ଦ ଲାଷ୍ଟ୍ ସପ୍ପର୍ (ଲିଓନାର୍ଡ଼ୋ)
ଦ ଲାଷ୍ଟ୍ ସପ୍ପର୍ (ଇଂରାଜୀ ଭାଷାରେ The Last Supper) ପଞ୍ଚଦଶ ଶତାବ୍ଦୀର ଶେଷ ଆଡ଼କୁ ପ୍ରସିଦ୍ଧ ଇଟାଲୀୟ ଚିତ୍ରକର ଲିଓନାର୍ଡ଼ୋ ଦା ଭିନ୍ସିଙ୍କଦ୍ୱାରା ମିଲାନ ସହରର ସାନ୍ତା ମାରିଆ ଡେଲ୍ଲେ ଗ୍ରାଜି ଗୀର୍ଜାଘରର କାନ୍ଥରେ ଅଙ୍କିତ ଏକ ଚିତ୍ର । ଏହି ଚିତ୍ରଟି ପାଶ୍ଚାତ୍ୟ ଜଗତର ଏକ ଅତି ପ୍ରସିଦ୍ଧ କଳାକୃତି ।[୧]
୧୪୯୫-୯୬ ମସିହାରେ ଏହି ଚିତ୍ରର ଅଙ୍କନ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ । ମିଲାନର ରାଜା ଲୁଡୋଭିକୋ ଫୋର୍ଜାଙ୍କ ପୃଷ୍ଠପୋଷକତାରେ ଗୀର୍ଜାଘରର ନବୀକରଣ ସମୟରେ ଏହି ଚିତ୍ରଟି ପ୍ରତିଷ୍ଠିତ ହୋଇଥିଲା । ବାଇବେଲ ଧର୍ମଗ୍ରନ୍ଥର ଗସ୍ପେଲ୍ ଅଫ୍ ଜନ୍ (Gospel of John – ଜନ୍ଙ୍କ ଶିକ୍ଷା) ପୁସ୍ତକର ୧୩:୨୧ ଅଂଶରେ ଯୀଶୁଙ୍କୁ କୃଶବିଦ୍ଧ କରିବା ପୂର୍ବରୁ ଯୀଶୁ ଓ ତାଙ୍କ ଶିଷ୍ୟମାନେ ଏକତ୍ର କରିଥିବା ଶେଷ ରାତ୍ରି ଭୋଜନର ଦୃଶ୍ୟ ବା କଥା ଏହି ଚିତ୍ରରେ ଦର୍ଶିତ ।[୨] ଭୋଜନ ସମୟରେ ଉପସ୍ଥିତ ୧୨ ଶିଷ୍ୟଙ୍କ ମଧ୍ୟରୁ ଜଣେ ତାଙ୍କ ସହ ବିଶ୍ୱାସଘାତକତା କରିବାକୁ ଯାଉଛି ବୋଲି ଯୀଶୁଙ୍କ ଉଦଘୋଷଣା ଶୁଣି ଶିଷ୍ୟମାନଙ୍କ ଭାବରେ ପରିବର୍ତ୍ତନକୁ ଏହି ଚିତ୍ରରେ ଲିଓନାର୍ଡ଼ୋ ଅତି ନିଖୁଣ ଭାବେ ଦର୍ଶାଇଛନ୍ତି ।
ସେ କାଳର ଚିତ୍ରାଙ୍କନ ମାଧ୍ୟମ ଓ ପ୍ରଣାଳୀ, ପାରିବେଶିକ ପ୍ରଭାବ ଓ ଚିତ୍ରକୁ ନଷ୍ଟ କରିବାର କୁପ୍ରଚେଷ୍ଟା ଯୋଗୁଁ ବର୍ତ୍ତମାନ ମୂଳ ଚିତ୍ରର ଖୁବ୍ କମ୍ ଅଂଶ ତିଷ୍ଠି ରହିଛି । ତେବେ ଏହି ଚିତ୍ରର ପୁନରୁଦ୍ଧାର ପାଇଁ ବିଭିନ୍ନ ସମୟରେ ପଦକ୍ଷେପ ନିଆଯାଇଛି ଏବଂ ତନ୍ମଧ୍ୟରୁ ସର୍ବଶେଷ ପ୍ରକଳ୍ପ ୧୯୯୯ରେ ସମ୍ପୂର୍ଣ୍ଣ ହୋଇଥିଲା ।
ଚିତ୍ରର ବର୍ଣ୍ଣନା
ସମ୍ପାଦନାଦ ଲାଷ୍ଟ୍ ସପ୍ପର୍ ଚିତ୍ରର ମାପ ୪୬୦ ସେ.ମି. × ୮୮୦ ସେ.ମି. ଓ ଏହା ସାନ୍ତା ମାରିଆ ଗୀର୍ଜାଘରର ଗୋଟିଏ କାନ୍ଥକୁ ସମ୍ପୂର୍ଣ୍ଣ ଆଚ୍ଛାଦିତ କରି ଅଙ୍କିତ । ଲିଓନାର୍ଡ଼ୋ ଏହି ଚିତ୍ରଟି ଆଙ୍କିବା ସମୟରେ ଏହି ଘରଟି ଏକ ଭୋଜନ କକ୍ଷ ନଥିଲା । ୧୪୯୮ରେ ଗୀର୍ଜାର ନିର୍ମାଣ ସରିଥିଲା । ଫୋର୍ଜା ଏହି ଅଂଶକୁ ପରିବାର ସମାଧିପୀଠ ରୂପେ ନିର୍ମାଣ କରିବାର ଯୋଜନା ରଖିଥିଲେ ।[୪] ଫୋର୍ଜା ଏହି ଚିତ୍ରଟିକୁ ସମାଧିପୀଠର ମୁଖ୍ୟ ଆକର୍ଷଣ ରୂପେ ପ୍ରତିଷ୍ଠା କରାଇବାର ଲକ୍ଷ୍ୟ ରଖିଥିଲେ ।[୫] ଚିତ୍ର ଉପରେ ଥିବା ଅର୍ଦ୍ଧ ଚନ୍ଦ୍ରାକାର ଅଂଶରେ ଫୋର୍ଜା ରାଜକୀୟ ସଙ୍କେତ ଅଙ୍କିତ ହୋଇଛି । ଦ ଲାଷ୍ଟ୍ ସପ୍ପର୍ ଚିତ୍ରର ବିପରୀତ କାନ୍ଥରେ ଯୀଶୁଙ୍କୁ କୃଶ ବିଦ୍ଧ କରିବା ସମୟର ଚିତ୍ର ରହିଛି ଯାହା ଜିଓଭାନି ଡୋନାଟୋ ଦା ମୋଣ୍ଟୋର୍ଫାନୋଙ୍କଦ୍ୱାରା ଅଙ୍କିତ । ଲିଓନାର୍ଡ଼ୋ ଏହି ଚିତ୍ରରେ ଫୋର୍ଜା ପରିବାରର କିଛି ସଦସ୍ୟଙ୍କ ଚିତ୍ର ଯୋଡ଼ିଥିଲେ ଓ ଏହି ଚିତ୍ର ମଧ୍ୟ ଲାଷ୍ଟ୍ ସପ୍ପର୍ ଚିତ୍ର ପରି କାଳକ୍ରମେ ବିଲୀନ ହେବାରେ ଲାଗିଛି ।[୬]
ଉପସ୍ଥିତ ୧୨ ଶିଷ୍ୟଙ୍କ ମଧ୍ୟରୁ ଜଣେ ତାଙ୍କ ପ୍ରତି ବିଶ୍ୱାସଘାତକତା କରିବ ବୋଲି ଯୀଶୁ କହିବା ପରେ ଶିଷ୍ୟମାନଙ୍କ ପ୍ରତିକ୍ରିୟା ଦ ଲାଷ୍ଟ୍ ସପ୍ପର୍ ଚିତ୍ରରେ ଦର୍ଶିତ । ସମସ୍ତ ୧୨ ଶିଷ୍ୟଙ୍କ ପ୍ରତିକ୍ରିୟା ଭିନ୍ନ ଭିନ୍ନ ବୋଲି ଦର୍ଶାଯାଇଛି । ସଭିଙ୍କ ମୁହଁର କ୍ରୋଧ ଓ ଆଶ୍ଚର୍ଯ୍ୟର ଭାବ ଅଲଗା । ଲିଓନାର୍ଡ଼ୋଙ୍କ ପାଣ୍ଡୁ ଲିପିରୁ ଶିଷ୍ୟମାନଙ୍କ ପରିଚୟ ମିଳିଥିଲା ।[୭][୮] ଏହି ପାଣ୍ଡୁଲିପିକୁ ଉନବିଂଶ ଶତାବ୍ଦୀରେ ଉଦ୍ଧାର କରାଯାଇଥିଲା । ପାଣ୍ଡୁଲିପି ମିଳିବା ପୂର୍ବରୁ ଚିତ୍ରରେ କେବଳ ଜୁଡାସ୍, ପିଟର୍, ଜନ୍ ଓ ଯୀଶୁଙ୍କ ପରିଚୟ ଜଣାଥିଲା । ମୂଳ ଚିତ୍ରରେ ବାମରୁ ଡାହାଣକୁ ବସିଥିବା ବ୍ୟକ୍ତିମାନେ ହେଲେ :
- ବାର୍ଥୋଲୋମ୍ୟୁ, ଆଲଫାଏୟସ୍ଙ୍କ ପୁତ୍ର ଜେମ୍ସ୍ (କନିଷ୍ଠ), ସେଣ୍ଟ୍ ଆଣ୍ଡ୍ର୍ୟୁ – ଏହି ତିନି ଜଣ ଗୋଟିଏ ଦଳରେ ବସିଛନ୍ତି ଓ ତିନି ଜଣଙ୍କ ମୁହଁରେ ଆଶ୍ଚର୍ଯ୍ୟର ଭାବ ରହିଛି ।
- ଜୁଡାସ୍ ଇସ୍କାରିୟଟ୍, ସେଣ୍ଟ୍ ପିଟର୍ ଓ ଜନ୍ ଆଉ ଏକ ତିନିଜଣିଆ ଦଳରେ ବସିଛନ୍ତି । ଜୁଡାସ୍ ନାଲି, ନେଳି, ସାଗୁଆ ରଙ୍ଗର ବସ୍ତ୍ର ପିନ୍ଧିଛନ୍ତି ଓ ଯୀଶୁଙ୍କ ଅକସ୍ମାତ ଘୋଷଣା ପରେ ତାଙ୍କ ଯୋଜନା ଖୋଲିଯାଇଥିବା ଦେଖି ଆଶ୍ଚର୍ଯ୍ୟ ଓ ବିରକ୍ତ ଅଛନ୍ତି । ସେ ଏକ ଥଳୀ ଧରିଛନ୍ତି । ଏହି ଥଳୀ “ଯୀଶୁଙ୍କ ସହ ବିଶ୍ୱାସଘାତକତା କରିବା ପାଇଁ ଜୁଡାସ୍ଙ୍କୁ ମିଳିଥିବା ରୂପାର ପୁରସ୍କାର” କିମ୍ବା “ଜୁଡାସ୍ ଜଣେ କୋଶାଧ୍ୟକ୍ଷ ଥିବାରୁ ତାଙ୍କ ପରିଚୟର ସଙ୍କେତ” ଦର୍ଶାଇବା ପାଇଁ ବ୍ୟବହାର କରାଯାଇଥିବ ।[୯] ଜୁଡାସଙ୍କ ହାତ ବାଜି ଲୁଣ ପଡ଼ି ରହିଥିବା ପ୍ରାଚ୍ୟ ଦେଶରେ ପ୍ରଚଳିତ “ନମକ ହରାମୀ” ସମ୍ପର୍କିତ ପରିଭାଷା । ଜୁଡାସଙ୍କ ମୁହଁର ସ୍ତର ଅନ୍ୟ ସମସ୍ତ ଶିଷ୍ୟଙ୍କ ମୁହ୍ଁର ସ୍ତରଠାରୁ ନିମ୍ନରେ ଦର୍ଶାଯାଇଛି । ପିଟର୍ ନାମକ ଶିଷ୍ୟ ରାଗରେ ଏକ ଛୁରି ଧରିଥିବା ଦର୍ଶାଯାଇଛି । ପିଟର୍ଙ୍କ ମୁଣ୍ଡ ଯୀଶୁଙ୍କ ପ୍ରିୟ ଶିଷ୍ୟ ଜନ୍ଙ୍କ ଆଡ଼କୁ ଢଳି ରହିଛି । ଜନ୍ଙ୍କ କାନ୍ଧରେ ହାତ ରଖି ପିଟର୍ ତାଙ୍କୁ ଯୀଶୁଙ୍କୁ ସେ ବିଶ୍ୱାସଘାତକର ପରିଚୟ ପଚାରିବାକୁ ଅନୁରୋଧ କରୁଛନ୍ତି । ସର୍ବକନିଷ୍ଠ ଶିଷ୍ୟ ଜନ୍ ଭାବ ବିହ୍ୱଳିତ ଅବସ୍ଥାରେ ପିଟର୍ଙ୍କ ପଟକୁ ଢଳି ବସିଛନ୍ତି ।
- ଯୀଶୁ ଖ୍ରୀଷ୍ଟ
- ଯୀଶୁଙ୍କ ବାମ ପଟକୁ ଥୋମାସ୍, ଜେମ୍ସ୍ (ଜ୍ୟେଷ୍ଠ) ଓ ଫିଲିପ୍ ନାମକ ତିନି ଶିଷ୍ୟ ଦଳରେ ବସିଛନ୍ତି । ଥୋମାସ୍ ଦୁଃଖିତ ଥିବା ଜଣାପଡ଼ୁଛି । ଅଙ୍ଗୁଳି ଉଠାଇ ବସିଥିବା ତାଙ୍କ ପୁନରୁତ୍ଥାନ ସମ୍ପର୍କିତ ଆଶଙ୍କା ଦର୍ଶାଉଛି । ଜେମ୍ସ୍ (ଜ୍ୟେଷ୍ଠ) ସମ୍ପୂର୍ଣ୍ଣ ସ୍ତବ୍ଧ ଓ ତାଙ୍କ ହାତ ଚଉକି ଉପରେ ରହିଛି । ଫିଲିପ୍ କିଛି ପଚାରୁଥିବା ପରି ପ୍ରତୀତ ହେଉଛି ।
- ତା’ ନିକଟରେ ମ୍ୟାଥ୍ୟୁ, ଜୁଡ୍ ଓ ସାଇମନ୍ ନାମକ ତିନି ଶିଷ୍ୟ ଉପବିଷ୍ଟ । ମ୍ୟାଥ୍ୟୁ ଓ ଜୁଡ୍ ସାଇମନ୍ଙ୍କ ଆଡ଼କୁ ଚାହିଁ ନିଜ ପ୍ରଶ୍ନର ଉତ୍ତର ପଚାରୁଥିବା ପରି ମନେହୁଏ ।
ଯୀଶୁଙ୍କ ଅନ୍ତିମ ରାତ୍ରିଭୋଜନର ଦୃଶ୍ୟ ବର୍ଣ୍ଣନା କରୁଥିବା ସମସ୍ତ ସମସାମୟିକ ଚିତ୍ରଙ୍କ ପରି ଲିଓନାର୍ଡୋଙ୍କ ଚିତ୍ରରେ ସମସ୍ତ ଶିଷ୍ୟ ଓ ଯୀଶୁ ଗୋଟିଏ ପଟେ ବସିଛନ୍ତି ଯେପରିକି କେହି ଦର୍ଶକଙ୍କୁ ପଛ କରି ନବସିବେ । ପୂର୍ବ ଚିତ୍ରମାନଙ୍କରେ ଜୁଡାସ୍ ଯୀଶୁଙ୍କ ବିପରୀତ ପଟେ ବସିଥିବା କିମ୍ବା ଜୁଡାସଙ୍କ ବ୍ୟତୀତ ଅନ୍ୟ ସମସ୍ତ ଶିଷ୍ୟଙ୍କ ମୁଣ୍ଡ ଉପରେ ବୃତ୍ତଦ୍ୱାରା ଚିହ୍ନିତ କରାଯାଇଥିଲା ।
ଲିଓନାର୍ଡୋଙ୍କ ଚିତ୍ରରେ ଜୁଡାସ୍ ଛାୟା ମଧ୍ୟରେ ରହିଛନ୍ତି । ଯୀଶୁ ତାଙ୍କ ନିକଟରେ ଥିବା ରୁଟିକୁ ଇଙ୍ଗିତ କରି ଥୋମାସ୍ ଓ ଜେମ୍ସ୍ (ଜ୍ୟେଷ୍ଠ)ଙ୍କୁ କହୁଛନ୍ତି ଯେ ତାଙ୍କ ବିଶ୍ୱାସଘାତକ ଓ ସେ ଏକା ସମୟରେ ରୁଟି (ବ୍ରେଡ଼୍) ଉଠାଇବେ । ଜନ୍ ଓ ପିଟର୍ଙ୍କ ବାର୍ତ୍ତାଳାପ ଶୁଣୁଥିବା ଜୁଡାସଙ୍କ ହାତ ମଧ୍ୟ ନିକଟସ୍ଥ ରୁଟି ଆଡ଼କୁ ବଢ଼ିଛି । ଯୀଶୁ ରୁଟି ଆଡ଼କୁ ହାତ ବଢ଼ାଉଥିବା ବିଷୟ ଜୁଡାସ୍ ଲକ୍ଷ୍ୟ କରିନାହାନ୍ତି (ମ୍ୟାଥ୍ୟୁଙ୍କ ଶିକ୍ଷାବାଣୀ ୨୬:୨୩) । ଚିତ୍ରର କେନ୍ଦ୍ରବିନ୍ଦୁ ଯୀଶୁଙ୍କ ମୁହଁରେ ରହିଛି ।[୧୦] ଏହି ଚିତ୍ରରେ ଲିଓନାର୍ଡ଼ୋଙ୍କ ଚିତ୍ରକଳାର ନିଖୁଣତା ଦେଖିହେବ । ଚିତ୍ରର କେନ୍ଦ୍ରରେ ଯୀଶୁଙ୍କ ମୁହଁ, ସେ ତଳକୁ ଚାହିଁଥିବାରୁ ବାମ ହାତ ଓ ରୁଟି ଉପରକୁ ଦର୍ଶକର ଦୃଷ୍ଟି ସ୍ୱତଃପ୍ରବୃତ୍ତ ଯାଇଥାଏ ।
ଲିଓନାର୍ଡ଼ୋ ମିଲାନର ଅନାମଧେୟ ସାଧାରଣ ଲୋକଙ୍କ ମୁହଁ ଏହି ଚିତ୍ରରେ ବ୍ୟବହାର କରିଥିଲେ । ଅଳସୁଆ ପରି ଲିଓନାର୍ଡ଼ୋ ମିଲାନର ଗଳିକନ୍ଦିରେ ବୁଲି ଜୁଡାସଙ୍କ ମୁହଁ ପାଇଁ ଏକ ଉପଯୁକ୍ତ ଆସାମୀକୁ ଖୋଜୁଥିବା ଗୀର୍ଜାର ମୁଖ୍ୟ ଫୋର୍ଜା ରାଜାଙ୍କୁ ଅଭିଯୋଗ କରିଥିଲେ । ଯଦି କେହି ନ ମିଳନ୍ତି ତେବେ ମୁଖିଆଙ୍କ ଚେହେରା ପରି ହିଁ ଜୁଡାସଙ୍କ ଚେହେରା ହୋଇପାରିବ ବୋଲି ଲିଓନାର୍ଡ଼ୋ ପ୍ରତ୍ୟୁତ୍ତରରେ କହିଥିଲେ ।[୧୧] ଚିତ୍ରଟି ଅଙ୍କିତ ହେଉଥିବା ସମୟରେ ଲିଓନାର୍ଡ଼ୋଙ୍କ ଜଣେ ଗାଣିତିକ ବନ୍ଧୁ ଲୁକା ପାଚ୍ୟୋଲି ଏହି ଚିତ୍ରକୁ "ମୋକ୍ଷପ୍ରାପ୍ତି ପାଇଁ ମନୁଷ୍ୟର ଦୃଢ଼ ଆକାଂକ୍ଷାର ଚିହ୍ନ (a symbol of man's burning desire for salvation)" ବୋଲି କହିଥିଲେ ।[୧୨]
ମାଧ୍ୟମ
ସମ୍ପାଦନାପାରମ୍ପରିକ ଚିତ୍ରଠାରୁ ଲିଓନାର୍ଡ଼ୋ ନିଜର ଏହି ଚିତ୍ରରେ ଆଲୋକ ଓ ଛାୟାର ସଠିକ ମାତ୍ରା ଓ ପ୍ରାଞ୍ଜଳ ବିବରଣୀ ଦର୍ଶାଇବାକୁ ଚେଷ୍ଟା କରିଥିଲେ ।[୧୩] ଲାଷ୍ଟ୍ ସପ୍ପର୍ ଚିତ୍ରଟି ଆର୍ଦ୍ର ଚୂନଯୁକ୍ତ କାନ୍ଥ ପରିବର୍ତ୍ତେ ଏକ ଶୁଷ୍କ କାନ୍ଥରେ ଅଙ୍କା ଯାଇଥିଲା । ଆଙ୍କିବା ସମୟରେ ଚିତ୍ର ବଦଳାଇ ହେବନାହିଁ ବୋଲି ଲିଓନାର୍ଡ଼ୋ ଦୁଇ ସ୍ତରର ଶୁଖିଲା ଚୂନବିଶିଷ୍ଟ କାନ୍ଥଟିକୁ ଚୟନ କରିଥିଲେ ।[୧୩] ସେ କାନ୍ଥରେ ଦୁଇଟି ସ୍ତରରେ ଗେସ୍ସୋ, ପିଚ୍ ଓ ମାଷ୍ଟିକ୍ ଲେପ ଦିଆଯାଇଥିଲା ।[୧୪] ଚିତ୍ରକୁ ଅଧିକ ଉଜ୍ଜ୍ୱଳ କରି ଦେଖାଇବା ପାଇଁ ସେ ଧଳା ସୀସାର ଏକ ଲେପ ମଧ୍ୟ ବ୍ୟବହାର କରିଥିଲେ । ଚତୁର୍ଦ୍ଦଶ ଶତାବ୍ଦୀରେ ସେନ୍ନିନୋ ସେନ୍ନିନି ଭିନ୍ନ ଉପାଦାନ ବ୍ୟବହାର କରି ଏହି ପ୍ରଣାଳୀର ବର୍ଣ୍ଣନା କରିଥିଲେ ।[୧୫] ଲିଓନାର୍ଡ଼ୋଙ୍କ ପଦ୍ଧତି ତାଙ୍କୁ ବହୁ ସମୟ ପ୍ରଦାନ କରିଥିଲା ଯାହା ଫଳରେ ସେ ଚିତ୍ରମାନଙ୍କୁ କ୍ରମଶଃ ରଞ୍ଜିତ କରିପାରିଥିଲେ ଓ ତାଙ୍କ ଶୈଳୀ ପାଇଁ ଏହା ଆବଶ୍ୟକ ମଧ୍ୟ ଥିଲା ।
ଲିଓନାର୍ଡ଼ୋଙ୍କ ଚିତ୍ରରୁ ଅନୁପ୍ରାଣୀତ କିଛି ମହତ୍ୱପୂର୍ଣ୍ଣ ନକଲ ଚିତ୍ର
ସମ୍ପାଦନା-
ଜ୍ୟାମ୍ପିଏତ୍ରିନୋଙ୍କ ଲାଷ୍ଟ୍ ସପ୍ପର୍ (୧୫୨୦)[୧୬]
-
ଆଣ୍ଡ୍ରିଆ ସୋଲାରିଙ୍କ ଲାଷ୍ଟ୍ ସପ୍ପର୍ (୧୫୨୦)
-
ସିଜାରେ ଦା ସେଷ୍ଟୋଙ୍କ ଅଙ୍କିତ ଲାଷ୍ଟ୍ ସପର୍
ଦ ଲାଷ୍ଟ୍ ସପ୍ପର୍ ଚିତ୍ରର କିଛି ସୁନ୍ଦର ନକଲ ଚିତ୍ର ରହିଛି । ଏଗୁଡ଼ିକ ଲିଓନାର୍ଡ଼ୋଙ୍କ ସହଯୋଗୀମାନେ ଆଙ୍କିଥିବା ଅନୁମାନ କରାଯାଏ । ନକଲ ଚିତ୍ରଗୁଡ଼ିକ ଆକାରରେ ପ୍ରାୟ ମୂଳ ଚିତ୍ର ପରି ଓ ମୂଳ ଚିତ୍ରର ସମସ୍ତ ବର୍ଣ୍ଣନା ସଠିକ ରୂପେ ଦର୍ଶାଇଥାନ୍ତି ।[୧୭]
- ୧) ପ୍ରଥମଟି ଜ୍ୟାମ୍ପିଏଟ୍ରିନୋଙ୍କଦ୍ୱାରା ଅଙ୍କିତ । ଲଣ୍ଡନର ରାଜକୀୟ କଳା ଏକଡେମୀର ସଂଗ୍ରହାଳୟରେ ଏହାକୁ ରଖାଯାଇଛି ।
- ୨) ଦ୍ୱିତୀୟଟି ସିଜାରେ ଦା ସେଷ୍ଟୋଙ୍କ ଅଙ୍କିତ ନକଲ ଚିତ୍ର ସ୍ୱିଜରଲ୍ୟାଣ୍ଡର ସେଣ୍ଟ୍ ଆମ୍ବ୍ରୋଜିଓ ଗୀର୍ଜା ଘରେ ରହିଛି ।
- ୩) ତୃତୀୟଟି ଆଣ୍ଡ୍ରିଆ ସୋଲାରିଙ୍କଦ୍ୱାରା ଅଙ୍କିତ ଓ ଏହାକୁ ବେଲଜିୟମ୍ର ଲିଓନାର୍ଡ଼ୋ ଦା ଭିନ୍ସି ସଂଗ୍ରହାଳୟରେ ରଖାଯାଇଛି ।
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନାଟୀକା
ଆଧାର
- ↑ "Leonardo Da Vinci's 'The Last Supper' reveals more secrets". sciencedaily.com. Retrieved 3 March 2014.
- ↑ The Last Supper by Leonardo da Vinci –. "Santa Maria delle Grazie – Milan". Inexhibit. Archived from the original on 19 October 2021. Retrieved 10 November 2017.
- ↑ ୩.୦ ୩.୧ Wallace 1972, p. 86.
- ↑ "Santa Maria delle Grazie & The Last Supper". Timeout.com. Archived from the original on 29 March 2013. Retrieved 30 June 2019.
- ↑ "Leonardo's Itinerary: Early maturity in Milan (1482-1499)". Museo Galileo. 5 March 2008. Retrieved 21 December 2012.
- ↑ King, Ross (2012). Leonardo and the Last Supper. New York: Bloomsbury. p. 271. ISBN 9781620403082.
- ↑ "The Notebooks of Leonardo Da Vinci—Complete by Leonardo da Vinci". Gutenberg.org. 1 January 2004. Retrieved 14 February 2012.
- ↑ The Notebooks of Leonardo da Vinci p. 232)
- ↑ Cfr. ଛାଞ୍ଚ:Bibleref2 and ଛାଞ୍ଚ:Bibleref2.
- ↑ White, Susan D. (2006). Draw Like Da Vinci. London: Cassell Illustrated, p.132. ISBN 9781844034444.
- ↑ Wallace 1972, p. 81.
- ↑ Wallace 1972, p. 82.
- ↑ ୧୩.୦ ୧୩.୧ "Leonardo's Last Supper". Smart history presented by the Khan Academy. Archived from the original on 15 February 2014. Retrieved 25 February 2014.
- ↑ Wallace 1972, p. 83.
- ↑ "The Last Supper". The Last Supper. Archived from the original on 20 October 2014. Retrieved 25 February 2014.
- ↑ "Chapel with return Renaissance painrefting". Oxford Times. 14 September 2017. p. 19.
- ↑ "Last Supper (copy after Leonardo)". University of the Arts, London. Archived from the original on 6 November 2018. Retrieved 11 August 2008.
ଉତ୍ସ
ସମ୍ପାଦନାଆହୁରି ପଢ଼ନ୍ତୁ
ସମ୍ପାଦନା- Steinberg, Leo. Leonardo's Incessant "Last Supper". New York: Zone Books, 2001.
- Detailed review of Steinberg's 'Incessant Last Supper' at 3 Pipe Problem
- Bertelli, Carlo (November 1983). "Restoration Reveals The Last Supper". National Geographic. Vol. 164, no. 5. pp. 664–684. ISSN 0027-9358. OCLC 643483454.
ଅନ୍ୟାନ୍ୟ ଲିଂକ୍
ସମ୍ପାଦନା- Official website
- Leonardo's Last Supper and the three layers
- John the Apostle in Art
- Leonardo da Vinci: anatomical drawings from the Royal Library, Windsor Castle, exhibition catalog fully online as PDF from The Metropolitan Museum of Art, which contains material on The Last Supper (see index)
- Zoomable version Archived 2018-10-31 at the Wayback Machine.
- Tourist Information Archived 2018-08-04 at the Wayback Machine.
- "Leonardo's Last Supper" (video). Smarthistory at Khan Academy. Archived from the original on 2014-02-15. Retrieved 2020-01-11.
- Tickets