ଓଡ଼ିଶାରେ ରାଜକୀୟ ନବବର୍ଷ ଆରମ୍ଭ ହୁଏ ଭାଦ୍ରବ ମାସ ଶୁକ୍ଳ ଦ୍ୱାଦଶୀ ତିଥିରେ ସୁନିଆଁଠାରୁ। ଓଡ଼ିଆ ପାଞ୍ଜିର ଆରମ୍ଭ ହୁଏ ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିରୁ ଏବଂ ଏହି ଦିନଟି ସାଧାରଣରେ ଓଡ଼ିଆ ନବବର୍ଷ ଭାବେ ଗୃହୀତ ହୋଇଛି। ମାତ୍ର ସୁନିଆଁ ହେଉଛି ଓଡ଼ିଆ ରାଜାଙ୍କର ରାଜତ୍ୱର ଅଙ୍କ ଗଣନା ବର୍ଷର ପ୍ରଥମ ଦିନ । ପୁଣି ରାଜାଙ୍କର ରାଜସ୍ୱ ଆଦାୟ ଓ ନୂଆ ଖାତା ଆରମ୍ଭ ହୁଏ ଏହି ସୁନିଆଁ ଦିନ। ସୁନିଆଁ ଦିନ ଗୋଟିଏ ସୁନା ମୋହର ଉପରେ ରାଜାଙ୍କ ରାଜତ୍ୱର ଅଙ୍କ ବା ବର୍ଷ ଚିହ୍ନିତ କରାଯାଏ। ଏହାକୁ ସାଧାରଣ ଭାଷାରେ କହନ୍ତି ଅଙ୍କକଟା। ଏହିଦିନଟି ରାଜକୀୟ ବର୍ଷ ଆରମ୍ଭର ପ୍ରଥମ ଦିନ ଏବଂ ସୁନା ଶବ୍ଦ ସହ ଜଡ଼ିତ ହୋଇଥିବାରୁ ସମ୍ଭବତଃ ସୁନିଆଁ ଭାବେ ପାଳିତ ହେଉଛି । ପୁଣି ଏହି ଦିନ ସର୍ବତ୍ର ବାମନ ଜନ୍ମ ପାଳିତ ହୋଇଥାଏ। ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରୁ ବାମନ ହେଉଛନ୍ତି ଏଭଳି ରାଜନୀତି ପ୍ରବଣ ଯେ ନିଜ ବୁଦ୍ଧି ବିଚକ୍ଷଣତାଦ୍ୱାରା ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନି ଭୁବନକୁ ନିଜ ପାଦତଳେ ରଖିବା ସହ ବଳୀ ପରି ଶାସକଙ୍କୁ ମଧ୍ୟ ପାତାଳକୁ ଚାପି ଦେଇଥିଲେ। ତେଣୁ ଫସଲ ଅମଳ ପରେ ରାଜକୋଷକୁ ସମୃଦ୍ଧ କରି ରାଜାମାନେ ତ୍ରିବିକ୍ରମ ବାମନଙ୍କ ପରାକ୍ରମକୁ ପାଥେୟ କରି ବାହାରୁଥିଲେ ଦେଶଜୟ କରିବାକୁ । ସୁନିଆଁଠାରୁ ସନ ଓ ସାଲ ଗଣନା ଆରମ୍ଭ ହୁଏ। [୧][୨]

  1. "ଆର୍କାଇଭ୍ କପି". Archived from the original on 2016-03-05. Retrieved 2013-09-23. {{cite web}}: Cite has empty unknown parameter: |1= (help)
  2. ସମ୍ବାଦ, ପୃଷ୍ଠା-୨, ୧୬.୯.୨୦୧୩