ମାଦ୍ରୀ‌ ଥିଲେ ମାଦ୍ର ଦେଶର ରାଜକୁମାରୀ ତଥା ଶଲ୍ୟଙ୍କ ଭଉଣୀ । ସେ ହସ୍ତିନାପୁରର ରାଜା ପାଣ୍ଡୁଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ପୁତ୍ର ହେଉଛନ୍ତି ନକୁଳ ଏବଂ ସହଦେବ ।

ପୌରାଣିକ ଉପାଖ୍ୟାନ

ସମ୍ପାଦନା

ଥରେ ମାଦ୍ର ନରେଶ ରାଜା ପାଣ୍ଡୁଙ୍କୁ ସଙ୍କଟ ସମୟରେ ଯୁଦ୍ଧରେ ସାହାଯ୍ୟ ମାଗିଥିଲେ । ରାଜା ପାଣ୍ଡୁ ମାଦ୍ର ଦେଶକୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ତାଙ୍କୁ ଯୁଦ୍ଧରେ ସାହାଯ୍ୟ କରିଥିଲେ । ତାଙ୍କ ସାହାଯ୍ୟରେ ମାଦ୍ର ନରେଶ ଯୁଦ୍ଧରେ ଜିତିଥିଲେ ଏବଂ ପ୍ରିତୀପୂର୍ବକ ମାଦ୍ର ନରେଶ ତାଙ୍କ ଝିଅ ମାଦ୍ରି ସହ ରାଜା ପାଣ୍ଡୁଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଭୀଷ୍ମଙ୍କ ପରାମର୍ଶ କ୍ରମେ ରାଜା ପାଣ୍ଡୁ ମାଦ୍ରୀଙ୍କୁ ତାଙ୍କ ପତ୍ନୀରୂପେ ବରଣ କରିଥିଲେ ।[] ଏହାଛଡା ପାଣ୍ଡୁଙ୍କର ଅନ୍ୟ ଏକ ପତ୍ନୀ ଥିଲେ କୁନ୍ତୀ

ଋଷି କିନ୍ଦମଙ୍କ ଅଭିଶାପ

ସମ୍ପାଦନା

ଥରେ ମହାରାଜ ପାଣ୍ଡୁ ତାଙ୍କ ଦୁଇ ରାଣୀ କୁନ୍ତୀ ଏବଂ ମାଦ୍ରିଙ୍କ ସହ ବନ ବିହାର କରୁଥିଲେ । ସେହି ସମୟରେ ବନ ମଧ୍ୟରେ ଋଷି କିନ୍ଦମ ଏବଂ ତାଙ୍କ ପତ୍ନୀ ହରିଣ ଏବଂ ହରିଣୀ ରୂପରେ ଦୈହିକ ସମ୍ଭୋଗ କରୁଥିଲେ । ରାଜା କିନ୍ତୁ ଏକଥା ନ ଜାଣିପାରି ଦୂରରୁ ହରିଣର ଭ୍ରାନ୍ତିରେ ଏକ ତୀର ଚଳାଇଲେ, ଯାହା କିନ୍ଦମ ଋଷିଙ୍କ ଦେହରେ ବିଦ୍ଧ ହେବା ଫଲରେ ସେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ପୂର୍ବରୁ ଋଷି କ୍ରୋଧ ବଶତଃ ପାଣ୍ଡୁଙ୍କୁ ଅଭିଶାପ ଦେଇଥିଲେ ଯେ ସେ ଯେପରି ମରୁଛନ୍ତି, ସେହିଭଳି ପାଣ୍ଡୁ ଯେତେବେଳେ ବି ତାଙ୍କ ପତ୍ନୀଙ୍କ ସହ ସମ୍ଭୋଗ କରିବେ, ସେ ମଧ୍ୟ ମରିବେ ।[] ସେହି ସମୟରେ ପାଣ୍ଡୁଙ୍କର କୌଣସି ସନ୍ତାନ ନଥିଲେ ଏବଂ ଏହି କାରଣରୁ ସେ ବିଚଳିତ ହୋଇଥିଲେ । ସେ ତାଙ୍କ ବଡ଼ ରାଣୀ କୁନ୍ତୀଙ୍କୁ ଏହା କହିଥିଲେ । ତା’ପରେ କୁନ୍ତୀ କହିଛନ୍ତି ଯେ ଦୁର୍ବାସା ଋଷିଙ୍କ ବର ଯୋଗୁଁ ସେ ଯେ କୌଣସି ଦେବତାଙ୍କୁ ଆବାହନ କଲେ ତାଙ୍କଠାରୁ ସନ୍ତାନ ପାଇପାରିବେ । ତା’ପରେ ପାଣ୍ଡୁଙ୍କ ଆଦେଶରେ କୁନ୍ତୀ ଗୋଟିଏ ପରେ ଗୋଟିଏ ଅନେକ ଦେବତାଙ୍କୁ ଡାକିଲେ । ଏହିପରି ମାଦ୍ରି ମଧ୍ୟ ଦେବତାମାନଙ୍କୁ ଡାକିଲେ । ତା’ପରେ କୁନ୍ତୀ ତିନି ଏବଂ ମାଦ୍ରି ଦୁଇ ପୁଅ ଲାଭ କଲେ, ଯେଉଁମାନଙ୍କ ମଧ୍ୟରୁ ଯୁଧିଷ୍ଠିର ଜ୍ୟେଷ୍ଠ ଥିଲେ । କୁନ୍ତୀଙ୍କ ଅନ୍ୟ ପୁଅମାନେ ହେଲେ ଭୀମ ଏବଂ ଅର୍ଜୁନ ଏବଂ ମାଦ୍ରିଙ୍କ ପୁଅମାନେ ହେଲେ ନକୁଳ ଏବଂ ସହଦେବ ।

ମୃତ୍ୟୁ

ସମ୍ପାଦନା

ବର୍ଷା ଋତୁ ସମୟରେ ଏକଦା ପାଣ୍ଡୁ ଏବଂ ମାଦ୍ରି ଜଙ୍ଗଲରେ ଥିଲେ । ସେହି ସମୟରେ ପାଣ୍ଡୁ ତାଙ୍କର କାମନାର ଆବେଗକୁ ନିୟନ୍ତ୍ରଣ କରିପାରିନଥିଲେ ଏବଂ ମାଦ୍ରିଙ୍କ ସହ ସମ୍ଭୋଗ କଲେ । ଫଳ ସ୍ୱରୂପ, ଋଷି କିନ୍ଦମଙ୍କ ଅଭିଶାପ ଯୋଗୁଁ ମହାରାଜ ପାଣ୍ଡୁଙ୍କ ମୃତ୍ୟୁ ଘଟିଥିଲା । ପତିଙ୍କ ଦୁଃଖରେ ମ୍ରିୟମାଣ ମାଦ୍ରୀ ନିଜର ସନ୍ତାନମାନଙ୍କ ଭାର କୁନ୍ତୀଙ୍କ ହାତରେ ସମର୍ପି ଦେଇ ଅଗ୍ନିରେ ଦେହତ୍ୟାଗ କରିଥିଲେ ।[]

  1. "Into the Myths: A Realistic Approach Towards Mythology and Epic". www.books.google.co.in (in ଇଂରାଜୀ). Partridge Publishing. 20 December 2019. Retrieved 31 December 2020.
  2. Ramankutty, P.V. (1999). Curse as a motif in the Mahābhārata (1. ed.). Delhi: Nag Publishers. ISBN 9788170814320.
  3. Fang, Liaw Yock (2013). A History of Classical Malay Literature (in ଇଂରାଜୀ). Institute of Southeast Asian. ISBN 978-981-4459-88-4.