ମହମ୍ମଦ ୟୁନୁସ

(Muhammad Yunusରୁ ଲେଉଟି ଆସିଛି)

ମହମ୍ମଦ ୟୁନୁସ (ଜନ୍ମ ୨୮ ଜୁନ୍ ୧୯୪୦) ଜଣେ ବାଂଲାଦେଶୀ ଅର୍ଥନୀତିଜ୍ଞ, ଉଦ୍ୟୋଗୀ, ରାଜନେତା ଏବଂ ସାମାଜିକ ନେତା, ଯିଏ ଶେଖ ହାସିନା ସରକାରଙ୍କ ପତନ ପରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା (ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ) ଭାବରେ କାର୍ଯ୍ୟ କରିଆସୁଛନ୍ତି । ଗ୍ରାମୀଣ ବ୍ୟାଙ୍କ ପ୍ରତିଷ୍ଠା କରିବା ଏବଂ ଗ୍ରାମୀଣ ଅର୍ଥନୀତିର ବିକାଶ ଦିଗରେ ମାଇକ୍ରୋ ଫାଇନାନ୍ସ ଧାରଣାକୁ ଆଗେଇ ନେଇଥିବା ଯୋଗୁଁ ୟୁନୁସଙ୍କୁ ୨୦୦୬ ରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ୟୁନୁସ୍ ୨୦୦୯ରେ ଆମେରିକାର "ପ୍ରେସିଡେନ୍ସିଆଲ ମେଡାଲ ଅଫ ଫ୍ରିଡମ" ଏବଂ ୨୦୧୦ରେ କଂଗ୍ରେସନାଲ ସ୍ୱର୍ଣ୍ଣ ପଦକ ସମେତ ଅନ୍ୟାନ୍ୟ ଜାତୀୟ ତଥା ଆନ୍ତର୍ଜାତୀୟ ସମ୍ମାନ ଦ୍ଵାରା ସମ୍ମାନିତ ହୋଇଛନ୍ତି ।[]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ସମ୍ପାଦନା
 
ସ୍କାଉଟ ପୋଷାକରେ ୟୁନୁସ (୧୯୫୩)

ମହମ୍ମଦ ୟୁନୁସ ୨୮ ଜୁନ୍ ୧୯୪୦ରେ ଏକ ବଙ୍ଗୀୟ ମୁସଲିମ ପରିବାରରେ ବଙ୍ଗଳା ପ୍ରେସିଡେନ୍ସିର ଚିଟାଗଙ୍ଗ ଜିଲ୍ଲା ଅନ୍ତର୍ଗତ ବଥୁଆ ଗାଁରେ ଜନ୍ମଗ୍ରହଣ କରିଥିଲେ (ବର୍ତ୍ତମାନର ବାଂଲାଦେଶରେ) । ପିତାମାତାଙ୍କ ନଅ ସନ୍ତାନ ସନ୍ତତି ମଧ୍ୟରୁ ସେ ଥିଲେ ତୃତୀୟ ।[] ତାଙ୍କ ପିତା ହାଜି ମହମ୍ମଦ ଦୁଲା ମିୟା ସୌଦାଗର ଜଣେ ଅଳଙ୍କାର ବ୍ୟବସାୟୀ ଏବଂ ମାତା ଥିଲେ ସୁଫିଆ ଖାତୁନ୍ । ତାଙ୍କର ବାଲ୍ୟକାଳ ଗାଁରେ ଅତିବାହିତ ହୋଇଥିଲା | ୧୯୪୪ ମସିହାରେ, ତାଙ୍କ ପରିବାର ଚିଟାଗଙ୍ଗ ସହରକୁ ଚାଲିଗଲେ ଏବଂ ଫଳରେ ସେ ତାଙ୍କ ଗ୍ରାମ ବିଦ୍ୟାଳୟରୁ ଲାମାବାଜର ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇଲେ । ୧୯୪୯ ବେଳକୁ ତାଙ୍କ ମାଆ ଏକ ମାନସିକ ରୋଗର ଶୀକାର ହେଲେ । ପରେ ସେ ପୂର୍ବ ପାକିସ୍ତାନର ଚିଟାଗଙ୍ଗ କଲେଜିଏଟ୍ ସ୍କୁଲରୁ ୩୯,୦୦୦ ଛାତ୍ରଙ୍କ ମଧ୍ୟରୁ ୧୬ ତମ ସ୍ଥାନରେ ରହି ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କ ସ୍କୁଲ ପଢା ସମୟରେ ସେ ଜଣେ ସକ୍ରିୟ ସ୍କାଉଟ୍ ସଭ୍ୟ ଥିଲେ । ଉକ୍ତ ସମୟରେ 'ଜାମ୍ବୋରୀ' (ସ୍କାଉଟ ସମ୍ପର୍କୀୟ ଏକ କାର୍ଯ୍ୟକ୍ରମ) କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ୧୯୫୨ ମସିହାରେ ପଶ୍ଚିମ ପାକିସ୍ଥାନ ଏବଂ ଭାରତ ଏବଂ ୧୯୫୫ ମସିହାରେ କାନାଡା ଯାଇଥିଲେ ।[] ୟୁନୁସ ଚିଟାଗଙ୍ଗ କଲେଜରେ ପଢୁଥିବାବେଳେ ସେ ସାଂସ୍କୃତିକ କାର୍ଯ୍ୟକଳାପରେ ଋଚି ରଖୁଥିଲେ ଏବଂ ନାଟକ ପାଇଁ ପୁରସ୍କାର ମଧ୍ୟ ଲାଭ କରିଥିଲେ। ୧୯୫୭ ମସିହାରେ, ସେ ଢାକା ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗରେ ନାମ ଲେଖାଇ ୧୯୬୦ ରେ ସ୍ନାତକ କଳା (ବିଏ) ଏବଂ ୧୯୬୧ ରେ ସ୍ନାତୋକତ୍ତର କଳା (MA) ଶିକ୍ଷା ସମାପ୍ତ କରିଥିଲେ ।[]

ସ୍ନାତକୋତ୍ତର ପରେ, ୟୁନୁସ୍ ନୁରୁଲ ଇସଲାମ ଏବଂ ରେହମାନ ସୋଭାନଙ୍କ ଅର୍ଥନୀତି ବିଭାଗରେ ଗବେଷଣା ସହାୟକ ଭାବରେ ବ୍ୟୁରୋ ଅଫ୍ ଇକୋନୋମିକ୍ସରେ ଯୋଗ ଦେଇଥିଲେ । ପରେ, ସେ ୧୯୬୧ ମସିହାରେ ଚିଟାଗଙ୍ଗ କଲେଜରେ ଅର୍ଥନୀତିରେ ଅଧ୍ୟାପକ ଭାବରେ ନିଯୁକ୍ତ ହୋଇଥିଲେ । ସେହି ସମୟ ମଧ୍ୟରେ ସେ ଚାକିରୀ ସହିତ ଏକ ଲାଭଜନକ ପ୍ୟାକେଜିଂ କାରଖାନା ମଧ୍ୟ ସ୍ଥାପନ କରିଥିଲେ ।[] ୧୯୬୫ରେ ସେ ଯୁକ୍ତରାଷ୍ଟ୍ରରେ ପଢିବା ପାଇଁ ଫୁଲବ୍ରାଇଟ୍ ଛାତ୍ରବୃତ୍ତି ପାଇଲେ | ସେ ୧୯୭୧ ମସିହାରେ ଭାଣ୍ଡରବିଲ୍ଟ ବିଶ୍ଵବିଦ୍ୟାଳୟରୁ ଗ୍ରାଜୁଏଟ୍ ପ୍ରୋଗ୍ରାମ୍ ଇନ୍ ଇକୋନୋମିକ୍ ଡେଭଲପମେଣ୍ଟ୍ (ଜିପିଏଡ୍) ରୁ ଅର୍ଥନୀତିରେ ପିଏଚଡି ହାସଲ କରିଥିଲେ । ୧୯୬୯ରୁ ୧୯୭୨ ପର୍ଯ୍ୟନ୍ତ ୟୁନୁସ୍, ମୁର୍ଫ୍ରିସବୋରୋର ମିଡିଲ୍ ଟେନିସି ଷ୍ଟେଟ୍ ୟୁନିଭରସିଟିର ଅର୍ଥନୀତିର ସହକାରୀ ପ୍ରଫେସର ଥିଲେ ।[]

ସ୍ନାତକ ପରେ

ସମ୍ପାଦନା

୧୯୭୧ ମସିହାରେ ବାଂଲାଦେଶ ମୁକ୍ତି ଯୁଦ୍ଧ ସମୟରେ ୟୁନୁସ ଏକ ନାଗରିକ କମିଟି ଗଠନ କରିଥିଲେ ଏବଂ ମୁକ୍ତି ଯୁଦ୍ଧ ପାଇଁ ସମର୍ଥନ ସଂଗ୍ରହ କରିବା ପାଇଁ ଆମେରିକାରେ ରହୁଥିବା ଅନ୍ୟ ବାଂଲାଦେଶୀମାନଙ୍କ ସହ "ବାଂଲାଦେଶ ସୂଚନା କେନ୍ଦ୍ର" ପରିଚାଳନା କରିଥିଲେ । ସେ ନାଶଭିଲରେ ଥିବା ତାଙ୍କ ଘରୁ 'ବାଂଲାଦେଶ ନ୍ୟୁଜଲେଟର' ମଧ୍ୟ ପ୍ରକାଶ କରିଥିଲେ । ଯୁଦ୍ଧ ପରେ ସେ ବାଂଲାଦେଶ ଫେରିଥିଲେ ଏବଂ ନୁରୁଲ ଇସଲାମଙ୍କ ନେତୃତ୍ୱରେ ସରକାରଙ୍କ ଯୋଜନା ଆୟୋଗରେ ନିଯୁକ୍ତ ହୋଇଥିଲେ । ଅବଶ୍ୟ, ସେ ଏହି କାମକୁ ବିରକ୍ତିକର ମନେ କରି ଇସ୍ତଫା ଦେଇ ଚିଟାଗଙ୍ଗ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ବିଭାଗର ମୁଖ୍ୟ ଭାବରେ ଯୋଗଦେଇଥିଲେ । ୧୯୭୪ର ଦୁର୍ଭିକ୍ଷ ସମୟର ଲୋକଙ୍କ ଦୁର୍ଦ୍ଦଶା ଦେଖିବା ପରେ ସେ ଦାରିଦ୍ର୍ୟ ଦୂରୀକରଣ ଦିଗରେ କାର୍ଯ୍ୟ କଲେ ଏବଂ ଏକ ଗବେଷଣା ପ୍ରକଳ୍ପ ଭାବରେ ଗ୍ରାମୀଣ ଅର୍ଥନୈତିକ କାର୍ଯ୍ୟକ୍ରମ ପ୍ରତିଷ୍ଠା କଲେ । ୧୯୭୫ରେ ସେ "Nabajug Tebhaga Khamar" ନାମକ ଏକ ପ୍ରକଳ୍ପ ବିକଶିତ କରିଥିଲେ ଏବଂ ଏହି ପ୍ରକଳ୍ପକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ୟୁନୁସ୍ ଏବଂ ତାଙ୍କ ସହଯୋଗୀମାନେ 'ଗ୍ରାମ ସରକାର' କାର୍ଯ୍ୟକ୍ରମର ପ୍ରସ୍ତାବ ଦେଇଥିଲେ । ୧୯୭୦ ଦଶକର ଶେଷ ଭାଗରେ ରାଷ୍ଟ୍ରପତି ଜିଆଉର ରହମାନଙ୍କ ସରକାର ୨୦୦୩ରେ ଚତୁର୍ଥ ପଞ୍ଚୟତ ସ୍ତର ଭାବରେ ୪୦,୩୯୨ ଗ୍ରାମ ସରକାର ଗଠନ କରିଥିଲେ । ବାଂଲାଦେଶ ଆଇନ ସହାୟତା ଏବଂ ସେବା ଟ୍ରଷ୍ଟ (BLAST) ଙ୍କ ଆବେଦନକୁ ନେଇ ୨ ଅଗଷ୍ଟ ୨୦୦୫ରେ ଢାକା ଉଚ୍ଚ ଅଦାଲତ ଗ୍ରାମ ସରକାର ପ୍ରକଳ୍ପକୁ ବେଆଇନ ଘୋଷଣା କରିଥିଲେ ।[]

ରାଜନୈତିକ ଜୀବନ

ସମ୍ପାଦନା

ଫେବୃଆରୀ ୨୦୦୭ରେ, ୟୁନୁସ୍ ଏକ ରାଜନୈତିକ ଦଳ ନାଗୋରିକ୍ ​​ଶକ୍ତି (ନାଗରିକ ଶକ୍ତି) ଗଠନ କରି ଆଗାମୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରି ବାଂଲାଦେଶୀ ରାଜନୈତିକ ମଞ୍ଚରେ ପ୍ରବେଶ କରିଥିଲେ । ଜରୁରୀକାଳୀନ ପରିସ୍ଥିତି ସାଙ୍ଗକୁ ଦେଶର ଦୁଇ ପ୍ରମୁଖ ଦଳ ଆୱାମୀ ଲିଗ୍ ଏବଂ ବାଂଲାଦେଶ ନ୍ୟାସନାଲ ପାର୍ଟି ମଧ୍ୟରେ ଘୋର ବିବାଦ ସମୟରେ ତାଙ୍କଦ୍ଵାରା ଏଭଳି ଘୋଷଣା କରାଯାଇଥିଲା । ୟୁନୁସଙ୍କ ପ୍ରତିଶୃତି ଥିଲା ଯେ ତାଙ୍କ ଆନ୍ଦୋଳନ ଉତ୍ତମ ଶାସନ ଫେରାଇ ଆଣିବା ସହ ଦୁର୍ନୀତି ଦୂର କରିବାକୁ ଚେଷ୍ଟା କରିବ । ତେବେ ମେ ୨୦୦୭ରେ, ୟୁନୁସ ସମର୍ଥନ ଅଭାବ ଦର୍ଶାଇ ଦଳ ଗଠନ ପାଇଁ ଉଦ୍ୟମ ପରିତ୍ୟାଗ କରିଥିଲେ ।

୧୯୯୬ ମସିହାରେ ମହମ୍ମଦ ୟୁନୁସ ପୂର୍ବତନ ପ୍ରଧାନ ବିଚାରପତି ମହମ୍ମଦ ହବିବୁର ରହମାନଙ୍କ ନେତୃତ୍ୱରେ ଅସ୍ଥାୟୀ କାର୍ଯ୍ୟନିର୍ବାହୀ ସରକାରଙ୍କ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ । ସେ ପ୍ରାଥମିକ ଓ ଗଣଶିକ୍ଷା ମନ୍ତ୍ରଣାଳୟ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏବଂ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ତଦାରଖ ଦାୟିତ୍ୱରେ ଥିଲେ ।[]

ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା

ସମ୍ପାଦନା

ଶେଖ ହସିନାଙ୍କ ସରକାରର ପତନ ପରେ ଛାତ୍ର ନେତାଙ୍କ ପ୍ରସ୍ତାବକୁ ଗ୍ରହଣ କରି ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ୟୁନୁସଙ୍କୁ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପାଇଁ ଏକ ଆଦେଶ ଦେଇଥିଲେ । ତାଙ୍କ ସରକାର ବାଂଲାଦେଶର ସମ୍ବିଧାନର ସଂଶୋଧନ ପାଇଁ ଏକ ସାମ୍ବିଧାନିକ ସଂସ୍କାର ଆୟୋଗ ନିଯୁକ୍ତ କରିଛନ୍ତି ଏବଂ ଏକ ସାମ୍ବିଧାନିକସଭା ଗଠନ ପାଇଁ ପ୍ରତିଶୃତି ଦେଇଛନ୍ତି । ଶ୍ରମ ସଂହିତା ଉଲ୍ଲଂଘନ ଅଭିଯୋଗରେ ହୋଇଥିବା ମମଲାରେ ସେ ପରଦିନ ଅପିଲରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ଏହି ରାୟ ତାଙ୍କର ଦେଶକୁ ଫେରିବା ଏବଂ ଅନ୍ତରୀଣ ସକାରର ଅନ୍ତରୀଣ ମୁଖ୍ୟ ଭାବେ ନିଯୁକ୍ତିକୁ ସହଜ କରିଥିଲା ।

ବିବାଦ ଏବଂ ସମାଲୋଚନା

ସମ୍ପାଦନା

ସେପ୍ଟମ୍ବର ୨୦୧୦ରେ ବାଂଲାଦେଶ ସରକାର ୟୁନୁସଙ୍କ ବିରୋଧରେ ଅଭିଯୋଗ କରିଥିଲେ ଯେ ୧୯୯୬ ମସିହାରେ ସେ ଗ୍ରାମୀଣ ବ୍ୟାଙ୍କର ଏକ ଶାଖା କମ୍ପାନୀକୁ ପ୍ରାୟ ୧୦୦ ମିଲିୟନ ଡଲାର ଅନୁଚିତ ଦେୟ କରିଥିଲେ । ଏହି ଅଭିଯୋଗକୁ ୟୁନୁସ ଖଣ୍ଡନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଏହି ଅଭିଯୋଗ ମିଥ୍ୟା ପ୍ରମାଣିତ ହେଲା ।[]

୧ ଜାନୁୟାରୀ ୨୦୨୪ରେ, ବାଂଲାଦେଶର ଏକ ଅଦାଲତ ଶ୍ରମ ଆଇନ ଉଲ୍ଲଂଘନ ପାଇଁ ଗ୍ରାମୀଣ ଟେଲିକମର ତିନିଜଣ କର୍ମଚାରୀଙ୍କ ସହ ୟୁନୁସଙ୍କୁ ଛଅ ମାସ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ତେବେ ଆବେଦନକାରୀ ଏହି ରାୟ ବିରୁଦ୍ଧରେ ଅପିଲ କରିବା କାରଣରୁ ଅଦାଲତ ୟୁନୁସଙ୍କୁ ଜାମିନ ପ୍ରଦାନ କରିଛନ୍ତି । ପରବର୍ତ୍ତୀ ସମୟରେ ଅପିଲ ଅଦାଲତ ଏହି ରାୟକୁ ଖାରଜ କରିଦେଇଛନ୍ତି ।[୧୦]

ନେଦରଲ୍ୟାଣ୍ଡର ଅନ୍ତର୍ଜାତୀୟ ନ୍ୟାୟାଳୟରେ (ଆଇସିସି) ରୋମ ଷ୍ଟାଟ୍ୟୁଟର ଧାରା ୧୫ ଅନୁଯାୟୀ ବାଂଲାଦେଶ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସ ଏବଂ ଅନ୍ୟ ୬୧ ଜଣଙ୍କ ବିରୋଧରେ ଅଭିଯୋଗ କରାଯାଇଛି । ଆୱାମି ଲିଗର ନେତା ତଥା ସିଲହଟର ପୂର୍ବତନ ମେୟର ଅନୱାର୍ଜମାନ ଚୌଧୁରୀ ଏହି ଅଭିଯୋଗ ଆଣିଛନ୍ତି । ୫ ଅଗଷ୍ଟ ରୁ ୮ ଅଗଷ୍ଟ ୨୦୨୪ ମଧ୍ୟରେ ବଙ୍ଗଳାଦେଶରେ ଛାତ୍ର ଆନ୍ଦୋଳନ ନାମରେ ହୋଇଥିବା ହିଂସା ତଥା ମୃତ୍ୟୁ ପାଇଁ ୟୁନୁସଙ୍କ ସମେତ ଅନ୍ୟାମାନଙ୍କୁ ଦାଯୀ କରାଯାଇଛି ।[୧୧]

  1. "House & Senate Leaders Announce Gold Medal Ceremony for Professor Muhammad Yunus | Speaker.gov". web.archive.org. 2018-08-29. Archived from the original on 2018-08-29. Retrieved 2024-11-11.{{cite web}}: CS1 maint: bot: original URL status unknown (link)
  2. "The Daily Star Web Edition Vol. 5 Num 849". archive.thedailystar.net. Retrieved 2024-11-11.
  3. "Prothom Alo | Most popular bangla daily newspaper". web.archive.org. 2007-10-12. Archived from the original on 2007-10-12. Retrieved 2024-11-11.
  4. "Muhammad Yunus – Biographical - NobelPrize.org". web.archive.org. 2024-08-07. Archived from the original on 2024-08-07. Retrieved 2024-11-11.{{cite web}}: CS1 maint: bot: original URL status unknown (link)
  5. "New Age New Year Special 2006". web.archive.org. 2007-01-07. Archived from the original on 2007-01-07. Retrieved 2024-11-11.
  6. "Muhammad Yunus: Bio – Nelson Mandela Foundation". web.archive.org. 2024-08-11. Archived from the original on 2024-08-11. Retrieved 2024-11-11.{{cite web}}: CS1 maint: bot: original URL status unknown (link)
  7. "Bangladesh High Court Declares Gram Sarkar Act Illegal". VOA বাংলা (in Bengali). 2005-08-02. Retrieved 2024-11-11.
  8. "১৯৯৬ ও ২০০১ সালে যারা ছিলেন উপদেষ্টা". archive.ph. 2024-08-10. Archived from the original on 2024-08-10. Retrieved 2024-11-12.{{cite web}}: CS1 maint: bot: original URL status unknown (link)
  9. Report, Star (2010-12-12). "A person is innocent until found guilty". The Daily Star (in ଇଂରାଜୀ). Retrieved 2024-11-11.
  10. "Yunus acquitted in labour law case". The Times of India. 2024-08-08. ISSN 0971-8257. Retrieved 2024-11-11.
  11. "Awami League leader files complaint against Bangladesh Chief Adviser in International Criminal Court". ANI News (in ଇଂରାଜୀ). Retrieved 2024-11-11.