ମାମାୟେଭ୍ କୁର୍ଗାନ

ମାମୟେଭ୍ କୁର୍ଗାନ (ଇଂରାଜୀ ଭାଷାରେ Mamayev Kurgan, ଋଷୀୟ ଭାଷାରେ Мамаев курган) ଦକ୍ଷିଣ ଋଷର ଭୋଲ୍ଗୋଗ୍ରାଡ୍ (ପୁରାତନ ଷ୍ଟାଲିନ୍‍ଗ୍ରାଡ୍) ସହରରେ ଥିବା ଏକ ଉଚ୍ଚଭୂମି (ବା ପାହାଡ଼) ତଥା ସ୍ମୃତି ସ୍ଥଳ । ଋଷୀୟ ଭାଷାରେ ଏହାର ନାମର ଅର୍ଥ ହେଲା "ମାମାଇଙ୍କ ମୁଣ୍ଡିଆ ପାହାଡ଼" ।[] ଏହି ପାହାଡ଼କୁ ଷ୍ଟାଲିନ୍‍ଗ୍ରାଡ୍ ଯୁଦ୍ଧର (ଅଗଷ୍ଟ ୧୯୪୨ରୁ ଫେବୃଆରୀ ୧୯୪୩) ସ୍ମୃତି ସ୍ମାରକୀ ରୂପେ ବିବେଚନା କରାଯାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସୋଭିଏତ ସଂଘ ଓ କେନ୍ଦ୍ର ଶକ୍ତି ଦେଶମାନଙ୍କ ମଧ୍ୟରେ ଷ୍ଟାଲିନ୍‍ଗ୍ରାଡ୍ ସହରରେ ଏକ ବୀଭତ୍ସ ଯୁଦ୍ଧ ସଂଘଟିତ ହୋଇଥିଲା ଓ ଏହି ଯୁଦ୍ଧରେ ସୋଭିଏତର ସେନା ଅତି ବୀରତାର ସହ ଲଢ଼ିଥିଲେ ।[] ୧୯୬୭ ମସିହାରେ ଏଠାରେ ନିର୍ମିତ ମାତୃଭୂମିର ଡାକ (The Motherland Calls) ପ୍ରତିମୂର୍ତ୍ତି ସେହି କାଳର ମୁକ୍ତ ଭାବେ ଦଣ୍ଡାୟମାନ ବିଶ୍ୱର ବୃହତ୍ତମ ମୂର୍ତ୍ତି ଥିଲା ।[] ବର୍ତ୍ତମାନ ଏହା ବିଶ୍ୱର ସର୍ବୋଚ୍ଚ ନାରୀ ପ୍ରତିମୂର୍ତ୍ତି ।

ମାମାୟେଭ୍ କୁର୍ଗାନରେ ମାତୃଭୂମିର ଡାକ ପ୍ରତିମୂର୍ତ୍ତି

ଷ୍ଟାଲିନ୍‍ଗ୍ରାଡ୍ ଯୁଦ୍ଧ

ସମ୍ପାଦନା
 
ଯୁଦ୍ଧ ସ୍ମୃତି ବହନ କରୁଥିବା ମୁଦ୍ରା

୧୯୪୨ ମସିହା ସେପ୍ଟେମ୍ବର ୧୩ ତାରିଖରେ ୬ଷ୍ଠ ଜର୍ମାନ ସେନାବାହିନୀ ଷ୍ଟାଲିନ୍‍ଗ୍ରାଡ୍ ସହର ଉପରେ ଆକ୍ରମଣ କରିଥିଲେ । ମାମାୟେଭ୍ କୁର୍ଗାନରେ ସୋଭିଏତ ସେନାର ୬୨ତମ ବାହିନୀ ଓ ଜର୍ମାନ ସେନା ମଧ୍ୟରେ ତୁମୁଳ ସଂଘର୍ଷ ହୋଇଥିଲା । ଏହି ପାହାଡ଼କୁ ଅଧିକାର କରିବା ଉଭୟ ସେନା ପାଇଁ ଆବଶ୍ୟକ ଥିଲା ଯାହା ଫଳରେ ଷ୍ଟାଲିନ୍‍ଗ୍ରାଡ୍ ସହରକୁ ନିୟନ୍ତ୍ରଣ କରିବା ସହଜ ହୋଇଥାନ୍ତା । ପାହାଡ଼କୁ ରକ୍ଷା କରିବା ପାଇଁ ସୋଭିଏତ ସୈନ୍ୟମାନେ ଏହାର ଢାଲୁରେ ବିଭିନ୍ନ ଗାତରେ ସୈନ୍ୟ ସଜ୍ଜା କରିଥିଲେ ଓ ଭୂତଳ ବୋମା (ଲ୍ୟାଣ୍ଡମାଇନ୍) ଖଞ୍ଜିଥିଲେ । ଜର୍ମାନ ସେନାର ଅଧିକାଂଶ ସୈନ୍ୟ ମୃତାହତ ହେବା ସତ୍ତ୍ୱେ ସେମାନେ ପାହାଡ଼ ଅଧିକାର କରିନେଲେ ଓ ସହର ଓ ସହରର ରେଳ ଷ୍ଟେସନ ଉପରକୁ ଗୁଳିଗୋଳା ବର୍ଷଣ କରିଥିଲେ । ୧୯୪୨ ମସିହା ସେପ୍ଟେମ୍ବର ୧୪ ତାରିଖରେ ଜର୍ମାନ ସେନା ଭୋଲ୍ଗୋଗ୍ରାଡ୍ ରେଳ ଷ୍ଟେସନ୍ ଅଧିକାର କରିନେଲେ ।

ସେହି ଦିନ ପ୍ରବଳ ଗୁଳିବର୍ଷଣ ସହି ଆଲେକ୍‍ଜାଣ୍ଡାର୍ ରୋଡିମତ୍ସେଭ୍‍ଙ୍କ ନେତୃତ୍ୱରେ ସୋଭିଏତ ୧୩ଶ ଗାର୍ଡ୍ସ ରାଇଫଲ୍ ବିଭାଗ ଭୋଲ୍ଗା ନଦୀ ପଟରୁ (ପୂର୍ବ ଦିଗରୁ) ସହରରେ ଆସି ପହଞ୍ଚିଲେ । ଡିଭିଜନ୍‍ର ୧୦୦୦୦ ସୈନ୍ୟ ତୁରନ୍ତ ଯୁଦ୍ଧରେ ମାତିଗଲେ । ସେପ୍ଟେମ୍ବର ୧୬ ତାରିଖ ଦିନ ସୋଭିଏତ ସେନା ମାମାୟେଭ୍ କୁର୍ଗାନକୁ ପୁଣି ଅକ୍ତିଆରକୁ ଆଣିଥିଲେ ।[] ରେଳ ଷ୍ଟେସନକୁ ନିଜ କବ୍‍ଜାକୁ ନେବା ପାଇଁ ସେମାନେ ଯୁଦ୍ଧ କଲେ । ଗୋଟିଏ ଦିନର ଯୁଦ୍ଧ ପରେ ପ୍ରାୟ ସମସ୍ତ ସୋଭିଏତ ସୈନ୍ୟ ମୃତାହତ ହୋଇଥିଲେ । ସୋଭିଏତ ସେନାରେ ଅଧିକ ସୈନ୍ୟ ମିଶୁଥିଲେ ଓ ଜର୍ମାନ ସେନା ସହ ଯୁଦ୍ଧ ଅବ୍ୟାହତ ରହିଥିଲା ।

ପାହାଡ଼ ଉପରେ ପ୍ରଭୁତ୍ୱ ଦୁଇ ସେନା ମଧ୍ୟରେ ବହୁ ଥର ବଦଳିଥିଲା । ସେପ୍ଟେମ୍ବର ୨୭ ବେଳକୁ ଜର୍ମାନମାନେ ପୁନର୍ବାର ମାମାୟେଭ୍ କୁର୍ଗାନ ଅଧିକାର କରିନେଲେ ।[] ୨୮୪ତମ ରାଇଫଲ୍ ବାହିନୀ ନେତୃତ୍ୱରେ ସୋଭିଏତ ସେନା ୧୯୪୩ ମସିହା ଜାନୁଆରୀ ୨୬ ପର୍ଯ୍ୟନ୍ତ ପାହାଡ଼ର ପ୍ରତିରକ୍ଷା କରିଥିଲେ । ତା’ର ସପ୍ତାହେ ପରେ ସୋଭିଏତ ସେନା ପ୍ରତ୍ୟାକ୍ରମଣ କରିବାରୁ ଜର୍ମାନ ସେନା ପରାସ୍ତ ହୋଇଥିଲା ।

ଯୁଦ୍ଧ ସରିବା ବେଳକୁ ପାହାଡ଼ର ମାଟି ଗୁଳି ଓ ଧାତବ ଅବଶେଷରେ ପୋତି ହୋଇ ରହିଥିଲା । ପ୍ରତି ବର୍ଗ ମିଟରରେ ୫୦୦-୧୨୫୦ ଧାତବ ଖଣ୍ଡ ପଡ଼ି ରହିଥିଲା । ଶୀତଋତୁରେ ତୁଷାରପାତ ସତ୍ତ୍ୱେ ପାହାଡ଼ର ମାଟି କଳା ରହିଥିଲା ଓ ବିସ୍ଫୋରଣ ଯୋଗୁଁ ବରଫ ତରଳି ଯାଉଥିଲା । ବସନ୍ତ ଋତୁରେ ମଧ୍ୟ ପାହାଡ଼ର ମାଟିରେ ଗଛ ଘାସ ନ କଅଁଳିବାରୁ ମାଟି କଳା ରହିଲା । ପାହାଡ଼ର ଆକାରରେ ପରିବର୍ତ୍ତନ ଘଟିଥିଲା । ବର୍ତ୍ତମାନ ସୁଦ୍ଧା ସେହି ପାହାଡ଼ରୁ ଅସ୍ଥି ଓ ଧାତବ ଅବଶେଷ ମିଳିବାର ସମ୍ଭାବନା ରହିଛି ।

ସ୍ମୃତି ସ୍ଥଳ

ସମ୍ପାଦନା
 
ସଦା ପ୍ରଜ୍ଜ୍ୱଳିତ ମଶାଲ

ଯୁଦ୍ଧ ପରେ ସୋଭିଏତ ରାଷ୍ଟ୍ର ଏଠାରେ ମାମାୟେଭ୍ କୁର୍ଗାନ ଯୁଦ୍ଧ ସ୍ମାରକ ସ୍ଥଳର ନିର୍ମାଣ କରାଇଲା । ଷ୍ଟାଲିନ୍‍ଗ୍ରାଡ୍ ଯୁଦ୍ଧରେ ସୋଭିଏତ ସେନାର ନେତୃତ୍ୱ ନେଇଥିବା ଭାସିଲି ଚୁଇକୋଭ୍‍ଙ୍କୁ ମାମାୟେଭ୍ କୁର୍ଗାନରେ ସମାଧି ଦିଆଯାଇଥିଲା । ଭାସିଲି ହେଉଛନ୍ତି ସୋଭିଏତର ଏକମାତ୍ର ସେନା ମାର୍ଶାଲ୍ ଯାହାଙ୍କ ସମାଧିସ୍ଥଳ ମସ୍କୋ ବାହାରେ ରହିଛି । ସ୍ନାଇପର୍ ବନ୍ଧୁକଧାରୀ ଜବାନ ଭାସିଲି ଯାୟତ୍ସେଭଙ୍କୁ ମଧ୍ୟ ଏଠାରେ ୨୦୦୬ ମସିହାରେ ପୁନଃ ସମାଧି ଦିଆଯାଇଥିଲା ।

୧୯୫୯ରୁ ୧୯୬୭ ପର୍ଯ୍ୟନ୍ତ ଏହି ବୃହତ ସ୍ମୃତି ସ୍ଥଳ ନିର୍ମାଣ କରାଯାଇଥିଲା । ପାହାଡ଼ ଉପରେ ମାତୃଭୂମିର ଡାକ ସୂଚକ ପ୍ରତିମୂର୍ତ୍ତି (Родина-мать зовёт! – ରୋଡିନା ମାଟ୍ ଜୋଭ୍ୟୋତ୍) ମଧ୍ୟ ସ୍ଥାପିତ ହେଲା । ୟେଭଗେନି ୱୁଚେଟିଚ୍ ଏହି ମୂର୍ତ୍ତିର ସ୍ଥପତି ଥିଲେ । ଏହି କଂକ୍ରିଟ୍ ମୂର୍ତ୍ତିର ଉଚ୍ଚତା ୫୨ ମିଟର, ଗୋଡ଼ରୁ ଖଣ୍ଡାର ଶୀର୍ଷ ପର୍ଯ୍ୟନ୍ତ ଉଚ୍ଚତା ୮୫ ମିଟର ଓ ଖଣ୍ଡାର ଦୈର୍ଘ୍ୟ ୨୭ ମିଟର । ଏହି ବିଶାଳ ପ୍ରତିମୂର୍ତ୍ତିର ନିର୍ମାଣ ପାଇଁ ଅଧିକାଂଶରେ କଂକ୍ରିଟ୍ ବ୍ୟବହୃତ ହୋଇଛି । ମୂର୍ତ୍ତିର ଖଣ୍ଡାରେ ଇସ୍ପାତ ବ୍ୟବହୃତ ହୋଇଛି । ମୂର୍ତ୍ତିଟିର ସମ୍ପୂର୍ଣ୍ଣ ଓଜନ ମୂର୍ତ୍ତି ନିମ୍ନସ୍ଥ ପୀଠ ଉପରେ ରହିଛି ।

 
ମାମାୟେଭ୍ କୁର୍ଗାନର ମୂର୍ତ୍ତି ପାଦଦେଶରୁ ଭୋଲ୍ଗା ନଦୀ ଆଡ଼କୁ ଦେଖି ନିଆଯାଇଥିବା ଫଟୋଚିତ୍ର

ଆହୁରି ଦେଖନ୍ତୁ

ସମ୍ପାଦନା
  1. Mamai commanded the Tatar Golden Horde in the 1370s — no historical evidence exists of his burial on the site.
  2. Roberts, Geoffrey (2006). Stalin's Wars. Yale University Press. p. 154. ISBN 978-0-300-11204-7.
  3. Antill, Peter (2007) Stalingrad 1942, Osprey Publishing. ISBN 1-84603-028-5
  4. Zhukov, Georgy (1974). Marshal of Victory, Volume II. Pen and Sword Books Ltd. p. 98. ISBN 9781781592915.
  5. Adam, Wilhelm; Ruhle, Otto (2015). With Paulus at Stalingrad. Translated by Tony Le Tissier. Pen and Sword Books Ltd. pp. 67–68. ISBN 9781473833869.

ଅନ୍ୟାନ୍ୟ ଲିଂକ୍

ସମ୍ପାଦନା

48°44′33″N 44°32′13″E / 48.74250°N 44.53694°E / 48.74250; 44.53694