ମଦନ ମୋହନ ମାଲବ୍ୟ

(Madan Mohan Malaviyaରୁ ଲେଉଟି ଆସିଛି)

ମଦନ ମୋହନ ମାଲବ୍ୟ (୧୮୬୧-୧୯୪୬) ଏକାଧାରରେ ଜଣେ ମହାନରାଷ୍ଟ୍ର ଭକ୍ତ, ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିଦ, ସାମାଜିକ ସଂସ୍କାରକ, ଅନେକ ସମ୍ବାଦପତ୍ରର ସମ୍ପାଦକ, ଆଇନଜିବୀ ଏବଂ ଓଜସ୍ୱୀ ବକ୍ତା ଥିଲେ । ପଣ୍ଡିତ ମାଲବ୍ୟଙ୍କ ପିତା ଥିଲେ ପଣ୍ଡିତ ବ୍ରଜନାଥ ଓ ମାତା ଥିଲେ ଶ୍ରୀମତୀ ମୁନା ଦେବୀ । ମାଲବ୍ୟଙ୍କ ପିତା ସଂସ୍କୃତ ଭାଷାର ପଣ୍ଡିତ ଥିଲେ । ପଣ୍ଡିତ ବ୍ରଜନାଥଙ୍କ ଜେଜେ ବାପା ଥିଲେ ପଣ୍ଡିତ ପ୍ରେମାଧାର ପ୍ରୟାଗ ଆସିବା ପରେ ନିଜର ପାଣ୍ଡିତ୍ୟପୂର୍ଣ୍ଣ ଓ ଭାବପୂର୍ଣ୍ଣ ଭାଷଣ ହେତୁ ମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ନିଜ ପୂର୍ବଜଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମଦନମୋହନ ଏକ ନୂତନ ଭାରତର କଳ୍ପନା କରିଥିଲେ ଏବଂ ନୂଆ ରାଜନୈତିକ ନେତୃତ୍ୱ ଦେବା ପାଇଁ ସେ ବଦ୍ଧପରିକର ହେବାସହ ଶିକ୍ଷାକ୍ଷେତ୍ରରେ ଅବିସ୍ମରଣୀୟ ଭୂମିକା ନିର୍ବାହ କରିଥିଲେ । ସମ୍ମାନରେ ତାଙ୍କୁ ପଣ୍ଡିତ ମଦନ ମୋହନ ମାଲବ୍ୟ[]ମହାମନା[] ବୋଲି ସମ୍ବୋଧନ କରାଯାଉଥିଲା ।

ପଣ୍ଡିତ

ମଦନ ମୋହନ ମାଲବ୍ୟ
ଅଧ୍ୟକ୍ଷ, ଭାରତୀୟ ଜାତୀୟ କଂଗ୍ରେସ
କାର୍ଯ୍ୟକାଳ
୧୯୦୯–୧୦; ୧୯୧୩,୧୯୧୯ ଓ ୧୯୩୨
ବ୍ୟକ୍ତିଗତ ସବିଶେଷ
ଜନ୍ମ(1861-12-25)୨୫ ଡିସେମ୍ବର ୧୮୬୧
ଆହ୍ଲାବାଦ, ଭାରତ
ମୃତ୍ୟୁ୧୨ ନଭେମ୍ବର ୧୯୪୬(1946-11-12) (ବୟସ ୮୪)
ବାରଣାସୀ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଶିକ୍ଷାନୁଷ୍ଠାନଆହ୍ଲାବାଦ ବିଶ୍ୱବିଦ୍ୟାଳୟ
କଲିକତା ବିଶ୍ୱବିଦ୍ୟାଳୟ
ବୃତ୍ତିଶିକ୍ଷାବିଦ, ସାମ୍ବାଦିକ, ସ୍ୱାଧୀନତା ସଂଗ୍ରାମୀ
ପୁରସ୍କାରଭାରତ ରତ୍ନ ୨୦୧୪ (ମରଣୋତ୍ତର)

ବାଲ୍ୟଜୀବନ ଓ ଶିକ୍ଷା

ସମ୍ପାଦନା

ମାଲବ୍ୟ ୨୫ ଡିସେମ୍ବର ୧୮୬୧ ମସିହାରେ ଉତ୍ତର ପ୍ରଦେଶର ପ୍ରୟାଗ (ଆହ୍ଲାବାଦ)ରେ ଏକ ରକ୍ଷଣଶୀଳ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[] ମାତ୍ର ପାଞ୍ଚବର୍ଷ ବୟସରୁ ସେ ମହାଜନୀ ପାଠଶାଳାରେ ସଂସ୍କୃତ ଭାଷାରେ ଶିକ୍ଷାରମ୍ଭ କରିଥିବା ବେଳେ ହନୁମାନ ଭକ୍ତ ପାଲଟିଥିଲେ ଏବଂ ପ୍ରତଦିନ ହନୁମାନଙ୍କୁ ପୂଜା କରୁଥିଲେ । ୧୫ବର୍ଷ ବୟସରୁ ସେ ଛଦ୍ମନାମ ମକରନ୍ଦରେ କବିତା ଲେଖିବା ଆରମ୍ଭ କରିଥିଲେ । ୧୬ବର୍ଷ ବୟସରେ ସେ ମୀର୍ଜାପୁରର ପଣ୍ଡିତ ନନ୍ଦଲାଲଙ୍କ କନ୍ୟା କୁନ୍ଦନ ଦେବୀଙ୍କୁ ବିବାହ କରିଥିଲେ । ପ୍ରୟାଗ ସରକାରୀ ଉଚ୍ଚବିଦ୍ୟାଳୟରୁ ୧୮୬୮ରେ ସେ ମାଟ୍ରିକ୍ୟୁଲେସନ ପାସ କରିଥିଲେ । ପରେ ସେ ମହୀଶୂର ସେଣ୍ଟ୍ରାଲ କଲେଜରେ ନାମ ଲେଖାଇଥିଲେ । ବିଭିନ୍ନ ସ୍କୁଲ ଓ କଲେଜରେ ପଢ଼ି କଲକାତା ବିଶ୍ୱବିଦ୍ୟାଳୟରୁ ବି.ଏ ଉପାଧି ପ୍ରାପ୍ତ କରିଥିଲେ ।

୧୮୮୦ରେ ସେ ପ୍ରତିଷ୍ଠା କରିଥିଲେ ହିନ୍ଦୁ ସମାଜ । ସନାତନ ଧର୍ମର ମହାନତାର ପ୍ରସାର ସହ ସାମାଜିକ ସଂସ୍କାର କାର୍ଯ୍ୟରେ ନିୟୋଜିତ ମାଲବ୍ୟ ବିଭିନ୍ନ ସଂଗଠନ ପ୍ରତିଷ୍ଠା କରିଥିଲେ ଏବଂ ଅନେକ ପତ୍ରିକାର ସମ୍ପାଦନା କରିଥିଲେ । ସେ ପ୍ରୟାଗ ହିନ୍ଦୁ ସମାଜ ମଧ୍ୟ ଗଠନ କରିଥିଲେ ଏବଂ ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ ଅନେକ ଲେଖା ପ୍ରକାଶ କରିଥିଲେ । ୧୮୮୪ରେ ସେ ହିନ୍ଦୀ ଉଦ୍ଧାରିଣୀ ପ୍ରତିନିଧି ସଭାର ସଦସ୍ୟ ହୋଇଥିଲେ । ୧୮୮୭ରେ ସେ ଭାରତ ଧର୍ମ ମହାମଣ୍ଡଳ ପ୍ରତିଷ୍ଠା କରିଥିଲେ ଏବଂ ଏହା ଜରିଆରେ ହିନ୍ଦୁ ସଂସ୍କୃତିର ପ୍ରସାର ଦିଗରେ କାର୍ଯ୍ୟ କରିଥିଲେ । ୧୮୮୭ରେ ସେ "ହିନ୍ଦୁସ୍ଥାନ'ର ସମ୍ପାଦନା ଆରମ୍ଭ କରିଥିଲେ । ୧୮୮୯ରେ ସେ ଇଣ୍ଡିଆନ ୟୁନିଅନର ସମ୍ପାଦନା କରିଥଲେ । ୧୮୯୧ରେ ସେ ଆହ୍ଲାବାଦ ହାଇକୋର୍ଟରେ ଆଇନଜୀବୀ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୧୩ରେ ସେ ଆଇନ ସେବା ଛାଡ଼ି ବ୍ରିଟିଶ ବିରୋଧୀ ସଂଗ୍ରାମରେ ଝାସ ଦେଇଥିଲେ ଏବଂ ରାଷ୍ଟ୍ରର ସେବା କରିବା ପାଇଁ ଆଗେଇ ଆସିଥିଲେ । ଉଚ୍ଚଆଶାରେ ବ୍ରତୀ ଶିକ୍ଷାର୍ଥୀଙ୍କୁ ଅଧିକ ଜ୍ଞାନ ଯୋଗାଇବା ସକାଶେ ସେ ଆହ୍ଲାବାଦରେ ମ୍ୟାକଡୋନାଲଡ ହିନ୍ଦୁ ହଷ୍ଟେଲ ପ୍ରତିଷ୍ଠା କରିଥିଲେ ଏବଂ ୧୮୮୯ରେ ଏକ ଲାଇବ୍ରେରୀ ପ୍ରତିଷ୍ଠା କରିଥିଲେ । ୧୯୧୬ ଯାଏ ସେ ଆହ୍ଲାବାଦ ମ୍ୟୁନିସିପାଲିଟିର ସଦସ୍ୟ ଭାବେ ରହିଥିଲେ । ଅନେକ ବର୍ଷ ଯାଏ ସେ ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ୧୯୦୭ରେ ବସନ୍ତ ପଞ୍ଚମୀରେ ସେ ହିନ୍ଦୀ ସାପ୍ତାହିକୀ "ଅଭ୍ୟୁଦୟ'ର ପ୍ରକାଶନ ଆରମ୍ଭ କରିଥିଲେ । ୧୯୦୯ରେ ଇଂରାଜୀ ଖବରକାଗଜ ‘ଦ ଲିଡର’ ସ୍ଥାପନା କରିଥିଲେ । ଶିକ୍ଷା, ସାମ୍ବାଦିକତା ଓ ଓକିଲାତି କ୍ଷେତ୍ରରେ ସେ ସକ୍ରିୟ ଭୂମିକା ତୁଲାଇଥିଲେ । ୧୯୧୯ରେ ସେ ପ୍ରୟାଗରେ କୁମ୍ଭମେଳାରେ ଆରମ୍ଭ କରିଥିଲେ ପ୍ରୟାଗ ସେବା ସମିତି । ଏହା ଜରିଆରେ ସେ ତୀର୍ଥଯାତ୍ରୀମାନଙ୍କ ସେବା କରିଥିଲେ ।

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ

ସମ୍ପାଦନା

ଆନ୍ନି ବେସାନ୍ତଙ୍କ ଆଦର୍ଶରେ ଅନୁପ୍ରାଣିତ ପଣ୍ଡିତ ମାଲବ୍ୟ ଶିକ୍ଷାର ବିକାଶ ଦିଗରେ ବିଶେଷ ମନୋନିବେଶ କଲେ । ବାରଣାସୀର କାମଚ୍ଚାରେ ଆନ୍ନି ବେସାନ୍ତ ସେଣ୍ଟ୍ରାଲ ହିନ୍ଦୁ କଲେଜ ପ୍ରତିଷ୍ଠା କରିଥିଲେ ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ସହ ସହବନ୍ଧିତ ହୋଇଥିଲା । ୧୯୦୪ରେ ସେ ବନାରସ ମହାରାଜା ପ୍ରଭୁ ନାରାୟଣ ସିଂହଜୀଙ୍କୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ୩୧ ଡିସେମ୍ବର ୧୯୦୫ରେ ବାରଣାସୀ ଟାଉନହଲରେ ଡି.ଏନ. ମହାଜନଙ୍କ ଅଧ୍ୟକ୍ଷତାରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଗଲା । ୧୯୧୧ରେ ଡ. ଆନ୍ନି ବେସାନ୍ତଙ୍କ ସହାୟତାରେ କାଶୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଏକ ପ୍ରସ୍ତାବ ଗୃହିତ ହୋଇଥିଲା ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଏକ ସୋସାଇଟି ୨୮ ନଭେମ୍ବର, ୧୯୧୧ରେ ପ୍ରତିଷ୍ଠା କରାଗଲା । ମାର୍ଚ୍ଚ ୨୫, ୧୯୧୫ରେ ସାର ହରକୋର୍ଟ ବଟଲର ଇମ୍ପେରିଆଲ ଲେଜିସଲେସନ କାଉନସିଲରେ ଏକ ବିଲ ପାସ କରାଇଥିଲେ । ଫେବୃଆରୀ ୪, ୧୯୧୬ରେ ମାଘ ଶୁକ୍ଳ ପ୍ରତିପଦାରେ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା ଏବଂ ଏହି ଅବସରରେ ଏକ ଉତ୍ସବ ପାଳନ କରାଯାଇଥିଲା । ସଂସ୍କୃତ ଶିକ୍ଷଣକୁ ସର୍ବଦା ମହତ୍ୱ ଦେବା ସହିତ କାଶୀ ହିନ୍ଦୁ ବିଶ୍ୱ ବିଦ୍ୟାଳୟ ପରିସର ମଧ୍ୟରେ ଗୀତା ପ୍ରବଚନ ଦେବାର ଯେଉଁ ପରମ୍ପରା ସେ ଆରମ୍ଭ କରିଥିଲେ ତାହା ଆଜି ମଧ୍ୟ ସତତ ଜାରି ରହିଛି । କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ନିର୍ମିତ କାଶୀ ବିଶ୍ୱନାଥ ମନ୍ଦିରର ଦ୍ୱାରରେ ଲେଖା ଥିବା "ହିନ୍ଦୁନାଂ ମାନବର୍ଧନଃ' ହିଁ ତାଙ୍କର ସବୁବେଳେ ଜୀବନର ଉଦ୍ଧେଶ୍ୟ ଥିଲା ।

ମାଲବ୍ୟ କଂଗ୍ରେସର ଦ୍ୱିତୀୟ ଅଧିବେଶନ (କଲକାତା-୧୮୮୬)ରୁ ନେଇ ଶେଷ ନିଃଶାସ ଛାଡ଼ିବା ପର୍ଯ୍ୟନ୍ତ ସ୍ୱରାଜ ପାଇଁ କଠୋର ପରିଶ୍ରମ କରିଥିଲେ । ୧୯୦୯, ୧୯୧୮, ୧୯୩୦, ୧୯୩୨ରେ ମାଲବ୍ୟ ୪ଥର କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ । ମାଲବ୍ୟ ହିନ୍ଦୁ ମହାସଭାର ପ୍ରାରମ୍ଭିକ ଏବଂ ପ୍ରଭାବଶାଳୀ ନେତା ଥିଲେ ଓ ହିନ୍ଦୁ ମହାସଭାକୁ ୧୨ ବର୍ଷ ଧରି ନେତୃତ୍ୱ ଦେଇ ଥିଲେ । ମହାତ୍ମା ଗାନ୍ଧୀ ତାଙ୍କୁ ସବୁବେଳେ ଜ୍ଞାନର ମହାସାଗର ତଥା ନିଜର ଆଧ୍ୟାତ୍ମିକ ଗୁରୁର ମାନ୍ୟତା ଦେଉଥିଲେ । ସ୍ୱଦେଶର ତାଙ୍କର ବ୍ରତ ବସ୍ତୁ, ବିଚାର, ବ୍ୟବହାର, ଭାଷା ଏବଂ ଶିଳ୍ପ ସହିତ ସ୍ୱସଂସ୍କୃତିର ଜୀବନ ମୂଲ୍ୟବୋଧ ପ୍ରତି ଆସ୍ଥାବାନ ଥିଲା । ସେ ଗୋମୁଖଠାରୁ ଗଙ୍ଗାସାଗର ପର୍ଯ୍ୟନ୍ତ ଗଙ୍ଗା ନଦୀର ଅବିରଳ ପ୍ରବାହକୁ ଅବରୁଦ୍ଧ କରାଯିବାର ତୀବ୍ର ବିରୋଧ କରିଥିଲେ । ସେ ଗଙ୍ଗା ମହାସଭା ଗଠନ କରି ଇଂରେଜମାନଙ୍କ ବିରୁଦ୍ଧରେ ଏ ସଂକ୍ରାନ୍ତରେ ଆନ୍ଦୋଳନ କରିଥିଲେ ଓ ଶେଷରେ ଇଂରେଜ ଶାସକମାନଙ୍କୁ ବାଧ୍ୟ ହୋଇ ଗଙ୍ଗାର ଅବିରଳ ଧାରାକୁ ସଂରକ୍ଷିତ କରିବାକୁ ପଡିଥିଲା । ଏନି ବେସାନ୍ତ ତାଙ୍କ ସମ୍ପର୍କରେ ଥରେ କହିଥିଲେ ଯେ ମୁଁ ଏହାକୁ ଅତ୍ୟନ୍ତ ଦୃଢତାର ସହିତ କହିପାରିବି ଯେ ବିଭିନ୍ନ ମତ ମଧ୍ୟରେ କେବଳ ପଣ୍ଡିତ ମଦନ ମୋହନ ମାଲବୀୟ ଭାରତୀୟ ଏକତାର ମୂର୍ତ୍ତି ରୂପେ ଠିଆହୋଇଛନ୍ତି ।

ମାଲବ୍ୟ ଜଣେ ପ୍ରଖ୍ୟାତ ଓକିଲ ଥିଲେ । ଚୌରା-ଚୌରା କାଣ୍ଡରେ ୧୭୭ ଭାରତୀୟଙ୍କୁ ଦୋଷୀସାବ୍ୟସ୍ତ କରାଯାଇ ଫାଶୀଦଣ୍ଡ ଶୁଣାଯାଇଥିଲା । ତେବେ ମାଲବ୍ୟଙ୍କ ଉଦ୍ୟମ ଯୋଗୁଁ ୧୫୬ଜଣ ଫାଶୀଦଣ୍ଡରୁ ବର୍ତ୍ତିଯାଇଥିଲେ । []

୧୯୪୬ ନଭେମ୍ବର ୧୨ରେ ୮୫ ବର୍ଷ ବୟସରେ ବନାରସରେ ତାଙ୍କର ଦେହାନ୍ତ ହୋଇଥିଲା । [] ୧୯୬୧ରେ ତାଙ୍କର ଜନ୍ମଶତବାର୍ଷିକୀ ପରିପ୍ରେକ୍ଷୀରେ ତାଙ୍କ ବାସଗୃହ ମାଲବ୍ୟ ଭବନକୁ ସ୍ମାରକୀସ୍ଥଳରେ ପରିଣତ କରାଯାଇଥିଲା । ଏହି ମହାମାନବଙ୍କ ଜୀବନୀ, ସଂଗ୍ରାମ, ଆଦର୍ଶ ସମ୍ପର୍କରେ ଏଠାରେ ଗବେଷଣା କରାଯାଉଛି । ଏଥିରେ ଗୀତା-ଯୋଗ ଲାଇବ୍ରେରୀ, ଯୋଗ ସାଧନ କେନ୍ଦ୍ର, ଗୀତା ସମିତି, ମାଲବ୍ୟ ଅଧ୍ୟୟନ ସଂସ୍ଥାନ, ମାଲବ୍ୟ ମୂଲ୍ୟବୋଧ ଗବେଷଣା କେନ୍ଦ୍ର ରହିଛି । ୨୦୧୪ରେ ଭାରତ ସରକାର ମାଲବ୍ୟଙ୍କୁ ମରଣୋତ୍ତର ଭାବେ ‘ଭାରତରତ୍ନ’ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । []

  1. https://books.google.com/books?id=BX3wIjJ9mvMC&lpg=PA340&dq=Madan%20Mohan%20Malviya&pg=PA340#v=onepage&q=Madan%20Mohan%20Malviya&f=false
  2. "Mahamana's life as exemplary as Mahatma's: BHU V-C". The Times of India. 27 December 2009. Archived from the original on 2012-11-04. Retrieved 2014-12-28.
  3. Urmila Sharma; S.K. Sharma (1 January 2001). Indian Political Thought. Atlantic Publishers & Dist. pp. 340–. ISBN 978-81-7156-678-5.
  4. "RSS Resolution 2: 150th Birth Anniversary of Mhamana Malviya ji". Vishwa Samvada Kendra. 31 October 2010. Archived from the original on 26 December 2014. Retrieved 28 December 2014.
  5. "ମଦନମୋହନ ମାଲବୀୟ: ଶିକ୍ଷା, ଓକିଲାତି କ୍ଷେତ୍ରରେ ବଳିଷ୍ଠ ଅବଦାନ" (PDF). ପର୍ଯ୍ୟବେକ୍ଷକ. ୨୬ ଡିସେମ୍ବର ୨୦୧୪. pp. ୨. Retrieved ୨୬ ଡିସେମ୍ବର ୨୦୧୪. {{cite web}}: Check date values in: |accessdate= and |date= (help)[permanent dead link]
  6. http://pib.nic.in/newsite/erelease.aspx?relid=114017