ଭାରତରେ ଜନସ୍ୱାର୍ଥ ମାମଲା
ଜନସ୍ୱାର୍ଥ ମାମଲା (PIL) ଭାରତୀୟ ଆଇନ ବ୍ୟବସ୍ଥାରେ ସାର୍ବଜନିକ ହିତ ତଥା ଅଧିକାରର ରକ୍ଷା ନିମିତ୍ତ ମାମଲା ଦାୟର ପାଇଁଁ ଏକ ଆଇନଗତ ପ୍ରାବଧାନ । ଅନ୍ୟସବୁ ଅଦାଲତି ମାମଲା ଭଳି ଏହି ମାମଲାରେ ସର୍ବଦା ପୀଡ଼ିତ ପକ୍ଷ ନିଜେ ଅଦାଲତକୁ ଯିବା ଜରୁରୀ ନୁହେଁଁ । ଏହା ଭାରତର ଯେ କୌଣସି ନାଗରିକଦ୍ୱାରା ଏବଂ ଆବଶ୍ୟକ ସ୍ଥଳେ ସ୍ୱୟଂ ଅଦାଲତଦ୍ୱାରା ଆଗତ କରାଯାଇପାରିବ । ଭାରତରେ ଜନହିତ ମାମଲା ଜରିଆରେ ବହୁ କ୍ଷେତ୍ରରେ ଯେପରିକି ବିଚାରାଧୀନ ବନ୍ଦୀ, ବାଳଶ୍ରମିକ, ପର୍ଯ୍ୟାବରଣ, ଗ୍ରାହକ ସେବା, ଶିକ୍ଷା, ରାଜନୀତି, ନିର୍ବାଚନ, ମାନବାଧୀକାର ଏପରିକି ନ୍ୟାୟପାଳିକାକୁ ମଧ୍ୟ ପ୍ରଭାବିତ କରିପାରିଛି । ଭାରତର ସମ୍ବିଧାନରେ ଏହାର ପରିଭାଷା ଦେଖିବାକୁ ନ ମିଳିଲେ ମଧ୍ୟ ଭାରତର ଉଚ୍ଚତମ ନ୍ୟାୟାଳୟଙ୍କ ସାମ୍ବିଧାନିକ ବ୍ୟାଖ୍ୟାରୁ ଏହାର ବ୍ୟୁତ୍ପତ୍ତି ।
ଇତିହାସ
ସମ୍ପାଦନାଜନହିତ ମାମଲା ଅନ୍ୟ ସାଧାରଣ ଅଦାଲତି ମାମଲାଠାରୁ ଭିନ୍ନ । ଭାରତୀୟ ନ୍ୟାୟୀକ ବ୍ୟବସ୍ଥାରେ ପ୍ରାରମ୍ଭରୁ ଏହି ପ୍ରାବଧାନ ବା ବ୍ୟବସ୍ଥା ନ ଥିଲେ ବି ବିଭିନ୍ନ କାରଣରୁ ସତୁରୀ ଏବଂ ଅଶୀ ଦଶକ ମଧ୍ୟରେଏହାର ବିକାଶ ହୋଇଛି । ଡିସେମ୍ବର ୧୯୭୯ ମସିହାରେ ଆବେଦନକାରୀ କପିଲ ହିଙ୍ଗୋରାନୀ ବିହାରର ବିଭିନ୍ନ କାରାଗାରରେ ରହିଥିବା ବିଚାରାଧୀନ ବନ୍ଦୀମାନଙ୍କର ଦୁର୍ଦ୍ଦଶାକୁ ନେଇ ଭାରତର ଉଚ୍ଚତମ ନ୍ୟାୟାଳୟରେ ଏକ ମାମଲା ଦାୟର କରିଥିଲେ । ମାମଲାଟି ପ୍ରକୃତରେ କୋଉଣସି ନିର୍ଦ୍ଦିଷ୍ଟ ବିଚାରାଧୀନ ବନ୍ଦୀ ଦାୟର କରି ନ ଥିଲେ ବରଂ ଏହା ଏକାଧିକ ବିଚାରାଧୀନ ବନ୍ଦୀଙ୍କଦ୍ୱାରା ଦାୟର କରାଯାଇଥିଲା । ଆବେଦନକାରୀଭାବେ ହୁସେନ୍ନାରା ଖାତୁନ କରିଥିବା ଏହି ମାମଲାଟି ବିଚାରପତି ଜଷ୍ଟିସ କ୍ରୀଷ୍ଣା ଆୟାରଙ୍କ୍ ଇଜଲାସରେ ଶୁଣାଣି ହୋଇଥିଲା । ପରବର୍ତ୍ତୀ ସମୟରେ ମାମଲାଟି ହୁସେନ୍ନାରା ଖାତୁନ ବନାମ ବିହାର ରାଜ୍ୟ ଭାବେ ଜ୍ଞାତ ହୋଇଥିଲା । ଉକ୍ତ ମାମଲାରେ ଉଚ୍ଚତମ ନ୍ୟାୟାଳୟ ଆଦେଶ ଜାରି କଲେ କି, ବିଚାରାଧୀନ ବନ୍ଦୀମାନେ ତ୍ୱରିତ ନ୍ୟାୟ ତଥା ଆଇନଗତ ସହାୟତା ପାଇବା ପାଇଁଁ ହକ୍ଦାର ଅଟନ୍ତି । ଅଦାଲତଙ୍କ ଏହି ରାୟ ଫଳରେ ବିହାର କାରାଗାରରେ ବିଚାରାଧୀନ ଅନେକ ବନ୍ଦୀ ଜେଲରୁ ମୁକୁଳିବା ସହ ଅନେକ ମାମଲାର ତ୍ୱରିତ ଫୈସଲା ହୋଇଥିଲା । ଏହି ରାୟ ଫଳରେ ଭାରତୀୟ ବିଚାର ବ୍ୟବସ୍ଥାରେ ଏକ ନୂତନ ପରିଭାଷାର ସୂତ୍ରପାତ ହେଲା । ପରବର୍ତ୍ତୀ ସମୟରେ ଅନ୍ୟ ଏକ ମାମଲା ଏସ୍. ପି. ଗୁପ୍ତା ବନାମ ଭାରତ ସରକାରରେ ଜନହିତ ମାମଲାର ସଜ୍ଞା ପରିଭାଷିତ କରିଥିଲେ । ଏହାଫଳରେ ଭାରତୀୟ ନ୍ୟାୟୀକ ବ୍ୟବସ୍ଥାରେ ଜନହିତ ମାମଲା ସନ୍ଦର୍ଭରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହେଲା । [୧][୨]
ଜନହିତ ମାମଲାର ଏହି ନୂତନ ପରିଭାଷା ବାସ୍ତବରେ ଭାରତୀୟ ସମ୍ବିଧାନର ଧାରା ୩୯-(କ) ପ୍ରକାରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁଁ ଉଦ୍ଦିଷ୍ଟ । ଅଶୀ ଦଶକ ପୂର୍ବରୁ କେବଳ ପୀଡ଼ିତ ହିଁଁ ବାଦୀ ଭାବେ ନ୍ୟାୟ ପାଇଁଁ ଅଦାଲତି ମାମଲା ଦାୟର କରିପାରୁଥିଲେ । କିନ୍ତୁ ଉଚ୍ଚତମ ନ୍ୟାୟାଳୟଙ୍କ ଏହି ନୂତନ ବିଧି ବ୍ୟବସ୍ଥା ଫଳରେ ବହୁଜନ ହିତ ସାଧନ ନିମିତ୍ତ ଏକ ମାମଲା ଭାରତର ଯେ କେହି ନାଗରିକ ବା ବେସରକାରୀ ସଂଗଠନ(NGO) ଦାୟର କରିପାରିବେ । ଏପରିକି ଅନେକ ସମୟରେ ଘଟଣର ଗୁରୁତ୍ୱ ଦୃଷ୍ଟିରୁ ନ୍ୟାୟାଳୟକୁ ପଠାଯାଇଥିବା ପତ୍ରଟିଏକୁ ମଧ୍ୟ ନ୍ୟାୟାଳୟ ଜନହିତ ମାମଲା ଭାବେ ଗ୍ରହଣ କରି ଏହାର ବିଚାର କରିଥାଆନ୍ତି ।[୩]
ବିଶେଷତ୍ୱ
ସମ୍ପାଦନା- ଜନହିତ ମାମଲା ବସ୍ତୁତଃ ରାଜ୍ୟ ସରକାର, କେନ୍ଦ୍ର ସରକାର ତଥା ସରକାରୀ କିମ୍ବା ବେସରକାରୀ ସଂସ୍ଥା ବିରୁଦ୍ଧରେ ଦାୟର ହୋଇପାରିବ । ଏହା କେହି ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦାୟର ନ ହେଲେ ବି ବ୍ୟକ୍ତି ବିଶେଷ ଏହି କ୍ଷେତ୍ରରେ ପ୍ରତିବାଦୀ ହୋଇପାରିବେ ।
- ଜନହିତ ମାମଲା ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କ ଅଧିକାର ପାଇଁଁ ନ ହୋଇ ବହୁଜନ ହିତାୟ ବା ସାର୍ବଜନିକ ହିତ/ଅଧିକାର ସକାଶେ ଦାୟର ହେବା ଜରୁରୀ ।[୪]
- ଜନହିତ ମାମଲା ବିଚାର ସାଧାରଣତଃ ସମ୍ବିଧାନର ଧାରା ୨୨୬ ଅନୁଯାୟୀ ଉଚ୍ଚ ନ୍ୟାୟାଳୟରେ କିମ୍ବା ସମ୍ବିଧାନର ଧାରା ୩୨ ଅନୁଯାୟୀ ଉଚ୍ଚତମ ନ୍ୟାୟାଳୟରେ ହିଁଁ ଦାୟର କରାଯାଇପାରିବ ।[୫]
- ଜନହିତ ମାମଲାର ସୁପରିଚାଳନା ନିମିତ୍ତ ଅନେକ ସମୟରେ ସଂପୃକ୍ତ ଉଚ୍ଚନ୍ୟାୟାଳୟ କିମ୍ବା ଉଚ୍ଚତମ ନ୍ୟାୟାଳୟ ଆବଶ୍ୟକୀୟ ଆଇନ ପ୍ରଣୟନ କରିଥାନ୍ତି । ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏ ସଂକ୍ରାନ୍ତରେ "Orissa High Court Public Interest Litigation rules, 2010" ପ୍ରଣୟନ କରିଛନ୍ତି ।[୬]
କେତେକ ଐତିହାସିକ ଜନହିତ ମାମଲା
ସମ୍ପାଦନା- Vishaka v. State of Rajasthan
କର୍ମ କ୍ଷେତ୍ରରେ ହେଉଥିବା ଯୌନ ଉତ୍ପୀଡନ ବିରୁଦ୍ଧରେ ଏହି ମାମଲା Bhanwari Deviଙ୍କଦ୍ୱାରା ଭାରତର ଉଚ୍ଚତମ ନ୍ୟାୟାଳୟରେ ଆଗତ କରାଯାଇଥିଲା । ଏହି ମାମଲାର ରାୟ ଫଳରେ କର୍ମ କ୍ଷେତ୍ରରେ ହେଉଥିବା ଯୌନ ଉତ୍ପୀଡନକୁ ବ୍ୟକ୍ତି ବିଶେଷର ସାମ୍ବିଧାନିକ ଅଧିକାରର ହନନ ବୋଲି ମାନ୍ୟ ହେଲା ଏବଂ ଏହା ରୋକିବା ପାଇଁଁ ଉଚ୍ଚତମ ନ୍ୟାୟାଳୟ ବିଧିବଦ୍ଧ ଦିଶାନିର୍ଦ୍ଦେଶ ଜାରୀ କରିଛନ୍ତି ।[୭]
- M. C. Mehta v. Union of India
ଉକ୍ତ ଜନହିତ ମାମଲା ଉଚ୍ଚତମ ନ୍ୟାୟାଳୟ ତିନୋଟି ଗୁରୁତ୍ୱପୂର୍ଣ୍ଣ ରାୟ ସହ ଏକାଧିକ ଆଦେଶ ଜାରି କରିଛନ୍ତି । ପରିବେଶକୁ ପ୍ରହୁଷଣ କରୁଥିବା ଅନେକ କଳ କାରଖାନା ବନ୍ଦ ହେବା ସହ ପ୍ରଦୁଷଣ ରୋକିବା ଦିଗରେ ଏହି ରାୟ ସୁଦୂର ପ୍ରସାରୀ ପ୍ରଭାବ ପକାଇପାରିଛି ।[୮]
ଆଧାର
ସମ୍ପାଦନା- ↑ "What is a PIL". Archived from the original on 16 November 2018. Retrieved 10 May 2018.
- ↑ "PIL-A boon or bane". Retrieved 10 May 2018.
- ↑ "What is PIL". Retrieved 10 May 2018.
- ↑ "Public Interest Litigation (PIL) in India". Retrieved 10 May 2018.
- ↑ "History of PIL in India". Archived from the original on 3 May 2018. Retrieved 10 May 2018.
- ↑ "Orissa High Court Public Interest Litigation rules, 2010" (PDF). www.orissahighcourt.nic.in. Retrieved 29 October 2018.
- ↑ "Vishaka & Ors vs State Of Rajasthan & Ors on 13 August, 1997". Retrieved 10 May 2018.
- ↑ "M.C. Mehta vs Union Of India & Others on 22 September, 1987". Retrieved 10 May 2018.