ସାଇକେଲ

(ସାଇକଲରୁ ଲେଉଟି ଆସିଛି)

ସାଇକଲ ବା ବାଇସାଇକଲ ହେଉଛି ଏକ ଦୁଇ ଚକିଆ ଯାନ ଯାହାକୁ ମଣିଷ ନିଜ ମାଂସପେଶୀୟ ଶକ୍ତିଦ୍ୱାରା ପେଡାଲ ମାରି ଚଳାଇଥାଏ ।

ସାଇକଲ
ସାଇକଲ

ସାଇକଲକୁ ଓଡ଼ିଆରେ ଆଗରୁ "ଶୁନଗାଡ଼ି" କୁହାଯାଉଥିଲା । ଏବେ ଏହି ଶବ୍ଦ ମୃତ । ମନୋଜ ଦାସ ନିଜ କିଛି କ୍ଷୁଦ୍ର ଗଳ୍ପରେ ସାଇକଲ ପରିବର୍ତ୍ତେ "ଦ୍ୱିଚକ୍ର" ଶବ୍ଦର ବ୍ୟବହାର କରିଛନ୍ତି ।

ଇତିହାସ

ସମ୍ପାଦନା

ପ୍ରଥମେ ଯେତେବେଳେ ସାଇକେଲଟି ନିର୍ମିତ ହେଲା ତାହା ଦେଖିବାକୁ ବର୍ତ୍ତମାନର ଏକ ସ୍କେଟବୋର୍ଡ଼ ପରି ଥିଲା । ୧୭୯୧ରେ ଫ୍ରାନ୍ସର ନାଗରିକ କୋମେଟ ମେଡେ ଡି ସିଭରାକ୍ ନିର୍ମାଣ କରିଥିଲେ ଏକ ଭିନ୍ନ ଧରଣର ସାଇକେଲ, ଏହାର ସିଟ୍ ବହୁତ ଉଚ୍ଚରେ ରହୁଥିଲା । ଏଥିରେ ପେଡ଼ାଲ ନଥିଲା; ଏହାକୁ ଲୋକମାନେ ନିଜଗୋଡରେ ଠେଲିଠେଲି ଚଳାଉଥିଲେ । ପ୍ରାୟ ୧୮୧୭ ମସିହା ବେଳକୁ ଜର୍ମାନୀର ବେରୋନ କାର୍ଲବାନ୍ ଡ୍ରେସ୍ ହ୍ୟାଣ୍ଡେଲ ରହିଥିବା ଏକ ସାଇକେଲ ନିର୍ମାଣ କରିଥିଲେ । ଏହାର ନାମ ଥିଲା "ଡ୍ରେସିନେ" । ଦୁଇଟି ସମାନ ଆକାରର କାଠ ଚକା, ବସିବା ପାଇଁ ଏକ ସିଟ ସହିତ ହ୍ୟାଣ୍ଡେଲ ରହିଥିଲା । ଗୋଡ଼ରେ ଠେଲି ଠେଲି ଚଳାଯାଉଥିବା ଏହି ସାଇକେଲଟି ସମ୍ପୁର୍ଣ୍ଣ ଭାବେ କାଠରେ ତିଆରି ହୋଇଥିବାରୁ ଲୋକମାନେ ‘କାଠଘୋଡା’ ବୋଲି କହୁଥିଲେ । ୧୮୧୮ରେ ପ୍ୟାରିସରେ ଆୟୋଜିତ ଏକ ପ୍ରଦର୍ଶନୀରେ ଲୋକମାନେ ଏହି ଅଦ୍ଭୁତ ସାଇକେଲକୁ ପ୍ରଥମଥର ଲାଗି ଦେଖିଥିଲେ, କିନ୍ତୁ ଏହା ଲୋକପ୍ରିୟତା ଅର୍ଜନ କରିପାରି ନଥିଲା । ୧୮୩୯ରେ ସାଇକେଲ ନିର୍ମାଣରେ ବହୁତ ପରିବର୍ତ୍ତନ ଆସିଥିଲା, କାରଣ ସ୍କଟଲାଣ୍ଡର ଜଣେ ଲୁହାର ସାଇକେଲର ଆଗ ଚକାରେ ଏକ ପେଡାଲ ଲଗାଇଥିଲେ । କ୍ରିକପ୍ୟାଟ୍ରିକ ମ୍ୟାକମିଲାନ ସାଇକେଲର ଆଗ ଚକାରେ ଏକ ପେଡାଲ ଲଗାଇ ପାହାଡ଼ ଚଢିପାରୁଥିଲେ । ଏହା ସେତେବେଳେ ପରିବହନ କ୍ଷେତ୍ରରେ ବ୍ୟବହୃତ କରାଯାଉଥିଲା । କିନ୍ତୁ ଏଥିରେ ବ୍ରେକ୍ ନଥିବାରୁ ଗଡାଣିଆ ସ୍ଥାନରେ ରୋକିବା ଅତ୍ୟନ୍ତ କଷ୍ଟକର ହେଉଥିଲା । ଏହି ସାଇକେଲକୁ ‘ଫାଷ୍ଟ ଫୁଟ’ ବୋଲି କୁହାଯାଉଥିଲା । ୧୮୪୫ରେ ଫ୍ରାନ୍ସର ନିକୋଲସ ସାଇକେଲର ବ୍ରେକ ଲଗାଇବା ସହ ଚକାଗୁଡିକୁ ଲୁହାରେ ନିର୍ମାଣ କରିଥିଲେ । ଏହି ସାଇକେଲଟି ଚାଲିବା ବେଳେ ମାତ୍ରାଧିକ ଶବ୍ଦ କରୁଥିଲା, ତେଣୁ ଲୋକମାନେ ଏହାକୁ ‘ବୋନ ସେକର’ ବୋଲି କହୁଥିଲେ । ଏହାପରେ ୧୮୬୫ରେ ପରବର୍ତ୍ତୀ ବିକଶିତ ସାଇକେଲ ନିର୍ମିତ ହୋଇଥିଲା । ଏଥିରେ ସାଇକେଲର ଆଗ ଚକରେ ସିଧାସଳଖ ଭାବେ ପେଡାଲ ଲଗାଯାଇଥିଲା । ୧୮୭୦ରେ ପ୍ରଥମ ମେଟାଲ ସାଇକେଲ ଆବିଷ୍କୃତ ହୋଇଥିଲା । ଏଥିରେ ମଧ୍ୟ ପେଡାଲ ଆଗ ଚକରେ ଲାଗିଥିଲା । କିନ୍ତୁ ଏଥିରେ ବଡ଼ ଧରଣର କେତେକ ପରିବର୍ତ୍ତନ କରାଯାଇଥିଲା । ସାଇକେଲର ଆଗ ଚକଟି ପଛ ଚକ ଅପେକ୍ଷା ଅଧିକ ବଡ଼ ଥିଲା, କିନ୍ତୁ ଏହା ମନକୁ ମନ ବୁଲି ପାରୁନଥିଲା । ନିର୍ମାତାମାନଙ୍କର ଚିନ୍ତାଧାରା ଏହା ଥିଲା ଯେ, ସାଇକେଲର ଆଗଚକ ବଡ଼ ରହିଲେ ଅଳ୍ପ ପରିଶ୍ରମରେ ଅଧିକ ଦୂର ଯାତ୍ରା କରିହେବ । ଚକାଗୁଡିକରେ ରବର ଓ ସ୍ପୋକ ବ୍ୟବହାର କରାଯାଇଥିଲା ଫଳରେ ଏହା ପୂର୍ବପରି ଅଧିକ ଶବ୍ଦ କରୁନଥିଲା । ବିଭିନ୍ନ ନିର୍ମାତାମାନେ ସାଇକେଲକୁ ବିକଶିତ କରିବାକୁ ଯାଇ ଏହାର ଆଗ ଚକାକୁ ପ୍ରାୟ ୧.୫ମିଟର ପର୍ଯ୍ୟନ୍ତ ଉଚ୍ଚ କରିଥିଲେ । ୧୮୬୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଏହାର ଭିନ୍ନ ଭିନ୍ନ ନାମ ରହିଥିଲା । ଏହାପରେ ଲୋକମାନେ ଏହି ଗାଡିକୁ ବାଇସାଇକେଲ(ଦୁଇ ଚକିଆ ଯାନ) କହିବା ଆରମ୍ଭ କଲେ । ୧୮୬୯ରେ ପେନ୍ନୀ-ଫାରଥିଙ୍ଗ ବା ଉଚ୍ଚ ଚକା ଯାନ ନିର୍ମିତ ହୋଇଥିଲା । ବଡ଼ ଚକା ଫଳରେ ଏହା ଅଳ୍ପ ପରିଶ୍ରମରେ ଅଧିକ ବାଟ ଯାଉଥିଲା, କିନ୍ତୁ ଏଥିରେ ଅତ୍ୟଧିକ ଦୁର୍ଘଟଣା ମଧ୍ୟ ଘଟୁଥିଲା । ଏହାର କାରଣ ଥିଲା ଚାଳକ ଜଣକ ଭୂମିଠାରୁ ଅଧିକ ଉଚ୍ଚରେ ବସୁଥିଲା । ଆଗ ଚକର ଉଚ୍ଚତା ୧.୫ମିଟର ହୋଇଥିବା କାରଣରୁ ଯଦି ଆଗଚକା ହଠାତ୍ ବନ୍ଦ ହୋଇଗଲା ତେବେ ଚାଳକଙ୍କ ଗୋଡ ତଳକୁ ନ ପାଇବା କାରଣରୁ ଅଧିକାଂଶ ସମୟରେ ସେ ଆଗକୁ ପଡ଼ିଯାଉଥିଲା । ୧୮୮୦ ମସିହାର ମଧ୍ୟ ଭାଗରେ ବ୍ରିଟିଶ୍ ସାଇକେଲ ନିର୍ମାତା ଜେମ୍ସ ଷ୍ଟେରଲୀ ଏକ ସାଇକେଲ ବିକଶିତ କରିଥିଲେ, ଯାହାର ନାମ ସେ ଦେଇଥିଲେ ‘ସୁରକ୍ଷିତ ବାଇସାଇକେଲ’ । ଅତ୍ୟାଧୁନିକ ସାଇକେଲ ପରି ଏହାର ଆଗ ଓ ପଛ ଚକା ସମାନ ଆକାରର ହୋଇଥିବା ବେଳେ ଦୁଇଚକର ମଝିରେ ରହିଥିଲା ପେଡାଲ ଏବଂ ନୂତନ କରି ବାହାରିଥିବା ଚେନ ଓ ସ୍ପକେଟ ଏହାର ପଛଚକାକୁ ଟାଣୁଥିଲା । ଏହି ସାଇକେଲଟି ଅନ୍ୟ ସାଇକେଲ ତୁଳନାରେ ଖୁବ୍ ହାଲକା ଥିଲା ଏବଂ ଜଣେ ଲୋକ ଏହାକୁ ଆରାମରେ ଅଳ୍ପ ବଳ ଖଟାଇ ଚଳାଇ ପାରୁଥିଲା । ସେ ପର୍ଯ୍ୟନ୍ତ ସାଇକେଲର ଚକାରେ କେବଳ ରବର ଲଗାଯାଉଥିଲା । ଏହା ବ୍ୟତୀତ ସାଇକେଲଟି ଅଧିକ ଲମ୍ବା ନଥିବା ଓ ସ୍ପୋକ ବିହୀନ ହୋଇଥିବା କାରଣରୁ ଫାରଥିଙ୍ଗ ସାଇକେଲ ତୁଳନାରେ ଏହାକୁ ଚଳାଇବା ଅଧିକ କଷ୍ଟକର ଥିଲା । ଜଣେ ଇରିସ ନାଗରିକ ଡୁନଲୋପ ପ୍ରଥମେ ବାୟୁଚାଳିତ ଟାୟାର ଏହି ସାଇକେଲରେ ଲଗାଇଥିଲେ । ସେ ନିଜ ପୁତ୍ରକୁ ଏକ ଆରାମଦାୟକ ସାଇକେଲ ପ୍ରଦାନ କରିବାକୁ ଯାଇ ଏପରି କରିଥିଲେ । ଏହାପରେ ପଛଚକାକୁ ଏପଟସେପଟ ବୁଲିବା ପରି ବିକଶିତ କରାଯିବା ପରେ ଚାଳକମାନେ ବିପଦମୁକ୍ତ ସାଇକେଲ ଚାଳନା କରିବାର ଅନୁଭବ ହାସଲ କରିଥିଲେ । ୧୮୯୦ମସିହା ପରବର୍ତ୍ତୀ ସମୟରେ ବ୍ରେକ, ଗିୟର, ହାତରେ ନିୟନ୍ତ୍ରଣ କରିବା ଲାଗି ବ୍ରେକ କେବୁଲ ଆଦି ନିର୍ମିତ ହୋଇଥିଲା । ସାଇକେଲରେ ଏତେସବୁ ପରିବର୍ତ୍ତନ ହୋଇ ବି ଲୋକମାନଙ୍କ ନିକଟରେ ଏହା ବିଶେଷ ଆଦୃତ ହୋଇପାରିନଥିଲା । ସାଇକେଲ ସମାଜରେ ଦ୍ରୁତ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଥିଲା । ମହିଳାମାନେ ଆତ୍ମନିର୍ଭରଶୀଳ ଓ ଗତିଶୀଳ ହୋଇଥିବା ବେଳେ ଗରିବ ଲୋକମାନେ ଦୂରସ୍ଥାନକୁ କାର୍ଯ୍ୟ ଅନ୍ୱେଷଣରେ ଯାତ୍ରା କରୁଥିଲେ । ସମୟ ଗଡିବା ସହିତ ବିଭିନ୍ନ ସ୍ଥାନରେ ସାଇକେଲ କ୍ଳବ, ସାଇକେଲ ରେସିଂ ଓ ଟୁରିଂର ଆୟୋଜନ ହୋଇଥିଲା, ଯାହା ସାଇକେଲକୁ ଅଧିକ ଲୋକପ୍ରିୟ କରିଥିଲା । ସମୟ ସହ ତାଳ ଦେଇ ସାଇକେଲରେ ଅନେକ ପରିବର୍ତ୍ତନ ଆସିଛି । ରେସିଂ ସାଇକେଲର ସ୍ପିଡ୍ କୌଣସି ଇନ୍ଧନ ଚାଳିତ ଗାଡିଠାରୁ କମ୍ ନୁହେଁ । ଭାରତରେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ସାଇକେଲର ବ୍ୟବହାର ଅଧିକ ବୃଦ୍ଧି ପାଇଥିଲା । ପରିବହନ କ୍ଷେତ୍ରରେ ସାଇକେଲ ହିଁ ଥିଲା ଏକମାତ୍ର ବାହନ । []

  1. ପ୍ରଗତିବାଦୀ ଅଭିମତ ବିବିଧ, ପୃଷ୍ଠା-୧୨, ରବିବାର, ୧୯ମେ ୨୦୧୩

ବାହାର ଲିଙ୍କ

ସମ୍ପାଦନା