ରୁକୁଣା ରଥଯାତ୍ରା
ରୁକୁଣା ରଥଯାତ୍ରା ଲିଙ୍ଗରାଜଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହା ଓଡ଼ିଶାର ଭୁବନେଶ୍ୱରଠାରେ ଲିଙ୍ଗରାଜ ମନ୍ଦିରରେ ପାଳନ କରାଯାଇଥାଏ । ଏହା ପୁରୀର ରଥଯାତ୍ରାଠାରୁ ମଧ୍ୟ ଅଧିକ ପୁରୁଣା ଯାତ୍ରା ।[୧]
ରୁକୁଣା ରଥଯାତ୍ରା | |||||||
---|---|---|---|---|---|---|---|
ଉପର : ରଥର ମଣ୍ଡଣି, ଲିଙ୍ଗରାଜଙ୍କ ବିଜେ ପ୍ରତିମା ଚନ୍ଦ୍ରଶେଖର, ମଝି : ରୁକୁଣା ରଥ, ତଳ : ଦିଅଁଙ୍କୁ ଅର୍ପିତ ପନ୍ତିଭୋଗ, ସାରଥୀ ଭାବେ ବ୍ରହ୍ମା | |||||||
ପାଳନକାରୀ | ଓଡ଼ିଆ | ||||||
ଆରମ୍ଭ | ଅଶୋକାଷ୍ଟମୀ | ||||||
ଶେଷ | ଚୈତ୍ର ଶୁକ୍ଳ ଦ୍ୱାଦଶୀ | ||||||
୨୦୨୩ ତାରିଖ |
କିମ୍ବଦନ୍ତୀସମ୍ପାଦନ କରନ୍ତୁ
ପୌରାଣିକ କିମ୍ବଦନ୍ତୀ ଅନୁସାରେ ରାମଚନ୍ଦ୍ର ରାବଣକୁ ହତ୍ୟାକରି ସୀତାଙ୍କୁ ଉଦ୍ଧାର କରିଥିଲେ । ରାବଣ ବ୍ରାହ୍ମଣ ହୋଇଥିବାରୁ ରାମଚନ୍ଦ୍ରଙ୍କୁ ବ୍ରହ୍ମ ହତ୍ୟା ଦୋଷ ଲାଗିଲା । ଏହିପାପରୁ ମୁକ୍ତି ପାଇବା ପାଇଁ ସେ କୁଳଗୁରୁ ବଶିଷ୍ଠଙ୍କ କଥା ଅନୁସାରେ ଏକାମ୍ର କ୍ଷେତ୍ରକୁ ଯାଇ ରାମେଶ୍ୱରଠାରେ ହରିହର (ଲିଙ୍ଗରାଜ)ଙ୍କୁ ପ୍ରତିଦିନ ପୂଜାକଲେ । ଏହି ଉପାସନାରେ ପ୍ରଭୁ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ କ'ଣ ବର ଚାହଁ ବୋଲି ପଚାରିଲେ । ଶେଷରେ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ପୁନଃବସୁ ନକ୍ଷତ୍ରରେ ଦେବଦଳନ ରଥରେ ବସି ହରିହର (ଲିଙ୍ଗରାଜ) ରାମେଶ୍ୱର ମନ୍ଦିର ଆସିବେ ବୋଲି ରାମଚନ୍ଦ୍ର ବର ମାଗିଥିଲେ । ସେହିଦିନଠାରୁ ତାଙ୍କୁ ଦର୍ଶନ ଦେବା ଲାଗି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର ମନ୍ଦିରକୁ ପାଞ୍ଚଦିନ ପାଇଁ ରଥଯାତ୍ରାରେ ଆସିଥାନ୍ତି । ଉକ୍ତ ପ୍ରଥା ଓ ପରମ୍ପରା ଅନୁସାରେ ଏହି ରଥଯାତ୍ରା ହୋଇ ଆସୁଛି । ଏହାବ୍ୟତୀତ ରଥଯାତ୍ରାର ଆଉ ଏକ ବିଶେଷତ୍ୱ ମଧ୍ୟ ରହିଛି ଯେ ମା ଭୁବନେଶ୍ୱରୀ ଏହିଦିନ ରଥରେ ମହାପ୍ରଭୁ ଲିଙ୍ଗରାଜଙ୍କ ସହ ସୁରାସରକୁ ବଧ କରିବା ପାଇଁ ଯାତ୍ରା କରିଥାନ୍ତି ।
ପର୍ବର ବିଶେଷତାସମ୍ପାଦନ କରନ୍ତୁ
ଲିଙ୍ଗରାଜ ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ଚନ୍ଦ୍ରଶେଖରଙ୍କୁ ଚୈତ୍ର ଶୁକ୍ଳ ଅଷ୍ଟମୀ (ଅଶୋକାଷ୍ଟମୀ)[୨] ଦିନ ଗୋଟିଏ ରଥରେ ରାମେଶ୍ୱର ମନ୍ଦିରକୁ ନିଆଯାଇ ପାଞ୍ଚଦିନ ସେଠାରେ ଅବସ୍ଥାପିତ କରି ପୁଣି ବଡ଼ଦେଉଳକୁ ବାହୁଡ଼ାଇ ଅଣାଯାଏ । ଯିବା ବାଟରେ ଅନେକ ପୂଜାର୍ଚ୍ଚନା ପୂର୍ବକ ଅଧରପଣାର ଲାଗି କରାଯାଇଥାଏ । ଏହାକୁ ଦେଖିବା ଲାଗି ଭକ୍ତଙ୍କର ଗହଳି ଲାଗିରହିଥାଏ । ବିଶ୍ୱାସ ରହିଛି ଲିଙ୍ଗରାଜଙ୍କ ରାମେଶ୍ୱର ମନ୍ଦିରକୁ ଗମନ ଅବସରରେ ରାମଚନ୍ଦ୍ର ପୂଜାର୍ଚ୍ଚନା କରିବାର ସୁଯୋଗ ପାଇଥାନ୍ତି । ଲିଙ୍ଗରାଜ ମନ୍ଦିରଠାରୁ ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ରଥକୁ ଟଣାଯାଏ । ରାମଚନ୍ଦ୍ରଙ୍କ କଥାକୁ ରଖି ପ୍ରତିବର୍ଷ ଅଶୋକାଷ୍ଟମୀ ତିଥିରେ ଦୋଳଗୋବିନ୍ଦ ଓ ରୁକୁଣାଙ୍କୁ ଧରି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର (ମାଉସୀ ମା' ମନ୍ଦିର ) ମନ୍ଦିରକୁ ଯାତ୍ରା କରିଥାନ୍ତି । ଏହି ରଥର ଉଚ୍ଚତା ୫୦ ଫୁଟ ଓ ୪ ଚକ, ୨ଓରା, ୧୬ନାହାକା, ୫ଦଣ୍ଡା ବିଶିଷ୍ଟ ; ରଥର ନାମ ରୁକ୍ମଣୀ ବା ରୁକୁଣା ରଥ । ଏହି ରଥଟିର ବିଶେଷତ୍ୱ ହେଉଛି ରଥଟି ଅଣଲେଉଟା । ଯେଉଁଭଳି ଭାବେ ରଥଟି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ ଠିକ୍ ସେହିଭଳି ପୁନର୍ବାର ପଛକୁ ଫେରିଥାଏ । ରଥର ପଛପଟେ ଦ୍ୱାର ଖୋଲାଯାଇ ଘୋଡ଼ା ଜଚାଯିବା ପରେ ଏହା ପଛକୁ ପଛ ଫେରିଥାଏ । ଜଗନ୍ନାଥ ମହାପ୍ରଭୁଙ୍କ ପରି ରଥ ଦକ୍ଷିଣ ମୋଡ ବା ବୁଲିନଥାଏ । ସେଥିପାଇଁ ଏହାକୁ ଅଣଲେଉଟା ବୋଲି କୁହାଯାଏ । ଏଇରଥ ଯେଉଁଆଡ଼େ ମୁହଁକରି ଯାଇଥାଏ ସେ ଆଡ଼ରୁ ଆଉ ମୁହଁ ଫେରାଏ ନାହିଁ । ବାହୁଡ଼ା ଦିନ ରଥର ଆଗପାଖର ସାଜସଜ୍ଜାକୁ ଆଣି ପଛ ପାଖରେ ଲଗାଇ ରଥର ପଛପାଖକୁ ସମ୍ମୁଖ କରି ଠାକୁରଙ୍କଉ ବାହୁଡ଼ାଇ ଅଣାଯାଏ । ଏଥିପାଇଁ ଢଗ ଅଛି ଯେ ‘ରୁକୁଣା ରଥ ଅଣଲେଉଟା/ ଆଉ ନ ଫେରେ’ । ରୁକୁଣା ରଥର ସାରଥୀଙ୍କୁ କୁହାଯାଏ 'ବ୍ରହ୍ମା' । ଅଶୋକାଷ୍ଟମୀ ଦିନ, ୮ଟି ଅଶୋକା କଢ଼ି ପକାଇ, ସେହି ଜଳ ପାନକଲେ, ଦୁଃଖଶୋକ ଲାଘବ ହେବାର ମାନ୍ୟତା ରହିଛି । ସନ୍ତାନ ହେଉନଥିବା ବା ସନ୍ତାନ ହୋଇ ମରିଯାଉଥିବା ମହିଳାମାନେ ଅଶୋକାଷ୍ଟମୀ ପୂର୍ବଦିନ ଅଧିବାସ କରି, ଅଶୋକାଷ୍ଟମୀ ଦିନ ମରିଚି କୁଣ୍ଡର ଜଳରେ ସ୍ନାନ କଲେ ସନ୍ତାନ ପ୍ରାପ୍ତି ହେବାର ମଧ୍ୟ ମାନ୍ୟତା ରହିଛି । ଏଥି ଯୋଗୁଁ ମରିଚି କୁଣ୍ଡର ପ୍ରଥମ ଗରା ଜଳ ଖୁବ ଉଚ୍ଚଦରରେ ନିଲାମ ମଧ୍ୟ ହୋଇଥାଏ । [୩][୪] ଦୋଳପୂର୍ଣ୍ଣମୀର ଦୁଇଦିନ ପରଠାରୁ ରଥ ପାଇଁ କାମ ଆରମ୍ଭ ହୋଇ ଚୈତ୍ର ମାସ ଶୁକ୍ଳପକ୍ଷ ସପ୍ତମୀ ଅଧରାତି ପର୍ଯ୍ୟନ୍ତ କାର୍ଯ୍ୟ ଚାଲିଥାଏ । ଏଥିପାଇଁ ମହାପ୍ରଭୁଙ୍କର ସ୍ୱତନ୍ତ୍ର ମହାରଣାମାନେ କାର୍ଯ୍ୟ କରିଥାନ୍ତି । ରଥଖଳାରେ ରଥର ସମସ୍ତ କାର୍ଯ୍ୟକୁ କରିଥାନ୍ତି । ରଥଯାତ୍ରା ପୂର୍ବଦିନ ଭୋର ୪ଟାରୁ ମଙ୍ଗଳା ଆଳତୀ ଆରମ୍ଭ ହୋଇ ଅବକାଶ ନୀତି, ରୋଷପାକ, ସାହାଣ ମେଲା ଦର୍ଶନ, ମହାସ୍ନାନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ ପୂଜା, ମା ଭୁବନେସ୍ୱରୀଙ୍କ ପୂଜା, ସକାଳ ଧୂପ, ଭୋଗ ମଣ୍ଡପ, ବେଶ ସଜ୍ଜା ଓ ଦିନ ୨ଟା ସୁଦ୍ଧା ମହାପ୍ରଭୁ ଲିଙ୍ଗରାଜ, ବାସୁଦେବ ଓ ମା ଭୁବନେଶ୍ୱରୀ ବା ରୁକୁଣାଙ୍କ ପହଣ୍ଡି ହୋଇଥାଏ । ଏହାପରେ ରଥ ଉପରେ ଚକ ପୂଜା, ଅଖ ପୂଜା, ଦ୍ୱାରପୂଜା, ଅଶ୍ୱପୂଜା, ଧ୍ୱଜାପୂଜା, ବ୍ରହ୍ମାପୂଜା ଓ ଛେରାପହଁରା ପ୍ରଭୃତି ପ୍ରାୟ ୧୨ପ୍ରକାରର ପୂଜା କରାଯାଇଥାଏ ।[୫]
ଚିତ୍ରସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ "Rukuna Rath Yatra ends in city - Times Of India". indiatimes.com. 2012. Retrieved 9 January 2013.
The Rukuna Ratha Yatra is more than 1000 years-old, whereas the famous car festival of Lord Jagannath in Puri started some 700 years ago.
- ↑ "Priests & cops on same page for glitch-free rath yatra". telegraphindia.com. 2012. Retrieved 9 January 2013.
annual Rukuna rath yatra of Lord Lingaraj to be held on March 31 on the occasion of Ashokastami.
- ↑ http://www.odisha.gov.in/portal/LIWPL/event_archive/Events_Archives/141Mukteswar_Dance_Festival.pdf
- ↑ ସମ୍ବାଦ ୧୮/୦୪/୨୦୧୩
- ↑ ପ୍ରମେୟ, ପୃଷ୍ଠା - ୧୩, ଗୁରୁବାର ୧୮ ଏପ୍ରିଲ ୨୦୧୩