ହାଡ଼ବାଈ

ଓଡ଼ିଶାର ଏକ ଜଣାଶୁଣା ଅପଦେବତୀ

ହାଡ଼ବାଈ ଓଡ଼ିଶାର ଲୋକବିଶ୍ୱାସରେ ଥିବା ଏକ ଜଣାଶୁଣା ଅପଦେବତୀ । କେତେକ ଲୋକେ ହାଡ଼ବାଈ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଡାହାଣୀ ବୋଲି କହିଥାନ୍ତି ।[୧] ଅନ୍ୟମତେ ସେ ଏକ ଯୋଗିନୀ । ହାଡ଼ବାଈ କୌଣସି ବ୍ୟକ୍ତିର ଗୃହରେ ଆବେଶ କଲେ ସେ ବ୍ୟକ୍ତି ଉପରେ ବା ସେ ବ୍ୟକ୍ତିର ଘରେ ନାନାବିଧ ସଙ୍କଟ ହୁଏ । ଏହି ହେତୁରୁ ଲୋକେ ହାଡ଼ବାଈଙ୍କୁ ପୂଜନ୍ତି ଓ ହାଡ଼ବାଈ ଲାଗିଲେ ଗୁଣିଆ ତାକୁ ଛଡ଼ାଇଥାଏ ।[୨]

ଗୋସାଣୀ ଯାତ୍ରାରେ ଗୋସାଣୀ ରୂପେ ପୂଜିତ ପୁରୀର ତିଆଡ଼ି ସାହିର ହାଡ଼ବାଈ ଠାକୁରାଣୀଙ୍କ ପ୍ରତିମା

ଡଃ କୁଞ୍ଜବିହାରୀ ଦାଶ ହାଡ଼ବାଈ ସମ୍ପତ୍ତିର ଦେବୀ ବୋଲି ଉଲ୍ଲେଖ କରିଛନ୍ତି । ଶତ୍ରୁକୁ ପରାସ୍ତ କରି କାଙ୍ଗାଳ କରିବା ପାଇଁ ଏହାଙ୍କ ଆରାଧନା କରାଯାଏ ।[୩]

ହାଡ଼ବାଈଙ୍କ ଆବେଶ ହେଲେ ଘର ମଧ୍ୟରେ କେହି ନଥିଲା ବେଳେ ହଠାତ୍ ଟେକା, ମଳମୂତ୍ର, ଖପରା, ବାଲି ଆଦି ଆସି ପଡ଼ିଥାଏ । ଯେତେ ସାବଧାନ ହେଲେ ମଧ୍ୟ ଏସବୁ ଅମଙ୍ଗଳ ପଦାର୍ଥ ଶୂନ୍ୟରୁ ଆସି ପତିତ ହୁଏ । କେଉଁଠାରୁ ଏହିସବୁ ପଡ଼ିଲା କେହି ଜାଣିପାରନ୍ତି ନାହିଁ । ଖାଇଦ୍ୟ ଓ ରନ୍ଧନ ବାସନ ଆଦିରେ ମଧ୍ୟ ବିଷ୍ଠା ମିଶିଯିବା ବା ବୋଳା ହେବା ଦେଖାଯାଏ । ଢାଙ୍କୁଣୀ ଘୋଡ଼ାଇ ରଖିଲେ ମଧ୍ୟ ପାତ୍ର ଭିତରୁ ମଇଳା ବାହାରେ । ଏହିପରି ସେହି ଘରେ ଅନେକ ନିର୍ଯ୍ୟାତନା ସହିବାକୁ ପଡ଼େ ।[୨]

ଗୁଣିଆମାନେ ମନ୍ତ୍ରତନ୍ତ୍ର ବଳରେ ଏ ଦେବୀଙ୍କୁ କୌଣସି ଅନ୍ୟ ବ୍ୟକ୍ତିଙ୍କ ଘରକୁ ପେଷନ୍ତି ଓ ମନ୍ତ୍ର ପ୍ରଭାବରେ ମଧ୍ୟ ଦେବୀଙ୍କୁ ପ୍ରତ୍ୟାହାର କରନ୍ତି ।

ଗୋପାଳ ଚନ୍ଦ୍ର ପ୍ରହରାଜ ନିଜର ବିଶାଳକାୟ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ହାଡ଼ବାଈ ଦେବୀଙ୍କ ବିଷୟରେ ନିଜର ଅନୁଭୂତିଟିଏ ଲିପିବଦ୍ଧ କରିଛନ୍ତି ।[୨]

କଟକ ନଗରର ଭାଷାକୋଷ ଲେନ୍ ନିକଟସ୍ଥ ପ୍ଯାରୀ ମୋହନ ସେନ୍ ଗଳିରେ  ମାର୍ଚ୍ଚ—ଏପ୍ରେଲି ମାସରେ ଏପରି ଘଟନା ଘଟିଥିବା ଏ ଗ୍ରନ୍ଥକାର ସ୍ୱଚକ୍ଷୁରେ ଦେଖିଛି । ଏପରି କି, ଆକ୍ରାନ୍ତ ପରିବାରର ବ୍ଯକ୍ତିମାନେ ଅନ୍ଯ ଲୋକଙ୍କ ଘରକୁ ନିମନ୍ତ୍ରିତ ହୋଇ ଖାଇବାକୁ ଗଲେ ସୁଦ୍ଧା ସେଠାରେ ସେମାନଙ୍କ ଖାଇବା ପତ୍ରରେ ବିଷ୍ଠା ପଡ଼ୁଥିବା ଦେଖାଗଲା । ଅନ୍ଯ ଲୋକ ସେ ସ୍ଥାନକୁ ଆସି ହାଡ଼ବାଈ ଦେବୀଙ୍କୁ ନିନ୍ଦା କଲେ ତାହା ଉପରେ ମଧ୍ଯ ଟେକା, ବିଷ୍ଠା ଆଦି ଆକସ୍ମିକ ଭାବରେ ପଡ଼ୁଥିବା ଦେଖା ହୋଇଥିଲା । କେତେ ମାସ ପରେ ଜଣେ ଗୁଣିଆ ଆସି ତାନ୍ତ୍ରିକ କର୍ମ ଅନୁଷ୍ଠାନ କରିବାରୁ ଏ ନିର୍ଯ୍ୟାତନ ବନ୍ଦ ହେଲା ।

ଅପଦେବତୀମାନଙ୍କ ସମ୍ମାନପୂର୍ବକ ପୂଜନ ଓ ବଳି ଇତ୍ୟାଦିଦ୍ୱାରା ଦୁଷ୍ପ୍ରଭାବକୁ ଅନେକ ମାତ୍ରାରେ କମେଇହେବ ଏହା ଏକ ଆଦିମ ବିଶ୍ୱାସ । ସେହି ବିଶ୍ୱାସ କ୍ରମେ ଲୋକେ ହଇଜା ରୋଗ ଓ ହାଡ଼ବାଈଙ୍କୁ ଠାକୁରାଣୀଙ୍କ ରୂପେ ପୂଜା କରନ୍ତି । ପୁରୀର ତିଆଡ଼ି ସାହିର ଗୋସାଣୀ ପ୍ରତିମାନଙ୍କୁ ଅନେକ ବର୍ଷ ଧରି ହାଡ଼ବାଈ ନାମରେ ଅଭିହିତ କରାଯାଉଛି । ଏହାଙ୍କ ମୂର୍ତ୍ତି ଠିକ ଅନ୍ୟ ଗୋସାଣୀଙ୍କ ଅନୁରୂପ ମହିଷମର୍ଦ୍ଦିନୀ ଦୁର୍ଗାଙ୍କ ଭଳି ନିର୍ମିତ । ହାଡ଼ବାଈଙ୍କୁ ଅନେକ ଗ୍ରାମରେ ଗ୍ରାମଦେବତୀ ଭାବେ ଆରାଧନା କରାଯାଏ ।

ଭୁବନେଶ୍ୱରର ମଞ୍ଚେଶ୍ୱରଠାରେ ହାଡ଼ବାଈ ଦେବୀଙ୍କର ଏକ କ୍ଷୁଦ୍ର ଦେଉଳ ରହିଛି ।[୪]

ଆଧାର ସମ୍ପାଦନା

  1. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ଗୋପାଳ ଚନ୍ଦ୍ର ପ୍ରହରାଜ - ଡାହାଣୀ[permanent dead link]
  2. ୨.୦ ୨.୧ ୨.୨ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ଗୋପାଳ ଚନ୍ଦ୍ର ପ୍ରହରାଜ - ହାଡ଼ ବାଇ[permanent dead link]
  3. Folklore of Orissa - Dr Kunja Behari Dash Orissa Sahitya Akademi, 1991.
  4. ହାଡ଼ବାଈ ମନ୍ଦିର, ମଞ୍ଚେଶ୍ୱର, ଭୁବନେଶ୍ୱର - ଗୁଗୁଲ ମାପ୍ସ