ଖଟୁଳି

(ଖଟୁଲିରୁ ଲେଉଟି ଆସିଛି)

ଖଟୁଳି ଓଡ଼ିଶାରେ ପୋଥି ଆଦି ପଢ଼ିବା ପାଇଁ ଓ ଠାକୁର ପୂଜା ପାଇଁ ବ୍ୟବହାର ହେଉଥିବା ଏକ କାଠ କିମ୍ବା ଧାତବ ଉଚ୍ଚ ଆସନ । କେତେକ ଦେଉଳରେ ମଧ୍ୟ ଏଗୁଡ଼ିକ ଅଧୀଷ୍ଠିତ ଠାକୁରଙ୍କ ପ୍ରତିମା ରଖିବା ପାଇଁ ବ୍ୟବହାର କରାଯାଇଥାଏ ।[୧][୨] ଓଡ଼ିଶାର ଗଣ ପର୍ବ ମାଣବସା ଗୁରୁବାରରେ ଏକ ଖଟୁଳି ଉପରେ ନୂଆ ଧାନ ଭରା ମାଣକୁ ନୂଆ ଲୁଗା ଓ ଗହଣାରେ ବେଢ଼ାଇ ଏକ ଖଟୁଳି ଉପରେ ରଖାଯାଇଥାଏ ।[୩][୪] ଜଗନ୍ନାଥଙ୍କ ୧୧୯ ଜଣ ସେବକଙ୍କ ଭିତରୁ ଏକ ହେଉଛନ୍ତି "ଖଟୁଳି ସେବକ" ।[୫] ଜଗନ୍ନାଥଙ୍କ ବିଭିନ୍ନ ସେବାନୀତି ଭିତରୁ "ଖଟୁଳି ନିଯୋଗ" ଅନ୍ୟତମ । ଏଥିରେ ଖଟୁଳି ଉପରେ ସଜ ରଖି ସେବା ନୀତି କରାଯାଇଥାଏ ।[୬] ଓଡ଼ିଶାର ଦେବଗୁନିଅାଁ ଜାତିର ଲୋକେ ମାଣବସା ଗୁରୁବାର ସମୟରେ ଗାଁ ଗାଁ ବୁଲି ଅନ୍ୟନ୍ୟ ବିଭିନ୍ନ ମୂର୍ତ୍ତି ସହିତ "ମୁକୁଟ-ଖଟୁଳି" ଆଦି ବିକ୍ରି କରିଥାନ୍ତି ।[୭]

ନାମକରଣ ସମ୍ପାଦନା

ସାରଳା ମହାଭାରତରେ ଖଟୁଳି ଶବ୍ଦର ବ୍ୟବହାର ହୋଇଥିଲା । ଏହା ବିଶ୍ଳେଷଣ କରି ସରଳ ଭାଷାତତ୍ତ୍ୱ ବହିରେ ଗିରିଜାଶଙ୍କର ରାୟ ଏହି ଶବ୍ଦ "ଖଟ" ଶବ୍ଦରୁ ଉତ୍ପତ୍ତିଲାଭ କରିଛି ବୋଲି ଉଲ୍ଲେଖ କରିଛନ୍ତି ।[୮] ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ତର୍ଜମା ଅନୁସାରେ ଛୋଟ ଖଟକୁ ଖଟୁଳି ବୋଲି କୁହାଯାଏ ।[୯]

ଆଧୁନିକ ବ୍ୟବହାର ସମ୍ପାଦନା

ଭାରତୀୟ ସ୍ୱାଧୀନତା ସଂଗ୍ରାମ ସମୟରେ ମାଡ୍ରାସ ପ୍ରେସିଡେନ୍ସୀ ବିଶେଷ କରି ଓଡ଼ିଶାରେ "ଗାନ୍ଧୀ ଖଟୁଳି"ଟିଏ ଗାଁରୁ ଗାଁକୁ ଯାଉଥିଲା । ମହାତ୍ମା ଗାନ୍ଧୀଙ୍କ ଦର୍ଶନ ଲୋକଙ୍କ ପାଖରେ ପହଞ୍ଚାଇବା ଏହାର ମୂଳ ଉଦ୍ଦେଶ୍ୟ ଥିଲା ।[୧୦]

ବ୍ରହ୍ମ ସ୍ଥାପନ ଖଟୁଳି ସମ୍ପାଦନା

ଏହି ଖଟୁଲିକୁ ନବକଳେବର ଅବସରରେ ବ୍ରହ୍ମ ପରିବର୍ତ୍ତନ ସମୟରେ ବ୍ରହ୍ମ ସ୍ଥାପନ ନୀତିରେ ବ୍ୟବହୃତ ହୋଇଥାଏ ।

ନିର୍ମାଣ ଓ ବ୍ୟବହାର ସମ୍ପାଦନା

ପୁରୀ ଦୋଳବେଦୀ ପରିସରରେ ବିଶ୍ୱକର୍ମା ସେବକ ଏହାକୁ ନିର୍ମାଣ କରନ୍ତି ଏହି ଖଟୁଳି ନିର୍ମାଣରେ ଗମ୍ଭାରୀ କାଠ ବ୍ୟବହାର କରାଯାଏ । ଏହାର ଚାରୋଟି ଗୋଡ଼ ରହିଛି । ଏହି ଖଟୁଳିର ମଝିରେ ଖୋଦେଇରେ ଅଷ୍ଟଦଳ ପଦ୍ମର ଚିତ୍ର ପ୍ରସ୍ତୁତ ହୋଇଥାଏ । ଏହାର ପଶ୍ଚାଦଭାଗରେ ପ୍ରଭା ପ୍ରସ୍ତୁତ କରାଯାଏ । ଏହା ଉପରେ ଦରଜୀ ସେବକଙ୍କଦ୍ୱାରା ଭେଲଭେଟ କନାର ଗଦିଶେଯ ବିଛାଯାଏ ।

ଜ୍ୟେଷ୍ଠ କୃଷ୍ଣ ଚତୁର୍ଦ୍ଦଶୀ ମଧ୍ୟରାତ୍ରରେ ନୂତନ ବିଗ୍ରହମାନଙ୍କୁ ଅଣସର ପିଣ୍ଡିକୁ ଅଣାଯାଇଥାଏ । ଏହି ସମୟରେ ପରିସରଟି ସମ୍ପୂର୍ଣ୍ଣ ଶୋଧ କରାଯାଇଥାଏ । ପୁରୁଣା ବିଗ୍ରହଙ୍କ ବ୍ରହ୍ମ ଏହି ଖଟୁଲିରେ ରଖାଯାଇ ପାରମ୍ପରିକ ବିଧିରେ ପୂଜର୍ଚ୍ଚନା କରାଯାଇ ନୂତନ ବିଗ୍ରହରେ ସ୍ଥାପନା କରାଯାଏ । ଚାରି ବାଡ଼ ନିମନ୍ତେ ଚାରୋଟି ଖଟୁଲି ବ୍ୟବହାର ହୋଇଥାଏ ।[୧୧]

ଆଧାର ସମ୍ପାଦନା

  1. "Metal Craft of Orissa" (PDF). Orissa Review. November 2004.
  2. "Brass & Bell Metal". Orissa Tourism. Retrieved 1 May 2016.[permanent dead link]
  3. Jyoshnarani Behera (1997). Political Socialization of Women: A Study of Teenager Girls. Atlantic Publishers & Dist. pp. 77–. ISBN 978-81-85495-21-7.
  4. "Manabasa Guru Bara and Lakshmi Puja". Odialive.com. Retrieved 1 May 2016.
  5. Pasayat, Sarmistha. "Dainandina Niti in Sri Jagannath Temple". Harekrsna.com. Retrieved 1 May 2016.
  6. Lord Jagannath. Sanbun Publishers. 2010. pp. 195–. ISBN 978-93-80213-22-4.
  7. "ହଜି ଯାଉଛି ପେଡ଼ିକ୍ରାଫ୍ଟ ଶିଲ୍ପ ,ସରକାରଙ୍କ ନଜର ନାହିଁ". ଓଡ଼ିଶା ସମାଚାର. Retrieved 1 May 2016.
  8. ରାୟ, ଗିରିଜାଶଙ୍କର (1942). ସରଳ ଭାଷାତତ୍ତ୍ୱ . ଶଶାଙ୍କଶଙ୍କର ରାୟ. p. 73 – via ଉଇକିପାଠାଗାର. {{citation}}: More than one of |pages= and |page= specified (help) [scan  ]
  9. ପ୍ରହରାଜ, ଗୋପାଳଚନ୍ଦ୍ର (1933). ଖଟୁଳି.[permanent dead link]
  10. Chandi Prasad Nanda (1 October 2008). Vocalizing Silence: Political Protests in Orissa, 1930-42. SAGE Publications. pp. 144–. ISBN 978-81-321-0006-5.
  11. ମିଶ୍ର, ସୁରେନ୍ଦ୍ର କୁମାର (୧୨ ଜୁନ ୨୦୧୫). "ପ୍ରସ୍ତୁତ ହେଲା ବ୍ରହ୍ମ ସ୍ଥାପନ ଖଟୁଲି". Retrieved 12 June 2015. {{cite news}}: Check date values in: |date= (help)