇଁ ଏମାନଙ୍କ ପହଁରା ବେଗ ୧୦-୧୨ ମାଇଲ୍ ପ୍ରତି ଘଣ୍ଟା ହୋଇଥାଏ । ସାଧାରଣତଃ ଏମାନେ ୧-୨ ମାଇଲ୍ ପ୍ରତି ଘଣ୍ଟା ବେଗରେ ପହଁରିବା ଦେଖାଯାଇଛି ।
ଖାଦ୍ୟ ଆହରଣ ଓ ଶିକାର କୌଶଳ
ସମ୍ପାଦନାଗୋମୁହାଁ କୁମ୍ଭୀର ମାଛ, ସାପ, କଇଁଛ, ପକ୍ଷୀ ଓ ଏପରିକି କେତେକ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ମଧ୍ୟ ଖାଦ୍ୟ ରୂପେ ଆହରଣ କରିଥାଏ । ସ୍ତନ୍ୟପାୟୀ ଶିକାରଙ୍କ ମଧ୍ୟରେ ମାଙ୍କଡ଼, ଗୁଣ୍ଡୁଚି ମୂଷା, ଚିତଲ୍ ହରିଣ ଓ ଓଧ ଇତ୍ୟାଦି ମୁଖ୍ୟ ଉଦାହରଣ । ପ୍ରକୃତରେ କହିବାକୁ ଗଲେ ପାଣି ପିଇବା ପାଇଁ କୂଳକୁ ଯାଉଥିବା ସମସ୍ତ ମେରୁଦଣ୍ଡୀ ଜୀବଙ୍କୁ ଏହି କୁମ୍ଭୀର ନିଜର ସମ୍ଭାବ୍ୟ ଶିକାର ବୋଲି ବିବେଚନା କରେ । ସେମାନଙ୍କୁ ଜାବୁଡ଼ି ଧରି ପାଣି ଭିତରକୁ ଟାଣି ନେଇଯାଏ । ପାଣିରେ ବୁଡ଼ାଇ ମାରିବା ପରେ ସେମାନଙ୍କୁ ଖାଇବା ଆରମ୍ଭ କରେ । ବୃହତ୍ ଓ ବୟସ୍କ ଗୋମୁହାଁ କୁମ୍ଭୀରମାନେ ବଡ଼ ହରିଣ, ସମ୍ବର, ଗୋରୁ, ମଇଁଷି ଇତ୍ୟାଦି ଶିକାର କରିବାର ନଜିର୍ ମଧ୍ୟ ରହିଛି । କିନ୍ତୁ ସମ-ଜଳବାୟୁରେ ରହୁଥିବା ବଉଳା କୁମ୍ଭୀରଙ୍କ ପାଇଁ ବଡ଼ ସ୍ତନ୍ୟପାୟୀ ପ୍ରାଣୀ ପରି ଶିକାର ମିଳିବା କମ୍ ଦେଖାଯାଏ । ରାତିରେ ଗୋମୁହାଁ କୁମ୍ଭୀରମାନେ ପାଣିରୁ ବାହାରି ସ୍ଥଳଭାଗରେ ଶିକାର କରିବା ମଧ୍ୟ ଦେଖାଯାଇଛି ।[୧୩] ରାତି ଶିକାର ବେଳେ ଏମାନେ କଲରା ପତରିଆ ବାଘ ପରି ଅନ୍ୟ ମାଂସାସୀ ପ୍ରାଣୀଙ୍କଠାରୁ ଶିକାର ଛଡ଼ାଇ ନେବା ବା ଚୋରି କରିବା ଦେଖାଯାଇଛି ।[୧୪] ସମୟେ ସମୟେ ଅନ୍ୟ ମାଂସଭୋଜୀ ପ୍ରାଣୀ କୁମ୍ଭୀରର ଶିକାର ହୋଇଯାଏ ।[୧୫] ମନୁଷ୍ୟଙ୍କ ପାଇଁ ଗୋମୁହାଁ କୁମ୍ଭୀର କେତେକ ସ୍ଥାନରେ ବିପଦ ସୃଷ୍ଟି କରିଛି ।[୧୬]
ଶିକାରକୁ ପ୍ରଲୋଭିତ କରିବା
ସମ୍ପାଦନାଗୋମୁହାଁ କୁମ୍ଭୀର ପକ୍ଷୀମାନଙ୍କର ଶିକାର କରିବା ପାଇଁ ସେମାନଙ୍କୁ ପ୍ରଲୋଭିତ କରାଏ ।[୧୭] ସରୀସୃପଙ୍କ ମଧ୍ୟରେ ଏପରି କୌଶଳ ଆପଣେଇବାରେ ଗୋମୁହାଁ କୁମ୍ଭୀରର ଉଲ୍ଲେଖ ପ୍ରଥମେ କରାଯାଇଛି । ନିଜ ମୁଣ୍ଡରେ ବାଡ଼ି, ଡାଙ୍ଗ, ଦଳ ଇତ୍ୟାଦି ଧରି ବସା ନିମନ୍ତେ ଉପଯୁକ୍ତ ସ୍ଥାନର ଭ୍ରମ ସୃଷ୍ଟି କରି ସେମାନେ ପକ୍ଷୀଙ୍କୁ ପ୍ରଲୋଭନ ଦେଖାନ୍ତି । ପକ୍ଷୀମାନଙ୍କ ବସା ବାନ୍ଧିବା ଋତୁରେ ସେମାନେ ବସା ପାଇଁ ଉପଯୁକ୍ତ ଉପାଦାନ ଖୋଜି ବୁଲୁଥାନ୍ତି । ଏପରି ସମୟରେ ପ୍ରଲୋଭନ ଶିକାର କୌଶଳର ଏକ ସଫଳ ପନ୍ଥା ହୋଇଥାଏ ।[୧୮] ଆମେରିକୀୟ ଆଲିଗେଟର୍ ମଧ୍ୟ ଅନୁରୂପ କୌଶଳ ଗ୍ରହଣ କରିବା ଦେଖାଯାଇଛି ।
ସମ-ଜଳବାୟୁରେ ବସବାସ କରୁଥିବା ଅନ୍ୟ ମାଂସଭୋଜୀ ପ୍ରାଣୀ
ସମ୍ପାଦନାଅନ୍ୟ ପ୍ରଜାତିର କୁମ୍ଭୀର[୩] ଓ କଲରାପତରିଆ ବାଘଙ୍କ[୧୪] ଛଡ଼ା ଅନ୍ୟ ଯେଉଁ ମାଂସାସୀ ଶିକାରୀ ପ୍ରାଣୀ ଗୋମୁହାଁ କୁମ୍ଭୀରଙ୍କ ଅଧିବାସରେ ଦେଖାଯାନ୍ତି, ସେମାନେ ହେଲେ :[୪][୧୯]
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ ୧.୦ ୧.୧ "Crocodylus palustris". IUCN Red List of Threatened Species. Version 2009.6. International Union for Conservation of Nature. 2013. Retrieved 27 April 2017.
{{cite web}}
: Invalid|ref=harv
(help) - ↑ . Encyclopedia Americana. 1920.
- ↑ ୩.୦ ୩.୧ Hiremath, K.G. Recent advances in environmental science. Discovery Publishing House, 2003. ISBN 81-7141-679-9.
- ↑ ୪.୦ ୪.୧ Da Silva, A. and Lenin, J. (2010). "Mugger Crocodile Crocodylus palustris, pp. 94–98 in S.C. Manolis and C. Stevenson (eds.) Crocodiles. Status Survey and Conservation Action Plan. 3rd edition, Crocodile Specialist Group: Darwin.
- ↑ Mugger (Crocodylus palustris) Archived 2017-07-13 at the Wayback Machine.. Arkive. Retrieved on 2013-04-13.
- ↑ Current Distribution of Crocodylus palustris Archived 2013-01-23 at the Wayback Machine.. Crocodile Species List. Retrieved on 2013-04-13.
- ↑ Mugger | Define Mugger at Dictionary.com. Dictionary.reference.com. Retrieved on 2011-03-19.
- ↑ "mugger, n.3". Oxford English Dictionary Online. December 2012. Oxford University Press. [୧]
- ↑ ୯.୦ ୯.୧ Britton, Adam. "Crocodylus palustris (LESSON, 1831)". Crocodilian Species List. Crocodile Specialist Group. Retrieved 21 July 2015.
- ↑ Boulenger, G. A. (1890) Fauna of British India. Reptilia and Batrachia.
- ↑ "Status and Distribution of the Mugger Crocodile in Tamil Nadu". Archived from the original on 3 August 2008. Retrieved 21 January 2018.
- ↑ "The Official Web Gateway to Pakistan". www.pakistan.gov.pk. Archived from the original on 2016-11-28. Retrieved 2016-10-23.
- ↑ Dinets, V.L. (2010). "On terrestrial hunting in crocodilians" (PDF). Herpetological Bulletin. 114: 15–18. Archived from the original (PDF) on 2011-10-15.
- ↑ ୧୪.୦ ୧୪.୧ "Sri Lankan Leopard". Arkive.org. Archived from the original on 2011-04-28. Retrieved 2018-02-09.
- ↑ Bhatnagar, C., & Mahur, M. (2010). Observations on feeding behavior of a wild population of marsh crocodile in Baghdarrah Lake, Udaipur, Rajasthan. Reptile Rap, 10, 16-18.
- ↑ "7 Crocodilian Species That Are Dangerous to Humans". britannica.com. Retrieved 7 January 2018.
- ↑ Dinets, V; Brueggen, JC; Brueggen, J.D. (2013). "Crocodilians use tools for hunting". Ethology, Ecology and Evolution. 1: 74. doi:10.1080/03949370.2013.858276.
- ↑ "Crocodiles are cleverer than previously thought: Some crocodiles use lures to hunt their prey". ScienceDaily. December 4, 2013. Retrieved December 8, 2013.
- ↑ Nowell, Kristin; Jackson, Peter (1996). Wild Cats: Status Survey and Conservation Action Plan (PDF). Gland, Switzerland: IUCN/SSC Cat Specialist Group. pp. 1–334. ISBN 2-8317-0045-0.