ରାଜ ଯୋଗ
ପତଞ୍ଜଳୀ ଋଷିଙ୍କ ଯୋଗସୂତ୍ର ଅନୁସାରେ ଯୋଗ ଆଠ ପ୍ରକାରର ବା ଯୋଗ ସାଧନା ନିମ୍ନଲିଖିତ ଆଠଟି ଚରଣ ଦେଇ ସମ୍ପନ୍ନ ହୁଏ। [୧]
ସଂସ୍କୃତ | ଓଡ଼ିଆ ଅର୍ଥ | ଇଂରାଜୀ ଭାବାର୍ଥ |
---|---|---|
ଯମ | ନୈତିକତା | moral codes |
ନିୟମ | ଶୁଦ୍ଧି, ଶୃଙ୍ଖଳା ଅନୁଶାସନ | self-purification and study |
ଆସନ | ଶାରୀରିକ ବ୍ୟାୟାମ | posture |
ପ୍ରାଣାୟାମ | ଶ୍ୱାସ-ପ୍ରଶ୍ୱାସର କସରତ | breath control |
ପ୍ରତ୍ୟାହାର | ଇନ୍ଦ୍ରିୟ ନିଗ୍ରହ | withdrawing of the mind from the senses |
ଧାରଣା | ଆତ୍ମା(ଅସଲ ସ୍ୱରୁପ)ରେ ଏକାଗ୍ରତା | concentration |
ଧ୍ୟାନ | ଧ୍ୟାନ, ଆତ୍ମାରେ ମନୋନିବେଶ | deep meditation |
ସମାଧି | ମନର ବିଲୟ, ଅସଲି ଆତ୍ମତତ୍ତ୍ୱର ସଜାଗ ଉପଲବ୍ଧି | Union with the object of meditation |
ପ୍ରଥମ ଚାରିଟି ଚରଣ - ଯଥାକ୍ରମେ ଯମ, ନିୟମ, ଆସନ, ପ୍ରାଣାୟାମ ହେଉଛି ବାହ୍ୟ ଶୁଦ୍ଧିର କ୍ରିୟା ଓ ପରବର୍ତ୍ତୀ ଚାରିଟି ଚରଣ-ପ୍ରତ୍ୟାହାର, ଧ୍ୟାନ, ଧାରଣା, ସମାଧି ହେଉଛି ଆଭ୍ୟନ୍ତରୀଣ ଶୁଦ୍ଧିର ଗହନ ଅଭ୍ୟାସ। ପ୍ରଥମ ଚାରିଟି ଚରଣ ସୁଗମ ଓ ପରବର୍ତ୍ତୀ ଚାରିଟି ଚରଣ କଷ୍ଟସାଧ୍ୟ। [୨]
ସରଳ ରାଜଯୋଗ
ସମ୍ପାଦନାସ୍ୱାମୀ ବିବେକାନନ୍ଦ ଯୋଗ ଶାସ୍ତ୍ର ଉପରେ ଦେଇଥିବା ବର୍ଣ୍ଣତା ଅନୁଯାଇ -
ପ୍ରତ୍ୟେକଟି ବ୍ୟକ୍ତିତ୍ୱକୁ ବିକଶିତ କରିବାକୁ ହେବ । ସମସ୍ତେ ପରିଶେଷରେ ଗୋଟିଏ କେନ୍ଦ୍ରରେ ମିଳିତ ହେବେ ।
“କଳ୍ପନା ହିଁ ପ୍ରେରଣାର ଉତ୍ସ ଏବଂ ଚିନ୍ତାର ଭିତ୍ତି ।”
ପ୍ରକୃତିର ବ୍ୟାଖ୍ୟା ଆମ ଭିତରେ ହିଁ ରହିଛି, ପଥର ତଳକୁ ପଡ଼ିଥାଏ - ଏହା ବାହ୍ୟ ଘଟଣା ମାତ୍ର; କିନ୍ତୁ ମାଧ୍ୟାକର୍ଷଣ ଆବିଷ୍କାର କରିବାର ଶକ୍ତି ଆମ ଭିତରେ ହିଁ ଥିଲା, ବାହାରେ ନୁହେଁ ।
ଯେଉଁ ବ୍ୟକ୍ତି ବେଶୀ ଖାଏ ବା ଯେଉଁ ବ୍ୟକ୍ତି ଅନାହାରୀ, ଯେ ବେଶୀ ଶୁଏ ବା ଯେ ଖୁବ୍ କମ୍ ଶୁଏ, ସେ କେବେ ଯୋଗୀ ହୋଇପାରିବ ନାହିଁ । (ଗୀତା ୬/୧୬)
ଅଜ୍ଞାନ, ଚଞ୍ଚଳତା, ଈର୍ଷା, ଆଳସ୍ୟ ଓ ତୀବ୍ର ଆସକ୍ତି - ଏଗୁଡ଼ିକ ଯୋଗାଭ୍ୟାସର ପରମ ଶତ୍ରୁ । ଯୋଗୀଙ୍କ ପକ୍ଷରେ ନିମ୍ନଲିଖିତ ତିନୋଟି କଥା ବିଶେଷ ପ୍ରୟୋଜନୀୟ :
ପ୍ରଥମ - ଦେହ ଓ ମନର ପବିତ୍ରତା । ସମସ୍ତ ପ୍ରକାର ମଳିନତା, ଯାହା ମନକୁ ନୀଚ୍ଚ ସ୍ତରକୁ ନେଇଯାଏ, ଯୋଗୀ ତାହା ପରିତ୍ୟାଗ କରିବେ ।
ଦ୍ୱିତୀୟ - ଧୈର୍ଯ୍ୟ । ପ୍ରଥମେ ପ୍ରଥମେ ଅନେକ ଆଶ୍ଚର୍ଯ୍ୟଜନକ ଦର୍ଶନ ଇତ୍ୟାଦି ହେବ, ତା'ପରେ ସେସବୁ ବନ୍ଦ ହୋଇଯିବ । ଏହି ସମୟଟି ସବୁଠାରୁ କଠିନ; ଖୁବ୍ ଧୈର୍ଯ୍ୟ ଦରକାର । ଧୈର୍ଯ୍ୟ ଧରି ରହିପାରିଲେ ଶେଷରେ ସତ୍ୟଲାଭ ନିଶ୍ଚୟ ହେବ ।
ତୃତୀୟ - ଅଧ୍ୟବସାୟ | ଭଲ, ମନ୍ଦ, ସୁସ୍ଥ, ଅସୁସ୍ଥ - ସକଳ ଅବସ୍ଥାରେ ଯୋଗାଭ୍ୟାସ କରିଯାଅ ଗୋଟିଏ ଦିନ ମଧ୍ୟ ଯେପରି ବ୍ୟତିକ୍ରମ ନ ହୁଏ ।
ଯୋଗସାଧନାର ସବୁଠାରୁ ପ୍ରଶସ୍ତ ସମୟ ହେଉଛି ଦିନ ଓ ରାତ୍ରିର ସନ୍ଧିକ୍ଷଣ - ସେ ସମୟରେ ଦେହ ଓ ମନ ଖୁବୁ ଶାନ୍ତ ଥାଏ, ଚଞ୍ଚଳତା ଓ ଅବସାଦ ଇତ୍ୟାଦି ସେ ସମୟରେ ନ ଥାଏ । ଯଦି ସେତେବେଳେ ଯୋଗାଭ୍ୟାସ ନ କରିପାର ତେବେ ନିଦ୍ରାଭଙ୍ଗ ପରେ ଏବଂ ଶୋଇବା ଆଗରୁ କରିବ । ବ୍ୟକ୍ତିଗତ ପରିଚ୍ଛନ୍ନତା ଖୁବ୍ ପ୍ରୟୋଜନ (ପ୍ରତିଦିନ ସ୍ନାନ କରିବା ଉଚିତ୍) ।
ସ୍ନାନ ପରେ ଦୃଢ଼଼ ଭାବରେ ଆସନରେ ଉପବିଷ୍ଟ ହେବ ଓ ମନେ କରିବ ଯେ ତୁମେ ପାହାଡ଼ ପରି ଅଟଳ, କୌଣସି ଜିନିଷ ତୁମକୁ ଟଳାଇପାରିବ ନାହିଁ । ମେରୁଦଣ୍ଡ ଉପରେ ଜୋର୍ ନ ଦେଇ ଅଣ୍ଟା, ବେକ ଓ ମୁଣ୍ଡ ସିଧା ରଖିବ । ମେରୁଦଣ୍ଡ ଭିତରେ ସମସ୍ତ ପ୍ରକାର କ୍ରିୟା ହୁଏ, ତେଣୁ ଦୁର୍ବଳ କଲେ ଚଳିବ ନାହିଁ ।
ପାଦର ଅଙ୍ଗୁଳିରୁ ଆରମ୍ଭ କରି ଧୀରେ ଧୀରେ ଶରୀରର ପ୍ରତ୍ୟେକ ଅଙ୍ଗକୁ ସ୍ଥିର କରିବ । ଏହା ମନେ ମନେ ଚିନ୍ତା କରିବ ଓ ପ୍ରୟୋଜନ ବୋଧହେଲେ ପ୍ରତି ଅଙ୍ଗକୁ ସ୍ପର୍ଶ କରିବ ।
କ୍ରମେ କ୍ରମେ ନିମ୍ନ ଭାଗରୁ ଶରୀରର ପ୍ରତି ଅଙ୍ଗ ସ୍ଥିର କରି କରି ଉପର ପର୍ଯ୍ୟନ୍ତ ଆସିବାକୁ ହେବ, ଗୋଟିଏ ହେଲେ ଅଙ୍ଗ ଯେପରି ବାଦ୍ ନ ଯାଏ । ତା'ପରେ ସମସ୍ତ ଶରୀରକୁ ସ୍ଥିର ରଖିବାକୁ ପଡ଼ିବ । ସତ୍ୟଲାଭ ନିମିତ୍ତ ଭଗବାନ ତୁମକୁ ଏହି ଦେହ ଦେଇଛନ୍ତି; ତେଣୁ ଏହି ନୌକାକୁ ଆଶ୍ରୟ କରି ସଂସାରସାଗର ଉତ୍ତୀର୍ଣ୍ଣ ହୋଇ ଚିରନ୍ତନ ସତ୍ୟର ରାଜ୍ୟକୁ ଯିବାକୁ ହେବ ।
ଏହା କରିବା ପରେ ଦୁଇ ନାସାରନ୍ଧ୍ର ଦେଇ ଗଭୀର ଶ୍ୱାସ ଗ୍ରହଣ କରିବ, ପରେ ଦୁଇ ନାସିକା ଦେଇ ନିଃଶ୍ୱାସ ତ୍ୟାଗ କରିବ । ତାପରେ ଯେତେ ସମୟ ସ୍ୱଚ୍ଛନ୍ଦ ଭାବରେ ପାରିବ, ଶ୍ୱାସ ରୁଦ୍ଧ କରି ରହିବ । ଏହିପରି ଚାରି ଥର କରିବା ପରେ ସ୍ୱାଭାବିକ ଭାବେ ନିଃଶ୍ୱାସ ପ୍ରଶ୍ୱାସ ନେବ ଏବଂ ଜ୍ଞାନାଲୋକ ନିମିତ୍ତ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବ ।
“ଯେ ଏହି ବିଶ୍ୱ ସୃଷ୍ଟି କରିଛନ୍ତି, ତାଙ୍କର ମହିମା ମୁଁ ଧ୍ୟାନ କରୁଛି, ସେ ମୋର ମନକୁ ପ୍ରବୁଦ୍ଧ କରନ୍ତୁ” - ଆସନରେ ଉପବିଷ୍ଟ ହୋଇ ଦଶ ପନ୍ଦର ମିନିଟ୍ ଏହି ମନ୍ତ୍ରଟିର ଅର୍ଥ ଚିନ୍ତା କରିବ । (ଗାୟତ୍ରୀ ମନ୍ତ୍ର)
ଯେଉଁସବୁ ଉପଲବ୍ଧି ବା ଦର୍ଶନାଦି ହେବ, ଗୁରୁ ବ୍ୟତୀତ ଅନ୍ୟ କାହାକୁ ତାହା କହିବ ନାହିଁ । ଯେତେଦୂର ସମ୍ଭବ କମ୍ କଥା କହିବ ।
ସତ୍ଚିନ୍ତା କରିବ, କାରଣ ଆମେ ଯାହା ଚିନ୍ତା କରୁ ତାହା ହୋଇଯାଉ । ସତ୍ତିନ୍ତା ମନର ସମସ୍ତ ମଳିନତା ଦଗ୍ଧ କରିବାରେ ସାହାଯ୍ୟ କରେ ।
ଯୋଗୀ ବ୍ୟତୀତ ଅନ୍ୟ ସମସ୍ତେ କ୍ରୀତଦାସ ତୁଲ୍ୟ । ମୁକ୍ତିଲାଭ ପାଇଁ ଗୋଟିଏ ପରେ ଗୋଟିଏ ବନ୍ଧନ କାଟିଦେବାକୁ ପଡ଼ିବ ।
ଅତୀନ୍ଦ୍ରିୟ ସତ୍ତାକୁ ସମସ୍ତେ ହିଁ ଜାଣିପାରନ୍ତି । ଭଗବାନ ଯଦି ସତ୍ୟ ହୁଅନ୍ତି, ତେବେ ତାଙ୍କୁ ପ୍ରତ୍ୟକ୍ଷ ଭାବରେ ଉପଲବ୍ଧି କରିବାକୁ ପଡ଼ିବ; ଆତ୍ମା ଯଦି ବାସ୍ତବ ହୁଅନ୍ତି, ତେବେ ନିଶ୍ଚୟ ଆମେ ତାଙ୍କୁ ଦର୍ଶନ ଓ ଅନୁଭବ କରିପାରିବା ।
ଆତ୍ମବସ୍ତୁ ବୋଲି କିଛି ଅଛି କି ନାହିଁ, ତାହା ବୁଝିବାର ଉପାୟ - ଆମମାନଙ୍କୁ ଏପରି କିଛି ହେବାକୁ ହେବ, ଯାହା ଦେହ ନୁହେଁ ।
ଯୋଗୀମାନେ ଆମର ଇନ୍ଦ୍ରିୟଗୁଡ଼ିକୁ ପ୍ରଧାନତଃ ଦୁଇ ଭାଗରେ ବିଭକ୍ତ କରିଛନ୍ତି - ଜ୍ଞାନେନ୍ଦ୍ରିୟ ଏବଂ କର୍ମେନ୍ଦ୍ରିୟ (ଅଥବା ଜ୍ଞାନ ଓ କର୍ମ) ।
ଅନ୍ତରେନ୍ଦ୍ରିୟ ବା ମନର ସ୍ତର ଚାରିଟା ।
ପ୍ରଥମ - ମନଃ, ମନନ ବା ଚିନ୍ତାଶକ୍ତି । ଏହାକୁ ସଂଯତ ନ କଲେ ମନର ସମସ୍ତ ଶକ୍ତି ନଷ୍ଟ ହୋଇଯିବ; କିନ୍ତୁ ସଂଯତ କରିପାରିଲେ ଏହି ମନ ହିଁ ଅଦ୍ଭୂତ ଶକ୍ତିର ଆଧାର ହୋଇଉଠିବ ।
ଦ୍ୱିତୀୟ - ବୁଦ୍ଧି ବା ଇଚ୍ଛାଶକ୍ତି (ଏହାକୁ ବୋଧଶକ୍ତି ମଧ୍ୟ କହନ୍ତି) ।
ତୃତୀୟ - ଅହଂକାର ବା 'ଅହଂବୁଦ୍ଧି' |
ଚତୁର୍ଥ - ଚିତ୍ତ : ଏହି ଉପାଦାନଦ୍ୱାରା ଆମର ସମସ୍ତ ବୃତ୍ତି କ୍ରିୟା କରୁଛି; ମନର ଭିତ୍ତିସ୍ଥଳ ସକଳ ବୃତ୍ତିର ଆଧାରସ୍ୱରୂପ । ଏହା ଯଦି ସମୁଦ୍ର ହୁଏ, ତାହାହେଲେ ବୃତ୍ତିଗୁଡ଼ିକ ତାହାର ତରଙ୍ଗ ପରି ।
ଚିତ୍ତବୃତ୍ତିନିରୋଧକୁ ଯୋଗ କହନ୍ତି । ଯୋଗ ଗୋଟିଏ ବିଜ୍ଞାନ, ଯାହାର ସାହାଯ୍ୟରେ ଆମେ ଚିତ୍ତକୁ ବିଭିନ୍ନ ବୃତ୍ତିରେ ରୂପାନ୍ତରିତ ହେବା ବନ୍ଦ କରିପାରିବା । ଚନ୍ଦ୍ରର ପ୍ରତିବିମ୍ବ ଯେପରି ସମୁଦ୍ରଢେଉ ଉପରେ ପଡ଼ି ଅସ୍ପଷ୍ଟ ହୋଇଯାଏ, ଆତ୍ମାର ପ୍ରତିବିମ୍ବ ମଧ୍ୟ ସେହିପରି ମନର ତରଙ୍ଗାଘାତରେ ଖଣ୍ଡବିଖଣ୍ଡ ହୋଇଯାଏ । ସମୁଦ୍ର ନିସ୍ତରଙ୍ଗ ହୋଇ ଯେତେବେଳେ ଦର୍ପଣ ପରି ଶାନ୍ତ ହୁଏ, ସେତେବେଳେ ଚନ୍ଦ୍ରର ପୂର୍ଣ୍ଣ ପ୍ରତିବିମ୍ବ ଆମେ ସେଥିରେ ଦେଖିପାରୁ; ଠିକ୍ ସେହିପରି ମନର ଉପାଦାନ ଚିତ୍ତ ଯେତେବେଳେ ସଂଯମଦ୍ୱାରା ଶାନ୍ତ ହୋଇଯାଏ, ସେତେବେଳେ ଆତ୍ମଦର୍ଶନ ହୁଏ ।
ମନର ଉପାଦାନ ଚିତ୍ତ, ଶରୀର ନୁହେଁ - ସୂକ୍ଷ୍ମତର ଜଡ଼ବିଶେଷ ଏବଂ ଚିରକାଳ ଦେହଦ୍ୱାରା ଆବଦ୍ଧ ହୋଇ ରହେ ନାହିଁ । ମଝିରେ ମଝିରେ ଆମର ଦେହ-ବନ୍ଧନ ଯେ ଶିଥିଳ ହୋଇଯାଏ, ତାହା ହିଁ ଏହାର ପ୍ରମାଣ । ଇନ୍ଦ୍ରିୟସମୂହକୁ ବଶୀଭୂତ କରି ଆମେ ଏହାର ଅଭ୍ୟାସ କରିପାରିବା ।
ଏହି ଅବସ୍ଥା ସଂପୂର୍ଣ୍ଣ ଆୟତ୍ତ ହେଲେ ଆମେ ସମଗ୍ର ଜଗତକୁ ନିୟନ୍ତ୍ରଣ କରିପାରିବା, କାରଣ ଇନ୍ଦ୍ରିୟଗଣ ଯେଉଁସବୁ ବିଷୟ ଆମ ନିକଟରେ ପହଞ୍ଚାଇ ଦିଅନ୍ତି, ତାହା ହିଁ ଆମର ଜଗତ । ସ୍ୱାଧୀନତା ହିଁ ଉଚ୍ଚତର ଜୀବନର ଚିହ୍ନ । ଇନ୍ଦ୍ରିୟବନ୍ଧନରୁ ନିଜକୁ ମୁକ୍ତ କରିପାରିଲେ ଆଧ୍ୟାତ୍ମିକ ଜୀବନ ଆରମ୍ଭ ହୁଏ ।
ଯେଉଁ ବ୍ୟକ୍ତି ଇନ୍ଦ୍ରିୟର ଅଧୀନ, ସେ ସଂସାରୀ, ସେ କ୍ରୀତଦାସ ତୁଲ୍ୟ | ଚିତ୍ତର ବିଭିନ୍ନ ବୃତ୍ତି ତରଙ୍ଗରୂପେ ଭାଙ୍ଗିପଡ଼ିବାକୁ ସଂପୂର୍ଣ୍ଣ ନିରୋଧ କରିପାରିଲେ ଆମର ଦେହବୋଧ ଚାଲିଯାଏ । ଏହି ଦେହଗୁଡ଼ିକୁ ତିଆରି କରିବା ପାଇଁ ଆମକୁ କୋଟି କୋଟି ବର୍ଷ ଧରି କଠୋର ପରିଶ୍ରମ କରିବାକୁ ପଡ଼ିଛି ଏବଂ ସେହି ପ୍ରଚେଷ୍ଟା ମଧ୍ୟରେ ଏହି ଦେହପ୍ରାପ୍ତିର ଶ୍ରେଷ୍ଠ ଉଦ୍ଦେଶ୍ୟ ଯେ ପୂର୍ଣ୍ଣତା ଲାଭକରିବା, ତାହା ଆମେ ଭୁଲିଯାଇଛୁ । ଆମେ ଭାବୁ, ଏହି ଦେହଟାକୁ ତିଆରି କରିବା ହେଉଛି ଆମର ସକଳ ଚେଷ୍ଟାର ମୂଳ ଉଦ୍ଦେଶ୍ୟ ଏବଂ ଏହା ହିଁ ମାୟା । ଏହି ମାୟାପାଶକୁ ଛିନ୍ନ କରିବାକୁ ହେବ, ମୂଳ ଲକ୍ଷ୍ୟ ଆଡ଼କୁ ଆମକୁ ଫେରିଯିବାକୁ ପଡ଼ିବ; ଆଉ ଉପଲବ୍ଧି କରିବାକୁ ପଡ଼ିବ ଯେ ଆମେ ଏହି ଦେହ ନୋହୁଁ । ଦେହ ଆମର ଭୃତ୍ୟ ।
ମନକୁ ଦେହରୁ ଅଲଗା କରି ଦେଖିବାକୁ ଶିକ୍ଷା କର, ଚିନ୍ତା କର ଯେ ମନ ଦେହଠାରୁ ପୃଥକ୍ । ଏହି ଜଡ଼ ଦେହକୁ ଆମେ ଚେତନା ଓ ଜୀବନ ଦାନ କରୁ ଓ ଭାବୁ ଯେ ଏହି ଦେହଟା ହିଁ ଯେପରି ଚେତନା ବା ବାସ୍ତବ । ଆମେ ଦୀର୍ଘ କାଳ ଧରି ଏହି ପୋଷାକଟା ପିନ୍ଧି ଆସୁଥିବାରୁ ବର୍ତ୍ତମାନ ଭୁଲବଶତଃ ଭାବୁଛୁ ଯେ ଆମେ ଏହି ପୋଷାକଠାରୁ ଅଭିନ୍ନ, କିନ୍ତୁ ଇଚ୍ଛାନୁସାରେ ଏହି ପୋଷାକକୁ ଛିଣ୍ଡାଇ ଦିଆଯାଇପାରେ । ଯୋଗ ଏହି ବିଷୟରେ ଆମକୁ ସାହାଯ୍ୟ କରିପାରେ । ଦେହ ଗୋଟିଏ ଯନ୍ତ୍ରମାତ୍ର, ଆମର ଦାସ - ପ୍ରଭୁ ନୁହେଁ; ମନଃଶକ୍ତିସମୂହକୁ ଆୟତ୍ତ କରିବା ହିଁ ଯୋଗାଭ୍ୟାସର ମୂଖ୍ୟ ଓ ମହାନ୍ ଉଦ୍ଦେଶ୍ୟ ।
ଦ୍ୱିତୀୟ ଉଦ୍ଦେଶ୍ୟ - ଯେ କୌଣସି ବିଷୟରେ ସମଗ୍ର ମନଃଶକ୍ତି ନିୟୋଗ କରିବା ।
ଯଦି ବେଶୀ କଥା କହ ତେବେ ଯୋଗୀ ହୋଇପାରିବ ନାହିଁ ।
ଏହି ଯୋଗର ନାମ ଅଷ୍ଟାଙ୍ଗ ଯୋଗ, କାରଣ ଏହାର ଆଠୋଟି ପ୍ରଧାନ ଅଙ୍ଗ; ଯଥା –
ପ୍ରଥମ - ଯମ । ଯୋଗର ଏହି ଅଙ୍ଗ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ; ଏହା ସାରା ଜୀବନକୁ ନିୟନ୍ତ୍ରିତ କରେ । ଏହା ପୁଣି ପାଞ୍ଚ ଭାଗରେ ବିଭକ୍ତ -
(୧) କାୟମନୋବାକ୍ୟରେ କାହାପ୍ରତି ହିଂସା ନ କରିବା ।
(୨) କାୟମନୋବାକ୍ୟରେ କୌଣସି ଦ୍ରବ୍ୟପ୍ରତି ଲୋଭ ନ କରିବା ।
(୩) କାୟମନୋବାକ୍ୟରେ ପବିତ୍ରତା ରକ୍ଷା କରିବା ।
(୪) କାୟମନୋବାକ୍ୟରେ ସତ୍ୟନିଷ୍ଠ ହେବା ।
(୫) କାୟମନୋବାକ୍ୟରେ ବୃଥା ଦାନ ଗ୍ରହଣ ନ କରିବା (ଅପରିଗ୍ରହ) ।
ଦ୍ୱିତୀୟ - ନିୟମ । ଶରୀରର ଯନ୍ନ, ସ୍ନାନ ଏବଂ ପରିମିତ ଆହାର ଇତ୍ୟାଦି ।
ତୃତୀୟ - ଆସନ । ମେରୁଦଣ୍ଡ ଉପରେ ବିଶେଷ ଜୋର୍ ନ ଦେଇ ଅଣ୍ଟା, କାନ୍ଧ ଓ ମୁଣ୍ଡ ସଳଖ ରଖିବା ।
ଚତୁର୍ଥ - ପ୍ରାଣାୟାମ । ପ୍ରାଣବାୟକୁ ଆୟତ୍ତ କରିବା ନିମିତ୍ତ ଶ୍ୱାସପ୍ରଶ୍ୱାସରେ ସଂଯମ ।
ପଞ୍ଚମ - ପ୍ରତ୍ୟାହାର । ମନକୁ ବହିର୍ମୂଖ ନ କରି ଅନ୍ତର୍ମୂଖ କରି କୌଣସି ବିଷୟ ବୁଝିବା ପାଇଁ ବାରମ୍ବାର ଆଲୋଚନା କରିବା ।
ଷଷ୍ଠ - ଧାରଣା । କୌଣସି ଗୋଟିଏ ବିଷୟରେ ମନକୁ ଏକାଗ୍ର କରିବା ।
ସପ୍ତମ - ଧ୍ୟାନ । କୌଣସି ଗୋଟିଏ ବିଷୟ ଉପରେ ମନର ଅବିଚ୍ଛିନ୍ନ ଚିନ୍ତା ।
ଅଷ୍ଟମ - ସମାଧି । ଜ୍ଞାନର ଆଲୋକ ଲାଭ କରିବା ଆମର ସମସ୍ତ ସାଧନାର ଲକ୍ଷ୍ୟ ।
ଯମ ଓ ନିୟମ ସାରା ଜୀବନ ଆମକୁ ଅଭ୍ୟାସ କରିବାକୁ ପଡ଼ିବ । ଜୋକ ଯେପରି ଗୋଟିଏ ଘାସକୁ ଦୃଢ଼଼ଭାବେ ନ ଧରି ଅନ୍ୟଟିକୁ ଛାଡ଼େ ନାହିଁ, ସେହିପରି ଗୋଟିଏ ସାଧନା ଛାଡ଼ିବା ପୂର୍ବରୂ ଅନ୍ୟଟିକୁ ଠିକ୍ ଭାବେ ବୁଝି ଅଭ୍ୟାସ କରିବା ଦରକାର ।
ଆଜିର ଆଲୋଚ୍ୟ ବିଷୟ ପ୍ରାଣାୟାମ ଅର୍ଥାତ୍ ପ୍ରାଣର ନିୟନ୍ତ୍ରଣ । ରାଜଯୋଗ ସାଧନାରେ ପ୍ରାଣବାୟୁ ଚିତ୍ତଭୂମିର ମାଧ୍ୟମରେ ଆମକୁ ଆଧ୍ୟାତ୍ମିକ-ରାଜ୍ୟକୁ ନେଇଯାଏ । ପ୍ରାଣବାୟୁ ବା ଶ୍ୱାସପ୍ରଶ୍ୱାସ ସମଗ୍ର ଦେହ-ଯନ୍ତ୍ରର ନିୟାମକ ମୂଳଚକ୍ର (Fly-wheel) । ପ୍ରାଣ ପ୍ରଥମେ ଫୁସ୍ଫୁସ୍କୁ, ଫୁସ୍ଫୁସ୍ରୁ ହୃଦ୍ଯନ୍ତ୍ରକୁ, ହୃଦ୍ଯନ୍ତ୍ରରୁ ରକ୍ତପ୍ରବାହକୁ, ସେଠାରୁ ମସ୍ତିଷ୍କକୁ ଯାଏ, ସର୍ବଶେଷରେ ମସ୍ତିଷ୍କରୁ ମନ ଉପରେ କାର୍ଯ୍ୟ କରେ ।
ଇଚ୍ଛାଶକ୍ତି ବାହ୍ୟ ସଂବେଦନ ଉତ୍ପନ୍ନ କରିପାରେ, ବାହ୍ୟ ସଂବେଦନ ମଧ୍ୟ ଇଚ୍ଛାଶକ୍ତି ଜାଗ୍ରତ କରିପାରେ । ଆମର ଇଚ୍ଛା ଦୁର୍ବଳ; ଆମେ ଏତେ ବଦ୍ଧ ଯେ ଇଚ୍ଛାଶକ୍ତିକୁ ଉପଲବ୍ଧି କରିପାରୁନାହିଁ । ଆମର ଅଧିକାଂଶ କାର୍ଯ୍ୟର ପ୍ରେରଣା ଆସେ ବାହାରୁ; ବହିଃ ପ୍ରକୃତି ଆମର ଅନ୍ତରର ସାମ୍ୟଭାବ ନଷ୍ଟ କରେ; କିନ୍ତୁ ଆମେ ତା'ର ସାମ୍ୟଭାବ ନଷ୍ଟ କରିପାରୁନାହିଁ (ଯାହା ଆମର କରିବା ଉଚିତ୍) । କିନ୍ତୁ ଏହା ଭୁଲ, କାରଣ ଆମ ଭିତରେ ଅଧିକତର ଶକ୍ତି ରହିଛି ।
ଯେଉଁମାନେ ଅନ୍ତରର ଚିନ୍ତା-ରାଜ୍ୟ ଜୟ କରିଛନ୍ତି, ସେହିମାନେ ହିଁ ସାଧୁ ଓ ଆଚାର୍ଯ୍ୟ; ତେଣୁ ସେମାନଙ୍କ କଥାର ଶକ୍ତି ମଧ୍ୟ ଏତେ ବେଶୀ । ଉଚ୍ଚ ଦୁର୍ଗରେ ଆବଦ୍ଧ ଜଣେ ମନ୍ତ୍ରୀଙ୍କୁ ତାଙ୍କର ସ୍ତ୍ରୀ ଗୋବରପୋକ, ମଧୁ, ରେଶମ ସୂତା, ସରୁ ଦଉଡ଼ି, ମୋଟା ଦଉଡ଼ି ଦେଇ ଉଦ୍ଧାର କରିଥିଲେ । ଏହି ରୂପକ ସାହାଯ୍ୟରେ ସୁନ୍ଦର ଭାବରେ ଦେଖାଇ ଦିଆଯାଇଛି ଯେ ପ୍ରାଣର ନିୟନ୍ତ୍ରଣଦ୍ୱାରା କେଉଁ ଭାବରେ କ୍ରମେ ମନୋରାଜ୍ୟ ଜୟ କରାଯାଇପାରେ । ପ୍ରାଣାୟାମରୂପକ ରେଶମସୂତାର ସାହାଯ୍ୟରେ ଗୋଟିଏ ପରେ ଗୋଟିଏ ଶକ୍ତି ଆୟତ୍ତ କରି ଆମେ ଏକାଗ୍ରତାରୂପକ ରଜ୍ଜୁ ଧରି ସେହି ରଜ୍ଜୁ ସାହାଯ୍ୟରେ ଦେହ-କାରାଗାରରୁ ନିବୃତ୍ତି ପାଇବୁ - ପ୍ରକୃତ ମୁକ୍ତି ଲାଭ କରିବୁ । ମୁକ୍ତି ଲାଭ କରିବା ପରେ ଏହି ସାଧନଗୁଡ଼ିକୁ ଆମେ ଛାଡ଼ି ଦେଇପାରୁ ।
ପ୍ରାଣାୟାମର ଅଙ୍ଗ ତିନୋଟି - ୧ମ ପୂରକ - ଶ୍ୱାସଗ୍ରହଣ । ୨ୟ କୁମ୍ଭକ - ଶ୍ୱାସରୋଧ | ୩ୟ ରେଚକ - ଶ୍ୱାସତ୍ୟାଗ ।
ଦୁଇଟି ଶକ୍ତିପ୍ରବାହ ମସ୍ତିଷ୍କରୁ ବାହାରି ମେରୁଦଣ୍ଡ ଧରି ପ୍ରବାହିତ ହୋଇ ତା'ର ଶେଷ ଭାଗରେ ପରସ୍ପରକୁ ଅତିକ୍ରମ କରି ପୁଣି ମସ୍ତିଷ୍କକୁ ଫେରିଯାଏ । ପ୍ରବାହ ଦୁଇଟିର ମଧ୍ୟରୁ ଗୋଟିକର ନାମ ସୂର୍ଯ୍ୟ (ପିଙ୍ଗଳା) । ଏହା ମସ୍ତିଷ୍କର ଦକ୍ଷିଣାର୍ଦ୍ଧରୁ ବାହାରି ମେରୁଦଣ୍ଡର ବାମ ଦିଗରେ ମସ୍ତିଷ୍କର ଠିକ୍ ନିମ୍ନ ଭାଗରେ ଥରେ ପରସ୍ପରକୁ ଅତିକ୍ରମ କରି, ପୁଣି ମେରୁଦଣ୍ଡ ତଳେ ଇଂରାଜୀ ଆଠର (8) ଅଧେ ପରି ଆକାର ଧାରଣ କରି, ପୁଣି ଆଉଥରେ ପରସ୍ପରକୁ ଅତିକ୍ରମ କରେ ।
ଅନ୍ୟ ପ୍ରବାହଟିର ନାମ ଚନ୍ଦ୍ର (ଇଡ଼ା), ଏହାର ଗତି ପିଙ୍ଗଳାର ଠିକ୍ ବିପରୀତ ଏବଂ (8)ର ଆକାର ସମ୍ପୂର୍ଣ୍ଣ କରେ । ଦେଖିବାକୁ (8) ପରି ହେଲେ ମଧ୍ୟ ଏହାର ନିମ୍ନ ଭାଗ ଉପର ଭାଗ ଅପେକ୍ଷା ବେଶୀ ଲମ୍ବା । ଏହି ଦୁଇଟି ପ୍ରବାହ ଦିନରାତି ଚାଲିଛି - ବିଭିନ୍ନ କେନ୍ଦ୍ରକୁ, ଯାହାକୁ ଆମେ ‘ଚକ୍ର’ (Plexuses) ବୋଲି କହୁ; ଏହା ପ୍ରାଣଶକ୍ତି ସଞ୍ଚୟ କରେ, କିନ୍ତୁ ଏହା ଆମେ ପ୍ରାୟ ଜାଣିପାରୁ ନାହିଁ । ଏକାଗ୍ରତାଦ୍ୱାରା ଏହି ଶକ୍ତିସମୂହ ଏବଂ ସମଗ୍ର ଶରୀରରେ ସେମାନଙ୍କର କ୍ରିୟା ଆମେ ଅନୁଭବ କରିପାରୁ । ଏହି ‘ସୂର୍ଯ୍ୟ ଓ ଚନ୍ଦ୍ର’ର ପ୍ରବାହ ଶ୍ୱାସପ୍ରଶ୍ୱାସ ସହିତ ଘନିଷ୍ଠ ଭାବେ ଜଡ଼ିତ । ତେଣୁ ଶ୍ୱାସପ୍ରଶ୍ୱାସ ନିୟନ୍ତ୍ରିତ କରି ଆମେ ସମଗ୍ର ଦେହକୁ ନିୟନ୍ତ୍ରିତ କରିପାରୁ ।
କଠ ଉପନିଷଦ୍ରେ ଦେହକୁ ରଥ, ମନକୁ ଲଗାମ୍, ବୁଦ୍ଧିକୁ ସାରଥି, ଇନ୍ଦିୟଗୁଡ଼ିକୁ ଘୋଡ଼ା ଏବଂ ଇନ୍ଦ୍ରିୟଭୋଗ୍ୟ ବସ୍ତୁଗୁଡ଼ିକୁ ରାସ୍ତା ସଙ୍ଗେ ତୁଳନା କରାଯାଇଛି । ରଥୀ ଆତ୍ମା ଏବଂ ସାରଥି ବୁଦ୍ଧି ସେହି ରଥରେ ବସିଛନ୍ତି । ସାରଥି ବୁଦ୍ଧି ଯଦି ଇନ୍ଦ୍ରିୟ ରୂପ ଘୋଡ଼ାକୁ ସଂଯତ କରି ନ ପାରେ ତେବେ କେତେବେଳେ ହେଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ ନାହିଁ । ଦୁଷ୍ଟ ଘୋଡ଼ା ପରି ଇନ୍ଦ୍ରିୟଗୁଡ଼ିକ ରଥଟିକୁ ଯେଉଁଆଡ଼େ ଇଚ୍ଛା ଟାଣିନେଇ ରଥୀର ବିନାଶ କରିଦେଇପାରନ୍ତି । କିନ୍ତୁ ଏହି ଦୁଇଟି ଶକ୍ତିପ୍ରବାହ (ଇଡ଼ା ଓ ପିଙ୍ଗଳା) ଦୁଷ୍ଟ ଘୋଡ଼ାକୁ ଦମନ କରିବା ପାଇଁ ସାରଥି ହାତରେ ଲଗାମ୍ ସଦୃଶ; ଏହି ଦୁଇଟି (ଲଗାମ୍) ହାତରେ ରଖି ସାରଥି ଅଶ୍ୱ-ନିୟନ୍ତ୍ରଣ କରିବେ । ନୀତିପରାୟଣ ହେବାର ଶକ୍ତି ଆମକୁ ଲାଭ କରିବାକୁ ହେବ । ନଚେତ୍ ଆମେ କର୍ମଗୁଡ଼ିକୁ କେବେହେଲେ ନିୟନ୍ତ୍ରଣ କରିପାରିବା ନାହିଁ । ନୀତିଶିକ୍ଷାକୁ କିପରି କର୍ମରେ ପରିଣତ କରାଯାଇପାରେ, ଯୋଗ ତାହା ଶିକ୍ଷା ଦିଏ । ନୀତିପରାୟଣ ହେବା ହିଁ ଯୋଗର ଉଦ୍ଦେଶ୍ୟ । ଜଗତର ଆଚାର୍ଯ୍ୟମାନେ ଯୋଗୀ ଥିଲେ ଏବଂ ପ୍ରତ୍ୟେକ ଶକ୍ତିପ୍ରବାହକୁ ସେମାନେ ସଂପୂର୍ଣ୍ଣରୂପେ ବଶ କରିପାରିଥିଲେ । ଏହି ପ୍ରବାହ ଦୁଇଟିକୁ ଯୋଗୀଗଣ ମେରୁଦଣ୍ଡର ନିମ୍ନଭାଗରେ ମୂଳାଧାରରେ ସଂଯତ କରି ମେରୁଦଣ୍ଡ ଭିତର ଦେଇ ତାହା ପରିଚାଳିତ କରନ୍ତି, ଯାହାକି ଜ୍ଞାନ- ପ୍ରବାହ ନାମରେ ଅଭିହିତ । ଏହା କେବଳ ଯୋଗୀମାନଙ୍କ ମଧ୍ୟରେ ବର୍ତ୍ତମାନ ।
ପ୍ରାଣାୟାମ ସମ୍ବନ୍ଧରେ ଦ୍ୱିତୀୟ ସାଧନ-ପ୍ରଣାଳୀ ସମସ୍ତଙ୍କ ପାଇଁ ଏକ ପ୍ରକାର ନୁହେଁ । ପ୍ରାଣାୟାମ ଗୋଟିଏ ଛନ୍ଦର ତାଳ ସହିତ ନିୟମିତ ଭାବେ କରିବାକୁ ହେବ ଏବଂ ତାହା କରିବାର ସହଜ ଉପାୟ ହେଉଛି ଗଣନାଦ୍ୱାରା; ତେବେ ତାହା ଯେପରି ଯନ୍ତ୍ର ପରି ହୋଇ ନ ଯାଏ; ଗଣନା ସଙ୍ଗେ ସଙ୍ଗେ ଆମେ ଯେପରି ପବିତ୍ର ଓଁକାର ମନ୍ତ୍ର ଜପକରୁ ।
ଏହି ପ୍ରାଣାୟାମରେ ଅଙ୍ଗୁଷ୍ଠଦ୍ୱାରା ଦକ୍ଷିଣ ନାସିକା ବନ୍ଦ କରି ଚାରି ଥର ‘ଓଁ’ ଜପ କରୁ କରୁ ବାମ ନାସିକାଦ୍ୱାରା ଧୀରେ ଧୀରେ ଶ୍ୱାସ ଗ୍ରହଣ କରିବାକୁ ହୁଏ । ତା’ପରେ ବାମ ନାସିକାରେ ତର୍ଜନୀ ରଖି ଦୁଇଟିଯାକ ନାସିକା ବନ୍ଦ ରଖ, ମୁଣ୍ଡକୁ ଛାତି ଉପରେ ଅବନମିତ ରଖି ମନେ ମନେ ଆଠଥର ‘ଓଁ’ ଜପ କରୁ କରୁ ଶ୍ୱାସରୋଧ କର |
ତା'ପରେ ମୁଣ୍ଡ ସିଧା ରଖି ଦକ୍ଷିଣ ନାସିକାରୁ ଅଙ୍ଗୁଷ୍ଠ କାଢ଼ିନେଇ ମନେ ମନେ ଚାରି ଥର ଓଁ ଜପ କରିବା ଅବସ୍ଥାରେ ଧୀରେ ଧୀରେ ନିଃଶ୍ୱାସ ଛାଡ଼ ।
ଯେତେବେଳେ ନିଃଶ୍ୱାସ ଛାଡ଼ିବା ଶେଷ ହୋଇଯାଏ, ସେତେବେଳେ ଫୁସ୍ଫୁସ୍ରୁ ସମସ୍ତ ବାୟୁ ବାହାର କରିଦେବା ପାଇଁ ତଳ ପେଟ ସଙ୍କୁଚିତ କରିବ । ତା'ପରେ ବାମ ନାସିକା ବନ୍ଦ କରି ଚାରି ଥର ‘ଓଁ’ ଜପ କରୁ କରୁ ଦକ୍ଷିଣ ନାସିକା ଦେଇ ଧୀରେ ଧୀରେ ଶ୍ୱାସଗ୍ରହଣ କରିବାକୁ ହୁଏ ।
ତା'ପରେ ଅଙ୍ଗୁଷ୍ଠଦ୍ୱାରା ଦକ୍ଷିଣ ନାସିକା ବନ୍ଦ କରି ମୁଣ୍ଡ ନୁଆଁଇ ଶ୍ୱାସ ରୁଦ୍ଧ କରି ଆଠ ଥର ଓଁ ଜପ କରିବାକୁ ହୁଏ । ପୁଣି ମୁଣ୍ଡ ସିଧା ରଖି ବାମ ନାସିକା ଦେଇ ଚାରି ଥର ‘ଓଁ’ ଜପ କରୁ କରୁ ନିଃଶ୍ୱାସ ତ୍ୟାଗ କରିବାକୁ ହୁଏ । ପୂର୍ବ ପରି ଏବେ ମଧ୍ୟ ତଳ ପେଟ ସଙ୍କୁଚିତ କରିବା ଉଚିତ୍ ।
ଏହିପରି ଦୁଇ ଥର କରିବ । ଅର୍ଥାତ୍ ଦକ୍ଷିଣ ନାସିକାଦ୍ୱାରା ଦୁଇ ଥର ଓ ବାମ ନାସିକାଦ୍ୱାରା ଦୁଇ ଥର - ମୋଟରେ ଚାରି ଥର ପ୍ରାଣାୟାମ କରିବ । ବସିବା ପୂର୍ବରୁ ପ୍ରାର୍ଥନା କରିବା ଉଚିତ୍ ।
ଏକ ସପ୍ତାହ ଧରି ଏହିପରି ଅଭ୍ୟାସ କରିବା ପ୍ରୟୋଜନ । ତା'ପରେ ଧୀରେ ଧୀରେ ପ୍ରାଣାୟାମର ସଂଖ୍ୟା ବଢ଼ାଇଦିଅ; ସଙ୍ଗେ ସଙ୍ଗେ ଜପ ସଂଖ୍ୟା (ଶ୍ୱାସଗ୍ରହଣ, ଶ୍ୱାସରୋଧ ଓ ଶ୍ୱାସତ୍ୟାଗ) ସେହି ଅନୁପାତରେ ବଢ଼ାଇବାକୁ ହେବ । ଅର୍ଥାତ୍ ଯଦି ଛ'ଥର ପ୍ରାଣାୟାମ କର, ତା'ହେଲେ ଶ୍ୱାସଗ୍ରହଣ ସମୟରେ ଛ'ଥର, ଶ୍ୱାସ ଛାଡ଼ିବା ସମୟରେ ଛ'ଥର ଏବଂ କୁମ୍ଭକ ସମୟରେ ବାର ଥର ‘ଓଁ’ ଜପ କରିବାକୁ ପଡ଼ିବ । ଏହି ପ୍ରାଣାୟମ ଅଭ୍ୟାସଦ୍ୱାରା ଆମେ ଅଧିକତର ପବିତ୍ର, ନିର୍ମଳ ଓ ଆଧ୍ୟାତ୍ମିକଭାବରେ ପୂର୍ଣ୍ଣ ହୋଇଯିବା । କୁପଥରେ ପରିଚାଳିତ ହୁଅ ନାହିଁ; କୌଣସି ଶକ୍ତି (ସିଦ୍ଧି) ଚାହଁ ନାହିଁ । ପ୍ରେମ ହିଁ ଏକମାତ୍ର ଶକ୍ତି, ଯାହା କି ଚିରକାଳ ରହେ ଏବଂ ଉତ୍ତରୋତ୍ତର ବୃଦ୍ଧି ପାଏ । ଯେଉଁମାନେ ରାଜଯୋଗ ଅଭ୍ୟାସଦ୍ୱାରା ମୋକ୍ଷ ଚାହାଁନ୍ତି, ସେମାନଙ୍କୁ ମାନସିକ, ଶାରୀରିକ, ନୈତିକ ଏବଂ ଆଧ୍ୟାତ୍ମିକ ଶକ୍ତି ଲାଭ କରିବାକୁ ହେବ । ପ୍ରତ୍ୟେକ ପଦକ୍ଷେପ ଆଲୋକିତ ପଥରେ କରିବ ।
ଲକ୍ଷେ ଲୋକଙ୍କ ମଧ୍ୟରେ କେବଳ ଜଣେ କହିପାରେ, ‘ଏହି ସଂସାର ଅତିକ୍ରମ କରି, ମୁଁ ଭଗବାନଙ୍କ ସାନିଧ୍ୟ ଲାଭ କରିବି’ । ସତ୍ୟର ସମ୍ମୁଖୀନ ହୋଇ ପାରନ୍ତି, ଏପରି ବ୍ୟକ୍ତି ଅତି ଅଳ୍ପ । ସତ୍ୟଲାଭ ନିମିତ୍ତ ମୃତ୍ୟୁକୁ ମଧ୍ୟ ବରଣ କରିବା ପାଇଁ ଆମେ ପ୍ରସ୍ତୁତ ରହିବା ।
କୁଣ୍ଡଳିନୀ । ଆତ୍ମାକୁ ଜଡ଼ ବୋଲି ଜାଣିଲେ ଚଳିବ ନାହିଁ, ତା’ର ଯଥାର୍ଥ ସ୍ୱରୂପ ଜାଣିବାକୁ ପଡ଼ିବ । ଆମେମାନେ ଆତ୍ମାକୁ ଦେହ ବୋଲି ଜାଣୁ, କିନ୍ତୁ ଏହାକୁ ଇନ୍ଦ୍ରିୟ ଓ ଚିନ୍ତାରୁ ପୃଥକ୍ କରିବାକୁ ହେବ, ତେବେ ଯାଇ ଆମେ ଉପଲବ୍ଧି କରିବା ଯେ ଆମେ ଅମୃତସ୍ୱରୂପ । କୌଣସି ପରିବର୍ତ୍ତନ ହେଉଛି କାର୍ଯ୍ୟ ଏବଂ କାରଣର ଦ୍ୱୈତ ଭାବ ଏବଂ ଯାହା କିଛି ପରିବର୍ତ୍ତନଶୀଳ ତାହା ନଶ୍ୱର । ସୁତରାଂ ଦେହ ବା ମନ ଅବିନାଶୀ ହୋଇପାରେ ନାହିଁ, କାରଣ ତାହା ସର୍ବଦା ପରିବର୍ତ୍ତନଶୀଳ । ଯାହା ଅପରିବର୍ତ୍ତନୀୟ ତାହା ହିଁ ଏକମାତ୍ର ଅବିନାଶୀ: କାରଣ ଏପରି କିଛି ନାହିଁ ଯାହା କି ତା' ଉପରେ କ୍ରିୟା କରିପାରିବ ।
ଆମେମାନେ ସତ୍ୟସ୍ୱରୂପ ହୋଇପାରୁନାହିଁ, କାରଣ ଚିରକାଳ ଆମେ ସେହି ସତ୍ୟସ୍ୱରୂପ ହିଁ ଅଛୁ, କିନ୍ତୁ ଯେଉଁ ଅଜ୍ଞାନର ଅବଗୁଣ୍ଠନ ସତ୍ୟକୁ ଆମ ନିକଟରୁ ଲୁଚାଇ ରଖିଛି, ତାହାକୁ ଘୁଞ୍ଚାଇ ଦେବାକୁ ହେବ । ଦେହ ହେଉଛି ଚିନ୍ତାର ବାହ୍ୟ ରୂପ । ସୂର୍ଯ୍ୟ (ପିଙ୍ଗଳା) ଓ ଚନ୍ଦ୍ରର (ଇଡ଼ା) ଗତି ଦେହର ସର୍ବାଙ୍ଗରେ ଶକ୍ତି ସଞ୍ଚାର କରୁଛି । ଅବଶିଷ୍ଟ ଶକ୍ତି ମେରୁଦଣ୍ଡ (ସୁଷୁମ୍ନା) ଅନ୍ତର୍ଗତ ବିଭିନ୍ନ ଚକ୍ରରେ, ଅର୍ଥାତ୍ ସାଧାରଣ ଭାଷାରେ ସ୍ନାୟୁକେନ୍ଦ୍ରଗୁଡ଼ିକରେ ସଞ୍ଚିତ ରହେ । ଏହି ଗତି ମୃତ ଦେହରେ ନ ଥାଏ, କେବଳ ସୁସ୍ଥସବଳ ଶରୀରରେ ହିଁ ଥାଏ ।
ଯୋଗୀ ଯେ କେବଳ ଏଗୁଡ଼ିକ ଅନୁଭବ କରନ୍ତି ତା ନୁହେଁ, ବରଂ ସେ ଏଗୁଡ଼ିକୁ ମଧ୍ୟ ଦେଖି ପାରନ୍ତି । ସେ ଏଗୁଡ଼ିକୁ ପ୍ରାଣବନ୍ତ ଓ ଜ୍ୟୋତିର୍ମୟ ଦେଖନ୍ତି । ଚକ୍ରଗୁଡ଼ିକୁ ମଧ୍ୟ ଠିକ୍ ସେହିପରି ଦେଖନ୍ତି ।
କାର୍ଯ୍ୟ ସାଧାରଣତଃ ଚେତନ ଏବଂ ଅଚେତନ - ଏହି ଦୁଇ ପ୍ରକାର | ଯୋଗୀମାନଙ୍କର ଆଉ ଏକ ପ୍ରକାର କର୍ମ ଅଛି, ଯାହା ଅତିଚେତନ; ଏହା ହେଉଛି ସମଗ୍ର ଜଗତର ସକଳ ଆଧ୍ୟାତ୍ମିକ ଜ୍ଞାନର ମୂଳ ଉତ୍ସ । ସହଜାତ ଜ୍ଞାନର କ୍ରମବିକାଶ ହିଁ ଆମକୁ ପୂର୍ଣ୍ଣତ୍ତ୍ୱ ଦିଗରେ ଆଗେଇନିଏ । ଅତିଚେତନ ଅବସ୍ଥାରେ ଆମର ସକଳ ଅନୁଭୁତି ନିର୍ଭୁଲ ହୁଏ, କିନ୍ତୁ ସହଜାତ ଜ୍ଞାନ ପୂର୍ଣ୍ଣ ହେଲେ ସୁଦ୍ଧା କେବଳ ମାତ୍ର ଯାନ୍ତ୍ରିକ । କାରଣ ଏଥିରେ କୌଣସି ସଜ୍ଞାନ କ୍ରିୟା ରହେ ନାହିଁ । ଏହାକୁ ପ୍ରେରଣା କହନ୍ତି । ଯୋଗୀଗଣ କହନ୍ତି, ଏହି ଶକ୍ତି ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଅଛି ଏବଂ କାଳକ୍ରମେ ସମସ୍ତେ ଏହି ଶକ୍ତିର ଅଧିକାରୀ ହୋଇପାରିବେ ।
ଚନ୍ଦ୍ର ଓ ସୂର୍ଯ୍ୟର (ଇଡ଼ା ଓ ପିଙ୍ଗଳାର) ଗତିକୁ ଗୋଟିଏ ନୂତନ ଦିଗରେ ଚାଳିତ କରିବାକୁ ହେବ, ଅର୍ଥାତ୍ ମେରୁଦଣ୍ଡ ଭିତରେ ଏଥିପାଇଁ ଗୋଟିଏ ନୂତନ ପଥ କରିବାକୁ ହେବ । ଯେତେବେଳେ ‘ସୁଷୁମ୍ନା’ ଭିତର ଦେଇ ତାହାର ଗତି ସହସ୍ରାରରେ ପହଞ୍ଚିବ, ସେତେବେଳେ ଆମର ଦେହଜ୍ଞାନ ସଂପୂର୍ଣ୍ଣ ଭାବେ ଚାଲିଯିବ ।
ମେରୁଦଣ୍ଡର ନିମ୍ନଭାଗରେ ଯେଉଁ ‘ମୂଳାଧାର’ ଚକ୍ର ଅଛି, ତାହା ଖୁବୁ ଗୁରୁତ୍ୱପୂର୍ଣ୍ଣ । ଏହି ସ୍ଥାନଟି ହେଉଛି ପ୍ରଜନନ ଶକ୍ତିର ଆଧାର । ଗୋଟିଏ ତ୍ରିକୋଣ ମଣ୍ଡଳରେ ଗୋଟିଏ ଛୋଟ ସାପ କୁଣ୍ଡଳାକାର ହୋଇରହିଛି - ଯୋଗୀଗଣ ଏହି ପ୍ରତୀକଦ୍ୱାରା ଏହାକୁ ପ୍ରକାଶ କରିଛନ୍ତି । ଏହି ନିଦ୍ରିତ ସର୍ପଟି କୁଣ୍ଡଳିନୀ, ଏହାକୁ ଜାଗ୍ରତ କରିବା ହିଁ ରାଜଯୋଗର ଏକମାତ୍ର ଲକ୍ଷ୍ୟ ।
ପାଶବିକ କାର୍ଯ୍ୟଦ୍ୱାରା ଯେଉଁ ଯୌନଶକ୍ତି ଉତ୍ଥିତ ହୁଏ, ତାହାକୁ ଉର୍ଦ୍ଧ୍ୱ ଦିଗରେ ମାନବଶରୀରର ମହାବିଦ୍ୟୁଦାଧାର ମସ୍ତିଷ୍କକୁ ପ୍ରେରଣ କରିପାରିଲେ ସେଠାରେ ତାହା ସଞ୍ଚିତ ହୋଇ ‘ଓଜଃ’ ବା ଆଧ୍ୟାତ୍ମିକ ଶକ୍ତିରେ ପରିଣତ ହୁଏ । ସମସ୍ତ ସତ୍ଚିନ୍ତା, ସମସ୍ତ ପ୍ରାର୍ଥନା ଏହି ପଶୁଶକ୍ତିର କିଛି ଅଂଶ ଓଜଃ-ଶକ୍ତିରେ ପରିଣତ କରି ଆମର ଆଧ୍ୟାତ୍ମିକ ଶକ୍ତିଲାଭରେ ସାହାଯ୍ୟ କରେ । ଏହି ‘ଓଜସ୍’ ହେଉଛି ମନୁଷ୍ୟର ମନୁଷ୍ୟତ୍ୱ । ଏକମାତ୍ର ମନୁଷ୍ୟ ଶରୀରରେ ଏହି ଶକ୍ତି ସଞ୍ଚୟ କରିବା ସମ୍ଭବ । ଯାହାର ଶରୀରରେ ସମସ୍ତ ପାଶବିକ ଯୌନଶକ୍ତି ଓଜଃ-ଶକ୍ତିରେ ପରିଣତ ହୋଇଯାଇଛି, ସେ ଜଣେ ଦେବତାସହୃଶ । ତା’ଙ୍କ କଥାରେ ଅମୋଘ ଶକ୍ତି ବିଦ୍ୟାମାନ, ତା'ଙ୍କ କଥାଦ୍ୱାରା ଜଗତ୍ ନବଜୀବନ ଲାଭ କରେ |
ଯୋଗୀମାନେ ମନେ ମନେ କଳ୍ପନା କରନ୍ତି ଯେ, ଏହି କୁଣ୍ଡଳିନୀ ସର୍ପ ସୁଷୁମ୍ନା-ପଥ ଦେଇ ସ୍ତରକୁ ସ୍ତର ଅତିକ୍ରମ କରି, ଚକ୍ର ପରେ ଚକ୍ର ଭେଦ କରି ସହସ୍ରାରରେ ଉପନୀତ ଦୁଏ । ମନୁଷ୍ୟଶରୀରର ଶ୍ରେଷ୍ଠ ଶକ୍ତି ଯୌନଶକ୍ତି ଯେପର୍ଯ୍ୟନ୍ତ ଓଜଃ ଶକ୍ତିରେ ପରିଣତ ନ ହୋଇଛି, ସେ ପର୍ଯ୍ୟନ୍ତ ନାରୀ ବା ପୁରୁଷ ପ୍ରକୃତ ଆଧ୍ୟାତ୍ମିକ ଜୀବନ ଲାଭ କରିପାରନ୍ତି ନାହିଁ ।
କୌଣସି ଶକ୍ତି ସୃଷ୍ଟି କରାଯାଏ ନାହିଁ; ତେବେ ତାକୁ ଈପ୍ସିତ ପଥରେ ଚାଳିତ କରାଯାଇପାରେ । ଅତଏବ ଯେଉଁ ବିରାଟ ଶକ୍ତି ବର୍ତ୍ତମାନ ଆମ ଅଧିକାରରେ ଅଛି, ତାକୁ ଆୟତ୍ତ କରିବାକୁ ଶିକ୍ଷା କରି, ତାକୁ ପ୍ରବଳ ଇଚ୍ଛାଶକ୍ତିଦ୍ୱାରା ପାଶବିକ ରୂପ ନ ଦେଇ ଆଧ୍ୟାତ୍ମିକ ଦିଗରେ ପ୍ରେରିତ କରିବାକୁ ହେବ । ଏଥିରୁ ସ୍ପଷ୍ଟ ଭାବରେ ଜଣାଯାଉଛି ଯେ ପବିତ୍ରତା ହେଉଛି ସବୁ ପ୍ରକାର ଧର୍ମ ଓ ନୀତିର ଭିତ୍ତିସ୍ୱରୂପ । ବିଶେଷତଃ ରାଜଯୋଗରେ କାୟମନୋବାକ୍ୟରେ ସଂପୂର୍ଣ୍ଣ ପବିତ୍ରତା ଅପରିହାର୍ଯ୍ୟ; ବିବାହିତ ବା ଅବିବାହିତ - ଉଭୟଙ୍କ ପକ୍ଷରେ ଗୋଟିଏ ନିୟମ । ଦେହରେ ସର୍ବାପେକ୍ଷା ଶକ୍ତିଶାଳୀ ବସ୍ତୁର ଯେ ଅପବ୍ୟବହାର କରେ ସେ କେବେହେଲେ ଆଧ୍ୟାତ୍ମିକ ଜୀବନ ଲାଭ କରିପାରିବ ନାହିଁ ।
ଇତିହାସରେ ଦେଖିବାକୁ ପାଉ ଯେ ସର୍ବତ୍ର ମହାନ୍ ସତ୍ୟଦ୍ରଷ୍ଟା ବ୍ୟକ୍ତିଗଣ ହୁଏତ ସାଧୁସନ୍ୟାସୀ ଅଥବା ସେମାନେ ବିବାହିତ ଜୀବନ ତ୍ୟାଗ କରିଛନ୍ତି । ଯେଉଁମାନଙ୍କର ଜୀବନ ପବିତ୍ର, କେବଳ ସେମାନେ ହିଁ ଭଗବାନ ଲାଭ କରିପାରନ୍ତି ।
ପ୍ରାଣାୟାମ ପୂର୍ବରୁ ଏହି ତ୍ରିକୋଣମଣ୍ଡଳକୁ ଧ୍ୟାନରେ ଦେଖିବାକୁ ଚେଷ୍ଟା କର । ଚକ୍ଷୁ ବନ୍ଦ କରି ଏହି ଛବି ମନେ ମନେ ସ୍ପଷ୍ଟ ରୂପେ କଳ୍ପନା କରିବାକୁ ହେବ । ଭାବ, ଏହାର ଚତୁର୍ଦ୍ଦିଗରେ ଅଗ୍ନିଶିଖା ଅଛି ଏବଂ ତା'ର ମଝିରେ କୁଣ୍ଡଳୀକୃତ ସର୍ପ ନିଦ୍ରାଗତ । ଧ୍ୟାନରେ ଯେତେବେଳ ଏହି କୁଣ୍ଡଳୀଶକ୍ତି ସ୍ପଷ୍ଟ ଭାବରେ ଦେଖିପାରିବ ସେତେବେଳେ କଳ୍ପନାରେ ତାଙ୍କୁ ମେରୁଦଣ୍ଡର ମୂଳାଧାରରେ ସ୍ଥାପନ କର । କୁମ୍ଭକ ସମୟରେ (ଶ୍ୱାସ ବନ୍ଦ କରି ରଖିବା ସମୟରେ) ସୁପ୍ତ କୁଣ୍ଡଳିନୀକୁ ଜାଗ୍ରତ କରିବା ପାଇଁ ଏହି ରୁଦ୍ଧ ବାୟୁକୁ, ସଜୋରେ ତାର ମସ୍ତକରେ ନିକ୍ଷେପ କରିବ । ଯାହାର କଳ୍ପନାଶକ୍ତି ଯେତେ ବେଶୀ ସେ ସେତେ ଶୀଘ୍ର ଫଳ ପାଏ ଏବଂ ତାର କୁଣ୍ଡଳିନୀ ମଧ୍ୟ ସେତେ ଶୀଘ୍ର ଜାଗ୍ରତ ହୁଏ । ଯଦି ଜାଗ୍ରତ ନ ହୋଇଛି ତେବେ ସର୍ବଦା କଳ୍ପନା କର ଯେ ତାହା ଜାଗ୍ରତ ହୋଇଛି । ଇଡ଼ା ଓ ପିଙ୍ଗଳାର ଗତି ଅନୁଭବ କରିବା ପାଇଁ ଚେଷ୍ଟା କର । ବଳପୂର୍ବକ ତାକୁ ସୁଷୁମ୍ନା ମାର୍ଗରେ ଚାଳିତ କରିବାକୁ ଚେଷ୍ଟା କର । ଏହା କରିପାରିଲେ ଶୀଘ୍ର ଫଳ ପାଇବ ।
ମନକୁ ସଂଯତ କରିବା ପୂର୍ବରୁ ମନକୁ ଜାଣିବାକୁ ହେବ ।
ଚଞ୍ଚଳ ମନକୁ ସଂଯତ କରି, ବିଷୟରୁ ଟାଣିଆଣି ଗୋଟିଏ ଭାବରେ ସ୍ଥିର କରି ରଖିବାକୁ ହେବ । ବାରମ୍ବାର ଏହା କରିବା ଆମର କର୍ତ୍ତବ୍ୟ । ଇଚ୍ଛାଶକ୍ତିଦ୍ୱାରା ମନକୁ ସଂଯତ କରି, ରୁଦ୍ଧ କରି ଭଗବାନଙ୍କ ମହିମା ଚିନ୍ତା କର ।
ମନକୁ ସଂଯତ କରିବାର ସବୁଠାରୁ ସହଜ ଉପାୟ, ଅଳ୍ପ ସମୟ ପାଇଁ ମନକୁ ଛାଡ଼ିଦିଅ । ସେ ଯେଉଁ ଦିଗରେ ଇଚ୍ଛା ଭ୍ରମଣ କରୁ; ଦୃଢ଼଼ଭାବେ ଚିନ୍ତା କର, ‘ମୁଁ ଦ୍ରଷ୍ଟା, ସାକ୍ଷୀ; ମୁଁ ମନର ଉତ୍ଥାନ ପତନ ଇତ୍ୟାଦି ସବୁ ଲକ୍ଷ୍ୟ କରୁଛି, ମୁଁ ମନ ନୁହେଁ ।‘ ତାପରେ ମନକୁ ଦେଖ । ଭାବ, ମନଠାରୁ ତୁମେ ସମ୍ପୂର୍ଣ୍ଣ ପୃଥକ୍ । ଭଗବାନଙ୍କ ସହିତ ନିଜକୁ ଅଭିନ୍ନ ଭାବେ ଚିନ୍ତା କର, ଜଡ଼ବସ୍ତୁ ବା ମନ ସହିତ ନିଜକୁ ଏକ କରିଦିଅ ନାହିଁ ।
କଳ୍ପନା କର ଯେ ମନ ତୁମ ସମ୍ମୁଖରେ ପ୍ରସାରିତ ଗୋଟିଏ ନିସ୍ତରଙ୍ଗ ହ୍ରଦ ପରି ଏବଂ ଯେଉଁ ଚିନ୍ତାଗୁଡ଼ିକ ମନରେ ଥରେ ଉଠି ଅନ୍ତର୍ହିତ ହୁଏ, ସେଗୁଡ଼ିକ ଯେପରି ହ୍ରଦର ବୁଦ୍ବୁଦ ପରି । ଚିନ୍ତାଗୁଡ଼ିକୁ ନିୟନ୍ତ୍ରିତ କରିବାକୁ କୌଣସି ଚେଷ୍ଟା କର ନାହିଁ, କଳ୍ପନାଚକ୍ଷୁରେ ସେଗୁଡ଼ିକୁ କେବଳ ସାକ୍ଷୀ ପରି ଦେଖିଯାଅ - କିପରି ସେଗୁଡ଼ିକ ଭାସିଯାଉଛି । ଗୋଟିଏ ପୁଷ୍କରିଣୀରେ ପ୍ରସ୍ତର ଖଣ୍ଡଟିଏ ଫୋପାଡ଼ିଲେ ଯେପରି ପ୍ରଥମେ ଘନ ଘନ ତରଙ୍ଗ ଉଠେ ଓ ପରେ ତରଙ୍ଗର ପରିଧି ଯେତେ ବଢ଼ୁଥାଏ ତରଙ୍ଗ ମଧ୍ୟ ସେତିକି କମୁଥାଏ, ଠିକ୍ ସେହିପରି ମନକୁ ଛାଡ଼ିଦେଲେ ତା’ର ଚିନ୍ତାର ପରିଧି ଯେତେ ବଢ଼ୁଥିବ, ମନୋବୃତ୍ତି ମଧ୍ୟ ସେତେ କମି ଆସିବ । କିନ୍ତୁ ଆମକୁ ଏହି ପ୍ରଣାଳୀ ଓଲଟାଇ ଦେବାକୁ ପଡ଼ିବ । ପ୍ରଥମେ ଗୋଟିଏ ଚିନ୍ତାର ବଡ଼ ବୃତ୍ତରୁ ଆରମ୍ଭ କରି ତାକୁ ଛୋଟ କରି କରି ଯେତେବେଳେ ମନ ଗୋଟିଏ ବିନ୍ଦୁରେ ଆସି ପହଞ୍ଚବ, ସେତେବେଳେ ତାକୁ ସେଠାରେ ସ୍ଥିର କରି ରଖିବାକୁ ହେବ । ଧାରଣା କର ଯେ ମୁଁ ମନ ନୁହେଁ, ମୁଁ ଦେଖୁଛି - ମୁଁ ଚିନ୍ତା କରୁଛି, ମୁଁ ମୋ ମନର ଗତିବିଧି ଲକ୍ଷ୍ୟ କରୁଛି । ଏହିପରି ଆରୋପ କରୁ କରୁ ନିଜ ସହିତ ମନର ଯେଉଁ ଅଭିନ୍ନ ଭାବ, ତାହା ଦିନକୁ ଦିନ କମିଆସିବ ଏବଂ ପରିଶେଷରେ ନିଜକୁ ମନଠାରୁ ସମ୍ପୂର୍ଣ୍ଣ ରୂପେ ପୃଥକ୍ କରିପାରିବ ଓ ବୁଝିପାରିବ ଯେ ମନ ତୁମଠାରୁ ପୃଥକ୍ ।
ସେତେବେଳେ ଏହି ଅଭ୍ୟାସରେ ତୁମେ କୃତକାର୍ଯ୍ୟ ହେବ, ସେତେବେଳେ ମନ ତୁମର ଭୃତ୍ୟ ହୋଇଯିବ । ତାକୁ ତୁମେ ଇଚ୍ଛା ଅନୁସାରେ ନିୟନ୍ତ୍ରିତ କରିପାରିବ । ଯୋଗୀ ହେବାର ପ୍ରଥମ ସ୍ତର ଇନ୍ଦ୍ରିୟଗୁଡ଼ିକୁ ଅତିକ୍ରମ କରିବା । ଯେତେବେଳ ଆମେ ମନକୁ ଜୟ କରୁ, ସେତେବେଳେ ଆମେ ସାଧନାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଉ ।
ଯେତେ ଦୂର ସମ୍ଭବ ଏକୁଟିଆ ରହିବ । ଆସନ ଅତି ଉଚ୍ଚ ହେବ ନାହିଁ । ତଳେ କୁଶାସନ ରହିବ, ତା’ ଉପରେ ମୃଗଚର୍ମ । ତା' ଉପରେ ରେଶମ କିମ୍ବା ପଟ୍ଟବସ୍ତ୍ର ବିଛାଇବ । ଆଉଜି କରି ବସିବା ଉଚିତ୍ ନୁହେଁ । ଆସନ ଯେପରି ଦୃଢ଼଼ ହୁଏ ।
ସର୍ବପ୍ରକାର ଚିନ୍ତା ତ୍ୟାଗ କରି ମନକୁ ଖାଲି କରିଦିଅ, ଯେତେବେଳେ କୌଣସି ଚିନ୍ତା ମନରେ ଉଠିବ, ତତ୍କ୍ଷଣାତ ତାକୁ ଦୂର କରିଦିଅ । ଏହି କାର୍ଯ୍ୟ ସମ୍ପନ୍ନ କରିବାକୁ ହେଲେ ଜଡ଼ବସ୍ତୁ ଏବଂ ଆମ ଦେହକୁ ଅତିକ୍ରମ କରିବାକୁ ହେବ । ବାସ୍ତବ ପକ୍ଷେ ମନୁଷ୍ୟର ସମଗ୍ର ଜୀବନ ଏହି ଅବସ୍ଥାରେ ଉପନୀତ ହେବା ନିମିତ୍ତ ଏକ ଅବିରାମ ଚେଷ୍ଟା ।
ଚିନ୍ତାଗୁଡ଼ିକ ଛବିସଦୃଶ । ଏଗୁଡ଼ିକୁ ଆମେ ସୃଷ୍ଟି କରିନାହୁଁ । ପ୍ରତ୍ୟେକ ଧ୍ୱନି ବା ଶବ୍ଦର ଅର୍ଥ ଅଛି, ଆମ ପ୍ରକୃତି ସହିତ ଏଗୁଡ଼ିକ ଜଡ଼ିତ ।
ଆମର ଶ୍ରେଷ୍ଠ ଆଦର୍ଶ ହେଉଛନ୍ତି ଇଶ୍ୱର । ତାଙ୍କର ଧ୍ୟାନ କର । ଆମେ ଜ୍ଞାତାକୁ ଜାଣିପାରୁ ନାହିଁ, କାରଣ ସେ ଆମର ଆତ୍ମା । ଅଶୁଭ ଦେଖିବାଦ୍ୱାରା ଆମେ ନିଜେ ଅନର୍ଥର ସୃଷ୍ଟି କରୁ । ଆମ ଅନ୍ତରରେ ଯାହା ଅଛି, ବାହାରେ ତାହା ହିଁ ଦେଖୁ । କାରଣ ଜଗତଟା ଆମର ଦର୍ପଣ ସଦୃଶ ।
ଆମର ଏହି କ୍ଷୁଦ୍ର ଦେହଟା ଆମଦ୍ୱାରା ସୃଷ୍ଟ ଗୋଟିଏ ଦର୍ପଣ ପରି । ପ୍ରକୃତ ପକ୍ଷରେ ସାରାବିଶ୍ୱ ହିଁ ଆମର ଶରୀର । ସର୍ବଦା ଏହିପରି ଚିନ୍ତା କରିବାକୁ ପଡ଼ିବ, ତେବେଯାଇ ଆମେ ବୁଝିପାରିବୁ ଯେ ଆମର ମୃତ୍ୟୁ ନାହିଁ, ଆମେ କାହାରିକୁ ଆଘାତ କରିପାରୁନାହିଁ । କାରଣ ଯାହାକୁ ଆଘାତ କରିବୁ ସେ ମଧ୍ୟ ‘ମୁଁ’ । ଆମର ଜନ୍ମ ନାହିଁ, ମୃତ୍ୟୁ ନାହିଁ, ଆମର କର୍ତ୍ତବ୍ୟ ସକଳ ପ୍ରାଣୀଙ୍କୁ ଭଲ ପାଇବା ।
ଏହି ବିଶ୍ୱଜଗତ ମୋର ଶରୀର, ଜଗତରେ ସମଗ୍ର ସ୍ୱାସ୍ଥ୍ୟ ଓ ଆନନ୍ଦ ମୋର; କାରଣ ସବୁକିଛି ଏହି ବିଶ୍ୱର ଅନ୍ତର୍ଗତ । କହ, ‘ମୁଁ ହିଁ ଏହି ବିଶ୍ୱଜଗତ୍’ । ପରିଶେଷରେ ବୁଝିପାରିବ ଯେ ଆମର ସକଳ କର୍ମ ହିଁ ଆମ ଅନ୍ତରରୁ ଆସି ଦର୍ପଣରେ ପ୍ରତିଫଳିତ ହେଉଛି ।
ଆମେ ନିଜକୁ ଏକ କ୍ଷୁଦ୍ର ତରଙ୍ଗ ସଦୃଶ ମନେକଲେ ସୁଦ୍ଧା ଆମ ସମସ୍ତଙ୍କ ପଶ୍ଚାତ୍ରେ ଏକ ଅଖଣ୍ଡ ସମୁଦ୍ର ବିଦ୍ୟମାନ ଅଛି ଓ ଆମେ ସମସ୍ତେ ତାହା ସହିତ ସଂଯୁକ୍ତ । ସମୁଦ୍ର ବ୍ୟତୀତ ତରଙ୍ଗ ରହିପାରେ ନାହିଁ ।
ସଠିକ୍ ଭାବରେ ନିୟୋଜିତ ହେଲେ କଳ୍ପନା ଆମର ପରମ ବନ୍ଧୁ ପରି କାର୍ଯ୍ୟ କରେ । କଳ୍ପନା ଯୁକ୍ତିର ରାଜ୍ୟକୁ ଅତିକ୍ରମ କରେ ଏବଂ କଳ୍ପନାର ଅଲୋକ ହିଁ ଆମକୁ ସର୍ବତ୍ର ନେଇଯାଏ ।
ସକଳ ପ୍ରେରଣା ଆମର ଅନ୍ତରରୁ ଜାଗ୍ରତ ହୁଏ । ତେଣୁ ଆମେ ଅନ୍ତରର ଉଚ୍ଚତର ପ୍ରେରଣାରେ ନିଜକୁ ଉଦ୍ବୁଦ୍ଧ କରିବୁ ।
ପ୍ରତ୍ୟାହାର ଓ ଧାରଣା । ଶ୍ରୀକୃଷ୍ଣ କହିଛନ୍ତି, ‘ଯେ ଯେଉଁ ପଥ ଦେଇ ସନ୍ଧାନ କରୁ ନା କାହିଁକି, ସମସ୍ତେ ମୋ ନିକଟରେ ପହଞ୍ଚିବେ - ସମସ୍ତେ ମୋ ନିକଟକୁ ଆସିବେ (ଗୀତା ୪/୧୧)’ । ପ୍ରତ୍ୟାହାରର ଅର୍ଥ ମନକୁ ଏକତ୍ରିତ କରି ଈପ୍ସିତ ବସ୍ତୁରେ କେନ୍ଦ୍ରୀଭୂତ କରିବାର ଚେଷ୍ଟା । ଏହାର ପ୍ରଥମ ସୋପାନ - ମନକୁ ଛାଡ଼ିଦେଇ ତା’ ଉପରେ ଦୃଷ୍ଟି ରଖିବା । ଯେତେବେଳେ କୌଣସି ଚିନ୍ତାରେ ବିଶେଷ ଦୃଷ୍ଟି ଦେବ, ତତ୍କ୍ଷଣାତ୍ ସେହି ଚିନ୍ତା ଚାଲିଯିବ; କିନ୍ତୁ ଚିନ୍ତାଗୁଡ଼ିକୁ ଜୋର୍କରି ବନ୍ଦ କରିବାର ଚେଷ୍ଟା କର ନାହିଁ, କେବଳ ସାକ୍ଷୀ ହୋଇ ଦେଖିଯାଅ । ମନ ଆତ୍ମା ନୁହେଁ, ମନ ଜଡ଼ର ଗୋଟିଏ ସୂକ୍ଷ୍ମ ଅବସ୍ଥା ମାତ୍ର । ସ୍ନାୟୁର ଶକ୍ତିଦ୍ୱାରା ଏହାକୁ ଆୟତ୍ତ କରି ନିଜ ଉଦ୍ଦେଶ୍ୟ ସାଧନ ପାଇଁ ମନକୁ କାମରେ ଲଗାଇବାକୁ ହେବ ।
ଦେହ ମନର ବହିଃପ୍ରକାଶ ମାତ୍ର । କିନ୍ତୁ ଆମେ ଆତ୍ମା, ଦେହ-ମନର ଅତୀତ । ଆମେ ଅନନ୍ତ, ଅପରିବର୍ତ୍ତନୀୟ ସାକ୍ଷୀସ୍ୱରୂପ ଆତ୍ମା । ଦେହ ଚିନ୍ତାର ଘନୀଭୂତ ରୂପ ।
ଯଦି ବାମ ନାସା ଦେଇ ନିଃଶ୍ୱାସ ଯାଉଥିବ, ତାହା ଆମ ବିଶ୍ରାମର ସମୟ; ଯଦି ଦକ୍ଷିଣ ନାସା ଦେଇ ନିଃଶ୍ୱାସ ଯାଉଥିବ, ତାହା କାମ କରିବାର ସମୟ; ଯେତେବେଳେ ଦୁଇ ନାସା ଦେଇ ନିଃଶ୍ୱାସ ଯାଉଥିବ, ସେତେବେଳେ ଧ୍ୟାନର ସମୟ | ଯେତେବେଳେ ଦେହ, ମନ ଶାନ୍ତ ହୋଇଆସିବ ଓ ଦୁଇ ନାସା ଦେଇ ସମାନଭାବେ ନିଃଶ୍ୱାସ ଯିବ, ସେତେବେଳେ ଜାଣିବାକୁ ହେବ ଯେ ଆମର ଧ୍ୟାନର ଅବସ୍ଥା ଆସିଛି । ପ୍ରଥମରୁ ଜୋର୍ କରି ମନକୁ ଏକାଗ୍ର କରିବାର ଚେଷ୍ଟା କଲେ କୌଣସି ଲାଭ ହୁଏ ନାହିଁ । ଚିନ୍ତାର ନିୟନ୍ତ୍ରଣ ଆପେ ଆପେ ହୋଇଯିବ ।
ଅଙ୍ଗୁଷ୍ଠ ଓ ଅନାମିକା ସାହାଯ୍ୟରେ ବହୁଦିନ ଧରି ଏହି ପ୍ରାଣାୟାମ ଅଭ୍ୟାସ କଲା ପରେ, କେବଳ ଇଚ୍ଛାଶକ୍ତିଦ୍ୱାରା ଏହା କରାଯାଏ ।
ଏହାପରେ ପ୍ରାଣାୟାମର ଅଳ୍ପ ପରିବର୍ତ୍ତନ ଦରକାର । ଯେଉଁ ସାଧକମାନେ ଇଷ୍ଟମନ୍ତ୍ର ପାଇଛନ୍ତି, ସେମାନେ ରେଚକ ଓ ପୂରକ ସମୟରେ ‘ଓଁ’ ମନ୍ତ୍ର ପରିବର୍ତ୍ତରେ ଇଷ୍ଟମନ୍ତ୍ର ଏବଂ କୁମ୍ଭକ ସମୟରେ ‘ହୁଁ’ ମନ୍ତ୍ର ଜପ କରିବେ ।
କୁମ୍ଭକ ସମୟରେ ଯେତେବେଳେ ‘ହୁଁ’ ମନ୍ତ୍ର ଜପ କରିବ, ସେତେବେଳେ କଳ୍ପନା କରିବ ଯେ ସେହି ଧୃତ ନିଃଶ୍ୱାସ ପୁନଃପୁନଃ କୁଣ୍ଡଳିନୀର ମସ୍ତିଷ୍କରେ ଆଘାତ କରୁଛି ଏବଂ ଫଳରେ କୁଣ୍ଡଳିନୀ ଜାଗରିତ ହେଉଛି । ଇଶ୍ୱରଙ୍କ ସହିତ ନିଜକୁ ଅଭିନ୍ନ ମନେକର । ଧ୍ୟାନ କରିବାର କିଛି କ୍ଷଣ ପରେ ଆମେ ବୁଝିପାରିବା ଯେ, ଚିନ୍ତାଗୁଡ଼ିକ କିପରି ଭାବରେ ଆସୁଛି ଓ ଆମେ କଅଣ ଚିନ୍ତା କରିବାକୁ ଯାଉଛୁ - ତାହା ସବୁ ବୁଝିପାରିବୁ । ଜାଗ୍ରତ ଅବସ୍ଥାରେ ଆମେ ଯେପରି କୌଣସି ଲୋକକୁ ଆସୁଥିବା ଦେଖୁ, ଏହା ମଧ୍ୟ ପ୍ରାୟ ସେହିପରି । ଯେତେବେଳେ ଆମେ ମନରୁ ଆତ୍ମାକୁ ପୃଥକ୍ କରିପାରିବା, ସେତେବେଳେ ଆମେ ବୁଝିପାରିବା ଯେ ଆମେ ଏବଂ ଆମର ଚିନ୍ତା ସଂପୂର୍ଣ୍ଣ ପୃଥକ୍, ସେତେବେଳେ ଆମେ ଏହି ଅବସ୍ଥା ଲାଭ କରିବୁ । ଚିନ୍ତାଗୁଡ଼ିକ ଯେପରି ତୁମକୁ ଆୟତ୍ତ କରି ନ ପାରେ, ସର୍ବଦା ନିଜକୁ ଦୂରରେ ରଖିବ । ତାହାହେଲେ ସେଗୁଡ଼ିକ ନିଜେ ନିଜେ ବିଲୀନ ହୋଇଯିବେ ।
ସତ୍ଚିନ୍ତାଗୁଡ଼ିକୁ ଅନୁସରଣ କର, ଯେତେବେଳେ ସେଗୁଡ଼ିକ ସ୍ତିମିତ ହୋଇଯିବେ, ସେତେବେଳେ ସର୍ବଶକ୍ତିମାନ ଭଗବାନଙ୍କର ଦର୍ଶନ ଲାଭ କରିବ । ଏହା ହିଁ ହେଉଛି ଅତିଚେତନ ଅବସ୍ଥା । ଭାବ ଯେତେବେଳେ ସ୍ତିମିତ ହୋଇ ଆସିବ, ସେତେବେଳେ ତା'ର ଅନୁସରଣ କରି ତୁମେ ମଧ୍ୟ ବିଲୀନ ହୋଇଯାଅ ।
ଦ୍ୟୁତି ଅନ୍ତର୍ଜ୍ୟୋତିର ପ୍ରତୀକ, ଯୋଗୀ ତାହା ଦେଖିପାରନ୍ତି । ସମୟେ ସମୟେ ଆମେ ଏକ ଜ୍ୟୋତିର୍ମୟ ପୁରୁଷଙ୍କ ମୁଖମଣ୍ଡଳ ଦେଖୁ, ଯାହାର ଦର୍ଶନରେ ତାଙ୍କ ଚରିତ ସମ୍ପର୍କରେ ଆମର ନିଣ୍ଚିତ ଧାରଣା ହୁଏ । ଭାବଚକ୍ଷୁଦ୍ୱାରା ହୁଏତ ଆମେ ଦେଖିବୁ ଯେ ଇଷ୍ଟମୂର୍ତ୍ତି ଆମ ସମ୍ମୁଖକୁ ଆସିଛନ୍ତି ଏବଂ ତାଙ୍କୁ ପ୍ରତୀକରୂପେ ଗ୍ରହଣ କରି ଆମେ ମନକୁ ସହଜରେ ସଂପୃଣ୍ଣି ଏକାଗ୍ର କରିପାରୁ ।
ଯଦିଓ ଆମେ ସକଳ ଇନ୍ଦ୍ରିୟମାନଙ୍କଦ୍ୱାରା କଳ୍ପନା କରିପାରୁ, ତଥାପି ଚକ୍ଷୁ ସାହାଯ୍ୟରେ ଆମେ ସାଧାରଣତଃ କଳ୍ପନା କରୁ । ତା’ହେଲେ ଆମେ ଦେଖୁଛୁ ଯେ ଅର୍ଦ୍ଧେକ ଜଡ଼ଭାବାପନ୍ନ, ଅର୍ଥାତ୍ ମାନସିକ ଚିତ୍ର ବ୍ୟତୀତ ଆମେ ଚିନ୍ତା କରିପାରୁନାହିଁ । ପଶୁମାନେ ଚିନ୍ତା କରନ୍ତି ବୋଲି ମନେ ହୁଏ । କିନ୍ତୁ ତାଙ୍କର ଯେହେତୁ ଭାଷା ନାହିଁ, ବୋଧହୁଏ ଭାବ ଓ ପ୍ରତୀକ ମଧ୍ୟରେ କୌଣସି ଅବିଚ୍ଛେଦ୍ୟ ସଂପର୍କ ନାହିଁ ।
ଯୋଗ କରିବା ସମୟରେ କୌଣସି ଏକ କଳ୍ପନାକୁ ଧାରଣା କରିବାକୁ ଚେଷ୍ଟା କରିବ; କିନ୍ତୁ ସାବଧାନ, ତାହା ଯେପରି ପବିତ୍ର ହୁଏ । ପ୍ରତ୍ୟେକ ଲୋକର କଳ୍ପନାଶକ୍ତିର ବୈଶିଷ୍ଟ୍ୟ ଅଛି । ତୁମ ପକ୍ଷରେ ଯାହା ଅତି ସ୍ୱାଭାବିକ, ତାହା ଅନୁସରଣ କର; ତାହା ତୁମ ପାଇଁ ସବୁଠାରୁ ସହଜ ହେବ ।
ପୂର୍ବ ପୂର୍ବ ଜନ୍ମର କୃତକର୍ମର ଶ୍ରେଷ୍ଠ ଫଳ ଆମର ଏହି ବର୍ତ୍ତମାନ ଜୀବନ । ବୌଦ୍ଧମାନେ କହନ୍ତି, ‘ଗୋଟିଏ ପ୍ରଦୀପରୁ ଆଉ ଗୋଟିଏ ପ୍ରଦୀପ ଜଳିଉଠେ । ପ୍ରଦୀପ ପୃଥକ୍, କିନ୍ତୁ ଆଲୋକ ଏକ’ ।
ସର୍ବଦା ପ୍ରଫୁଲ୍ଲ ରହ ଓ ସାହସ ଅବଲମ୍ବନ କର । ପ୍ରତିଦିନ ସ୍ନାନ କରିବ; ଧୈର୍ଯ୍ୟ, ପବିତ୍ରତା, ଅଧ୍ୟବସାୟ -ଏହିସବୁ ଗୁଣ ଥିଲେ ତୁମେ ଯୋଗୀ ହୋଇପାରିବ । ତରବର ହୋଇ କିଛି କରିବ ନାହିଁ, କୌଣସି ଅଲୌକିକ ଶକ୍ତି ଆସିଲେ ସେଗୁଡ଼ିକ ଯେପରି ତୁମକୁ ପ୍ରଲୋଭିତ କରି ଠିକ୍ ପଥରୁ ଘୁଞ୍ଚାଇ ନ ନିଏ, ସେଥିପ୍ରତି ସାବଧାନ ରହିବ । ସେଗୁଡ଼ିକ ଦୂରକୁ ଫିଙ୍ଗିଦେଇ ତୁମର ଲକ୍ଷ୍ୟକୁ ଧରି ରଖିବ । କେବଳ ସେହି ଚିରନ୍ତନଙ୍କୁ ଖୋଜ, ଯାହାଙ୍କର ସନ୍ଧାନ ପାଇଲେ ଆମର ଚିର ବିଶ୍ରାମ ଲାଭ ହେବ । ପୂର୍ଣ୍ଣତ୍ୱ ଲାଭ ପରେ ଆମର କୌଣସି କାମନା ରହେ ନାହିଁ, ସେତେବେଳେ ଆମେ ଚିରମୁକ୍ତ - ସତ୍ତାସ୍ୱରୂପ ।
ସତ୍ସ୍ୱରୁପ, ଚିତ୍ସ୍ୱରୂପ, ଆନନ୍ଦସ୍ୱରୂପ ।
ସବିକଳ୍ପ ଓ ସୂଷୁମ୍ନା । ସୂଷୁମ୍ନାର ଧ୍ୟାନ କରିବା ବିଶେଷ ପ୍ରୟୋଜନ । ଭାବଚକ୍ଷୁରେ ହୁଏତ କେତେବେଳେ ଏହାର ଦର୍ଶନ ମିଳିଯାଇପାରେ । ଏଭଳି ଦର୍ଶନ ପାଇଲେ ଅଧିକ ସମୟ ଧରି ତା'ର ଧ୍ୟାନ କରିବ । ସୂଷୁମ୍ନା ଗୋଟିଏ ଅତି ସୂକ୍ଷ୍ମ ଜ୍ୟୋତିର୍ମୟ, ସୂତ୍ରାକାର, ପ୍ରାଣମୟ ପଥ - ମେରୁଦଣ୍ଡ ଭିତର ଦେଇ ଗତି କରିଛି । ମୁକ୍ତିଲାଭ କରିବା ପାଇଁ ଏହି କୁଣ୍ଡଳିନୀକୁ ଉର୍ଦ୍ଧ୍ୱଗାମୀ କରିବାକୁ ହେବ ।
ଯୋଗୀମାନଙ୍କ ଭାଷାରେ ସୂଷୁମ୍ନାର ଦୁଇଟି ପ୍ରାନ୍ତ ଦୁଇଟି ପଦ୍ମରେ ଅବସ୍ଥିତ; ନିମ୍ନ ପଦ୍ମଟି କୁଣ୍ଡଳିନୀର ତ୍ରିକୋଣକୁ ଘେରି ରହିଛି, ଏବଂ ଉର୍ଦ୍ଧ୍ୱପଦ୍ମଟି ବ୍ରହ୍ମରନ୍ଧ୍ରରେ ସହସ୍ରାରକୁ ଘେରି ରହିଛି । ଏହି ଦୁଇଟି ମଧ୍ୟରେ ଆହୁରି ପାଞ୍ଚଟି ପଦ୍ମ ଅଛି ।
ଉପରଆଡୁ ନିମ୍ନର ଅବସ୍ଥାଗୁଡ଼ିକର ଅର୍ଥାତ୍ ପଦ୍ମଗୁଡ଼ିକର ନାମ :-
ସପ୍ତମ – ସହସ୍ରାର - ମସ୍ତକରେ ।
ଷଷ୍ଠ – ଆଜ୍ଞାଚକ୍ର - ଭ୍ରୁଦ୍ୱୟ ମଧ୍ୟରେ ।
ପଞ୍ଚମ – ବିଶୁଦ୍ଧ - କଣ୍ଠରେ ।
ଚତୁର୍ଥ – ଅନାହତ - ବକ୍ଷରେ ବା ହୃଦୟରେ ।
ତୃତୀୟ – ମଣିପୁର - ନାଭିମଣ୍ଡଳରେ ।
ଦ୍ୱିତୀୟ – ସ୍ୱାଧିଷ୍ଠାନ - ଉଦରର ନିମ୍ନଭାଗରେ ।
ପ୍ରଥମ – ମୂଳାଧାର - ମେରୁଦଣ୍ଡର ନିମ୍ନଭାଗରେ ।
ପ୍ରଥମେ କୁଣ୍ଡଳିନୀକୁ ଜାଗ୍ରତ କରିବାକୁ ହେବ, ତା'ପରେ ଗୋଟିଏ ପରେ ଗୋଟିଏ ପଦ୍ମ ଭେଦକରି ଉର୍ଦ୍ଧ୍ୱକୁ ଉଠାଇବାକୁ ପଡ଼ିବ; ଯେପର୍ଯ୍ୟନ୍ତ ମସ୍ତିଷ୍କକୁ କୁଣ୍ଡଳିନୀ ପହଞ୍ଚିଛି ଏହିପରି କରିବାକୁ ପଡ଼ିବ । ପ୍ରତ୍ୟେକ ଅବସ୍ଥା ବା ଭୂମି ମନର ନୂତନ ନୂତନ ସ୍ତର ।
ପତଞ୍ଜଳି ଯୋଗର ଅଙ୍ଗ
ସମ୍ପାଦନାଯମ
ସମ୍ପାଦନାଯୋଗର ପ୍ରଥମ ଅଙ୍ଗ ହେଉଛି ଯମ । ଏହା ହେଉଛି ଇନ୍ଦ୍ରିୟମାନଙ୍କର ସଂଯମ, ଆମର ଯେଉଁ ପଞ୍ଚଇନ୍ଦ୍ରିୟ ଯଥା- ଶବ୍ଦ (କାନ), ସ୍ପର୍ଶ (ଚର୍ମ), ରୂ (ଚକ୍ଷୁ), ରସ (ଜିହ୍ୱା) ଓ ଗନ୍ଧ (ନାକ) ଅଛି, ସେମାନଙ୍କର ଉଚିତ ବିବେକାନୁମୋଦିତ ବ୍ୟବହାର । ଏଣୁ ସାଧକର ଦରବାର ଶୁଦ୍ଧ ବୁଦ୍ଧି, ସଂକଳ୍ପିତ ମନ ଓ ସଂଯତ ଇନ୍ଦ୍ରିୟ । ଯମର ବିଭିନ୍ନ ବିଭାଗ ହେଉଛି ଅହିଂସା, ସତ୍ୟ, ଆସ୍ତେୟ, ବ୍ରହ୍ମଚର୍ଯ୍ୟ ଓ ଅପରିଗ୍ରହ । ଅହିଂସା କେବଳ କାହାପ୍ରତି ଶାରୀରିକ ଆଘାତ ନ କରିବା ନୁହେଁ, ବଚନରେ କାହାକୁ ଆଘାତଦେବା ଓ ମନରେ କାହାର ଅନିଷ୍ଟ ଚିନ୍ତା ନ କରିବା । ସତ୍ୟାଚରଣ ମଧ୍ୟ ଚିନ୍ତା ବଚନ ଓ କର୍ମରେ କରିବାକୁ ପଡିବ । ଆସ୍ତେୟ ହେଉଛି ଯାହା ନିଜର ନୁହେଁ ତାହାକୁ ଗ୍ରହଣ ନ କରିବା । ଅର୍ଥାତ ଅନ୍ୟର ଜିନିଷ ପ୍ରତି ଲୋଭ ନ କରିବା । ଅପରିଗ୍ରହ ହେଉଛି ଆବୋରି ନ ଧରିବା, ଅନାସକ୍ତ ଭାବ । ଏହି ଦୁଇ ଜୀବନ ପ୍ରଣାଳୀ ହେଉଛି ଯେତିକି ଦରକାର ସେତିକି ସଂଗ୍ରହ କରିବା ଓ ଯଦି ସଂଗୃହୀତ ଦ୍ରବ୍ୟରୁ କିଛି ବଳେ ତାହାକୁ ଅନ୍ୟକୁ ବିତରଣ କରିବା । ବ୍ରହ୍ମଚର୍ଯ୍ୟର ଆକ୍ଷରିକ ଅର୍ଥ ହେଉଛି ଯେ ବ୍ରହ୍ମରେ ଚାରଣ କରନ୍ତି - ସର୍ବଦା ଈଶ୍ୱରଙ୍କୁ ସ୍ମରଣ କରନ୍ତି ଓ କାମନାକୁ ଭଗବତ ଅଭିମୁଖୀ କରାଇ ସମସ୍ତ କାର୍ଯ୍ୟ, ଭାବନା ଓ ବାକ୍ୟ ତାଙ୍କୁ ଅର୍ପଣ କରନ୍ତି ।
ନିୟମ
ସମ୍ପାଦନାଯୋଗର ଦ୍ୱିତୀୟ ଅଙ୍ଗ ନିୟମ ହେଉଛି ଶୃଙ୍ଖଳା ଓ ଭକ୍ତି ମାଧ୍ୟମରେ ବ୍ୟକ୍ତିଗତ ଜୀବନ ଅତିବାହିତ କରିବା । ଏହାର ବିଭାଗମାନ ତପଃ, ଈଶ୍ୱର ପ୍ରଣିଧାନ, ସ୍ୱାଧ୍ୟାୟ, ଶୌଚ ଓ ସନ୍ତୋଷ ।
- ତପ ହେଉଛି ସତ୍ୟାନୁଶୀଳନ ଓ ଏହି ପଥରେ ଅଗ୍ରସର ହେବା । ଏହା ତିନି ପ୍ରକାର (ଗୀତା ଅଧ୍ୟାୟ-୧୭, ଶ୍ଳୋକ-୧୪, ୧୫, ୧୬) ଶାରୀରିକ, ବାଚିକ ଓ ମାନସିକ ।
ଶାରୀରିକ ତପ - (କ) ଦେବତା, ଗୁରୁ ଓ ମହାପୁରଷଙ୍କୁ ପୂଜା ଓ ଯଥୋଚିତ ସମ୍ମାନ । (ଖ) ବାହ୍ୟ ଓ ଅନ୍ତକରଣର ଶୁଦ୍ଧତା । କାରଣ ଦେହୋଦେବାଳୟ ପ୍ରୋକ୍ତୋଜୀବୋ ଦେବ ସନାତନଃ । ଦେହ ହେଉଛି ଦେବାଳୟ ଓ ଏହା ମଧ୍ୟରେ ବାସ କରୁଥିବା ଜୀବାତ୍ମା ହେଉଛନ୍ତି ଦେବତା । (ଗ) ବ୍ୟବହାରରେ ଶାଳୀନତା (ସଦାଚାର) (ଘ) ବ୍ରହ୍ମଚର୍ଯ୍ୟ (ଙ) ଅହିଂସା ବାଚିକ ତପ ୫ ପ୍ରକାର । (କ) କାହାପ୍ରତି ଉତ୍ତେଜନାପୂର୍ବକ ବାକ୍ୟ ନ କହିବା । (ଖ) ସତ୍ୟ (ଗ) ପ୍ରାୟ (ଘ) ଅନ୍ୟର ମଂଗଳ ନିମିତ୍ତ (ଙ) ଶାସ୍ତ୍ରାନୁମୋଦିତ ବାକ୍ୟ ବହିବ । ମାନସିକ ତପ ୫ ପâକାର - (କ) ମନ ସର୍ବଦା ପâସନ୍ନ ରହିବା (ଖ) ମୌନତା ଯଥା ସମ୍ଭବ ଅବଲମ୍ବନ କରିବା (ଗ) ସୌମ୍ୟଭା ରହିବା (ଘ) ଆତ୍ମାରେ ନିଗ୍ରହ ରହିବା (ଙ) ଭାବାନାଶୁଦ୍ଧ ହେବା ।
- ଈଶ୍ୱର ପ୍ରଣିଧାନ ହେଉଛି ଈଶ୍ୱରଙ୍କୁ ପ୍ରାଧାନ୍ୟ ଦେବା ଓ ତାଙ୍କଠାରେ ଚିନ୍ତା, କର୍ମ ଓ ବଚନ ସମର୍ପଣ କରିବା । ଯଦି ଆମେ ସ୍ରଷ୍ଟାଙ୍କର ପ୍ରିୟ ହୋଇପାରିଲେ ତେବେ ସୃଷ୍ଟି (ଜଗତ) ଆମ ନିମିତ୍ତ ଅନୁକୂଳ ହୋଇପାରିବ ।
- ସ୍ୱାଧ୍ୟାୟ ହେଉଛି ଆଧ୍ୟାତ୍ମିକ ଶାସ୍ତ୍ରର ପଠନ ଓ ଏହାକୁ ମନରେ ଅନୁଶୀଳନ । ତାହାହେଲେ କାର୍ଯ୍ୟର ସତକର୍ମ ପ୍ରତିଫଳିତ ହେବ ।
- ଶୌଚ - ବାହ୍ୟଶୁଚି (ଶରୀର) ଓ ଅନ୍ତଃଶୁଚି (ମନ, ବୁଦ୍ଧି, ଆତ୍ମା) । ଶରୀରକୁ ଜଳଦ୍ୱାରା, ମନକୁ ସତ୍ୟବଚନ ଦ୍ୱାରା, ବୁଦ୍ଧିକୁ ବେଦଜ୍ଞାନଦ୍ୱାରା ଓ ଆତ୍ମାକୁ ତପଦ୍ୱାରା ଶୁଦ୍ଧ କରିଥାଏ ।
ସନ୍ତୋଷ ହେଉଛି ମନର ଏକ ଅବସ୍ଥା ଯାହା ସାଧନା ମାଧ୍ୟମରେ ଆସେ । ଆତ୍ମସନ୍ତୋଷ ବିନା ସାଧନାରେ ଅଗâଗତି ହୋଇପାରିବନାହିଁ । ଆତ୍ମବିଶ୍ୱାସ ରହିଲେ ଆତ୍ମସନ୍ତୋଷ ହେବ ଏବଂ ଆତ୍ମ ସନ୍ତୋଷରୁ ଆତ୍ମତ୍ୟାଗ ଓ ତା'ପରେ ଆତ୍ମସାକ୍ଷାତକାର ହୋଇପାରିବ । ଏଣୁ ପ୍ରଥମେ ସାଧକର ନିଜ ଉପରେ ବିଶ୍ୱାସ ରହିବା ଦରକାର । ଯାହାକିଛି ଅତୀତରେ ହୋଇଯାଇଛି, ବର୍ତ୍ତମାନ ହେଉଛି ଅଥବା ଭବିଷ୍ୟତରେ ହେବ, ସେଥିପ୍ରତି କୌଣସି ସୁଖଦୁଃଖ ଭାବ ନରଖି ତାହା ଭଗବାନଙ୍କର ନିଜପ୍ରତି କରୁଣା ଭାବି ସାଧକ ଅଗ୍ରସର ହେବା ଦରକାର । ହତାଶଭାବ ହେଉଛି ଭଗବାନଙ୍କ ବିରୋଧରେ ଅପରାଧ । ସନ୍ତୋଷ ରହିଲେ ହତାଶଭାବ ଦୂରେଇଥାଏ ।
ଆସନ
ସମ୍ପାଦନାଯୋଗର ତୃତୀୟ ଅଙ୍ଗ ହେଉଛି ଆସନ । ପତଞ୍ଜଳୀଙ୍କ ଅନୁସାରେ ଏହି ପ୍ରକିୟା ଯୋଗୀକୁ ସ୍ଥିର ଓ ସୁଖରେ ବସିବାକୁ ସାହାଯ୍ୟ କରେ ।
ପ୍ରାଣାୟମ
ସମ୍ପାଦନାଚତୁର୍ଥ ଅଙ୍ଗ ହେଉଛି ପ୍ରାଣାୟମ ଏହା କେବଳ ଶ୍ୱାସକ୍ରିୟାରେ ଏକ ବ୍ୟାୟାମ ନୁହେଁ । ଏହା ନିଜର ଭାବକୁ ଦୃଢ଼ କରେ ଓ ମନକୁ ନିୟନ୍ତ୍ରଣକୁ ଆଣେ । ମନ ଉପରେ ସକାରାତ୍ମକ ପ୍ରଭାବ ବିସ୍ତାର କରେ । ଏହା ପ୍ରାଣଶକ୍ତି ନିୟନ୍ତ୍ରଣର ବିଶେଷ କୌଶଳ, ଯାହାଦ୍ୱାରା ମନ ଇନ୍ଦ୍ରିୟମାନଙ୍କଠାରୁ ମୁକ୍ତ ହୋଇ, ଅନ୍ତର୍ମୁଖୀ ହୁଏ ।
ପ୍ରତ୍ୟାହାର
ସମ୍ପାଦନାପଞ୍ଚମ ଅଙ୍ଗ ହେଉଛି ପ୍ରତ୍ୟାହାର । ପ୍ରତ୍ୟାହାରର ଆକ୍ଷରିକ ଅର୍ଥ ହେଲା ପ୍ରତି (ନୁହେଁ) + ଆହାର (ଖାଦ୍ୟ) ଯାହା ଶରୀର ମନ ଓ ଆତ୍ମାର ଉପଯୁକ୍ତ ଖାଦ୍ୟ ନୁହେଁ ତାହାକୁ ଗ୍ରହଣ ନକରିବା । ଏହା ବିଶେଷତଃ ଇନ୍ଦ୍ରିୟ ବାସନାର ତ୍ୟାଗ ଉପରେ ପ୍ରତିଷ୍ଠିତ । କାରଣ ତ୍ୟାଗଦ୍ୱାରା ହିଁ ଅମୃତତ୍ତ୍ୱ ପ୍ରାପ୍ତ ହୋଇପାରିବ । ଏହି ଇନ୍ଦ୍ରିୟ ନିଗ୍ରହ ତିନୋଟି ସୋପାନ ଦେଇ ଅତିକ୍ରମ କରାହୁଏ । ଶମ, ଦମ, ଉପରତି । ଶମ ହେଉଛି ଇନ୍ଦ୍ରିୟମାନଙ୍କର ନିବାରଣ । ଉଚିତ ମାର୍ଗରେ ପରିଚାଳିତ କରିବାକୁ ପ୍ରବର୍ତ୍ତାଇବା, ଦମ ଇନ୍ଦ୍ରିୟ ନିୟନ୍ତ୍ରଣ ଓ ଉପରତି ନିରାକରଣ । ଇନ୍ଦ୍ରିୟ ନିରାକରଣ ଅର୍ଥ ସାଧକ ଦେଖିକରି ଦେଖିାରିବେ ନାହିଁ । ଶୁଣି ମଧ୍ୟ ଶୁଣି ପାରିବେ ନାହିଁ ଇତ୍ୟାଦି ।
ଧାରଣା
ସମ୍ପାଦନାଷଷ୍ଠ ଅଙ୍ଗ ହେଉଛି ଧାରଣା । ଏହା ଏକାଗ୍ରତାକୁ ବୁଝାଏ । ବିକ୍ଷିପ୍ତ ମନକୁ କୌଣସି ଏକ ବସ୍ତୁ ଉପରେ କେନ୍ଦ୍ରିତ କରିବାକୁ ଧାରଣା କୁହାଯାଏ ।
ଧ୍ୟାନ
ସମ୍ପାଦନାସପ୍ତମ ଅଙ୍ଗ ଧ୍ୟାନ ଅଟେ । ଏକ ବିଷୟବସ୍ତୁର ଜ୍ଞାନ ନିରନ୍ତର ଏକଭାବେ ପ୍ରବାହିତ ହେଲେ ତାହାକୁ ଧ୍ୟାନ କୁହାଯାଏ । ଏହି ଅବସ୍ଥାରେ କେବଳ ବିଷୟ ବସ୍ତୁର ଜ୍ଞାନ ରହେ ।
ସମାଧି
ସମ୍ପାଦନାସମାଧି ଅବସ୍ଥା ହେଉଛି ଯୋଗର ଉଚ୍ଚତମ ଅବସ୍ଥା । ଯଦି ମନ ଏକ ରୂପ ଉପରେ ନିବିଷ୍ଟ ରହେ ତାକୁ କହନ୍ତି ସମ୍ପ୍ରଜ୍ଞାତ ସମାଧି ଓ ନିରାକାର ଉପରେ ମନ ନିବିଷ୍ଟ ହେଲେ ଅସମ୍ପ୍ରଜ୍ଞାତ ସମାଧି କୁହାଯାଏ । ଯୋଗର ଅନ୍ତିମ ଲକ୍ଷ୍ୟ - ମୁକ୍ତି ।[୯]
ଆଧାର
ସମ୍ପାଦନା- ↑ Scott, John. Ashtanga Yoga: The Definitive Step-by-Step Guide to Dynamic Yoga. New York: Three Rivers Press, 2000. Pp. 14-17.
- ↑ Stern, Eddie, and Deirdre Summerbell. Sri K. Pattabhi Jois: A Tribute. New York: Eddie Stern and Gwyneth Paltrow, 2002. P. 35.
- ↑ ରାଜ ଯୋଗ, ସ୍ୱାମୀ ବିବେକାନନ୍ଦ, ରାମକୃଷ୍ଣ ମଠ, ଭୁବନେଶ୍ୱର
- ↑ ସରଳ ରାଜ ଯୋଗ, ସ୍ୱାମୀ ବିବେକାନନ୍ଦ, ରାମକୃଷ୍ଣ ମଠ, ଭୁବନେଶ୍ୱର |
- ↑ ସରଳ ରାଜ ଯୋଗ, ସ୍ୱାମୀ ବିବେକାନନ୍ଦ, ରାମକୃଷ୍ଣ ମଠ, ଭୁବନେଶ୍ୱର |
- ↑ ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ପ୍ରଥମ ଖଣ୍ଡ, ରାମକୃଷ୍ଣ ମଠ, ଭୁବନେଶ୍ୱର
- ↑ rkmbbsr.org
- ↑ ପତଞ୍ଜଳି ଯୋଗ ସୂତ୍ର, ରାମକୃଷ୍ଣ ମଠ, ଭୁବନେଶ୍ୱର
- ↑ ମହାନ୍ତି, ସଦାନନ୍ଦ (୨୧ ଜୁନ ୨୦୧୫). "ଯୋଗ ଏକ ଉନ୍ନତ ଜୀବନ ଶୈଳୀ". ସମାଜ. Archived from the original on 17 April 2014. Retrieved 21 June 2015.
{{cite news}}
: Check date values in:|date=
(help)