ପୌରାଣିକ ମତ

ସମ୍ପାଦନା

ତିନି ଯୁଗରେ ସୁଦର୍ଶନ ଚକ୍ର ଗୋଲାକାର ହୋଇଥିଲେ ହେଁ କଳିଯୁଗରେ ସ୍ତମ୍ଭାକାର ରୂପେ ବିରାଜିତ । ଏହା ପଛରେ ଥିବା ପୌରାଣିକ ମତଟି ହେଲା: ସୁଦର୍ଶନ ଦୂତ ରୂପେ ବା କାର୍ଯ୍ୟନିର୍ବାହୀ ରୂପେ ପ୍ରଭୁଙ୍କ ସବୁ କାର୍ଯ୍ୟ ତୁଲାଉଥିବାରୁ ତାଙ୍କ ମନରେ ଅହଙ୍କାର ଜାତ ହେଲା । ପ୍ରଭୁ ଏହା ଜାଣିପାରି ସୁଦର୍ଶନଙ୍କର ଅହଙ୍କାର ବିନାଶ ପାଇଁ କଦଳୀବନରେ ତପସ୍ୟା କରୁଥିବା ହନୁମାନଙ୍କୁ ଡାକି ଆଣିବା ପାଇଁ ସୁଦର୍ଶନଙ୍କୁ ପଠାଇଲେ । ଅହଙ୍କାର ବଶତଃ ସୁଦର୍ଶନ ଗଲାବେଳେ କଦଳୀବନର ପତ୍ରସବୁ କାଟି କାଟି ଯାଇ ସେଠାରେ ଅଭୟ ମୁଦ୍ରାରେ ତପସ୍ୟାରେ ବସିଥିବା ହନୁମାନଙ୍କୁ ପ୍ରଭୁଙ୍କ ବାର୍ତ୍ତା ଜଣାଇଲେ । ହନୁମାନ ସବୁ ଜାଣିପାରି କହିଲେ ମୁଁ ଚିରଞ୍ଜିବୀ ହେଲେ ମଧ୍ୟ ବୃଦ୍ଧାବସ୍ଥା ଯୋଗୁଁ ଶୀଘ୍ର ଯାଇପାରିବି ନାହିଁ, ଏଣୁ ତୁମେ ଆଗରେ ଚାଲ ମୁଁ ପଛେ ପଛେ ପହଞ୍ଚିବି । ସୁଦର୍ଶନ ଏହାଶୁଣି ଅହଙ୍କାରରେ ପୂର୍ବାପେକ୍ଷା ଦୁଇଗୁଣ ବେଗରେ ଯାଇ ପହଞ୍ଚିବା ବେଳକୁ ହନୁମାନ ସିଂହଦ୍ୱାରରେ ଅପେକ୍ଷା କରିଛନ୍ତି । ସୁଦର୍ଶନ ବିସ୍ମିତ ହୋଇ ପଚାରିଲେ, ତୁମ୍ଭେ ବୃଦ୍ଧ ହେତୁ ଶିଘ୍ର ଆସିପାରିବ ନାହିଁ ବୋଲି କହୁଥିଲ, ଏତେ ଶୀଘ୍ର ମୋ ପୂର୍ବରୁ କିପରି ପହଞ୍ଚିଲ? ହନୁମାନ ଉତ୍ତରଦେଲେ, ମୁଁ ପିତା ପବନଦେବଙ୍କୁ ସ୍ମରଣ କରିବାରୁ ସେ ମତେ ଏଠାରେ ପହଞ୍ଚାଇଲେ । ମୁଁ ବୃଦ୍ଧ ହୋଇପାରେ କିନ୍ତୁ ପିତା ପବନଦେବ ବୃଦ୍ଧ ନୁହଁନ୍ତି, କାରଣ ଦେବତାମାନେ ବୃଦ୍ଧ ହୁଅନ୍ତି ନାହିଁ, ସର୍ବଦା ଯୁବକ ଅବସ୍ଥାରେ ଥାଆନ୍ତି । ହନୁମାନଙ୍କ ଶକ୍ତି ପରିକ୍ଷା ପାଇଁ ସୁଦର୍ଶନ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଚାରିଦ୍ୱାରରେ ଚାରୋଟି ସୁଦର୍ଶନ ରୂପେ ବାଟ ଓଗାଳିଲେ । ଏହା ଦେଖି ହନୁମାନ ପ୍ରଭୁ ରାମଙ୍କୁ ସ୍ମରଣ କରି ଚାରି ହାତରେ ଚାରୋଟି ସୁଦର୍ଶନଙ୍କୁ ଆଣି ଗିଳିଦେଇ ପ୍ରଭୁଙ୍କ ପାଖରେ ପହଞ୍ଚିଲେ । ପ୍ରଭୁ ହନୁମାନଙ୍କୁ ଏକାକୀ ଦେଖି ସୁଦର୍ଶନଙ୍କ କଥା ପଚାରିଲେ । ହନୁମାନ କହିଲେ, ପ୍ରଭୁ ଆପଣ ସବୁ ଜାଣନ୍ତି, ଆପଣ ତାଙ୍କୁ ଯେପରି ଚାରୋଟି ରୂପ ଦେଲେ, ମତେ ସେପରି ଚାରୋଟି ହାତ ଦେଲେ, ଚାରିଦ୍ୱାରରେ ସେ ମୋ ପଥରୋଧ କରିବାରୁ ମୁଁ ତାଙ୍କୁ ଗିଳିଦେଇଛି । ପ୍ରଭୁଙ୍କ ଦର୍ଶନରେ ମୁଁ କୌଣସି ବାଧାମାନେ ନାହିଁ । ତତ୍ପରେ ପ୍ରଭୁଙ୍କ ଆଦେଶ ମୁତାବକ ହନୁମାନ ସୁଦର୍ଶନଙ୍କୁ ବାନ୍ତି କଲେ, କିନ୍ତୁ ଚାରୋଟିଯାକ ସୁଦର୍ଶନ ଏକ ସ୍ତମ୍ଭାକାର ହୋଇ ତଳେ ପଡ଼ିଲେ । ଉଭୟଙ୍କ ଅହଙ୍କାର ପାଇଁ ପ୍ରଭୁ ଦଣ୍ଡବିଧାନ କଲେ । ସୁଦର୍ଶନ ସେହି ସ୍ତମ୍ଭାକାର ରୂପେ ଦକ୍ଷିଣପାର୍ଶ୍ୱ ପରିବର୍ତ୍ତେ ବାମପାର୍ଶ୍ୱରେ ରହିଲେ । ହନୁମାନ ତପସ୍ୱୀ ହନୁମାନ ନାମରେ ଆଠହାତଯୁକ୍ତ ପ୍ରଶସ୍ତ ମୁଦ୍ରାରେ ଉତ୍ତର(ହସ୍ତି) ଦ୍ୱାର ଜଗି ରହିଲେ ।