ତିନ୍ ମୂର୍ତ୍ତୀ ଭବନ
ତିନ୍ ମୂର୍ତ୍ତୀ ଭବନ ହେଉଛି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପୂର୍ବତନ ବାସଗୃହ । ଏହା ଦିଲ୍ଲୀଠାରେ ଅବସ୍ଥିତ । ୧୯୬୪ ମସିହା ମଇ ମାସ ୨୭ ତାରିଖରେ ଜବାହରଲାଲ ନେହେରୁଙ୍କ ମୃତ୍ୟୁ ହୋଇଥିଲା । ନିଜ ମୃତ୍ୟୁ ପର୍ଯ୍ୟନ୍ତ ଦୀର୍ଘ ୧୬ ବର୍ଷ ଧରି ସେ ଏହି ବାସଭବନରେ ରହିଆସୁଥିଲେ । କନଟ୍ ପ୍ଲେସ୍ (Connaught Place)ର ନକ୍ସା ପ୍ରସ୍ତୁତ କରିଥିବା ବ୍ରିଟିଶ୍ ସ୍ଥପତି ରବର୍ଟ୍ ଟର୍ ରସେଲ୍ ଏହି ଭବନଟିର ପରିକଳ୍ପନା କରିଥିଲେ । ଏହି ଭବନ ୧୯୩୦ ମସିହାରେ ଭାରତୀୟ ବ୍ରଟିଶ୍ ସେନାବାହିନୀର ମୁଖ୍ୟ କମାଣ୍ଡର୍ ବା କମାଣ୍ଡର୍-ଇନ୍-ଚିଫ୍ଙ୍କ ରହିବା ପାଇଁ ନିର୍ମାଣ କରାଯାଇଥିଲା ।[୧]
ତିନ୍ ମୂର୍ତ୍ତୀ ଭବନ | |
---|---|
ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତ | |
General information | |
Location | ତିନ୍ ମୂର୍ତ୍ତୀ ରୋଡ଼୍ |
ଠିକଣା | ନୂଆ ଦିଲ୍ଲୀ, ଭାରତ |
Coordinates | 28°36′09″N 77°11′56″E / 28.602608°N 77.198774°E |
Completed | ୧୯୩୦ |
Design and construction | |
Owner | ଭାରତ ସରକାର |
ଶିଳ୍ପୀ | ରବର୍ଟ୍ ଟର୍ ରସେଲ୍ |
ବର୍ତ୍ତମାନ ତିନ୍ ମୂର୍ତ୍ତୀ ଭବନ ନେହେରୁ ସ୍ମାରକ ସଂଗ୍ରହାଳୟ ଏବଂ ପୁସ୍ତକାଳୟ (Nehru Memorial Museum and Library ବା NMML) ଭାବେ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି । ଏହା ସଂସ୍କୃତି ମନ୍ତ୍ରଣାଳୟ (ଭାରତ) ଅଧିନରେ ଅଛି ଓ ପ୍ରଫେସର୍ ଲୋକେଶ ଚନ୍ଦ୍ର[୨] ବର୍ତ୍ତମାନ ଏହାର ଶାସନ ପରିଷଦ (Executive Council)ର ଅଧ୍ୟକ୍ଷ ଅଛନ୍ତି । ୧୯୬୪ ମସିହାରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ଡା. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଅଧ୍ୟକ୍ଷତାରେ ପ୍ରତିଷ୍ଠା କରାଯାଇଥିବା ଜବାହରଲାଲ ନେହେରୁ ସ୍ମାରକ ପାଣ୍ଠି (Jawaharlal Nehru Memorial Fund)ର କାର୍ଯ୍ୟାଳୟ ମଧ୍ୟ ଏବେ ଏହି କୋଠାଟିରେ ଚାଲୁଛି । ଭିନ୍ନ ଭିନ୍ନ ଦେଶ, ଯଥା ଇଂଲଣ୍ଡ, ନେପାଳ, ସୋମାଲିଆ, ଚାଇନା ଇତ୍ୟାଦିଦ୍ୱାରା ଦିଆଯାଇଥିବା ଅନେକ ସ୍ମରଣଚିହ୍ନ ମଧ୍ୟ ଏହି କୋଠାରେ ରଖାଯାଇଛି । ଏଠାରେ ଥିବା ପ୍ରତ୍ୟେକ ସ୍ମରଣଚିହ୍ନକୁ ସେହି ଦେଶର ଗୋଟିଏ ଗୋଟିଏ ଉଲ୍ଲେଖନୀୟ ସମ୍ବଳ ଭାବେ ଗଣନା କରାଯାଇଥାଏ । ୧୯୬୮ ମସିହାଠାରୁ ଜବାହରଲାଲ ନେହେରୁ ସ୍ମାରକ ପାଣ୍ଠି ପକ୍ଷରୁ ଜବାହରଲାଲ ନେହେରୁ ସ୍ମାରକ ଅଧିସଦସ୍ୟତା (Jawaharlal Nehru Memorial Fellowship) ପୁରସ୍କାର ମଧ୍ୟ ଦିଆଯାଉଛି ।[୩]
ସେଣ୍ଟର୍ ଫର୍ କଣ୍ଟେମ୍ପରାରି ଷ୍ଟଡିଜ୍ ଓ ୧୯୮୪ ମସିହାରେ ଖୋଲାଯାଇଥିବା ନେହେରୁ ତାରାଘର (Nehru Planetarium) ମଧ୍ୟ ଏହି କୋଠାରେ କାର୍ଯ୍ୟକାରୀ ହେଉଛି ।
ନାମକରଣ
ସମ୍ପାଦନାବ୍ରିଟିଶ୍ ମୂର୍ତ୍ତୀକାର ଲିଓନାର୍ଡ଼୍ ଜେନିଙ୍ଗ୍ସ୍ଙ୍କଦ୍ୱାରା ନିର୍ମାଣ କରାଯାଇଥିବା ତିନ୍ ମୂର୍ତ୍ତୀ (ତିନିଟି ମୂର୍ତ୍ତୀ) ସ୍ମାରକ ଯୋଗୁଁ ଏହି କୋଠାଟିର ନାମ ତିନ୍ ମୂର୍ତ୍ତୀ ଭବନ ହୋଇଛି । ଏହି ସ୍ମାରକଟି ତିନ୍ ମୂର୍ତ୍ତୀ ଭବନର ବୃହତ୍ ପ୍ରାଙ୍ଗଣରେ ଥିବା ରାସ୍ତାଗୁଡ଼ିକର ସଂଯୋଗ ସ୍ଥଳରେ ଅବସ୍ଥିତ । ଏଥିରେ ତିନିଜଣ ସୈନିକଙ୍କର ମୂର୍ତ୍ତୀ ଅଛି । ଏହି ସ୍ମାରକଟି ୧୯୨୨ ମସିହାରେ ପ୍ରଥମ ବିଶ୍ୱଯୁଦ୍ଧରେ ଭାରତୀୟ ବ୍ରିଟିଶ୍ ସୈନ୍ୟବାହିନୀ ପକ୍ଷରୁ ଲଢ଼ିଥିବା ଭାରତର ତତ୍କାଳୀନ ତିନି ରାଜ୍ୟ, ଯଥା ଯୋଧପୁର, ହାଇଦ୍ରାବାଦ ଓ ମହୀଶୂରର ସୈନିକମାନଙ୍କ ସ୍ମୃତିରେ ତିଆରି କରାଯାଇଥିଲା ।[୪]
ଇତିହାସ
ସମ୍ପାଦନା
ତିନ୍ ମୂର୍ତ୍ତୀ ଭବନ ଆଗରୁ ଫ୍ଲାଗ୍ଷ୍ଟାଫ୍ ହାଉସ୍ (Flagstaff House) ଭାବରେ ଜଣାଶୁଣା ଥିଲା । ଏଠାରେ ଭାରତୀୟ ବ୍ରିଟିଶ୍ ସେନାବାହିନୀର ମୁଖ୍ୟ କମାଣ୍ଡର୍ ବା କମାଣ୍ଡର୍-ଇନ୍-ଚିଫ୍ ବାସ କରୁଥିଲେ । ଏହା ୩୦ ଏକର[୪] କ୍ଷେତ୍ରଫଳ ବିଶିଷ୍ଟ ଏକ ଭୂମି ଉପରେ ନିର୍ମିତ ହୋଇଛି । ଏଥିରେ ଧଳା ପଥର ଓ ପ୍ଲାଷ୍ଟର୍ ବ୍ୟବହାର କରାଯାଇଛି । ଏହାର ସମ୍ମୁଖ ପଟ ରାଷ୍ଟ୍ରପତି ଭବନର ଦକ୍ଷିଣ ଦିଗକୁ ଅଛି । ଏହାର ମୁଖ୍ୟ ଦ୍ୱାରର ଉପରିଭାଗ ଗୋଲାକାର ଓ ଝରକାଗୁଡ଼ିକ ଖୋପ ଭିତରେ ପଶିଗଲା ପରି ଅଟେ । ଏହାର ପଛ ପଟେ ସ୍ତମ୍ଭଯୁକ୍ତ ଏକ ବାରଣ୍ଡା ରହିଛି ।
୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇଲା ପରେ ଏହି ଭବନକୁ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଭାବେ ବ୍ୟବହାର କରାଗଲା । ୧୯୬୪ ମସିହାରେ ଜବାହରଲାଲ ନେହେରୁଙ୍କ ମୃତ୍ୟୁ ପରେ ଏହା ସଂଗ୍ରାହାଳୟ ଏବଂ ପାଠାଗାର ଥିବା ଏକ ଜାତୀୟ ସ୍ମାରକରେ ପରିଣତ ହେଲା । ବର୍ତ୍ତମାନ ନେହେରୁ ସଂଗ୍ରହାଳୟର ସବା ତଳ ମହଲାରେ ନେହେରୁଙ୍କ ବ୍ୟବହାର୍ଯ୍ୟ ଆସବାବପତ୍ର, କେତେକ ସ୍ମୃତିଚିହ୍ନ, ପାଣ୍ଡୁଲିପି ଓ ଅନ୍ୟାନ୍ୟ ଜିନିଷପତ୍ରକୁ ବ୍ୟବହାର କରି ବିଦେଶ ମନ୍ତ୍ରଣାଳୟର ଏକ କାର୍ଯ୍ୟାଳୟ ତିଆରି କରାଯାଇଛି ।
୧୯୬୪ ମସିହା ନଭେମ୍ବର ମାସରେ ପ୍ରତିଷ୍ଠା କରାଯାଇଥିବା ଜବାହରଲାଲ ନେହେରୁ ସ୍ମାରକ ପାଣ୍ଠି (Jawaharlal Nehru Memorial Fund)ର ମୁଖ୍ୟ କାର୍ଯ୍ୟାଳୟ, ନେହେରୁ ସ୍ମାରକ ପାଠାଗାର (Nehru Memorial Library) ଓ ଜବାହରଲାଲ ନେହେରୁ ସ୍ମାରକ ଅଧିସଦସ୍ୟତା (Jawaharlal Nehru Memorial Fellowship)ର ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ଏହି କୋଠାଟିରେ ରହିଛି ।[୪] ନେହେରୁ ସ୍ମାରକ ପାଠାଗାରରୁ ଆଧୁନିକ ଭାରତର ଇତିହାସ ସମ୍ବନ୍ଧରେ ଅନେକ ତଥ୍ୟ ମିଳେ । ଏହି ପାଠାଗାରଟି ୧୯୬୬ ମସିହାରେ ଆରମ୍ଭ ହୋଇ ଭବନର ମୁଖ୍ୟ କୋଠାରେ ଚାଲିଆସୁଥିଲା । ଏହାର ନୂତନ କୋଠାଟି ୧୯୭୪ ମସିହାରେ ଭବନର ପ୍ରାଙ୍ଗଣରେ ଉଦ୍ଘାଟିତ ହୋଇଛି ।
ଭାରତରେ ଥିବା ୪ଟି ନେହେରୁ ତାରାଘର ମଧ୍ୟରୁ ଗୋଟିଏ ତିନ୍ ମୂର୍ତ୍ତୀ ଭବନର ପ୍ରାଙ୍ଗଣରେ ଅଛି । ଏହାକୁ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ତଥା ନେହେରୁଙ୍କ ଝିଅ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ୧୯୮୪ ମସିହା ଫେବୃଆରୀ ମାସ ୬ ତାରିଖରେ ଉଦ୍ଘାଟନ କରିଥିଲେ । ଏହି ତାରାଘରର ମହାକାଶ ନାଟ୍ୟଶାଳା (Sky Theatre)କୁ ଉଭୟ ମହାକାଶର ବିଭିନ୍ନ ଦୃଶ୍ୟ ଦେଖାଇବା ପାଇଁ ଓ ଗ୍ୟାଲେରି ହିସାବରେ ବ୍ୟବହାର କରାଯାଏ ।[୫] ୨୦୧୦ କମନ୍ୱେଲ୍ଥ୍ ଗେମ୍ସ୍ ଅବସରରେ ଏହାର ପୁନଃନିର୍ମାଣ ପରେ ଏହି ତାରାଘରଟି ପୁନର୍ବାର ୨୦୧୦ ମସିହା ସେପ୍ଟେମ୍ବର ମାସରେ ଖୋଲାଯାଇଥିଲା ଏବଂ ଏହା ରାଣୀଙ୍କ ରାଜଦଣ୍ଡ ମଧ୍ୟ ଲାଭ କରିଥିଲା । ବର୍ତ୍ତମାନ ଏଥିରେ ମେଗାଷ୍ଟାର୍ (Megastar) ନାମକ ଡେଫିନିଟି ଅପ୍ଟିକାଲ୍ ଷ୍ଟାର୍ ପ୍ରୋଜେକ୍ଟର୍ (Definiti optical star projector) ରଖାଯାଇଛି । ଏହି ମେଗାଷ୍ଟାର୍ ୨ ନିୟୁତ ତାରକାଙ୍କୁ ଏକା ସଙ୍ଗେ ଦେଖାଇ ପାରେ ।[୬]
ନେହେରୁ ତାରାଘର ପାଖରେ ଭବନର ପ୍ରାଙ୍ଗଣରେ ଶିକାରଗାହ ବା ଶିକାର ଗୃହ ଅଛି । ଚତୁର୍ଦ୍ଦଶ ଶତାବ୍ଦୀରେ ଦିଲ୍ଲୀରେ ଶାସନ କରୁଥିବା ମୋଗଲ ଶାସକ ଫିରୋଜ ଶାହା ତୋଗଲକ (ଶାସନ: ଖ୍ରୀଷ୍ଟାବ୍ଦ ୧୩୫୧-୧୩୮୮)ଙ୍କ ଏହି ଶିକାର ଗୃହକୁ କୁଶକ ମହଲ ମଧ୍ୟ କୁହାଯାଏ । ଏହା ପଥରରେ ତିଆରି ହୋଇଛି ଓ ଏଥିରେ ଅନେକ ପାହାଚ ମଧ୍ୟ ଅଛି । ଏହାର ତିନିଟି ସ୍ତମ୍ଭଯୁକ୍ତ ଦ୍ୱାର ଅଛି । ପ୍ରତ୍ୟେକ ଦ୍ୱାର ସହ ସଂଲଗ୍ନ କୋଠରି ପୁଣି ତିନି ଭାଗରେ ବିଭକ୍ତ ହୋଇଛି । ଏହି ସ୍ମାରକଟିର ସଂରକ୍ଷଣ ବର୍ତ୍ତମାନ ପୁରାତାତ୍ତ୍ୱିକ ସର୍ବେକ୍ଷଣ (ଭାରତ) (Archaeological Survey of India ବା ASI) ଦାୟିତ୍ୱରେ ଅଛି । ଏହି କୁଶକ ମହଲର ନାମ ଅନୁସାରେ ପାଖରେ ଥିବା ରାସ୍ତାଟିର ନାମ କୁଶକ ମାର୍ଗ ରଖାଯାଇଛି ।[୭][୮]
ଠିକଣା ଓ ଅନ୍ୟାନ୍ୟ ତଥ୍ୟ
ସମ୍ପାଦନାଠିକଣା:[୯]
- ତିନ୍ ମୂର୍ତ୍ତୀ ମାର୍ଗ,
- ନୂଆ ଦିଲ୍ଲୀ,
- ଭାରତ,
- ପିନ୍ କୋଡ୍ - ୧୧୦୦୧୧
ଫୋନ୍: +୯୧-୧୧-୨୩୦୧୫୨୬୮
ସମୟ: ଦିନ ୧୧:୩୦ରୁ ଅପରାହ୍ନ ୩ଟା (ପ୍ରତି ସୋମବାର ତଥା ଛୁଟି ଦିନମାନଙ୍କରେ ସର୍ବସାଧାରଣଙ୍କ ପାଇଁ ଭବନ ବନ୍ଦ ରୁହେ ।)
ଆଧାର
ସମ୍ପାଦନା- ↑ "Architectural marvels for the new capital". Hindustan Times. 20 ଜୁଲାଇ 2011. Archived from the original on 2 ନଭେମ୍ବର 2014. Retrieved 21 ଅଗଷ୍ଟ 2016.
- ↑ Executive Council, Chairman. "NMML". Archived from the original on 13 ଅଗଷ୍ଟ 2016. Retrieved 21 ଅଗଷ୍ଟ 2016.
- ↑ History Jawaharlal Nehru Memorial Fund, Official website.
- ↑ ୪.୦ ୪.୧ ୪.୨ "Steeped in history, a three-statue salute to erstwhile princely states". Hindustan Times. 13 ଅପ୍ରେଲ 2013. Archived from the original on 30 ସେପ୍ଟେମ୍ବର 2013. Retrieved 24 ସେପ୍ଟେମ୍ବର 2013.
- ↑ "Nehru Planetarium". Press Information Bureau, Govt. of India. ଅକ୍ଟୋବର 2001.
- ↑ "Nehru Planetarium ready to receive the Queen's Baton". The Hindu. 30 ସେପ୍ଟେମ୍ବର 2010. Archived from the original on 12 ଅକ୍ଟୋବର 2010. Retrieved 22 ଅଗଷ୍ଟ 2016.
- ↑ "Indian cavalry's victorious trysts with India's history". Asian Age. 6 ଡିସେମ୍ବର 2011. Archived from the original on 19 ଜାନୁଆରୀ 2012. Retrieved 23 ଅଗଷ୍ଟ 2016.
- ↑ "King's resort in the wild". Hindustan Times. New Delhi. 4 ଅଗଷ୍ଟ 2012. Archived from the original on 17 ଜୁନ 2013. Retrieved 23 ଅଗଷ୍ଟ 2016.
- ↑ "NMML". Archived from the original on 13 ଅଗଷ୍ଟ 2016. Retrieved 21 ଅଗଷ୍ଟ 2016.
{{cite web}}
:|first=
missing|last=
(help)