ବିଭୀଷଣ ହେଉଛି ପ୍ରାଚୀନ ଭାରତୀୟ ମହାକାବ୍ୟ ରାମାୟଣରେ ବର୍ଣ୍ଣିତ ଲଙ୍କାର ରାଜା ରାବଣର ସାନ ଭାଇ ତଥା ପ୍ରଭୁ ରାମଙ୍କର ଜଣେ ଭକ୍ତ ।[୧] ଯଦିଓ ନିଜେ ଜଣେ ରାକ୍ଷସ, ସେ ରାବଣର ସଙ୍ଗ ତ୍ୟାଗ ପୂର୍ବକ ରାମଙ୍କ ସୈନ୍ୟବାହିନୀରେ ଯୋଗ ଦେଇଥିଲେ । ପରେ, ଯେତେବେଳେ ରାମ ରାବଣକୁ ପରାସ୍ତ କଲେ, ରାମ ଅଯୋଧ୍ୟାକୁ ଫେରିବା ପୂର୍ବରୁ ବିଭୀଷଣଙ୍କୁ ଲଙ୍କାର ରାଜା ଭାବରେ ମୁକୁଟ ପିନ୍ଧାଇଲେ । ସେ ଋଷି ବିଶ୍ରବା ଏବଂ କୈକେସୀଙ୍କ ପୁତ୍ର ଥିଲେ । ଲଙ୍କାର ରାଜା ରାବଣ ଏବଂ କୁମ୍ଭକର୍ଣ୍ଣ ତାଙ୍କର ବଡ଼ ଭାଇ ଥିଲେ । ତାଙ୍କର ଆଚରଣ ଏକ ନୈଷ୍ଠିକ ବ୍ରାହ୍ମଣମାନଙ୍କ ପରି ଥିଲା । ସେ ନିଜ ବଡ଼ ଭାଇଙ୍କ ସହିତ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଘୋର ତପ କରିଥିଲେ ଏବଂ ବର ସ୍ୱରୂପ ଏହି ଆଶୀର୍ବାଦ ମାଗିଥିଲେ ଯେ ସେ ଯେପରି ସର୍ବଦା ଧର୍ମ ପଥରେ ଚଳିବେ ।

ରାମାୟଣରେ ବିଭୀଷଣ ସମ୍ପାଦନା

ବିଭୀଷଣଙ୍କର ଏକ ଶୁଦ୍ଧ ମନ ଏବଂ ଏକ ସତ୍ୟବାଦୀ ହୃଦୟ ଥିଲା । ପିଲାଦିନରୁ ସେ ପ୍ରଭୁଙ୍କ ନାମରେ ଧ୍ୟାନ ତଥା ତପ କରିବା ପାଇଁ ସମସ୍ତ ସମୟ ଅତିବାହିତ କରିଥିଲେ । ପରିଶେଷରେ, ବ୍ରହ୍ମା ଦେଖା ଦେଲେ ଏବଂ ତାଙ୍କୁ ମନ ବାଞ୍ଛିତ ବର ପ୍ରଦାନ କରିବାକୁ ଚାହିଁଲେ । ପ୍ରତ୍ୟୁତ୍ତରରେ ବିଭୀଷଣ କହିଛନ୍ତି ଯେ ସେ କେବଳ ଚାହାଁନ୍ତି ଯେ ତାଙ୍କ ଚିତ୍ତ ସର୍ବଦା ଶୁଦ୍ଧ ଭାବରେ ପ୍ରଭୁଙ୍କ ପାଦରେ ସ୍ଥିର ହୋଇ ରହୁ । ଏହି ପ୍ରାର୍ଥନା ପୂର୍ଣ୍ଣ ହେଲା ଯେତେବେଳେ ସେ ତାଙ୍କର ସମସ୍ତ ସମ୍ପତ୍ତି ଏବଂ ପରିବାର ତ୍ୟାଗ କରି ପ୍ରଭୁ ବିଷ୍ଣୁଙ୍କ ଅବତାର ରାମଙ୍କ ଶରଣାପନ୍ନ ହୋଇଥିଲେ ।

ବିଭୀଷଣ, ଋଷି ବିଶ୍ରବା ଏବଂ କୈକେସୀଙ୍କର ସାନପୁଅ ଥିଲେ । ଯଦିଓ ସେ ରାକ୍ଷସ କୂଳରେ ଜନ୍ମ ହୋଇଥିଲେ, ତଥାପି ସେ ଧାର୍ମିକ ଥିଲେ ଏବଂ ନିଜକୁ ବ୍ରାହ୍ମଣ ବୋଲି ବିବେଚନା କରୁଥିଲେ । ଯେତେବେଳେ ରାକ୍ଷସ ସୁମାଲିଙ୍କ ଝିଅ କୈକେସୀ ବିଶ୍ରବା ଋଷିଙ୍କୁ ତାଙ୍କ ପତ୍ନୀ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ, ସେତେବେଳେ ବିଶ୍ରବା କହିଥିଲେ ଯେ ଏପରି ଅଶୁଭ ସମୟରେ ସେ ଏହି କାମନା କରିଥିବାରୁ ସେମାନଙ୍କର ପିଲାମାନେ ଭୟଙ୍କର ଶରୀର ଏବଂ ନିଷ୍ଠୁର ପ୍ରକୃତି ସହିତ ଜନ୍ମ ହେବେ । ଏହା ଶୁଣି କୈକେସୀ ଋଷିଙ୍କ ପାଦତଳେ ପଡ଼ି କାନ୍ଦିବାକୁ ଲାଗିଲେ । ଏହା ଦେଖି ବିଶ୍ରବା କହିଛନ୍ତି ଯେ ଭାଗ୍ୟ ପରିବର୍ତ୍ତନ ହୋଇପାରିବ ନାହିଁ, ତେବେ କୈକେସୀଙ୍କର ଭକ୍ତି ଏବଂ ଜଣେ କର୍ତ୍ତବ୍ୟ ପରାୟଣତା କାରଣରୁ କେବଳ ସେମାନଙ୍କର ସାନପୁଅ ସାଧାରଣ ଶରୀର ଏବଂ ଧାର୍ମିକ ମନ ସହିତ ଜନ୍ମ ହେବ । ଏହିପରି ଭାବେ କୈକେସୀ ଏବଂ ବିଶ୍ରବା ଋଷିଙ୍କ କନିଷ୍ଠ ପୁତ୍ରଭାବେ ବିଭୀଷଣଙ୍କ ଜନ୍ମ ।

ରାବଣଙ୍କ ସହ ବିଭୀଷଣଙ୍କ ମତଭେଦ ହେତୁ ସେ ସୀତାଙ୍କୁ ଅପହରଣ କରିବାର ବିରୋଧୀ ଥିଲେ ଏବଂ ରାବଣ ନିଜ ପାଇଁ ସିଂହାସନ ଚାହୁଁଥିବାରୁ ସେ ଲଙ୍କା ଛାଡି ପଳାଇଥିଲେ । ତାଙ୍କ ମା କୈକେସୀ ତାଙ୍କୁ ଶ୍ରୀ ରାମଙ୍କ ସେବା କରିବାକୁ ପରାମର୍ଶ ଦେଇଥିଲେ । ବିଭୀଷଣ, ରାବଣର ସୈନ୍ୟବାହିନୀର ରହସ୍ୟ ଉନ୍ମୋଚନ କରିଥିଲେ ଏବଂ ନିଶ୍ଚିତ କରିଥିଲେ ଯେ ରାମ ମହାନ ଯୁଦ୍ଧରେ ବିଜୟୀ ହେବେ । ଭଗବାନ ରାମ ବିଭୀଷଣଙ୍କ ସେବାରେ ସନ୍ତୁଷ୍ଟ ହୋଇଥିଲେ ଏବଂ ରାବଣଙ୍କ ମୃତ୍ୟୁ ପରେ ତାଙ୍କୁ ଲଙ୍କାର ରାଜା ଅଭିଷିକ୍ତ କଲେ ।

ଲଙ୍କା ଯୁଦ୍ଧରେ, ବିଭୀଷଣ ଯୋଗାଇଥିବା ଲଙ୍କାର ରହସ୍ୟ ଶ୍ରୀ ରାମଙ୍କ ପାଇଁ ଅମୂଲ୍ୟ ପ୍ରମାଣିତ ହୋଇଥିଲା । ରାମ ଏବଂ ରାବଣ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧରେ ଯେତେବେଳେ ରାମ ରାବଣକୁ ହତ୍ୟା କରିବାରେ ଅସମର୍ଥ ହେଲେ, ସେ ରାବଣର ମୃତ୍ୟୁ ରହସ୍ୟକୁ ରାମଙ୍କୁ ଜଣାଇଲେ । ସେ ରାମଙ୍କୁ କହିଥିଲେ ଯେ ରାବଣ ଅମରତାର ଅମୃତଭଣ୍ଡାରକୁ ତାଙ୍କ ପେଟରେ ରଖିଛି ଏବଂ ଏହାକୁ ଶୁଖାଇବା ଆବଶ୍ୟକ । ଏହି ଜ୍ଞାନ ସହିତ ରାମ ଶେଷରେ ରାବଣକୁ ହତ୍ୟା କରିବାରେ ସକ୍ଷମ ହୋଇଥିଲେ ।[୨]

ଆଧାର ସମ୍ପାଦନା

  1. "Story of Vibhishana". ApniSanskriti - Back to veda. Archived from the original on 27 October 2020. Retrieved 10 March 2021.
  2. "Vibhishana – Vyasa Mahabharata". www.vyasaonline. Retrieved 10 March 2021.