ମୁସ୍ତାଙ୍ଗ ଗୁମ୍ଫା
ମୁସ୍ତାଙ୍ଗ ଗୁମ୍ଫା ବା ନେପାଳର ଆକାଶ ଗୁମ୍ଫା (ଇଂରାଜୀ ଭାଷାରେ Mustang Caves ବା Sky Caves of Nepal) ନେପାଳର ମୁସ୍ତାଙ୍ଗ ଜିଲ୍ଲାରେସ୍ଥିତ ପ୍ରାୟ ୧୦୦୦୦ଟି କୃତ୍ରିମ ଗୁମ୍ଫାର ସମାହାରକୁ ବୁଝାଇଥାଏ । ଏକ ପାହାଡ଼ର ଉପତ୍ୟକାରେ ପଥର ଚଟାଣକୁ ଖୋଳି ଏଗୁଡ଼ିକର ନିର୍ମାଣ କରାଯାଇଥିଲା ।[୧] ଅନେକ ପ୍ରତ୍ନତତ୍ତ୍ୱବିତ ଓ ଗବେଷକ ଏହି ଅଞ୍ଚଳର ସର୍ବେକ୍ଷଣ କରି ଏଠାରୁ ୨୦୦୦-୩୦୦୦ ବର୍ଷ ପ୍ରାଚୀନ ସଂରକ୍ଷିତ ମାନବ ଅବଶେଷ ଉଦ୍ଧାର କରିଛନ୍ତି ।[୨] ଏହା ବ୍ୟତୀତ ଏଠାରେ ହୋଇଥିବା ବିଭିନ୍ନ ସର୍ବେକ୍ଷଣରୁ ଖ୍ରୀଷ୍ଟାବ୍ଦ ଦ୍ୱାଦଶରୁ ଚତୁର୍ଦ୍ଦଶ ଶତାବ୍ଦୀ କାଳର ବହୁ ମୂଲ୍ୟବାନ ବୌଦ୍ଧ ଚିତ୍ର, ମୂର୍ତ୍ତି, ପାଣ୍ଡୁଲିପି ତଥା ଅନ୍ୟାନ୍ୟ ସାମଗ୍ରୀ ଆବିଷ୍କୃତ ହୋଇପାରିଛି ।[୩][୪] ଉପର ମୁସ୍ତାଙ୍ଗରେ କାଳୀ ଗଣ୍ଡକୀ ନଦୀର ଏକ ଗଭୀର ଉପତ୍ୟକାରେ ଏହି ଗୁମ୍ଫାଗୁଡ଼ିକ ଖୋଦିତ । ଏହି ଗୁମ୍ଫାମାନଙ୍କର ନିର୍ମାତା ବା ଗୁମ୍ଫା ନିର୍ମାଣର କାରଣ ଏଯାବତ ଗବେଷକମାନଙ୍କୁ ଜଣା ପଡ଼ିନାହିଁ । ୧୯୯୬ ମସିହାରୁ ଏହି ସ୍ଥାନକୁ ୟୁନେସ୍କୋ (UNESCO) ନିଜର ସମ୍ଭାବ୍ୟ ବା ପରୀକ୍ଷାମୂଳକ ସ୍ଥାନର ତାଲିକାରେ ସ୍ଥାନ ଦେଇଛି ।[୫]
ମୁସ୍ତାଙ୍ଗ ଗୁମ୍ଫା | |
---|---|
ଉପର ମୁସ୍ତାଙ୍ଗ, ନେପାଳ ଯେଉଁଠାରେ ଆକାଶ ଗୁମ୍ଫାମାନ ଅବସ୍ଥିତ | |
Coordinates: 28°55′48″N 83°54′36″E / 28.93000°N 83.91000°E |
ଇତିହାସ
ସମ୍ପାଦନାବର୍ତ୍ତମାନର ମୁସ୍ତାଙ୍ଗ ଅଞ୍ଚଳରେ ପୂର୍ବେ ଉତ୍ତର ନେପାଳର ଲୋ ସାମ୍ରାଜ୍ୟ ଗଢ଼ି ଉଠିଥିଲା ଯାହାର ରାଜଧାନୀ ଥିଲା ଲୋମାନ୍ଥାଙ୍ଗ । ଅଷ୍ଟାଦଶ ଶତାବ୍ଦୀର ଶେଷ ବେଳକୁ ଏହି ରାଜ୍ୟ ନେପାଳରେ ସମ୍ମିଳିତ ହେଲା । ୧୯୯୨ ପର୍ଯ୍ୟନ୍ତ ଉପର ମୁସ୍ତାଙ୍ଗ ଏକ ଅଣସାମରିକ ସଂରକ୍ଷିତ ସ୍ଥଳ ଥିଲା । ପାରମ୍ପରିକ ତିବ୍ବତୀୟ ଭାଷାଭାଷୀ ଏଠାକାର ଅଧିବାସୀ ବାହ୍ୟ ଜଗତର ସଂସ୍ପର୍ଶରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଚ୍ଛିନ୍ନ ରହି ନିଜର ସଂସ୍କୃତି ଓ ଜୀବନ ଶୈଳୀକୁ ବହୁ ବର୍ଷ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖିଥିଲେ ।[୬] ୨୦୦୮ ମସିହା ଅକ୍ଟୋବର ୭ ତାରିଖ ଦିନ ଏକ ଗଣତନ୍ତ୍ର ହେବା ପରେ ନେପାଳ ସରକାରଙ୍କ ଆଦେଶାନୁସାରେ ଏଠାରେ ରାଜକୀୟ ଶାସନର ଅନ୍ତ ଘଟିଲା ।[୭]
ମାନବ ଅବଶେଷ
ସମ୍ପାଦନା୧୯୯୦ ଦଶନ୍ଧିର ମଧ୍ୟ ଭାଗରେ କୋଲୋନ୍ ବିଶ୍ୱବିଦ୍ୟାଳୟ ଏବଂ ନେପାଳର କିଛି ପ୍ରତ୍ନତତ୍ତ୍ୱବିତ ଏହି ଗୁମ୍ଫାଗୁଡ଼ିକର ପରୀକ୍ଷଣ କରି ସେଥିରୁ ପ୍ରାୟ ୨୦୦୦ ବର୍ଷ ପୁରୁଣା ଅନେକ ସଂରକ୍ଷିତ ମାନବ କଙ୍କାଳ (ମମୀକୃତ ମାନବ ଅବଶେଷ) ପାଇଥିଲେ ।[୨]
୨୦୧୦ ମସିହାରେ ପର୍ବତାରୋହୀ ଓ ପ୍ରତ୍ନତତ୍ତ୍ୱବିତମାନଙ୍କ ଆଉ ଏକ ଦଳ ସାମଜୋଙ୍ଗ ନିକଟରୁ ଦୁଇଟି ବିରାଟ ଗୁମ୍ଫା ଓ ତନ୍ମଧ୍ୟରୁ ଆଉ ୨୭ଟି ମାନବ ଅବଶେଷ ଖୋଜି ପାଇଥିଲେ । ଏହି ସବୁ ଅବଶେଷ ପ୍ରାୟ ୩ୟରୁ ୮ମ ଶତାବ୍ଦୀ ସମୟର ଯେତେବେଳକୁ ବୌଦ୍ଧ ଧର୍ମ ମୁସ୍ତାଙ୍ଗରେ ପହଞ୍ଚି ନଥିଲା । ଏହି ସବୁ ହାଡ଼ରେ କଟା ଦାଗ ରହିଥିଲା । ତିବ୍ବତୀୟ ବୋନ ଧର୍ମ ବା ବୌଦ୍ଧ ଧର୍ମରେ ବା ମିଳିତ ପ୍ରଥାନୁଯାୟୀ ଆକାଶ ସମାଧିର ପ୍ରଥା ଯୋଗୁଁ ଏପରି ସମାଧି ନିର୍ମାଣ କରାଯାଇଥିବା ବିଭିନ୍ନ ବୈଜ୍ଞାନିକ ଅନୁମାନ କରନ୍ତି । ବର୍ତ୍ତମାନ ସୁଦ୍ଧା ମୁସ୍ତାଙ୍ଗରେ କୌଣସି ବ୍ୟକ୍ତି ପ୍ରାଣ ହରାଇଲେ ସେମାନଙ୍କ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରିଦିଆଯାଏ ଯେପରିକି ଶାଗୁଣାମାନେ ସହଜରେ ଏଗୁଡ଼ିକୁ ଉଠାଇନେବେ । ମୁସ୍ତାଙ୍ଗର ଜୋମସୋମ ବିମାନବନ୍ଦରରୁ ଚାଲି ବାହାରିଲେ ୧୫ ମିନିଟ୍ ଦୂରରେ ମୁସ୍ତାଙ୍ଗ ଇକୋ ମ୍ୟୁଜିୟମ୍ ଅବସ୍ଥିତ । ଏହି ସଂଗ୍ରହାଳୟରେ ଗୁମ୍ଫାମାନଙ୍କରୁ ସଂଗୃହୀତ ଅନେକ ହାଡ଼, ମାଳି ଓ ଗଳା ହାର ଇତ୍ୟାଦି ରଖାଯାଇଛି ।[୮]
ଧାର୍ମିକ ମହତ୍ତ୍ୱ
ସମ୍ପାଦନା୨୦୦୭ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା, ଇଟାଲି ଓ ନେପାଳର ବିଭିନ୍ନ ଅନୁସନ୍ଧାନକାରୀ ଲୋମାନ୍ଥାଙ୍ଗ ନିକଟସ୍ଥ ଗୁମ୍ଫାମାନଙ୍କରୁ ତ୍ରୟୋଦଶ ଶତାବ୍ଦୀ କାଳର ଅନେକ ବୌଦ୍ଧ ଚିତ୍ର, ପାଣ୍ଡୁ ଲିପି, ମୃତ୍ତିକା ପାତ୍ରର ଅବଶେଷ ଓ କାରୁକାର୍ଯ୍ୟ ବିଶିଷ୍ଟ ବସ୍ତୁର ସନ୍ଧାନ ପାଇଥିଲେ ।[୩] ୨୦୦୮ ମସିହାରେ ହୋଇଥିବା ଅନ୍ୟ ଏକ ସର୍ବେକ୍ଷଣରେ ୬୦୦ ବର୍ଷ ପୁରୁଣା ମାନବ କଙ୍କାଳ, କିଛି ଚିତ୍ର ଓ ବୋନ-ବୌଦ୍ଧ ଧର୍ମର କିଛି ଲେଖା ମଧ୍ୟ ମିଳିଥିଲା ।[୯]
ବ୍ୟବହାର
ସମ୍ପାଦନାବୈଜ୍ଞାନିକମାନଙ୍କ ମତରେ ଉପର ମୁସ୍ତାଙ୍ଗର ଗୁମ୍ଫାମାନ ୩ଟି ବିଭିନ୍ନ ସମୟରେ ବ୍ୟବହୃତ ହୋଇଛି । ଖ୍ରୀଷ୍ଟପୂର୍ବ ୧୦୦୦ ସମୟରୁ ଏହି ଗୁମ୍ଫାଗୁଡ଼ିକୁ ସମାଧିସ୍ଥଳ ଭାବେ ବ୍ୟବହାର କରାଯାଉଥିଲା । ଖ୍ରୀଷ୍ଟାବ୍ଦ ଦଶମ ଶତାବ୍ଦୀ ବେଳକୁ ଏହି ଅଞ୍ଚଳରେ ଅନେକ ଯୁଦ୍ଧ ଘଟିଯାଇଥିବାରୁ ଲୋକେ ଏଠାରେ ନିଜ ପରିବାର ସହିତ ସୁରକ୍ଷିତ ରହିବା ପାଇଁ ଲୁଚି ରହୁଥିଲେ । ୧୪୦୦ ଶତାବ୍ଦୀ ବେଳକୁ ଏହି ଗୁମ୍ଫାଗୁଡ଼ିକ ଧ୍ୟାନ ପ୍ରକୋଷ୍ଠ, ଆଧ୍ୟାତ୍ମିକତା ତଥା ସାମରିକ ଦ୍ରବ୍ୟ ଗଚ୍ଛିତ ରଖିବା ପାଇଁ ବ୍ୟବହୃତ ହେଉଥିଲା ।
ଆଧାର
ସମ୍ପାଦନା- ↑ Finkel, Michael. "Sky Caves of Nepal". National Geographic. Archived from the original on 12 June 2013. Retrieved 27 August 2013.
- ↑ ୨.୦ ୨.୧ BBC. "The ancient mysteries of Mustang's caves". BBC. Retrieved 29 December 2016.
- ↑ ୩.୦ ୩.୧ Sharma, Gopal. "Explorers find ancient caves and paintings in Nepal". Reuters. Archived from the original on 4 January 2017. Retrieved 3 January 2017.
- ↑ Rahman, Maseeh. "Shepherd leads experts to ancient Buddha cave paintings". The Guardian. Retrieved 3 January 2017.
- ↑ "Cave architecture of Muktinath Valley of Mustang". UNESCO World Heritage Centre.
- ↑ Kaushik. "The mysterious caves of Mustang, Nepal". Amusing Planet. Retrieved 29 December 2016.
- ↑ Xinhua News Agency. "Nepali deputy PM asks district "king" to step down". China View News. Retrieved 3 January 2017.
- ↑ "ABC Travel Guide: Museums of Nepal".
- ↑ Owen, James. ""Shangri-La" caves yield treasures, skeletons". National Geographic. Retrieved 3 January 2017.