ସିଗିରିୟା
ସିଗିରିଆ, ସିଗିରିୟା ବା ପ୍ରାଚୀନ ସିଂହଗିରି (ଈଂରାଜୀରେ Sigiriya, ସିଂହଳୀ ଭାଷାରେ සීගිරිය, ତାମିଲ୍ ଭାଷାରେ சிகிரியா) ଶ୍ରୀଲଙ୍କାର ମାତାଲେ ଜିଲ୍ଲାର ଉତ୍ତରାଞ୍ଚଳରେ ଅବସ୍ଥିତ । ଏକ ଲଣ୍ଡା ପାହାଡ଼ ବା ବିରାଟକାୟ ପଥର ଉପରେ ନିର୍ମିତ ଏହି ପ୍ରାଚୀନ ସହରରେ ଏକ ଦୁର୍ଗର ଅବଶେଷ ରହିଛି । କେନ୍ଦ୍ରୀୟ ଶ୍ରୀଲଙ୍କାର ଡାମ୍ବୁଲା ସହରରୁ ଅଳ୍ପ ଦୂରରେ ସିଗିରିଆ ଅବସ୍ଥିତ । ପ୍ରାୟ ୨୦୦ ମିଟର୍ ଉଚ୍ଚ ଏକ ଲଣ୍ଡା ପାହାଡ଼ ବା ବିରାଟ ପଥର ଉପରେ ରହିଥିବା ସିଗିରିଆ ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିକୋଣରୁ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ । କୁଳବଂଶ ନାମକ ଏକ ପ୍ରାଚୀନ ସିଂହଳୀ ଲେଖା ଅନୁଯାୟୀ ଅନୁରାଧାପୁରର ରାଜା ପ୍ରଥମ କଶ୍ୟପ (୪୭୭ – ୪୯୫ ଖ୍ରୀ.) ସିଗିରିଆଠାରେ ନିଜର ନୂତନ ରାଜଧାନୀ ସ୍ଥାପନ କରିବା ପାଇଁ ସ୍ଥିର କରିଥିଲେ । ଲଣ୍ଡା ପାହାଡ଼ ଉପରେ ନିଜର ରାଜମହଲ ନିର୍ମାଣ କରାଇ ସେ ପଥରର ସମସ୍ତ ପାର୍ଶ୍ୱରେ ରଙ୍ଗବିରଙ୍ଗ ଭତ୍ତି ଚିତ୍ର ଅଙ୍କିତ କରାଇଥିଲେ । ପାହାଡ଼ ପାର୍ଶ୍ୱର ମଝାମଝି ସେ ସିଂହ ଆକୃତିର ଏକ ବିରାଟ ପ୍ରବେଶ ତୋରଣ ମଧ୍ୟ ନିର୍ମାଣ କରାଇଥିଲେ । ତେଣୁ ଏହି ସ୍ଥାନର ନାମ ସିଂହଗିରି ରଖାଯାଇଥିଲା । ରାଜାଙ୍କ ମୃତ୍ୟୁ ପରେ ଲୋକେ ରାଜମହଲ ଓ ଏହି ରାଜଧାନୀକୁ ପରିତ୍ୟାଗ କରି ଅନ୍ୟତ୍ର ଚାଲିଯାଇଥିଲେ । ଚତୁର୍ଦ୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ଏକ ବୌଦ୍ଧ ବିହାର ଭାବେ ବ୍ୟବହୃତ ହୋଇଆସୁଥିଲା ।[୧]
ସିଗିରିଆ ସିଗିରିୟା ସିଂହଗିରି | |
---|---|
ଅବସ୍ଥାନ | କେନ୍ଦ୍ରୀୟ ଶ୍ରୀଲଙ୍କା |
ଦିଗବାରେଣି | 07°57′25″N 80°45′35″E / 7.95694°N 80.75972°E |
Official name: ପ୍ରାଚୀନ ସିଗିରିଆ ନଗର | |
ପ୍ରକାର | ସାଂସ୍କୃତିକ |
ମାନଦଣ୍ଡ | ii, iii, iv |
Designated | ୧୯୮୨ (୬ଷ୍ଠ ସମ୍ମିଳନୀ) |
Reference no. | 202 |
UNESCO Region | Asia-Pacific |
ବର୍ତ୍ତମାନ ସମୟରେ ସିଗିରିୟା UNESCOଦ୍ୱାରା ମାନ୍ୟତାପ୍ରାପ୍ତଏକ ବିଶ୍ୱ ଐତିହ୍ୟ ସ୍ଥଳ । ବିଭିନ୍ନ ସଂରକ୍ଷିତ ପ୍ରାଚୀନ ନଗର ଶୈଳୀ ଓ ଯୋଜନା ମଧ୍ୟରେ ଏହାର ସଂରକ୍ଷଣ ଶ୍ରେଷ୍ଠ ରୂପେ କରାଯାଇଛି ।[୨]
ସିଗିରିଆର ଅତୀତ ସମ୍ପର୍କିତ ତଥ୍ୟ
ସମ୍ପାଦନାକିମ୍ବଦନ୍ତୀ ତଥ୍ୟ
ସମ୍ପାଦନାଲାଲ୍ ଶ୍ରୀନିବାସ ଓ ମିରାଣ୍ଡୋ ଓବେସେକାରାଙ୍କ ବିବରଣୀ ଅନୁଯାୟୀ ପ୍ରସିଦ୍ଧ ଐତିହାସିକ ବା ପୌରାଣିକ ଚରିତ୍ର ରାବଣର ସମୟର ପ୍ରତ୍ନତାତ୍ତ୍ୱିକ ଚିହ୍ନ । ସେମାନଙ୍କ ଅନୁଯାୟୀ, ରାମାୟଣରେ ବର୍ଣ୍ଣିତ ରାବଣର ସାବତ ଭାଇ ରାଜା କୁବେରଙ୍କଦ୍ୱାରା ୫୦୦୦ ବର୍ଷ ପୂର୍ବେ ଯେଉଁ ଅଳକାମଣ୍ଡପ (ଦେବନଗରୀ) ନିର୍ମିତ ହୋଇଥିଲା, ତାହାକୁ ବର୍ତ୍ତମାନ ଆମେ ସିଗିରିୟା ନାମରେ ଜାଣୁ ।
ରାବଣ ସମ୍ପର୍କୀୟ ଏକ ତାଳପତ୍ର ପୋଥି ରାବଣ ୱଥ ଅନୁସାରେ ମୟ ନାମକ ଜଣେ ଦାନବ ହେଉଛନ୍ତି ସିଗିରିୟାର ସ୍ଥପତି । ରାବଣର ପିତା ରାଜା ବିଷ୍ଟବାସ (ବେଶମୁନି – ସମ୍ଭବତଃ ବିଶ୍ରବା) ମୟଙ୍କୁ ଏହି ନଗରୀ ନିର୍ମାଣ କରିବାକୁ ଆଦେଶ ଦେଇଥିଲେ । ସେ ସମୟରେ ସିଗିରିୟା ଅଳକାମଣ୍ଡପ ରୂପେ ପରିଚିତ ଥିଲା ଓ କୁବେରଙ୍କ ଶାସନକାଳରେ ଏହାକୁ ଚିତ୍ରକୂଟ ବୋଲି କୁହାଯାଉଥିଲା । ରାବଣର ମୃତ୍ୟୁ ପରେ ବିଭୀଷଣ ରାଜା ହେଲେ ଓ ସେ ନିଜର ରାଜଧାନୀକୁ କେଳନୀୟକୁ ସ୍ଥାନାନ୍ତରିତ କରିଥିଲେ । ପୁଣି ଉପରୋକ୍ତ ପୋଥି ଅନୁଯାୟୀ ରାଜା ଚିତ୍ତରାଜ ଅଳକାମଣ୍ଡପକୁ ନିଜର ଆବାସସ୍ଥଳୀ ରୂପେ ବ୍ୟବହାର କରିଥିଲେ । ଚିତ୍ତରାଜ ବିଭୀଷଣଙ୍କ ସମ୍ପର୍କୀୟ ଓ ଯକ୍ଷ କୁଳର ଥିଲେ । ଚିତ୍ତରାଜ ରାଜକୁମାର ପଣ୍ଡୁକଭୟଙ୍କୁ ରାଜ ସିଂହାସନ ଆରୋହଣରେ ସାହାଯ୍ୟ କରିଥିଲେ । ପଣ୍ଡୁକଭୟଙ୍କ ପିତାମାତା ଚିତ୍ତରାଜଙ୍କ ସମ୍ପ୍ରଦାୟ ଥିଲେ ।
ପୁଣି ରାବଣ ୱଥରେ ଆହୁରି ଉଲ୍ଲିଖିତ ଅଛି ଯେ ରାଜକୁମାର ରାଜା ଦାତୁସେନ (ଧାତୁସେନ)ଙ୍କ ପୁତ୍ର ରାଜକୁମାର କଶ୍ୟପ ଚିତ୍ରକୂଟକୁ ନିଜ ବାସଭବନ ରୂପେ ଚୟନ କରିଥିଲେ । ତାଙ୍କ ମାତା ଯକ୍ଷିଣୀ ଥିବାରୁ ସେ ଚିତ୍ରକୂଟରେ ରହିବା ପାଇଁ ଇଚ୍ଛା କରିଥିଲେ । ରାବଣ ପରି କଶ୍ୟପ ମଧ୍ୟ ଚିତ୍ରକୂଟର ରକ୍ଷଣାବେକ୍ଷଣ କରିଥିଲେ । ଚିତ୍ରକୂଟର ଭିତ୍ତି ଚିତ୍ର ସିଂହଳ ବା ଶ୍ରୀଲଙ୍କାର ବିଭିନ୍ନ ଛାପ ଦେଖିବାକୁ ମିଳେ । ରାବଣ ୱଥର ବଣ୍ଣନା ଅନୁସାରେ ସିଂହଳରେ ନୀଳବର୍ଣ୍ଣର ଯକ୍ଷ ଜାତି, ନାଗ ଜାତି, ଦେବ ଜାତି ଓ ଗନ୍ଧର୍ବ ଜାତିର ମହିଳାଙ୍କ ଚିତ୍ର ଓ ବିଭିନ୍ନ ପ୍ରସ୍ଫୁଟିତ ଫୁଲର ଚିତ୍ର ଦେଶରେ ଶାନ୍ତି, ମୈତ୍ରୀ ଓ ଏକତାର ଭାବ ସୂଚିତ କରେ ।[୩]
ଐତିହାସିକ ତଥ୍ୟ
ସମ୍ପାଦନାସିଗିରିୟାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପ୍ରାଗୈତିହାସିକ କାଳରୁ ଜନବସତି ରହିଥିବାର ଅନୁମାନ କରାଯାଏ । ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ ସମୟରୁ ସିଗିରିୟାର ଗୁମ୍ଫା ଓ ପାହାଡ଼ ଖୋପ ମଧ୍ୟରେ ବୌଦ୍ଧ ଭିକ୍ଷୁ ଓ ସନ୍ୟାସୀମାନେ ବାସ କରୁଥିବାର ସ୍ପଷ୍ଟ ପ୍ରମାଣ ମିଳିଛି । ସିଗିରିୟା ପାହାଡ଼ର ପୂର୍ବ ପଟକୁ ରହିଥିବା ଆଲିଗାଲା ପଥର ଖୋଲରେ ମଧ୍ୟପାଷାଣ ଯୁଗରୁ (ପ୍ରାୟ ୫୦୦୦ ବର୍ଷ ପୂର୍ବେ) ଜନବସତି ରହିଥିବାର ପ୍ରମାଣ ମିଳେ, ଯାହା ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିକୋଣରୁ ଏହି ଅଞ୍ଚଳର ସର୍ବପ୍ରାଚୀନ ଜନବସତି ।
ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ ବେଳକୁ ସିଗିରିୟା ପାହାଡ଼ର ପଶ୍ଚିମ ଓ ଉତ୍ତର ପଟେ ଥିବା ପ୍ରସ୍ତରମୟ ଛୋଟ ବଡ଼ ପାହାଡ଼ରେ ବୌଦ୍ଧ ଭିକ୍ଷୁ ଓ ସନ୍ୟାସୀମାନଙ୍କ ଜନବସତି ଗଢ଼ି ଉଠିଥିଲା । ଏହି ସମୟରେ ଅନେକ ଗୁମ୍ଫା ଓ ପ୍ରସ୍ତର ଖୋପ ଆବାସସ୍ଥଳୀ ନିର୍ମିତ ହୋଇଥିଲା । ବଡ଼ ବଡ଼ ପଥରର ସନ୍ଧିରେ ବା ତଳେ ଏହି ସବୁ ଗୁମ୍ଫା ଓ ଆବାସ ସ୍ଥଳୀ ନିର୍ମିତ ହୋଇଥିଲା ଯେଉଁଥିରେ ଆବାସ ମଧ୍ୟକୁ ପାଣି ନ ପଶିବା ପାଇଁ ପଥର ବନ୍ଧ ରହିଥିଲା । ଗୁମ୍ଫା କାନ୍ଥରେ ଅବା ବନ୍ଧରେ ବିଭିନ୍ନ ଶିଳାଲେଖ ଦେଖିବାକୁ ମିଳେ ଯେଉଁଥିରୁ ଜଣାଯାଏ ଯେ ବୌଦ୍ଧ ସନ୍ୟାସୀଙ୍କ ରହିବା ପାଇଁ ଏହି ସବୁ ଗୁମ୍ଫା ଅନୁଦାନ ରୂପେ ଦିଆଯାଇଥିଲା । ଏହି ସବୁ ପ୍ରସ୍ତର ନିର୍ମିତ ଆବାସ ସ୍ଥଳୀ ଓ ସେମାନଙ୍କ ଅନୁଦାନର ସମୟ ପ୍ରାୟ ଖ୍ରୀ.ପୂ. ୩ୟ ଶତାବ୍ଦୀରୁ ଖ୍ରୀ. ୧ମ ଶତାବ୍ଦୀ ପର୍ଯ୍ୟନ୍ତ ହେବ ।
ଖ୍ରୀଷ୍ଟାବ୍ଦ ୪୭୭ରେ ଅନୁରାଧାପୁରର ରାଜା ଧାତୁସେନ ଓ ତାଙ୍କର ଜଣେ ରକ୍ଷିତାଙ୍କ ମିଳନରୁ ଜାତ ପୁତ୍ର କଶ୍ୟପ ରାଜା ଧାତୁସେନଙ୍କୁ ଗାଦିଚ୍ୟୁତ କରି ସିଂହାସନ ଆରୋହଣ କରିଥିଲେ । ଏଥିରେ ମିଗାରା ; ଯେକି ଏକାଧାରରେ ରାଜା ଧାତୁସେନଙ୍କ ଭଣଜା ଓ ତାଙ୍କ ସେନାର ମୁଖ୍ୟ ସେନାପତି ଥିଲେ ; କଶ୍ୟପଙ୍କୁ ସାହାଯ୍ୟ କରିଥିଲେ । ରାଜ୍ୟର ସେନାବାହିନୀକୁ ନେଇ କରାଯାଇଥିବା ଏହି ରାଜ୍ୟ ଅକ୍ତିଆର ସମୟରେ ସିଂହାସନର ପ୍ରକୃତ ଦାବିଦାର ମୋଗ୍ଗାଲ୍ଲନା (ଧାତୁସେନ ଓ ତାଙ୍କ ପାଟ ରାଣୀଙ୍କ ପୁତ୍ର) ଜୀବନ ଭୟରେ ରାଜ୍ୟ ଛାଡ଼ି ଦକ୍ଷିଣ ଭାରତକୁ ପଳାୟନ କରିଥିଲେ । କାଳେ ମୋଗ୍ଗାଲ୍ଲନା ସୈନ୍ୟବଳ ସଂଗ୍ରହ କରି ପୁଣି ଆକ୍ରମଣ କରିବେ ବିଚାର କରି କଶ୍ୟପ ନିଜ ରାଜ୍ୟ ଅନୁରାଧାପୁରର ରାଜଧାନୀ ସିଗିରିୟାକୁ ଘୁଞ୍ଚାଇ ନେଇଗଲେ । ସିଗିରିୟା ବା ସିଂହଗିରି ଅପେକ୍ଷାକୃତ ଭାବେ ବିପଦମୁକ୍ତ ଥିଲା । ଖ୍ରୀ. ୪୭୭ରୁ ୪୯୫ ପର୍ଯ୍ୟନ୍ତ କଶ୍ୟପଙ୍କ ରାଜୁତି କାଳରେ ସିଗିରିୟା ଏକ ଉନ୍ନତ ନଗରୀ ଓ ଦୁର୍ଗରେ ପରିଣତ ହୋଇଥିଲା ।[୧][୨] ସିଗିରିୟାର ନିର୍ମିତ ଅଧିକାଂଶ କୋଠା, ଦୁର୍ଗ, ଉଦ୍ୟାନ ଇତ୍ୟାଦି ଏହି ସମୟର ।
ରାଜା କଶ୍ୟପ ହେଉଛନ୍ତି ରାଜା ଧାତୁସେନଙ୍କ ପୁତ୍ର ବୋଲି କୁଳବଂଶରେ ଉଲ୍ଲେଖ ରହିଛି । କଶ୍ୟପ ନିଜ ପିତାଙ୍କୁ ଜୀବିତାବସ୍ଥାରେ ଚାରି କାନ୍ଥ ମଧ୍ୟରେ ପୋତାଇ ହତ୍ୟା କରିଥିଲେ ଓ ନିଜ ସାବତ ଭାଇ ମୋଗ୍ଗାଲ୍ଲନାଙ୍କ ସିଂହାସନକୁ ବଳପୂର୍ବକ ଅକ୍ତିଆର କରିନେଇଥିଲେ । ମୋଗ୍ଗାଲ୍ଲନା ଜୀବନ ଭୟରେ ଭାରତ ପଳାୟନ କରି ସେଠାରେ ପ୍ରତିଶୋଧ ନେବାପାଇଁ ଯୋଜନା କରିବାକୁ ଲାଗିଲେ । ଭାରତରେ ନିଜର ଏକ ସେନା ଗଠନ କରି ଶ୍ରୀଲଙ୍କା ଫେରିଯାଇ ନିଜ ରାଜ୍ୟ ଅଧିକାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ । ମୋଗ୍ଗାଲ୍ଲନାଙ୍କ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ ବୋଲି ବିଚାର କରି ସିଗିରିୟା ପାହାଡ଼ ଦୁର୍ଗର ସର୍ବୋଚ୍ଚ ସ୍ଥାନରେ କଶ୍ୟପ ନିଜର ରାଜମହଲ ନିର୍ମାଣ କରାଇଥିଲେ । ଖ୍ରୀ. ୪୯୫ରେ ମୋଗ୍ଗାଲ୍ଲନା ପ୍ରତ୍ୟାକ୍ରମଣ କରି କଶ୍ୟପଙ୍କୁ ପରାସ୍ତ କଲେ ।
କୁଳବଂଶ ଓ ସ୍ଥାନୀୟ ଲୋକକଥାରୁ ଜଣାଯାଏ ଯେ ଯୁଦ୍ଧ ସମୟରେ କଶ୍ୟପ ବସିଥିବା ଯୁଦ୍ଧହସ୍ତୀର ଯୋଜନାବଦ୍ଧ ଗତିକୁ ବୁଝି ନପାରି ତାଙ୍କ ସୈନ୍ୟବାହିନୀ ଭାବିଲେ ଯେ ରାଜା ପୃଷ୍ଠଭଙ୍ଗ ଦେଇଛନ୍ତି । ତେଣୁ ସେନାବାହିନୀ ରାଜାଙ୍କୁ ପରିତ୍ୟାଗ କରିଥିଲେ । ଆତ୍ମସମର୍ପଣ କରିବା ଅପେକ୍ଷା ବୀରର ମୃତ୍ୟୁ ବରଣ କରିବା ଶ୍ରେୟସ୍କର ବୋଲି କଶ୍ୟପ ନିଜ ତରବାରିରେ ନିଜ ଗଳା କାଟି ଆତ୍ମହତ୍ୟା କରିଥିଲେ । ମୋଗ୍ଗାଲ୍ଲନା ଅନୁରାଧାପୁରର ରାଜଧାନୀକୁ ପ୍ରତ୍ୟାବର୍ତ୍ତନ କଲେ ଓ ସିଗିରିୟାକୁ ଏକ ବୌଦ୍ଧ ବିହାରରେ ପରିଣତ କରାଇଲେ ।[୪] ଏହି ବୌଦ୍ଧ ବିହାରଗୁଡ଼ିକ ଖ୍ରୀ. ୧୩ଶ ବା ୧୪ଶ ଶତାବ୍ଦୀ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା । ଏହା ପରବର୍ତ୍ତୀ ସମୟରୁ ଖ୍ରୀ. ୧୬ଶ ବା ୧୭ଶ ଶତାବ୍ଦୀ ପର୍ଯ୍ୟନ୍ତ ସିଗିରିୟା ସମ୍ପର୍କରେ କୌଣସି ଲେଖା ବା ତଥ୍ୟ ମିଳିନାହିଁ । ସେତେବେଳକୁ ସିଗିରିୟା କାଣ୍ଡି ରାଜ୍ୟର ସୀମାରେ ଥିବା ଏକ ସୈନ୍ୟଛାଉଣି ବା ସୀମାଚୌକି ଥିଲା ।
ଅନ୍ୟ ଏକ ମତାନୁଯାୟୀ ରାଜା ଧାତୁସେନଙ୍କଦ୍ୱାରା ଆରମ୍ଭ କରାଯାଇଥିବା ସିଗିରିୟାର ନିର୍ମାଣ କାର୍ଯ୍ୟ ରାଜା କଶ୍ୟପ ନିଜ ପିତାଙ୍କ ସମ୍ମାନରେ ଶେଷ କରିଥିଲେ । ଆଉ ଏକ ମତାନୁଯାୟୀ କଶ୍ୟପ ଜଣେ ଲମ୍ପଟ ରାଜା ଥିଲେ ଓ ସିଗିରିୟାକୁ ନିଜର ଆମୋଦସ୍ଥଳୀ ରୂପେ ବ୍ୟବହାର କରୁଥିଲେ । କାଶ୍ୟପଙ୍କ ମୃତ୍ୟୁ କାହାଣୀକୁ ନେଇ ମଧ୍ୟ ବିବାଦ ରହିଛି । ଜନୈକା ରକ୍ଷିତା ହାତରୁ ବିଷପାନ କରି, ନିଜର ଶେଷ ଯୁଦ୍ଧରେ ସେନାଦ୍ୱାରା ପରିତ୍ୟକ୍ତ ହୋଇ ଆତ୍ମହତ୍ୟା କରି ସେ ମୃତ୍ୟୁ ବରଣ କରିଥିବାର ଦୁଇଟି ଭିନ୍ନ କାହାଣୀ ରହିଛି ।[୫] ଅନ୍ୟ ଏକ ଅନୁମାନ ହେଲା ଯେ ସିଗିରିୟାରେ କେବଳ ବୌଦ୍ଧ ବିହାର ରହିଥିଲା ଓ ଏଠାରେ କୌଣସି ପ୍ରକାରର ଯୁଦ୍ଧ ବା ସୈନିକ କାର୍ଯ୍ୟକଳାପ ନଥିଲା । ପ୍ରାଚୀନ ଶ୍ରୀଲଙ୍କାରେ ମହାଯାନ ଓ ଥେରବାଦ ବୌଦ୍ଧ ପରମ୍ପରାର ପ୍ରତିଯୋଗିତା ଚାଲିଥିବା ସମୟରେ ସିଗିରିୟା ଏକ ଗୁରୁତ୍ୱପୂର୍ଣ୍ଣ ଧର୍ମସ୍ଥଳୀ ହୋଇଥିବା ଅନୁମାନ କରାଯାଏ ।
ପ୍ରତ୍ନତାତ୍ତ୍ୱିକ ଅବଶେଷ ଓ ତଥ୍ୟ
ସମ୍ପାଦନାଭୂଚୟନ ଓ ଯୋଜନା
ସମ୍ପାଦନାଭିତ୍ତି ଚିତ୍ର
ସମ୍ପାଦନା
କାନ୍ଥ ଦର୍ପଣ
ସମ୍ପାଦନାଉଦ୍ୟାନ ସମୂହ
ସମ୍ପାଦନାଜଳ ଉଦ୍ୟାନ
ସମ୍ପାଦନା
ଶିଳା ଉଦ୍ୟାନ
ସମ୍ପାଦନାସୋପାନ ଉଦ୍ୟାନ
ସମ୍ପାଦନାଅନ୍ୟାନ୍ୟ ତଥ୍ୟ
ସମ୍ପାଦନାଚିତ୍ର ଗ୍ୟାଲେରି
ସମ୍ପାଦନା-
ୱେୱାରୁ ସିଗିରିୟାର ଲଣ୍ଡା ପାହାଡ଼ର ଦୃଶ୍ୟ
-
ସିଗିରିୟା ପଥର ଉପରୁ ଦୃଶ୍ୟ
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ ୧.୦ ୧.୧ Ponnamperuma, Senani (2013). The Story of Sigiriya. Panique Pty Ltd. ISBN 978-0-9873451-1-0.
- ↑ ୨.୦ ୨.୧ Bandaranayake, Senake; Aramudala, Madhyama Saṃskr̥tika (2005). Sigiriya: City, Palace, Gardens, Monasteries, Painting. Central Cultural Fund. ISBN 978-955-631-146-4.
- ↑ kasun, Buddhika (October 19, 2017). "Alakamandava, Chithrakuta or Sigiriya at present". Viral Sri Lanka. Archived from the original on February 7, 2019.
{{cite web}}
: Cite has empty unknown parameter:|dead-url=
(help) - ↑ Geiger, Wilhelm. Culavamsa Being The More Recent Part Of Mahavamsa 2 Vols, Ch 39. 1929
- ↑ "The Sigiriya Story". Asian Tribune. Retrieved 2006-11-24.
ଆହୁରି ପଢ଼ିପାରିବେ
ସମ୍ପାଦନା- The Story of Sigiriya, by Senani Ponnamperuma (ISBN 978-0-9873451-1-0; ISBN 978-0-9873451-4-1;).
- Sigiriya, by Senake Bandaranayake (ISBN 978-955-631-146-4).
- Story of Sigiriya, by Professor Senerath Paranavitana.
- The Mystique of Sigiriya: Whispers of the Mirror Wall, W.J.M. Lokubandara (ISBN 978-9553006103)
- Chisholm, Hugh, ed. (1911). . Encyclopædia Britannica Eleventh Edition. Vol. 25 (11th ed.). Cambridge University Press.
ବାହ୍ୟ ଲିଂକ୍
ସମ୍ପାଦନା- Sigiriya travel guide from Wikivoyage
- Official UNESCO website entry
- Mount of Remembrance
- About Sigiriya Archived 2017-01-10 at the Wayback Machine.